Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ଊନ୍ନବିଂଶ ପର୍ବ)

ଚିତ୍ତରଞ୍ଜନ ଦାସ

 

–ଡକ୍ଟର (ଇଞ୍ଜିନିଅର୍) ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ଦାସ ପାରିବାରିକ ସମ୍ପର୍କରେ ମୋ’ର ଅନୁଜ । ଅନୁଜ, ମାତ୍ର ଅନୁଗ ନୁହନ୍ତି, ସତକୁସତ ଅଗ୍ରଗ । ହୃଦ୍‌ବତ୍ତା, ଆତ୍ମୀୟତା ଓ ଅନୁରାଗ ସବୁ କ୍ଷେତ୍ରରେ ଅଗ୍ରଗ । କେତେ ଆଗକୁ ଭାବନ୍ତି; କେତେ ଆଗକୁ ଘ୍ରାଣ କରି ପାରନ୍ତି, ତଥାପି କେତେ ପାଖରେ ଥାଆନ୍ତି । ଦୂର ଜର୍ମାନୀରେ ଥିଲେ ମଧ୍ୟ ଏକାବେଳେକେ ପାଖରେ ରହିଥାନ୍ତି । ଦୂରତାଗୁଡ଼ାକୁ ସେ କେଡ଼େ ସହଜ ଭାବରେ ଜୟ କରି ନେଇଥାନ୍ତି ।

 

‘ରୋହିତର ଡାଏରୀ’ ଊନ୍ନବିଂଶ ପର୍ବଟିକୁ ମୁଁ ତାଙ୍କରି ହାତରେ ଅର୍ପଣ କରୁଛି ।

Image

 

୧୪ । ୭ । ୯୧

 

ଭୀରୁମାନେ ତୋଷାମଦ କରନ୍ତି, ସାହସୀମାନେ ସମକକ୍ଷ ଖୋଜି ସଂସାର ଭିତରକୁ ବାହାରି ଥାଆନ୍ତି । ଭୀରୁମାନେ ଭିତରେ ଈର୍ଷା କରୁଥାନ୍ତି ବୋଲି ବାହାରେ ତୋଷାମଦବି କରୁଥା’ନ୍ତି, ସାହସୀମାନେ ଆଉ କାହାଠାରେ ସାହସ ଦେଖିଲେ ଖୁସି ହୁଅନ୍ତି । ଭୀରୁମାନେ ହୁଏତ ଯେକୌଣସି ପ୍ରକାରେ ସ୍ଵୀକୃତି ପାଇବାଲାଗି ପ୍ରଲୁବ୍ଧ ହୋଇ ରହିଥାନ୍ତି, ସାହସୀ ସେ କଥା କରେନାହିଁ; ସିଏ ନିଜ ସାହସର ପରିଚୟ ଦିଏ । ଅର୍ଥାତ୍, ସାହସର ସହିତ ଆପଣାକୁ ବ୍ୟକ୍ତ କରେ, ଭିତରେ ଯାହା ବାହାରେ ତାହାହିଁ ଉକୁଟାଇବାକୁ ଚେଷ୍ଟା କରୁଥାଏ । ଭଗବାନ୍‍ଙ୍କ ପାଖରେ କପଟୀ ହେବାକୁହିଁ ସିଏ ସବୁଠାରୁ ବଡ଼ ପ୍ରମାଦ ବୋଲି ମନେକରେ । ତା’ର ନିଷ୍କପଟତାହିଁ ତାକୁ ସାହସ, ଆହୁରି ଅଧିକ ସାହସ ଲାଗି ପ୍ରେରଣା ଦିଏ ।

 

ଏଭଳି ଘଟନା ସାହିତ୍ୟରେ ମଧ୍ୟ ଘଟେ । କାଲି ଜଣେ ସାହିତ୍ୟିକ ବନ୍ଧୁ ସାହିତ୍ୟରେ କ୍ରମେ ଭୀରୁମାନଙ୍କର ସଂଖ୍ୟା ଅତି ବେଶି ହୋଇଗଲାଣି ବୋଲି ଭାରି ଖେଦ କରି କହୁଥିଲେ । ସେ କେତେ ଉଦାହରଣ ମଧ୍ୟ ଦେଲେ । ଭାରତବର୍ଷରେ ଗତ ଚାରିଟା ଦଶକ ଭିତରେ ସାହିତ୍ୟରେ ଭୀରୁମାନଙ୍କର ସଂଖ୍ୟାହିଁ ବୃଦ୍ଧି ପାଇଛି । ଭୀରୁମାନେ କେତେ କ’ଣ ଲେଖିଛନ୍ତି । ପୃଥିବୀରେ ଘୁଷୁରି ହୋଇ ସାହିତ୍ୟରେ କେତେ କ’ଣ ନବୀନତାର ସନ୍ଦେଶ ଶୁଣାଇବାରେ ଲାଗିଛନ୍ତି । ସେମାନେ ସାହିତ୍ୟକୁ ଜୀବନର କଥା ବୋଲି ଗ୍ରହଣ ନକରି ପ୍ରଧାନତଃ ଗୋଟାଏ ଅଳଙ୍କରଣର ବ୍ୟାପାର ବୋଲି ଧରି ନେଇଛନ୍ତି । ସାହିତ୍ୟର ଅଣ୍ଟିଗୁଡ଼ାକ ବହିର ଓଜନରେ ଫାଟିଯିବାକୁ ବସିଛି, ମାତ୍ର ଏଣେ ସାହିତ୍ୟିକ ବାଞ୍ଝ ହୋଇ ରହିଛି । ସିଏ ଜନନୀଟିଏ ହୋଇ ପାରୁନାହିଁ । ଜନନୀଟିଏ ହୋଇପାରିବା ଲାଗି ଆତ୍ମଉଦ୍‌ଘାଟନର, ଆତ୍ମନିବେଦନର ଯେଉଁ ସାହସଟି ଦରକାର, ସେହି ସାହସକୁ ସେ ଏହି ନଶ୍ଵର ଜୀବନରେ ଆଦୌ ଲାଭଦାୟକ ବୋଲି ମନେ କରି ପାରୁନାହିଁ । ଲାଭଦାୟକ ହେବାଟାହିଁ ତା’ ବଣିଜର ସବୁଯାକ ଧର୍ମରେ ପରିଣତ ହୋଇଛି । ଜୀବନଟାକୁ ନଶ୍ଵର ବୋଲି ଭାବୁଥିବା ପର୍ଯ୍ୟନ୍ତ ମଣିଷ ପୃଥିବୀରେ ଭାରି ଭୀରୁ ହୋଇ ରହିଥାଏ । ଯଥାସମ୍ଭବ ଅଧିକ ନେଇ ସତେଅବା କୁଆଡ଼େ ଚମ୍ପଟ ଦେବ ବୋଲି ତରତର ହେଉଥାଏ । ସାହିତ୍ୟକୁ ମୁଖା ପରି ବ୍ୟବହାର କରୁଥାଏ । ଭିତରେ ପ୍ରସବ କରି ନପାରିବାର ଅହନ୍ତାରେ ନିଜେ ଦହି ହୋଇ ମରୁଥାଏ-। ତା’ର ଅହନ୍ତା ସଂସାରକୁ ମଧ୍ୟ ଦହି ପକାଇବ ବୋଲି ମନ କରୁଥାଏ । ମାତ୍ର, ଭୀରୁମାନଙ୍କ ଦ୍ଵାରା ଏତେ ବେଶି କଦାପି ସମ୍ଭବ ହୋଇନାହିଁ । ଏବେ ମଧ୍ୟ ହେବନାହିଁ ।

 

୧୫ । ୭ । ୯୧

 

ଭୀରୁମାନେହିଁ ସବୁ ଜାଗାରେ ସାହସୀମାନଙ୍କର ପ୍ରଶଂସା କରନ୍ତି, ସାହସୀମାନଙ୍କୁ ଈର୍ଷା କରୁଥାଆନ୍ତି ବୋଲି ମଧ୍ୟ ସେମାନେ ହୁଏତ କେତେ ଅବସରରେ ସାହସୀମାନଙ୍କର ପ୍ରଶଂସା କରୁଥାନ୍ତି । ସେମାନେ ସାହସୀମାନଙ୍କୁ ବୋକା ଓ ଅସଫଳ ବୋଲି ଭାବନ୍ତି, ସାହସୀମାନଙ୍କର ସାହସକୁ ପ୍ରତ୍ୟାଖ୍ୟାନ କରି ସେମାନେ ସାହସୀମାନଙ୍କର ପୂଜା କରନ୍ତି, ସାହସୀମାନଙ୍କର ମୂର୍ତ୍ତି ଗଢ଼ି ଥୋଇଦିଅନ୍ତି, ଏହା ଏକ ଅତି ବିଚିତ୍ର କଥା ।

 

ଭୀରୁ ହୋଇ ରହିବାକୁ ଭଲ ପାଇ ତଥାପି ସାହସୀମାନଙ୍କର ପ୍ରଶଂସା କରିବା, ଏଥିରୁ ଆପଣାର ଅସମର୍ଥତା ଅଥବା ଅସମ୍ମତତା ଲାଗି କିଞ୍ଚିତ୍ କ୍ଷତିପୂରଣ ସମ୍ଭବ ହୁଏ ଓ ସେଥିରୁ ଅବଶ୍ୟ କିଞ୍ଚିତ୍ ପୁଲକ ମଧ୍ୟ ମିଳେ । ମାତ୍ର ସେହି ପୁଲକ ମଣିଷକୁ ନିଜର ବେଡ଼ିରେ, ନିଜର ଏକାଧିକ ଧୂର୍ତ୍ତ ଚତୁରତା ଭିତରେ ବାନ୍ଧି ରଖିଥାଏ, ମଣିଷମାନେ ଭୀରୁ ହେବାକୁ ଭଲ ପାଆନ୍ତି ବୋଲି ଭୀରୁ ହୁଅନ୍ତି । ପୃଥିବୀରେ ଯାବତୀୟ system ଭୀରୁମାନଙ୍କର ସକ୍ରିୟ ସହଯୋଗଦ୍ଵାରା ଚାଲେ । ସଂସାରରେ ଭୀରୁମାନେହିଁ ସାଧାରଣତଃ ଉଗ୍ରବାଦୀ ହୁଅନ୍ତି । କ୍ଷମତାରେ ବସିଲେ ବା ହାତରେ ହତ୍ୟା ସମର୍ଥଗୁଡ଼ାଏ ବନ୍ଧୁକ ରହିଥିଲେ ଯାଇ ସେମାନେ କିଛି କରିପାରିବେ ବୋଲି ବିଶ୍ଵାସ କରୁଥାନ୍ତି । ଏବଂ ଆମର ସାଂସ୍କୃତିକ ଜୀବନରେ ତଥାକଥିତ ଅନେକ କୋମଳତାର ଏହି ଭୀରୁମାନେହିଁ ପୃଷ୍ଠପୋଷକ ହୋଇ ରହିଥାନ୍ତି । ପୃଥିବୀକୁ ଶୀତଳ କରି ରଖିବାରେ ଭୀରୁମାନଙ୍କର ସଚରାଚର ଏକ ଅନବଦ୍ୟ ଅବଦାନ ରହିଆସିଛି । ପୃଥିବୀରେ ଭୀରୁହିଁ ସବାଆଗ ନିଜର କଲିଜାଟିକୁ ସବୁଠାରୁ ଅଧିକ ଉଜ୍ଜ୍ଵଳ କରି ରଖିବ ବୋଲି ସତେଅବା ଏକ ଧର୍ମ କାର୍ଯ୍ୟ ବୋଲି ଧରି ନେଇଥାଏ । ଭୀରୁମାନେ ସାହିତ୍ୟ ଭିତରେ ପଶି ସଭାରେ ଚାରଣ ହୁଅନ୍ତି । ସମାଜରେ ଏମାନଙ୍କର ସଂଖ୍ୟା ଅଧିକ ହୋଇଗଲେ ସାମନ୍ତବାଦ ନାମକ କ୍ଷୟକାରୀ ଜୀବନ ଦୃଷ୍ଟି ଆମର ଯାବତୀୟ ସଚଳତାକୁ ମାଡ଼ି ବସିଥାଏ, ଜୀବନରେ ଅନେକ ଅସଲ ଚାରଣାକୁ ଭୀରୁ ସାମନ୍ତମାନ ସତେଅବା ଆଇନ ଜାରି କରି ଅଟକାଇ ରଖିଥାନ୍ତି । ଭୀରୁମାନଙ୍କର କବଳରେ ପଡ଼ି ଚେତନାର ବିବର୍ତ୍ତନ ବହୁତ ଗଞ୍ଜଣା ଭୋଗ କରେ । ପୃଥିବୀକୁ ଅଟକାଇ ରଖା ହୋଇଥାଏ, ମାତ୍ର ତୋଷାମଦରେ, ମିଛ ଅତିରଞ୍ଜନରେ ଚାରିଆଡ଼ ଫାଟି ପଡ଼ୁଥାଏ; ମାତ୍ର ମଣିଷମାନେ ଅତ୍ୟନ୍ତ ଅସହଜ ହୋଇ ଦିଶୁଥାନ୍ତି ।

 

୧୬ । ୭ । ୯୧

 

ଅନେକ, ଅନେକ ଅନ୍ତରଙ୍ଗତା ଦରକାର । ଭଗବାନ୍‍ଙ୍କର ଦର୍ଶନ ପାଇଲେ ଭାଗ୍ୟବାନ୍‍ମାନେ କିପରି ଯେ ମଣିଷ ପ୍ରତି ବିମୁଖ ହୋଇପଡ଼ନ୍ତି, ସେ କଥା ମୁଁ ଆଦୌ ବୁଝି ପାରେନାହିଁ । ସେମାନେ ସତକୁସତ ଭଗବାନ୍‍ଙ୍କ ଦର୍ଶନ କରିଛନ୍ତି କି ନାହିଁ, ସେ ବିଷୟରେ ସନ୍ଦେହ କରିବାକୁ ଭାରି ଇଚ୍ଛା ହୁଏ । ଉପରେ ଅନେକ ମଣିଷ କେଡ଼େ ଉଗ୍ର, କେଡ଼େ ଭୀଷଣ ! ମାତ୍ର ନିଜଭିତରେ କେଉଁଠି ଖିଅଟିକୁ, ନିୟନ୍ତ୍ରଣଟିକୁ ଓ ଉତ୍ତରାଧିକାରଟିକୁ ହରାଇ ପକାଇ ଥିବାରୁ ସେମାନେ ଯେ ବାହାରେ ଏତେ ଉଗ୍ର ଓ ଭୀଷଣ; ତାହାହିଁ ବୁଝିବା ହେଉଛି ଅସଲ ଅନ୍ତରଙ୍ଗତା । ଜଣେ ମଣିଷକୁ ଅନ୍ତରଙ୍ଗ ଭାବରେ ଜାଣିବା ହେଉଛି, ବାହାରର ଏହି ଯାବତୀୟ ପ୍ରତୀତିର ଭିତରକୁ ଯାଇ ଭିତରେ ରହିଥିବା ଖିଅ ଛିଣ୍ଡା ଅସହାୟତାବୋଧଟିକୁ ବନ୍ଧୁଭାବରେ ଭେଟିବା, ଏବଂ ସେଠାରେ ବନ୍ଧୁର ନିର୍ଭର ଦେଇ ପାରିବା । ନୀତିବାଦ ହୋଇ ରହିଥିବା ଯାଏଁ ସେ କଥା ସମ୍ଭବ ହୋଇ ପାରେନାହିଁ ।

 

ଜଣେ ନୀତିବାଦୀ ଭିତରେ ଉଗ୍ରତା ଥାଏ ବୋଲି ସିଏ କେଉଁଠି ହେଲେ ଅନ୍ତରଙ୍ଗ ହୋଇ ପାରେନାହିଁ । ସିଏ କେବଳ ଚୋରକୁ ଦେଖେ ଓ ପୁଲିସକୁ ଦେଖେ । ନିଜ ଭିତରେ ଥିବା ସତେଅବା କେଉଁ ପୁଲିସଟାର କୋପନ ପ୍ରବୃତ୍ତିର କାବୁରେ ପଡ଼ି ସେ ସଂସାରଯାକ ଚୋରମାନଙ୍କୁହିଁ ଖୋଜି ବୁଲୁଥାଏ । ପୁନଶ୍ଚ ନିଜ ଭିତରେ ମଧ୍ୟ କେଉଁଠି ଚୋରଟିଏ ବସିରହିଛି ବୋଲି ଭିତରୁ ବାରବାର ଖେଞ୍ଚା ପାଉଥିବାରୁ ସିଏ ଆପଣାକୁ ସେ ବିଷୟରେ ଯଥାସମ୍ଭବ ବିସ୍ମୃତ କରି ରଖିବାକୁ ମଧ୍ୟ ଚେଷ୍ଟା କରୁଥାଏ ଓ ସେଥିଲାଗି ନିଜ ଭିତରେ ରହୁଥିବା ପୁଲିସଟିର ସାହାଯ୍ୟ ଲୋଡ଼ୁଥାଏ । ମୁଁ ନୀତିବାଦୀ ନୁହେଁ, କାରଣ ଜୀବନରେ ମୁଁ ନିଜର କେତୋଟି ନୀତିର ଆବିଷ୍କାର କରି ପାରିଛି । ଆପଣାକୁ ଲୁଚାଇ ରଖିବାରେ ମୋ’ର ଆଦୌ କୌଣସି ସଉକ ମଧ୍ୟ ନାହିଁ । ନିଜ ଭିତରେ ଦୁଇଖଣ୍ଡ ବା ଆଉ କେଇଖଣ୍ଡ ହୋଇ ରହିଥିଲା ସମ୍ଭବତଃ ମୁଁ ସେସବୁ କଥା ଖୁବ୍ କରୁଥାନ୍ତି । ମୋ’ ନିଜ ଭିତରେ ଅନ୍ତରଙ୍ଗଟି ପାଖରେ ନିଜ ଲାଗି ରହିଥିବା ଅସଲ ଥାନଟିକୁ ମୁଁ ଠାବ କରିନେଇ ପାରିଛି ବୋଲି ଅନ୍ୟମାନଙ୍କ ଭିତରେ ମଧ୍ୟ ସେହି ଅନ୍ତରଙ୍ଗତାର ଠାବ କରି ବାହାରିଛି । ଆପଣାର ନିଶକୁ ଫୁଲାଇ ଜଗତ୍‍ରେ ଆପଣାକୁ ସବୁଠାରୁ ଅଧିକ ଶୁଦ୍ଧ ଓ ମଳହୀନ ମଣିଷ ବୋଲି ଦାବି କରିବା ମୋ’ର କେବେହେଲେ ମନ ହୋଇନାହିଁ । ଭଗବାନ୍‍ଙ୍କୁ ମୁଁ ବନ୍ଧୁରୂପେ ପାଇଛି, ତେଣୁ ସଂସାରଟା ମଧ୍ୟ ମୋତେ ମୁଖ୍ୟତଃ ବନ୍ଧୁମାନଙ୍କର ନିକେତନ ବୋଲି ମନେ ହେଉଛି-

 

୧୭ । ୭ । ୯୧

 

ଖାଲି ସାହିତ୍ୟ ଆଦୌ ପୋଷେଇବ ନାହିଁ; ଅର୍ଥାତ୍, ପୃଥିବୀ ସମ୍ମୁଖରେ ଦଣ୍ଡାୟମାନ ସମଗ୍ର ସଙ୍କଟଟିର ଜବାବ ଦେଇ ପାରିବ ନାହିଁ । ଖାଲି ରାଜନୀତି ଯେ ମୋଟେ ପୋଷେଇବ ନାହିଁ, ସେ କଥାଟା ପୃଥିବୀରେ ହୁ’ ହୁ’ ହୋଇ ପ୍ରମାଣିତ ହେବାରେହିଁ ଲାଗିଛି । ଖାଲି ରାଜନୀତି କରୁ କରୁ ରାଜନୀତି ନାୟକମାନେ କ୍ରମେ ତୁଚ୍ଛା ଲଙ୍ଗଳା କ୍ଷମତାନୀତି ଭିତରେ ଛନ୍ଦିଛାନ୍ଦି ହୋଇଗଲେ । ଏବେ ସେହି କ୍ଷମତାନୀତି ପ୍ରଧାନତଃ ଅସ୍ତ୍ରବଳ ଉପରେ ଅତ୍ୟନ୍ତ ବ୍ୟାଧିତ ଭାବରେ ନିର୍ଭରଶୀଳ ହୋଇ ରହିଛି । ଅସ୍ତ୍ରରେ ବଳୁଆମାନେହିଁ ବର୍ତ୍ତମାନ ସାରା ପୃଥିବୀର ଭାଗ୍ୟକୁ ନେଇ ମାମଲତ୍‍କାରୀ କରିବାରେ ଲାଗିଛନ୍ତି । ସେମାନଙ୍କର ମାମଲତ୍‍କାରୀ ଆଗରେ ଆଉ ସବୁକିଛି କୁଆଡ଼େ ଫସରଫାଟି ଯାଉଛି । ମଣିଷ ବୋକାହୋଇ ଚାହିଁ ରହିଛି ।

 

ଯିଏ ସାହିତ୍ୟ କରୁଛି, କରୁ । ଯିଏ ରାଜନୀତି କରୁଛି, କରୁ । ଯିଏ ଆଦର୍ଶବାଦର ବାନା ଧରି ପୃଥିବୀଟାକୁ ଏକାବେଳେକେ ସ୍ଵର୍ଗଯାଏଁ ଉଡ଼ାଇନେବ ବୋଲି ସତକୁସତ ବିଶ୍ରାମ କରୁଛି ସିଏବି ତାହା କରୁ । ଯିଏ ଧର୍ମ ଭିତରେ ଅଛି ଓ ତାହାକୁ ଏକ ବିଶ୍ଵାସଯୋଗ୍ୟ ନିର୍ଭରଶୀଳା ବୋଲି ବିଚାର କରୁଛି, ସିଏ ମଧ୍ୟ ତାହା କରୁଥାଉ । ମାତ୍ର, ସମସ୍ତେ ଆପଣା ଆପଣାର କ୍ଷେତ୍ରଟିର ମାଧ୍ୟମରେ ସମଗ୍ର ଜୀବନଟିରୁହିଁ ଛୁଇଁ ପାରିବାକୁ ଚେଷ୍ଟା କରନ୍ତୁ । ଶିକ୍ଷା ସମଗ୍ର ଜୀବପାଇଁ ହେଉ, ରାଷ୍ଟ୍ରୀୟତା ଏକ ସମଗ୍ର ଜୀବନର ଆବେଦନରେ ଗୌରବାନ୍ଵିତ ହୋଇ ରହୁ, ଧର୍ମ ମଧ୍ୟ ଠାକୁରମାନଙ୍କର ଖୋଳଗୁଡ଼ାକୁ ଡେଇଁଯାଇ ସମଗ୍ର ଜୀବନଲାଗି ଆହ୍ଵାନ ଦେଉ । ଅନ୍ନଠାରୁ ଆନନ୍ଦପର୍ଯ୍ୟନ୍ତ କେଉଁଠି କିଛିହେଲେ ବାଦ୍ ନପଡ଼ିଲେ ଯାଇ ହୁଏତ ଏହି ବିପରୀତ ହାଉଆ ବଦଳିବ, ଏହି ବିକୃତିଗୁଡ଼ାକ ଯିବ, ମଣିଷ ପୁନର୍ବାର ସ୍ଵସଦନକୁ ଫେରିଆସି ପାରିବ । ମାତ୍ର, ସବୁ ମଣିଷଙ୍କୁ ଗୋଟିଏ ଶ୍ରଦ୍ଧାର ଆୟତନ ଭିତରେ ସ୍ଵୀକାର କରିନେଇ ନପାରିଲେ ମଣିଷ ସମଗ୍ର ଜୀବନକୁ ମଧ୍ୟ ଆଘ୍ରାଣ କରିପାରିବ କିପରି ? ଏହି ସବୁକିଛି ସତେଅବା ଗୋଟାଏ ବୃତ୍ତଭିତରେ ମଣିଷକୁ ବୋଲିଗୁଡ଼ାକର ଭୁଆଁ ବୁଲାଇବାରେ ଲାଗିଛି, ବୁଦ୍ଧିର ଧନ୍ଦା ଭିତରେ ବାଉଳା କରି ରଖିବାକୁ ଇଚ୍ଛା କରୁଛି । ତଥାପି ହୃଦୟ କହୁଛି, ବାଟଟିଏ ରହିଛି, ସବୁତକ ସତ ବିକଳ୍ପ ଜୀବନଟିଏ ମଧ୍ୟ ରହିଛି ।

 

୧୮ । ୭ । ୯୧

 

ସଙ୍କଟ ଆଗରେ ଜଣେ ବ୍ୟକ୍ତି କି ଜବାବ ଦେଇ ପାରିବ ? ମୋଟେ କୌଣସି ସଙ୍କଟ ନାହିଁ ବୋଲି ସିଏ ନିଜକୁ ଭୁଲାଇ ରଖିବାକୁ ଚେଷ୍ଟା କରିବ ? ଅଥବା ସଙ୍କଟ ମଧ୍ୟରୁ ଏକ ଅଧିକ ନିରାପଦ ଜାଗାକୁ ପଳାଇଯିବ ? ବା ସାମୂହିକ ଜୀବନର ପ୍ରଚଣ୍ଡ ଅଡ଼ୁଆଗୁଡ଼ାକୁ ଆଉ ଆଦୌ ପାରିହୋଇ ହେବନାହିଁ ବୋଲି ଜାଣି ସିଏ ଆପଣାର ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନରେହିଁ ଆପଣାର ଯାବତୀୟ ମନକୁ ନେଇ ଅଜାଡ଼ି ଦେବ ? ମୁଁ ଦେଖୁଛି, ମୋ’ ଚାରିପାଖରେ ଆତଯାତ ହେଉଥିବା ମଣିଷମାନେ ସତେଅବା ଏକ ନାହିଁନଥିବା ସମାଧାନଟିଏ ପାଇଥିବା ପରି ଏହାରି ମଧ୍ୟରୁ କୌଣସି ଗୋଟିଏ ପନ୍ଥାକୁ ଆଦରି ନେଇ କେଡ଼େ ଶୀତଳ ହୋଇ ବସିଛନ୍ତି । ବାହାରକୁ କେଡ଼େ ଖୁସି ମଧ୍ୟ ଦେଖା ଯାଉଛନ୍ତି । କେଡ଼େ ବଢ଼ିଆ ଭାବରେ ଖାପ ଖାଇ ଖାଇ ଯାଉଛନ୍ତି ଏବଂ କେଡ଼େ ନିରୀହ ଭାବରେ ଏହି ସଙ୍କଟଟାକୁହିଁ ରାଜା ବୋଲି ସ୍ଵୀକାର କରି ନେଉଛନ୍ତି । ସତେଅବା ସମସ୍ତଙ୍କର ସମର୍ଥନ ସହିତ ସଙ୍କଟମାନେ ଏକ ପ୍ରଚଣ୍ଡ ଦୈତ୍ୟର ଶୋଭାରେ ମଣିଷମାନଙ୍କର ଜୀବନକୁ ମାଡ଼ି ବସିଛନ୍ତି । ମଣିଷମାନେ ନିରାପଦ ରହୁ ରହୁ ପ୍ରାୟ ଗୋଟା ସୁଦ୍ଧା ମରି ସାରିଲେଣି, ମୃତ୍ୟୁ ସ୍ଵୀକାର କରି ଶୋଇ ପଡ଼ିଲେଣି ।

 

ନିଜେ ବଞ୍ଚିବାଟାହିଁ ବର୍ତ୍ତମାନର ଏହି ସଙ୍କଟ ପ୍ରତି ଆପଣାର ଅସଲ ପ୍ରତିବାଦ ଜଣାଇବା । ଯେଉଁପରି ବଞ୍ଚିଲେ ସମସ୍ତ ଜଗତ୍‍ ସତକୁସତ ରହିବ, ସେହିପରି ବଞ୍ଚିବା ହେଉଛି ଅସଲ ବଞ୍ଚିବା । ଆଦୌ କୌଣସିପ୍ରକାର ନିରାପତ୍ତା କିମ୍ବା ବିସ୍ମରଣ ମଧ୍ୟକୁ ପଳାଇ ନଯାଇ ବଞ୍ଚିବା-। ସାହିତ୍ୟ, ସଂସ୍କୃତି, ଜାତୀୟତା,–ଏସବୁ ପୃଥିବୀରେ କ୍ରମେ ପଳାୟନର ଗୋଟିଏ ଗୋଟିଏ ନାମ କିମ୍ବା ଅସ୍ତ୍ରରୂପେ ବ୍ୟବହୃତ ହେଉଥିବାବେଳେ ତଥାପି ସାହସୀ ମଣିଷ ପରି ସ୍ଵପ୍ନ ଦେଖିବା, ଶ୍ରଦ୍ଧା ରଖିବା ଏବଂ ସ୍ଵପ୍ନଗୁଡ଼ିକ ଅନୁସାରେ ବଞ୍ଚିବା । ମୁଁ ଯେ କୌଣସି ଦୈତ୍ୟସତ୍ୟରେ ମଣ ହୋଇ ରହିଯିବାକୁ ମୋଟେ ରାଜି ନୁହେଁ, ଯଥାସମ୍ଭବ ଅଧିକ କୋଳାହଳ ଶୂନ୍ୟ ଭାବରେ ତାହାହିଁ ଘୋଷଣା କରି ଜୀବନ ବଞ୍ଚିବା । ସାହିତ୍ୟ ଭିତରେ ରହିବା, ସଂସ୍କୃତି ଭିତରେ ରହିବା, ଏବଂ ସେହିସବୁ ଯାବତୀୟ ସମ୍ବନ୍ଧର କ୍ଷେତ୍ରରେ ପୂର୍ଣ୍ଣ ସାହସର ସହିତ ଜୀବନ ବଞ୍ଚିବା, ଜାଗତିକ ଜୀବନର ଅସଲ ମୂଲ୍ୟକେନ୍ଦ୍ରଗୁଡ଼ିକୁ ନିଜଭିତରେ ବହନ କରି ବାଟ ଚାଲୁଥିବା ପରି ଜୀବନ ବଞ୍ଚିବା-। ଏପରି ବଞ୍ଚିବାରେ ମଧ୍ୟ ଅଲବତ୍ ସାଥୀ ମିଳିବେ । ଏବଂ ସାଥୀ ମିଳୁଥିବା ମଣିଷର ଭୟ କରିବାଲାଗି ଆଉ ପୁଣି କେଉଁ କାରଣ ରହିଛି ।

 

୧୯ । ୭ । ୯୧

 

ସକାଳୁ ଉଠି ସ୍ଵପ୍ନକଥାଗୁଡ଼ାକୁ ଉଖାରି ଉଖାରି ମନେପକାଇବାକୁ ମୋ’ର କେବେ ମନ ହୁଏନାହିଁ । ଜିରାରୁ ସିରା କାଢ଼ିଲା ପରି କୁଆଡ଼େ ଥିର ହୋଇ ସ୍ମୃତିର କେଣ୍ଡାଗୁଡ଼ାକୁ ଓଲଟାଇ ଓଲଟାଇ ରାତ୍ରର ସ୍ଵପ୍ନକଥାଗୁଡ଼ିକ ମୋଟାମୋଟି ମନେ ପଡ଼ିବାକୁ ଆରମ୍ଭ କରେ ବୋଲି ସ୍ଵପ୍ନ ବିଷୟରେ ଅତ୍ୟାଗ୍ରହୀମାନେ ଅନ୍ୟ ଆଗ୍ରହୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ।

 

ଭିତରେ ଅନେକ ଧୈର୍ଯ୍ୟ ଓ ଅନେକ ଶ୍ରଦ୍ଧା ରହିଛି; ମାତ୍ର, ମୁଁ ରାତିରେ କେଉଁସବୁ ସ୍ଵପ୍ନ ଦେଖିଲି, ସେଗୁଡ଼ାକୁ ପୁନର୍ବାର ଅଇଁଠା ଖାଇଲା ପରି ଘାଣ୍ଟିବା ଲାଗି ମୋ’ର କେବେ କୌଣସି ଧୈର୍ଯ୍ୟ କିମ୍ବା ଶ୍ରଦ୍ଧା ହୁଏ ନାହିଁ । ମୁଁ ଜାଣେ, ଦିନଯାକର ଜାଗ୍ରତ ଜୀବନରେ ଯିଏ ମୋ’ ଭିତରେ ଆପଣାର ଦିଗ୍‌ବଳୟଗୁଡ଼ିକ ଉପରେ ଆଖିକୁ ଥାପି ବଞ୍ଚେ, ମୋ’ର ରାତ୍ରିର ପ୍ରହରଗୁଡ଼ିକରେ ନିଦ୍ରାନାମକୁ ଆଉ ଏକ ସ୍ଥିତିରେ ସେଇ ସ୍ଵପ୍ନ ଦେଖେ ଏବଂ ସକାଳରୁ ମୁଁ ଉଠିଲା ବେଳକୁ ସେହି ସ୍ଵପ୍ନଗୁଡ଼ିକ ସତେଅବା ଆପଣାଛାଏଁ ପୋଛିହୋଇ ଯାଆନ୍ତି । ଯଦି ମୋ’ ରାତି ଓ ମୋ’ର ଦିନର ସନ୍ତକରୂପେ ଦୁଇଟି ରହିଥାନ୍ତା, ଦୁଇ ସିଂହାସନ ଅଲଗା ଅଲଗା ଦୁଇଜଣ ରଜା ବସିଥାଆନ୍ତେ, ଅଥବା, ମୋ’ ଭିତରେ ଗୋଟାଏ ପାଖ ଯଦି ଅବଧାନ ହୋଇ ଆଉଗୋଟାଏ ପାଖର ପ୍ରତିନିଧିତ୍ଵ କରୁଥିବା ଚାଟଟାକୁ ମଣ କରିବାର ମତଲବରେ ହାତରେ ବେତ ଧରି ଦଉଡ଼ିବାରେ ଲାଗିଥାନ୍ତା, ତେବେ ଅବା ଗୋଇନ୍ଦା ପୁଲିସ ପରି ମୁଁ ସ୍ଵପ୍ନ କାଣ୍ଡଗୁଡ଼ିକରୁ ତଥ୍ୟ ସଂଗ୍ରହ କରିବାରେ ହୁଏତ ବେଶ୍ ଆନନ୍ଦଲାଭ କରି ପାରୁଥାନ୍ତି । ମୁଁ ଖାଲି ଚାଟ ନୁହେଁ କି ଖାଲି ଅବଧାନ ନୁହେଁ, ବା, ମୁଁ ଗୋଟାଏ ଅନ୍ଧାର ଗୋହରି ନୁହେଁ ଯେ ମୋ’ ଭିତରେ ଚାଟ-ଅବଧାନ ଅଥବା ପୁଲିସ–ଚୋରର ଉଚ୍ଚାଟନକାରୀ ନାଟଗୁଡ଼ାକ ଲାଗି ରହିଥିବ । ରାତିଯାକ ମୋ’ ଭିତରେ ମୋ’ ଗଛଗୁଡ଼ିକହିଁ ସ୍ଵପ୍ନ ଦେଖନ୍ତି ଏବଂ ଜାଗ୍ରତ ଜୀବନର ଫୁଲଗୁଡ଼ିକୁ ସିନ୍ଦୂରା ଫାଟିବା ପୂର୍ବରୁ ଫୁଟାଇ ଦେଇ ସାରିଥାନ୍ତି । ଗଛଗୁଡ଼ାକର ଗବେଷଣା କରିବାପାଇଁ ଫୁଲର, ମହକର ବେଳ କାହିଁ ? ଦିନମାନର ସବୁ ଅର୍ଜନ ଅର୍ଥାତ୍ ଅଭିଜ୍ଞତା ମୁଁ ରାତ୍ରିର ଭଣ୍ଡାର ଭିତରକୁ ବଢ଼ାଇ ଦେଇ ଯାହାର ନାମ ଧରି ଶୋଇବାକୁ ଯାଏଁ, ମୋ’ ଭିତରେ ସେଇ ଜନନୀର ଯତ୍ନ ହୋଇ ରାତିଯାକ ପୁନର୍ବାର ଆଉଗୋଟାଏ ଦିନଲାଗି ଫୁଲଗୁଡ଼ିକୁ ଫୁଟାଇ ଆଣିବାରେ ଲାଗିଥାନ୍ତି । ତେଣୁ, ମୁଁ ଗବେଷଣା କରିବି ନାହିଁ, ମୁଁ କୃତଜ୍ଞ ରହିବି-

 

୨୦ । ୭ । ୯୧

 

ଭାରତୀୟ ସରକାରଙ୍କର ତୁଙ୍ଗ ଶାସକମାନେ ଏବେ କହୁଛନ୍ତି ଯେ, ଗତ ବହୁବର୍ଷ ହେଲା ଭାରତୀୟମାନେ ଯେତିକି ଆୟ କରିନାହାନ୍ତି, ତା’ଠାରୁ ଅଧିକ ଧାରିଛନ୍ତି ଓ ପ୍ରଧାନତଃ ସେହି କାରଣରୁହିଁ ବର୍ତ୍ତମାନର ଆର୍ଥିକ ଦୁର୍ଗତି ଆସି ପହଞ୍ଚିଛି । ଭାରତୀୟମାନେ ଅର୍ଥାତ୍ ଭାରତ ସରକାର । ଭାରତ ସରକାର ଅର୍ଥାତ୍ ଶାସକମାନେ, ଅର୍ଥାତ୍ ମନ୍ତ୍ରୀମାନେ, ଅମଲାମାନେ ଓ ଚତୁରମାନେ । ଅର୍ଥାତ୍, ଏ ଦେଶର ଉଚ୍ଚଶିକ୍ଷିତ ଓ ଉଚ୍ଚପଦସ୍ଥମାନେ । ବର୍ତ୍ତମାନ ଉଚ୍ଚପଦରେ ଥାଇ ଯେଉଁମାନେ ଏହି ସ୍ଵୀକାରୋକ୍ତି ଏବେ କରୁଛନ୍ତି, ସେମାନେ ବା ଅନ୍ତତଃ ସେମାନଙ୍କ ଭିତରୁ ଅଧିକାଂଶ ଏକଦା ସେହିଭଳି ଉଚ୍ଚପଦମାନଙ୍କରେ ରହିଥିଲେ, ଦେଶଟାକୁ ଏମିତି ବା ସେମିତି କରିଦେବେ ବୋଲି ଶାସକୀୟ ଢମସବୁ ବାହାର କରୁଥିଲେ ଓ ଏଣେ ଦେଶର ଧନକୁ ନେଇ ନାନା ଗାତରେ ଭର୍ତ୍ତି କରୁଥିଲେ । ଏହିପରି ଭାବରେ ଗୋଟାଏ ଶ୍ରେଣୀ ଭାରି ଉପ୍ରୋଧ ପାଇ ବଢ଼ି ଉଠୁଥିଲା ଏବଂ ବହୁ ଦୃଷ୍ଟିରୁ ବିଚାର କଲେ ବର୍ତ୍ତମାନ ଏ ଦେଶରେ ମୁଖ୍ୟତଃ ସେହି ଶ୍ରେଣୀଟିର ହାତରେହିଁ ଅଢ଼ାଗୁଡ଼ିକ ରହିଛି । ତେଣୁ, ଦୁର୍ଗତ ଲାଗିରହିଛି । ବାବୁମାନେ ଦେଶକୁ ବୋକା ବନାଇ ରଖିଛନ୍ତି । ଏବଂ ସେହି ବାବୁମାନେ ସ୍ଵୀକାରୋକ୍ତି ମଧ୍ୟ କରୁଛନ୍ତି ।

 

ଭାରତୀୟ ମୁଦ୍ରାର ମୂଲ୍ୟକାଟ ପଛରେ ଯେଉଁମାନଙ୍କର ଅପମାନଜନକ ଅବଦାନ ରହିଛି, ଆଉ କୌଣସି ଅନ୍ୟପ୍ରକାର ଦେଶ ହୋଇଥିଲେ ସେମାନଙ୍କର ହୁଏତ ମୁଣ୍ଡକାଟ ହେଉଥାନ୍ତା । ବାବୁମାନଙ୍କର ଭାଗ୍ୟ ଯେ, ଦେଶ ଏବେ ମଧ୍ୟ ସେହି ଧାରାକୁ ଗ୍ରହଣ କରିନାହିଁ । ସେ ବାଟରେ ସମାଧାନ ମଧ୍ୟ ନାହିଁ, ଯଦିଓ ସାମୟିକ କୋଳାହଳ ବହୁତ ରହିଛି । ସମାଧାନ ବିକଳ୍ପଦ୍ଵାରା ହେବ । ଯେଉଁମାନଙ୍କର ମୁଣ୍ଡକାଟ ହେବାର ଉଚିତ ଥିଲା, ଏବେ ସେମାନଙ୍କୁ କଦାପି ବାଟ ନଦେବାର ଏକ ବିକଳ୍ପ ନେତୃତ୍ଵ ଭାରତବର୍ଷରେ ସମ୍ଭବ ହେଲେ ଯାଇ ଆମକୁ ଏହି ଅନ୍ଧାର ଭିତରୁ ବାଟ ମିଳିବ । ଆଉଦଳେ ବାବୁମାନଙ୍କୁ ହୁଏତ ଟଳାଇଦେବେ ସିନା, ମାତ୍ର ଦୁର୍ଗତିମାନଙ୍କୁ ଦୂର କରି ପାରିବେନାହିଁ । ସେହି ଅନ୍ୟ ନେତୃତ୍ଵଟି ଲାଗି ଯିଏ ବା ଯେଉଁମାନେ ଭୂମିଟିଏ ତିଆରି କରୁଛନ୍ତି, ସେମାନେ ଯେଡ଼େ ଅଳପ ବା କୋଳାହଳହୀନ ପରିଧି ଭିତରେ କାର୍ଯ୍ୟ କରୁଥିଲେ ମଧ୍ୟ ଅନେକ ଅର୍ଥରେ ସେହିମାନଙ୍କୁହିଁ saving remnant ବୋଲି କୁହାଯାଇପାରିବ ।

 

୨୧ । ୭ । ୯୧

 

ସବୁ ମୋ’ରିପାଇଁ । ମୋ’ର ବ୍ୟସ୍ତତା କେବଳ ମୋ’ରିପାଇଁ । ମୋ’ର ଏହି ବାଟଚଲା କେବଳ ମୋ’ରିପାଇଁ । ସେଥିପାଇଁ ହୁଏତ ମଣିଷମାନଙ୍କୁ ନିଜର ଜୀବନଟା ଏଡ଼େ ଭାରି ଲାଗୁଥାଏ-। ନାକରେ କାନ୍ଦି କାନ୍ଦି ସେମାନଙ୍କର ଦିନ ଯାଉଥାଏ । ସେମାନେ ଆକାଶ ଆଡ଼କୁ ଅନାଇ ପାରନ୍ତିନାହିଁ କି ଏହି ଆଲୋକକୁ ମଧ୍ୟ ନିଜ ଆଖିରେ ପିଇ ନେଇ ପାରନ୍ତିନାହିଁ । ବିଚରା ବ୍ୟସ୍ତ ମଣିଷମାନେ ।

 

କିଏ ତା’ର ବଦଳି ବନ୍ଦ କରିବାପାଇଁ ବ୍ୟସ୍ତ, କିଏ ତା’ର ଚାକିରିପାଇଁ ବ୍ୟସ୍ତ, କିଏ ନିଜ ପୁଅପାଇଁ ବ୍ୟସ୍ତ ତ ଆଉକିଏ ତା’ର ଝିଅ ଜ୍ଵାଇଁଙ୍କ ପାଇଁ ବ୍ୟସ୍ତ । ଏମାନଙ୍କ ସକାଶେ ପୃଥିବୀଟା କେଉଁଠି ଅଛି କେଜାଣି ? ଏମାନଙ୍କର ଭଗବାନ୍‍ ମଧ୍ୟ ଏମାନଙ୍କର ନିଜ ପତ୍ତାଟା ଭିତରେ କେଉଁଠି ଲୁଚିକରି ରହିଛନ୍ତି । ମଣିଷ ମଣିଷ ଦେହ ଘଷାଘଷି ହେଲାପରି ରହି ସଂସାର ଭିତରେ ରହିଛନ୍ତି, ତଥାପି କେହି କାହାରିକୁ ଦେଖି ପାରୁନାହାନ୍ତି, ଓ ପରସ୍ପରକୁ ଅନୁଭବ କରି ପାରିବା ତ ଆହୁରି ଅନେକ ବାଟର କଥା । ଇଏ ପୁଣି ଆଧୁନିକ ପୃଥିବୀରେ ଏକମାତ୍ର ଗତି ବୋଲି ଅନେକ ମଣିଷ କେଡ଼େ ସବ୍‌ଜାନ୍‌ତା ପରି କହିବାରେ ଲାଗିଛନ୍ତି । ଏମାନେ ଏତେ ବିଦ୍ୟା ପଢ଼ିଛନ୍ତି, ଅଖା ଭିତରେ ଅଖାଏ ବୁଦ୍ଧି ଭର୍ତ୍ତି ହୋଇ ରହିଛି, ତଥାପି ଆପଣା ପ୍ରୀତିର ସବୁଯାକ ପୁଞ୍ଜି ଯେପରି ଖାଲି ଏମାନଙ୍କର ନିଜ ଚୁଲିମୁଣ୍ଡରେ ପୋତା ହୋଇ ରହିଛି । ସାହିତ୍ୟ ଅଛି, ସଭାସମିତିରେ ଦିଗ ଫାଟିଯାଉଛି, ତଥାପି ଏମାନେ ଏପରି ଆପଣା ଗାତଟି ଛଡ଼ା ଆଉକିଛି ଦେଖି ପାରୁନାହାନ୍ତି କିପରି-? ଏମାନଙ୍କ ଭିତରର ଭିତରର ପିଲାଟିକୁ ବନ୍ଧୁଟିକୁ ଓ ପ୍ରେମୀଟିକୁ ହତ୍ୟା କରି ଏମାନେ ସତେ ଯେପରି ଆଉ କେଉଁ ଅନ୍ୟ ସିଂହାସନରେ ଯାଇ ବସିବେ ବୋଲି ଧାଇଁଛନ୍ତି । ସେହି ସିଂହାସନ ପ୍ରକୃତରେ କେଉଁଠି ହେଲେ ନାହିଁ । କେବଳ ଏକ ସମ୍ୱନ୍ଧରେ ରହିଛି, ସଂପ୍ରସାରଣରେ ରହିଛି । ସେହି ସମ୍ବନ୍ଧଟିକୁ ଅନୁଭବ କରି ପାରୁଥିଲେ ଏହି ମଣିଷମାନେ ସଂସାରରେ କେଡ଼େ ଉଜ୍ଜ୍ୱଳ ଦେଖା ଯାଉଥାନ୍ତେ, ସେମାନଙ୍କ ଲୋଭରେ ପଡ଼ି ମୁଁ ଅନେକ ସମୟରେ ତାହାହିଁ ଭାବିଥାଏ । କେଉଁଠି ସେମାନଙ୍କୁ ଟିକିଏ ସଲସଲ କରିଦେଇ ସେମାନଙ୍କର ଗଣ୍ଠିଗୁଡ଼ାକୁ ମୁଁ ଖୋଲିଦେଇ ପାରିବି ବୋଲି ବାଟ ଖୋଜୁଥାଏ, ଓର ଉଣ୍ଡୁଥାଏ, ଅପେକ୍ଷା କରି ରହିଥାଏ ।

 

୨୨ । ୭ । ୯୧

 

ଯଦି ସମସ୍ତେ ନିଜ ନିଜ ଚିନ୍ତାମଣିଙ୍କୁ ନେଇ ବ୍ୟସ୍ତ ରହିଥିବେ, ତେବେ ପୃଥିବୀରେ ଅସଲ ଚିନ୍ତାମଣିଙ୍କର ଦଶା ଏବେ ଯାହା ହୋଇଛି, ତାହା ହେବା ବ୍ୟତୀତ ଆଉ କ’ଣ ହୋଇପାରିବ ? ଏବଂ, ଚିନ୍ତାମଣି ମଧ୍ୟ କିପରି ରତ୍ନ ସିଂହାସନରେ ବସି ଆପଣାର ଏହି ଅବମାନନାକୁ ପାସୋରି ପକାଉଛନ୍ତି କେଜାଣି ? ହୁଏତ ସିଏ ନିଜ କଥା କହି ପାରିବାଲାଗି ମଣିଷମାନଙ୍କ ଭିତରେ ଯଥାର୍ଥ ମାଧ୍ୟମଟିଏ ପାଇ ପାରୁନାହାନ୍ତି । ଏବଂ ତାଙ୍କପାଇଁ ମଣିଷ ଭିତରେ ସେହି ଆସ୍ଥାନଟି ନମିଳିବା ପର୍ଯ୍ୟନ୍ତ ଚିନ୍ତାମଣି ପ୍ରକୃତରେ ଆଉ କ’ଣ କରିପାରିବେ ?

 

ପିତୁଳାଗୁଡ଼ାକରେ ଭାଣ ଦେଖାଇ ଖଳ ମଣିଷମାନେ ଖଡ଼୍‌ଗ ଓ ବନ୍ଧୁକ ନେଇ ଏହି ସଂସାରରେ ବାହାରିଲେଣି । ତଥାକଥିତ ସଜ୍ଜନମାନେ ନିଜ ଘର ଦିଅଁଟି ବ୍ୟତୀତ ହୁଏତ ଆଉ କୌଣସି ଦିଅଁଙ୍କ ଆଡ଼କୁ ନଅନାଇବାଟାହିଁ ବାସ୍ତବ ଓ ସୁଖଦାୟୀ ଏକମାତ୍ର ଦୃଷ୍ଟି ବୋଲି ଗ୍ରହଣ କରିନେଲେଣି । ମଣିଷର ଜ୍ଞାନ ତାକୁ ଆକାଶ, ଆଡ଼କୁ, ହୃଦ୍‍ବିସ୍ତାର ଆଡ଼କୁ ପ୍ରେରିତ କରି ନେଇଥାନ୍ତା ସିନା, ମାତ୍ର ଏତେ କ’ଣ ପାଇଁ ମଣିଷ ତାକୁ ନିଜ ଗାତଟି ଭିତରେ ପୂରାଇ ଦେଇ ଏପରି ପ୍ରଚଣ୍ଡ ଭାବରେ କାହିଁକି ଫୁଲେଇ ହେଲାଣି କେଜାଣି ? ନିଜର ଗାତଟିକୁ ଲୋଡ଼ିବା ବ୍ୟତୀତ ମଣିଷର ବଳସୀମା ଭିତରେ ଆଉ କୌଣସି ଚାରା ନାହିଁ ବୋଲି ଏକ ଦାରୁଣ ଅସମର୍ଥତାବୋଧ ମଣିଷକୁ ବାହାରେ ଏପରି ଉଗ୍ର କରି ରଖିଛି କି ? ଭିତରେ ପ୍ରଚଣ୍ଡ ଭୀରୁଟିଏ ହୋଇ ବସି ନଥିଲେ ମଣିଷ ବାହାରେ କଦାପି ଏଡ଼େ ପ୍ରଚଣ୍ଡ ଭାବରେ ଉଗ୍ର ହେଉନଥାନ୍ତା । ଉଗ୍ର ହେବାକୁ ହୁଏତ ତାକୁ ଲାଜ ମାଡ଼ୁଥାନ୍ତା । ଆପଣା ପାଖରେ ଲାଜ ମାଡ଼ୁଥାନ୍ତା, ପୃଥିବୀ ପାଖରେ ମଧ୍ୟ ଲାଜ ମାଡ଼ୁଥାନ୍ତା । ମଣିଷ ଭିତରର ଯେଉଁ ଅସଲ ଲାଜ ତାକୁ ମାନବୀୟତାର କେତୋଟି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରହିବାଲାଗି ଭିତରୁ ବିବେକ ଯୋଗାଇ ଦିଏ, ସେହି ଲାଜ ଆଜି ଆମ ନେତୃତ୍ଵଗୁଡ଼ିକ ଭିତରୁ କୁଆଡ଼େ, ହରଣ ହୋଇ ଯାଇଥିବା ପରି ମନେହେଉଛି । ତେଣୁ, ସାଧାରଣ ମଣିଷମାନେ ପ୍ରାୟ ବିଡ଼ମ୍ବିତ ହେଲାପରି ବୋକା ହୋଇ ଅନାଇ ରହିଛନ୍ତି । ମଣିଷ ଭିତରର ଅସଲ ଚିନ୍ତାମଣିକୁ ଲୁଚାଇ ରଖିବା ଯେପରି ଲୋକଧର୍ମ ବା Zeitgeistରେ ପରିଣତ ହୋଇ ରହିଲାଣି । ନିଜର ଐକାନ୍ତିକ ଲୋଭଗୁଡ଼ାକୁ ଚିନ୍ତାମଣି ବୋଲି କହି ପୃଥିବୀରେ ଦର୍ପିଷ୍ଠ ହୋଇ ବୁଲିବା ଓ ଜୀବନର ଯାବତୀୟ ପରିମଳକୁ ଦୂଷିତ କରି ପକାଇବା, ସାମୂହିକ ଜୀବନର ବଡ଼ମାନେ ଯେପରି ଏତିକି ବ୍ୟତୀତ ଆଉ ଅନ୍ୟ କିଛି କରି ପାରିବାର ପ୍ରତ୍ୟୟଟିକୁ ହରାଇ ବସିଲେଣି ।

 

୨୩ । ୭ । ୯୧

 

ସ୍ଵାଭିମାନୀ ହେଉ ହେଉ ସାହିତ୍ୟିକ ଏପରି ଅହଂକାରୀ ହୋଇଗଲା କାହିଁକି ? ଏହି ପୃଥିବୀକୁ, ଏହି ଆକାଶକୁ ଏବଂ ଆପଣା ଭିତରେ ରହିଥିବା ସାହିତ୍ୟିକତା ନାମକ ବିଶେଷ ଗୁଣଟିକୁ ଭଲ ପାଉ ପାଉ ସିଏ ଏମିତି ସ୍ଵାଧିକାର ପ୍ରମତ୍ତ ହେଲା କାହିଁକି ?

 

ସମାଜରେ man of powerର ଯୁଗ ଅଧିକରୁ ଅଧିକ ପ୍ରଚଣ୍ଡ ହୋଇ ପ୍ରାୟ ସର୍ବତ୍ର ଥାନ ମାଡ଼ି ବସିବାର ପ୍ରମତ୍ତତା ଭିତରେ ପଡ଼ି ଯାଉଥିବା ସଙ୍ଗେ ସଙ୍ଗେ ସାହିତ୍ୟକାର ମଧ୍ୟ କ୍ରମେ ସେହିଆଡ଼କୁ ପ୍ରଲୁବ୍ଧ ହେଲା କି ? ଆଗେ; ଅର୍ଥାତ୍ ସାହିତ୍ୟର ସେହି ପ୍ରଥମକାଳୀନ ପର୍ଯ୍ୟାୟମାନଙ୍କରେ ସାହିତ୍ୟିକ ରାଜସଭାରେ ବସୁଥିଲା, ରାଜସଭାର ସାନ୍ନିଧ୍ୟ ଭିକ୍ଷା କରୁଥିଲା ଏବଂ ରାଜାର ଅନୁଗ୍ରହ ଭିକ୍ଷାଦ୍ଵାରା ଉଦରଭରଣ କରୁଥିଲା । ସେହିପରି ଭାବରେ ବାହାରେ ନ୍ୟୂନ ହେଉ ହେଉ, ଅନ୍ତତଃ ଆପଣାକୁ ନ୍ୟୂନ ବୋଲି ଦେଖାଉ ସିଏ ଭିତରେ ଉଗ୍ରତାର ପୋଷଣ କରିବାକୁ ଆରମ୍ଭ କଲା କି, ଏବଂ ଆମର ଏହି ଯୁଗକୁ ଆସି ସେହି ଉଗ୍ରତା ବାହାରକୁ ପ୍ରକାଶ ପାଇଲା କି ? ଆପଣା ଭିତରେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବିରକ୍ତ ହୋଇ ନରହିଲେ ଜଣେ ସାହିତ୍ୟିକ କଦାପି man of power ହେବାକୁ ମନ କରନ୍ତା ନାହିଁ । ଜଣେ କ୍ଷମତାକାମୀ ମଣିଷ ସୃଜନକାମିତାର ଶିବିରରେ ଗଣା ହେବାକୁ ମଧ୍ୟ ନିଶ୍ଚୟ ଅତ୍ୟନ୍ତ ଦାରୁଣ ଭାବରେ ଆପଣାକୁ ଦୁଇଭାଗ ବା ଦୁଇ ଫାଳ ନିଶ୍ଚୟ କରୁଥିବ । ସାହିତ୍ୟ ବାସ୍ତବବାଦୀ ହେବାକୁ ମନ କଲାପରେ ଅନେକ କ୍ଷେତ୍ରରେ ସାହିତ୍ୟିକମାନେ ବାସ୍ତବଟା ସହିତ ଗୋଟାସୁଦ୍ଧା ଖାପ ଖାଇଯାଇ ଓ ତଥାକଥିତ ବାସ୍ତବର ବିଡ଼ମ୍ବନାଗୁଡ଼ାକରୁ ଯଥାସମ୍ଭବ ଅଧିକ ଲାଭ ଉଠାବାକୁ ମନ କରି ଆଉ ବାସ୍ତବବାଦୀ ହେବାଲାଗି ମନ ବଳାଇଲେ କି ? ଅସଲ ବାସ୍ତବବାଦୀ ସାହିତ୍ୟ ଏକ ଜୀବନ ପରିପନ୍ଥୀ ବିକୃତ ବାସ୍ତବବ୍ୟବସ୍ଥାକୁ ବଦଳାଇବା ଲାଗି ଜନ୍ମଲାଭ କରିଥିଲା । ତାହାକୁ ବଦଳାଉ ବଦଳାଉ ନାନା ଅନ୍ୟ କାମୁକତାର ବଶବର୍ତ୍ତୀ ହୋଇ କେତେ ସାହିତ୍ୟିକ ପ୍ରକୃତରେ ଯାହାକୁ ବଦଳାଇ ଥାଆନ୍ତେ, ସ୍ଵୟଂ ତାହାରି ଆଡ଼କୁ ଆଉଜି ପଡ଼ିଲେ କି ? ସାହିତ୍ୟିକ ଅହଂକାର ଏ ଯୁଗୀୟ ଏହି ପ୍ରବଳତା ଲାଗି ଆମେ ଜାତୀୟତା ଏବଂ ଧର୍ମୀୟତାକୁ ମଧ୍ୟ କେତେକ ପରିମାଣରେ ଦାୟୀ କରି ପାରିବା କି ନିଜର ଜାତି ଓ ନିଜର ଦେଶକୁ ଭଲ ପାଉ ପାଉ ଯେମିତି ଅନେକ ସ୍ଥାନରେ, ଜାତୀୟତାବାଦକୁ ବିହ୍ଵଳ ମଣିଷମାନେ ବାଟ ଛାଡ଼ି ଦେଇଛନ୍ତି, ସାହିତ୍ୟରେ ମଧ୍ୟ ତାହାରି ଅନୁରୂପ କୌଣସି ଅପଘଟନା ଘଟିଛି କି ?

 

୨୪ । ୭ । ୯୧

 

ଦିନଗୁଡ଼ିକ ଚାଲି ଯାଉନାହିଁ, ଦିନଗୁଡ଼ିକ ଆସୁଛି । ସୂର୍ଯ୍ୟାସ୍ତଗୁଡ଼ିକ ମୋଟେ ଏ ଜୀବନରେ କେବେହେଲେ ବିଷଣ୍ଣ କରି ପକାଇ ନାହାନ୍ତି । ସୂର୍ଯ୍ୟୋଦୟ ସମୟରେ ଯଦି ପରସ୍ତେ ମେଘ କୌଣସି ବରାଦ ଅନୁସାରେ ପୂର୍ବଦିଗକୁ ଢାଙ୍କି ରଖିଛନ୍ତି, ତେବେ ତଦ୍ଦ୍ଵାରା ସୂର୍ଯ୍ୟୋଦୟର ସୌନ୍ଦର୍ଯ୍ୟ ଓ ମହିମା ମୋ’ ଲାଗି ଆଦୌ କୌଣସି ଗୁଣରେ କମ୍ ଆକର୍ଷଣ ହୋଇନାହିଁ । ମେଘଗୁଡ଼ିକ ସହିତ ସେହି ସୂର୍ଯ୍ୟୋଦୟ ମୋତେ ସତେଅବା ଅଧିକ ସୁନ୍ଦର ଦେଖାଯାଇଛି, ଅଧିକ ଆକର୍ଷଣ ମନେହୋଇଛି । ମେଘଗୁଡ଼ିକ ସତ୍ତ୍ୱେ ଏହିସବୁ ସୂର୍ଯ୍ୟୋଦୟ କେତେ ସମ୍ପୂର୍ଣ୍ଣ ଯେ ହୋଇ ପାରୁଛି, ତାହା ମୋତେ ନିଜ ଭିତରର ସୂର୍ଯ୍ୟୋଦୟଗୁଡ଼ିକୁ ଅଧିକ ଶ୍ରଦ୍ଧାର ସହିତ ଅନୁଭବ କରାଇ ଶିଖାଇଛି । ମାୟାର ଆଚ୍ଛାଦାନରେ ସଂସାରର ସତ୍ୟାନୁଭୂତିଗୁଡ଼ିକ କେଡ଼େ ମଞ୍ଜୁଳ ଦେଖାଯାଇଛି । ମୁଁ ମାୟାକୁ ଯଥାର୍ଥ ମମତାଗୁଡ଼ିକର ଦୁଆରବନ୍ଧ ପରି ଅନୁଭବ କରିଛି । ମୁଁ ମାୟାଗୁଡ଼ିକୁ ଅତିକ୍ରମ କରିଯାଇଛି; ମାତ୍ର ମାୟାଗୁଡ଼ିକୁ ଭର୍ତ୍ସନା କରି ଆନନ୍ଦ ଅନୁଭବ କରିବା,–ଏକଥାଟା ମୋ’ର ସ୍ଵଭାବକୁ କେବେହେଲେ ଆନନ୍ଦ ଦେଇ ପାରିନାହିଁ । ଯଦି ଏହିସବୁ ଭର୍ତ୍ସନାର ରାଜସିକ ବିଦ୍ୟାଳୟରେ ମୁଁ କେବେ ତାଲିମ ନେବାକୁ ଯାଇଥାନ୍ତି, ତେବେ ନିଜକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା ମୋ’ଲାଗି ପ୍ରାୟ ସୁଦୂରପରାହତ ହୋଇ ରହି ଯାଇଥାନ୍ତା ।

 

ଦିନଗୁଡ଼ିକ ପ୍ରକୃତରେ ଆସୁଛି । କେବଳ ମୋ’ରି ଜୀବନରେ ନୁହେଁ ବିଶ୍ଵର ଜୀବନରେ ମଧ୍ୟ ଦିନଗୁଡ଼ିକ ଆସୁଛି । ଚାଲି ଯାଉଥିବା ଦିନଗୁଡ଼ିକହିଁ ସେହି ଆସୁଥିବା ଦିନଗୁଡ଼ିକ ଲାଗି ବାଟ କାଢ଼ି ଦେଉଛନ୍ତି । ତେଣୁ, ସେଗୁଡ଼ିକର କୌଣସି ପ୍ରକାରେ କମ୍ ମହତ୍ତ୍ଵ ରହିଛି ବୋଲି କଦାପି କୁହାଯାଇପାରିବ ନାହିଁ । କାଲିର ସୂର୍ଯ୍ୟୋଦୟ ପାଇଁ ଆଜିର ସୂର୍ଯ୍ୟାସ୍ତର ମଧ୍ୟ ଏକ ସ୍ମରଣୀୟ ଅବଦାନ ରହିଛି । ସ୍ଵୟଂ ଅଙ୍ଗେ ନିଭାଇ ମୁଁ ଏହି ବୋଧସମ୍ପଦଗୁଡ଼ିକୁ ଜୀବନ ଭିତରେ ସଞ୍ଚି ରଖିପାରିଛି ବୋଲି ମୁଁ ଅନେକ ପ୍ରମାଦରୁ ରକ୍ଷା ପାଇଛି । ବହିଗୁଡ଼ାକ ଉପରେ, ପଣ୍ଡିତମାନଙ୍କର ତତ୍ତ୍ଵପ୍ରେମ ଉପରେ ଗୋଟାସୁଦ୍ଧା ନିର୍ଭର କରିଥିଲେ ମୁଁ କଦାପି ପ୍ରମାଦଗୁଡ଼ିକରୁ ରକ୍ଷା ପାଇ ପାରିନଥାନ୍ତି । ପ୍ରମାଦଗୁଡ଼ିକୁ ନେଇ ଦର୍ଶନ କରିଥାଆନ୍ତି ସିନା, ପ୍ରମାଦଗୁଡ଼ିକୁ କଦାପି କାଟି ପାରିନଥାନ୍ତି ।

 

୨୫ । ୭ । ୯୧

 

ମନେ ପକାଇଲେ ମୋଟେ ମନେ ପଡ଼େନାହିଁ । ଖିଅ ଲଗାଇ ଦେଇ ପାରିଲେ ସବୁ ମନେ ପଡ଼ିଯାଏ । ଅର୍ଥାତ୍, ମନେ ପକାଇ ପାରିବାକୁ ହେଲେ ସିଏ ଅତ୍ୟନ୍ତ ହାତପାଆନ୍ତାରେ ରହିଥିବା ଏକାନ୍ତ ଆବଶ୍ୟକ । ମାତ୍ର, ସିଏ ତ କେତେବେଳେ ହେଲେ ଦୂରରେ ନଥାନ୍ତି ! ତେଣୁ, ମୁଁ ସବୁବେଳେ ପାଖରେ ଥିବି, ତାହାହିଁ ସବା ବଡ଼କଥା । ଖାଲି ମନଟାର ବା ମୁଣ୍ଡଟାର ନେଉଥିବା ପର୍ଯ୍ୟନ୍ତ ସିଏ କଦାପି ତାଙ୍କର ପୂର୍ଣ୍ଣ ଜ୍ୟୋତିଃ ଓ ପୂର୍ଣ୍ଣ ଶୋଭାରେ ଆଦୌ ମନେ ପଡ଼ନ୍ତି ନାହିଁ । ହୃଦୟ ଭିତର ଯାଏଁ ଛୁଇଁ ପାରିବାକୁ ହୁଏ । ମନବି ସାଙ୍ଗରେ ରହିଥାଏ । ତେବେ ଯାଇ ସବୁ ମନେପଡ଼େ ।

 

ଏହି ମନକୁ ଏପରି ଭାବରେ ସମଗ୍ର ଚେତନା ଅର୍ଥାତ୍ ହୃଦୟର ସାଙ୍ଗ କରି ରଖିଥିବା ଦରକାର, ଯେପରିକି ଅନାଇ ଦେବାମାତ୍ରକେ ସିଏ ଦେଖାଯିବେ ଏବଂ ହାତ ବଢ଼ାଇଦେଲାମାତ୍ରକେ ତାଙ୍କୁ ଛୁଇଁ ହେଉଥିବ । ଅନାଇଦେବାମାତ୍ରକେ ମୁଁ ନିଜେବି ଗୋଟାସୁଦ୍ଧା ଦିଶି ପାରୁଥିବି ଏବଂ ହାତ ବଢ଼ାଇଦେଲାମାତ୍ରକେ ମୁଁ ନିଜକୁ ମଧ୍ୟ ଛୁଇଁ ପାରୁଥିବି । ଖାଲି ମନଟାର ହତିଆର ଧରି ତାଙ୍କୁ ହାବୁଡ଼ରେ ପାଇବାଲାଗି ମନ କଲେ ସିଏ ପ୍ରକୃତରେ ଖଣ୍ଡିଆ ହୋଇ ଦେଖାଯାଆନ୍ତି ଓ ତାଙ୍କୁ କେବଳ ଖଣ୍ଡିଆ କରି ଛୁଇଁ ହେଉଥାଏ । ନିଜ ଆଖିରେ ମୁଁ ନିଜେ ମଧ୍ୟ ଭାରି ଖଣ୍ଡିଆ ହୋଇ ଦିଶୁଥାଏ ଏବଂ ଭାରି ଖଣ୍ଡିଆ କରି ନିଜକୁ ଛୁଇଁ ପାରୁଥାଏ । ଏହି ଖଣ୍ଡିଆ କରି ଦେଖିବା ଏବଂ ଖଣ୍ଡିଆ କରି ଛୁଇଁବା,–ଏଇଆକୁ ସାକାର ଭାବରେ ବର୍ଣ୍ଣନା କରିବାକୁ ଯାଇ ବୋଧହୁଏ ‘ଅହଂ’ ବୋଲି ଗୋଟାଏ କଥା କୁହାଯାଇଛି । ଆସଲ ଦେଖାଦେଖି ପାରିଲେ ଓ ଅସଲ ଛୁଆଁ ଛୁଇଁପାରିଲେ ଅହଂ ବୋଲି ସତେଅବା କିଛିହେଲେ ଦେଖାଯାଏ ନାହିଁ ଅଥବା ବାରି ହୁଏ ନାହିଁ । ତେବେ ଆଉ କାହା ସହିତ ଲଢ଼ିବ ବା କାହାକୁ ଉତ୍ପାଟିତ କରିଦେବା ପାଇଁ ସଂଗ୍ରାମ କରିବ ? ଦେହ, ପ୍ରାଣ, ମନ;–ସେଗୁଡ଼ିକ ସେତେବେଳେ ମୋଟେ ଅଲଗା କରି ଦେଖି ହୁଅନ୍ତି ନାହିଁ । ସେଗୁଡ଼ିକୁ ଅଲଗା ଅଲଗା କରି ବଞ୍ଚିବି ହୁଏନାହିଁ । ସମସ୍ତେ ଏକାଠି ଥାଆନ୍ତି, ଏକାଠି ବାଟ ଚାଲୁଥାଆନ୍ତି । ତେଣୁ, ଗୋଟାକ ସହିତ ଲଢ଼ି ଆଉ ଗୋଟାକର ଶରଣ ଯିବାର ଆଉ କୌଣସି ଆବଶ୍ୟକତାବି ନଥାଏ । ନିରାଟ ଏହିଠାରେ ଛୁଇଁଲେ ସେଠି ମଧ୍ୟ ହାତ ବାଜିଯାଏ, ସବୁଠି ହାତ ବାଜିଯାଏ ।

 

୨୬ । ୭ । ୬୧

 

ଅଧିକରୁ ଅଧିକ ମଣିଷଙ୍କର ପେଟ ପୂରିଲା, ଅଧିକରୁ ଅଧିକ ମଣିଷ ଭଲ ଘରେ ରହିଲେ, ଅଧିକରୁ ଅଧିକ ସମ୍ପନ୍ନତା ଭିତରେ ଆପଣାକୁ ନେଇ ଆଗକୁ ଅନାଇ ପାରିଲେ, ବସ୍ତ୍ରଗୁଡ଼ିକର ସଂଖ୍ୟା ବଢ଼ିଲା, ସରହଦ୍‍ବି ବଢ଼ିଲା । ଆଗେ ଯେଉଁସବୁ ପଦାର୍ଥ ମାତ୍ର ଅଳ୍ପ କେତେଜଣ ମଣିଷଙ୍କର ବିଳାସ ଓ ଭାଗ୍ୟଲବ୍‌ଧ ବିଶେଷ ସୁବିଧା ହୋଇ ରହିଥିଲା, ଏବେ ସେଗୁଡ଼ିକ ମଧ୍ୟ ଅଧିକ ମଣିଷଙ୍କର ପହୁଞ୍ଚ ଭିତରରୁ ଆସିଲା । ମାତ୍ର, ଅସଲ ଯେଉଁ ଜିନିଷର ପ୍ରାପ୍ତି ଲାଗି ଏହିସବୁ ଜିନିଷର ଏକ ପ୍ରାଥମିକ ଆବଶ୍ୟକତା ରହିଥିଲା, ସେହି ଜିନିଷଟିର ପ୍ରାପ୍ତି ସତେଯେପରି ଅଧିକରୁ ଅଧିକ ଦୂରକୁ ଘୁଞ୍ଚିଗଲା କାହିଁକି ? ଭୂମିଟି ତିଆରି ହୋଇସାରିବା ପରେ ଯେଉଁ ଆରୋହଣର ପରବର୍ତ୍ତୀ ସୋପାନଟି ମଣିଷଲାଗି ଅପେକ୍ଷିତ ହୋଇ ରହିଥିଲା; ସେହି ଆରୋହଣଟିର କ’ଣ ହେଲା ? ଏବେ ସମସ୍ତେ ଏହି ପୃଥିବୀଟା ଉପରେ ଏପରି କାମାତୁର ଓ ଉଗ୍ର ଭାବରେ ମୁହିଁ ମାଡ଼ି ପଡ଼ି ରହିବାକୁ ଇଚ୍ଛା କରୁଛନ୍ତି ଯେ, ମଣିଷର ସତକୁସତ ଆଉ ଏକ ସୋପାନ ଆରୋହଣ କରିବାକୁ ରହିଛି ବୋଲି ବାହାରୁ ଦେଖିଲେ ଆଦୌ ମନେ ହେଉନାହିଁ । ଭୋଗ ସହିତ ଯେ ଯୋଗର ପରବର୍ତ୍ତୀ ପ୍ରସାରଟିଏ ମଣିଷପାଇଁ ଅଭିପ୍ରେତ ହୋଇ ରହିଥିଲା ଏବଂ ଏବେ ମଧ୍ୟ ରହିଛି, ଏବେ ସେଇଟି ବିଷୟରେ ଆଉ କେହି ଚର୍ଚ୍ଚାହିଁ କରୁ ନାହାନ୍ତି । ଏପରି କାହିଁକି ହେଲା ?

 

ମନୁଷ୍ୟ ସମାଜପାଇଁ ଅନୁରୂପ ନେତୃତ୍ଵର ଅଭାବକୁ ସମ୍ଭବତଃ ଏହାର ସର୍ବପ୍ରଥମ କାରଣ ବୋଲି କୁହାଯାଇପାରିବ । କ୍ଷମତାର ମଣିଷମାନେ ପୃଥିବୀର ଏତେ ଏତେ ପ୍ରବଳ ହୋଇ ଉଠିଲେଣି ଏବଂ ବିଦ୍ୟା ତଥା ବିବେଚନାର ପ୍ରତିନିଧିତ୍ଵ କରୁଥିବା ବ୍ୟକ୍ତିମାନେ କ୍ରମେ କ୍ଷମତାର ଘରେ ଅନୁଗ୍ରହପ୍ରାର୍ଥୀ ଭାଟ ହୋଇ ରହିବାକୁହିଁ ସତେଅବା ଆପେ ତିଷ୍ଠି ରହିବାର ଏକମାତ୍ର ଉପାୟ ବୋଲି ଗ୍ରହଣ କଲେଣି ଯେ, ଏହି ଲଙ୍କାଗଡ଼ ଭିତରେ ହରିନାମ ଶୁଣାଯିବାର ସତେ ଯେପରି ଆଉ କୌଣସି ସମ୍ଭାବନା ନାହିଁ । ତଥାପି, ସତ୍ୟାଗ୍ରହ ବ୍ୟତୀତ ଆଉ କି ଉପାୟରେ ସେ ମନୁଷ୍ୟ ମୂଲ୍ୟଗୁଡ଼ିକର ଓ ତାହା ସହିତ ମନୁଷ୍ୟ ଜୀବନର ଶ୍ରେୟଃଗୁଡ଼ିକର ରକ୍ଷା ହୋଇ ପାରିବ, ସେ କଥା ମଧ୍ୟ ଆଉ ଆଖିକୁ ମୋଟେ ଦିଶୁନାହିଁ । ଅସତ୍ୟ ତା’ର ଦଶଟାଯାକ ହାତରେ ଦଶଭଳି ବନ୍ଧୁକ ଧରି ରାଜା ବୋଲାଉଥିବା ସମୟରେ ହୁଏତ ପୃଥିବୀଯାକର ସତ୍ୟାଗ୍ରାହୀ ଏକାଠି ହେଲେ ତା’ ସମ୍ମୁଖରେ ଏକ ବିକଳ୍ପ ଥୋଇ ପାରିବେ, ଏକ ଅନ୍ୟ ବିଶ୍ଵାସ ଭିତରକୁ ପୃଥିବୀକୁ ଫେରାଇ ନେଇ ପାରିବେ ।

 

୨୭ । ୭ । ୯୧

 

ଏହି ଧାନ, ଏହି ବିଦ୍ୟା, ଏହି ବିଳାସ ଏବଂ ଏହି ଭୋଗ ପ୍ରକୃତରେ କ’ଣ ପାଇଁ ? ଯାବତୀୟ ଧର୍ମ ଓ ଯାବତୀୟ ଆଧ୍ୟାତ୍ମିକତା ମଣିଷ ଆଗରେ ଚିରକାଳ ଠିକ୍ ଏହି ପ୍ରଶ୍ନଟିର ଉପସ୍ଥାପନା କରି ଆସିଛି । ଯାବତୀୟ ଯଥାର୍ଥ ରାଜନୀତି ଏବଂ ଯଥାର୍ଥ ଅର୍ଥନୀତି ମଧ୍ୟ ମୂଳତଃ ସେହି ପ୍ରଶ୍ନ କରିଛନ୍ତି । ମନୁଷ୍ୟର ମର୍କଟଲୋଭୀ ମନ ଉଭୟ ବ୍ୟକ୍ତିଗତ ତଥା ସାମୂହିକ ଭାବରେ ସେହି ପ୍ରଶ୍ନଟିକୁ ଭୁରୁଡ଼ାଇ ଆସିଛି ।

 

ମର୍କଟର ଲୋଭ ଆଦୌ ଏକ ଖରାପ ଅର୍ଥାତ୍ ଅନିଷ୍ଟକାରୀ ଲୋଭ ନୁହେଁ । ଏହି ପୃଥିବୀରେ ସବୁ ମଣିଷଙ୍କ ଲାଗି ଏକ ସମ୍ମାନସମ୍ପନ୍ନ ଜୀବନର ସମ୍ଭାବନାକୁ ପୂର୍ଣ୍ଣପ୍ରଶସ୍ତ କରିଦେଇ ପାରିବାଲାଗି ଆହୁରି ଅନେକ ମର୍କଟର ଆବଶ୍ୟକତା ରହିଛି । ମାତ୍ର, ସବୁଯାକ ମର୍କଟକୁ ଅଯୋଗ୍ୟ ମୁଁ ଯେପର୍ଯ୍ୟନ୍ତ ମୋ’ ନିଜ ଦେହରେ ଭୂଷଣ କରି ଲଦି ରଖିବାକୁ ଅଭିସନ୍ଧି ରଖିଥିବି, ସେପର୍ଯ୍ୟନ୍ତ ମର୍କଟଗୁଡ଼ାକ ଥାଇ ମଧ୍ୟ ପୃଥିବୀ ଦରିଦ୍ର ହୋଇ ରହିଥିବ । ଏବଂ, ପୃଥିବୀ ଦରିଦ୍ର ହୋଇ ରହିଥିବା ପର୍ଯ୍ୟନ୍ତ ମୋ’ର ମର୍କଟ ମଣ୍ଡିତ ଜୀବନ ମୋତେ କେବଳ ଅଧିକରୁ ଅଧିକ ପାଷଣ୍ଡ ଓ ଅଧିକରୁ ଅଧିକ ପାଖଣ୍ଡୀ କରି ରଖିଥିବ ସିନା, ମୋତେ ବଞ୍ଚିବାର ଏତେ ଟିକିଏ ମଧ୍ୟ ଶ୍ରେୟଃ ଆଣି ଦେଇ ପାରିବନାହିଁ । ତେଣୁ, ମର୍କଟର ଲୋଭ ରଖି ମର୍କଟ ପରେ ମର୍କଟ ଜମା କରି ଆପଣା ଜୀବନର ହୁଙ୍କାଟିକୁ ରଚୁଥିବା ସମସ୍ତଙ୍କୁ ସବାଆଗ ଏହି ବିଷୟରେ ସ୍ପଷ୍ଟ ହୋଇଯିବାକୁ ପଡ଼ିବ । ନହେଲେ, ସେମାନେ କଣ୍ଠରେ ମୁକ୍ତାମାଳ ଲମ୍ବାଇଥିବେ ସିନା, ମାତ୍ର ତଥାପି ମର୍କଟ ହୋଇ ରହିଥିବେ । ବିଦ୍ୟାନାମକ ମର୍କଟ, ସମ୍ପତ୍ତିନାମକ ମର୍କଟ, ଆରାମନାମକ ମର୍କଟ ମୋ’ର ଦୁଆରଗୁଡ଼ିକୁ ଖୋଲାଇବା ପାଇଁ, ମୋତେ ମଣିଷମାନଙ୍କର ନିକଟବର୍ତ୍ତୀ କରି ରଖିବାପାଇଁ, ଆପଣାର ଯାବତୀୟ ସମ୍ବନ୍ଧ କ୍ଷେତ୍ରରେ ମୋତେ ନିଷ୍କପଟ ହେବାର ପ୍ରେରଣା ଦେବାପାଇଁ । ଏବଂ, ଅନ୍ୟ ସମସ୍ତଙ୍କ ଦର୍ପଣ ଉପରେ ଆପଣାକୁ ଦେଖିପାରିବା ପାଇଁ । ତା’ ନହେଲେ ନିଜ ଘରର କାନ୍ଥ ନିଜ ଉପରେହିଁ ଭୁଶୁଡ଼ି ପଡ଼ିବାପରି ମୋ’ ମର୍କଟମାନେହିଁ ଅସଲ କାଳ ହୋଇ ରହିଥିବେ, ମୋ’ର ଆଖିଗୁଡ଼ିକ ଉପରେ ଆବୁ ହୋଇ ରହିଥିବେ ଏବଂ, ମୋ’ ହୃଦୟର ଗୋଡ଼ଗୁଡ଼ାକୁ ବାନ୍ଧି ରଖିଥିବେ-। ଏବେ ସଚରାଚରକୁ ପ୍ରାୟ ସେହି ଦୁର୍ଦ୍ଦଶା ଘୋଟିଛି । ଏମାନେ ଅସଲ ପ୍ରଶ୍ନଟିକୁ ପଚାରି ନାହାନ୍ତି, ତେଣୁ ନିଜ ଲାଗି ଓ କାଳପୁରୁଷ ଲାଗି ଗୋଟିଏ ଗୋଟିଏ ସମସ୍ୟା ହୋଇ ରହିଛନ୍ତି ।

 

୨୮ । ୭ । ୯୧

 

ହତ୍ୟା ସବୁଦିନେ ହେଉଛି, ହତ୍ୟା ଆଖି ବୁଜି ହେଉଛି; ହାତରେ ବନ୍ଧୁକଗୁଡ଼ାଏ ଥିବାରୁ ବନ୍ଧୁକ ବ୍ୟତୀତ ଆଉ କୌଣସି ବାଟ ଅଛି ବୋଲି ଭାବିବାକୁ ମଧ୍ୟ ଭୟ କରୁଥିବା ମଣିଷମାନେ ଆଉ ହତ୍ୟା କରିବା ବ୍ୟତୀତ କୌଣସି ଗଣିତ ବୁଝି ପାରୁନାହାନ୍ତି । ହତ୍ୟା ଯେ ଆଦୌ କୌଣସି ବାଟ ନୁହେଁ, ମୋ’ରି ମତଲବଟା ପୂର୍ଣ୍ଣ ହେବା ଯେ ଏହି ସଂସାରର ସବୁଠାରୁ ଅଧିକ କାମ୍ୟ ନୁହେଁ, ଏହାଦ୍ୱାରା କ’ଣ ମଣିଷଲାଗି କ୍ରମେ ସେହି ଉପଲବ୍‌ଧି ଅଧିକ ନିକଟବର୍ତ୍ତୀ ହୋଇ ଆସୁଛି କି ? ପୃଥିବୀରେ ଆଗେ ମଧ୍ୟ ହତ୍ୟା ରହିଥିଲା । ମାତ୍ର ହତ୍ୟାକୁ ସାଧାରଣତଃ କୌଣସି ଏକ ଅଭୀଷ୍ଟ ପୂରଣର ସାଧନ ବୋଲି ମନେ କରାଯାଉଥିଲା । ଆଧୁନିକ ଯୁଗରେ ମଧ୍ୟ କୌଣସି ଏକ ଆଦର୍ଶର ପ୍ରତିଷ୍ଠା ଲାଗି କେତେକ ମଣିଷ ହତ୍ୟାକୁ ହତିଆର ଭାବରେ ଗ୍ରହଣ କରିଥିଲେ । ବର୍ତ୍ତମାନ ସତେ ଯେପରି ମଣିଷମାନଙ୍କ ଆଗରେ ଆଦର୍ଶ ଆଦୌ ଦେଖା ଯାଉନାହିଁ, ତେଣୁ ହତ୍ୟା ବ୍ୟତୀତ ଆଉ କୌଣସି ବିବେକ ଏହି ପୃଥିବୀରେ ସମ୍ଭବ ବୋଲି ସେମାନେ ଭାବି ମଧ୍ୟ ପାରୁନାହାନ୍ତି । ହତ୍ୟା ଏହିପରି ଭାବରେ ମଣିଷ ଜୀବନରେ ଅସଲ ପ୍ରତିଷ୍ଠାଗୁଡ଼ିକୁ ହତ୍ୟା କରିବାରେ ଲାଗିଛି ।

 

ଏହାର ପରିଣତି କେଉଁ ଯାଏଁ ଯିବ ? କ୍ଷମତାର ମଣିଷ ହେଉଛି ପୃଥିବୀରେ ଏକମାତ୍ର ମଣିଷ, ସବୁଯାକ ଅଧିକାର କେବଳ ତାହାରିହିଁ ରହିବ,–ପୃଥିବୀରେ ଏହି ମାରାତ୍ମକ ଅସତ୍ୟଟାହିଁ କ’ଣ ଶେଷକୁ ରାଜଚକ୍ରବର୍ତ୍ତୀ ହୋଇ ପ୍ରତିଷ୍ଠା ପାଇବ ? ଏବଂ, ତା’ପରେ କ୍ଷମତାରେ ବସିଥିବା ଦୂଷଣମାନେ ପରସ୍ପର ଉପରକୁ ଖଣ୍ଡା ଉଞ୍ଚାଇବେ । ତା’ପରେ ଏଠାରେ ଆଉ କିଏ ରହିବ ? ଯିଏ ରହିବ, ସିଏ ଆଉ କ’ଣ ପାଇଁ ଜୀବନ ବଞ୍ଚିବ ବୋଲି ରହିବ ? ତେଣୁ ଯିଏ ଏବେଠାରୁ ସେହି କଥାଟିକୁ ଦେଖିପାରୁଛି, ସିଏ ହତ୍ୟାଗୁଡ଼ାକ ପୃଥିବୀରେ ସତେଅବା ପ୍ରବଳତମ ହୋଇ ରହିଥିଲେ ମଧ୍ୟ ତଥାପି ହତ୍ୟାର ଶିବିରରୁ ବାହାରେ ରହିବ । ହତ୍ୟାକାରୀମାନଙ୍କର ସକଳ ଦୁର୍ଦ୍ଦାନ୍ତତା ସତ୍ତ୍ୱେ ସିଏ ତଥାପି ବିକଳ୍ପ କଥାଟିକୁ କହିବ, ବିକଳ୍ପ ବାଟଟିଏ ଖୋଜିବ ଏବଂ ବିକଳ୍ପ ଗୋଷ୍ଠୀଟିଏ ଗଢ଼ିବ । ଏହି ଅନ୍ୟ ବାଟ ଖୋଜୁଥିବା ମଣିଷମାନଙ୍କର ଗୋଷ୍ଠୀଟିଏ ଗଢ଼ାହେବା, –ଏହାହିଁ ମଣିଷମାନଙ୍କର ପୃଥିବୀରେ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ଵାନ । ବିକଳ୍ପ ମଣିଷମାନେ ଏଠି ଶହୀଦ ହେବେନାହିଁ, ସେମାନେ ହତ୍ୟାର ପ୍ରତିବାଦ କରିବେ, ବଞ୍ଚିରହିବେ । ଆପଣାର ଏକ ଅନ୍ୟ ସକାଳପାଇଁ କ୍ରିୟାଶୀଳ ହୋଇ ରହିବେ । ତେଣୁ, ସେମାନେ ହତ୍ୟାକୁ ହସି ପାରିବେ, ହତ୍ୟାର ଯାବତୀୟ ଦରବାରକୁ ମଧ୍ୟ ହସି ପାରିବେ ।

 

୨୯ । ୭ । ୯୧

 

ବେଳେବେଳେ ଦୁଇଟା ଡେଣା ଛଅଟା ଡେଣା ହୋଇଗଲା ପରି ଅନୁଭବ ହୁଏ । ଏବଂ ସେତେବେଳେ ଉଡ଼ିବାଲାଗି ଚଉଦ ଭୁବନବି ଅଣ୍ଟେନାହିଁ । ଭଗବାନ୍‍ ହୃଦୟ ଭିତରୁ ଦାଉଦାଉ ହୋଇ ଦିଶନ୍ତି, ଆଖିଭିତରେ ଆସ୍ଥାନ ପାଆନ୍ତି । ସେତେବେଳେ ନିଜକୁ ଗୋଟାସୁଦ୍ଧା ଦେଇଦେବାକୁ ମନ ହୁଏ । ନିଜକୁ ଦେଇଦେବା ବ୍ୟତୀତ ଜୀବନରେ ସତେଅବା ଆଉ ଆଦୌ କୌଣସି ବଣିଜ ନଥିବାପରିହିଁ ଅନୁଭବ ହେଉଥାଏ । ଭବିଷ୍ୟତ୍‍କୁ ହାତ ପାଇଯାଏ । ଗୋଟାସୁଦ୍ଧା ନୂଆ ହୋଇଯିବାକୁ ମନହୁଏ । ସେତେବେଳେ ପାଖରେ ଥିବା ଆଉ ଥୋକେ ଏମିତି ବାଟ ଓଗାଳନ୍ତି କାହିଁକି ? କାହିଁକି ସେମାନେ ଉତ୍ସାହଗୁଡ଼ିକରେ ସର ପକାଇଦେବା ପାଇଁ ଦୁନିଆଯାକର ଆକଟ ଏବଂ ଅଭିଯୋଗକୁ ନେଇ ବାହାରି ପଡ଼ନ୍ତି ? ସତେଅବା କାନକୁ ଧରି ତୁମେ ଯେଉଁଠି ଅଛ ସେହିଠାରେହିଁ ତୁମକୁ ବସ୍ ଉଠ କରାଇବା ଲାଗି ନିଜର ସବୁ ସୈନ୍ୟସାମନ୍ତ ନେଇ ପହଞ୍ଚି ଯାଆନ୍ତି-। ତାହା ପ୍ରକୃତରେ ଏକ ଭୟାନକ ସମୟ ।

 

ବାଟ ଓଗାଳୁଥିବା ଏମାନଙ୍କୁ ଗାଳି ଦେବାକୁ ମୋଟେ ମନ ହୁଏ ନାହିଁ, ସେମାନଙ୍କର ହୃଦୟ ଭିତରକୁ ବାଟଟିଏ ଖୋଜିବା ଲାଗି ମନ ହୁଏ । ହୃଦୟ ଭିତରେ ପ୍ରତ୍ୟେକ ମଣିଷର ଯେଉଁଠି ଡେଣାଗୁଡ଼ିକ ଲୁକ୍କାୟିତ ହୋଇ ରହିଛି, ସେମାନଙ୍କୁ ସେହି ଜାଗାକୁ ସାଙ୍ଗରେ ନେଇ ସେଇ ଗନ୍ତାଘରଟିକୁ ଦେଖାଇ ଦେବାକୁ ମନହୁଏ । ସେମାନଙ୍କୁ ଛାଡ଼ି ଚାଲିଗଲେ ଅପରାଧ ହେବ ବୋଲି ମନେ ହେଉଥାଏ । ଆମେ ପୃଥିବୀରେ ଯେଉଁଠିକୁ ଯିବା, ସତେଅବା ସମସ୍ତେ ଯିବା ବୋଲି ବିଧିନିର୍ଦ୍ଦିଷ୍ଟ ହୋଇ ରହିଛି । ତେଣୁ, ବାଟ ଓଗାଳୁଥିବା ଲୋକକୁ ମଧ୍ୟ ସାଙ୍ଗରେ ନେଇ ଯିବାଲାଗି ମନ ହୁଏ । ବାଧ୍ୟ କରି ନୁହେଁ, ସାଙ୍ଗକରି । ତେଣୁ ଅତି ବ୍ୟାକୁଳ ହୋଇ ତାକୁ ଡାକିବାପାଇଁ ମନ ହୁଏ । ସେହି ବ୍ୟାକୁଳତାଟିକୁ ସଂସାରର ଭାଷାରେ ବ୍ୟକ୍ତ କରି ହୁଏନାହିଁ; ତେଣୁ, ଯାହାପାଇଁ କଥାଗୁଡ଼ାକୁ କୁହା ହେଉଥାଏ, ସିଏ ତାକୁ ବୁଝି ପାରୁନଥାଏ । ଦୁଃଖ ମୂଳତଃ ସେଇଥିପାଇଁ ହୁଏ । ମୁଁ ନିଜ ଭିତରେ କହିବାରେ ଲାଗିଥାଏ, ମୋ’ ଅନ୍ତରତମ ଯଦି ମୋତେ ଯାହାକୁ ମୁଁ କିଛି କହିବାକୁ ଇଚ୍ଛା କରୁଛି, ତାହାରି ବୁଝିପାରିବା ଭାଷାରେ ତାକୁ କଥାଗୁଡ଼ିକ କହି ପାରିବାର ଶକ୍ତି ଦିଅନ୍ତେ, ତେବେ ତାହା ଜୀବନରେ କୋଟିନିଧି ପାଇଲାପରି ହୁଅନ୍ତା । ନିଜକୁ ଶତଗବାକ୍ଷ କରି ଖୋଲିଦେଇ ପାରିଲେ ହୁଏତ ମୁଁ ସେହି ସାମର୍ଥ୍ୟର ଯୋଗ୍ୟ ହୋଇ ପାରନ୍ତି । ତେବେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସବୁରି ଅନ୍ତର୍ଗୃହରେ ପ୍ରବେଶ କରି ପାରନ୍ତି ସମସ୍ତଙ୍କୁ ସାଙ୍ଗ କରି ନେଇ ପାରନ୍ତି ।

 

୩୧ । ୭ । ୯୧

 

ଶିକ୍ଷକଟିଏ ନ ହୋଇଥିଲେ ମୁଁ ଯେ ପ୍ରକୃତରେ ଆଉ କ’ଣ ହୋଇ ପାରିଥାନ୍ତି, ବେଳେବେଳେ ଆପଣା ପାଖରେ ବସି ମୁଁ ସେଇ କଥାଭାବେ ଓ ତାହାର କୌଣସି ଉତ୍ତର ପାଇ ପାରେନାହିଁ । ଶିକ୍ଷାର୍ଥୀଟିଏ ନହୋଇଥିଲେ ମୁଁ ଯେ ପ୍ରକୃତରେ ଆଉ କ’ଣ ହୋଇ ପାରିଥାନ୍ତି, ନିଜକୁ ବେଳେବେଳେ ସେଇ କଥା ପଚାରେ ଏବଂ ସତରେ ଆଦୌ କୌଣସି ଉତ୍ତର ପାଏନାହିଁ । ଏହି ପୃଥିବୀରେ ସାଙ୍ଗଟିଏ ଖୋଜି ବାହାରିଥିଲି ଯେ ସାରା ପୃଥିବୀଟାର ସାଙ୍ଗ ହେବାର ସୌଭାଗ୍ୟ ଲାଭ କଲି, କ’ଣ ଏହାହିଁ ଏହି ଜୀବନର ରୀତି ?

 

ମୋ’ ଚାରିପାଖରେ ଲୋକମାନେ ଗୋଟାଏ ଗୋଟାଏ କ’ଣ ନା କ’ଣ ହୋଇ ବସିଛନ୍ତି-। ସେମାନେ ଯାହା ହୋଇଛନ୍ତି; ସେମାନେ କ’ଣ ପ୍ରକୃତରେ ତାହାହିଁ ହେବାକୁ ଇଚ୍ଛା କରିଥିଲେ-? ନା କ’ଣ ହେଉ ହେଉ ଆଉ ଗୋଟାଏ କ’ଣ ହୋଇଗଲେ ଓ ଏହି ଆଉ କ’ଣଟାକୁ ନେଇ ଜୀବନରେ ଏତେ ଫୁଲାଇ ହୋଇ ଶିଖିଲେ ? ମୁଁ ତ ଭାବିଥାଏ, ଜୀବନରେ ସବୁ ମଣିଷ ପ୍ରକୃତରେ ସାଙ୍ଗଟିଏ ଖୋଜି ବାହାରି ଥାଆନ୍ତି । ସାଙ୍ଗଟିଏ ପାଇବାକୁ ହେଲେ ଯେ ନିଜକୁ ସତକୁସତ ସାଙ୍ଗଟିଏ ହେବାକୁ ହୁଏ, ସେମାନେ କୌଣସି କାରଣରୁ ସେହି ସୂତ୍ରଟିକୁ ଅଙ୍ଗେ ନିଭାଇ ପାରିନଥାନ୍ତି । ସବୁ ପାଇବାକୁ ହେଲେ ଯେ ସବୁ ଦେବାକୁ ହୁଏ, ସେମାନେ ଯଥାର୍ଥ ବାଣିଜ୍ୟର ଏହି ରହସ୍ୟଟିକୁ ସ୍ଵୀକାର କରିନେଇ ପାରିନଥାନ୍ତି । ତେଣୁ, ସେମାନେ ପାଇବାଲାଗି ଫାଶ ବସାନ୍ତି, ମୁଖା ପିନ୍ଧନ୍ତି, ଏଡ଼େ ଏଡ଼େ ଉଞ୍ଚ ହୋଇ ଦିଶିବେ ବୋଲି ଆତୁର ହୋଇ ରହିଥାନ୍ତି-। ଫାଶରେ କେତେ କ’ଣ ଧରି ଆଣି ପାଇଲୁ ବୋଲି କାମ କରୁଥାନ୍ତି, ମୁଖା ପିନ୍ଧି ଦୁନିଆଟାଯାକକୁ ଭୁତାଇ ଦେଇ ପାରିଲୁ ବୋଲି ଆପଣାର ଦରବାରରେ ଭଟଙ୍କ ପରି କେତେ ପୁଲକ କାଢ଼ନ୍ତି-। ତଥାପି ଗୋଟାଏ ହେଲେ ସାଙ୍ଗ ପାଆନ୍ତିନାହିଁ, ସେମାନେ ସମ୍ପତ୍ତି ପାଆନ୍ତି, ସମାନର ଅଧିକାରୀ ହୁଅନ୍ତି, ପଦ ଉଠାଇ ପଦ ପାଆନ୍ତି, ମାତ୍ର ନିଜ involvementର ଜଙ୍ଗଲଟି ଭିତରେ ସତେଅବା ଭାରି ଅରକ୍ଷିତ ହୋଇ ବୁଲୁଥାନ୍ତି । ସେମାନଙ୍କର ଆଡ଼ମ୍ବରଗୁଡ଼ାକହିଁ ସେମାନଙ୍କର ଶୂନ୍ୟତାକୁ ଭାରି ପଦାରେ ପକାଇ ଦେଉଥାଏ । ମୋ’ ଭିତରର ଶିକ୍ଷକ କେଡ଼େ ସ୍ଵାଭାବିକ ଭାବରେ ଏକ ଶିକ୍ଷାର୍ଥୀ ହୋଇ ଯେତେବେଳେ ସହଜ ଓ ନିବିଡ଼ ଆଖିଗୁଡ଼ିକୁ ପ୍ରସାରି ଦେଇ ସମଗ୍ର ଜଗତ୍‍ଟାକୁ ସାଙ୍ଗକରି ଘରକୁ ଡାକି ନେଇ ଆସେ, ସେତେବେଳେ ମୁଁ ନିଜକୁ ସତକୁସତ ଆପ୍ତକାମ ବୋଲି ଅନୁଭବ କରିବାରେ ଲାଗିଥାଏ, ଫାଶ ଓ ମୁଖାମାନଙ୍କ ପାଖ ମାଡ଼ି ପାରନ୍ତିନାହିଁ ।

 

୧ । ୮ । ୯୧

 

ଭଗବାନ୍‍ଙ୍କୁ ଆପଣା ସହିତ ବାଟ ଚାଲିବାକୁ ମଙ୍ଗାଇବାର ପ୍ରକ୍ରିୟାଟିକୁ ଆମେ ତପସ୍ୟା ବୋଲି କହିପାରିବା । ସିଏ ଆମ ସହିତ ବାଟ ଚାଲିବାର ପ୍ରକ୍ରିୟାଟି ଯେତେବେଳେ ଯାଏଁ ଯଥାର୍ଥ ଓ ସୁସ୍ଥ ଭାବରେ ଚାଲିଥାଏ, ସେ ପର୍ଯ୍ୟନ୍ତ ଆମେ ସତକୁସତ ତାଙ୍କରି ବାଟରେ ଚାଲିବାରେହିଁ ସର୍ବପ୍ରଧାନ ଉତ୍ସାହ ରଖିଥାଉ । ଏମିତି ଚାଲୁ ଚାଲୁ କେଉଁଠି କ’ଣ ବହଳ ଧରିଯାଏ କେଜାଣି, ଅର୍ଥାତ୍ କେଉଁଠି କେଉଁ ଅନ୍ୟାନ୍ୟ ନାନା ସିଦ୍ଧିର ଲାଳସାରେ ଆମେ ଅଟକିଯାଉ କେଜାଣି, ଭଗବାନ୍‍ ମଧ୍ୟ ଆମସହିତ ଅଟକି ରହିଯାଆନ୍ତି । ତା’ପରେ ଆମ ରୀତିରେ ତାଙ୍କୁ ମଙ୍ଗାଇ ନେବାର ସବୁଯାକ ଫିସାଦି ଆରମ୍ଭ ହୋଇଯାଏ ।

 

ପ୍ରତ୍ୟେକ ଧର୍ମ ଓ ପ୍ରତ୍ୟେକ ସମ୍ପ୍ରଦାୟର ଇତିହାସଗୁଡ଼ିକୁ ଆମେ ପ୍ରାୟ ଏହିପରି ଏକ ଫିସାଦିର ଇତିହାସ ବୋଲି କହିପାରିବା । ଆନୁଷ୍ଠାନିକ ଧର୍ମର ବେବର୍ତ୍ତାମାନେ କେଉଁ କାଳରୁ ଅଟକି ଯାଇଛନ୍ତି ବୋଲି ଧର୍ମମାନେ ମଧ୍ୟ ଅଟକି ଯାଇଛନ୍ତି । ପ୍ରଧାନତଃ ବହୁ ସନ୍ତକ ଓ ଆନୁଷ୍ଠାନିକତାର ଆଡ଼ମ୍ବର ଭିତରେ ଆପଣାକୁ ଅଲକ୍ଷଣା କରି ରଖିଛନ୍ତି, କ୍ଷମତାର ଗାଭୀରୂପେ ବ୍ୟବହୃତ ହୋଇ ନିଜର ମହତ୍ ହରାଇଛନ୍ତି । ଧର୍ମମାନେ ଧର୍ମରେ ଚାଲିଥିଲେ ପୃଥିବୀକୁ ନଚାଉଥିବା ବହୁ କନ୍ଦଳ କେଉଁକାଳରୁ ଯଥାର୍ଥ ସମାଧାନ ପାଇ ସାରନ୍ତେଣି । ମାତ୍ର, ଧର୍ମମାନେ ଦେଉଳ ପାଖରେ, ଗାଦିଗୁଡ଼ାକରେ, ମଠ ଏବଂ ପୀଠମାନଙ୍କରେ ଅଟକି ଯାଇ ମଣିଷମାନଙ୍କର ଅଟକି ଯିବାରେ ମଧ୍ୟ ଭାରି ସାହାଯ୍ୟ କରିବାରେ ଲାଗିଛନ୍ତି । ମଣିଷମାନେ ଅମୁହାଁ ଗୁହାଳମାନଙ୍କରେ ରହି ରହି କାଳକ୍ରମେ ଘୁଷୁରି ପାଲଟି ଯାଇଛନ୍ତି । ତପସ୍ୟାଦ୍ଵାରାହିଁ ଏହି ଘୁଷୁରି ହେବାର ବହୁବିଧ ଅପଦର୍ଶି ଏବଂ ବହୁବିଧ ଉତ୍ତେଜନାରୁ ରକ୍ଷା ପାଇବା ସମ୍ଭବ ହେବ । ଏବଂ, କେବଳ ବ୍ୟକ୍ତିଗତ ତପସ୍ୟା ନୁହେଁ, ଏଥିଲାଗି ସାମୂହିକ ତପସ୍ୟା ମଧ୍ୟ କରିବାକୁ ହେବ । ଯେଉଁମାନେ ବାଟ ଚାଲିବାକୁ ମନ କରୁଛନ୍ତି, ବାଟ ଚାଲିବାକୁ ଭିତରେ ଓ ବାହାରେ ଉଭୟ କ୍ଷେତ୍ରରେ ବାଟ ଚାଲିବାକୁହିଁ ତପସ୍ୟା ବୋଲି ଗ୍ରହଣ କରିଛନ୍ତି, ସେମାନଙ୍କୁ ପରସ୍ପର ସହିତ ସମ୍ମିଳିତ ହେବାକୁ ପଡ଼ିବ । ତାହାରି ନାମ ସାମୂହିକ ତପସ୍ୟା । ଏଥିଲାଗି ଅହଂର କାନ୍ଥଗୁଡ଼ାକୁ ଭାଙ୍ଗି ଦେବାକୁ ହେବ । ଜୀବନର ଯାବତୀୟ ଆବରଣର ତଳକୁ ଭେଦି, ଆମେ ସମସ୍ତେ ଯେଉଁଠି ପଥିକ, ସେହି ସ୍ତରରେ ଖିଅ ବାନ୍ଧିବାକୁ ପଡ଼ିବ । ତେବେଯାଇ ଭଗବାନ୍‍ଙ୍କର ପୁନରାବିଷ୍କାର ସମ୍ଭବ ହେବ ।

 

୨ । ୮ । ୯୧

 

ଭିତରେ ସବୁ ସ୍ଥିର ଥିବ । ବିଶ୍ଵାସ ସ୍ଥିର ଥିବ, ଆଖିଗୁଡ଼ିକ ଅନନ୍ତ ପ୍ରତ୍ୟୟରେ ସ୍ଥିର ହୋଇ ରହିଥିବେ । ଏକ ଅମାପ ଖୁସି ମୋ’ର ଦେହକୋଷଗୁଡ଼ିକୁ ମଧ୍ୟ ସମ୍ମତ ଏବଂ ଉନ୍ମୁକ୍ତ କରି ରଖିଥିବ । ଉତ୍ତେଜନା ନଥିବ, ଅଭିଯୋଗ ନଥିବ, ପାଇବାର କୌଣସି ଉଦ୍‍ବେଗ ନଥିବ କିମ୍ବା ହରାଇ ଥିବାର ପଶ୍ଚାତ୍ତାପ ନଥିବ । ସମ୍ଭବତଃ ତେବେଯାଇ ବାହାରଟା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଓ ସୁସ୍ଥ ଭାବରେ କର୍ମରତ ଏବଂ କ୍ରିୟାଶୀଳ ହୋଇ ରହିପାରିବ । ଆମେ ଯେଉଁମାନେ ବାହାରେ ଉଦାସୀନ ଏବଂ ଉପେକ୍ଷାମୟ ହୋଇ ରହିଥାଉ କ୍ଷେତ୍ରଗୁଡ଼ିକୁ ବାରି ଓ ବାଛି ପ୍ରାୟ ଗୋଟାସୁଦ୍ଧା ଅଳସୁଆ ହୋଇ ରହିଥାଉ, ସେମାନେ ଭିତରେ ସତେ ଯେପରି କେତେ ନା କେତେ କାରଣରୁ ଅଥବା ଅକାରଣରୁ ଉତ୍ତେଜିତ ଏବଂ ଅତୃପ୍ତ ହୋଇ ରହିଥାଉ । ଆମ ଭିତରର ବାଘମାନେ ଆମ ଭିତରର ମେଷଶାବକମାନଙ୍କୁ କାମୁଡ଼ି ଗୋଡ଼ାଇବାରେ ଲାଗିଥାନ୍ତି । ବାହାରର ତଥାକଥିତ ଉଦାସୀନତା ଭାରି ଧରା ପକାଇ ଦେଉଥାଏ । ଧରାପଡ଼ି ମଧ୍ୟ ବାହାରଟା ତଥାପି ବାଟକୁ ଆସେ ନାହିଁ ।

 

ମଣିଷମାନେ ବାହାରେ ଆପଣାକୁ କେତେ ନା କେତେ ଧର୍ମ କସରତ୍‍ର ସାହାଯ୍ୟ ନେଇ ଥିର ହେବାପାଇଁ ଚେଷ୍ଟା କରିବାରେ ଲାଗିଥାନ୍ତି । ତେଣେ ଭିତରେ ଟକଟକ ହୋଇ ଫୁଟୁଥାନ୍ତି । ନିଜର ଅନ୍ତର୍ଗତ ବନ୍ୟତାଗୁଡ଼ାକରେ ହାତ ମାରିବାକୁ ମଧ୍ୟ ସାହସ କରି ପାରୁନଥାନ୍ତି । ଏପରି କାହିଁକି ହୁଏ କେଜାଣି ? ଭିତରର ଖୁସି ତ ବାହାରଟାକୁ ମଧ୍ୟ ସତକୁସତ ସମର୍ପିତ ଅର୍ଥାତ୍ ଖୁସି ହୋଇ ରହିବାରେ କେତେ ସାହାଯ୍ୟ କରୁଥାନ୍ତା । ତେଣୁ, ଉପେକ୍ଷା ଲାଗି, ଉଦାସୀନତା ଲାଗି ଆଉ କାହିଁକି ଅବକାଶ ଆସନ୍ତା ? ଏହି ଉଦାସୀନତାକୁ ନିଠ କରି ଧରି ସଜ୍ଜନମାନେ ଶାସ୍ତ୍ର ବା କାହିଁକି ଲେଖନ୍ତେ ? ଏଭଳି ଲୋକମାନଙ୍କର ଏହି ରୀତିଟାକୁ ମୁଁ ମୋଟେ ବୁଝି ପାରେ ନାହିଁ । ଭିତରର ଖୁସି ଓ ସ୍ଥିରତାକୁ ମୁଁ ଆଦୌ କୌଣସି ବାହ୍ୟ କସରତ୍‍ଦ୍ଵାରା ପାଇଛି ବୋଲି ମୋ’ର ମୋଟେ ମନେ ହେଉନାହିଁ । କସରତ୍‍ଦ୍ଵାରା ଭିତରେ କିମ୍ବା ବାହାରେ କେଉଁଠି କିଛି ମିଳେନାହିଁ । ସମ୍ମତିଦ୍ଵାରାହିଁ ସବୁ ମିଳେ । ସାକ୍ଷାତ ହେଲେ ଯାଇ ସମ୍ମତି ସହଜ ହୋଇଯାଏ । ତା’ପରେ ଶାସ୍ତ୍ରମାନେ ହଟି ଯାଆନ୍ତି ନୈତିକ ଆକଟମାନେ ହଟି ଯାଆନ୍ତି । ଭିତରେ ବନ୍ଧୁଦର୍ଶନ ହୁଏ । ବନ୍ଧୁଦର୍ଶନର ଯାବତୀୟ ଭାଗ୍ୟ କେବଳ ଖୁସି ହୋଇ, କେବଳ ସ୍ଥିତରା ହୋଇହିଁ ବାହାରଟାକୁ ଅନୁସିକ୍ତ ନକରି ରଖିଥାଏ । କ୍ରିୟାଶୀଳ ଓ ଉଦ୍ୟତ କରି ରଖିଥାଏ ।

 

୩ । ୮ । ୯୧

 

ଏକଦା ହିଂସାଖୋରମାନେ ଏବେ ଏକାଠି ବସି ପୃଥିବୀକୁ ସଜାଡ଼ିବେ ବୋଲି ଆଗଭର ହୋଇ ବାହାରିଛନ୍ତି । ମାତ୍ର, ଅନ୍ତ ଭିତରେ ସେମାନଙ୍କର ହିଂସା ଉପରେ ପ୍ରବଳ ଓ ଜବର ବିଶ୍ଵାସ ରହିଛି । ହିଂସା ବିରୁଦ୍ଧରେ ଅହିଂସାର ଉପାସକମାନେ ଚାରିକାଳ ସ୍ଵର ଉତ୍ତୋଳନ କରି ଆସିଥିଲେ ମଧ୍ୟ ଅନ୍ତତଃ ବାହାର ଆଖିରେ ଏହି ହିଂସାଖୋରମାନଙ୍କର ଉଦ୍ୟମରୁ ସତକୁସତ କିଛି ଫଳ ଫଳୁଥିବା ପରି ପ୍ରତୀତ ହେଉଛି ।

 

ଯେଉଁମାନେ ଅହିଂସାକୁ ସର୍ବୋତ୍ତମ ବୋଲି କହୁଥିଲେ, ସେମାନେ ଗାତରେ ଲୁଚିଛନ୍ତି । ଇସ୍କୁଲର ପିଲାମାନେ ବହିରେ ଅହିଂସାକୁହିଁ ସର୍ବୋତ୍ତମ ବୋଲି ଶୁଣିବାରେ ଲାଗିଛନ୍ତି ଏବଂ ହିଂସାଦ୍ୱାରା ଉନ୍ମତ୍ତ ଏକ ପୃଥିବୀରେ ଯେକୌଣସି ପ୍ରକାରେ ତିଷ୍ଠି ରହିବାକୁହିଁ ବାସ୍ତବ ବିବେକରୂପେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରବଳରୁ ଆହୁରି ପ୍ରବଳ ହେଉଥିବା ହିଂସାକୁ ରୋକିବା ଲାଗି ସାହିତ୍ୟବି ଅସମର୍ଥ ହୋଇ ରହିଛି । ଧର୍ମମାନେ ମୁହଁ ବନ୍ଦ କରି ଚାରିଆଡ଼େ ପ୍ରଧାନତଃ କଣ୍ଢେଇ ପୂଜାରେ ମାତିଛନ୍ତି । ସଜ୍ଜନମାନେ ଲୋକସେବା କରୁଛନ୍ତି, ସୁଖୀମାନେ ଆର୍ତ୍ତ ଓ ଦୁର୍ଗତମାନଙ୍କର ଦୁଃଖ ଦୂର କରିବାଲାଗି ପାଣ୍ଠି ସଂଗ୍ରହ କରୁଛନ୍ତି । ଜୀବନ ଦିନକୁଦିନ ମରି ମରି ଯାଉଛି । ତ୍ରାସଗୁଡ଼ାକ ବଢ଼ି ବଢ଼ି ଯାଉଛି । ହିଂସା ବିରୁଦ୍ଧରେ ସମାନ୍ତର ହିଂସାମାନେ ଆନୁଷ୍ଠାନିକ ଭାବରେ ସତେଅବା ଗୋଟାଏ ଗୋଟାଏ ରାଷ୍ଟ୍ର ପରି ସଂଗଠିତ ହେଉଛନ୍ତି । ମଣିଷ ଭିତରେ ବହୁ ଭୟ ଉଗ୍ର ହୋଇ ଦାନ୍ତ ରଗଡ଼ି ବାହାରିଲାଣି । ବିବେକମାନେ କେଉଁକାଳୁ ବହି ହୋଇ ରହିଲେଣି । ଏହି ସଙ୍କଟ ସମୟରେ ସତ୍ୟାଗ୍ରହୀମାନେ କୁଆଡ଼େ ଗଲେ ? ସେମାନେ ନିଜଭିତରେ ପୋଷି ହୋଇ ବସିଥିବା ଭୀରୁଟିକୁ ମାରି ସାରିଲେଣି ତ ? ନିଜ ଭିତରେ ମଧ୍ୟ ସତ୍ୟାଗ୍ରହୀଟିକୁ ଖୋଜିଯିବା ସକାଶେ ସମ୍ପ୍ରତି ଆଉ ଯାବତୀୟ କାର୍ଯ୍ୟକୁ ପଛରେ ପକାଇ ରଖିବାହିଁ ସବୁଠାରୁ ବଡ଼ ହୋଇ ଦେଖାଯାଉଛି । ସତ୍ୟ ଯେ ତଥାପି ବଞ୍ଚିରହିଛି, ପୃଥିବୀକୁ ତାହାର ପ୍ରମାଣ ଦେବାଲାଗି ମଧ୍ୟ ଅନ୍ତତଃ କେତେଜଣ ସତ୍ୟାଗ୍ରହୀଙ୍କର ଆବଶ୍ୟକତା ରହିଛି ସାହସୀ କେତେଜଣଙ୍କର ଆବଶ୍ୟକତା ରହିଛି ।

 

୪ । ୮ । ୯୧

 

ସେହି ଗୋଟିଏ କଥାକୁ ଫେଣେଇ ଭିନ୍ନ ଭିନ୍ନ ଶବ୍ଦ ଦେଇ କହିବାକୁ ଆଉ ମୋଟେ ମନ ହେଉନାହିଁ । ଏଥର ଖାଲି ସାଙ୍ଗ ଖୋଜିବାକୁ ମନ ହେଉଛି । ଏମିତି ସାଙ୍ଗ, ଯେଉଁମାନେ କି ସତକୁସତ ଅନୁଭବ କରୁଥିବେ,–କୌଣସି ଏକ ପଠିତ ଗ୍ରନ୍ଥର ଭାଷାରେ କହିଲେ, ଯେଉଁମାନଙ୍କର vision ଥିବ, ଯେଉଁମାନଙ୍କ ସହିତ ଏକାଠି ବସି ଏହି ପୃଥିବୀ ବିଷୟରେ ଆଲୋଚନା କରି ହେଉଥିବ, ସେହି ଆଲୋଚନାଦ୍ଵାରା ସମସ୍ତେ ଆପଣାର ଚେତନାକୁ ଉଜ୍ଜୀବିତ କରି ପାରୁଥିବେ, ସତ୍ୟ ପ୍ରତି ଆଗ୍ରହ ରଖିଥିବେ ଏବଂ ସେହି ଆଗ୍ରହଟି ଅନୁସାରେ ସକ୍ରିୟ ଭାବରେ କିଛି ହେବାକୁ ମଧ୍ୟ ଇଚ୍ଛା କରୁଥିବେ । ଲେଖିବା କମିଯାଉଛି, ସାଙ୍ଗଖୋଜା ବଢ଼ୁଛି ।

 

ଲେଖିବାଦ୍ଵାରା ମଧ୍ୟ ମୁଁ ଏମିତି ସାଙ୍ଗ ଅନେକ ପାଇଛି । ଯେଉଁମାନେ ପାଠକୁ ପାଇବାକୁ ସାହିତ୍ୟ ଲେଖନ୍ତି, ସେମାନଙ୍କର ମେଳରେ ମୋତେ କେବେହେଲେ ଉଷତ ଲାଗିନାହିଁ । ଖାଲି ଲେଖକ ଓ ଖାଲି ପାଠକ, ଏମିତି ଦୁଇଟି ଶ୍ରେଣୀ ପ୍ରକୃତରେ କ’ଣ କେଉଁଠି ଅଛନ୍ତି ? ଲେଖକ, ଯେଉଁମାନେ କି କେବଳ ଲେଖିକରି କାମ ସାରି ଦେଉଥିବେ ଏବଂ ତାହାରିଦ୍ଵାରାହିଁ ପ୍ରସବ ସମର୍ଥ ହେଲେ ବୋଲି ଅନୁଭବ କରି ନେଉଥିବେ । ଏମିତି ପାଠକ, ଯେଉଁମାନେ ଅବସର–ବିନୋଦନ ନିମନ୍ତେ ବହି ପଢ଼ୁଥିବେ, କ୍ଷଣେ ଆଖିରୁ ଲୁହ ଗଡ଼ାଉଥିବେ, କ୍ଷଣକ ନିମନ୍ତେ ପୃଥିବୀଟାଯାକର ଆତ୍ମୀୟ ପରି ଅନୁଭବ କରୁଥିବେ ଏବଂ ତା’ପରେ ନିଜନିଜର ପୁରୁଣା ଗୁଳା ଓ ପୁରୁଣା ଗୁମ୍ଫାଗୁଡ଼ିକୁ ଫେରି ଆସୁଥିବେ, ଉପେକ୍ଷାର ନାନା ରସୋଗ୍ର ରୁଟିନ୍ ଭିତରେ କୁଆଡ଼େ ଖାପ ଖାଇ ଯାଉଥିବେ ? ପ୍ରଧାନତଃ ସାଙ୍ଗଟିଏ ପାଇବାପାଇଁ ମୁଁ ଲେଖୁଛି । ଏବଂ ସତକୁସତ ବହୁ ସାଙ୍ଗ ପାଇଛି । ଓଡ଼ିଆ ଭାଷାର ମାଧ୍ୟମରେ ଓଡ଼ିଶାଯାକ କେତେ ସାଙ୍ଗ ପାଇଛି, କେତେ ସୁହୃତ୍‌ଙ୍କୁ ଆବିଷ୍କାର କରିଛି–ପାଠକ ହିସାବରେ ନୁହେଁ, ସୁହୃତ୍ ହିସାବରେ ସେମାନଙ୍କ ସହିତ କେତେ ଜାଗାରେ ବାନ୍ଧିହୋଇ ଯାଇଛି । ଏବେର ଲେଖକମାନଙ୍କୁ ଯେଉଁ ନିଃସଙ୍ଗତା ଘାରିଛି, ମୋତେ ତାହା ଆଦୌ ଛୁଇଁ ପାରିନାହିଁ । ମୋ’ ଲେଖା ମୋତେ ଭିତରେ ତଥା ବାହାରେ ପାହାଚ ଉଠିବାପାଇଁ ସାହାଯ୍ୟ କରିଛି, ମୋ’ ଜୀବନକୁ ବଦଳାଇଛି । ମୋ’ର ଅନ୍ତରଙ୍ଗତମ ଆକୃତିଗୁଡ଼ିକୁ ଉତ୍ତୋଳିତ କରି ନେଇଛି, ମୋ’ର ସମ୍ବନ୍ଧଗୁଡ଼ିକୁ ଉଜ୍ଜ୍ଵଳ କରିଛି ।

 

୫ । ୮ । ୯୧

 

ଷ୍ଟାଲିନ୍‌ଙ୍କ କଥାରୁ ମିଖାଏଲ୍ ଗୋର୍ବୋଚଭ,–ପୃଥିବୀର ମାନବମହାଖଣ୍ଡରେ ଯେ ଚେତନାର ପରିବର୍ତ୍ତନ ହେଉଛି, ଏହି ଗୋଟାଏ ଉଦାହରଣହିଁ ସେହି କଥାଟିକୁ ବୁଝିବା ଲାଗି ଯଥେଷ୍ଟ ହେବ । ଯେତେବେଳେ ମଣିଷମାନେ ପରସ୍ପର ଉପରେ ବିଶ୍ଵାସ ସ୍ଥାପନ କରିବାକୁ ଆଉ କୌଣସି ଭୟ କରନ୍ତିନାହିଁ, ସେତିକିବେଳେହିଁ ସେହି ସାମୂହିକ ଜୀବନବ୍ୟବସ୍ଥାକୁ ଗଣତନ୍ତ୍ର ବୋଲି କୁହାଯାଏ । ପ୍ରତ୍ୟେକ ମଣିଷ ଅନ୍ୟ ପ୍ରତ୍ୟେକ ମଣିଷଙ୍କ ପାଇଁ brother’s keeper ହୋଇ ବାହାରିଲେ ପୃଥିବୀରେ ଯେଉଁ ଅନ୍ୟ ଆତ୍ମୀୟତାଟିର ସୃଷ୍ଟି ହେବ, ଆମେ ତାହାକୁ ପୁଣି ଆଉ କେଉଁ ତନ୍ତ୍ର ବୋଲି ଅଭିହିତ କରିବା ?

 

ହୁଏତ withering away of the State ଲାଗି ଏଇଟି ହେଉଛି ପ୍ରଶସ୍ତତମ ଉପାୟ । ପ୍ରାୟ ପଚସ୍ତରୀବର୍ଷ ତଳେ ଦଳେ ହଠଧର୍ମୀ ଆଦର୍ଶବାଦୀ ନିଜ ପତାକାରେ ସେହି ସ୍ଳୋଗାନ୍‍ଟିକୁ ଲେଖି ଯେଉଁ ରାଷ୍ଟ୍ରକୁ ତିଆରି କରିଥିଲେ, ତାହା ଆଧୁନିକ ପୃଥିବୀର ସମ୍ଭବତଃ ସବୁଠାରୁ ଅଧିକ ନିଷ୍ପେଷଣକାରୀ ଏକ ରାଷ୍ଟ୍ରରେ ପରିଣତ ହୋଇ ଗଲା, ଅମଣିଷ କ୍ଷମତାକାମୀମାନଙ୍କ ପାଇଁ କାଳକ୍ରମେ ଏକ ମୁକ୍ତ ଅରଣ୍ୟରେ ପରିଣତ ହୋଇଗଲା । ସେହି ଭ୍ରମକୁ ଭାଙ୍ଗିବା ସକାଶେ ପୃଥିବୀକୁ ଏତେଗୁଡ଼ାଏ ବର୍ଷ ଲାଗିଲା । ପୃଥିବୀର ଅଧିକାଂଶ ଦେଶରେ ଏବେ ମଧ୍ୟ ସେହି ଭ୍ରମଟାହିଁ ଅଧିପତି ହୋଇ ବସିଛି । ଗଣତନ୍ତ୍ରର ବିକଳ୍ପ ବାଟଟି ହୁଏତ ପୃଥିବୀକୁ କ୍ରମେ ସେହି ଭ୍ରମଟା ଭାଙ୍ଗିବାର ନିକଟବର୍ତ୍ତୀ କରିନେଇ ପାରିବ । ମଣିଷ ତା’ର ବଡ଼ ପୃଥିବୀଟାକୁ ମଧ୍ୟ ଏକ ନିବିଡ଼ ସାନ ପୃଥିବୀର ଅନ୍ତର୍ଗତତା ଦେଇ ବଞ୍ଚିପାରିବ । ଜୀବନର ରଜ୍ଜୁଗୁଡ଼ିକ ଯାହା ହାତରେ ଥିବ, ତାହାକୁ ଆଉ ଯାହାକିଛି କୁହାଯାଉ ପଛକେ, ଅନ୍ତତଃ ରାଷ୍ଟ୍ର ବୋଲି ମୋଟେ କୁହା ଯିବନାହିଁ । ରାଷ୍ଟ୍ରବାଦୀମାନେ ମଧ୍ୟ ସାବାଳକ ପରିପକ୍ଵତାଯୁକ୍ତ ମଣିଷ ହୋଇ ଶିଖିବେ । ମଣିଷ ହାଲୁକା ହେବ । ନେବ ଯେତିକି, ତାହାର ଦଶଗୁଣ ଦେବାକୁ ପ୍ରସ୍ତୁତ ହୋଇଯିବ, ଏଗୁଡ଼ାକ ରାଜନୀତି କ୍ଷେତ୍ରରେ ଆଗ ଘଟିବ,–ମାତ୍ର ଏହାକୁ ତଥାପି ଏକ ତୁଚ୍ଛା ରାଜନୀତିକ ପରିବର୍ତ୍ତନ ବୋଲି କଦାପି କୁହାଯାଇପାରିବ ନାହିଁ । ଏକ ସାଂସ୍କୃତିକ ପରିବର୍ତ୍ତନ ବୋଲି କୁହାଯିବ । ପୃଥିବୀରେ ଏକ ଜୀବନ ଦୃଷ୍ଟିଗତ ଗଣତନ୍ତ୍ରର ଚେରଗୁଡ଼ିକ ଯେତିକି ଗଭୀରକୁ ମାଡ଼ିଯାଇ ପାରୁଥିବ, ସେହି ସାଂସ୍କୃତିକ ପରିବର୍ତ୍ତନ ସେତିକି ତ୍ୱରାନ୍ୱିତ ହେଉଥିବ । ସାନ ବଡ଼ ସକଳ ସମ୍ବନ୍ଧରେ ଓ କ୍ଷେତ୍ରରେ ତାହାକୁହିଁ ଅସଲ ବାଟ ବୋଲି ଗ୍ରହଣ କରିପାରିଲେ ଯାଇ ତାହା ସମ୍ଭବ ହେବ ।

 

୬ । ୮ । ୯୧

 

ପାକିସ୍ଥାନର ଶ୍ରୀମତୀ ବେନଜିର ଭୁଟ୍ଟୋ ମଧ୍ୟ ଅନଶନ କଲେ । ସରକାରଙ୍କ ଶାସନନୀତିର ପ୍ରତିବାଦ କରି ନିଜ ଦଳର ହଜାର ହଜାର ଅନୁଗାମୀଙ୍କ ସହିତ ସିଏ ମଧ୍ୟ ଅନଶନ–ଧର୍ମଘଟରେ ଯାଇ ବସିଲେ ବୋଲି ସମ୍ବାଦ କହୁଛୁ । ଏହି ସମ୍ବାଦ ମନଭିତରେ ନାନାବିଧ ପ୍ରତିକ୍ରିୟା ସୃଷ୍ଟି କରୁଛି, ମଣିଷକୁ ତା’ର ବହୁବିଧ ଲକ୍ଷ୍ୟ ହାସଲ କରିବା ବିଷୟରେ ବାଟ ଦେଖାଇବା ନିମନ୍ତେ ବିକଳ୍ପ ବାଟଟିଏ ଯେ ରହିଛି, ସେହି ଦିଗରେ କିଞ୍ଚିତ୍ ଆଶାର ସଞ୍ଚାର ମଧ୍ୟ କରୁଛି । ଲକ୍ଷ୍ୟ ହାସଲ କରିବା ସକାଶେ ସର୍ବପ୍ରଥମ ମାଧ୍ୟମରୂପେ ବନ୍ଧୁକର ବ୍ୟବହାର ହେବାଦ୍ଵାରା କିପରି ଯୁକ୍ତରାଜ୍ୟ ଆମେରିକାରେ ହତ୍ୟାକାଣ୍ଡମାନ ହୁ ହୁ ହୋଇ ବୃଦ୍ଧି ପାଉଛି, ଏକ ଏପରି ସମ୍ବାଦ ମଧ୍ୟ ଖବରକାଗଜରେ ବାହାରିଛି । ରାଷ୍ଟ୍ରମାନେ ପ୍ରଧାନତଃ ବନ୍ଧୁକ ଉପରେ ବିଶ୍ଵାସ କରୁଛନ୍ତି; ତେଣୁ ରାଜାକୁ ଅନୁସରଣ କରିବାହିଁ ପ୍ରଜାର ପରମ ଧର୍ମ ବୋଲି ମାନୁଥିବା ପ୍ରଜାମାନେ ମଧ୍ୟ ଆପଣାର ସେହି ଅଭ୍ୟାସଟି ଉପରେ କ୍ରମେ ଅଧିକ ନିର୍ଭରଶୀଳ ହେଲେଣି । ମାତ୍ର, ମନୁଷ୍ୟବ୍ୟକ୍ତିର ଉତ୍ତରୋତ୍ତର ଅଭିବୃଦ୍ଧି ପ୍ରତ୍ୟେକ ରାଷ୍ଟ୍ରର ସର୍ବପ୍ରଥମ ଧର୍ମ ବୋଲି ଯେଉଁ ମଣିଷମାନେ ଏବେବି ଅନୁଭବ କରୁଛନ୍ତି, ସେମାନେ ହୁଏତ ବିକଳ୍ପଟିଏ ଦେଖାଇ ପାରିବାକୁ ଅଧିକ ଅନୁପ୍ରାଣିତ ହେବେ । ଏକ ରାଜନୀତିକ ଅସ୍ତ୍ର ହିସାବରେ ଅବଶନ ସମ୍ଭବତଃ ସେହିପରି ଏକ ମୂଳ ବିଶ୍ଵାସ ଉପରେ ପ୍ରତିଷ୍ଠିତ ହୋଇ ରହିଛି । ଅନଶନ ହେଉଛି ସତ୍ୟାଗ୍ରହର ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ । ମହାତ୍ମା ଗାନ୍ଧୀଙ୍କର ସବୁକିଛି ଉଦ୍ଭାବନକୁ ହିନ୍ଦୁ ରୀତି ବୋଲି କହି ଭାରତକୁ ଦି’ଫାଳ କରିବାର ମଞ୍ଜି ପୋତିଥିବା ଜିନ୍ମାଙ୍କର ପ୍ରିୟ କଣ୍ଢେଇ ପାକିସ୍ଥାନରେ ଯେ ଅନଶନକୁ ଏବଂ ରାଜନୀତିକ ଅସ୍ତ୍ରରୂପେ ବ୍ୟବହାର କରାଗଲା, ତାହା ପ୍ରମାଣ କରୁଛି ଯେ, ଏହି ଅସ୍ତ୍ରର ଏକ ବିଶ୍ଵମୟ ବିକଳ୍ପ ହେବାର ପୂର୍ଣ୍ଣ ପ୍ରାସଙ୍ଗିକତା ରହିଛି । ପାକିସ୍ଥାନରୁ ପ୍ରେରଣା ନେଇ ଭାରତରେ ଶୋଇବାକୁ ଚାଲି ଯାଇଥିବା ସେହି ବିକଳ୍ପ ଶିବିରଟିର ନିଦ ଭାଙ୍ଗିଲେ ତାହା ସତକୁସତ ଏକ ଆନନ୍ଦର କଥା ହୁଅନ୍ତା । ବାହାର ନ୍ୟାୟରେ ଭାରତ ଓ ପାକିସ୍ଥାନ ଦୁଇଟା ଦେଶ ହୋଇଥିଲେ ମଧ୍ୟ ସାମୂହିକ ଲକ୍ଷ୍ୟ ହାସଲ କରିବାପାଇଁ ବ୍ୟବହୃତ ହେଉଥିବା ଏହି ଅନ୍ୟ ଅସ୍ତ୍ରଟି ଦୁଇ ଦେଶର ମଣିଷମାନଙ୍କୁ କେଡ଼େ ନିକଟବର୍ତ୍ତୀ କରି ଆଣନ୍ତା !

 

୭ । ୮ । ୯୧

 

ବିକଳ୍ପହିଁ ଅସଲ ଓ ଯଥାର୍ଥ ବିଦ୍ରୂପ କରିପାରିବ । ସାହିତ୍ୟରେ Satire ଏକ ମୁଖ୍ୟ ଆଙ୍ଗିକରୂପେ ବହୁଦିନରୁ ସ୍ଵୀକାର କରାଯାଇ ଆସିଛି ତାହାଦ୍ଵାରା ପୃଥିବୀର ମାନବୀୟ ଜୀବନ ଓ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଅଭିପ୍ରେତ ପରିବର୍ତ୍ତନଗୁଡ଼ିକୁ ଦ୍ରୁତତର କରିବାରେ ପ୍ରୋତ୍ସାହନ ଅବଶ୍ୟ ମିଳିଛି । ତଥାପି, ପୃଥିବୀରେ ଅସଲ ପରିବର୍ତ୍ତନ ହୋଇଛି ବିକଳ୍ପମାନଙ୍କ ଦ୍ଵାରା । ଯେଉଁମାନେ ଯାହା କହିଛନ୍ତି, ତାହାହିଁ ହୋଇଛନ୍ତି, ସେହିମାନଙ୍କ ଦ୍ଵାରା । ଯେଉଁମାନେ ପୁରୁଣା ବଦଳରେ ନୂଆ ଇଚ୍ଛା କରିଛନ୍ତି ଏବଂ ନିଜର ଜୀବନକୁ ମଧ୍ୟ ନୂଆ ଧାରାରେ ପକାଇବା ଲାଗି ଉଦ୍ୟମମାନ କରିଛନ୍ତି ସେହିମାନଙ୍କ ଦ୍ଵାରା । ଯେଉଁମାନେ ପୁରୁଣାଟା ଯାଉ ଓ ଏପରିକି ଭାଙ୍ଗିଯାଉ ବୋଲି କେଡ଼େ ପାଟି କରି କହିଛନ୍ତି ଅଥଚ ସେହି ପୁରୁଣା ଭିତରେ ଛନ୍ଦି ହୋଇ ରହିଛନ୍ତି; ସେମାନଙ୍କ ଦ୍ଵାରା ବେଶି କିଛି ହୋଇ ପାରିନାହିଁ । ଏକ ଉତ୍ସାହହିଁ ସୃଷ୍ଟି ହୋଇଛି ଅନେକ ସମୟରେ ଏକ ସମ୍ପ୍ରଦାୟରେ ମଧ୍ୟ ସୃଷ୍ଟି ହୋଇଛି ।

 

Satire କ’ଣ ଖାଲି କହିବ ? ସାହିତ୍ୟର ଅଧିକାଂଶ satire ପ୍ରଧାନତଃ କହିବା ଭିତରେହିଁ ଆପଣାକୁ ସୀମାବଦ୍ଧ କରି ରଖି ଆସିଛି । ଆଧୁନିକ ସାହିତ୍ୟରେ କବିତା, ଗଳ୍ପ ଓ ଉପନ୍ୟାସରେ ଶୈଳୀପ୍ରଧାନତାର ପର୍ଯ୍ୟାୟଟି ଆସି ପହଞ୍ଚିଯିବା ପରେ ସେଗୁଡ଼ିକର ମାଧ୍ୟମରେ ପ୍ରଧାନତଃ ଭଳିଭଳି ରସପୂର୍ଣ୍ଣ ଭାବରେ satire ହିଁ କୁହାଯାଇଛି ଅର୍ଥାତ୍ କରାଯାଇଛି । କହିବା ମଣିଷମାନେ ସେହି ପୁରୁଣା ଭିତରେ ପୋକ ହୋଇ ରହିଛନ୍ତି । ପୁରୁଣା ସଭା ଓ ସଂସ୍ଥାଗୁଡ଼ାକ ଭିତରେ ପ୍ରଶଂସା ପାଇବା ସକାଶେ ଆଣ୍ଠେଇ ଛିଡ଼ାହେବାକୁ କେତେ ଆଗ୍ରହ ପ୍ରକାଶ କରିଛନ୍ତି । ତେଣୁ, satire ଚାଲିଛି, ତେଣେ ପୁରୁଣାଗୁଡ଼ାକବି ପକ୍କା ହୋଇ ରହିଛି । ତେଣୁ, କହିବା ସହିତ ତଦନୁରୂପ ହୋଇପାରିବାଦ୍ଵାରାହିଁ ଆଗକୁ ସମାଧାନ ମିଳିବ । ନିଜର କହିବାଭଳି ନିଜେ ପାରିବାର ଏକ ଆନ୍ତରିକ ଗତିଶୀଳତା ରହିଥିଲେ ତାହାହିଁ ପରିବର୍ତ୍ତନ ପକ୍ଷରେ ପ୍ରତ୍ୟୟର ଏକ ହାଉଆ ସୃଷ୍ଟି କରିପାରିବ । ହେବା ମଣିଷମାନଙ୍କ ମଧ୍ୟରୁବି ତଦ୍ଦ୍ଵାରା ଅନେକ ଦ୍ଵନ୍ଦ୍ଵ ଅନ୍ତର୍ହିତ ହୋଇଯିବ । କହି କହି ମଣିଷମାନେ କିପରି ଥକି ଯାଆନ୍ତିନାହିଁ, ଅନେକ ସମୟରେ ତାହାହିଁ ଭାରି ବିଚିତ୍ର ଲାଗେ । ପରକୁ ହସିବାର ଆଖିଗୁଡ଼ାକ ନିଜକୁ ମଧ୍ୟ ପାରିବାର ସମର୍ଥ ହୋଇ ପାରନ୍ତିନାହିଁ କାହିଁକି କେଜାଣି-?

 

୮ । ୮ । ୯୧

 

କମ୍ୟୁନିଷ୍ଟ ବୀର ମାର୍ଶାଲ୍–ଟିଟୋ କ’ଣ କେବଳ କମାଣ ଓ ବନ୍ଧୁକ ସାହାଯ୍ୟରେ ଯୁଗୋସ୍ଳୋଭିଆର ବିଭିନ୍ନ ଅଞ୍ଚଳକୁ ଏକ କରି ରଖିଥିଲେ ? କମାଣ ଓ ବନ୍ଧୁକର ଭୟ ହଟିଯିବା ପରେ ସେଠାରେ ଅଞ୍ଚଳମାନେ ଯେ କଦାପି ଏକାଠି ନଥିଲେ, ସେହି ସତ୍ୟଟି ସମ୍ପୂର୍ଣ୍ଣ ଭାବରେ ପଦାରେ ଆସି ପଡ଼ି ଯାଉଛି । ଏବଂ, ସମସ୍ତେ ମିଶି କମୁନିଜ୍‌ମ୍ ନାମକ ଏକ ଆଦର୍ଶର ନିର୍ମାଣ ସେଠାରେ ଗତ ଚାଳିଶବର୍ଷ ହେଲା କରୁଥିଲେ ବୋଲି ବିଶ୍ୱାସ କରିବା ତ ଅରାଜନୀତିକ ପୃଥିବୀ ନିମନ୍ତେ ଆହୁରି ଅଧିକ କଷ୍ଟକର ହୋଇପଡ଼ୁଛି ।

 

ଯେଉଁ ଆଦର୍ଶବାଦ ସମଗ୍ର ପୃଥିବୀର ହୃଦୟକୁ ସ୍ପର୍ଶ କରିପାରିବ ବୋଲି ଏତେ ଏତେ ସମ୍ଭାବନା ରହିଥିଲା, ତାହାକୁ ଲୋକମାନଙ୍କ ଉପରେ ମାଡ଼ି ଦେବାପାଇଁ ପୂର୍ବ–ଇଉରୋପର କମ୍ୟୁନିଷ୍ଟମାନେ, ଏବଂ ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ, ରୁଷିଆର କମ୍ୟୁନିଷ୍ଟ ଶାସନକର୍ତ୍ତାମାନେ କମାଣ ଓ ବନ୍ଧୁକର ସାହାଯ୍ୟ ନେବାକୁହିଁ ସର୍ବପ୍ରଧାନ ମାର୍ଗରୂପେ କାହିଁକି ଗ୍ରହଣ କଲେ ? ବହୁ ଅସମତା ଓ ଅସାମଞ୍ଜସ୍ୟର ଜର୍ଜର ଓ ବିକୃତ ହୋଇ ରହିଥିବା ଆମ ପୃଥିବୀର ଅଧିକଭାଗ ମଣିଷ ଅବଶ୍ୟ କମୁନିଜ୍‌ମ୍‌ର ଆଦର୍ଶଟିକୁ ଗ୍ରହଣ କରିଥାନ୍ତେ । କମୁନିଜ୍‌ମ୍‌କୁ ପ୍ରତିଷ୍ଠିତ କରିବାଲାଗି ପ୍ରଥମ କଣ୍ଟ୍ରାକ୍‍ଟରି ନେଇଥିବା ପ୍ରମୁଖମାନଙ୍କ ମନରେ କ’ଣ ସେହି ବିଶ୍ଵାସଟି ପ୍ରକୃତରେ ନଥିଲା କି ? ସେମାନଙ୍କର ନିଜର ମଧ୍ୟ କମୁନିଜ୍‌ମ୍ ଉପରେ ଯଥେଷ୍ଟ ବିଶ୍ଵାସ ନଥିଲା କି ? କମ୍ୟୁନିଷ୍ଟ ଆଦର୍ଶ ସହିତ ସାମ୍ରାଜ୍ୟଲୋଭର ସେହି ଅନ୍ୟ ଉଗ୍ରତାଟି ମିଶିଯାଇ ପାରିଲା କିପରି ? ଜଣେ ଆଦର୍ଶବାଦୀ ଯେତେବେଳେ ନିଜକୁ ନିଜ ଆଦର୍ଶ ଅନୁସାରେ ନଗଢ଼ି, ଅର୍ଥାତ୍ ଅଧିକ ନମନୀୟ ନହୋଇ ନିଜ କ୍ଷମତାଲିପ୍‌ସା ଅନୁସାରେ ଆଦର୍ଶଟାକୁ ବ୍ୟବହାର କରିବ ବୋଲି ଉଗ୍ର ହୋଇ ବାହାରେ, ସମ୍ଭବତଃ ସେତିକିବେଳେହିଁ ଏହିଭଳି ଦୁର୍ଦ୍ଦଶା ହୋଇଥାଏ । କମୁନିଜ୍‌ମ୍‌କୁ ନେଇ ଲେନିନ୍‌ଙ୍କ ପରେ ରୁଷିଆର କର୍ତ୍ତାମାନେ ହୁଏତ ଏହିପରି ଉଗ୍ର ହୋଇ ପଡ଼ିଲେ ଏବଂ ଇତିହାସର ଏକ ସ୍ଵାଭାବିକ ବିବର୍ତ୍ତନକୁ ଏଡ଼େ ବିକୃତ କରି ପକାଇଲେ । ଫଳରେ ସେହି ଆଦର୍ର ଆଦୌ ବିଶେଷ କୌଣସି କ୍ଷତି ହେଲାନାହିଁ ସତ, ମାତ୍ର ସେମାନେ ନିଜେହିଁ ଅସୁସ୍ଥ ବୋଲି ପ୍ରମାଣିତ ହେଲେ । ଅସୁରବଳଦ୍ଵାରା ପୃଥିବୀରେ ଯେ କୌଣସି ଆଦର୍ଶର ପ୍ରତିଷ୍ଠା ହୋଇ ପାରିବନାହିଁ, ତାହା ପୁଣିଥରେ ପ୍ରମାଣିତ ହେଲା । କମୁନିଜ୍‌ମ୍ ତଥା ଗଣତନ୍ତ୍ର କୌଣସିଟାହିଁ ଅସୁର ଓ ମାଙ୍କଡ଼ମାନଙ୍କ ଲାଗି ନୁହେଁ, ତାହା ମନୁଷ୍ୟମାନଙ୍କ ଲାଗି ।

 

୯ । ୮ । ୯୧

 

ଅଗଷ୍ଟ ବିପ୍ଳବର ସ୍ମାରକୀଗୁଡ଼ିକୁ ପ୍ରଧାନତଃ ଏକ ସ୍ମାରକୀ ପରି ପାଳନ କରିବା ବ୍ୟତୀତ ଅଗଷ୍ଟ ବିପ୍ଳବର ଆଉ ଯେଉଁ ପ୍ରେରଣା ଭାରତବର୍ଷର ରାଜନୀତିକ ନେତୃତ୍ଵ ଭିତରେ ଏବେ କାର୍ଯ୍ୟ କରୁଛି ? ଦେଶକୁ ଧୋକା ଦେଇ ଆସିଥିବା ଦେଶଦ୍ରୋହୀମାନେ ଏବେ ସାମନାସାମନି ହୋଇ ଯେ ପରସ୍ପରକୁ ଦେଶଦ୍ରୋହୀ ବୋଲି କହିବାକୁ ଆରମ୍ଭ କଲେଣି, ସେଇ ଗୋଟିଏ କଥା ଯାହା ମନଭିତରେ କିଞ୍ଚିତ୍ ଆଶାର ସଞ୍ଚାର କରୁଛି ।

 

ପରସ୍ପରକୁ ‘ଦେଶଦ୍ରୋହୀ’ ବୋଲି ଉଲୁଗୁଣା ଦେଉ ଦେଉ ହୁଏତ ଏପରି ଗୋଟିଏ ପର୍ଯ୍ୟାୟ ଆସି ପହଞ୍ଚିବ; ଯେତେବେଳେ କି ସେମାନେ କିଞ୍ଚିତ୍ ଅନ୍ତର୍ମୁଖୀ ହେବାକୁବି ମନ କରିବେ ଓ ଆପଣାକୁ ମଧ୍ୟ ଦେଶଦ୍ରୋହୀ ବୋଲି ଅନୁଭବ କରିବେ । ଏହି ଦେଶରେ ରାଜନୀତିକ ଆହ୍ଵାନ ବୋଲି ଗତ ଚାଳିଶବର୍ଷ ଭିତରେ ଯାହାସବୁ ଥିଲା, ଏହି ନେତୃତ୍ଵମାନେ ତେଣେ ଧ୍ୟାନ ନଦେଇ ଆପଣା ଭୋଗ ଏବଂ ଆପଣା କ୍ଷମତାର ସ୍ଥାୟିତ୍ଵ ବିଷୟରେ ଯେ ଅଧିକତର ଧ୍ୟାନ ଦେଇ ଆସିଛନ୍ତି, ସେମାନେ ସେହି କଥାଟିକୁ ମଧ୍ୟ ଅନୁଭବ କରିବାକୁ ଆରମ୍ଭ କରିବେ । ତା’ପରେ ହୁଏତ ପରସ୍ପର ସହିତ ଏକାଠି ବସି କଥା ହେଲାବେଳେ ସେମାନେ ଏକ ଅନ୍ୟ ଢଙ୍ଗରେ କଥାବାର୍ତ୍ତା କରିବେ । ଦେଶକୁ, ଦେଶବାସୀଙ୍କୁହିଁ ସବାଆଗରେ ରଖି କଥା କହିବାକୁ ସେମାନଙ୍କୁ ହୁଏତ କ୍ରମେ ଲାଜ ମଧ୍ୟ ଲାଗିବ । ତା’ପରେ ଦେଶ ଶାସନ ଓ ଦେଶ ପାଳନର ଦ୍ଵାହି ଦେଇ ନିଜଲାଗି ଧନ ଓ କ୍ଷମତା ଠୁଳ କରିବାକୁ ମଧ୍ୟ ସେମାନଙ୍କୁ ଅସନା ଲାଗିବ । ବର୍ତ୍ତମାନର ନେତାମାନଙ୍କୁ ବର୍ତ୍ତମାନ ଆଉ କିଛି ହେଲେ ଅସନା ଲାଗୁନାହିଁ । ଆପଣାକୁ ସବାଆଗ ସାମନ୍ତ ବୋଲି ମଣୁଥିବା ବ୍ୟକ୍ତିମାନଙ୍କୁ କେବେ କିଛି ଅସନା ଲାଗେନାହିଁ । ଆପଣାର ପୋଷା ଗୁଣ୍ଡା ଗୋଠଙ୍କୁ ନେଇ ସେମାନେ ଯେତେବେଳେ ସଂସାରଟାକୁ ଏବଂ ସମୟଟାକୁ ଜୁର କରିବାକୁ ବାହାରି ପଡ଼ନ୍ତି, ସେତେବେଳେ ସେମାନେ ସାଆନ୍ତ ହୋଇ ବସିଥିବା ଯାଏଁ ଦେଶକୁ ବହୁ ବହୁ ପ୍ରମାଦ ମାଡ଼ି ବସିଥାଏ । ପ୍ରମାଦ ଭିତରୁ ବାହାରି ଯିବାକୁ ଆଉ ଆଦୌ କୌଣସି ବାଟ ଅଛି ବୋଲି ମନେ ହେଉନଥାଏ ।

 

୧୦ । ୮ । ୯୧

 

ଯେଉଁସବୁ ପ୍ରେରଣା ନେଇ ଏବଂ ଯେଉଁସବୁ ନେତୃତ୍ଵଦ୍ଵାରା ପଚାଶବର୍ଷ ତଳେ ଭାରତବର୍ଷରେ ଅଗଷ୍ଟ ବିପ୍ଳବ ‘କର ବା ମର’ ବୋଲି ଡାକରା ଦିଆଯାଇଥିଲା, ବର୍ତ୍ତମାନ ଭାରତବର୍ଷକୁ ଶାସନ କରୁଥିବା ସରକାର ଓ ସେହି ସରକାରୀ କ୍ଷମତା ହାସଲ କରିବାର ମତଲବରେ ଦେଶରେ ପଇଁତରା ମାରୁଥିବା ପ୍ରାୟ ସବୁ ରାଜନୀତିକ ଦଳ କେଉଁକାଳୁ ସେହି ପ୍ରେରଣା ଏବଂ ସେହି ନେତୃତ୍ଵର ଉତ୍ତରାଧିକାରକୁ ହରାଇ ସାରିଲେଣି । ଅର୍ଥାତ୍ ସେହିମାନେହିଁ ଔପଚାରିକ ଭାବରେ ଅଗଷ୍ଟ ବିପ୍ଳବର ସ୍ମାରକୀକୁ ପାଳନ କରୁଛନ୍ତି । ଆଧୁନିକ ଆଗ୍ରହ ଓ ଅଭିପ୍ରାୟ ମଧ୍ୟରେ ରହିଥିବା ଏକାଧିକ ବିଡ଼ମ୍ବନା ମଧ୍ୟରୁ ଇଏ ମଧ୍ୟ ଗୋଟିଏ । ପୁନଶ୍ଚ, ଯେତେବେଳେ ଭାରତବର୍ଷରେ ରାଜନୀତିକ ସ୍ଵାଧୀନତା ନିମନ୍ତେ ସଂଗ୍ରାମଟିଏ ଲଢ଼ା ଯାଉଥିଲା, ସେତେବେଳେ ବର୍ତ୍ତମାନର ରାଜନୀତିକ ଦଳଗୁଡ଼ିକ ମଧ୍ୟରୁ ଅଧିକାଂଶ ଜନ୍ମଗ୍ରହଣ କରି ନଥିଲେ । ସେମାନେ ଜମି ହଳ କଲାବେଳେ ନଥିଲେ, ବିଲ ବାଛିଲାବେଳେ ନଥିଲେ, ରୋଇବାରେ ନଥିଲେ କି ବେଉଷଣ କରିବାରେ ନଥିଲେ । ଫସଲ କଟାହେବାର ସମୟରେହିଁ ସେମାନେ ଫସଲରୁ ଭାଗ ନେବାକୁ ଆସି ପହଞ୍ଚିଲେ ।

 

ମହାତ୍ମା ଗାନ୍ଧୀ କହିଥିଲେ ଯେ, ସ୍ଵାଧୀନ ଭାରତରେ ଅର୍ଥନୈତିକ ସ୍ଵାର୍ଥ ଓ ସ୍ଵପ୍ନଗୁଡ଼ିକ ଅନୁସାରେ ଦଳଗୁଡ଼ିକ ଗଢ଼ିଉଠିବା ଉଚିତ । ମାତ୍ର, ପ୍ରଧାନତଃ ରାଜନୀତିକ କ୍ଷମତାରେ ରହିବା ବ୍ୟତୀତ ବର୍ତ୍ତମାନର ରାଜନୀତିକ ଦଳଗୁଡ଼ିକର କୌଣସି ଆର୍ଥିକ–ସାମାଜିକ ଆଭିମୁଖ୍ୟହିଁ ନାହିଁ । ତେଣୁ, ବସ୍ତୁତଃ କୌଣସି ରାଜନୀତିକ ଗରଜ ମଧ୍ୟ ନାହିଁ । ତଥାକଥିତ ବାମପନ୍ଥୀମାନେ ମଧ୍ୟ କେଉଁକାଳୁ ଦକ୍ଷିଣପନ୍ଥୀଙ୍କର ଗୁହାଳ ଭିତରକୁ ଆସି ଏକ ପଘାରେ ବନ୍ଧାହୋଇ ସାରିଲେଣି । କୃଷକମାନଙ୍କର, ଶ୍ରମିକମାନଙ୍କର ସେପରି କୌଣସି ରାଜନୀତିକ ସଙ୍ଗଠନ ନାହିଁ, ଯାହାକି ସମଗ୍ର ଭାରତବର୍ଷର ଆର୍ଥିକ–ସାମାଜିକ ନବଗଠନ ବିଷୟରେ ଚିନ୍ତା କରୁଛି କିମ୍ବା ସେଥିଲାଗି କୌଣସି କାର୍ଯ୍ୟକ୍ରମ ଉପସ୍ଥାପିତ କରିପାରୁଛି । ସେମାନେ ପ୍ରଧାନତଃ ମଜୁରି ବଢ଼ିବାଲାଗି ସବୁଠାରୁ ଅଧିକ ଉତ୍ସାହ ଏବଂ ଉଦ୍ଦଣ୍ଡତା ସହିତ ସଂଗ୍ରାମ କରିବାରେ ଲାଗିଛନ୍ତି ଓ ତେଣୁ ସେହିଭଳି ନେତାମାନଙ୍କର କାବୁ ଭିତରେ ଆସି ରହିଛନ୍ତି । ପ୍ରଫେସନାଲ୍ ସଙ୍ଗଠନ ସ୍ଵପ୍ନ ଦେଖିବାରେ ଆଉ କେଉଁ ପ୍ରୋୟୋଜନ କାହିଁକି ରହିବ ? ତେଣୁ, ଅଗଷ୍ଟ ବିପ୍ଳବର ଦିନରେ ଦେଶଟାଯାକ ସତେଅବା ଭାରି କାଲୁଆ କାଲୁଆ ଲାଗୁଛି ।

 

୧୧ । ୮ । ୯୧

 

‘ରୋହିତର ଡାଏରୀ’ ପାଇଁ ପୁରୁଣା ଡାଏରିଲେଖା ଉତାରି ଲେଖିବା ସମୟରେ ଖାଲି ପୁରୁଣା ଦିନଗୁଡ଼ିକ ମନେ ପଡ଼ିଯାଉନାହିଁ, ଆଗକୁ ମଧ୍ୟ ବାଟ ଦିଶିଯାଉଛି । ଆମର ଅତୀତ ଆମ ସୂତ୍ରଟିକୁ କେବଳ ଯେ ପଛଆଡ଼କୁ ଲଗାଇଦିଏ, ତା’ ନୁହେଁ, ସେହି ସୂତ୍ରଟିର ଭବିଷ୍ୟବାଚୀ ଏକ ପ୍ରେରଣା ବିଷୟରେ ମଧ୍ୟ ତାହା ବହୁ ଅନ୍ତର୍ଦୃଷ୍ଟି ଆଣିଦିଏ ।

 

ବାଟଗୁଡ଼ାକୁ ଚାଲି ଚାଲି ଆସିଥିବା ଅନ୍ତପର୍ଥିକଟିର ବାଟଟି ଲାଗି କୃତଜ୍ଞ ହୋଇ ରହିବା ବ୍ୟତୀତ ବୃହତ୍ତର କର୍ତ୍ତବ୍ୟ ଆଉ କ’ଣ ଅଛି ? କିଛି ସାକାର କରି ପାରିବାଲାଗି ହାଟମୂଲ କରି ଯଦି ମୁଁ ବାଟ ଚାଲିଥାନ୍ତି, ତେବେ ଏହି ଚାଲିବା କେଉଁକାଳୁ ବନ୍ଦ ହୋଇ ଯାଇଥାନ୍ତା । ଟଙ୍କା, ବିଦ୍ୟା, ଯଶ, ମାନ, କ୍ଷମତା,–ଏଗୁଡ଼ାକ ଜଣେ ମଣିଷକୁ ଅଧିକରୁ ଅଧିକ ବର୍ବର କରିବା ସଙ୍ଗେ ସଙ୍ଗେ ଏକ ମିଛ ତୃପ୍ତିର ଅହଂକାର ଆଣି ଦେଇଥାଏ । ଅଧିକ ସଂଗ୍ରହ ସହିତ ଅହଂକାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଥାଏ । ଚେତନାର ଚାରିପାଖରେ କାନ୍ଥ ଘେରିହୋଇ ଯାଏଁ । ପାହାଡ଼ର ଉପର ଯାଏଁ ଯିବାକୁ ଯାତ୍ରା ଆରମ୍ଭ କରିଥିବା ମଣିଷ ଅଧବାଟରେ କେଉଁଠି ଛାୟାକୁଞ୍ଜଟିଏ ଥାପି ସେଇଠାରେହିଁ ସବୁ ପାଇଥିବାର ଭ୍ରମ କରୁଥାଏ । ନିଜେ ଯେଉଁଠି ଲାଖି ରହିଲା, ସେଇଠି ପ୍ରାପ୍ତିର ଏକ ରାଜପ୍ରାସାଦ ଗଢ଼ି ବାସ କରିବାକୁ ଆରମ୍ଭ କରେ । ମାତ୍ର ବିଚରା ଯେଉଁମାନେ ଚେତନାକୁ ସରଣି କରି ଓ ଚେତନାକୁ ଶିଖର ବୋଲି ବାଛି ବାଟରେ ବାହାରିଥାନ୍ତି, ସେମାନଙ୍କର କିଛି ସରେନାହିଁ । ଅନୁଲମ୍ବ ଓ ଅନୁପ୍ରସ୍ଥ ବିସ୍ତାର ଯେ କେବେହେଲେ ସରିବନାହିଁ, ଏହି ସତ୍ୟଟି ସେମାନଙ୍କୁ ସଂସାରରେ ଚିରପଥିକ ଓ ଚିରଶ୍ରଦ୍ଧାଶୀଳ କରି ରଖିଥାଏ । ଅହଂକାରଗୁଡ଼ାକ ଯେ କେତେ ଅଯଥେଷ୍ଟ, ସେମାନେ ଆଗକୁ ଗୋଡ଼ ପକାଇବା ସଙ୍ଗେ ସଙ୍ଗେ ତାହା ଉପଲବ୍‌ଧି କରିବାରେ ଲାଗିଥାନ୍ତି । ଆଗକୁ ଆଗକୁ ଯାଉଥିବା ସଙ୍ଗେ ସଙ୍ଗେ ସେହି ଭାଗ୍ୟବାନ୍‍ମାନେ ଅଧିକରୁ ଅଧିକ ଛନ୍ଦି ହୋଇ ଯାଉଥାନ୍ତି ଏବଂ ଯେଉଁ ଅନ୍ୟ ରସାୟନ ଲାଗି ନିଜକୁ ଉନ୍ମୋଚିତ ରଖି ଆପଣାକୁ ଅତ୍ୟନ୍ତ ଭାଗ୍ୟବାନ୍ ବୋଲି ଅନୁଭବ କରୁଥାନ୍ତି । ସେହି ଅନୁଭବହିଁ ଆକାଶର, ଅସୀମର ସ୍ପର୍ଶ ଆଣିଦିଏ, ସୀମାଗୁଡ଼ିକୁ ଧନ୍ୟ କରେ । ରୋହିତ ବାଟ ଚାଲୁଥାଏ । ଭିତର ଓ ବାହାର ଉଭୟଆଡ଼କୁ ବାଟ ଚାଲୁଥାଏ । ବାଟ ଚାଲିବାକୁହିଁ ବିଭୁପ୍ରସାଦ ବୋଲି ମଣେ ।

 

୧୨ । ୮ । ୯୧

 

ବାଂଲାଦେଶ ଏକଦା ପୂର୍ବ-ପାକିସ୍ଥାନ ଥିଲା । ଆରପଟ ପାକିସ୍ଥାନଠାରୁ ଅଲଗା ହୋଇ ତାହା ଏକ ଅଲଗା ଦେଶରେ ପରିଣତ ହେଲା । ତା’ପରେ ନେତାମାନେ ପରସ୍ପର ଭିତରେ ହଣାହଣି ହେଲେ । ମଧ୍ୟସ୍ଥ ହେବାକୁ ସୈନ୍ୟବାହିନୀର ଗୁରୁମାନେ ଆସି ପହଞ୍ଚିଗଲେ ଓ ନୂଆ ଦେଶଟାକୁ ଗିଳି ପକାଇଲେ । ସୈନ୍ୟାଧ୍ୟକ୍ଷମାନଙ୍କର ପେଟ ଭିତରୁ ବାହାରି ସ୍ଵାଭାବିକ ଭାବରେ ନିଜ ରାଜନୀତିକ ଗଢ଼ଣଟିକୁ ନିଜେ ଗଢ଼ିବାର ଅବକାଶ ବାଂଲାଦେଶକୁ ଏବେ ଯାଇ ମିଳିଲା । ସେହି ଭୂମିର ଲୋକମାନେହିଁ ସେହି କଥାଟିର ନିଷ୍ପତ୍ତି କଲେ । ଯେଉଁ ସୈନ୍ୟାଧ୍ୟକ୍ଷ ଆପଣାର ପାପୁଲି ଉପରେ ଦେଶଟାକୁ ଧରି ନଚାଉଥିଲେ, ସେଇ କ’ଣ ଭାବି ଏକଦା ସାଞ୍ଜୁ କାଢ଼ି ସାଧା ରାଜନୀତିକ ପୋଷାକ ପିନ୍ଧିଲେ ଓ ଦେଶର ସର୍ବେସର୍ବା ହୋଇ ବସିଥିଲେ । ଲୋକ-ଆନ୍ଦୋଳନଦ୍ଵାରା ସିଏ ହଟିବା ପରେ ଯାଇ ଭୋଟ୍‍ ହେଲା ଓ ତାହାଫଳରେ ଏକ ନୂଆ ପର୍ଯ୍ୟାୟ ଲାଗି ବାଟ ଖୋଲିଗଲା । ସେହି ନୂଆ ପର୍ଯ୍ୟାୟର ମୁକ୍ତ ପରିବେଶ ଭିତରେ ଦେଶର ସବୁ ଦଳରୁ ସବୁ ଲୋକପ୍ରତିନିଧି ଏବେ ଠିକ୍ କରିଛନ୍ତି ଯେ, ଏଣିକି ଦେଶରେ ପାର୍ଲିଆମେଣ୍ଟାରୀ ବ୍ୟବସ୍ଥାର ପ୍ରଚଳନ ହେବ । ଅମୁକ ବା ସମୁକ ଧର୍ମର ଫରମାସ ଅନୁସାରେ ଦେଶ ଚାଲିବ ବୋଲି କହି ଆସିଥିବା ନେତା ବର୍ତ୍ତମାନ ଜେଲ୍‌ରେ ।

 

ଏହି ପର୍ଯ୍ୟାୟଟିରେ ଆସି ପହଞ୍ଚିବା ସକାଶେ ସେହି ଦେଶରେ କେତେ ମୁଣ୍ଡ ନକଟିଲା, ଦେଶବାସୀ କେତେକେତେ ଜରାସନ୍ଧଙ୍କୁ ସହିବା ଲାଗି ବାଧ୍ୟ ନହେଲେ ! ଯଦି ପ୍ରଥମରୁହିଁ ଅସ୍ତ୍ରବଳର ସହାୟତା ନିଆ ନଯାଇ ଲୋକମତ ପଚରା ଯାଇଥାନ୍ତା, ତେବେ ହୁଏତ ମଧ୍ୟବର୍ତ୍ତୀ କାଳଟି ଅନ୍ୟପ୍ରକାରର ହୋଇଥାନ୍ତା । କିନ୍ତୁ, ଅସ୍ତ୍ରବଳରେ ନିଜ ପୃଥିବୀଟାକୁ କାବୁ କରି ରଖିବାକୁ ଇଚ୍ଛା କରୁଥିବା ଦୁର୍ଦ୍ଧର୍ଷ ଆତ୍ମକାମୀମାନେ ସଚରାଚର କେବେହେଲେ ଜନମତ ଲାଗି ବାଟ ଛାଡ଼ି ଦିଅନ୍ତି ନାହିଁ । ଜନମତଙ୍କୁ ଡରୁଥାନ୍ତି ବୋଲି ସେମାନେ ପାରୁପର୍ଯ୍ୟନ୍ତ ଜନମତକୁ ଉପେକ୍ଷା କରୁଥା’ନ୍ତି । ନିଜର ସେନାବାହିନୀ ଓ ପୁଲିସମାନଙ୍କ ଦ୍ଵାରା ମଣିଷମାନଙ୍କୁ ଗଧ ଓ ଘୁଷୁରି କରି ରଖିବେ ବୋଲି ବିଶ୍ଵାସ କରୁଥାନ୍ତି । ପୂର୍ବ-ପାକିସ୍ଥାନ ତା’ର ଏହି ପର୍ଯ୍ୟାୟଟିରେ ଆସି ପହଞ୍ଚିବାକୁ ଯେତେ ସମୟ ଲାଗିଲା, ତେଣେ ପଶ୍ଚିମ ପଟଟା ସେହି ପର୍ଯ୍ୟାୟକୁ ଆସିବାଲାଗି ହୁଏତ ଆହୁରି ଅଧିକ କେତେ ବର୍ଷ ସମୟ ଲାଗିବ । ସେହି ପଟଟା ବିଦେଶରେ ଥିବା ତା’ର ସମୁଦିଘରମାନଙ୍କଠାରୁ ସମ୍ବନ୍ଧ ତୁଟାଇ ଦେବାପାଇଁ ନିଷ୍ପତ୍ତି କରିସାରିଲେ ଯାଇ ହୁଏତ ନିଜ ଆପଣା ଭିତରେ ନୂଆ ଭାବରେ ପ୍ରବେଶ କରିବାକୁ ମନ କରିବ ।

 

୧୩ । ୮ । ୯୧

 

ଜଣେ ମଣିଷ ଆହୁରି ଅନେକ ଅନ୍ୟ ମଣିଷଙ୍କ ମଧ୍ୟକୁ ଆପଣାକୁ ପ୍ରସାରିତ କରିଦେଇପାରିଲେହିଁ ତା’ର ଅହଂଭାବ ମଧ୍ୟ ପ୍ରସାରିତ ଅର୍ଥାତ୍ ଦୀକ୍ଷିତ ହୋଇ ଏକ ବିଦ୍‌ବିସ୍ତାରର ଅବକାଶ ଆଣି ଯୋଗାଇ ଦେଇଥାଏ । ମାତ୍ର, ଅନେକ ମଣିଷଙ୍କର କ୍ଷେତ୍ରରେ ତାହା ହୋଇ ପାରେନାହିଁ । ଅନେକ ମଣିଷ ଅଧିକ ପଇସା, ଅଧିକ କ୍ଷମତା, ଅଧିକ ସ୍ଵୀକୃତି ଆଡ଼କୁ ମନ କରି ସତେଅବା ଆପଣାଲାଗି ବଡ଼ ଅବାଗିଆ ହୋଇ ପଡ଼ନ୍ତି । ଏପରି ହେଲେ ଅହଂ ଅଧିକ ସଂକୁଚିତ ହୁଏ, ଅଧିକ କର୍କଶ ଏବଂ କୃପଣ ହୋଇଯାଏ ।

 

ଅଧିକ ଦୁରାଗ୍ରହୀ ମଧ୍ୟ ହୁଏ । ସେଥିଲାଗି ଆମ ଆଧୁନିକ ମଣିଷମାନଙ୍କର ସମ୍ପର୍କରେ ଆସିଲେ ଅଧିକାଂଶ ସ୍ଥଳରେ ସେମାନଙ୍କର ଦୁରାଗ୍ରହଗୁଡ଼ାକ ସହିତ ଆସି ଧକ୍କା ବାଜି ଯାଉଥିବା ପରି ଅନୁଭବ ହୋଇଥାଏ । ସେହି ଦୁରାଗ୍ରହବି ଅଶେଷ ପ୍ରକାରର । ମଣିଷର ଅସଲ ଆଗ୍ରହମାନେ ତା’ର ଗଣ୍ଠି ଫିଟାଇ ଦେବାରେ ସାହାଯ୍ୟ କରନ୍ତି, ତା’ ଜୀବନରେ ଏକ ଅକୃପଣତା ଆଣିଦିଅନ୍ତି । ସେହି ସ୍ଵାଭାବିକ ଅକୃପଣତାର ଅନ୍ୟ ନାମ ହେଉଛି ଶ୍ରଦ୍ଧା । ଶ୍ରଦ୍ଧା ଜୀବନରେ ଏକ ସହଜତା ଆଣିଦିଏ । ଆଧୁନିକ ସମ୍ବନ୍ଧ ବଜାରମାନଙ୍କର ଅଧିକାଂଶ ସ୍ଥଳରେ ଏହି ସହଜତା କ୍ରମେ ଅଧିକ ଦୁଷ୍ପ୍ରାପ୍ୟ ହେବାରେ ଲାଗିଛି । ମଣିଷମାନେ ପରସ୍ପର ପ୍ରତି ଅତିରିକ୍ତ ପରିମାଣରେ ଟାଣ ହୋଇ ଯାଉଛନ୍ତି । ଆମ ସାହିତ୍ୟ, ଆମର ବିଦ୍ୟା, ଏପରିକି ଆମର ଧନସମ୍ପତି ମଧ୍ୟ ଆମକୁ ପରସ୍ପର ପାଖରେ ଅଧିକ ସହଜ ଓ ଅଧିକ ମୁକ୍ତ ଅର୍ଥାତ୍ ଗ୍ରହଣଶୀଳ କରି ପାରୁଥାନ୍ତା । ମାତ୍ର, କୌଣସି ସମାଜ ଅଧିକ ଆଧୁନିକ ହେବା ସଙ୍ଗେ ସଙ୍ଗେ ସତେଅବା ତା’ର ସହଜତାକୁ କେଉଁଠି ପଛରେ ପକାଇଦେଇ ଆସୁଛି । ଆଧୁନିକ ବିଜ୍ଞାନ ମଣିଷର ହୃଦ୍‌ବିସ୍ତାର ନିମନ୍ତେ ବହୁତର ସାଧନ ତଥା ସାମଗ୍ରୀ ଆଣି ଯୋଗାଇ ଦେଉଥିଲେ ମଧ୍ୟ ମଣିଷମାନଙ୍କର ହୃଦୟ କ୍ରମେ ସଂକୁଚିତ ହୋଇ ଆସୁଛି । କାହିଁକି ? ମଣିଷ ପ୍ରତି ମଣିଷର ଭୟଗୁଡ଼ାକ କାହିଁକି ବଢ଼ୁଛି ? ପ୍ରତ୍ୟେକ ମଣିଷ ନିଜ ଭିତରକୁ ଅନାଇ ଏହାର କାରଣଗୁଡ଼ିକୁ ଠାବ କରିବା ଉଚିତ । ଜୀବନକୁ ଜୀବନ ସହିତ ଯୁକ୍ତ କରି ରଖିଥିବା ଡୋରଟିକୁ ଠାବ କରି ପାରିବା ଉଚିତ । ନହେଲେ ବହୁ ଦୂରତା ଓ ବହୁ କ୍ରୂରତାର ଲଙ୍କାଗଡ଼ ଭିତରେ କ୍ରମେ ମାନବୋଚିତ ଯାବତୀୟ ଉଷ୍ମତା ବିଲୁପ୍ତ ହୋଇଯିବ । ଏଠି ହରିନାମ ଉଚ୍ଚାରିତ ହେବାର କ୍ରମେ ହୁଏତ କୌଣସି ଅବକାଶହିଁ ରହିବନାହିଁ । ସାମୂହିକ ଜୀବନର ବୃକ୍ଷଟି ଗ୍ରନ୍ଥବହୁଳ ହୋଇଯିବ, ଡାଳଗୁଡ଼ାକ ସତେଅବା ଗୋଦର ଗୋଡ଼ପରି ଦିଶିବାକୁ ଆରମ୍ଭ କରିବେ ।

 

୧୪ । ୮ । ୯୧

 

ପ୍ରକୃତ ତଥ୍ୟ ଘଟନାମାନ ସଂଗ୍ରହ କରି ଯେଉଁ ଇତିହାସ ଲେଖାଯାଏ, ତାହାକୁ ଇସ୍କୁଲ ପିଲାମାନେ ପଢ଼ିଲେ ପରୀକ୍ଷାରେ ହୁଏତ ଅଧିକ ନମ୍ବର ରଖିପାରିବେ । ଅଧିକାଂଶ ଇତିହାସ ବହି ପ୍ରାୟ ଏତିକି ଅଭିପ୍ରାୟ ନେଇ ଲେଖା ହୋଇଥାଏ । ସେହିସବୁ ବହି ଆଦୌ କୌଣସି ଇତିହାସ–ଚେତନାର ସୃଷ୍ଟି କରିପାରେ ନାହିଁ । ଇତିହାସ ଚେତନାକୁ ଅନେକ ଜାତୀୟତାବାଦୀ, ବିହ୍ଵଳ ଓ ଭାବପ୍ରବଣ ମଣିଷ ତଥାକଥିତ ଜାତୀୟଚେତନାର ପରିପୂରକ ବୋଲି ଗ୍ରହଣ କରି ନେଇଥାନ୍ତି । ମାତ୍ର, ଇତିହାସ ମଧ୍ୟରେ ଏକ ବିଶେଷ vision ନଥିଲେ ତାହାର ଅଧ୍ୟୟନଦ୍ଵାରା ବିଶେଷ କିଛି ଉପକାର ହୁଏନାହିଁ । ଏହି visionକୁ ଆମେ କେବଳ ଏକ ପଶ୍ଚାତ୍ ଦୃଷ୍ଟି ବୋଲି ମଧ୍ୟ କହି ପାରିବା ନାହିଁ । ଯଥାର୍ଥ ଯାବତୀୟ ପଶ୍ଚାତ୍ ଦୃଷ୍ଟି ମଧ୍ୟରେ ଏକ ଭବିଷ୍ୟ ଦୃଷ୍ଟି ମଧ୍ୟ ଅତ୍ୟନ୍ତ ସରଳ ଭାବରେ ଅତ୍ୟନ୍ତ ରହିଥାଏ । ପୂର୍ବରୁ ଯେଉଁସବୁ ଘଟନା ଘଟିଯାଇଛି, ମଣିଷମାନଙ୍କୁ ନେଇ ମଣିଷମାନଙ୍କ ଦ୍ୱାରା ଯେଉଁସବୁ ଘଟନା ଘଟିଯାଇଛି, ତାହାରି ଉପରେ ଯଥାର୍ଥ ବିବେକ ସହିତ ଅବଲୋକନ କଲେ ତାହା ଆମକୁ ଯେଉଁ ଅନ୍ତର୍ଦୃଷ୍ଟିର ଅଧିକାରୀ କରାଇଥାଏ, ତାହା ଆପଣାର ଭବିଷ୍ୟତ୍‍କୁ ଅନାଇବାର ଏକ ଯୋଗ୍ୟତର ଆଖି ମଧ୍ୟ ଆଣି ଯୋଗାଇ ଦେଇଥାଏ । ଅତୀତ ଭିତରେ ଭବିଷ୍ୟତ୍‍ ଲୁକ୍କାୟିତ ହୋଇ ରହିଥାଏ ବୋଲି କୁହାଯାଇଥିବା ଏକ ବାକ୍ୟରେ ପ୍ରାସଙ୍ଗିକତାଟି ସେତେବେଳେ ସମ୍ପୂର୍ଣ୍ଣ ଭାବରେ ଅନୁଭୂତ ହୋଇଥାଏ । ଅତୀତରୁ ପ୍ରେରଣା ମିଳେ, ଅତୀତରୁ ଚେତାବନୀ ମିଳେ ଏବଂ ଭବିଷ୍ୟକୁ ମନ କରୁଥିବା ମଣିଷ ସେହି ପ୍ରେରଣା ଓ ସେହି ଚେତାବନୀରୁ ଅନେକ ଖୋରାକ ପାଏ ।

 

ଏ ଜାତି ବା ଏ ଦେଶ କେଡ଼େ ବଡ଼ ଥିଲା, ତାହାହିଁ ପ୍ରମାଣ କରି ଦେଖାଇ ଦେବାକୁ ଯେଉଁ ଇତିହାସ ଖୋଜାଯାଏ ବା ଚଷାଯାଏ, ସେଥିରୁ ଆମକୁ ସୁସ୍ଥ visionଟିଏ ସବୁ ସମୟରେ ମୋଟେ ମିଳେ ନାହିଁ । ଆମର ଅତିରିକ୍ତ ଉତ୍ସାହଟା ଆମର ଆଖିଗୁଡ଼ାକୁ ବନ୍ଦି କରିପକାଏ ଏବଂ ତା’ପରେ ଆମେ କେବଳ ଖଣ୍ଡିଆ କରି ଦେଖୁ, ଖଣ୍ଡିଆ ଅନୁମାନ କରୁ ଓ ଖଣ୍ଡିଆ ହଜମ କରୁ । ଜାତୀୟତାବାଦ ଅର୍ଥାତ୍ ଯାବତୀୟ ଦ୍ଵୀପବାଦୀ ତାହାକୁ ହୁଏତ କେଡ଼େ ବଡ଼କଥାଟାଏ ପରି ଗ୍ରହଣ କରେ, ମାତ୍ର ଜଣେ ଜାତୀୟତାବାଦୀ ଲେଖୁଥିବା ଇତିହାସ ମଧ୍ୟ ଭାରି ଖଣ୍ଡିଆ ହୋଇ ରହିଯାଏ; ଉତ୍ତେଜିତ କରେ ସତ, ମାତ୍ର ଯଥାର୍ଥ visionର କ୍ଷେତ୍ରରେ ଭାରି ପଙ୍ଗୁ କରି ରଖିଥାଏ । ଆମକୁ ଏହିସବୁ ପ୍ରଲୋଭନର ବାଡ଼କୁ ଡେଇଁଯାଇ ଇତିହାସ ଭିତରେ ପ୍ରବେଶ କରିବାକୁ ହେବ ।

 

୧୫ । ୮ । ୯୧

 

ଯଥାର୍ଥ ସ୍ଵାଧୀନତା ବରଷକର ସବୁଦିନେ ଅନୁଭୂତ ହେଉଥାଆନ୍ତା ଏବଂ ଦେଶର ସବୁ ମଣିଷ ସେହି ସ୍ଵାଧୀନତାକୁ ଅନୁଭବ କରୁଥାନ୍ତେ ଅର୍ଥାତ୍ ବଞ୍ଚି ପାରୁଥାନ୍ତେ । ଭାରତବର୍ଷକୁ ସ୍ଵାଧୀନତା ନାମରେ ଆମ ନେତାମାନେ ଏହି ବିଚିତ୍ର କଣଟିଏ ଧରାଇଦେଲେ ଯେ ଏହାଫଳରେ କେତେ ମଣିଷ ଅନେକ ମଣିଷଙ୍କ ଉପରେ ମୁଖ୍ୟତଃ ଦୁରାଚାର ଓ ସ୍ଵେଚ୍ଛାଚାର କରିବାକୁହିଁ ଲାଇସେନ୍‌ସ ପାଇଲେ, ଅଳପ ପାଠୁଆ ଅନେକ ଅପାଠୁଆଙ୍କ ଉପରେ ଘୋଡ଼ା ଚଢ଼ିଲେ । ସଂସ୍କୃତି, ସାହିତ୍ୟ ଶିକ୍ଷା ଓ ସ୍ଵଚ୍ଛନ୍ଦତା କେବଳ କେତେଜଣ ମଣିଷଙ୍କର ବୁଦ୍ଧି ଓ ଦୁର୍ବୁଦ୍ଧି ଭିତରେ ବନ୍ଦି ହୋଇ ରହିଗଲା ।

 

ଅଗଷ୍ଟ ପନ୍ଦରର ପରିବର୍ତ୍ତନ ଆହୁରି ଅନେକ ପରିବର୍ତ୍ତନ ଲାଗି ବାଟ ଫିଟାଇ ଦେଇଥାନ୍ତା । ରାଜନୀତିକ ସ୍ଵାଧୀନତା ଆହୁରି ଅନ୍ୟାନ୍ୟ ସ୍ଵାଧୀନତା ଲାଗି ପ୍ରଥମ ପାବଚ୍ଛରୂପେ କାର୍ଯ୍ୟ କରିଥାନ୍ତା । ଗୋଟାଏ ବିପ୍ଳବ ଆହୁରି ଅନେକ ବାହାରର ଓ ଭିତରର ବିପ୍ଳବ ଲାଗି ଦୁଆର ଖୋଲିଦେଇ ପାରିଥାନ୍ତା । ସ୍ଵାଧୀନତା ପରେ ଭାରତବର୍ଷର ରାଜନୀତିକ ନେତୃତ୍ଵ ନାନା କାରଣରୁ ତାହା କରି ପାରିଲା ନାହିଁ । ସେଥିଲାଗି ତଥାକଥିତ ସ୍ଵାଧୀନତାର ଚାଳିଶବର୍ଷ ଉତ୍ତୀର୍ଣ୍ଣ ହୋଇ ସାରିଥିଲେ ମଧ୍ୟ ଦେଶର ଅଧିକାଂଶ ମନୁଷ୍ୟଜୀବ ଏଠି ନିର୍ଭୟରେ, ସମ୍ମାନର ସହିତ, ଭବିଷ୍ୟମୁଖୀ ଓ ଉଦୟମୁଖୀ ହୋଇ ଜୀବନ ବଞ୍ଚି ପାରୁନାହାନ୍ତି । ଦେଶଯାକ ପ୍ରାୟ ସବୁଦିନେ ତୁଚ୍ଛା ହୁଣ୍ଡା ଓ ଗୁଣ୍ଡାମାନଙ୍କର ଉତ୍ପାତ ସହିବାକୁ ପଡ଼ୁଛି । କେବଳ ଇଂରେଜମାନଙ୍କୁ ଭାରତ ଛାଡ଼ିବାକୁ ବାଧ୍ୟ କରି ଯଦି ‘ଭାରତ ଛାଡ଼’ ଆନ୍ଦୋଳନର ସମସ୍ତ କାର୍ଯ୍ୟ ଶେଷ ହୋଇଗଲା, ତେବେ ଏଠୁ ଅଜ୍ଞାନ, ଅସହାୟତା ଏବଂ ନାନା ଅସମ୍ମାନଜନକ ଅକିଞ୍ଚନତାକୁ ତଡ଼ିବାକୁ ଅନ୍ୟ ଆନ୍ଦୋଳନଗୁଡ଼ିକୁ କରିବା ନିମନ୍ତେ ପୁଣି କିଏ ଆସିବ ? କ୍ଷମତା ଭିତରେ ଲେସି ହୋଇ ରହି ଯାଇଥିବା ଏହି ବାବୁମାନେ ଓ ହୁଣ୍ଡାମାନେ ତାହା କଦାପି କରି ପାରିବେ ନାହିଁ । ସିଂହାସନ ଉପରେ ବସିଥିବା ରଜାମାନେ କିଛି କରି ପାରିବେ ନାହିଁ । ସମ୍ଭବତଃ କେବଳ ରାଜନୀତି ମଧ୍ୟ ତାହା କରି ପାରିବ ନାହିଁ । ରାଜନୀତିକୁ ପଥସର୍ବସ୍ଵ କରି ଧରିଥିବା ପର୍ଯ୍ୟନ୍ତ ଦଳେ କ୍ରୂର ଓ ଅଯୋଗ୍ୟ ଆସି ପହଞ୍ଚି ଯାଉଥିବେ । ତେଣୁ, ଯଥାର୍ଥ ବିକଳ୍ପଟିଏ ଦରକାର । ପରାଧୀନତା ଓ ଯାବତୀୟ ଅପମାନକୁ ସହି ନପାରୁଥିବା ବିକଳ୍ପ ମଣିଷମାନେ ଦରକାର ।

 

୧୬ । ୮ । ୯୧

 

କହିବା ଲେଖିବା,–କାଳେ କାଳେ ଏଗୁଡ଼ିକୁ ଗୋଟିଏ ଗୋଟିଏ କଳା ବୋଲି କୁହାଯାଇ ଆସିଛି । ସେହି କଳାର ଅନୁରାଗୀମାନେ ପୃଥିବୀରେ କେତେ କ’ଣ କହିଲେଣି ଓ କେତେ କ’ଣ ଲେଖିଲେଣି । ସଜାଇ, ବାଗେଇ, ଅଳଙ୍କୃତ କରି କେତେ କ’ଣ କହି ସାରିଲେଣି ଏବଂ କେତେ କ’ଣ ଲେଖି ସାରିଲେଣି । କହିବାର ଏବଂ ଲେଖିବାର ନୂଆ ନୂଆ ଶୈଳୀମାନ ବାହାରିଲାଣି ଓ ସେହି ଶୈଳୀଗୁଡ଼ିକ ବିଷୟରେ ପଣ୍ଡିତମାନେ, ସୁଧୀମାନେ ଏକାଠି ବସି ଚର୍ଚ୍ଚା ମଧ୍ୟ କଲେଣି । ଆଧୁନିକ ଯାନ୍ତ୍ରିକତାର କୌଶଳପୂର୍ଣ୍ଣ ସାଧନଗୁଡ଼ିକର ସାହାଯ୍ୟରେ ଆଗ ଅପେକ୍ଷା ଏବେ ସହସ୍ରଗୁଣ ଅଧିକ କୁହାହେଲାଣି । କହିବା ଓ ଲେଖିବାର ଠାଣିମାଣିଗୁଡ଼ିକୁ ଆୟତ୍ତ କରିବାକୁହିଁ ଏକ ଭଲ ରୁଚି ବୋଲି ବିଶ୍ଵାସ କରୁ କରୁ ମଣିଷ କାଳକ୍ରମେ ଜୀବନଟିଏ ବଞ୍ଚିବାକୁ ଭଲ ଲାଗିଲା ନାହିଁ ତ ? ଦିନକୁଦିନ ଅଧିକ କପଟୀ ଓ ଅଧିକ ଅସାଧୁ ହୋଇ ଗଲାନାହିଁ ତ ?

 

ଯେତେ ଇଚ୍ଛା କହ, ଯେତେ ଇଚ୍ଛା ଲେଖ, ସେଥିରେ ଆଦୌ କୌଣସି କ୍ଷତି ନାହିଁ । ମାତ୍ର ଭିତରେ ନିଜପ୍ରତି ସାଧୁତା ଏବଂ ବାହାରେ ସଂସାରପ୍ରତି ସାଧୁତା ରହି ନଥିଲେ ଏସବୁ କହିବାର ଓ ଲେଖିବାର ଆଉ କି ମହତ୍ତ୍ଵ ରହିବ ? ଏବେ ଆମ ରାଜନୀତିରେ ଅସାଧୁମାନେ କେତେ କ’ଣ କହିବାରେ ଲାଗିଛନ୍ତି ଓ ତେଣେ ପୃଥିବୀଯାକର ଆକାଶଗୁଡ଼ାକ କଳା ଧୂଆଁରେ ପୋତିହୋଇ ପଡ଼ିଲାଣି । ସାହିତ୍ୟରେ ଲେଖିବା ଯେତିକି ବୃଦ୍ଧି ପାଉଛି, ସାହିତ୍ୟ ଓ ଜୀବନ ଭିତରେ ଦୂରତାମାନେ ସେତିକି ଅଧିକ ଓ ସେତିକି ଜଟିଳ ହେବାରେ ଲାଗିଛନ୍ତି । ଲେଖିବା ଏକ ବିଳାସରେ ପରିଣତ ହେଲାଣି; ସାହିତ୍ୟଲାଗି ସାହିତ୍ୟ ଓ କଳାଲାଗି କଳା–ଅବୋଲକରାମାନେ ମଝିରେ ମଝିରେ ଏପରି ଅଜଟମାନ ଦେଖେଇବାକୁବି ଲଜ୍ଜାବୋଧ କରୁନାହାନ୍ତି । କହିବା ଓ ଲେଖିବା ପଛରେ ଯେଉଁ ଅସଲ ଆଖିଟି ରହିଥିବା ଅତ୍ୟନ୍ତ ଦରକାର, ମୁଁ ତାହାକୁ ଆଧ୍ୟାତ୍ମିକତା ବୋଲି କହିବି । ଭୂମିଟିକୁ ସେହି ଆଧ୍ୟାତ୍ମିକତାର ସ୍ତରକୁ ଉତ୍ତୋଳିତ କରିନେଲେ ମଣିଷ ଆଉ ନିଜପ୍ରତି ଓ ଆଉ କାହା ପ୍ରତି ଅସାଧୁ ହେବାକୁ ଆଦୌ ମନ କରିବନାହିଁ । ତା’ର ବଞ୍ଚିବା ଏବଂ କହିବା ଲେଖିବା ଭିତରେ ବ୍ୟବଧାନ ରଖିବାକୁ ମଧ୍ୟ ତାକୁ ଆଦୌ କାମ୍ୟ ବୋଲି ମନେ ହେବନାହିଁ-

 

୧୭ । ୮ । ୯୧

 

ପଦସ୍ଥ ମଣିଷମାନେ ଯେତେବେଳେ ଏହି ଦେଶରେ ନିଜ ଦେଶର ସମାଲୋଚନା କରନ୍ତି, ସେତେବେଳେ ସେମାନେ ସତେ ଯେପରି ଆଦୌ ଏ ଦେଶର ମଣିଷ ନୁହନ୍ତି, ପ୍ରାୟ ସେହିପରି ମନେ ହେଉଥାଏ । ଖୁସି ହୋଇ ନିଜ ଦେଶର ସମାଲୋଚନା କରିବା ଓ ସେପରି କରି ଆପଣାକୁ ହାଲୁକା ଓ ଦାୟିତ୍ଵମୁକ୍ତ ମନେ କରିବା,–ଏକଥା କେବଳ ଦାୟିତ୍ଵହୀନ ମଣିଷମାନଙ୍କର କ୍ଷେତ୍ରରେ ସମ୍ଭବ ହୋଇଥାଏ ।

 

ଆମେ ଯିଏ ଯେଉଁଠି ରହିଛୁ, ସେଠାରେ ଆପଣାର ଉଚିତ କାର୍ଯ୍ୟଗୁଡ଼ିକୁ କରୁନାହୁଁ ବୋଲି ବର୍ତ୍ତମାନ ଦେଶ ଏପରି ଏକ ଦୁରବସ୍ଥାରେ ଆସି ପହଞ୍ଚିଛି । ଶିକ୍ଷକ ତା’ କାମ କରି ନାହିଁ, କର୍ମଚାରୀମାନେ କର୍ମଚାରୀର କାମ କରିନାହାନ୍ତି, ବାବୁମାନେ ଅଳସୁଆ ହୋଇ ଭୋଗ କରିବାଟାହିଁ ଅନ୍ଧାର ଦେଶରେ ବଡ଼ ସହଜ ହେବ ବୋଲି ଦେଶଟାଯାକକୁ ପରମ କୌତୁକର ସହିତ ଅନ୍ଧାର କରି ରଖିଛନ୍ତି, ନେତାମାନେ ଗୋଟାଏ ଗୋଟାଏ ରଜା ପରି ଉଆସ ବାଡ଼େଇ ଅଲକ୍ଷଣାପଣ ଦେଖାଉଛନ୍ତି । ସେଇଥିଲାଗି ଦେଶଟା ସବୁକିଛି ଏଭଳି ଅଲକ୍ଷଣା ହୋଇ ଯାଇଛି । ସାହିତ୍ୟ, ସଂସ୍କୃତି, ସଦାଚାର, ଏଗୁଡ଼ିକୁ ବଞ୍ଚିବାର ମଣିଷ ଏବେ ଭାରତବର୍ଷରେ ବିରଳ ହୋଇଗଲେଣି । ତେଣୁ, କହିବାର ମଣିଷମାନେ, ଉଜ୍ଜ୍ଵଳ ତୋଷାମଦକାରୀମାନେ ସାମୂହିକ ଜୀବନର ଏହିସବୁ ଅନ୍ତରଙ୍ଗ ଘରକୁ ଯାଇ ମାଡ଼ି ବସିଛନ୍ତି । ନିତି ସଭା ହେଉଛି, ଶବ୍ଦଗୁଡ଼ିକୁ ନେଇ ନିତି ମୈଥୁନ ହେଉଛି ଏବଂ ସେଇଥିରୁ ସମ୍ପୃକ୍ତ ସମସ୍ତେ ପରମ ଆନନ୍ଦ ଲାଭ କରୁଛନ୍ତି । ସାଧୁ ମଣିଷଟିଏ ହେବାକୁ ସ୍ଵାଭାବିକ ସମ୍ୱନ୍ଧଦ୍ଵାରା ଅନ୍ୟ ମଣିଷଙ୍କ ସହିତ ଯୁକ୍ତ ହୋଇ ରହିବାକୁ କାହାରି ବେଳ ନାହିଁ, କାହାରି ବିଶ୍ଵାସ ମଧ୍ୟ ନାହିଁ । ତଥାପି ଯେଉଁମାନେ ଏ ଦେଶରେ ଆଲୋକ ମଧ୍ୟକୁ ବାଟ ଖୋଜୁଛନ୍ତି, ସେମାନେ କ’ଣ ସେହି ଶବ୍ଦସମାରୋହର ଅସାଧୁ ସଭାରେ ଯାଇ ସାମିଲ ହୋଇଯିବେ ? ନାଇଁ, ସେମାନେ ବଞ୍ଚିବେ, ବିକଳ୍ପ ହେବେ । ବିକଳ୍ପ ହେବାହିଁ ଏହି ମୁହୂର୍ତ୍ତରେ ଆଗକୁ ଏକମାତ୍ର ସୁସ୍ଥତା ଓ ଏକମାତ୍ର ସମ୍ଭାବନା ବୋଲି ଦେଖାଯାଉଛି । ମୁନିଋଷିଙ୍କ ପରି ଏକାକୀ ବିକଳ୍ପ ହେଲେ ମଧ୍ୟ ଚଳିବନାହିଁ । ବିକଳ୍ପ ଗୋଷ୍ଠୀମାନେବି ବାହାରିବା ଉଚିତ, ଅନ୍ଧାରର ସାମ୍ରାଜ୍ୟଗୁଡ଼ାକ ଭିତରେ ସେମାନେ ଆଲୋକର ସମର୍ପିତ ସନ୍ତାନ ପରି ବଞ୍ଚି ପାରିବା ଉଚିତ । ଏବଂ, ଏହି ସବୁକିଛି ସମ୍ପୂର୍ଣ୍ଣ କୋଳାହଳଶୂନ୍ୟ ଭାବରେ ହୋଇପାରିବା ମଧ୍ୟ ଉଚିତ ।

 

୧୮ । ୮ । ୯୧

 

ତାଙ୍କପାଇଁ ସମୟ ଥିଲେ ଜୀବନରେ ସମସ୍ତଙ୍କ ପାଇଁ ସମୟ କରିହୁଏ । ସେଇ କାମ ଦିଅନ୍ତି, କାମପାଇଁ ସମୟ କରାଇ ନିଅନ୍ତି । ମଣିଷ ଭିତରେ ସେଇ ତାଙ୍କର ମୂର୍ତ୍ତିକୁ ଦେଖାଇବାରେ ଲାଗିଥାନ୍ତି, ମୁଗ୍ଧ କରି ରଖିଥାନ୍ତି;–ତେଣୁ, ଏଡ଼ିଦେଇ ଚାଲିଯିବାର ପ୍ରଶ୍ନ ନଥାଏ, ସମୟ ନହେବାର ମଧ୍ୟ ପ୍ରଶ୍ନ ନଥାଏ । ତଥାକଥିତ ଘର ଆଉ ସଂସାର ମଧ୍ୟରେ କୌଣସି କାନ୍ଥ ଉଠିନଥାଏ । ଆଗ ଘର କାମ ତୁଲାଇ ତା’ପରେ ଯାଇ ସଂସାର ଅର୍ଥାତ୍ ଭଗବାନ୍‍ଙ୍କର କାମ କରିବାର ଅଥବା ସଂସାରରେ କାମ ତୁଲାଇ ତା’ପରେ ଯାଇ ଘରକଥା ଦେଖିବାର କୌଣସି ଅବକାଶ ନଥାଏ । ଏଠି କ୍ଳାନ୍ତ ଲାଗେ ନାହିଁ କି ସେଠି ମଧ୍ୟ କାତର ଲାଗେନାହିଁ ।

 

ଯେଉଁମାନେ ନିଜକୁହିଁ ସଂସାରର କେନ୍ଦ୍ର ବୋଲି ଭ୍ରମ କରୁଥାନ୍ତି ଏବଂ ପ୍ରାୟ ନିଜ ବ୍ୟତୀତ ସଂସାରରେ ଆଉ କିଛିହେଲେ ଦେଖି ପାରୁନଥାନ୍ତି, ସେହିମାନେହିଁ ହଇରାଣରେ ପଡ଼ନ୍ତି । ସେମାନେ ଗାତ ଭିତରେ ପଶିଥାନ୍ତି, ଗାତ ଭିତରେ ନାନା ଉତ୍ତେଜିତ ଏକଛତ୍ରତାକୁହିଁ ସୁଖ ବୋଲି ଭାବୁଥାନ୍ତି ଓ ସେହି ମୁଖଟାକୁହିଁ ସତେ ଲୋଡ଼ୁଥାନ୍ତି । ହଁ, ଆପଣାକୁ ଆପଣାଠାରୁ ବୃହତ୍ତର କୌଣସି ସମ୍ପଦ ଲାଗି ସମର୍ପିତ କରି ଜୀବନ ବଞ୍ଚିବା,–ଏକଥା ସେମାନଙ୍କ ଦ୍ଵାରା ସମ୍ଭବ ହୋଇ ପାରେନାହିଁ । ସଂସାରକାତରମାନେହିଁ ସଂସାରଟିକୁ; ତୁଚ୍ଛା ଆପଣାର ବା “ମୋ’ର” ସଂସାରଟିକୁ ଏତେ ଅଧିକ ପରିମାଣରେ ଜାବୁଡ଼ି କରି ଧରିଥାନ୍ତି ଯେ, ଭଗବାନ୍‍ଙ୍କ ଲାଗି, ସଂସାର ଲାଗି ସତକୁସତ ବଞ୍ଚିବାଟାକୁ ସେମାନେ ସତେଅବା କଳାପାଣି ଦଣ୍ଡ ପରି ଭାବୁଥାନ୍ତି । ସଂସାର ଓ ଘର ଉଭୟେ ସହଜ ହେଲେ ଜୀବନରେ ଆଉ କୌଣସି ଦ୍ଵନ୍ଦ୍ୱ ଭୋଗିବାକୁ ପଡ଼େନାହିଁ, କାନ୍ଥ କେଉଁଠି ହେଲେ ନଥାଏ, ତେଣୁ କେଉଁଠି ଘର ସରିଲା ଏବଂ ସଂସାର ଆରମ୍ଭ ହେଲା, ସେ କଥା ଜାଣିବି ହୁଏନାହିଁ । ଘର ଭିତରେ ଅନନ୍ତ ଆକାଶରେ ପରିଚୟ ମିଳେ, ଆକାଶଟା ମଧ୍ୟ ଅନ୍ତର ମଧ୍ୟରେ ରହିଥିବା କେଉଁ ବୃହତ୍ତର ଘରର ଚାନ୍ଦୁଆ ପରି ଦେଖା ଯାଉଥାଏ । ଆକାଶ ସହିତ ମାୟା ଲଗାଇ ଦେଇ ପାରିଲେ ଘର ଧନ୍ୟ ହୁଏ ଏବଂ ସୌଭାଗ୍ୟବନ୍ତ ହୁଏ । ଘରର ତଥାକଥିତ ମାୟା ମଣିଷକୁ ଆଉ ଗାତ ଭିତରେ ରହିବାର ଦୁର୍ଦ୍ଦଶା ଭୋଗିବା ଲାଗି ବାଧ୍ୟ କରି ପାରେନାହିଁ ।

 

୨୬ । ୮ । ୯୧

 

ପ୍ରତିଦିନ ଡାଏରୀ ଲେଖି ପାରିବି ବୋଲି ଏହି ଖାତାକୁ ନେଇ କାଶୀପୁର ଯାଇଥିଲି । ଦିନେ ମଧ୍ୟ ଲେଖି ପାରିଲିନାହିଁ । ଲେଖି ପାରିଲିନାହିଁ ବୋଲି ମୁଁ କୌଣସି ଅନୁଶୋଚନା ନେଇ ଯେ ତେଣୁ ଫେରିଲି, ସେ କଥା ମଧ୍ୟ ଠିକ୍ ନୁହେଁ ।

 

ରୋହିତର ବାଟ ଚାଲିବା ବନ୍ଦ ହୋଇଗଲେ ଯେ ତା’ର ଡାଏରୀ ଲେଖା ବନ୍ଦ ହୋଇଯାଏ, ସେ କଥା ଆଦୌ ନୁହେଁ । ବାଟ ଚାଲିବା, ସମ୍ବନ୍ଧ ଥାପିବା,–ଏଗୁଡ଼ିକ ପୂର୍ଣ୍ଣ ବେଗରେ ଏବଂ ପୂର୍ଣ୍ଣ ସାବଲୀଳତା ସହିତ ଚାଲିଥାଏ । ଡାଏରୀ ଲେଖା ହୋଇ ଯାଉଥିବା ପରି ଅନୁଭବ ହେଉଥାଏ । ଏହି ଖାତାଟା ଆଗରେ ପଡ଼ିନଥାଏ ଏବଂ ଖାତା ଉପରେ କଲମ ଧରି ଆଦୌ କିଛି ଲେଖା ହେଉନଥାଏ ସତ, ମାତ୍ର ଅସଲ ବହିର ପୃଷ୍ଠାଗୁଡ଼ିକ ଶ୍ରଦ୍ଧାଦ୍ଵାରା ପୂରି ପୂରି ଯାଉଥାଏ । ପୁରୁଣା ମଣିଷମାନଙ୍କୁ ଆହୁରି ନୂଆ କରି ଅର୍ଥାତ୍ ପୂର୍ଣ୍ଣତର କରି ଚିହ୍ନି ନେଉଥିବା ପରି ମନେ ହେଉଥାଏ, ଏକାବେଳେକେ ନୂଆ କରି ଚିହ୍ନୁଥିବା ମଣିଷମାନେ ମଧ୍ୟ ସତେଅବା ଯୁଗଯୁଗ ଧରି ମୋ’ର ଅତି ଆପଣାର ହୋଇ ରହି ଆସିଥିବା ପରି ଲାଗୁଥାଏ । ତେଣୁ, ଏହି ଖାତା ଉପରେ ଲେଖା ହେଉଥିବା ଡାଏରୀ ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ସଂଯୁକ୍ତ ହୋଇ ରହିଥିବା ଆଉଗୋଟିଏ ଡାଏରୀ ମଧ୍ୟ ଭିତରେ ରହିଛି । ଏହି ବାହାର ଡାଏରୀଟିରେ ଆଦୌ କିଛି ଲେଖା ନହେଲେ ମଧ୍ୟ ଆର ଡାଏରୀର ଲେଖା ଆଦୌ କେଉଁଦିନ ହେଲେ ବନ୍ଦ ହେଉନାହିଁ । ବାହାରର ଡାଏରୀଟି ଅନ୍ତର୍ଗତ ଡାଏରୀଦ୍ଵାରା ନିତ୍ୟପୁଷ୍ଟ ଏବଂ ନିତ୍ୟପ୍ରଭାବିତ ହୋଇ ଚାଲିଛି । ହଁ, ବାହାରର ଡାଏରୀଟି ମଧ୍ୟ ଅନ୍ତର୍ଗତ ଡାଏରୀଟିକୁ କମ୍ ପ୍ରଭାବିତ କରିନାହିଁ । ବାହାର ଜଗତ୍‍ ଯେପରି ଭିତରେ ମଧ୍ୟ ବାଟ ଦେଖାଏ, ଠିକ୍ ସେହିପରି । ବହୁବର୍ଷ ତଳେ, ଯେଉଁଦିନ ଏହି ଡାଏରୀ ଖାତାରେ କିଛି ପାରୁ ନଥିଲି, ସେତେବେଳେ ଦୁଃଖ ହେଉଥିଲା, ସତେଅବା କ’ଣ ପଛରେ ରହିଗଲା ବୋଲି କ୍ଷୋଭ ମଧ୍ୟ ହେଉଥିଲା । ଏବେ ଆଉ ସେପରି ହେଉନାହିଁ । କାହାରି ଲୋଭଦ୍ଵାରା କେଉଁ ଅଭିନୟ ମଞ୍ଚପାଇଁ ବାଧ୍ୟ ହେଲାପରି ଜୀବନଟିକୁ ବଞ୍ଚିଥିବା ପର୍ଯ୍ୟନ୍ତ ସମ୍ଭବତଃ ରୁଟିନ୍‌ର ଖିଲାପ ହେଲେ ଦୁଃଖ ହୁଏ, କ୍ଷୋଭ ହୁଏ । ମାତ୍ର, ବାଟ ଚାଲୁ ଚାଲୁ ସେଇଟି ମଧ୍ୟ ଚାଲିଯାଏ । ଭିତରେ ଥିଲେ ବାହାରଟା ସାଙ୍ଗରେ ଥାଏ, ବାହାରେ ଥିଲେ ଭିତର ମଧ୍ୟ ସାଥୀ ହୋଇ ରହିଥାଏ ।

 

୨୭ । ୮ । ୯୧

 

କେବଳ ଆପଣାକୁହିଁ ଆପଣାର ଭଣ୍ଡାର ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ଭିତରେ ଥିବା ଭଣ୍ଡାରଟି ବିଷୟରେ ବହୁ ସଂଶୟ ରହିଥାଏ । ଭଣ୍ଡାରଟି ବିଷୟରେ କେତେ ପ୍ରକାରର ଅସୁସ୍ଥ ଅତିସଚେତନତା ମଧ୍ୟ ରହିଥାଏ । ତେଣୁ ଭିତରେ ସ୍ଥିରତା ନଥାଏ । ସବୁ ମହଜୁଦ ଥାଇ ମଧ୍ୟ ସବୁକିଛି ହରାଇ ବସିବାର ଶଙ୍କାଚ୍ଛନ୍ନତା ଘାରି ରଖିଥାଏ । ସଂସାରରେ ସମସ୍ତଙ୍କୁ ଆପଣାର ପ୍ରତିଦ୍ଵନ୍ଦ୍ୱୀ ପରି ମନେ ହେଉଥାଏ । ଏଭଳି ସଂଶୟୀମାନଙ୍କର ମଧ୍ୟ ଏକ ଭଗବାନ୍‍ ରହିଥାନ୍ତି । ମାତ୍ର, ସେହି ଭଗବାନ୍‍ଙ୍କୁ ସେମାନେ କେବଳ ନିଜ ଲାଗି ରହୁଥାନ୍ତି ଓ କେବଳ ନିଜଲାଗି ଲୋଡ଼ୁଥାଆନ୍ତି । ଜୀବନ ଅନେକତଃ ଏକ ନୈତିକ ନିମ୍ନରେ ପଡ଼ି ରହିଥାଏ, ନୈତିକତାକୁ ଆଧ୍ୟାତ୍ମିକ ବୋଲି କହୁଥାଏ ।

 

ଟିକିଏ ବିସ୍ତାରି ହୋଇଯିବାକୁ ଅର୍ଥାତ୍ କବାଟ ଫିଟାଇ ଦେବାକୁ ମନ କଲେ ସେହି ଭଣ୍ଡାରର ବିଶ୍ଵଭଣ୍ଡାରଟି ସହିତ ଖିଅ ଲାଗିଯାଏ । ତେଣୁ, ନିଜର ଭଣ୍ଡାରଟି ମଧ୍ୟ ଅକ୍ଷୟ ଭଣ୍ଡାର ପରି ମନେହୁଏ । ସମସ୍ତ ସଂଶୟ ଦୂର ହୋଇଯାଏ । ଭିତରେ ରହିଥିବା ଏହି ଭଣ୍ଡାରଟି କେବେ ସରିଯିବ ବୋଲି ଆଦୌ ଶଙ୍କା ହୁଏନାହିଁ । ଆପଣାର ବିଦ୍ୟା, ଆପଣାର ଶ୍ରଦ୍ଧା ଓ ଆପଣାର ଯାବତୀୟ ଅର୍ଜନ ତଥା ସଂଗ୍ରହ ଅକ୍ଷୟ ପରି ଅନୁଭବ ହୁଏ । ଅଭୟ କହିଲେ ସମ୍ଭବତଃ ଏହିପରି ଏକ ଅନୁଭବକୁହିଁ ବୁଝାଏ । ସେହି ଅନୁଭବ ନିଜର ସ୍ପର୍ଶ କାଠିଗୁଡ଼ିକୁ ବଢ଼ାଉ ବଢ଼ାଉ ସତେଅବା ଅତ୍ୟନ୍ତ ସାବଲୀଳ ଭାବରେ ଭଗବାନ୍‍ଙ୍କୁ ସ୍ପର୍ଶ କରିହୁଏ । ନିଜ ଭିତରେ ପାଇହୁଏ । ସିଏ ଆପଣା ଭିତରେ ସତେଅବା ପ୍ରତିଷ୍ଠାର ସମସ୍ତ ସିଂହାସନଟିକୁ ଅଧିକାର କରି ବସିଥାନ୍ତି, ମୋ’ର ତଥାକଥିତ ଘରଟିକୁ ଗୋଟାସୁଦ୍ଧା ତାଙ୍କ ଘରରେ ପରିଣତ କରି ବସିଥାନ୍ତି । ଏକାବେଳେକେ ବନ୍ଧୁ ଭାବରେ, ପଥପ୍ରଦର୍ଶକ ଭାବରେ ଏବଂ ଅଧୀଶ୍ଵର ଭାବରେ ବସି ରହିଥାନ୍ତି । ତା’ପରେ ଆପଣା ଭିତରେ ସାନ ବୋଲି, ନିମ୍ନ ବୋଲି, ଭୀତ ବୋଲି ଅଥବା ବର୍ଜିତ ବୋଲି ଆଦୌ କିଛି ରହେନାହିଁ । ଏବଂ, ତା’ପରେ ସବୁ ହାଲୁକା ଲାଗେ । କର୍ମ ହାଲୁକା ଲାଗେ, ସମ୍ବନ୍ଧଗୁଡ଼ିକ ଅପୂର୍ବ ଭାବରେ ହାଲୁକା ଲାଗନ୍ତି । ହାଲୁକା ଲାଗିବାର ସେହି ଅମୋଘ ଉପାୟଦ୍ଵାରା ସବୁଯାକ ଦମ୍ଭ କେଡ଼େ ସହଜରେ ଭାଙ୍ଗିଯାଆନ୍ତି । ଦେବା ଓ ପାଇବା ଭିତରେ ଆଉ କୌଣସି ଦୂରତା ରହେନାହିଁ । ଅକ୍ଷତତାହିଁ ଏକମାତ୍ର ସୁସ୍ଥତା ବୋଲି ପ୍ରତ୍ୟକ୍ଷଦର୍ଶନ ସମ୍ଭବ ହୋଇଯାଏ ।

 

୨୮ । ୮ । ୯୧

 

ଯୋଗୀ ଯୁକ୍ତ ହୋଇ ରହିବା, ଅର୍ଥାତ୍ share କରିବ, ଖିଅ ଲଗାଇ ରହିବ । ସିଏ ମହାଜୀବନ ସହିତ ଯୁକ୍ତ ହୋଇ ରହିବ, ଅର୍ଥାତ୍ ଜୀବନ ସହିତ ମଧ୍ୟ ଯୁକ୍ତ ହୋଇ ରହିବ । ଏହି ଜୀବନକୁ ଛାଡ଼ି ମହାଜୀବନ ଆଉ କେଉଁଠି ଅଲଗା ହୋଇ ରହିଛି ବୋଲି ସେ ବାଇଆ ହୋଇ ଧାଇଁବନାହିଁ । ଆକାଶକୁ ସ୍ପର୍ଶ କରି ପାରିବା ଲାଗି ସିଏ ଏହି ଭୂମିଟି ସହିତ ଯୁକ୍ତ ହୋଇ ରହିବ । ଯଦି ମହାଜୀବନର ଆକାଂକ୍ଷାକୁ ଏହି ଜୀବନ ଭିତରକୁ ଅବତୀର୍ଣ୍ଣ କରାଇ ଆଣିବାକୁ ହୁଏ, ତେବେ ଜୀବନହିଁ ଯାବତୀୟ ଯୋଗବାସନା ଲାଗି ଅବଶ୍ୟ ଭୂମି ହୋଇ ରହିବ । ନହେଲେ ଉପେକ୍ଷାହିଁ ସାର ହେବ । ଉପେକ୍ଷା ଦିବ୍ୟତାର ପରିପନ୍ଥୀ ହୋଇଥିବାରୁ ଉପେକ୍ଷାଧର୍ମୀ ତଥାକଥିତ ଯୋଗୀ ଯାବତୀୟ ଦିବ୍ୟତାରୁ କେବଳ ଉପେକ୍ଷିତ ହୋଇହିଁ ରହିବ, ଅରକ୍ଷିତ ହୋଇ ରହିଥିବ ।

 

ଯୋଗୀ ଏହି ଜୀବନ ଓ ଏହି ଜଗତ୍‍ର ଯାବତୀୟ ଦୁଃଖରେ share କରିବ । ଏଠି ମଣିଷକୁ ନାନାଭାବରେ ଆର୍ତ୍ତ ଓ ଦୀନ କରି ରଖିଥିବା ଅସମର୍ଥତାଗୁଡ଼ିକୁ ସେ ଅନ୍ତରଙ୍ଗଭାବେ ବୁଝିବ, ତାହାରି ଭିତରେ ହନ୍ତସନ୍ତ ହେଉଥିବା ମଣିଷକୁ ବୁଝିବ, ଅର୍ଥାତ୍ ତା’ର ଯଥାର୍ଥ ବନ୍ଧୁରୂପେ ସିଏ ତା’ର ହାତ ଧରି ତାକୁ ବାଟ କଢ଼ାଇ ନେଇଯିବ । ପୃଥିବୀ ବାହାରକୁ ଆଉ କେଉଁ ଅନ୍ୟଧାମକୁ ନୁହେଁ, ଏଇଠି ନାନା ଅସମର୍ଥତା ଭିତରେ ମନୁଷ୍ୟ ଲାଗି ଅଭିପ୍ରେତ ଯାବତୀୟ ସମର୍ଥତା ଏବଂ ସମ୍ଭାବନା ମଧ୍ୟକୁ ଦିବ୍ୟତାର ସମ୍ଭାବନା ବିଷୟରେ ସିଏ ଏଇଠି ମନୁଷ୍ୟର ମନରେ ବିଶ୍ଵାସ ସୃଷ୍ଟି କରିବ, ନିର୍ଭର ସୃଷ୍ଟି କରିବ । ଯାବତୀୟ ପରାଜୟବୋଧ ଏବଂ ପଳାୟନବାଦ ବିରୁଦ୍ଧରେ ସିଏ ଏଇଠି ଏକାଠି ଛିଡ଼ା ହୋଇ ଲଢ଼େଇ କରିବ । ମଣିଷ ସହିତ ଏକାଠି ହୋଇ ଅନ୍ଧାରମାନଙ୍କୁ ଅସ୍ଵୀକାର କରିବ । ସଂସାରକୁ ବହୁବିଧ ଭୀରୁତା ମାଡ଼ି ବସିଥିବା ସମୟରେ ଯୋଗୀହିଁ ମଣିଷର ସାଥୀ ହୋଇ ତା’ ସହିତ ଆଗେ ଆଗେ ବାହାରିବ । କ୍ଷମତାଲାଳସାରୁ ଜାତ ହୋଇଥିବା ଯାବତୀୟ ଉପଦ୍ରବକୁ ସେ challenge କରିବ । ପୃଥିବୀର ସମସ୍ୟାଗୁଡ଼ିକ ଏବେ କ୍ରମେ ଏପରି ପ୍ରବଳ ହେଲାଣି ଯେ, କେବଳ ଜଣେ ଯୋଗୀ ଉପରେହିଁ ଏଣିକି ବିଶ୍ଵାସ କରିହେବ; କେବଳ ଜଣେ ଯୋଗୀହିଁ ଯଥାର୍ଥ ବୀର ପରିସ୍ଥିତିଗୁଡ଼ିକର ସମ୍ମୁଖୀନ ହୋଇ ପାରିବ । କାଳପୁରୁଷ କେବଳ ଯୋଗୀର ପ୍ରାର୍ଥନାକୁହିଁ ଶୁଣିବେ ।

 

୨୯ । ୮ । ୯୧

 

କମ୍ୟୁନିଷ୍ଟବାଦ ହାରିଲା ବୋଲି ପୁଞ୍ଜିବାଦୀ ଦେଶର ସାମନ୍ତମାନେ ଭାରି ହର୍ଷ ପ୍ରକାଶ କରୁଛନ୍ତି । ସେମାନଙ୍କର ହର୍ଷକୁ ଆହୁରି ଅଧିକ ସମର୍ଥନ ଯୋଗାଇ ଦେଇ ପ୍ରାୟ ପ୍ରତ୍ୟହ କମ୍ୟୁନିଷ୍ଟ ଶାସନର ସୌଧଗୁଡ଼ାକ ଭାଙ୍ଗି ପଡ଼ୁଛି । ଯେଉଁ ଶାସନର ମେରୁହାଡ଼ ଏତେ ଦୁର୍ବଳ ଥିଲା, ତାହା ଏତେବର୍ଷ କାଳ ଏପରି ଉଦ୍ଦଣ୍ଡ ଭାବରେ କିପରି ଚାଲିଥିଲା, ସେଥିରେ ପୃଥିବୀଯାକର ମଣିଷ ଆଚମ୍ବିତ ହେଉଛନ୍ତି ।

 

ପୁଞ୍ଜିବାଦ ଏବଂ କମ୍ୟୁନିଷ୍ଟବାଦ ଭିତରେ ଅର୍ଥବଳକୁ ପ୍ରଧାନ ନିର୍ଭରରୂପେ ବ୍ୟବହାର କରି ପାଶ୍ଚାତ୍ୟରେ ଯେଉଁ ପ୍ରତିଯୋଗିତା ଚାଲିଥିଲା, ସେଥିରେ ପୁଞ୍ଜିବାଦର ଜିତାପଟ ହେବାରେ ଲାଗିଛି । ପୁଞ୍ଜିବାଦୀ ଦେଶମାନଙ୍କରେ ବ୍ୟକ୍ତିଗତ ସ୍ଵାଧୀନତା ପ୍ରଚୁର ରହିଛି । ବିଶେଷତଃ, ଜନକଲ୍ୟାଣ ରାଷ୍ଟ୍ରର ଧାରାଟିକୁ ପୁଞ୍ଜିବାଦ ଗ୍ରହଣ କରିନେବା ପରେ ଏବଂ ସେହି ଶିବିରର ମଉଡ଼ମଣିରୂପେ ଆମେରିକା ବହୁ ଦେଶରେ ଅଭାବସ୍ଥାନଗୁଡ଼ାକୁ ଅର୍ଥରେ ଭରିଦେବା ପରେ କମ୍ୟୁନିଷ୍ଟବାଦର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ଅନେକ ମଣିଷ ବିଶ୍ଵାସ କରୁଛନ୍ତି । ମାତ୍ର, ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ହେଉଛି ଯେ, ପୃଥିବୀରେ ଏହି ପରିବର୍ତ୍ତନର ଧାରାଟି କମ୍ୟୁନିଷ୍ଟ ଶିବିରର ତେତା ଗୋର୍ବାଚୋଭ୍‌ଙ୍କ ଠାରୁ ଆରମ୍ଭ ହୋଇଛି । ସେଇ ଆଗ ଦୁଆର ଖୋଲି ଦେଇଛନ୍ତି ସନ୍ଦେହୀ ପୁଞ୍ଜିବାଦର ସନ୍ଦେହମୋଚନ କରିବା ଲାଗି ଆବଶ୍ୟକ ଯାବତୀୟ କ୍ଷେତ୍ର ସେଇ ପ୍ରାୟ ଆଗତୁରା ହୋଇ ପ୍ରସ୍ତୁତ କରି ଦେଇଛନ୍ତି । ପୂର୍ବ ଇଉରୋପର ତଥାକଥିତ କମ୍ୟୁନିଷ୍ଟ ଦେଶର ଲୋକମାନଙ୍କୁ ଆପଣାର ମନୋମତ ନେତୃତ୍ଵଟିଏ ବାଛିନେବାକୁ ସେଇ ଏକ ଅନୁକୂଳ ବାତାବରଣ ଯୋଗାଇ ଦେଇଛନ୍ତି । ପୁଞ୍ଜିବାଦୀ ସମାଜ ଓ ପୁଞ୍ଜିବାଦୀ ଜୀବନଗ୍ରନ୍ଥଗୁଡ଼ାକ ପ୍ରତି ଆକୃଷ୍ଟ ହୋଇ କ’ଣ ଗୋର୍ବାଚୋଭ୍ ଏସବୁ କରିଛନ୍ତି ? ଅଥବା କମ୍ୟୁନିଷ୍ଟ ଶାସନ ଭିତରେ ଏପରି କ’ଣ ଅସହନୀୟ ଏକ ଉପାଦାନ ରହିଥିଲା, ଯାହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଗୋର୍ବାଚୋଭ୍ ନିଜର ସର୍ବପ୍ରଥମ କର୍ତ୍ତବ୍ୟ ବୋଲି ମନେ କଲେ ଓ ସେହି ଅନୁସାରେ ଏଡ଼େ ବଡ଼ ଦ୍ଵାରଟା ଉପରେ ଆଘାତ କରିବାକୁ ପଦକ୍ଷେପ ନେଲେ, ଆମକୁ ସେହି ବିଷୟଟିର ମଧ୍ୟ ସମୀକ୍ଷା କରିବାକୁ ପଡ଼ିବ ।

 

୩୦ । ୮ । ୯୧

 

ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତିଙ୍କ ସହିତ ତଥାକଥିତ ସାହିତ୍ୟିକ ସମ୍ପର୍କ ଅପେକ୍ଷା ବ୍ୟକ୍ତିଗତ ସମ୍ପର୍କ ମୋ’ର ଅନେକ ଅଧିକ ଥିଲା । ତାଙ୍କର ଲେଖା ଅନେକ ଗଳ୍ପ ଓ ଉପନ୍ୟାସ ମୁଁ ପଢ଼ିଛି, ତାଙ୍କ ସହିତ ସାହିତ୍ୟ ଓ ତତ୍‌ସମ୍ବନ୍ଧିତ ବହୁ ବିଷୟରେ ଏକାଧିକ ବାର ଆଲୋଚନା କରିଛି, ମାତ୍ର ସାହିତ୍ୟିକର ଖୋଳପା ତଳେ ଯେଉଁ ବ୍ୟକ୍ତିଗତ, ଏକାନ୍ତ ବ୍ୟକ୍ତିଗତ ଉଷ୍ମତାର ମୂର୍ତ୍ତିଟି ତାଙ୍କଠାରେ ସର୍ବଦା ବିଦ୍ୟମାନ ରହିଥିଲା ମୋତେ ସେଇଟିହିଁ ଅଧିକ ଆକର୍ଷିତ କରୁଥିଲା, ଅଧିକ ଆନନ୍ଦ ପ୍ରଦାନ କରୁଥିଲା ।

 

ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ସରକାରୀ ଚାକିରି କରୁଥିଲେ, ମଣିଷର ଉଦୟ ବିଷୟରେ ସ୍ଵପ୍ନ ଦେଖୁଥିଲେ, ସର୍ବୋଦୟରେ ଆସ୍ଥା ରଖିଥିଲେ ଏବଂ ସାହିତ୍ୟବି ଲେଖୁଥିଲେ । ଆପଣା ଭିତରେ ତାଙ୍କୁ ନାନାଭାବେ ତାଡ଼ିତ କରୁଥିବା ଏକ ବହୁ ଗଭୀରର ଅସମର୍ଥତାକୁ ତଥାପି ଭୁଲି ରହିବା ସକାଶେ ସତେଅବା ସେ ଆପଣାର ଗଳ୍ପକାରିତାକୁ ଏକ ଭେଷଜ ବା ଉପଶମକ ପରି ବ୍ୟବହାର କରୁଥିଲେ । ଜଣେ ମଣିଷ ଭିତରେ ଏକାବେଳେକେ ସତେ କେତେ ମଣିଷ ରହିଥାଆନ୍ତି-। ପ୍ରତ୍ୟେକ ଖଣ୍ଡ ମଣିଷଙ୍କ ଭିତରେ ଆପଣା ଆପଣା ପକ୍ଷର ସମର୍ଥନ କରି ଶକ୍ତିଶାଳୀ ଯୁକ୍ତିମାନ ମଧ୍ୟ ରହିଥାଏ । ଏଣେ ସଂସାରରେ ସଫଳ ହେବାର ଯୁକ୍ତି, ତେଣେ ଏହି ଅସୁନ୍ଦରତାଗୁଡ଼ାକ ଉପରେ ବିଜୟ ହାସଲ କରିବାର ଶକ୍ତି, ପୁରୁଣା ଭିତରେ ଫୁରୁଣା ଓ ପ୍ରଶସ୍ତ ହୋଇ ଦୁଶିବାର ଯୁକ୍ତି ଓ ପୁରୁଣାକୁ ଏକାବେଳେକେ ଭାଙ୍ଗିଦେଇ ତା’ ଜାଗାରେ ନୂଆ ପରିମଳ ଓ ନୂଆ ସମ୍ବନ୍ଧର ଏକ ମନୁଷ୍ୟବ୍ୟବସ୍ଥା ପ୍ରବର୍ତ୍ତନ କରାଇବାର ଶକ୍ତି,–ଅଳ୍ପ ଶକ୍ତି ଓ ଅଳ୍ପ ଆୟୁଃ ମଣିଷଟିଏ ଏହି ଦ୍ଵନ୍ଦ୍ଵ ଭିତରେ ବିଚରା ଭାରି ଭ୍ରମ ହେଉଥାଏ । ବହୁ ଭୂମିକା ମଧ୍ୟରେ ଅତ୍ୟନ୍ତ ଦୁଃଖଦ ଭାବରେ ସିଏ ବିଭାଜିତ ହେଉଥାଏ । ମଣିଷର, ପ୍ରତ୍ୟେକ ହେତୁସମ୍ପନ୍ନ ମଣିଷର ଗଭୀରରେ ରହିଥିବା ରତ୍ନଟିର, ବୀରଟିର ଏବଂ ଭକ୍ତଟିର ଆଖିରେ ବିଚାର କଲେ ସମ୍ଭବତଃ ତାହାକୁହିଁ ବାହାରେ ଭେଷ ପିନ୍ଧି ବଞ୍ଚା ଯାଉଥିବା ଜୀବନର ଏକ ବଡ଼ ଦୁଃଖ ବୋଲି କୁହାଯାଇପାରିବ । ଛାର ସାହିତ୍ୟ କ’ଣ ସେହି ଦୁଃଖ ଉପରେ ମାଠ ମାଡ଼ିଦେଇ ତାକୁ ଦବାଇ ରଖିପାରିବ ? ଅଧିକାଂଶ ସାହିତ୍ୟିକ ସମ୍ଭବତଃ ଏହି କାରଣରୁହିଁ ଭିତରେ ମୂଳତଃ ଦୁଃଖୀ ହୋଇ ରହିଥାନ୍ତି ।

 

୩୧ । ୮ । ୯୧

 

କୋରାପୁଟ ଜିଲ୍ଲାର କାଶୀପୁରଠାରେ ମୁଁ ଶ୍ରୀ ଗୋପୀନାଥ ମହାନ୍ତିଙ୍କର ଆମେରିକାରେ ଦେହାନ୍ତ ହୋଇ ଯାଇଥିବାର ସମ୍ବାଦ ପାଇଲି । କାଶୀପୁର ହେଉଛି ନିପଟ ଆଦିବାସୀ ଅଞ୍ଚଳ । ଏବେବି ଆଦିବାସୀମାନେ ଆଦିବାସୀ ହୋଇ ରହିଛନ୍ତି । ମାଟିର ଅସଲ ଅଧିକାରଗୁଡ଼ିକ ଏପର୍ଯ୍ୟନ୍ତ ସେମାନଙ୍କ ହାତକୁ ଆସିନାହିଁ । କଞ୍ଚା ମଣିଷମାନେ ସେଠାରେ ଜୀବନଟାକୁ ଏବେ ମଧ୍ୟ କଠିନ ମଟାଳ ପରି ଭୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ତୁହାକୁ ତୁହା ବର୍ଷା ଭିତରେ ମୁଁ ଯେଉଁ ଆଦିବାସୀ ଗାଁଗୁଡ଼ାକୁ ଗଲି, ସେଠାରେ ମଣିଷମାନଙ୍କୁ ଦେଖି ମଣିଷ ବୋଲି ଚିହ୍ନିବାକୁ ମନ ହେଲାନାହିଁ । ନା ଉପରୁ ଅନୁଗ୍ରହକାରୀ ବଡ଼ ବଦାନ୍ୟମାନେ ସେମାନଙ୍କୁ ମଣିଷ ବୋଲି ଗ୍ରହଣ କରିଛନ୍ତି କିମ୍ବା ସେମାନେ ନିଜେ ମଧ୍ୟ ନିଦରୁ ଉଠି ନିଜକୁ ମଣିଷ ବୋଲି ଗ୍ରହଣ କରିଛନ୍ତି କିମ୍ବା ସେମାନେ ନିଜେ ମଧ୍ୟ ନିଦରୁ ଉଠି ନିଜକୁ ମଣିଷ ବୋଲି ଚିହ୍ନିବାକୁ ଜିଦ୍ କରି ବାହାରିଛନ୍ତି ! ସତେ ଯେପରି ପ୍ରାକୃତିକ ବିବର୍ତ୍ତନର ମନ୍ଥର ଧାରାର ଅନୁସରଣ କରି ସେମାନଙ୍କର କେବେ ଆଖି ଫିଟିବ ବୋଲି କାଳ ସେଠି ଅପେକ୍ଷା କରି ରହିଛି ।

 

ସାହିତ୍ୟ କ’ଣ ଖାଲି ଏତିକି ? ସାହିତ୍ୟିକ କ’ଣ ଖାଲି ଦେଖିବ, ଖାଲି ଲେଖିବ ଏବଂ ଖାଲି ବିଖ୍ୟାତ ହେବ ? ସାହିତ୍ୟିକ ଗୋପୀବାବୁ କ’ଣ ଖାଲି ଏତିକିରେ ସନ୍ତୁଷ୍ଟ ହୋଇ ରହିଥିଲେ-? ଆଦିବାସୀ ଅରଣ୍ୟାଞ୍ଚଳର ବଇଁଶୀ, ବାଡ଼ି ଓ ନାଉଡ଼ଙ୍କିକୁ ସାଉଁଟି ଆଣି ନିଜ ଘରେ ସୁଶୋଭନ କରି ଝୁଲାଇ ରଖି ସିଏ ତଦ୍ଦ୍ଵାରା ଆଦିବାସୀ ମଣିଷ ସୁହାଗର ସାନ୍ନିଧ୍ୟ ଲାଭ କଲେ ବୋଲି କ’ଣ ସତରେ ବିଶ୍ଵାସ କରିଥିଲେ ? ଆମେ ଯେଉଁମାନେ ତାଙ୍କୁ ଆଦିବାସୀ ମଣିଷକୁ ସିଏ ସାହିତ୍ୟୋପନ୍ୟାସ ଭିତରକୁ ଆଣି ସଜଫୁଲ ଅଥବା ଛନଛନ ଝରଣାର ଶବ୍ଦ ପରି ଫୁଟାଇ ଦେଇ ଅଥବା ବୁହାଇ ଦେଇ ପାରିଲେ ବୋଲି ଶ୍ରେୟଃ ଦେଉଥିଲା, ସେମାନେ ତାଙ୍କୁ ହୁଏତ କେବଳ ସେତିକି ବୋଲି ଦେଖୁଥିଲୁ । ଉପରର ପ୍ରଗଳ୍‌ଭ ଗୋପୀନାଥ ମହାନ୍ତି ହୁଏତ ସେହି ଶ୍ରେୟଃ ପ୍ରଶସ୍ତିରେ ଉପରେ ଉପରେ କେତେ ହୃଷ୍ଟ ହେଉଥିଲେ ଏବଂ ଭିତରର ଗୋପୀନାଥ ମହାନ୍ତିଟିକୁ ସାନ୍ତ୍ଵନା ଦେଇ ପାରୁଥିଲେ । ମାତ୍ର, ଯିଏ ଭିତରେ ସତେଅବା କୌଣସି ଅସଲ ସଖ୍ୟ ଏବଂ ସାନ୍ନିଧ୍ୟରୁ ବଞ୍ଚିତ ହୋଇ ରହିଥିଲା, ଖୋଜୁଥିଲା ପାଉ ନଥିଲା, ଦେଖୁଥିଲା ଅଥଚ ଛୁଇଁ ପାରୁ ନଥିଲା ଏବଂ, ବାହାରି ଚାଲି ଆସିବାକୁ ଉଚ୍ଛନ୍ନ ହେଉଥିଲା ଅଥଚ ଗୋଡ଼ କାଢ଼ି ବାହାରିଯାଇ ପାରୁ ନଥିଲା, ସିଏ ନିତ୍ୟ ଦୁଃଖୀ ହୋଇ ରହିଥିଲା । ଖାଲି ସାହିତ୍ୟ ଯେ କେତେ ଅଳପ, ସେହି କଥାଟିକୁ ଉପଲବ୍‌ଧି କରି ଝଅକ ମାରି ରହୁଥିଲା ।

 

୧ । ୯ । ୯୧

 

ଗଳ୍ପକାର ଗୋପୀନାଥ ମହାନ୍ତି ଶୁତ୍ରୁଜାନିମାନଙ୍କୁ ଭୁବନେଶ୍ଵର ଯାଏଁ ଆଣିଲେ, ସାହିତ୍ୟ କଲେ, ସାହିତ୍ୟ ପାଠକମାନଙ୍କୁ ମୁଗ୍ଧ କରିପାରିଲେ, ସାହିତ୍ୟର ବେଢ଼ା ଭିତରେ ନିଜପାଇଁ ସ୍ଵତନ୍ତ୍ର ଦେଉଳଟିଏ ତିଆରି କରାଇଲେ, ସ୍ଵତନ୍ତ୍ର ବାନା ଉଡ଼ାଇଲେ । ମାତ୍ର ଶୁତ୍ରୁଜାନିମାନେ ତାଙ୍କୁ ଆପଣା ଘରେ ରଖି ପାରିଲେ ନାହିଁ । ଆଲ୍‌ବର୍ଟ୍ ଶ୍ଵାଇତ୍‌ଜର୍ ଆଫ୍ରିକାରେ ମଣିଷମାନଙ୍କ ଭିତରେ ରହିଗଲେ, ଶ୍ରୀ ଡାନିଲୋ ଦୋଲ୍‌ଚି ସିସିଲିରେ ରହିଗଲେ । ଏମାନେ ଖାଲି ଲେଖୁ ନଥିଲେ, ଏମାନେ ଲେଖି ହୋଇ ଯାଉଥିଲେ । ଆଖିରେ ଦେଖୁଦେଖୁ ହୃଦୟର ଆଖିଯାଏଁ ପହଞ୍ଚି ପାରିଥିଲେ-। ଖାଲି ସାହିତ୍ୟ ଯେ କେତେ ଅଯଥେଷ୍ଟ, ଏହା ତାହାକୁହିଁ ସୂଚିତ କରିଦେଉଛି ।

 

ଏଇଠାରେହିଁ ସାହିତ୍ୟର ଅସଲ ଦୁଃଖ, ସାହିତ୍ୟିକ ଲାଗି ଅସଲ ଆହ୍ଵାନ । ସାହିତ୍ୟ ବୋଲି ସିଏ ଯାହା ଲେଖିବ, ତାହାକୁ ଖାଲି ଲେଖିବାର ସଉକରେ ଲେଖିବ ନା ତା’ର ଏହି ନିଷ୍ଠାପର ସଉକଟି ଏକ ଗଭୀର ନିବେଦନ ଆକାଂକ୍ଷାରେ ପରିଣତ ହୋଇ ପ୍ରକୃତରେ ତା’ ଜୀବନରେ କିଛି ନା କିଛି ଘଟାଇବ ? ସିଏ ନିଜେ କିଛି ହେବ ନା ମଣିଷମାନଙ୍କୁ ତା’ ସାହିତ୍ୟ ଲାଗି ପଣ୍ୟରୂପେ ବ୍ୟବହାର କରିବାରେ ଲାଗିଥିବ ଏବଂ ମଣିଷକୁ ଦରିଦ୍ର କରି ରଖିବାରେ ଯେଉଁମାନେ ସ୍ପଷ୍ଟତଃ ଦାୟୀ; ସେହିମାନଙ୍କର କଳାତ୍ମକ କାମନାଗୁଡ଼ିକର ଘରେ ଉଲ୍ଲାସ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବ ? ସାହିତ୍ୟିକ ଇଚ୍ଛା କଲେ, ସତକୁସତ ଇଚ୍ଛା କଲେ, ଆପଣା ଧର୍ମର ଏହି ସଙ୍କଟଟିକୁ ଅବଶ୍ୟ ଅତିକ୍ରମ କରିଯାଇପାରିବ । ମାତ୍ର, କେବଳ ଇଚ୍ଛା କଲେ, ଗାରଗୁଡ଼ିକୁ ଲୁବ୍‌ଧତାର ଗାରଗୁଡ଼ିକ ଅତିକ୍ରମ କଲେ ଯାଇ, ଆପଣାକୁ ଆପଣାର ଲେଖନୀଟିରେ ଆହ୍ଵାନ ଅନୁସାରେ ଘଷିମାଜି ଉଜ୍ଜ୍ଵଳ ହେବାକୁ ବାଟ ଛାଡ଼ିଦେଲେ ଯାଇ ସେହି ଅତିକ୍ରମ ସମ୍ଭବ ହୋଇ ପାରିବ । ନହେଲେ ସଭାଗୁଡ଼ାକ ଜୀବନଠାରୁ ବହୁଦୂରରେ ପଡ଼ି ରହିଥିବେ । ସଭାର ମଣିଷ ଏହିପରି ଭାବରେ ଖୋଳଗୁଡ଼ାକୁ ଦେଖାଇ ଭିତରର ଅସଲ ସତଟିକୁ ଡରି ଡରି ରହିଥିବ । ପ୍ରାୟ କିଛି ହେବନାହିଁ । ପୃଥିବୀରେ କୌଶଳ ବଢ଼ିବାରେ ଲାଗିଥିବ, ମାତ୍ର, ତା’ସହିତ ଉପେକ୍ଷା ମଧ୍ୟ ବଢ଼ୁଥିବ, ଉପେକ୍ଷାଜନିତ ଉପଦ୍ରବମାନବି ବୃଦ୍ଧି ପାଇବାରେ ଲାଗିଥିବ ।

 

୨ । ୯ । ୯୧

 

ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଆଦିବାସୀମାନଙ୍କୁ ସାହିତ୍ୟର ମସନନ୍ଦ ଭିତରକୁ ଆଣିଥିଲେ । ତାଙ୍କର ଏହି ମହିମଣ୍ଡଳରୁ ବିଦାୟ ନେଇ ଚାଲିଯିବା ବେଳକୁ ଆଦିବାସୀମାନଙ୍କ ପାଖରେ ସେହି ସମ୍ବାଦଟି ଯାଇ ପହଞ୍ଚି ପାରିଲା କି ନାହିଁ କେଜାଣି ? ସେମାନଙ୍କର ଜଣେ ଦରଦୀ ବନ୍ଧୁ ସରକାରଙ୍କ ତରଫରୁ ସେମାନଙ୍କ ପାଖକୁ ଡିକୁ ହୋଇ ଆସିଥିଲେ ମଧ୍ୟ ତା’ର ହୃଦ୍‌ବିସ୍ତାର ବଳରେ ସେମାନଙ୍କୁ ସିଏ ସାହିତ୍ୟିକ ଜୀବନ୍ୟାସ ଦେଇ ତା’ର ଲିଖିତ ଏତେଗୁଡ଼ିଏ ଉପନ୍ୟାସରେ ଠାବ ଦେଲା, ସେ କଥା ସେମାନେ ନିଜେ ଜାଣି ନଥିଲେ କି ନାହିଁ କେଜାଣି ? ଏବଂ, ସେହିସବୁ ଜୀବନୋପନ୍ୟାସକୁ ପାଠ କରି ଆପ୍ୟାୟିତ ହୋଇଥିବା ଭଦ୍ର ଓ ଶିଷ୍ଟ ବ୍ୟକ୍ତିମାନେ ଗୋପୀନାଥ ମହାନ୍ତିଙ୍କ ସର୍ଜନାର କଣ୍ଢେଇମାନଙ୍କର ପ୍ରେମରେ ପଡ଼ି ଯାଇଥିଲେ ମଧ୍ୟ ସେମାନଙ୍କୁ ସତକୁସତ ମଣିଷ ହିସାବରେ ନିଜ ଭିତରକୁ ସ୍ଵୀକାର କରିନେଇ ପାରିଥିଲେ କି ନାହିଁ କେଜାଣି ? ଏକ ବ୍ୟାଧିଗ୍ରସ୍ତ ସଙ୍କୋଚପୀଡ଼ିତ ସମାଜରେ ସାହିତ୍ୟ ସଚରାଚର ସମ୍ଭବତଃ ଏହିପରି ଭାବରେ ବିଡ଼ମ୍ବିତ ହୋଇ ରହିଯାଏ ।

 

ଔପନାସିକ ଗୋପୀନାଥ ବନବାସୀ ଗୋପ ହେବାର ଉଲ୍ଲସିତ ଆକାଂକ୍ଷା ରଖିଥିଲେ ମଧ୍ୟ ଶେଷକୁ ଭୁବନେଶ୍ଵରବାସୀହିଁ ହେଲେ । ଆପଣାର କାମନାପୂର୍ତ୍ତି ନିମନ୍ତେ ସାଙ୍ଗରେ ଆଦିବାସୀମାନଙ୍କ ଭିତରୁ କେତୋଟି ନମୁନାକୁ କଣ୍ଢେଇ କରି ନେଇ ଆସିଥିଲେ, ସେହି କଣ୍ଢେଇମାନଙ୍କ ଦ୍ଵାରା ଆପଣାର ସାହିତ୍ୟକୁ ସଜାଇଦେଇ ପାରିଲେ, କଣ୍ଢେଇମାନଙ୍କ ସନ୍ତକଦ୍ଵାରା ଘରକୁ ମଧ୍ୟ ସଜାଇ ରଖିଲେ । ଏ ବିଷୟରେ କଣ୍ଢେଇମାନେ ହୁଏତ କିଛି ଜାଣି ପାରିଲେନାହିଁ । ସେମାନେ ଯେମିତି ଥିଲେ, ହୁଏତ ସେମିତି ଅରଣ୍ୟର ପ୍ରାଣୀ ହୋଇ ପଛରେ ଅନ୍ଧାରରେ ପଡ଼ି ରହିଲେ । ଗୋପୀନାଥ ନିଜର କଳାଶକ୍ତି ଅର୍ଥାତ୍ କାଳିସୀଶକ୍ତିଦ୍ଵାରା ସେମାନଙ୍କୁ ସାହିତ୍ୟ ଭିତରେ ଆଣି ନଚାଇ ପାରିଲେ ସତ, ମାତ୍ର ମଣିଷମାନଙ୍କୁ ତଥାପି ସେହି ଅନ୍ଧାର ଭିତରେ ଛାଡ଼ିଦେଇ ଆସିଲେ । ଘଡ଼ିଏ ଭଲ ପାଇଲେ, ନିଜ ଭଲ ପାଇବାର ଉପକରଣ କିମ୍ବା ଉପସାମଗ୍ରୀରୂପେ ବ୍ୟବହାର କଲେ । ସାହିତ୍ୟ କ’ଣ ସେତିକି କରିବ ? କାଳିସୀ ଲାଗିଲାବେଳେ ଅରଣ୍ୟରେ ସାହିତ୍ୟିକ ପାରିଧି କରିବ ଏବଂ କାଳିସୀ ଛାଡ଼ିଲେ ଆପଣାର ଶିଷ୍ଟ କାଷ୍ଠାସନଗୁଡ଼ିକୁ ଫେରି ଆସୁଥିବ ?

 

୩ । ୯ । ୯୧

 

ଶିଷ୍ଟ ଓ ସାଧୁ ହୋଇ ଦିଶୁଥିବା ଏଡ଼େ ଏଡ଼େ ମଣିଷମାନେ କହୁଛନ୍ତି, ସେକାଳ ଆଉ ଆସିବନାହିଁ କି ସେ ମଣିଷ ଆଉ ସମ୍ଭବ ହେବେନାହିଁ । ଏମାନେ ଠିକ୍ କେଉଁ କାଳ ଓ କେଉଁ ମଣିଷଙ୍କର କଥା କହୁଛନ୍ତି, ସେ କଥା ମୋଟେ ସ୍ପଷ୍ଟ ହେଉନାହିଁ । ମାତ୍ର ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଅତ୍ୟନ୍ତ ଭାବପ୍ରବଣ ଏବଂ ଆବେଗପୂର୍ଣ୍ଣ ଭାବରେ ସେମାନେ ଏପରି କହୁଛନ୍ତି ଏବଂ କୌଣସି ଏକ କିମ୍ବା ଏକାଧିକ କାରଣରୁ ଏମାନେ ପଛକୁ ଅନାଇବାକୁ ଅଧିକ ପସନ୍ଦ କରୁଛନ୍ତି ।

 

ସେକାଳଠାରୁ ଆହୁରି ଅଧିକ ଭଲ କାଳ ଆସୁଛି ଓ ସେ ମଣିଷମାନଙ୍କ ଅପେକ୍ଷା ଆହୁରି ଅଧିକ ଭଲ ମଣିଷମାନେ ଆସୁଛନ୍ତି ବୋଲି ମୋ’ର ବିଶ୍ଵାନୁଭବ ମୋତେ ସତେଅବା କେଡ଼େ ସ୍ପଷ୍ଟ ଭାବରେ ସତତ କରିଦେଇ ଯାଉଛି । ମୋ’ କଥାକୁ ମୁଁ କେବେହେଲେ ଅବଶ୍ୟ ସତ ବୋଲି ଦାବି କରିବିନାହିଁ ସିନା, ମାତ୍ର ମୁଁ ଯେ ପ୍ରକୃତରେ ସେହିଭଳି ଅନୁଭବ କରୁଛି । ଏହା ହେଉଛି ଏକ ସମ୍ପୂର୍ଣ୍ଣ ସତ କଥା । ଅନ୍ୟମାନେ ଯାହା ବା ଯେପରି କହୁଛନ୍ତି, ସେମାନେ ହୁଏତ ଠିକ୍ ସେହିପରି ଅନୁଭବ କରୁଥିବେ । ହୃଦୟ କହୁଛି, ସେମାନଙ୍କ କଥା ମୋଟେ ସତ ନୁହେଁ; ଅସଲ କାଳ ଆସୁଛି, ଅସଲ ମଣିଷମାନେ ଆସୁଛନ୍ତି । ଅସଲ ଚେତନାଟା ଗୋଡ଼ କାଢ଼ି ବାଟକୁ ବାହାରିଥିବା ସଙ୍କୋଳ୍ପଜ୍ଜ୍ଵଳ ମଣିଷମାନଙ୍କ ପାଇଁ ଆସୁଛି । ଯେଉଁ ମଣିଷ ଆସୁଛି, ସିଏ ତା’ର ଏହି ଠିକ୍ ଦୁଇଟି ଆଖିରେ ବର୍ତ୍ତମାନର ମଣିଷ ତୁଳନାରେ ଅନେକ ଅଧିକ ଦେଖି ପାରିବ, ତାହାର ଏହି ଗୋଟିଏ ହୃଦୟରେ ସେ ଅନେକ ଅଧିକ ଅନୁଭବ କରି ପାରିବ । ତା’ର ବ୍ୟକ୍ତିବିଶ୍ଵ ଏବଂ ଖିଳବିଶ୍ଵ ମଧ୍ୟରେ ଆଜିର ମଣିଷ ପରି ଏତେବେଶି ବୈର ଅଥବା ବିରୋଧ ରହିବନାହିଁ । ସିଏ ଅହଂକାମୀ ନହୋଇ ଅନ୍ୟପ୍ରତି ମଧ୍ୟ ମମତା ରଖିବ, ତା’ ଆପଣା ଭିତରେ ଅନ୍ୟମାନଙ୍କ ଲାଗି ଅନେକ ଅଧିକ ସ୍ଥାନ ରହିଥିବ । ମୁଁ ଏପରି କାହିଁକି ଅନୁଭବ କରୁଛି କେଜାଣି ? ମୋ’ ହାତରେ କୌଣସି ପ୍ରମାଣ ନଥାଇ ମୁଁ ଏପରି କାହିଁକି କରୁଛି କେଜାଣି ? ପ୍ରମାଣ ନାହିଁ, ମାତ୍ର ବିଶ୍ଵାସ ଅଛି । ଗୋଡ଼ ଦୁଇଟାବି ସତେଅବା ସିଆଡ଼କୁ ପଡ଼ି ପଡ଼ି ଯାଉଛନ୍ତି । ଆବିଷ୍କାରମାନେ ସଫଳ ହେବାରେ ଲାଗିଛନ୍ତି, ମୋ’ର ଅନୁମାନଗୁଡ଼ାକୁ ସେମାନେ ଅଧିକ ପ୍ରତ୍ୟୟ ଯୋଗାଇ ଦେଉଛନ୍ତି ।

 

୪ । ୯ । ୯୧

 

ଭିତରେ ନିଜର ଲଗାମଗୁଡ଼ିକ ଯେଉଁମାନଙ୍କର ନିଜ ହାତରେ ନଥାଏ; ସଚରାଚର ସେଇମାନେ ମଣିଷ ଅଧିକ ସ୍ଵାଧୀନତା ଲାଭ କରୁ ଓ ମୁକ୍ତ ଭାବରେ ନିଜର ସ୍ଵଭାବ ଅନୁସାରେ ନିଜର ବିକାଶ କରୁ ବୋଲି ମୋଟେ ସମ୍ମତ ହୋଇ ପାରନ୍ତିନାହିଁ । ଯିଏ ନିଜର କେନ୍ଦ୍ରଟିକୁ ଅନୁଭବ କରି ପାରୁଥାଏ, ସିଏ ନିଜର ଜୀବନରେ ଯଥେଷ୍ଟ ସଂଯମ ଅର୍ଜନ କରି ପାରିଥାଏ । ତେଣୁ, ସ୍ଵାଧୀନତାର ସ୍ଵାଦକୁ ମଧ୍ୟ ଚାଖିଥାଏ ଓ ସବୁ ମଣିଷଙ୍କୁ ସ୍ଵାଧୀନତାର ଏକ ପରିବେଶ ମଧ୍ୟରେ ବାଟ ଚାଲିବାକୁ ଛାଡ଼ି ଦିଆଯାଉ ବୋଲି ସିଏ ଭାରି ସହଜରେ ରାଜି ହୋଇଯାଏ ।

 

ଯିଏ ନିଜ ଜୀବନରେ ଲକ୍ଷ୍ୟଟିଏ ପାଇଥାଏ, ଅର୍ଥାତ୍, ଜୀବନ ନାମକ ଏହି ସମଗ୍ର ବ୍ୟାପାରଟି ପଛରେ ସତକୁସତ ଏକ ଉଦ୍ଦେଶ୍ୟ ରହିଛି ବୋଲି ଅନୁଭବ କରୁଥାଏ, ସିଏ କଦାପି କାହାକୁ ନିଜର ଅଧୀନ କରି ରଖିବାକୁ ଇଚ୍ଛା କରେନାହିଁ । କାରଣ, ସିଏ ଧରି ନେଇଥାଏ ଯେ, ଅନ୍ୟ ମଣିଷମାନଙ୍କର ମଧ୍ୟ ଆପଣା ଆପଣାର ଜୀବନରେ ଏକ ଲକ୍ଷ୍ୟ ଅବଶ୍ୟ ରହିଥିବ । ସେମାନେ ସେହି ଲକ୍ଷ୍ୟ ବିଷୟରେ ସଚେତନ ଥିବେ ଏବଂ ସେହି ଅନୁସାରେ ବାଟ ଚାଲିବାକୁ ନିଷ୍ପତ୍ତି ମଧ୍ୟ ଗ୍ରହଣ କରିଥିବେ । ଅପରପକ୍ଷରେ, ଯିଏ ବିଚରା ଆପଣା ହାତରେ ଆଦୌ କୌଣସି ନିର୍ଭରଯୋଗ୍ୟ ଖିଅ ପାଇନଥାଏ, ନିଜ ଭିତରେ ରହିଥିବା କେନ୍ଦ୍ରଟିର ବାରତା ପାଇନଥାଏ, ସେଇ ଆଶଙ୍କା କରୁଥାଏ ଯେ, ମଣିଷକୁ ତା’ ସ୍ଵାଧୀନତାରେ ଛାଡ଼ିଦେଲେ ସେ ବିପଥଗାମୀ ହୋଇଯିବ, ବାଉଳା ହୋଇଯିବ ଓ ତା’ର ଜୀବନ ମଧ୍ୟ ଅକାରଣ ହୋଇଯିବ । ଅସଲ ସଂଯମ ମଧ୍ୟ ସଚରାଚର ଏହି ସ୍ଵାଧୀନତାରୁ ଆସିଥାଏ । ବୋଲ ମାନି ତଥାକଥିତ ବାଟରେ ରହିଥିବା ସଂଯମୀମାନେ ଗୋଟାଏ ପ୍ରକାର ନୈତିକ ନୀତିହୀନ ସ୍ତରରେ ରହି ଯାଆନ୍ତି ଏବଂ କର୍ମ ପରି ବୋଲ ମାନୁଥାନ୍ତି, କଷଣ ଖଟୁଥାନ୍ତି । ସେମାନେ ଭିତରେ କୌଣସି ଲଗାମ ପାଇନଥାନ୍ତି, କାରଣ କେନ୍ଦ୍ରଟି ମଧ୍ୟ ସେମାନଙ୍କର ଅନୁଭବ ଭିତରକୁ ଆସିନଥାଏ । ଗଧମାନଙ୍କର ସମାଜରେ ଏମାନେ ବେଶ୍ ସଫଳ ହୁଅନ୍ତି ସତ, ମାତ୍ର ପୁରୁଷାର୍ଥର କ୍ଷେତ୍ରରେ ଅଯୋଗ୍ୟ ହୋଇ ରହିଥାନ୍ତି । ଅଯୋଗ୍ୟ ମଣିଷମାନେହିଁ ମଣିଷ ପରି ସ୍ଵାଧୀନ ଭାବରେ ବାଟ ଚାଲିବା ବିଷୟରେ ନିଜର ଉତ୍ତରାଧିକାରକୁ ଭୟ କରନ୍ତି । ଏବଂ, ଅନ୍ୟମାନଙ୍କର ସ୍ଵାଧୀନ ଭାବରେ ବାଟ ଚାଲିବାରେ ମଧ୍ୟ ଅନ୍ତରାୟ ହୋଇ ରହିଥାନ୍ତି ।

 

୫ । ୯ । ୯୧

 

ଲଗାମଗୁଡ଼ିକ ହାତକୁ ଆସିବା ସଙ୍ଗେ ସଙ୍ଗେ ସତେଅବା ଭିତରୁହିଁ କାହାର ଅନୁମୋଦନ ପାଇଯିବା ପରି ଡେଣାଗୁଡ଼ିକ କଅଁଳି ଆସେ ଏବଂ ମୁକ୍ତ ଆକାଶ ଅର୍ଥାତ୍ ମୁକ୍ତ ଜୀବନ ଓ ମୁକ୍ତ ବିଚରଣ ପାଇଁ ମନ ହୁଏ । ଯେଉଁ ଲଗାମକୁ ବାହାରୁ ଆଣି ଲଗାଇ ଦିଆଯାଇଥାଏ, କୌଣସି ଶାସ୍ତ୍ର ବା କୌଣସି ଗୁରୁବାଦୀ ଆକଟ ଯେ ଆମକୁ ଲଗାମର ଏକ ପ୍ରତୀତି ଦେଇ ସେହି କ୍ଷେତ୍ରରେ ନାନାଭାବେ ଦାସ ଏବଂ ଭୟାର୍ତ୍ତ କରି ରଖିଥାଏ, ସେ କଥା ମୁଁ କହୁନାହିଁ । ମାତ୍ର, ନିଜ ଭିତରେ ଆଖିଟିଏ, ଶ୍ରଦ୍ଧାଟିଏ ଆପଣା ଖୁସିରେ ପାକଳ ହୋଇ ଯେତେବେଳେ ଆପଣାଲାଗି ଲଗାମଟିଏ ବା କେନ୍ଦ୍ରଟିଏ ପାଇଯାଏ, ସେତେବେଳେ ସତକୁସତ ହୃଦୟରେ ଡେଣା ଲାଗେ, ସତକୁସତ ବିମୋଚନ ଘଟେ ଏବଂ ସଂସାରର ସବୁ ଜାଗାକୁ ଉଡ଼ିଯିବାକୁ ମନ ହୁଏ ।

 

ତା’ପରେ ଅନ୍ୟ କାହାରି ଉପରେ ଲଦି ହୋଇ ବସିବାକୁ ମଧ୍ୟ ମୋଟେ ମନ ହୁଏନାହିଁ-। ଯାହାର ସତକୁସତ ଏକ ଡେଣା ରହିଛି, ସିଏ କାହିଁକି ଅନ୍ୟ କାହାର ଡେଣାକୁ ଈର୍ଷା କରିବ-? ପୃଥିବୀରେ ଯେଉଁମାନେ ଈର୍ଷା କରନ୍ତି, ସେହି ଈର୍ଷା ଯେକୌଣସି କାରଣରୁ ହୋଇଥାଉ ପଛକେ, ସେମାନଙ୍କୁ ଦେଖିଲେ ମୋ'ର ଅନୁଭବ ହୁଏ ଯେ, ବିଚରାମାନେ ଏପର୍ଯ୍ୟନ୍ତ ଡେଣାଟିଏ ପାଇନାହାନ୍ତି । ଅର୍ଥାତ୍ ସେମାନେ ନିଜ ଭିତରେ ଲଗାମଟିଏ ମଧ୍ୟ ପାଇନାହାନ୍ତି, ଅର୍ଥାତ୍ କେନ୍ଦ୍ରଟିଏ ପାଇନାହାନ୍ତି । ନିଜ ଜୀବନରେ ସେମାନେ ହୁଏତ ଆଦୌ କିଛିହେଲେ ଠାବ କରି ପାରିନାହାନ୍ତି-। ସେମାନେ ଗଧ ପରି ବୋଲ ମାନୁଛନ୍ତି, ସେମାନେ ଭଗବାନ୍‍ ନାମକ ଏକ କାଳ୍ପନିକ ବରିଷ୍ଠତା ଅଥବା ଗରିଷ୍ଠତାକୁହିଁ ଭୟ କରୁଛନ୍ତି ଏବଂ ଅନ୍ୟକୁ ଡେଣା ଫଡ଼ଫଡ଼ କରୁଥିବାର ଦେଖିଲେ ଆତଙ୍କିତ ହୋଇ ଉଠୁଛନ୍ତି । ସତେଅବା ପୃଥିବୀ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କିତ ହୋଇ ଉଠୁଛନ୍ତି-। ପୃଥିବୀରେ ଏହିପରି ଡେଣା ନଥିବା ଅର୍ଥାତ୍ ନିଜ ଭିତରେ କୌଣସି ଲଗାମ କିମ୍ବା କୌଣସି ନିର୍ଭର ପାଇନଥିବା ମଣିଷମାନଙ୍କୁ ମୋତେ ଭାରି ଡର ଲାଗେ । ସେମାନେ ମୋତେ ଗୋଟାଏ ଗୋଟାଏ ଅସହିଷ୍ଣୁ ସଣ୍ଡୁଆସି ପରି ଲାଗନ୍ତି; ପୃଥିବୀରେ ଯଥାସମ୍ଭବ ସମସ୍ତଙ୍କର ଡେଣା କାଟିଦେଲେ ପୃଥିବୀ ଶାନ୍ତ ହୋଇଯିବ ବୋଲି ଭାବି ସତେଅବା କେତେ ପରାକ୍ରମରେ ସେମାନେ ପୃଥିବୀକୁ ବାହାରିଥାନ୍ତି ।

 

୬ । ୯ । ୯୧

 

ଯୁଗୋସ୍ଳୋଭିଆର ସର୍ବ୍‌ମାନେ କହୁଛନ୍ତି, ସେମାନେ କ୍ରୋଏଟ୍ ଭୂମିରେ କ୍ରୋଏସିଆନ୍‍ମାନଙ୍କ ସହିତ କଦାପି ଏକାଠି ବାସ କରି ପାରିବେ ନାହିଁ । ଏବଂ, ସର୍ବ୍‌ମାନଙ୍କ ସହିତ କ୍ରୋଏଟ୍‌ମାନେ ବାସ କରି କ୍ରୋଏସିଆରେ ମଧ୍ୟ କ୍ରୋଧମାନେ ଫଣଫଣ ହେବାରେ ଲାଗିଛନ୍ତି । ସତେଯେପରି ଭଗବାନ୍ ତେଣୁ ସର୍ବ୍ ଏବଂ କ୍ରୋଏସୀୟମାନଙ୍କୁ ଅଲଗା ଅଲଗା ତିଆରି କରି ଏହି ପୃଥିବୀକୁ ପଠାଇ ଦେଇଥିଲେ ! ବିବେକ କହୁଛି, ଭଗବାନ୍‍ ହୁଏତ ଖାଲି ମଣିଷମାନଙ୍କୁହିଁ ତିଆରି କରି ପୃଥିବୀକୁ ପଠାଇଥିଲେ । ମଣିଷମାନେ କାଳକ୍ରମେ ଏଇଠି ନାନା ଜାଲଭିତରେ ଅଲଗା ଅଲଗା ବାନ୍ଧି ହୋଇ ରହିବାକୁ ପସନ୍ଦ କରିହିଁ ଅଲଗା ଅଲଗା ହେଲେ; ସର୍ବ୍ ହେଲେ ଅଥବା କ୍ରୋଏସୀୟ ହେଲେ, ଭାରତୀୟ ହେଲେ ବା ପାକିସ୍ଥାନୀ ହେଲେ ଏବଂ, ବଙ୍ଗାଳୀ ହେଲେ କିମ୍ବା ଓଡ଼ିଆ ହେଲେ । ସର୍ବ୍ ଆଉ କ୍ରୋଏସୀୟମାନେ ମଣିଷ ନହେବେ ପଛକେ, ସାବାଆଗ ସର୍ବ୍ ବା କ୍ରୋଏସୀୟ ହୋଇ ରହିବେ ବୋଲି ଅତ୍ୟାଗ୍ରହ ଏବେ ସେଠାରେ ବନ୍ଧୁକ, ବୋମା ଓ କେତେ କ’ଣ ଧରି ବାହାରିଛନ୍ତି ।

 

ଆମେ କ’ଣ ଏହାକୁ ଜାତୀୟତାବାଦ ବୋଲି କହିବା ? ପ୍ରତ୍ୟେକ ମଣିଷ ଯେଉଁ ସଂସ୍କାରଗତ ଅନୁରାଗଦ୍ଵାରା ପ୍ରେରିତ ହୋଇ ନିଜର ଭାଷା ଓ ନିଜର ସଂସ୍କୃତିକୁ ଅଧିକ ଆତ୍ମୀୟତା ଏବଂ ମମତା ସହିତ ଦେଖି ଶିଖେ, ଏଇଟାକୁ କ’ଣ ସେହି ଅନୁରାଗ ବୋଲି କୁହାଯିବ ? ଇତିହାସର ଆରମ୍ଭରେ ମଣିଷମାନଙ୍କ ଭିତରେ ଯେଉଁ ଆଦିମତା ଓ ବର୍ବରତା ରହିଥିଲା, ବର୍ତ୍ତମାନର ଏଇଟାକୁ ହୁଏତ ସେହି ବର୍ବରତା ବୋଲି କୁହାଯାଇପାରିବ ନାହିଁ, ମାତ୍ର ଏକ ଅତ୍ୟନ୍ତ ନିମ୍ନ ଓ ଅନାଧ୍ୟାତ୍ମିକ ସ୍ତରର ବର୍ବରତା ବୋଲି ଅବଶ୍ୟ କୁହାଯିବ । ମଣିଷ ସଭ୍ୟ ହେଲା, ସାହିତ୍ୟ କଲା, ସଂସ୍କୃତିର ସାଜଗୁଡ଼ାକୁ ଦେହ ଉପରେ ବାନ୍ଧି ହୋଇ କେଡ଼େ ସୁନ୍ଦର ଦେଖାଗଲା, ଠାକୁରମାନଙ୍କ ପାଇଁ ଭବ୍ୟମନ୍ଦିର ଓ ଗିର୍ଜାମାନ ଗଢ଼ି ଥୋଇଦେଲା, ତଥାପି କେଉଁଠି କାହିଁକି ଏକାନ୍ତ କଠିନ ଓ ଅସମ୍ମତ ହୋଇ ରହିଲା କାହିଁକି କେଜାଣି, ତା’ର ମୂଳ ବର୍ବରତାଟାକୁ ଛାଡ଼ି ପାରିଲାନାହିଁ । ଏବେର ଅଲକ୍ଷଣାପଣଗୁଡ଼ାକୁ ଆମେ ହୁଏତ ସେହି ବର୍ବରତା ବୋଲି କହି ପାରିବା-। ମାତ୍ର, ଏହି ବର୍ବରତାମାନଙ୍କୁ ଆମେ ତଥାପି ଜଣେ ସଭ୍ୟ ମଣିଷର ଚଳଣି ସହିତ କିପରି କୌଣସି ସଙ୍ଗତି ରଖି ଦେଖିପାରିବା ?

 

୭ । ୯ । ୯୧

 

ମାଆ କହନ୍ତି ପୁଅର ଜିଦ୍‌ଟା ହେଉଛି ତା’ର ଏକ ସବୁଠାରୁ ବଡ଼ ଖରାପ ଗୁଣ ଏବଂ ସେଇଟାକୁ ସିଏ ଆଦୌ ସହ୍ୟ କରି ପାରୁନାହାନ୍ତି । ପୁଅ ସାନ ହୋଇଥିଲାବେଳେ ସେ ବାପାଙ୍କର ଜିଦ୍‌ଟାକୁ ମଧ୍ୟ ଆଦୌ ସହ୍ୟ କରି ପାରୁ ନଥିଲେ ଓ ତାହାକୁ ତାଙ୍କର ଏକ ଖରାପ ଗୁଣ ବୋଲି ବ୍ୟାଖ୍ୟା କରୁଥିଲେ ।

 

ସଂସାରରେ ଅନେକ ମଣିଷ ନିଜ ଜିଦ୍‌ଟାକୁ ଦେଖି ପାରନ୍ତିନାହିଁ ବୋଲି ଅନ୍ୟ ମଣିଷମାନଙ୍କର ଜିଦ୍‌ଗୁଡ଼ାକୁ ସହ୍ୟ କରି ପାରନ୍ତିନାହିଁ । ଆପଣାର ଜିଦ୍‌ଗୁଡ଼ିକୁ ସେମାନେ ଯେତିକି ସ୍ଵାଭାବିକ ବୋଲି ସ୍ଵୀକାର କରିନିଅନ୍ତି ଅନ୍ୟମାନଙ୍କର ଜିଦ୍‌ଗୁଡ଼ାକ ସେମାନଙ୍କୁ ସତେଯେପରି ସେତିକି ଅସ୍ଵାଭାବିକ ଲାଗୁଥାଏ । ଜିଦ୍ ନଥିଲେ ଜଣେ ମଣିଷର ଦଶା ଯେ କିପରି ହୋଇ ରହିଥାନ୍ତା, ସେ କଥା ଜିଦ୍‌ଗୁଡ଼ାକୁ ଖରାପ ଗୁଣ ବୋଲି କହୁଥିବା ବ୍ୟକ୍ତିମାନେ କ୍ଵଚିତ୍ ହୃଦୟଙ୍ଗମ କରନ୍ତି । ପ୍ରତ୍ୟେକ ମଣିଷ ଭିତରେ କିଛି ସ୍ଵାଧୀନ ଇଚ୍ଛା ଥାଏ, ପ୍ରତ୍ୟେକ ମଣିଷର ଏକ ଦୃଷ୍ଟି ରହିଥାଏ, ପ୍ରତ୍ୟେକ ମନୁଷ୍ୟ ଆପଣା ଆପଣା ପ୍ରତ୍ୟାଶାର ଆକାଶରେ ବିଶେଷ ଭାବରେ କେତେଗୁଡ଼ିଏ ତାରାଙ୍କୁ ଠାବ କରିଥାନ୍ତି, ନିଜଠାରୁ ତଥା ଅନ୍ୟମାନଙ୍କଠାରୁ ସେମାନଙ୍କର ପ୍ରତ୍ୟାଶାର ଆକାଶରେ ସେମାନେ ହୁଏତ ଅତ୍ୟନ୍ତ ଅସଚେତ ଭାବରେ ଆପଣାଲାଗି ବାଟଟିଏ ପକାଇ ସାରିଥାନ୍ତି ଓ ସେହି ବାଟରେ ଚାଲିବାକୁ ଆକାଂକ୍ଷା ରଖିଥାନ୍ତି । ମଣିଷ ବଡ଼ ହେଲେ ତା’ର ସ୍ଵାଧୀନ ଇଚ୍ଛାମାନବି ବଢ଼େ ଏବଂ ଅନ୍ୟମାନଙ୍କର ଇଚ୍ଛା ସହିତ ଟକ୍କର ଖାଇଲେ ଅନ୍ୟମାନେ ତାହାକୁ ଜିଦ୍ ବୋଲି କହନ୍ତି । ଯେଉଁ ମଣିଷମାନେ ଏହିସବୁ ଟକ୍କର ବାଜୁ ବାଜୁ ବଶ ହୋଇଯାଆନ୍ତି, ପରାଜୟ ମାନିଯାଆନ୍ତି, ସେମାନେ ସଂସାରର ଗୁଳାଗୁଡ଼ିକ ଭିତରେ ଏଡ଼େ ଚମତ୍କାର ଭାବରେ ଖାପ ଖାଇଯାଆନ୍ତି ଯେ, ସେମାନଙ୍କ ଭିତରେ ଆଦୌ କୌଣସି ଅଲଗା ଆଖି ଅଛି ବୋଲି ମୋଟେ ଜାଣି ହୁଏନାହିଁ । ସେମାନେ ଗୁରୁଜନମାନଙ୍କ ପାଖରେ ସୁନାପୁଅ ହୋଇ ରହନ୍ତି । ସଂସାରର ଆକଟଗୁଡ଼ାକୁ ମାନି ନିଅନ୍ତି । ଆହୁରି ଅନେକେ ତାହା ପାରନ୍ତିନାହିଁ । ଏମାନେ ଦୁଃଖ ପାଆନ୍ତି, ତଥାପି ଜୀବନ ଭଳି ଜୀବନଟିଏ ବଞ୍ଚନ୍ତି । ପୃଥିବୀ ତା’ର ଜିଦ୍‌ଖୋର୍‍ମାନଙ୍କ ଦ୍ଵାରାହିଁ ଆଗକୁ ଯିବାର ଅଧିକ ବଳ ପାଏ ।

 

୮ । ୯ । ୯୧

 

ମାଆ କହୁଛନ୍ତି, ପୁଅଟା ଏବେ ମଧ୍ୟ ସାଂସାରିକ ବୁଦ୍ଧି ଶିଖିଲାନାହିଁ, ଭାରି ସରଳ ହୋଇ ରହିଗଲା । ତେଣୁ ସେ ଭାରି ଦୁଃଖ ପାଇବ, ନାନାବିଧ କ୍ଷେତ୍ରରେ ଅନ୍ୟମାନେ ତା’ ସରଳତାର ଫାଇଦା ଉଠାଇବେ । ସଂସାରରେ ଏବେ ଦୁର୍ବୁଦ୍ଧିଟାକୁହିଁ ଅନେକ ବୃଦ୍ଧି ବୋଲି ଗ୍ରହଣ କରି ନେଉଛନ୍ତି । ସେମାନେ ଚତୁର ଭାବରେ ସଂସାରକୁ ଯଥାସମ୍ଭବ କମ୍ ଦେଇ ଯଥାସମ୍ଭବ ଅଧିକ ମାରିନେବା ସକାଶେ ଆପଣାର ଭିତରେ ଏବଂ ବାହାରେ ସଦାତତ୍ପର ହୋଇ ରହିଛନ୍ତି, ପୁଅ ବୁଦ୍ଧି ଶିଖୁ, ଚାଲାକ ହେଉ, ଅନ୍ୟମାନେ ତା’ଠାରୁ ଅନୁଚିତ ଫାଇଦା ନଉଠାନ୍ତୁ, ମାଆ ଶୁଭାକାଂକ୍ଷୀଣୀ ହିସାବରେ ପୁଅଠାରୁ ଏହାହିଁ ଆଶା କରୁଛନ୍ତି । ସିଏ ସେହି ମୁତାବକ ତାକୁ ଗୋଟି ଗୋଟି କରି ସବୁ ସାଂସାରିକ କାଇଦା ଅର୍ଥାତ୍ ସବୁଯାକ ଦୁର୍ବୁଦ୍ଧି କେତେ ଚଞ୍ଚଳ ଶିଖାଇ ଦିଆଯାଇ ପାରିବ, ସେହି ବିଷୟରେ ଅତ୍ୟନ୍ତ ଗମ୍ଭୀର ଭାବରେ ଭାବିବାକୁ ଆରମ୍ଭ ମଧ୍ୟ କରିଦେଲେଣି ।

 

ସଂସାର କୁଟିଳମାନଙ୍କ ସକାଶେ ନୁହେଁ, ସରଳମାନଙ୍କ ସକାଶେହିଁ ତିଷ୍ଠି ରହିଛି । ଯୁଗେ ଯୁଗେ କୁଟିଳମାନେ ଏହି ସଂସାରରେ ଅଧିକ ଭୋଗର ଅଧିକାରୀ ହୋଇ ଆସିଛନ୍ତି, ଏକଥା ଅତ୍ୟନ୍ତ ସତ । ତଥାପି, ସମସ୍ତେ ସେହିମାନଙ୍କ ଠାରୁ ଶିଖି କୁଟିଳ ହେଉଥିଲେ ପୃଥିବୀର ଦଶା କ’ଣ ହୋଇଥାନ୍ତା ବା ହେଉଥାନ୍ତା କେଜାଣି ? ସରଳ ମଣିଷ ଭିତରେ ଗୋଟାଏ କି ଉପାଦାନ ରହିଛି କେଜାଣି, ଶିଖାରେ ପଡ଼ି କୁଟିଳ ହେବାକୁ ସିଏ ଆଦୌ ଖୁବ୍ ବେଶି ସମ୍ମତ ହୋଇନାହିଁ । କୌଣସି ଟେକ୍‌ନିକ୍‌ର ସହାୟତା ଗ୍ରହଣ କରି ତଥାକଥିତ ଅର୍ଥରେ ଜଗତ୍‍ରେ ଅଧିକ ହେବାକୁ ସିଏ ନିଜର ସରଳତାକୁ ଆଦୌ ଶିକ୍ଷା କରିନାହିଁ । ସିଏ ତା’ର ସ୍ଵଭାବ ସରଳ ବୋଲିହିଁ ସରଳ ହୋଇଛି-। ସରଳତାକୁ ଏକ ଜୀବନଯୋଗ୍ୟ ଐଶ୍ଵର୍ଯ୍ୟରୂପେ ଗ୍ରହଣ କରିଛି ଓ ସେହି ଅନୁସାରେ ବଞ୍ଚୁଛି-। କୁଟିଳମାନଙ୍କର ଘରୁ ଜ୍ଞାନ ଆଣିଯିବା ଲାଗି ସିଏ ଖୁବ୍‌ବେଶି ଆଗ୍ରହ ପ୍ରକାଶ କରିନାହିଁ-। ବଜାରରେ ହାରିଛି, ହାରୁଛି, ତଥାପି ଏକ ସ୍ୱାଭାବିକତାରେହିଁ ବଞ୍ଚୁଛି । ସତେଅବା କେଉଁ ଦୃଢ଼ ନିର୍ଭରଶୀଳ ଉପରେ ପରମ ଆସ୍ଥା ରହିଛି ବୋଲି ସେ ସ୍ଵାଭାବିକ ଭାବରେ ସରଳ ହୋଇ ରହିଛି-

 

୯ । ୯ । ୯୧

 

ଯେଉଁମାନେ ଏହି ସଂସାରରେ କେବଳ ଆପଣା ଲାଗି ବଞ୍ଚୁ ଥାଆନ୍ତି, ସେମାନେ ସଂସାରରୁ ଗଲାବେଳେ ସତକୁସତ ଭାରି ଏକୁଟିଆ ହୋଇ ଯାଆନ୍ତି । ସେମାନଙ୍କର ଟଙ୍କା ଥାଏ; କୋଠା ଥାଏ, ଧନ, ଜନ, ଗୋପ ଲକ୍ଷ୍ମୀ ସମସ୍ତେ ଥାଆନ୍ତି, ତଥାପି ସେମାନେ ଏକୁଟିଆ ହୋଇ ସଂସାରରୁ ଯାଆନ୍ତି । ଏହି ସବୁ କିଛିକୁ ସେମାନେ ନିଜର ବଞ୍ଚିଥିବା କାଳରେ ନିଜର ସମ୍ପତ୍ତି ବୋଲି ଧରି ନେଇଥାନ୍ତି,–ସେଗୁଡ଼ାକୁ ପଛରେ ଛାଡ଼ି ଯାଉଥିବାର ଦୁଃଖରେ ଜର୍ଜର ହୋଇ ସେମାନେ ବିଚରା ଭାରି ଏକୁଟିଆ ହୋଇ ସଂସାରରୁ ପ୍ରସ୍ଥାନ କରନ୍ତି । ସତେଯେପରି ଏଠି ସେମାନେ ଗୋଟିଏ ହେଲେ ମଞ୍ଜି ପୋତି ନଥାନ୍ତି । ତେଣୁ, ସଂସାରର ସମସ୍ତ ଅଧିକାରରୁ ବେଦଖଲ ହେଲାପରି ଭାରି ହନ୍ତସନ୍ତ ହୋଇ ପ୍ରସ୍ଥାନ କରନ୍ତି ।

 

ସଂସାରରୁ ଗଲାବେଳେ ଅସଲ ଭକ୍ତ, ଅସଲ ମଣିଷ ଅର୍ଥାତ୍ ଅସଲ ସଂସାରୀ ହସି ହସି ଯାଏଁ । ଏଗୁଡ଼ାକୁ କୌଣସିଟିକୁ ସିଏ ସାଙ୍ଗରେ ନେଇ ଯିବ ବୋଲି କେବେହେଲେ ଭ୍ରମ କରିନଥାଏ । ସେ ଆଲୋକ ଭିତରେ ଥାଏ, ମାତ୍ର ଆଲୋକକୁ କଦାପି ନିଜର ସମ୍ପତ୍ତି ବୋଲି ଭାବି ନଥାଏ । ଡୋରରେ ବନ୍ଧାହୋଇ ରହିଥାଏ, କେତେ କାହାର ହୋଇ ରହିଥାଏ, ଅରଣ୍ୟର ଅନୁରାଗସଖ୍ୟ ଭିତରେ ବୃକ୍ଷଟିଏ ହୋଇ ବଢ଼ିଥାଏ; ତେଣୁ ଡୋରଗୁଡ଼ାକୁ ଛିଣ୍ଡାଇ ମୁକ୍ତି ପାଇବାର କୌଣସି ଖଳ ଉଦାସୀନତା ସିଏ କେବେହେଲେ ଦେଖାଇ ନଥାଏ । ଗଲାବେଳେ ଏହି ସବୁଗୁଡ଼ିକ ତା’ର ଅତି ଆପଣାର ପରି ଲାଗନ୍ତି, ସମ୍ବନ୍ଧଗୁଡ଼ିକ ତା’ର ଚିରଦିନର ବୋଲି ପ୍ରତ୍ୟକ୍ଷ ହୁଅନ୍ତି । ଏକ ଚିରଦିନର ବିଧାନ ଓ ଭିଆଣ ଅନୁସାରେ ଏହି ପୃଥିବୀ ଆତଯାତ ହେଉଛି ବୋଲି ସିଏ ନିଜ ଦେହର କୋଷଗୁଡ଼ିକରେ ମଧ୍ୟ ଅନୁଭବ କରୁଥାଏ । ତେଣୁ ସଂସାରରୁ ଗଲାବେଳେ ତା’ଲାଗି ନିଜକୁ ଏକୁଟିଆ ବୋଲି ଭାବିବାର ଆଦୌ କୌଣସି ଅବକାଶ ନଥାଏ । ସମ୍ବନ୍ଧ ଲାଗିଥିବା ପର୍ଯ୍ୟନ୍ତ ମୁହୂର୍ତ୍ତଗୁଡ଼ିକ ମଧ୍ୟ ଚିରନ୍ତନ ଲାଗନ୍ତି । ଚେରଗୁଡ଼ିକ ଲାଗି ରହିଥିବା ପର୍ଯ୍ୟନ୍ତ ଏହି ଭୂଇଁଟାକୁ ଛାଡ଼ି ଚାଲି ଯାଉଥିବା ପରି ଆଦୌ ମନେ ହୁଏନାହିଁ । ଯେଉଁମାନେ ସଂସାରକୁ ଜୁର କରି, ଖିଅଗୁଡ଼ାକୁ ଅସ୍ଵୀକାର କରି ଏଠାରେ ଏକୁଟିଆ ପୁଙ୍ଗବ ହୋଇ ବଞ୍ଚିବାର ଦୁଷ୍ଟ ସୁନ୍ଦର ଲଗାଇ ଥାଆନ୍ତି, ବିଚରା ସେଇମାନେ ଦୁଃଖରେ ମରନ୍ତି, ବିକଳ ହେଉ ହେଉ ସେମାନଙ୍କର ପ୍ରାଣ ଛାଡ଼ିଯାଏ, ଲାଞ୍ଛିତ ମୃତ ଶରୀରଟା ଅତ୍ୟନ୍ତ ଶୋଚନୀୟ ଭାବରେ ଏଇଠି ପଡ଼ି ରହିଥାଏ ।

 

୧୦ । ୯ । ୯୧

Unknown

 

ମିସଲ ‘ହଁ’ଟି ପାଖରେ ଯାଇ ପହଞ୍ଚି ପାରିଲେ ସଂସାରରେ ଅନେକ “ନାହିଁ”ର ଦୁଷ୍ଟ ଦଉଡ଼ିଗୁଡ଼ାକରେ ବାନ୍ଧିହୋଇ ରହିବାର ଆଦୌ କୌଣସି ଆବଶ୍ୟକତା ନଥାଏ । କେତେ “ହଁ”ର ସୋପାନକୁ ପାରି ହୋଇ ଯେ ଏହି ଅସଲ “ହଁ”ଟିର ଅନୁଭବମୟ ପରିଚୟ ମିଳେ, ଅଙ୍ଗେ ନିଭାଇଥିବା ପ୍ରତ୍ୟେକ ମଣିଷ ସେ କଥାକୁ ଅବଶ୍ୟ ଜାଣିଥିବେ । ଏହି ପାହାଚଗୁଡ଼ିକୁ କେବଳ ବାହାରେ ନୁହେଁ, ନିଜ ଭିତରେ ମଧ୍ୟ ପାରି ହେବାକୁ ପଡ଼େ, କେବଳ ନିଜ ଭିତରେ ନୁହେଁ, ବାହାରେ ମଧ୍ୟ ପାରି ହେବାକୁ ପଡ଼େ । କୌଣସି ଆବିଷ୍କାର ଯାତ୍ରାଠାରୁ ପାରି ହେବାର ଏହି ଯାତ୍ରାଟିକୁ ଆଦୌ କୌଣସି ଗୁଣରେ କମ୍ ବୈଚିତ୍ର୍ୟପୂର୍ଣ୍ଣ ବୋଲି କହି ହେବନାହିଁ । କୌଣସି ପ୍ରେମାଭିସାର ଠାରୁ ମଧ୍ୟ ପାରିହେବାର ଅଭିସାରଟିକୁ କମ୍ ଐଶ୍ଵର୍ଯ୍ୟପୂର୍ଣ୍ଣ ଏବଂ ମହିମାମୟ ବୋଲି କଦାପି କୁହାଯାଇପାରିବ ନାହିଁ ।

 

ଅନେକେ କହନ୍ତି, ବହୁତ ବହୁତ ପ୍ରତ୍ୟାଖ୍ୟାନ ପରେ କୁଆଡ଼େ ଏହି ଅସଲ “ହଁ”ଟି ପାଖକୁ ଆସିବା ସମ୍ଭବ ହୁଏ । ମୋ’ ଭିତରେ ଥାଇ ପରମ ସାଙ୍ଗଟା କହୁଛି ଯେ, ବହୁତ ସ୍ଵୀକାର କରିନେଇ ପାରିଲେ ଯାଇ ଏହି ଅସଲ ସ୍ଵୀକାର କରିନେଇ ପାରିବାର ନେତ୍ରଟି ଖୋଲିଯାଏ । ଅନେକ ଅନେକ ପବିତ୍ରତାର ଗାରକୁ ପାରି ହୋଇ ପାରିଲେ ଯାବତୀୟ ପବିତ୍ରତାକୁ ଆବୋରି ଧରିଥିବା ସେହି ପରମ ପରିପୂରକଟି ପାଖରେ ଆସି ପହଞ୍ଚି ହୁଏ ! ଯାହାଙ୍କୁ ପାଇଲେ ସବୁକିଛିକୁ ପାଇହୁଏ, ତାହାକୁ ମୁଁ ପ୍ରତ୍ୟାଖ୍ୟାନଦ୍ଵାରା ପାଇବା ଲାଗି କେବେହେଲେ କୌଣସି ଦମ୍ଭ କରିନାହିଁ । ଯାହାଙ୍କୁ ପାଖରେ ଦେଖି ପାରୁଥିଲେ ଜଗତ୍‍ଯାକ ପାଖରେ ରହିଥାଆନ୍ତି, ଜଗତ୍‍ଟାକୁ ପ୍ରତ୍ୟାଖ୍ୟାନ କରି ଆସିପାରିଲେ ସିଏ ପ୍ରାପ୍ତ ହୋଇ ପାରିବେ ବୋଲି ସେହି ଅନ୍ୟ ଯୁକ୍ତିଟିକୁ ମୁଁ କେବେହେଲେ ଗ୍ରହଣ କରି ପାରିନାହିଁ । ତେଣୁ, ନିଜ ଭିତରଟା ଘାସଠାରୁ ଆରମ୍ଭ କରି ମହୀରୁହ ପର୍ଯ୍ୟନ୍ତ ସବୁକିଛିକୁ ଧରି ରଖିଥିବା ପରି ମନେ ହେଉଛି । ଏହି ସମସ୍ତେ ମୋ’ର ସାକ୍ଷୀ ପରି, ସାଙ୍ଗ ପରି ଅନୁରାଗ, ନିବେଦନ ଓ ସମର୍ପଣର ସକଳ ମୁହୂର୍ତ୍ତରେ ସେହି ଅସଲ “ହଁ”ଟିକୁହିଁ ପ୍ରକୃତ ସତ୍ୟାନୁଭବ ଏବଂ ପ୍ରକୃତ ସତ୍ୟାନୁଭବର ବୋଲି କହିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି ।

 

୧୧ । ୯ । ୯୧

 

ଅସଲ “ହଁ”ଟିର ଯୋଗ୍ୟ ହୋଇ ପାରିଲେ ଜୀବନରେ ଏଠାସେଠା ମଧ୍ୟରେ ଆଉ କୌଣସି ଦ୍ଵନ୍ଦ୍ଵର ସମ୍ଭାବନା ନଥାଏ । କାରଣ ଯାହାଙ୍କୁ ମଝିତାରା କରି ଦେଖି ମୁଁ ଆକାଶଟିର ଅନ୍ଦାଜ କରି ପାରୁଛି, ସିଏ ଏଠି ଥାଆନ୍ତି, ସେଠି ମଧ୍ୟ ଥାଆନ୍ତି । ବାହାରେ ରହିଥାଆନ୍ତି, ମୋ’ ଭିତରେ ମଧ୍ୟ ରହିଥାନ୍ତି । ବାହାରେ ରହି ମୋତେ ସତତ ବାହାର କରି ନେଉଥାନ୍ତି ଏବଂ ଭିତରେ ରହି ମୋ’ର ଗୋଡ଼ଗୁଡ଼ିକୁ ଆଗକୁ ଆଗକୁ ପକାଇ ଦେଉଥାନ୍ତି । ସମ୍ମୁଖରେ ଲକ୍ଷ୍ୟଟିଏ ହୋଇ, ତାରାଟିଏ ହୋଇ ସେଇଆଡ଼କୁ ଟାଣି ନେଉଥିବା ଏବଂ ଭିତରେ ସାଙ୍ଗଟିଏ ହୋଇ ବାଟ ଚଲାଇ ନେଉଥିବାର ଆଧାର ଯେତେବେଳେ ଗୋଟିଏ ହୋଇଯାଏ, ସେତେବେଳେ ଜୀବନରେ ସବୁକିଛି କେତେ ସହଜ ହୋଇଯାଏ । ଦୁଇଟା ହୋଇ ରହିଥିବା ପର୍ଯ୍ୟନ୍ତ ଦ୍ଵନ୍ଦ୍ଵ ରହିଥାଏ । ନିଜ ଭିତରେ ମଧ୍ୟ ସତେଅବା ଦୁଇଭାଗ ହୋଇ ରହିଥିବା ପରି ଦୁଃଖ ଲାଗି ରହିଥାଏ ।

 

ଦର୍ଶନବିତ୍‌ମାନେ ଦୈତ୍ୟ ଓ ଅଦୈତ୍ୟର କଥା କହିଛନ୍ତି । ତାଙ୍କୁ ଭିତରେ ଓ ବାହାରେ ଏକାବେଳେକେ ଅନୁଭବ କରି ପାରିଲେ ଜୀବନରେ ଯେଉଁ ସିଦ୍ଧି ମିଳିଥାଏ, ହୁଏତ ତାହାକୁହିଁ ଯଥାର୍ଥତମ ଅଦ୍ୱୈତସିଦ୍ଧ ବୋଲି କୁହାଯାଇପାରିବ । ଈଶ୍ଵର ଗୋଟାଏ କି ଦୁଇଟା ଠାବ କରିବା ପୂର୍ବରୁ, ମୋ’ ନିଜ ଭିତରେ କିଏ ଗୋଟାଏ ହୋଇ ରହିଛି ନା ଦୁଇଭାଗ ହୋଇ ରହି ଭିତରେ ଓ ବାହାରେ ସବୁକିଛିକୁ ଦୁଇଫାଳ ଓ ଦୁଇ ଭାଗ କରି ଦେଖୁଛି, ଆଗ ଥିର ହୋଇ ସେଇଟିକୁ ଠାବ କରିବାକୁ ପଡ଼ିବ । ଯେଉଁମାନେ ଦ୍ୱୈତବାଦର ଅବତାରଣାଦ୍ଵାରା ଜୀବନକୁ ଓ ଜଗତ୍‍କୁ ବୁଝିବାର ଫର୍ମୁଲା ପକାଇ ଦିଅନ୍ତି, ସେମାନେ ଖୁବ୍‌ସମ୍ଭବ ନିଜ ଭିତରେ ନିଜ ପାଖରେ “ହଁ” ଭରିନଥାନ୍ତି ଓ ତେଣୁ ଦୁଇଫାଳ ହୋଇ ରହିଥାନ୍ତି । ସେମାନେ ଭିତର ଓ ବାହାରକୁ ଏକାକାର ଓ “ସକଳ ନିରନ୍ତର” କରି ଦେଖି ପାରନ୍ତିନାହିଁ । ଦୂରତାଟାଏ ଆରୋପିତ କରି ନଦେଖିଲେ ହୁଏତ ଆଦୌ କୌଣସି ଅନୁମାନହିଁ କରି ପାରନ୍ତିନାହିଁ । ସେମାନଙ୍କର ଏଠାଟା ସେଠାଭିତରେ ନଥାଏ, ସେଠାଟା ଏଠାଭିତରେ ନଥାଏ । ବହୁ ବିରୋଧର ନକାସୀକାମରେ ସେମାନଙ୍କର ଦୃଷ୍ଟିଟା ବହୁଭାଗ ହୋଇ ରହିଥାଏ । ତେଣୁ, ଆଗ ଅସଲ “ହଁ”ଟିର ଯୋଗ୍ୟ ହୋଇ ତା’ପରେ ତାଙ୍କୁ ଅବିଭକ୍ତ ସାତତ୍ୟ ସହିତ ଲାଭ କରିବା, ତାହାହିଁ ସହଜ ବାଟ, ଏବଂ ସ୍ଵାଭାବିକ ବାଟ ।

 

୧୨ । ୯ । ୯୧

 

ରହସ୍ୟକୁ ଭେଦ କରିବାକୁ ହୁଏ । ଜିଜ୍ଞାସାଦ୍ଵାରା ରହସ୍ୟକୁ ଭେଦ କରିବାକୁ ହୁଏ । ଅନ୍ତଃପ୍ରବେଶ ଏବଂ ଆରୋହଣଦ୍ଵାରା ରହସ୍ୟକୁ ଭେଦ କରିବାକୁ ହୁଏ; ଆପଣାର ଚତୁର୍ଦ୍ଦିଗରେ ରହିଥିବା ଆବରଣଗୁଡ଼ିକୁ କାଢ଼ିଦେଇ ଏକ ପରମ ଅନ୍ତରଙ୍ଗତା ଏବଂ ଆତ୍ମୀୟତାର ସ୍ଥାପନାଦ୍ଵାରା ରହସ୍ୟର ଉଦ୍‌ଘାଟନ କରିବାକୁ ହୋଇଥାଏ । “ଅସ୍ମିନ୍ ଆତ୍ମନି” ଏବଂ “ଅସ୍ମିନ୍ ଆକାଶର”ର ମଧ୍ୟରେ ରହିଥିବା ବ୍ୟବଧାନଟିକୁ ଦୂର କରି ରହସ୍ୟର ଭେଦ କରିବାକୁ ହୁଏ । ତଥାପି ରହସ୍ୟ ରହିଯାଏ, ତଥାପି ଉନ୍ମୋଚନ ଲାଗି ରହିଥାଏ ।

 

ଉଦ୍‌ଘାଟନ ସତ୍ତ୍ୱେ ରହସ୍ୟ ତଥାପି ରହିଥାଏ । ଏହାକୁ କ’ଣ ଆରୋହଣକାରୀ ପକ୍ଷରେ ଏକ ପରାଜୟ ବୋଲି କହିବାକୁ ପଡ଼ିବ ? ଯେଉଁ ତଥାକଥିତ ବିଜ୍ଞାନୀ ଜଗତ୍‍ର ସକଳ ରହସ୍ୟକୁ ଭେଦ କରି ପାରିଲା ବୋଲି ଭ୍ରମ କରେ ଏବଂ ଆଉ ଉଦ୍‌ଘାଟନ କରିବାକୁ ଆଦୌ କିଛି ବାକି ରହିଲାନାହିଁ ବୋଲି ସପ୍ରମାଣ ଘୋଷଣା କରେ, ବିଚରା ସେଇ ହାରିଯାଏ, ସେଇ ଅଟକିଯାଏ, ସେଇ ବିଡ଼ମ୍ବିତ ହୋଇ ରହେ । ଯିଏ ସତକୁସତ ଆହୁରି ଅନେକ ରହସ୍ୟ ତଥାପି ରହିଲା ବୋଲି ଉପଲବ୍‌ଧି କରୁଥାଏ ଏବଂ ତେଣୁ ବାଟ ଚାଲିବାରେ ଲାଗିଥାଏ । ତା’ର ଆତ୍ମୀୟତା, ସତ୍ୟ ସହିତ ଆତ୍ମୀୟତା ବଢ଼ିବାରେ ଲାଗିଥାଏ । ବିସ୍ମୟର ମର୍ମପ୍ରବେଶ ଲାଗି ରହିଥାଏ ଏବଂ ତଥାପି ବିସ୍ମୟ ଲାଗି ରହିଥାଏ । ଆକର୍ଷଣ ଲାଗି ରହିଥାଏ, ଏକ ପରମ ଅନ୍ତରଙ୍ଗତାର ଆକର୍ଷଣ ଲାଗି ରହିଥାଏ । ଗୋଟିଏ ମଣିଷର ମଧ୍ୟ ସମସ୍ତ ରହସ୍ୟକୁ ଜାଣି ହୁଏନାହିଁ । ସେଇଥିଲାଗି, ମଣିଷଟିଏ ଦେଖିଲେ ଏତେ ଆକର୍ଷକ ମନେହୁଏ । ଗୋଟିଏ ସୂର୍ଯ୍ୟୋଦୟର ରହସ୍ୟକୁ ମଧ୍ୟ ଭେଦ କରି ହୁଏନାହିଁ । ତେଣୁ, ପ୍ରତ୍ୟେକ ଦିନର ସୂର୍ଯ୍ୟୋଦୟ ଏତେ ଆକର୍ଷକ ବୋଧହୁଏ । ନିଜର ଏହି ସାନ ଶରୀରଟି ଭିତରେ, ସାନ ହୃଦୟଟି ଭିତରେ କେତେ କେତେ ଯେ ରହସ୍ୟ ରହିଛି, ତାହାର ସମୁଦାୟ ସମ୍ବାଦ କେବେହେଲେ ମିଳେନାହିଁ । ତେଣୁ, ନିଜ ଭିତରକୁ ଭେଦିବାର ଧନ୍ଦାଟା ମଧ୍ୟ ଏପରି ଆକର୍ଷକ ମନେ ହୁଏ । ନିଜର ପାଖକୁ ଆସିବା ସମୟରେ ସତେଅବା କୌଣସି ଏକ ତୀର୍ଥର ବେଢ଼ା ଭିତରେ ପ୍ରବେଶ କରୁଥିବା ପରି ଅନୁଭବ ହୁଏ; ମହାସାଗରର ଅନ୍ତ ମିଳେନାହିଁ, ମହିମା ସତକୁସତ ଅପରମ୍ପରା ମନେ ହୁଏ ଏବଂ, ଆପଣାକୁ ଠାବ କରୁ କରୁ ଭଗବାନ୍‍ଙ୍କୁ ଠାବ କରିବାର ବାଟ ମଧ୍ୟ ମିଳିଯାଏ ।

 

୧୩ । ୯ । ୯୧

 

ଆତୁରତା ସବୁଦିନେ ରହେନାହିଁ, ମାତ୍ର ଖୋଜା ଚାଲିଥାଏ । ସତେଯେପରି ଏକ ପୁନରାବିଷ୍କାର ଲାଗି ରହିଥାଏ, ଏକ confirmation ଲାଗି ରହିଥାଏ । ସତକୁସତ ସାକ୍ଷାତ ପାଇନଥିବା ପର୍ଯ୍ୟନ୍ତ ଆତୁରତା ରହିଥାଏ; କାଳେ ବିଳମ୍ବ ହୋଇଯିବ ବୋଲି ଭିତରଟା ତରତର ହେଉଥାଏ । ସମସ୍ତଙ୍କ ଠାରୁ କେଉଁଠି ସତେଅବା ଆଗରୁ ଯାଇ ପହଞ୍ଚିଯିବା ନିମନ୍ତେ ଭିତରେ କିଏ ଭାରି ଆତୁର ହେଉଥାଏ । ଭିତରଟା ଖାଲି ପଡ଼ିଥାଏ କି କ’ଣ, ବାହାରଟାକୁ ଦୁହିଁ ଆଣି ଭିତରେ ପୂରାଇ ଦେବାକୁ ସର୍ବଦା ବିକଳ ଲାଗୁଥାଏ ।

 

ସେହି ପ୍ରଥମ ଖୋଜାର ଆତୁର ଉଦ୍‌ବେଳନଗୁଡ଼ିକ ମୋ’ର ମଧ୍ୟ ମନେ ଅଛି । ସେହି ଖୋଜିବାଗୁଡ଼ିକୁ ମୁଁ କଦାପି ଅବାର୍ଚୀନ ବୋଲି କହି ଉଡ଼ାଇ ଦେଇ ପାରିବିନାହିଁ । ପ୍ରଥମ ଉନ୍ମେଷ ତଥା ଅନୁରାଗର ସେହି ବ୍ୟାକୁଳ ଦିନଗୁଡ଼ିକ ଏବେ ମଧ୍ୟ ମୋ’ ଚେତନାର ପ୍ରଥମଖୁଣ୍ଟ ହୋଇ ରହିଛନ୍ତି ଏବଂ ମୋତେ ତଥାପି ନିତ୍ୟୋଦ୍ୟତ କରି ରଖିଛନ୍ତି । କେବଳ ଆତୁରତାଟି ନାହିଁ । କେଉଁଠି ବିଳମ୍ବ ହୋଇଯିବ, ମୁଁ ସେଠାରେ ଯାଇ ପହଞ୍ଚିଲା ବେଳକୁ ସିଏ ସେଠାରୁ କାଳେ ଆଉ କୁଆଡ଼େ ଚାଲି ଯାଇଥିବ, ତେଣୁ ବଞ୍ଚିତ ହେବାକୁ ପଡ଼ିବ, ରିକ୍ତହସ୍ତ ହୋଇ ଫେରି ଆସିବାକୁ ପଡ଼ିବ,–ଆଉ ସେପରି କୌଣସି ଭାବନା କିମ୍ବା ଆଶଙ୍କା ମୋତେ ଆଦୌ ହନ୍ତସନ୍ତ କରି ପକାଉନାହିଁ । ଏକ ଅଖଣ୍ଡ ନିର୍ଭରର ଡେଣା ଭିତରକୁ ଆସିଯିବା ପରେ ମଧ୍ୟ ଖୋଜା ଚାଲିଥାଏ । ଭିତରେ ଠାବ କରିଥିବା ସମ୍ପଦକୁ ଭିତରେ ଆଉଥରେ ଠାବ କରିବାର ଓ ବାହାରେ ଠାବ କରିଥିବା ସମ୍ପଦକୁ ଭିତରେ ଆଉଥରେ ଠାବ କରିବାର ଆନନ୍ଦ ଲାଗି ରହିଥାଏ । ପରମ ନିର୍ଭରର ଅଧିକାର ମିଳି ସାରିବାପରେ ଆତୁରତାର ଆଉ କୌଣସି ଆବଶ୍ୟକତା ନଥାଏ ସତ, ମାତ୍ର ଖୋଜିବା, ସମୀପବର୍ତ୍ତୀ ହେବା ଲାଗି ରହିଥାଏ । ସକଳ ପ୍ରହରରେ ସବୁଦିନେ ବାର ବାର ନୂତନ କରି ପାଇବାର ଅନୁଭୂତି ଲାଭ ଲାଗି ରହିଥାଏ । କେବଳ ଖୋଜିଗଲେ ଯେ ଖୋଜିବାକୁ ପଡ଼େ, ସେ କଥା ଆଦୌ ନୁହେଁ, ପାଇବା ପରେ ମଧ୍ୟ reaffirm କରିବାକୁ ପଡ଼ୁଥାଏ । ତା’ପରେ କେବଳ ଆଲୋକହିଁ ପାଇବାର ପ୍ରତୀକ ହୋଇ ରହେନାହିଁ କିମ୍ବା ଅନ୍ଧାରଗୁଡ଼ାକୁ ହରାଇ ବସିଥିବାର ପରିଣାମରୂପେ ଭୋଗ କରୁଥିବା ଦୁର୍ଭାଗ୍ୟ ବୋଲି ଲାଗେନାହିଁ । ଅନ୍ଧାର ଭିତରେ ମଧ୍ୟ ଆଲୋକର ଠାବ କରିହୁଏ । ନିର୍ଦ୍ଦିଷ୍ଟ କରି କିଛି ଆତ୍ମସାତ କରି ଆଣିବାର ଆତୁରତା ନଥିଲେ ମଧ୍ୟ ଖୋଜା ଚାଲିଥାଏ ।

 

୧୪ । ୯ । ୯୧

 

ଆପେ ଗୋଡ଼ କାଢ଼ି ନବାହାରି ଥିଲା ପର୍ଯ୍ୟନ୍ତ ପୃଥିବୀଟାଯାକ ସତେଅବା ସେଇ ପୁରୁଣା ହୋଇ ରହିଥିବା ପରି ମନେ ହେଉଥାଏ । ଭିତରେ ଗୋଟାଏ ଅଳସୁଆ ଭାରି ଆଣ୍ଟ ଧରି ରହିଥାଏ, ଯିଏକି ସବୁ ଜାଣୁଥାଏ, ହୁଏତ ସବୁ ବୁଝୁଥାଏ, ମାତ୍ର ବିଶ୍ଵାସ କରିବାକୁ ମନ କରୁନଥାଏ-। ସେଇ ଅଳସୁଆଟିକୁ ସବାଆଗ ବିଶ୍ୱାସ ଆଣିଦେବାକୁ ପଡ଼େ; ରାଗରେ ନୁହେଁ କ୍ଷୋଭରେ ନୁହେଁ, କୌଣସି ଶାସନ ଅଥବା ଆକଟରେ ଭାବ ନେଇ ନୁହେଁ, ଆପଣା ଭିତରେ ବାହାରୁ ଆସି ପଶିଥିବା ଓ ବାହାରି ଚାଲିଯିବାକୁ ମୋଟେ ଇଚ୍ଛା କରୁନଥିବା କୌଣସି ଦୁଷ୍ଟ ଓ ମନ୍ଦକାମୀ ଉପାଦାନରୂପେ ନୁହେଁ; ଆପଣାର ଏକ ଅଂଶରୂପେହିଁ ତାକୁ ଠାବ କରିବାକୁ ହୁଏ । ତା’ପାଖକୁ ଗୋଟାସୁଦ୍ଧା ବନ୍ଧୁଭାବରେ ଯାଇ ପହଞ୍ଚିବାକୁ ହୁଏ । ତେବେଯାଇ ସିଏ ଧରା ଦିଏ, ଡାକିଲେ ଆସେ, ପରତେ ଯାଏଁ ଓ ପାଖରେ ଆସି ବସେ, ସାଙ୍ଗରେ ଯିବାକୁ ରାଜି ହୋଇଯାଏ ।

 

ସେଇଟି ହେଉଛି ଜୀବନରେ ପ୍ରକୃତରେ ଏକ ସୌଭାଗ୍ୟମୟ ମୁହୂର୍ତ୍ତ । ତା’ପରେ ଦୁଆର ଖୋଲିଯାଏ ଅର୍ଥାତ୍ କୁଣ୍ଠା ଦୂର ହୁଏ, ଭୀରୁତା ଯାଏଁ, ଆପଣାକୁ ଲୁଚାଇ ରଖିବାର ଆଉ କୌଣସି ପ୍ରୟୋଜନ ରହେନାହିଁ । ନିଜେ ବାଟ ଚାଲିଲେ ପୃଥିବୀଟାଯାକ ସମସ୍ତେ ବାଟ ଚାଲୁଥିବା ପରି ଦେଖାଯାଆନ୍ତି, ଏକାବେଳେକେ ସାଙ୍ଗ ହୋଇ ବାଟ ଚାଲୁଥିବା ପରି ଦେଖାଯାଆନ୍ତି-। ସମସ୍ତେ ସେଇ ଗୋଟିଏ ତାରାଆଡ଼କୁ, ଗୋଟିଏ ସୂର୍ଯ୍ୟ ଆଡ଼କୁ ମୁହଁ କରି ବାଟ ଚାଲୁଥିବା ପରି ଦେଖାଯାଆନ୍ତି । ଏହିପରି ଭାବରେ ସମସ୍ତଙ୍କ ସହିତ ଏକାଠି ବାଟ ଚାଲୁଥିବା ପରି ଅନୁଭବ କରି ପାରିଲେ ଏହି ପୃଥିବୀ ସତକୁସତ ଏକ ତୀର୍ଥ ପରି ଅନୁଭବ ହୁଏ । ସମସ୍ତେ ଆତ୍ମୀୟ ପରି ମନେ ହୁଅନ୍ତି । ଭିନ୍ନ ଭିନ୍ନ ସ୍ଵଭାବ ସତ୍ତ୍ୱେ ସମସ୍ତେ ଏକାଠି ଗୋଟିଏ ସୂତାରେ ବନ୍ଧା ହୋଇଥିବା ପରି ଲାଗନ୍ତି । ଲାଜ ଚାଲିଯାଏ, ନିଜର କିଛିହେଲେ କାହା ପାଖରେ ଲୁଚାଇ ରଖିବାକୁ ମନ ହୁଏନାହିଁ । ଏହି ସଂସାର ଏକ ସରୋବର ପରି ଅନୁଭବ ହୁଏ ଏବଂ ତାହାରି ଭିତରେ ଅନ୍ୟମାନଙ୍କ ସହିତ ପଦ୍ମଟିଏ ହୋଇ ଫୁଟି ଉଠିଥିବା ପରି ଲାଗେ । ଏହି ସବୁକିଛି ମହିମାମୟ ଲାଗେ, ସୌରଭଯୁକ୍ତ ହୋଇ ରହିଥିବା ପରି ଲାଗିଥାଏ । ଏକାବେଳେକେ ସମସ୍ତଙ୍କର ହୋଇଯିବାକୁ ବାଟ ଦିଶିଯାଏ । ତତଃ ନ ବିଜୁ ଗୁପ୍‌ସତେ ।

 

୧୫ । ୯ । ୯୧

 

ଭୁବନେଶ୍ଵରରୁ ଫୁଲବାଣୀ ଓ ଫୁଲବାଣୀରୁ ଭୁବନେଶ୍ଵର । ସେଠି ମୋ’ର ଘର, ଆଉ ଏଠି ଏମାନେ କ’ଣ ମୋ’ର ପର ? ଆତ୍ମୀୟତାଟା ଗୋଟିଏ ଏପରି ସହଜପ୍ରସାରୀ ଓ ସ୍ଵଭାବପ୍ରସାରୀ ଶବ୍ଦ ଯେ, ତାହାକୁ ତଥାକଥିତ ପ୍ରାଚୀରଗୁଡ଼ିକ ମଧ୍ୟରେ କଦାପି କିଳି କରି ରଖାଯାଇ ପାରେନାହିଁ । ତଥାକଥିତ ଓଡ଼ିଶା ଭିତରେ ଥିଲାବେଳେ ମୁଁ କ’ଣ ଖାଲି ଓଡ଼ିଶା ଦେଖେ, ଓଡ଼ିଶାକୁ ଚିହ୍ନେ ଓ ଓଡ଼ିଶା ଭିତରେହିଁ ରହିଥାଏ ?

 

ଜାତୀୟତାର ଯୁଗରେ ଏହି ଦେଶରେ ଆଖି ଥିବା ଲୋକମାନେ ଭାରତବର୍ଷକୁ ସେମାନଙ୍କର ସୀମା ବୋଲି ଗ୍ରହଣ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ନିଜ କବିତାରେ ଭାରତବର୍ଷକୁ ନିଜ ଅନୁରାଗରେ ସାକାର ସରହଦ୍‍ରୂପେ ଗ୍ରହଣ କରିଥିଲେ । ଶ୍ରୀ ଅରବିନ୍ଦ ପ୍ରଭୃତି ମନୀଷୀମାନେ ଭାରତବର୍ଷର ଏକ ସ୍ଵତନ୍ତ୍ର ଆତ୍ମା ରହିଛି ବୋଲି କେତେ ଚାକ୍ଷୁଷ ଏବଂ ଆନ୍ତରିକ ଭାବରେ ଅନୁଭବ କରିଥିଲେ ! ପ୍ରତ୍ୟେକ ଦେଶର କିମ୍ବା ଜାତିର ଗୋଟାଏ ଗୋଟାଏ ସ୍ଵତନ୍ତ୍ର ଆତ୍ମା ରହିଛି ବୋଲି କେଡ଼େ ପ୍ରତ୍ୟକ୍ଷ ଭାବରେ ସିଏ ତଥା ଅନ୍ୟମାନେ ଘୋଷଣା କରି ନଥିଲେ ! ମୁଁ ଭାବେ, ମଣିଷ ସବୁଠାରେ ଯାହାକୁ ଦେଖେ, ତାହାକୁହିଁ ନିଜ ଘରେ ଦେଖେ, ନିଜ ଦେଶରେ ଦେଖେ, ନିଜ ଜାତିର ଅନ୍ତର ଭିତରେ ମଧ୍ୟ ଅନୁଭବ କରିଥାଏ । ସବୁଟିର ସାନ୍ନିଧ୍ୟକୁ ଏକାବେଳେକେ ଅନୁଭବ କରି ସିଏ ଯେଉଁ ଖୁସିକୁ ଆତ୍ମସ୍ଵରେ ପରିଣତ କରିଥାଏ, ସେ ତାହାକୁହିଁ ଏକକ ପ୍ରତ୍ୟେକ ଆୟତନରେ ଦୋହରାଇ କରି ଦେଖେ ଏବଂ ଖୁସି ହୁଏ । ଆପଣାର ଆକାଶଟି ଅନୁସାରେହିଁ ପ୍ରତ୍ୟେକ ମନୁଷ୍ୟ ଆପଣାର ତାରାଟିକୁ ଠାବ କରନ୍ତି ଏବଂ ଆପଣାର ତାରାଟି ଅନୁସାରେ ଆପଣାର ଘରକୁ ଠାବ କରନ୍ତି । ସତେଅବା ଏକ ନିରୀହ ସରାଗରେ ଏଇଟାକୁ ବା ସେଇଟାକୁ ଅଲଗା ଅଲଗା କରି ଦେଖୁଥାନ୍ତି ସିନା, ମାତ୍ର ସେମାନଙ୍କର ଅନୁଭୂତ ଅଥବା ସ୍ଵାଙ୍ଗୀକୃତ ଆକାଶଟାହିଁ ସେମାନଙ୍କର ଯାବତୀୟ ଓ ସକଳକ୍ଷେତ୍ରୀୟ ସ୍ଵାଙ୍ଗୀକରଣରେ ଦିଗ୍‌ଦର୍ଶନ ଦେଉଥାଏ । ସେଇଥିଲାଗି ଏଡ଼େଟିକିଏ ଆଖି ଥିବା ଏଡ଼େଟିକିଏ ମଣିଷ ଆପଣାର ଅସଲ ଅନ୍ତରଙ୍ଗତାର କ୍ଷେତ୍ରରେ ସେହି ଆକାଶଟାକୁ ଝୁରି ହେଉଥାଏ, ନିଜର ତଥାକଥିତ ବିଶ୍ଵଟି ମଧ୍ୟରେ ବୃହତ୍ତର ବିଶ୍ଵକୁ ଝୁରି ହେଉଥାଏ । ତାହାକୁ ଆଧାର କରି ତାକୁ ଏକାବେଳେକେ ବିନ୍ଦୁ ଓ ସିନ୍ଧୁର ଆଘ୍ରାଣ ଦେଇ ଯାଉଥିବା ସୂତାଟିକୁ ଆମେ କ’ଣ ତା’ର ଅସଲ ଆତ୍ମୀୟ ବା ପରମାତ୍ମୀୟ ବୋଲି କହିବା ?

 

୧୬ । ୯ । ୯୧

 

ଆପଣାକୁ ଶିକ୍ଷିତ, ପ୍ରସ୍ତୁତ ଏବଂ ସମ୍ମତ କରିନେବାର ଏକ ସମବେତ ପ୍ରୟାସ,–ତାହାରି ନାମ ଶିବିର । ଏହି ପ୍ରସ୍ତୁତି ନିରନ୍ତର ଲାଗି ରହିଥିବ । ପରସ୍ପର ସହିତ ଏହି ଆତ୍ମୀୟତା ନିରନ୍ତର ଲାଗି ରହିଥିବ । ଆମେ କେହି ଗୁମ୍ଫା ଭିତରେ ଆବଦ୍ଧ ରହି ନିକାଞ୍ଚନ ଭାବରେ ଆମ ନିଜ ଭିତରେ ନିହିତ ହୋଇ ରହିଥିବା ଅଶକ୍ତିକୁ ଖୋଜିବାକୁ ଯିବୁନାହିଁ । ସେହି ଶକ୍ତିର ଉନ୍ମୀଳନରେ ଆମେ ପରସ୍ପରକୁ ପ୍ରେରଣା ଦେବୁ, ସାହାଯ୍ୟ କରିବୁ,–ତାହାରି ନାମ ଶିବିର । ଯେଉଁଠି ଅନେକ ସ୍ଵାଧୀନ ମଣିଷ ପ୍ରଧାନତଃ ଅନୁରାଗଦ୍ଵାରା ପ୍ରେରିତ ହୋଇ ଏକତ୍ର ହୁଅନ୍ତି ଏବଂ ପରସ୍ପରକୁ ଆହୁରି ଆଗକୁ ଆଗକୁ ଯିବାରେ ସାହାଯ୍ୟ କରନ୍ତି, ସେହିଠାରେହିଁ ସମ୍ପୃକ୍ତ ସମସ୍ତଙ୍କ ଲାଗି ଏକ ଯଥାର୍ଥ ଶିବିରର ଅନୁଭବ ହୋଇଥାଏ । କେହି କାହାକୁ ବାଧ୍ୟ କରେନାହିଁ, କେହି କାହାରିକୁ ଗିଳି ପକାଇବାର କ୍ରୂରତା କରେନାହିଁ, କେହି କାହାରି ଉପରେ ଲଦିହୋଇ ବସିବାର ଆକାଂକ୍ଷା ରଖିନଥାଏ । ଅଥଚ, ପରସ୍ପରର ପାଖରେ ବସି ସତକୁସତ ଖୁସି ହୁଏ, ପରସ୍ପର ମଧ୍ୟକୁ ଅବାଧରେ ପ୍ରବେଶ କରି ପାରୁଥାଏ ଓ ତାହାରି ମାଧ୍ୟମରେ ଆମ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥିବା ସୂତ୍ରଟିକୁ ଚାକ୍ଷୁଷ ଭାବରେ ଓ ଅନୁଭବ କରେ । ଏହିପରି ଏକ ଅବସରର ନାମ ଶିବିର !

 

ଏହି ଶିବିର ସରେନାହିଁ । ଶିବିର ଭିତରେ ରହିଥିବା ସମୟରେ ସିଧା ବାଟ ଚାଲୁଥିବା ପରି ଅନୁଭବ ହୁଏ । ଆମେ ପ୍ରତ୍ୟେକେ ଯେ କ’ଣ ଗୋଟିଏ ସ୍ଥାନର, ସମ୍ଭାବନାର ଆକର୍ଷଣରେ ବାଟ ଚାଲୁଛୁ, ତାହାରି ଅନୁଭବ ଶିବିରରେ ମିଳେ । ହୁଏତ ପରସ୍ପରର ପରିପୂରକ ଭାବରେ ବାଟ ଚାଲୁଥିବାର ଅନୁଭବ ମିଳେ । ସ୍ଵଭାବତଃ ଯେତେ ବିଭିନ୍ନ ହେଲେ ମଧ୍ୟ ଆମେ ଯେ ତଥାପି ଏକତ୍ର ଗୋଟିଏ ଫୁଲବଗିଚାର ଆଘ୍ରାଣ ପାଇଛୁ ଓ ସେହିଠାରେ ଯାଇ ପହଞ୍ଚିବା ଲାଗି ବାଟ ଚାଲୁଛୁ, ତାହାରି ଅନୁଭବ ମିଳେ । ଆମେମାନେ କ’ଣ ସତରେ ସେଠାରେ ଯାଇ ପହଞ୍ଚି ପାରିବୁ ? ଏପରି ଏକ ଜାଗାଟିଏ କ’ଣ ସତରେ କେଉଁଠି ବାଡ଼ ଦିଆହୋଇ, କାନ୍ଥ ଦିଆଯାଇ ଆମଲାଗି ଚିହ୍ନଟ ହୋଇ ରହିଛି ? ସେ କଥା କେହି କହି ପାରିବନାହିଁ । ମାତ୍ର, ସେଇ ବଗିଚାଟିର ବାସନା ଯେ ଆମ ନିଜ ନିଜ ଭିତରୁ କ୍ରମେ ଅଧିକରୁ ଅଧିକ ସୁନିଶ୍ଚିତ ଭାବରେ ମିଳିବାକୁ ଆରମ୍ଭ କଲାଣି, ଆମେ ପ୍ରତ୍ୟେକେ ତାହାରି ସାକ୍ଷ୍ୟ ଦେବାକୁ ଆଦୌ କୁଣ୍ଠିତ ହେବୁନାହିଁ ।

 

୧୭ । ୯ । ୯୧

 

ଉଜ୍ଜ୍ଵଳ ଜୀବନଚଞ୍ଚଳ ଅରଣ୍ୟାନୀ ମଧ୍ୟରେ ବାସ କରୁଥିବା ଦରିଦ୍ର ଆଦିବାସୀର ଜୀବନରେ ତଥାପି ଏକ ସ୍ଵାଭାବିକ ଔଜଲ୍ୟ ରହିଛି । ଏକ ସ୍ଵକୀୟ ସ୍ନିଗ୍‌ଧତା ଓ ସ୍ଵକୀୟ ଖୁସି ରହିଛି । ଆଦିବାସୀମାନଙ୍କୁ ଆସୁଣୁ ଯାଉଣୁ ସରଳ ଓ ନିରୀହ ବୋଲି କହି ସେହି କଥାଟିକୁ କଦାପି ଉଡ଼ାଇ ଦିଆଯାଇ ପାରିବନାହିଁ । ଆମେ ଅନ୍ୟଥା ନିଃସଙ୍ଗ ହୋଇ ରହିଥିବା ଅନେକେ ଆଦିବାସୀମାନଙ୍କୁ ସରଳ ନିଃସଙ୍ଗ ବୋଲି କହିଥାଉ । ଏବଂ, ସେହିପରି କହି କେତେ ଆନନ୍ଦ ଲାଭ କରିଥାଉ, କେତେ ସାନ୍ତ୍ଵନା ଲାଭ କରିଥାଉ ।

 

ପ୍ରଥମ ଚାହାଣିରେ ଆଦିବାସୀ କେଡ଼େ ଉଦାସୀନ ଦିଶେ, ତୁମେ ଗୋଟାସୁଦ୍ଧା ମଣିଷ ପରି ଦିଶୁଥିଲେ ମଧ୍ୟ ତୁମେ ସତକୁସତ ମଣିଷ ହୋଇଥିବ କି ନାହିଁ, ସେହି ବିଷୟରେ ସେ ଆପଣା ଭିତରୁ ହଠାତ ପ୍ରତ୍ୟୟ ପାଇ ପାରେନାହିଁ । ତେଣୁ ଦୂରରେ ଥାଏ, ପାଖରେ ବସିଥିଲେ ମଧ୍ୟ ବହୁଦୂର ହୋଇ ରହିଥାଏ । ତା’ପାଖକୁ ଏମିତି କେତେ ମଣିଷ ଆସିଛନ୍ତି, ତାକୁ ଭଣ୍ଡାଇ ଦେଇଛନ୍ତି, ବୋକା ବନାଇଛନ୍ତି,–ଯୁଗଯୁଗର ଏହିପରି ଏକ ଅଭିଜ୍ଞତା ସତେଅବା collective unconscious ହୋଇ ତାକୁ ଭାରି ସନ୍ଦିହାନ କରି ରଖିଥାଏ । ତା’ପାଖକୁ ସଚରାଚର ଯେଉଁମାନେ ଆସନ୍ତି, ସେମାନେ ମଧ୍ୟ କେଜାଣି କାହିଁକି ତାକୁ ଆଗ, ସବାଆଗ ଆଦିବାସୀ ବୋଲି ଦେଖନ୍ତି, ତା’ପରେ ଯାଇ ଅତ୍ୟନ୍ତ ତିର୍ଯ୍ୟକ ଭାବରେ ତାକୁ ମଣିଷ ପରି ଦେଖନ୍ତି । ମାତ୍ର, ଯଦି ତୁମେ ଅନ୍ୟପ୍ରକାର ହୋଇଥିବ, ଯଦି ତୁମେ ଆଦିବାସୀ ବୋଲି ଦେଖିବା ପୂର୍ବରୁ ତାକୁ ମଣିଷ ବୋଲି ଦେଖି ପାରୁଥିବ, ତାକୁ ଦୟା କରିବା ପୂର୍ବରୁ ଯଦି ତୁମେ ତାକୁ ତୁମରି ପରି, ସମକକ୍ଷ କରି ଜଣେ ମଣିଷ ବୋଲି ଗ୍ରହଣ କରିନେଇ ପାରୁଥିବ, ତେବେ ଆଦିବାସୀ ଚଟ୍ କରି ସେ କଥା ସମଝି ନେଇ ପାରିବ, ତୁମକୁ ମିତ ବୋଲି ଗ୍ରହଣ କରିନେଇ ପାରିବ, ତୁମ ପାଖକୁ ଲାଗି ଆସିବ, ତୁମର ଦେହ ସହିତ ଦେହ ଲଗାଇ ବସିବ । ମୁଁ ଏକଥା ସବୁଦିନେ ଅଙ୍ଗେ ନିଭାଇ ଆସିଛି । ଏଥର ମଧ୍ୟ ଫୁଲବାଣୀ ଜିଲ୍ଲାରେ କେତୋଟି ଆଦିବାସୀ ଗାଁରେ ଠିକ୍ ସେହିକଥା ଅନୁଭବ କରି ଆସିଲି । ଫୁଲବାଣୀ ଓ ଭୁବନେଶ୍ଵର ମଧ୍ୟରେ ମୁଁ ଏହାକୁହିଁ ସବୁଠାରୁ ବଡ଼ ଫରକ ଏଥର ମଧ୍ୟ ଅନୁଭବ କଲି-। ଆଉଥରେ ଆଶ୍ଵସ୍ତ ହେଲି ।

 

୧୮ । ୯ । ୯୧

 

ନାଆଁ କମାଇବା ସକାଶେ ମୁଁ କେଉଁଦିନ ହେଲେ ଲେଖୁ ନଥିଲି । କୌଣସି ସାହିତ୍ୟ ଅଥବା ତଥାକଥିତ ମୋ’ ସାହିତ୍ୟକୁ କେଉଁ ଉଚ୍ଚ ପିଣ୍ଡା ଉପରେ ନେଇ ବସାଇଦେବା ଲାଗି ମୁଁ ସାହିତ୍ୟ ଲେଖୁ ନଥିଲି । ମୁଁ ସାଥୀ ଖୋଜୁଥିଲି ବୋଲି ଯାହାକିଛି ଲେଖୁଥିଲି । ଯାହା ଖୋଜୁଥିଲି, ତାହା ପାଇଲି । ଏବେ ମଧ୍ୟ ପାଉଛି । କେବଳ ଅନ୍ୟମାନଙ୍କୁ ନୁହେଁ, ନିଜ ଭିତରେ ନିଜକୁ ମଧ୍ୟ ମୁଁ ପ୍ରଧାନତଃ ସାଥୀଟିଏ କରି ପାରଛି । ଯାବତୀୟ ଅନ୍ୟ ପଥ ଅପେକ୍ଷା ମୋ’ ସାହିତ୍ୟପଥଟିହିଁ ମୋତେ ଏହି ସାଥୀ ଖୋଜିବାରେ ସବୁଠାରୁ ଅଧିକ ସାହାଯ୍ୟ କରିଛି । ଏହି ପୃଥିବୀରେ ଯେ ମୂଳତଃ ସାଥୀମାନେହିଁ ଅଛନ୍ତି, ମୋତେ ସେହି ମୂଳ ପ୍ରତ୍ୟୟଟିକୁ ଦେଇଯାଇଛି ।

 

ନିଜକୁ ନିର୍ମଳ, ନିର୍ଭୟ ଏବଂ ଅନୁରାଗପୂର୍ଣ୍ଣ ଭାବରେ ଅଭିବ୍ୟକ୍ତ କରି ପାରିବା, ଅର୍ଥାତ୍ ଗଭୀରକୁ ଭେଦି ପାରିବା । ଏହି ଉପର ଅନ୍ତସ୍କରଣଟାର ଯାବତୀୟ ବିରୋଧ ଓ ଦ୍ଵନ୍ଦ୍ଵ ସତ୍ତ୍ୱେ ଭିତରେ ଯେ ସାଥୀଟିଏ ବସିଛି, ଅପେକ୍ଷା କରି ବସିଛି, ତାହାରି ଆବିଷ୍କାର କରିବା । ସେହି ସାଥୀଟି ପାଖକୁ ଯାଇପାରିଲେ ତଥାକଥିତ ଏହି ବାହାରର ପୃଥିବୀରେ ମଧ୍ୟ ତାକୁ ଆବିଷ୍କାର କରିପାରିବା କଷ୍ଟକର ହୁଏନାହିଁ । ବାହାର ପୃଥିବୀରେ କେତେ ବାଦ ଓ କେତେ ବିବାଦ, କେତେ ମତ କି କେତେ ପଥ, ଆପଣାକୁ ଲୁଚାଇ ରଖିବା ଲାଗି କେତେ ନା କେତେ ଅଭିନୟ, ଆପଣାର ଅସଲ ପରିଚୟ ଏବଂ ଅସଲ ବେଦନାଗୁଡ଼ିକୁ ଲୁଚାଇ ରଖିବାର ଅଭିପ୍ରାୟରେ ନିଜକୁ ରାଜା ଓ ମନ୍ତ୍ରୀ ଭଳି ଦେଖାଇ ହେବାର କେତେ ନା କେତେ ଯନ୍ତ୍ରଣାଦାୟକ ପ୍ରୟାସ । ମାତ୍ର, ଏହି ସବୁକିଛିର ଆବରଣ ତଳୁ ସାଥୀଟିକୁ ଆବିଷ୍କାର କରିନେଇ ପାରିଲେ ଏଗୁଡ଼ିକର ସମାଧାନ ହୋଇଯାଏ, ଅତ୍ୟନ୍ତ ସହଜରେ ସମାଧାନ ହୋଇଯାଏ । ଆପଣାକୁ ଅଭିବ୍ୟକ୍ତ କରି ପାରିବାଦ୍ଵାରାହିଁ ଏହି ସମାଧାନର ସୁରାକଗୁଡ଼ିକ ଦୃଷ୍ଟିଗୋଚର ହୋଇ ଆସନ୍ତି । ସାହିତ୍ୟ,–ସମସ୍ତଙ୍କୁ ନିଜର ଦୋସର ବୋଲି ଆବିଷ୍କାର କରିବା ନିମନ୍ତେ ଏକ ଅଦ୍ଭୁତ ଶକ୍ତିର ପଥ । ତେଣୁ, ଯେଉଁମାନେ ନିଜର ସାହିତ୍ୟକାରିତାକୁ ଆପଣାକୁ ଲୁଚାଇ ରଖିବାର ଏକ ମାଧ୍ୟମରୂପେ ବ୍ୟବହାର କରିବାକୁ ଚେଷ୍ଟା କରିଥାନ୍ତି, ମୁଁ ସେମାନଙ୍କୁ ଆଦୌ ବୁଝି ପାରେନାହିଁ । ସେମାନଙ୍କ ପାଖରେ ବସିଥିବାବେଳେ ମୁଁ ଭାରି ବିଡ଼ମ୍ବନାରେ ପଡ଼ିଥାଏ ।

 

୧୯ । ୯ । ୯୧

 

ମନ ଧରା ଦିଏ ନାହିଁ; ମନ ବାଆଁରେଇ ହୁଏ, ମନ ସମୟ ଗଡ଼େଇ ଦେବାକୁ ଇଚ୍ଛା କରୁଥାଏ । ମୁଁ ସେତେବେଳେ ମନ ଉପରେ କ୍ରୋଧ କରେନାହିଁ । ମୁଁ ତ ତାକୁ ତା’ ଚଗଲାମିରେ ଛାଡ଼ି ଦେଇଥାଏ, ଏବଂ ଅପେକ୍ଷା କରୁଥାଏ । ଏକାନ୍ତ ବିଶ୍ଵାସର ସହିତ ଅପେକ୍ଷା କରୁଥାଏ । ବିଶ୍ଵାସ କରୁଥାଏ ଯେ, ଏହି ମନ ପୁନର୍ବାର ବାହୁଡ଼ି ଆସିବ, ଆପେ ଆପେ ଧରାଦେବ ଓ ସତେଅବା ଯନ୍ତ୍ର ପରି କାମ କରିବ ।

 

ଏ ମନ ଯାହାର ଯନ୍ତ୍ର, ସିଏ ମଧ୍ୟ ମନର ଏହି ଚଗଲାମିଟିକୁ ଅତ୍ୟନ୍ତ ଭଲ ଭାବରେ ଜାଣିଛି । ଚଗଲାମି ସକାଶେ ଶାସନ କରିବା କିମ୍ବା ଦଣ୍ଡ ଦେବା ଆଦୌ ସେହି ଅନ୍ତରସ୍ଥ ସତ୍ତାଟିର ଆଚାର ନୁହେଁ । ଅନ୍ତରରେ ବସିଥିବା ସୁହୃତ୍ କେବେହେଲେ ଦଣ୍ଡ ଦିଏନାହିଁ । ଯେଉଁ ମନ ତାହାରି ଯନ୍ତ୍ର ହୋଇ ରହିବ ବୋଲି ନିଷ୍ପତ୍ତି କରି ନେଇଥାଏ, ସିଏ ସେହି କଥାଟିକୁ ଖୁବ୍ ଭଲ କରି ଜାଣିଥାଏ । ତେଣୁ, ବେଳେବେଳେ prodigal son ପରି ବ୍ୟବହାର କରେ, ପଳାଇଯାଏ, ପୁଣି ଫେରିଆସେ । ବେଳେବେଳେ ଭାରି ଚଗଲା ହୁଏ, ମାତ୍ର କଦାପି ସୂତା ଛିଣ୍ଡାଇ ପଳାଇ ଯାଏନାହିଁ । ଖିଅଟି, ଦଉଡ଼ିଟି ସବୁବେଳେ ଲାଗିଥାଏ । ସତେଅବା ଏକ ବୁଝାମଣା ହୋଇଥିବା ପରି ଭିତରୁ ଏକାବେଳେକେ ଲମ୍ବା ଦଉଡ଼ି ଛାଡ଼ି ଦିଆଯାଏ ଓ ମନକୁମନ କୁଆଡ଼େ ଡେଇଁ ବୁଲିବାର ସ୍ଵାଧୀନତା ଦିଆଯାଏ । ଏସବୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ହୁଏ । ତେଣୁ, ଏହି କ୍ଷେତ୍ରରେ ଅମାନ୍ୟ କରି, ପଘା ଛିଡ଼ାଇ ପଳାଇ ଯିବାର କୌଣସି ଆଶଙ୍କା ନଥାଏ, ସିଏ ଯେ ପୁନର୍ବାର ସମୟ ଜାଣି ଫେରିଆସିବ ଓ ଧରା ଦେବ, ମନ ସେ କଥା ଖୁବ୍ ନିଶ୍ଚିତ ଭାବରେ ଜାଣିଥାଏ । ଯେତେବେଳେ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି, ଗୋଟାଏ ପକ୍ଷ ସହିତ ଆଉଗୋଟାଏ ପକ୍ଷର ଯେତେବେଳେ ଏକ ନିତ୍ୟଖିଅ ଲାଗି ରହିଛି, ସେତେବେଳେ ବିଶ୍ଵାସରେହିଁ ସବୁ କାର୍ଯ୍ୟ ଚାଲିଛି । ବିଶ୍ଵାସରୁହିଁ ମଝିରେ ମଝିରେ ଧରା ନଦେବାର ଏହି ଗେହ୍ଲାପଣ ବାହାରୁଛି । କ୍ଷୋଭର କୌଣସି କାରଣ ନାହିଁ । ପ୍ରକୃତ ବଳ ଦୁର୍ବଳତାକୁ ମଧ୍ୟ ବୁଝିପାରେ, ସାମୟିକ ଧରା ନଦେବାକୁ ସତେଅବା ଅତି ଆପଣାର କାହାର ଏକ ସାମୟିକ ଅଲିଅଳପଣରୂପେ ଗ୍ରହଣ କରେ । ନୀତିବାଦୀ ଏସବୁର ପତ୍ତା ପାଏନାହିଁ । ତା’ର ଶାସନ ଏହି ଅନ୍ୟ ଶାସନଟିକୁ ମୋଟେ ବୁଝି ପାରେନାହିଁ ।

 

୨୦ । ୯ । ୯୧

 

ଯନ୍ତ୍ରୀ ଯନ୍ତ୍ରଟିକୁ ଖୁବ୍ ଭଲ କରି ଜାଣେ । କାରଣ, ସେଇ ଯନ୍ତ୍ରଟି ଭିତରେ ଜନନୀର ବାସନାରୂପେ ରହି ଯନ୍ତ୍ରଟିକୁ ତିଆରି କରି ଆଣିଥାଏ । ଯନ୍ତ୍ର ସେହି ବିଷୟରେ ହୁଏତ ଆଦୌ କିଛିହେଲେ ଜାଣିନଥାଏ, ତଥାପି ତିଆରି ହେଉଥାଏ । ଆଭାସ ପାଉଥାଏ, ପାହାଚ ପରେ ପାହାଚ ଅତିକ୍ରମ କରି ସତେଯେପରି କେଉଁ ଅନ୍ତରତମର ନିକଟବର୍ତ୍ତୀ ହେବାରେ ଲାଗିଥାଏ । ଏବଂ, ଏହିପରି ଯାଉ ଯାଉ ଯନ୍ତ୍ରୀର ପରିଚୟ ମିଳେ; ଦର୍ଶନ ମିଳେ, ସ୍ପର୍ଶ ମିଳିଯାଏ । ଯନ୍ତ୍ର ଧନ୍ୟ ହୁଏ; ତାକୁ ତା’ର ବାଟ ଦିଶିଯାଏ, ଅତ୍ୟନ୍ତ ସଚେତନ ଭାବରେ ତାକୁ ତା’ର ବାଟ ଦିଶିଯାଏ ।

 

ତା’ପରେ ସବୁକିଛି ଆପଣାର ଲାଗେ । ଥରେ ମିଳିଗଲେ ସିଏ ଯେ କଦାପି ଛାଡ଼ି ଯାଆନ୍ତି ନାହିଁ, ସେହି ବିଶ୍ଵାସଟି ଦୃଢ଼ ହୋଇଯାଏ । ଆତୁରତା ଛାଡ଼ି ପଳାଏ, ନୀଡ଼ଟି ଭିତରେ ସୁନିଶ୍ଚିତ ଥାନ ପାଇଥିବାର ପରିପୂର୍ଣ୍ଣ ବୋଧ ଆସିଯିବା ପରେ ଆତୁରତା ଲାଗି ଆଉ କାହିଁକି ବା କୌଣସି ଅବକାଶ ରହିବ ? ତା’ପରେ ଯାହାକିଛି ହୁଏ ବା ଘଟେ, ତାକୁ କେବଳ ଲୀଳା ବୋଲି କୁହାଯାଇପାରିବ । ଲୀଳାର ସେହି ଅନ୍ୟ ଶୃଙ୍ଖଳାଟି ଆସିଗଲେ ପୁରୁଣା ରୀତି ଓ ପୁରୁଣା ଶୃଙ୍ଖଳା ଭାଙ୍ଗିଯାଏ । ମଝିରେ ମଝିରେ ଖେଳିବାକୁ ଇଚ୍ଛା ହୁଏ, ବନ୍ଧୁ ସହିତ ଖେଳିବାକୁ ଇଚ୍ଛା ହୁଏ । ସତେଅବା ବନ୍ଧୁ ମଧ୍ୟ କ’ଣ ପାଇଁ ନିଜେ ଖେଳର ଭିଆଣ କରିବସେ । ବେଳେବେଳେ ଛାଡ଼ି ଚାଲିଯିବାର ପ୍ରତୀତି ଦେଉଥାଏ, ମାତ୍ର ପୁନର୍ବାର ଧରା ଦିଏ । ଯନ୍ତ୍ରଟା ମଧ୍ୟ ବେଳେବେଳେ ଖିଅ ଛିଡ଼ାଇ ଦେଇ ଖେଳିବାକୁ ଭଲ ପାଏ, ଘଡ଼ିକଲାଗି ଅମଙ୍ଗ ହୁଏ, ଚେଇଁ ଶୋଇବାକୁ ଭଲ ପାଏ । ସେଇ ଆସି ଦୁଆର ଖଡ଼ଖଡ଼ କରିବେ ବୋଲି ହୁଏତ ଅପେକ୍ଷା କରି ରହିଥାଏ । ବିଶ୍ଵାସ ପ୍ରଗାଢ଼ ହେଲେ, ଲୋଡ଼ିବା ବସ୍ତୁଟିକୁ ସତତ ନିଜ ଭିତରେ ଧରି ରଖିଥିବାର ପ୍ରତ୍ୟକ୍ଷ ହୋଇଗଲେ ଯାଇ ଏହି ଖେଳଟି ସମ୍ଭବ ହୁଏ । କେହି ଚୋର ହୁଅନ୍ତିନାହିଁ କି କେହି ପୁଲିସ ମଧ୍ୟ ହୁଅନ୍ତିନାହିଁ । ତଥାପି ଚୋରପୁଲିସ ଖେଳ ଲାଗି ରହିଥାଏ । ପୁଣି ଦୁହେଁଯାକ ଖେଳ ଭାଙ୍ଗି ପରସ୍ପରକୁ ଭେଟନ୍ତି । ଯନ୍ତ୍ରକୁ ଗୋଟାଏ ପାହାଚ ଉଠାଇ ନେବାକୁ ବେଳେବେଳେ ଜାଣିଶୁଣି ଏହି ଖେଳର ଭିଆଣ କରିବାକୁ ମନ କରିଥାଏ କି ?

 

୨୧ । ୯ । ୯୧

 

ଭୀମଭୋଇଙ୍କ ବିଷୟରେ କିଛି ଲେଖିବାକୁ ହେଲେ ଭୀମଭୋଇଙ୍କ ଭିତରେ ମଜି ଯିବାକୁ ହୁଏ । ତା’ପରେ ଲେଖୁଥିବା ଲୋକଟି ମୋଟେ ଆଗରେ ରହେନାହିଁ, ଭୀମଭୋଇହିଁ ଆଗରେ ରହନ୍ତି । ଲେଖୁଥିବା ଲୋକଟି ପଛରେ ଥାଏ । ଭୀମଭୋଇ ଆଗରେ ଥାଇ ଯାହା କହୁଥାନ୍ତି ବା ଯାହାକିଛି ଅନୁଭବ କରାଉଥାନ୍ତି, ଲେଖକ ତାହାକୁହିଁ ଲେଖି ରଖୁଥାନ୍ତି, ଧନ୍ୟ ହେବାରେ ଲାଗୁଥାନ୍ତି ।

 

ଏହାଦ୍ୱାରା ଲେଖକର ବଳ ବଢ଼େ, ଲେଖନୀର ମର୍ଯ୍ୟାଦା ବଢ଼େ । ଲେଖକ ଏକୁଟିଆଟି ତା’ ଲେଖିବା ବିଷୟଟିକୁ ସତେଅବା କେତେକ କଞ୍ଚାମାଳ ଭଳି ଗ୍ରହଣ କରି କିଛି ଲେଖୁଥିଲେ ସିଏ କେବଳ ଗୁଣେ ବଳ ପାଉଥାନ୍ତା, କେବଳ ଗୁଣେ ବାଟ ଚାଲି ପାରୁଥାନ୍ତା, କେବଳ ଗୁଣେ ଭିତରକୁ ଭେଦ କରି ପାରୁଥାନ୍ତା । ମାତ୍ର, ଭୀମଭୋଇଙ୍କର ସଙ୍ଗ ପାଇପାରିଲେ ଓ ଭୀମ ଭୋଇ ଆଗରେ ରହି ବାଟ ଦେଖାଇ ପାରୁଥିଲେ ଲେଖକର ବଳ ଦଶଗୁଣ ହୁଏ, ବିଶ୍ଵାସବି ଅଧିକ ସୁନିର୍ଭର ହୁଏ; ବାଟ ଚାଲିବାର ଅଥବା ଗଭୀରକୁ ଭେଦ କରିବାର ସାହସ ମଧ୍ୟ ଦଶଗୁଣ ହୋଇଯାଏ । ଏପରି ଏକ ଲେଖକକୁ ପ୍ରକୃତରେ ଭାଗ୍ୟବାନ୍, ଅତ୍ୟନ୍ତ ଭାଗ୍ୟବାନ୍ ବୋଲି କୁହାଯିବ । ଶାନ୍ତିନିକେତନରେ କଟାଇଥିବା ମୋ’ର ସେହି ଉଜ୍ଜ୍ଵଳ ଦିନଗୁଡ଼ିକ ଠାରୁ, ଯେଉଁଦିନ ଠାରୁ ମୁଁ ସନ୍ଥମାନଙ୍କର ରଚନାରେ ମଜିବାକୁ ଆରମ୍ଭ କଲିଣି, ସେହି ଦିନଠାରୁ ଯାବତୀୟ ଲେଖିବାର କ୍ଷେତ୍ରରେ ମୁଁ ଏହିପରି ମଜି ଯିବାର ଓ ଠୁଳ ପ୍ରେରଣାଟିକୁ ଆଗରେ ରଖି ବାଟ ଚାଲିବାର କଳାଟିକୁ ଆୟତ୍ତ କରି ନେଇଛି । ଭାବୁଛି, ନିଜେ ସନ୍ଥ ହୋଇଥିଲେ ମଧ୍ୟ ହୁଏତ ମୋ’ର ଏତେ ଭାଗ୍ୟ ହୋଇନଥାନ୍ତା । ଆପେ ସନ୍ଥଟିଏ ହୋଇ ଚେଲା ଓ ଚାମୁଣ୍ଡା ଧରି ସମ୍ପ୍ରଦାୟ ନାମକ ଏକ ଢାବଲ ଭିତରେ ପଶି ପୃଥିବୀକୁ ସେହି ଢାବଲର ସୀମାଭିତରେହିଁ ଦେଖିବାର ଅପକୀର୍ତ୍ତି ମୋତେ ଅର୍ଜନ କରିବାକୁ ପଡ଼ିଥାନ୍ତା । ପ୍ରେରଣା ଠୁଳ ହେଲେ ଯେ ମଠଟିଏ ବା ଗାଦିଟିଏ ଅବଶ୍ୟ ଆଦରି ନେବାକୁ ହୁଏ, ସେ କଥା ମୋଟେ ସତ ନୁହେଁ । କାହାକୁ ତା’ ମଠରେ ଯାଇ ପୂଜା କରିବା ଅପେକ୍ଷା ତାକୁ ନିଜ ବାଟରେ ସାଥୀ କରି ପାଇବା ହେଉଛି ନିଶ୍ଚୟ ଅନେକ ଅଧିକ ଭାଗ୍ୟର କଥା-

 

୨୨ । ୯ । ୯୧

 

ଭିତରେ ଥାଇ ଯିଏ ବେଳେବେଳେ କେତେ କୁଣ୍ଠାର ସହିତ ପଛକୁ ଟାଣି ରଖୁଛି ଓ ପୁଣି ବେଳେବେଳେ ହୁଏତ ଆଉ ଯିଏ ମୋଟେ ସତେଅବା କେଡ଼େ ସ୍ଵାଭାବିକ ଏବଂ ସରସ ଭାବରେ ଦଉଡ଼ାଇ ନେଉଛି, ଏମାନେ ଯଦି ପ୍ରକୃତରେ ଦୁଇଜଣ ହୋଇଥାଆନ୍ତି, ତେବେ ସେମାନଙ୍କ ବିଷୟରେ ମୁଁ ଏକାନ୍ତ ନିଶ୍ଚିତ ଭାବରେ କହିବି ଯେ, ମୋ’ ଜୀବନରେ ସେମାନଙ୍କ ମଧ୍ୟରେ ଆଦୌ କୌଣସି ବିରୋଧ ନାହିଁ । ବିରୋଧ ନାହିଁ ବୋଲି ମୁଁ ବଞ୍ଚିଯାଇଛି । ନହେଲେ ନାନା ନିତ୍ୟ ଦ୍ଵନ୍ଦ୍ଵରେ ମୁଁ ଗୋଟାସୁଦ୍ଧା ଦୁଇଭାଗ ହୋଇ ରହିଥାନ୍ତି । ଗୋଟାଏ ପକ୍ଷ ଆଉଗୋଟାକ ପଛରେ ବାଡ଼ି ଧରି ଗୋଡ଼ାଇ ଥାଆନ୍ତା ଏବଂ ସେହି ଆଉଗୋଟାକ ଆରଟି ପାଖରୁ ବହୁ ଛଦ୍ରମରେ ଲୁଚି ଲୁଚି ବୁଲୁଥାନ୍ତା । ନିଜ ଭିତରର ଏହି ବ୍ୟାଧିରେ ମୁଁ ସତତ ପୀଡ଼ିତ ହୋଇ ରହିଥାନ୍ତି ଓ ଆପଣାର ସେହି ବ୍ୟାଧି ତଥା ପୀଡ଼ାଗୁଡ଼ିକୁ ଲୁଚାଇ ରଖି ବାହାରକୁ ଯଥାସମ୍ଭବ ଅଧିକ ଧୋବ ଦେଖାଯିବ ବୋଲି ମୁଁ କେତେ କେତେ ଖଳ ନୈତିକତାର ଆଶ୍ରୟବି ଗ୍ରହଣ କରୁଥାଆନ୍ତି ।

 

ମୋ’ର ଭିତରେ ଥିବା ସନ୍ତାନଟି ତା’ ଜନନୀକୁ ଭଲ କରି ଚିହ୍ନିଛି । ମୋ’ ଭିତରର ଜନନୀ ମଧ୍ୟ ସନ୍ତାନଟିର ଯାବତ ଅଲିଅଳକୁ ଜାଣିଛି । ମୋ’ ଭିତରର ସନ୍ତାନହିଁ ତା’ ଜନନୀକୁ ଜନ୍ମ ଦେଇଛି ଅଥବା ମୋ’ ଭିତରର ଜନନୀ ଏହି ଅଲିଅଳ ସନ୍ତାନଟିକୁ ଜନ୍ମ ଦେଇଛି, ସେ କଥାଟିକୁ ମୁଁ ଯେତେ ଅଧିକ ଗବେଷଣା କଲେ ମଧ୍ୟ ତଥାପି ଥିର କରି କହି ପାରିବିନାହିଁ । ଧର୍ମଶାସ୍ତ୍ରଗୁଡ଼ିକ ସମେତ ଏହି ପୃଥିବୀର କୌଣସି ଶାସ୍ତ୍ର ମଧ୍ୟ ମୋତେ ସେହି ଗବେଷଣାରେ ସାହାଯ୍ୟ କରି ପାରିବନାହିଁ । ପୃଥିବୀର କେଉଁ ଜନନୀ ତା’ ସନ୍ତାନର ସାମୟିକ ରୁଷାଗୁଡ଼ାକୁ ନଜାଣେ ? ପୃଥିବୀର କେଉଁ ସନ୍ତାନ ତା’ର ଯାବତୀୟ ଖୁଣ୍ଟ ଓ ଖୁମାଣ ସତ୍ତ୍ୱେ ତା’ର ଜନନୀର ସ୍ନେହ ଅର୍ଥାତ୍ ଆର୍ଦ୍ରତା ବିଷୟରେ ପୂର୍ଣ୍ଣ ପ୍ରତ୍ୟୟ ରଖିନଥାଏ ? ମୁଁ ଭାବେ, ସେଇଥି ସକାଶେହିଁ ପୃଥିବୀ ସତତ ଚାଲିଥାଏ, ମୋ’ ଭିତରେ ଚାଲିଥାଏ, ବାହାରେ ମଧ୍ୟ ଚାଲିଥାଏ । ଏବଂ, ଯେଉଁମାନେ ଗୋଟାଏ ପଟକୁ ଘୋଡ଼ାଇ ରଖି ଅପର ପଟଟାକୁ ଦେଖାଇ ହେବାରେ ଲାଗିଥାନ୍ତି, ସେମାନେ ଜୀବନ ବଞ୍ଚିବାର ବହୁ ପ୍ରକୃତ ଗୌରବରୁ ବଞ୍ଚିତ ହୋଇ ରହିଥାନ୍ତି ।

 

୨୩ । ୯ । ୯୧

 

ପଶୁମାନେ ସେମାନଙ୍କର ଜୀବନଗତ ଧରାବନ୍ଧା ପ୍ରୟୋଜନଦ୍ଵାରା ବାଧ୍ୟ ହୋଇ ରହିଥାନ୍ତି, ଦେବତାମାନେ ମଧ୍ୟ ସେମାନଙ୍କ ସହିତ ଛନ୍ଦି ହୋଇ ରହିଥିବା ମହିମାରେହିଁ ପୂର୍ଣ୍ଣତୃପ୍ତ ହୋଇ ରହିଥାନ୍ତି । ଏକମାତ୍ର ମନୁଷ୍ୟହିଁ ବାଟ ଚାଲିଥାଏ, ପାହାଚ ପରେ ପାହାଚ ଉଠିବାର ଆଶୀର୍ବାଦ ଅଥବା ଅଭିଶାପ ଲାଭ କରିଥାଏ, ଏକାନ୍ତ ଭାବରେ ଅସନ୍ତୁଷ୍ଟ ହୋଇ ରହିଥାଏ । କାଲି ପାଠଚକ୍ରରେ ଶ୍ରୀ ଅରବିନ୍ଦଙ୍କର The Life Divine ଗ୍ରନ୍ଥରୁ ଆମର ଏହି କଥାଟି ପଡ଼ିଥିଲା । ଭିତରେ ସନ୍ତୋଷ ନାମରେ ପଡ଼ି ଯାଇଥିବା ଗଣ୍ଠିଗୁଡ଼ାକ ସତେଅବା ଖୋଲି ଖୋଲି ଯାଉଥିଲା ।

 

ପଶୁ କିଛି ହେବାକୁ ଆସିନଥାଏ । ପଶୁ ପଶୁସ୍ଥିତିରେ ରହିଥାଏ । ନିଜର ସମସ୍ତ କାଢ଼କୁ ଲଗାଇ ସେ ଅଧିକାଂଶତଃ ତା’ species– ଧର୍ମର ପୁନରାବୃତ୍ତି କରିବାରେ ଲାଗିଥାଏ । ଦେବତାମାନେ ମାଦଳ ହୋଇ ବସିଥାଆନ୍ତି । ମାଦଳ ହୋଇ ବସିବାକୁହିଁ ଅନେକ ସମୟରେ ମହିମା ବୋଲି କୁହାଯାଏ । ମଣିଷ ଭିତରେ ଯେଉଁ ଉପାଦାନଟି ନାନା କାରଣରୁ ମାଦଳ ହୋଇ ବସିବାକୁହିଁ ସୁଖ ମଣୁଥାଏ, ସମ୍ଭବତଃ ସେଇଟିହିଁ ଆପଣା ଅନ୍ଦାଜର ଅନୁରୂପ କରି ଦେବତାମାନଙ୍କର ଭିଆଣ କରିଥାଏ ଏବଂ ସେମାନଙ୍କର ପୂଜା କରିବାରେ ଲାଗିଥାଏ । ସେଇଥିରେହିଁ ନିଜ ପ୍ରୀତିଭଣ୍ଡାରର ପ୍ରାୟ ସବୁଯାକ ପୁଞ୍ଜିକୁ ସାରିଦେବାରେ ଲାଗିଥାଏ । ମାତ୍ର, ନିଜ ଭିତରେ ଅସଲ ଜନନୀ ଅର୍ଥାତ୍ ଉନ୍ମେଷକାରିଣୀ ଶକ୍ତିର ସନ୍ଧାନ ପାଇଲେ ମଣିଷ ଅସନ୍ତୋଷର ମହାପ୍ରେରଣା ଭିତରେ ପ୍ରବେଶ କରିବାର ପରମଭାଗ୍ୟ ଲାଭ କରେ । ସିଏ ଆପଣା ଭିତରେ ନିରନ୍ତର ପାହାଚ ଉଠିବାରେ ଲାଗିଥାଏ, ତଥାପି ପରିପୂର୍ଣ୍ଣ ସନ୍ତୋଷଲାଭର ଯାବତୀୟ ପ୍ରଲୋଭନକୁ ଡେଇଁ ଡେଇଁ ଚାଲି ଯାଉଥାଏ । ଗୁରୁ ପରେ ଗୁରୁ ଡେଇଁ ଚାଲି ଯାଉଥାଏ, ଖୋଳ ପରେ ଖୋଳ ଅତିକ୍ରମ କରି ଯାଉଥାଏ । ନିଜ ଭିତରର ପରମଗୁରୁ ତାକୁ ପର୍ବତ ପରେ ପର୍ବତର ଅତିକ୍ରମଣ କରାଇବାରେ ଲାଗିଥାନ୍ତି । ଦେବତାମାନେ ସମ୍ଭବତଃ ଡ୍ରାସ ପାଇ ତା’ ପଥରୁ ହଟି ଯାଆନ୍ତି । ଅଥବା, ସିଏ ନିଜକୁ ଯଥାର୍ଥ ଭାବରେ ଅନୁରାଗୀ ଓ ଉନ୍ମୁକ୍ତ କରି ରଖି ପାରିଥିଲେ ତାକୁ ପାହାଚ ପରେ ପାହାଚ ଉଠିଯିବାରେ ପ୍ରେରଣାରୂପେ କାର୍ଯ୍ୟ କରୁଥାନ୍ତି ।

 

୨୪ । ୯ । ୯୧

 

କାର୍ଲ୍ ମାର୍କ୍‌ସ୍ ଏକଦା vulgar communism ର କଥା କହିଥିଲେ ଓ ଅସଲ କମୁନିଜିମ୍ ସହିତ ତାହାର ଅନ୍ତର୍ଗତ ବିଭେଦଗୁଡ଼ିକୁ ଦେଖାଇ ଦେଇଥିଲେ । ପ୍ରାୟ ଏକ vulgar ନେତୃତ୍ଵର କବଳରେ ପଡ଼ି ରାଜନୀତିକ ତଥା ଶାସନକାରୀ କମୁନିଜିମ୍‌ମାନେ ଯେ କ୍ରମେ ଏକାନ୍ତ vulgar ହୋଇ ଯାଇଥିଲେ, ଗତ ଅଳ୍ପ କେତେବର୍ଷ ଭିତରେ ସେ କଥା ଧରା ପଡ଼ିବାକୁ ଆରମ୍ଭ କଲା ଓ ଏବେ ଅଧିକରୁ ଅଧିକ ପରିମାଣରେ ଧରା ପଡ଼ିବାରେ ଲାଗିଛି । ଯେଉଁମାନେ ଉପର ଆଖିରେ ଦେଖି ଭିତରର ସତ୍ୟଗୁଡ଼ାକୁ ଠୋଠୋ ଜାଣିଗଲେ ବୋଲି ଦମ୍ଭ କରନ୍ତି, ସେମାନେ ସମଗ୍ର ପୃଥିବୀରୁ କମୁନିଜିମ୍ ଭୁଶୁଡ଼ି ପଡ଼ିଲା ବୋଲି କେଡ଼େ ଠୋଠୋ ହୋଇ ହସିବାରେ ଲାଗିଛନ୍ତି-

 

Vulgar communism ଭୁଶୁଡ଼ି ପଡ଼ିବାପରେ Vulgar capitalism କ’ଣ ତାହାର ସ୍ଥାନ ପୂରଣ କରିବାକୁ ସମର୍ଥ ହେବ ? ସାମ୍ପ୍ରତିକ ପୃଥିବୀର ତଥାକଥିତ democracy ଗୁଡ଼ିକ ଯେପରି ଅଧିକାଂଶ କ୍ଷେତ୍ରରେ vulgar capitalism ସହିତ ପ୍ରାୟ ଅସହାୟ ଭାବରେ ଛନ୍ଦିହୋଇ ରହିଛନ୍ତି, ତାହା ସେମାନଙ୍କୁ ମଧ୍ୟ ଭାରି vulgar କରି ରଖିଛି । ଖାଲି ଅଧିକ ଅସ୍ତ୍ର ଏବଂ ଅସ୍ତ୍ରବଳରେହିଁ ସେମାନେ ପୃଥିବୀରେ ନିଜର ପରାକ୍ରମ ଯାହା ବଜାୟ ରଖି ପାରିଛନ୍ତି । Democracy କହିଲେ ଯେ ରାଜନୀତିକ ବଳ, ଅର୍ଥବଳ ତଥା ଅସ୍ତ୍ରବଳ ଠାରୁ ଅନେକ ଅଧିକ କଥାକୁ ବୁଝାଏ, ମଣିଷ ମଣିଷ ଭିତରେ ଏକ ଅନ୍ୟ ସମ୍ବନ୍ଧର ମୂଲ୍ୟକୁ ବୁଝାଏ, ଏବେର democracy ମାନେ ଆପଣାର ପରାକ୍ରମବାଣଗୁଡ଼ାକୁ ମାରି ତାହାକୁ ସତେଅବା ଭୁରୁଡ଼ାଇ ଦେବାର ଚେଷ୍ଟା କରିବାରେ ଲାଗିଛନ୍ତି । ନିଜର ଭୋଗାଧିକ୍ୟଗୁଡ଼ାକୁ ଦର୍ଶାଇ ସେମାନେ democracy ଅନ୍ୟ ଯେକୌଣସି ism ଠାରୁ ଅଧିକ ବୋଲି ପ୍ରମାଣ କରିଦେବାକୁ ଭାରି ଚେଷ୍ଟା କରୁଛନ୍ତି । ଏହାକୁ ମଧ୍ୟ ଅନେକ ଅର୍ଥରେ ଏକ vulgarity ବୋଲି କୁହାଯାଇପାରିବ । ମଣିଷର ଅସଲ ଯୁଦ୍ଧ ଏହି vulgarity ସହିତହିଁ ହେବ । ରାଜନୀତି, ଜାତୀୟତା, ଅସ୍ତ୍ରଢ଼ମ ଓ କ୍ଷମତାର କାଢ଼, ଏହି ନାନାଜାତୀୟ vulgarityକୁ କାଟି କାଟି ମନୁଷ୍ୟ ଶେଷକୁ ତା’ ଜୀବନର ଯାବତୀୟ vulgarityର ବିଲୋପସାଧନ ନିମନ୍ତେ ସଚେତନ ହୋଇ ବାହାରିବ । ଆଗକୁ ଯିବାଲାଗି ଏଇ ବିଶ୍ଵାସହିଁ ଆମର ସବୁଠାରୁ ବଡ଼ ସମ୍ବଳ ହୋଇ ରହିଥାଉ ।

 

୨୫ । ୯ । ୯୧

 

ଅନେକ ଦିନ ହେଲା ମୁଁ ପ୍ରାୟ କିଛି ପଢ଼ି ନଥିଲି । ଆହୁରି ଅଧିକ ଠିକ୍ ଭାବରେ କହିଲେ ପଢ଼ିଲାଭଳି କିଛି ପଢ଼ି ନଥିଲି । ପ୍ରଧାନତଃ ଏଇଟା ଲେଖୁଥିଲି ଅଥବା ସେଇଟା ଲେଖୁଥିଲି । ଭିତର ଅଥବା ବାହାରର ବରାଦ ପୂରଣ କରି ଏଇଟା ବା ସେଇଟା ଲେଖୁଥିଲି । କାଲି ସନ୍ଧ୍ୟାରେ ଘଣ୍ଟାଏ ଦେଢ଼ଘଣ୍ଟା ସମୟ ପାଇ କିଛି ପଢ଼ି ବସିଲି । ଭିତରର ଅନେକ ଖାଲି ଅଂଶ ପୂର୍ଣ୍ଣ ହୋଇ ଗଲାପରି ମନେ ହେଲେ । ଅନେକ ଶୁଖିଲା, ଝାଉଁଳି ପଡ଼ିଥିବା ଅଂଶ ପୁନର୍ବାର ସତେଜ ହୋଇ ଉଠିଲେ । କେତେ ହାଲୁକା ଲାଗିଲା, କେତେ ସହଜ ମଧ୍ୟ ଲାଗିଲା ।

 

ପଢ଼ିବା ଲେଖିବାର ଆଦୌ ପରିପନ୍ଥୀ ନୁହେଁ । ପଢ଼ିବା ହେଉଛି ଗ୍ରହଣ କରିବାର ପର୍ଯ୍ୟାୟ, ଲେଖିବା ହେଉଛି ଆତ୍ମଅଭିବ୍ୟକ୍ତିଦ୍ଵାରା ଆପଣାକୁ ଦେଇ ଦେଉଥିବା ପରି ଅନୁଭବ କରିବାର ପର୍ଯ୍ୟାୟ, ଅବଶ୍ୟ ଏକଥା ମଧ୍ୟ ସତ ଯେ, ପଢ଼ୁଥିବା ସମୟରେ ଅନେକ ସମୟରେ ଆପଣାକୁ ଦେଇ ଦେଉଥିବା ପରି ମନେ ହେଉଥାଏ । ନୂତନ ବିଚାର ପାଖରେ ଆପଣାକୁ ସତକୁସତ ଦେଇ ଦେଉଥିବା ପରି ଲାଗେ । ପଢ଼ିଲାବେଳେ ଗଣ୍ଠି ଫିଟିଯାଏ, ସଂଶୟର ଅନେକ ଦୁଆର ଖୋଲି ଖୋଲି ଯାଏଁ; ତେଣୁ ସବାଆଗ ଆପଣାକୁ କାହାପାଖରେ ଆଣି ପହଞ୍ଚାଇ ଦେଉଥିବା ପରି ମନେହୁଏ । କାହା ପାଖରେ ନିଜକୁ ଆଣି ପହଞ୍ଚାଇ ଦେବା ତାହାହିଁ ତ ନିଜକୁ ଦେଇ ପାରିବାର ଯୋଗ୍ୟତା ହାସଲ କରିବା । ଲେଖିବା ସମୟରେ ମଧ୍ୟ କେତେ କେତେ ନୂଆ କଥା କେତେ କୁଆଡ଼ୁ ସଂଗ୍ରହ କରି ଆଣୁଥିବା ପରି ମନେହୁଏ । ଆଗରୁ କୌଣସି ସୁରାକ ମିଳିନଥିବା ଅନେକ କଥା, ଅନେକ ପ୍ରେରଣା ଏବଂ ଅନେକ ସ୍ପର୍ଶ ସହିତ ଲେଖିଲାବେଳେହିଁ ଅତ୍ୟନ୍ତ ଅଜାଣତ ଓ ସାବଲୀଳ ଭାବରେ ସମ୍ପର୍କ ଲାଗିଯାଏ, ସମ୍ପର୍କର ମାଧ୍ୟମରେ ସଂଗ୍ରହ କରି ଆଣିବାର ଅବକାଶ ମିଳିଯାଏ । ତେଣୁ, ବର୍ତ୍ତମାନ ମୁଁ ଲେଖୁଥିବା ଲେଖାଟିକୁ ସାରିଦେବା ପରେ ମୁଁ ଏବେ ଆଉ ମୋଟେ କିଛି ଲେଖିବିନାହିଁ ଓ ଖାଲି ପଢ଼ିବି ବୋଲି ମନେ ମନେ କେଡ଼େ ପୁଲକରେ ଯେଉଁ ଅଭିଳାଷ ବ୍ୟକ୍ତ କରିବାରେ ଲାଗିଥିଲି, ସେ କଥା ମଧ୍ୟ ସତ ନୁହେଁ । ପରେ ଆପଣା ଭିତରର ଏହି ଏକବାଗିଆ ପୁଲକଗୁଡ଼ାକୁ ଚାହିଁ ସେଥିଲାଗି ବେଶ୍ ହସବି ଲାଗୁଥିଲା ।

 

୨୬ । ୯ । ୯୧

 

ଈର୍ଷା, ଦ୍ଵେଷ, ଘୃଣା,–ଅନେକ ମଣିଷ ଏଗୁଡ଼ିକୁ ସତେଅବା କେବଳ ଗୋଟିଏ ଗୋଟିଏ ନୈତିକ ଅବଗୁଣ ବୋଲି ବିଚାର କରିଥାନ୍ତି । ସେମାନେ ଏହିସବୁ ଅବଗୁଣକୁ ବର୍ଜନ କରିବାଲାଗି କେତେ ପ୍ରକାରର ଉପଦେଶ ମଧ୍ୟ ଶୁଣାଇ ଥାଆନ୍ତି । ନିଜେ ନାନା ପ୍ରକାରର ଘୃଣା ଓ ଦ୍ଵେଷର କବଳରେ ପଡ଼ି ପୀଡ଼ିତ ହେଉଥିବା ବୟସ୍କମାନେ ପିଲାମାନଙ୍କୁ ଇସ୍କୁଲରେ ତଥା ପରିବାରମାନଙ୍କରେ କେତେ କେତେ ପରୀକାହାଣୀ, ପଶୁକାହାଣୀ ଓ ଅସୁର-କାହାଣୀର ଉଲୁଗୁଣା ଦେଇ ଅବଗୁଣଗୁଡ଼ିକୁ ଛାଡ଼ିବା ବିଷୟରେ ପରାମର୍ଶ ଦେଇଥାନ୍ତି । ଏହିପରି କାହାଣୀମାନ ଶୁଣିଲେ ଯେ ପିଲାମାନଙ୍କର ମନ ଆପେ ଆପେ ଅବଗୁଣଗୁଡ଼ିକୁ ଛାଡ଼ି ଆସିବାଲାଗି ଆଗ୍ରହ କରିବ, ସେମାନେ ଏହିଭଳି ଏକ ଭ୍ରମବିଶ୍ଵାସର କବଳରେ ପଡ଼ି ଯାଇଥାଆନ୍ତି ।

 

ଈର୍ଷା, ଦ୍ଵେଷ ଓ ଘୃଣା,–ଏଗୁଡ଼ିକ ବାହାରୁ ଆସି ଭିତରେ ପଶିଥିବା ଗୋଟିଏ ଗୋଟିଏ ଅବଗୁଣ ନୁହନ୍ତି ଯେ, ଆମେ ଉପଦେଶ କାହାଣୀର ଝାଡ଼ୁ ଦେଇ ସେଗୁଡ଼ିକୁ ଖରକି ଝାଟୁଆ କରି ବାହାରକୁ ଫିଙ୍ଗିଦେଇ ପାରିବା । ଭିତରେ କେଉଁଠି ଯେ କ’ଣ ଗଭୀର କ୍ଷତଟିଏ ଅଛି, ବାହାରେ ଆପଣାକୁ ପ୍ରକଟ କରାଇ ସେମାନେ ମୂଳତଃ ସେହି ସୂଚନାହିଁ ଦେଇଥାନ୍ତି । କୌଣସି Deplivation ଜନିତ କ୍ଷତ, କୌଣସି ପ୍ରକାର ଅହଂକାରିତା–ଜନିତ କ୍ଷତ, ଏହିପରି କେତେ କ’ଣ । ସେହି କ୍ଷତଗୁଡ଼ିକୁ ଦୂର କରିବାଲାଗି ବାହାରେ କୌଣସି ଔଷଧ ମିଳେନାହିଁ । ଭିତରେ ବଦ୍ଧ ହୋଇ ବସିଥିବା କୌଣସି ଅବିଶ୍ଵାସକୁ ଅର୍ଥାତ୍ ମୃତ୍ୟୁବିଶ୍ଵାସକୁ ଜୀବନବିଶ୍ଵାସରେ ପରିଣତ କରିଦେଇ ପାରିଲେ ଯାଇ ଭିତରର କ୍ଷତ ପୂରିବାକୁ ଆରମ୍ଭ କରେ, ଥୁଣ୍ଟା ଗଛମାନଙ୍କର ଡାଳରେ ପୁଣି ଫୁଲ ଧରି ଆସୁଥିବା ପରି ଅନୁଭବ ହୁଏ, ଏବଂ ମଣିଷମାନେ ଭଲ ଲାଗନ୍ତି । ଆପଣା ଆଡ଼ୁ ସେମାନଙ୍କ ପାଖକୁ ଯିବାକୁ ମନ ହୁଏ, ସେମାନଙ୍କୁ ବନ୍ଧୁ ଭଳି ସ୍ଵୀକାର କରିବାକୁ ମନ ହୁଏ । ତା’ପରେ ଈର୍ଷା, ଦ୍ଵେଷ, ଘୃଣାର କୌଣସି ଅବକାଶ ରହେନାହିଁ । ଗୁଡ଼ାଏ ଅନାବଶ୍ୟକ mythର କବଳରୁ ରକ୍ଷା ମିଳେ, ଦଉଡ଼ିଗୁଡ଼ାକ ଫିଟି ଫିଟି ଯାଆନ୍ତି ।

 

୨୭ । ୯ । ୯୧

 

ଗୋଟାଏ ଗୋଟାଏ କାମ ମୁଣ୍ଡ ଉପରେ ବୋଝ ପରି ରହିଥାଏ । କାମଟିକୁ କରୁଥିବା ସମୟରେ ମୁଣ୍ଡଉପରେ ସତେଅବା ଗୋଟାଏ ବିରାଟ୍ ବୋଝକୁ ମୁଣ୍ଡାଇ ଆଗକୁ ଆଗକୁ ଯାଉଥିବା ପରି ଲାଗୁଥାଏ ଏବଂ ଅସଲ ମୁଣ୍ଡରେ ପହଞ୍ଚିଯାଇ ପାରିଲେ ଅର୍ଥାତ୍ କାର୍ଯ୍ୟଟିକୁ ସମ୍ପାଦିତ କରିଦେଇ ପାରିଲେ ନିଜକୁ ଏଡ଼େ ହାଲୁକା ମନେହୁଏ ଓ ଭିତରୁ କିଏ ଏଡ଼େ ଖୁସି ହୋଇଯାଏ ଯେ, ଏକାବେଳେକେ ଦଉଡ଼ିଯାଇ ସମସ୍ତଙ୍କର ପାଦ ଛୁଇଁ ପ୍ରଣାମ କରି ଆସିବାକୁ ମନ ହୁଏ, ସବୁ ପ୍ରିୟଜନଙ୍କୁ ଚୁମ୍ବନ ଦେଇ ଆସିବାକୁ ମନ ହୁଏ, ଫୁଲ ଫୁଟିଥିବା ସବୁ ଗଛକୁ ଆନନ୍ଦରେ ଯାଇ କୁଣ୍ଢାଇ ପକାଇବାକୁ ମନ ହୁଏ ।

 

ମୁଣ୍ଡଉପରେ କାମଟିଏ ରହିଥିବାବେଳେ ୟାଡ଼େସାଡ଼େ ମନ କରିବାକୁ ଆଦୌ କୌଣସି ସ୍ଵାଧୀନତା ନଥାଏ । ପ୍ରସନ୍ନ ମନର ଆଖି ଆଗରେ ସେହି କାମଟି ବ୍ୟତୀତ ସତେଅବା ଆଉ କିଛିହେଲେ ଦେଖା ଯାଉନଥାଏ । ବିଶେଷତଃ, ଯେଉଁ କାମଟିରେ ମୁଁ ହାତ ଦେଇଛି, ଯଦି ତାହାକୁ ସମ୍ପନ୍ନ କରିବା ପଛରେ ଭିତରେ କୌଣସି ଅହଂ ବା ସ୍ଵାର୍ଥ ଜଡ଼ିତ ନଥାଏ, ସେତେବେଳେ ସତକୁସତ ଏତେଟିକିଏ ହଲଚଲ ହେବାକୁ ମଧ୍ୟ ଇଚ୍ଛା ହୁଏନାହିଁ । ସିଏ ମଧ୍ୟ ଏକ ଅପୂର୍ବ ସମର୍ପଣର ଅନୁଭୂତି, ଏକ ଅପୂର୍ବ ସ୍ଵାଧୀନତାର ଅନୁଭୂତି । ଏହା ମୋ’ର କାମ ନୁହେଁ, ଏହା ତାଙ୍କର କାମ,–ଏହା ହେଉଛି ମୋ’ ଭିତରେ ରହିଥିବା ସବୁକିଛିର ମାଧ୍ୟମରେ ତାଙ୍କୁହିଁ ଅଭିବ୍ୟକ୍ତ କରିବାର ଏକ ଅପୂର୍ବ ଅନୁଭୂତି,–ଏହିଭଳି ଅନୁଭବ ହେଉଥାଏ । ବୋଧହୁଏ ସେଇଥିଲାଗିହିଁ କାମଟି ଶେଷ ହେବାପରେ ତାଙ୍କର ପାଦକୁ ଛୁଇଁ ଆସିବାପରି ମନେ ହୁଏ । ଏହି ବିହ୍ଵଳତା ଜୀବନରେ ଅନେକବାର ହୋଇଛି । ନିଜର ବହୁ ଗଣ୍ଠିକୁ ଫିଟାଇ ଦେବାର ଏହି ବିହ୍ୱଳତା ମୋତେ ଅନେକ ସାହାଯ୍ୟ କରିଛି । ପାହାଚ ପରେ ପାହାଚ ଉଠିଯାଇ ମୁଁ ଯେ ଯଥାର୍ଥ ଥାନଟି ଆଡ଼କୁ ଯାଉଛି, ସେତେବେଳେ ସେହି ପ୍ରତ୍ୟୟଟିହିଁ ଜୀବନର ସ୍ଵାଭାବିକ ପ୍ରତ୍ୟୟ ବୋଲି ଅନୁଭୂତ ହୋଇଛି-। ନିଜ ପାଖରେ ଦଣ୍ଡବତ କରି ଆସିବାକୁ ମନ ହୋଇଛି, ଯିଏ ତାଙ୍କୁ ଧରି ରଖି ପାରୁଛି, ତାଙ୍କୁ ସମ୍ଭାଇ ପାରୁଛି, ସିଏ କ’ଣ କମ୍ ବିରାଟ୍ ?

 

୨୮ । ୯ । ୯୧

 

ଯେଉଁମାନେ ନଡ଼ିଆପତ୍ରର ପେଁକାଳି ବଜାଇ ପ୍ରକୃତିର ବନ୍ଧୁ ହୋଇ ବାହାରିଛନ୍ତି, ସେମାନେ ମଣିଷର ବନ୍ଧୁ ହୋଇ ବାହାରି ପାରୁନାହାନ୍ତି କାହିଁକି ? ପ୍ରକୃତିର ବନ୍ଧୁମାନେ ଏବେ ସଙ୍ଗଠନମାନ କଲେଣି, ଫଟୋ ଉଠାଇ ଖବରକାଗଜମାନଙ୍କୁ ଦେଲେଣି । ମାତ୍ର ଆଗ ମନୁଷ୍ୟର ମିତ୍ର ନହୋଇ ପାରିବା ପର୍ଯ୍ୟନ୍ତ ସେମାନେ ପ୍ରକୃତିର ବନ୍ଧୁ ହୋଇପାରିବେ ବୋଲି କିପରି ବିଶ୍ଵାସ କରୁଛନ୍ତି ?

 

ପୃଥିବୀରେ ଆଗୁଆ ପଛୁଆ ସମସ୍ତ ଦେଶରେ ପରିବେଶରେ ସୁରକ୍ଷା ନେଇ ଉପରୁ ଯେଉଁ ଆତଙ୍କ ପ୍ରକାଶ କରାଯାଉଛି ଏବଂ ଯେଉଁ ଆନ୍ଦୋଳନକୁ ପ୍ରାୟ ଏକ ମହୋତ୍ସବର ରୂପ ଦିଆଯାଉଛି, ତାହା ପଛରେ ଗୋଟାଏ ନିର୍ଦ୍ଦିଷ୍ଟ ଷଡ଼ଯନ୍ତ୍ର ରହିଥିବା ପରି ମନେହେଉଛି । ଆଗ ମଣିଷକୁ, ସବୁ ମଣିଷକୁ ନିଜ ସାଥିରେ ଏକାଠି ନେବାଟାକୁ ଯେଉଁମାନେ ଶଲ ମଣୁଛନ୍ତି, ସେଇମାନେ ପ୍ରକୃତିକୁ ଦୂଷିତ ହୋଇ ଯାଉଥିବାର ପ୍ରମାଦରୁ ରକ୍ଷା କର ବୋଲି ହୁରି ପକାଉଛନ୍ତି, ସେମାନେ ଜଳର ସୁରକ୍ଷା, ପବନର ସୁରକ୍ଷା ଏବଂ ଜଙ୍ଗଲର ସୁରକ୍ଷା ବିଷୟରେ ଚିତ୍ରପଟମାନ ତିଆରି କରି ଚାରିଆଡ଼େ ଟାଙ୍ଗି ସତେଅବା ତାହାକୁହିଁ ସାମ୍ପ୍ରତିକ ପୃଥିବୀର ବଡ଼ ବିପ୍ଳବ ବୋଲି ପ୍ରମାଣ କରିବାକୁ ବଦ୍ଧପରିକର ହୋଇ ବାହାରିଛନ୍ତି, ଏହି ତଥାକଥିତ ପରିବେଶ ଯେ ଦୂଷିତ ହୋଇଛି, ସବୁ ମଣିଷଙ୍କର କଥାକୁ କାନକୁ ନନେଇ ଆପଣା ଲାଗି ଅଧିକରୁ ଅଧିକ ଆବୋରି ନେବା ଓ ମାଡ଼ି ବସିଥିବା ମଣିଷ ବା ଅମଣିଷମାନଙ୍କ ଦ୍ଵାରା ସେ କଥା ହୋଇଛି । ପୃଥିବୀଯାକ ଏବେ ପ୍ରଧାନତଃ ସେହି ଅମଣିଷମାନଙ୍କର ଅର୍ଥନୀତି, ରାଜନୀତି ଏବଂ ଶିକ୍ଷାନୀତି ଚାଲିଛି । ସର୍ବତ୍ର ସବଳ ମଣିଷ ଦୁର୍ବଳ ମଣିଷକୁ ତୋଡ଼ ଦେଖାଇ ବଞ୍ଚିତ କରି ରଖିଛନ୍ତି ଓ ଏହିପରି ଭାବରେ ଅନେକଙ୍କୁ ବଞ୍ଚିତ କରି ପୃଥିବୀଯାକ ଅଳପମାନଙ୍କର ସୁଖଭୋଗ ଚାଲିଛି । ମଣିଷକୁ ମଣିଷ ହାତରୁ ରକ୍ଷା କରିବାଲାଗି ଉଚିତ ବନ୍ଧୁମାନେ ପୁଣି କେବେ ଆସିବେ ? ଆମ ଇସ୍କୁଲ, ଆମ ଅଫିସ, ଆମର ଅସ୍ତ୍ରକ୍ଷମତା,–ଏହିସବୁ କ୍ଷେତ୍ରରେ ଯେଉଁସବୁ ଦୂଷିତତାକୁ ମୁହଁ ଦିଆଯାଉଛି ଓ ମଣିଷର ବେକ ଧରି ବାଧ୍ୟ କରି, ଅକିଞ୍ଚନ କରି ରଖାଯାଉଛି, ତା’ର ପ୍ରତିକାର ଲାଗି ଅଣ୍ଟା ଭିଡ଼ି କେବେ କେଉଁ ବନ୍ଧୁ ବାହାରିବେ ?

 

୨୯ । ୯ । ୯୧

 

ବିଶ୍ଵ-ସମ୍ବାଦ-ପରିବେଷଣର ଗୋଟାଏ ମୁଥରେ ଏକାବେଳେକେ ପରସ୍ପରର ପରବର୍ତ୍ତୀ ଭାବରେ ସକାଳୁ ଦୁଇଟି ଖବର ଶୁଣିଲି; ତେଣେ ଆମେରିକା ସରକାର ତାଙ୍କ ପରମାଣୁ ଅସ୍ତ୍ରର ଗୋଦାମକୁ କିଛି ଅସ୍ତ୍ର ହ୍ରାସ କରିଦେବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ଏଣେ ବଙ୍ଗଳା ଦେଶରେ ମାରାତ୍ମକ ଝାଡ଼ାରୋଗରେ ହଜାର ସରିକି ମଣିଷଙ୍କର ପ୍ରାଣହାନି ଘଟିଲାଣି ।

 

ଗୋଟାଏ ପାଖରେ ପଇସା ଏତେ ଉଦ୍‌ବୃତ୍ତ ହୋଇ ରହିଛି ଯେ, ସବୁ ଖର୍ଚ୍ଚ ତୁଲାଇ ସାରିବା ପରେ ଏବଂ ଆରାମ ଓ ବିଳାସର ପ୍ରାୟ ଚରମ ସୀମାକୁ ସ୍ପର୍ଶ କରି ସାରିବା ପରେ ସେଠି କୋଟି କୋଟି ପରିମାଣର ଧନ ତଥାପି କର୍ତ୍ତାମାନଙ୍କର ହାତରେ ରହିଛି, ଯାହାଦ୍ୱାରା କି ବୋମା ତିଆରି ହେଉଛି; ଭଳିଭଳି କ୍ଷେପଣାସ୍ତ୍ର ତିଆରି ହେଉଛି ଏବଂ ତାହାର ପ୍ରଦର୍ଶନଦ୍ଵାରା ପୃଥିବୀରେ ଗଣତନ୍ତ୍ର ଓ ପୁଞ୍ଜିବାଦୀ ଅର୍ଥନୀତିର କ୍ଷମତା ବେଶି ବୋଲି ପ୍ରମାଣ କରି ଦିଆଯାଉଛି । ଆମେରିକାର ଏଡ଼େ ବଡ଼ ଭାଗ୍ୟ ଦେଖି ବିଶ୍ଵବାସୀ ଆଚମ୍ବିତ ହୋଇ ରହିଛନ୍ତି ଏବଂ ବିବେକ ସତେଅବା ହାର ମାନି ଚୁପ୍ ହୋଇ ରହିଯାଉଛି । ତେଣେ, ବାଂଲାଦେଶରେ, ପେଟରେ ଯେତିକି ପଡ଼ିଲେ ପେଟ ଶୀତଳ ରହି ପାରନ୍ତା, ମଣିଷମାନଙ୍କୁ ପ୍ରତିଦିନ ସେତିକି ଜୁଟୁନାହିଁ ବୋଲି ମଣିଷମାନେ ଝାଡ଼ା ରୋଗରେ ପଡ଼ୁଛନ୍ତି, ନିତାନ୍ତ ଅସହାୟ ଏବଂ ଅକିଞ୍ଚନ ଭାବରେ ମରିବାକୁ ବାଧ୍ୟ ହେଉଛନ୍ତି । ଗୋଟାଏ ପୃଥିବୀର ଏପରି ଦୁଇପ୍ରକାର ଘଟନା କାହିଁକି ଘଟିବ ? ଇସ୍କୁଲମାନଙ୍କରେ ପୃଥିବୀଯାକର ପିଲାମାନଙ୍କୁ କାହିଁକି ଅଲଗା ପ୍ରକାରର ଶିକ୍ଷା ଦିଆନଯିବ, ଯେପରିକି ସେମାନେ ସମୃଦ୍ଧି ଓ ସିଦ୍ଧି କହିଲେ ଖାଲି ଆପଣାର ଦେଶରେ ଗୋଟାଏ ଅସାଧୁ ଓ ଅମାନୁଷିକ ବଜାରନୀତି ବଳରେ ହାସଲ କରାଯାଇଥିବା ସିଦ୍ଧିଗୁଡ଼ାକୁ ବୁଝିବେ ନାହିଁ, ତଥାକଥିତ ଜାତୀୟବଡ଼ପଣଟାକୁ ଅସଲ ଜୀବନର ଧର୍ମ ବୋଲି ବୁଝିବେନାହିଁ । ସେମାନେ ସମଗ୍ର ପୃଥିବୀକୁ ଗୋଟିଏ ଦେଶ ଏବଂ ଗୋଟିଏ ଘର ବୋଲି ଅନୁଭବ କରିବେ, ଦେଶ ନିର୍ବିଶେଷରେ ସମସ୍ତେ ପରସ୍ପର ପାଇଁ ଦାୟୀ ହେବେ । ଆଉ ପାଞ୍ଚଟାକୁ ଗିଳି ମୋଟା ହେବାର ପଣୁରୀତିକୁ ସେମାନେ କଦାପି ସ୍ଵୀକାର କରିବେନାହିଁ ।

 

୩୦ । ୯ । ୯୧

 

ମନୁଷ୍ୟ-ଶରୀରର ଯେ ଏତେ ଶକ୍ତି ଓ ଏତେ ସମର୍ଥତା ରହିଛି, ମନୁଷ୍ୟ କେବଳ ଶରୀରଧାରୀ ପ୍ରାଣୀଟିଏ ହୋଇଥିଲେ ସେ କଥା କଦାପି ଉପଲବ୍‌ଧି କରି ପାରିନଥାନ୍ତା । ତେଣୁ, କେବଳ ଏହି ଶରୀରର ଚତୁଃସୀମା ଭିତରେ ଶରୀର ମୋଟେ କିଛି ନୁହେଁ । ଯାହା ସହିତ ଅସଲ ଖିଅଟିକୁ ଯୋଡ଼ି ପାରିଲେ ଶରୀର ଆପଣାର ଯାବତୀୟ ଔଜଲ୍ୟ ସହିତ ବଞ୍ଚିବାଲାଗି ସମର୍ଥ ହେଉଛି, ସେହି ବସ୍ତୁଟି ବିଷୟରେ ଜାଣିବା କେବଳ ଆପଣା ଭିତରକୁ ସମଗ୍ର ଭାବରେ ପଶି ପାରୁଥିବା ଏବଂ ସମଗ୍ର ଫୁଲଟିଏ ପରି ଫୁଟିଉଠି ପାରୁଥିବା ମନୁଷ୍ୟ ପକ୍ଷରେହିଁ ସମ୍ଭବ ହୋଇପାରେ । ଏକାଧିକ କାରଣରୁ ମନୁଷ୍ୟ ଯେପର୍ଯ୍ୟନ୍ତ କେବଳ ମନଟାକୁହିଁ ସର୍ବସାର ଓ ସର୍ବନିୟାମକ ବୋଲି ମାନୁଥିଲା, ସେପର୍ଯ୍ୟନ୍ତ ସିଏ ଶରୀରସ୍ଥ ଜୀବନଟାକୁ ସାଂସାରିକତାର ଯାବତୀୟ ଦଉଡ଼ରେ ସତେଅବା ସର୍ବୋଚ୍ଚ ଲକ୍ଷ୍ୟରୂପେ ଗ୍ରହଣ କରି ନେଉଥିଲା । ଏବଂ, ଅନ୍ୟ ପକ୍ଷରେ, ଯେପର୍ଯ୍ୟନ୍ତ ଆତ୍ମା ନାମକ ଏକ ଅସଂଲଗ୍ନ ପଦାର୍ଥକୁ ଏକମାତ୍ର ସତ୍ୟ ବୋଲି କୁହା ଯାଉଥିଲା, ସେପର୍ଯ୍ୟନ୍ତ ମଣିଷର ଶରୀରଟା କେବଳ ଅବଜ୍ଞାର ବସ୍ତୁ ହୋଇ ରହିଥିଲା । ଶରୀରର ଜଞ୍ଜାଳରୁ ମୁକ୍ତି ପାଇବାକୁହିଁ ତଥାକଥିତ ଜ୍ଞାନକାମୀମାନେ ପ୍ରାୟ ଅପରିହାର୍ଯ୍ୟ ବୋଲି ବିଚାର କରୁଥିଲେ । ଖଣ୍ଡସତ୍ୟଗୁଡ଼ିକ ମଣିଷକୁ ପ୍ରକୃତରେ ଭାରି ଖଣ୍ଡିଆ କରି ରଖିଥିଲେ । ଜୀବନର ଅସଲ ମହିମାକୁ ବୁଝିବା ଅପହଞ୍ଚ ହୋଇ ରହିଥିଲା ।

 

ମନୁଷ୍ୟନାମକ ଏକ ମହିମାମୟ ସମଗ୍ର ମଧ୍ୟରେ ଶରୀର ମଧ୍ୟ ଏକ ଭୂମି । ଏକ ଅଂଶ ନୁହେଁ, ଏକ ଭୂମି । ଯାବତୀୟ ଅନୁଧାବନରେ ତାହା ହେଉଛି ସର୍ବପ୍ରଥମ ଭୂମି । ତେଣୁ, ଶରୀରକୁ ତୁଚ୍ଛ ଭଙ୍ଗୁର ବୋଲି ଅବଜ୍ଞା କରୁଥିବା ପର୍ଯ୍ୟନ୍ତ ତଥାକଥିତ ଅନ୍ୟ ଯାବତୀୟ ଭୂମି ମଧ୍ୟ ଅବଜ୍ଞା ଭିତରେ ପଡ଼ି ରହିଥିବ । ବସ୍ତୁବାଦୀ ଭାବପ୍ରବଣତା ଠାରୁ ଆରମ୍ଭ କରି ନାନା ବାୟବୀୟ ଭାବପ୍ରବଣତା ପର୍ଯ୍ୟନ୍ତ ନାନାବିଧ ରୋଗ ଜୀବନକୁ କାମୁଡ଼ି ଧରିଥିବ । ନିଜ ଭିତରେ ଗୋଟିଏ ଅଂଶକୁ ବଞ୍ଚିତ କରି ମଣିଷ ଯେଡ଼େ ବେଗରେ କିମ୍ବା ଯେତେ ପ୍ରଦର୍ଶନ ସହିତ ଆଗକୁ ଦଉଡ଼ି ପଳାଇବାକୁ ମନ କରୁଥିଲେ ମଧ୍ୟ ତଥାପି ଭାରି ଖଣ୍ଡିଆ ହୋଇ ପଡ଼ି ରହିଥିବ । ବଡ଼ ଦରିଦ୍ର ଓ ଅଳ୍ପ ହୋଇ ପଡ଼ି ରହିଥିବ ।

 

୧ । ୧୦ । ୯୧

 

ଗୋଷ୍ଠୀ ମଧ୍ୟରେ ଚାକ୍ଷୁଷ ଭାବରେ ଅଧିକ ସଂହତି ଅଣାଇବା ପାଇଁ କାଲି ଗୋଷ୍ଠୀ ପକ୍ଷରୁ ସମବେତ ଧ୍ୟାନର ଆୟୋଜନ କରା ହୋଇଥିଲା । ସେଥିରେ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି ଯୋଗ ଦେଇଥିଲେ । ଧ୍ୟାନ ପରେ ଆଉଗୋଟିଏ ପ୍ରକୋଷ୍ଠରେ ତା’ପରେ ସମବେତ ଶାସ୍ତ୍ରପାଠ ମଧ୍ୟ ହେଲା । ଅର୍ଥାତ୍, ଜଣେ ପଢ଼ି ଶୁଣାଇଲେ, ଏବଂ ସମସ୍ତେ ନୀରବରେ ବସି ଶୁଣିଲେ । ତା’ପରେ ଗୋଷ୍ଠୀ ଭାଙ୍ଗିଲା,–କେହି କେହି ସାନ ସାନ ଦଳରେ ବିକ୍ଷିପ୍ତ ହୋଇ ଦଣ୍ଡେ ଛିଡ଼ା ହୋଇ ହୁଏତ ନିଜଭିତରେ ଆଉ କ’ଣସବୁ ଆଲୋଚନା କରୁଥିଲେ ସିନା, ମାତ୍ର ତାହାକୁ ଅତ୍ୟନ୍ତ ଗୁପ୍‌ଚୁପ୍ ଭାବରେ କରୁଥିଲେ । କେହି କାହାରିକୁ ଅନାଇ ଖୋଲାଖୋଲି ଭାବରେ ହସୁ ନଥିଲେ । ହୁଏତ ଅସଲ କଥାଗୁଡ଼ିକୁ ଭିତରେ ରଖିଥିଲେ ଏବଂ ବାହାରେ ଗମ୍ଭୀର ହୋଇ ରହିଥିଲେ । ବାହାରକୁ ସମସ୍ତେ ଭଦ୍ର ଓ ଶାନ୍ତ ହୋଇ ଦିଶୁଥିଲେ ମଧ୍ୟ ସମ୍ଭବତଃ ନିଜ ଭିତରେ ସତେଅବା ଅପରାଧୀ ପରି ମନେ ହେଉଥିବା ଦୋସର ବା ମିତଟାକୁ ଚାପି କରି ଲୁଚାଇ ରଖିଥିଲେ ।

 

ସଂହତି ଥିଲେ ଯାବତୀୟ କାର୍ଯ୍ୟ ମଧ୍ୟ ସଂହତିଯୁକ୍ତ ହୁଏ । କୌଣସି ଖାସ୍ କାର୍ଯ୍ୟକ୍ରମଦ୍ଵାରା ସଂହତି ଆଣିବାର ଚେଷ୍ଟାଦ୍ଵାରା ସଂହତି ଆସିଗଲା ବୋଲି ଏକ ସାମୟିକ ଚାକ୍ଷୁଷ ସାନ୍ତ୍ଵନା ମିଳିପାରେ ସତ, ମାତ୍ର ସେତିକିରୁ ବିଶେଷ କିଛି ଲାଭ ହୁଏନାହିଁ । ଦଣ୍ଡକଲାଗି ହୃଦୟ ଓଦା ହୋଇ ଆସିଲାପରି ମନେ ହୁଏ ଏବଂ ପୁଣି ତା’ପରେ ନିତ୍ୟନୈମିତ୍ତିକତା ଭିତରେ ବାନ୍ଧି ହୋଇଯାଏ । ଆମେ ଭାବୁ, ଧ୍ୟାନ, ପ୍ରାର୍ଥନା, ନୀରବତା,–ଏଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଟେକ୍‌ନିକ, ଯାହାକି ମଣିଷର ଭିତରେ ଏବଂ ବାହାରେ ପରସ୍ପର ମଧ୍ୟରେ ଲାଗିଥିବା ଗୋଳଗୁଡ଼ିକୁ ଶାନ୍ତ କରି ଆଣିପାରିବ । ଆନୁଷ୍ଠାନିକତାଦ୍ଵାରା ବିଶେଷ କିଛି ହୁଏନାହିଁ । ଗଣ୍ଠିଗୁଡ଼ିକ ସତକୁସତ ଫିଟିଯିବାଦ୍ଵାରାହିଁ ଯାହାକିଛି ହୁଏ । ଅନ୍ତତଃ, ଗୋଷ୍ଠୀରେ କେତେଜଣଙ୍କର ଗଣ୍ଠି ଫିଟି ଯାଇଥିଲେ ତାହା ଅନ୍ୟମାନଙ୍କର ଗଣ୍ଠି ଫିଟିଯିବାରେ ମଧ୍ୟ ସାହାଯ୍ୟ କରେ । ବଗିଚା ଭିତରେ ଅନ୍ତତଃ କେତୋଟି ଗଛରେ ଫୁଲ ଫୁଟିଥିଲେ ସତେଅବା ସବୁଯାକ ଗଛରେ ଫୁଟିଥିବା ପରି ଅନୁଭବ ହୁଏ । ଆସ, ଆମେ ମଧ୍ୟ ଏହି ବାଟରେ ଯିବା ।

 

୨ । ୧୦ । ୯୧

 

ଗାନ୍ଧୀ ଖାଲି ମନେ ପଡ଼ୁନାହାନ୍ତି, ଗାନ୍ଧୀଙ୍କୁ ଖୋଜା ପଡ଼ିଛି । କାଳର ରକ୍ଷକ ଭଗବାନ୍‍ ଗାନ୍ଧୀଙ୍କୁ ଖୋଜିବାରେ ଲାଗିଛନ୍ତି । ତାଙ୍କର ଏବେ ସବାଆଗ ନିର୍ଭୟ ମଣିଷମାନେହିଁ ଦରକାର । ପୁରୁଣା ପୃଥିବୀଟାରେ ଭୀରୁମାନେ ଅତ୍ୟନ୍ତ ପ୍ରବଳ ହୋଇ ଉଠିଲେଣି । ଦାନ୍ତ ଲଗାଇ, ହାତରେ ଛୁରି ଧରି, ନିଜ ଭିତରେ ହୃଦୟଟାକୁ ଗୋଟାସୁଦ୍ଧା ପୋଡ଼ିଦେଇ ଭୀରୁମାନେ ଦୁର୍ଦ୍ଦାନ୍ତ ଭାବରେ ସଂସାର ଭିତରକୁ ବାହାରିଛନ୍ତି । ନିପଟ ଅସାଧୁମାନେ, ନିରାପତ୍ତାକାମୀମାନେ, କେବଳ ନିଜକୁହିଁ ପୃଥିବୀରେ ଏକମାତ୍ର ବୋଲି ଦେଖୁଥିବା; ଦୁରାଗ୍ରହୀମାନେ ବର୍ତ୍ତମାନ ପୃଥିବୀରେ ଏଡ଼େ ବଡ଼ବଡ଼ ହୋଇ ଦେଖାଯାଉଛନ୍ତି ଯେ, କେବଳ ସାହସୀମାନେହିଁ ସେମାନଙ୍କୁ ସାଧ୍ୟ କରିପାରିବେ । ସେହି ସାହସୀ ମଣିଷମାନେ କାହାନ୍ତି ? ସେଇଥିଲାଗି ଗାନ୍ଧୀଙ୍କୁ ଚାରିଆଡ଼େ ଖୋଜା ପଡ଼ିଛି ।

 

ବର୍ତ୍ତମାନ ଆମ ପୃଥିବୀରେ ଜ୍ଞାନ ଭର୍ତ୍ତି ହୋଇଛି, ବିଦ୍ୟା ଭର୍ତ୍ତି ହୋଇଛି, ଚତୁରତା ଭର୍ତ୍ତି ହୋଇଛି; ବୁଦ୍ଧି ବେତା ବେତା ହୋଇ ବିଞ୍ଚା ହେବାରେ ଲାଗିଛି । ମାତ୍ର ସାହସୀ ମଣିଷଟିଏ କାହିଁ ? ସାହସୀ ମଣିଷଟିଏ, ଯିଏ ଗୋଳ କରିବନାହିଁ, କୋଳାହଳ କରିବନାହିଁ, ଯାବତୀୟ ଖୋଳକୁ ଖୋଳ ବୋଲି ଯିଏ ସୂର୍ଯ୍ୟ ଆଗରେ ସିଧା ଛିଡ଼ାହୋଇ ପାରିବ, ଯାବତୀୟ ଆସ୍ଥାନ ଉପରେ କେବଳ ସେହି ସର୍ବୋତ୍ତମ ଓ ସର୍ବୋଚ୍ଚକୁ ଦେଖି ପାରୁଥିବ, ଯାବତୀୟ ଆସ୍ଥାନର ମାଧ୍ୟମରେ ଯିଏ ସେହି ସୂର୍ଯ୍ୟର, ସର୍ବୋତ୍ତମର, ସର୍ବୋଚ୍ଚର ଏବଂ ସର୍ବଅନ୍ତରଙ୍ଗ ଆଘ୍ରାଣ କରି ପାରୁଥିବ, ଯିଏ ବାଟଟିଏ ଖୋଜି ପାଇଥିବ ଏବଂ ନିର୍ଭୀକ ଅଥଚ କୋଳାହଳଶୂନ୍ୟ ଭାବରେ ସେହି ବାଟଟିକୁ ଚାଲି ପାରୁଥିବ, ସେହିପରି ଅନେକ ସାହସୀ ମଣିଷଙ୍କର ଗୋଷ୍ଠୀ ବର୍ତ୍ତମାନ ପୃଥିବୀରେ ଦରକାର । ନାନା କ୍ଷେତ୍ରରେ ସେହିଭଳି ଗୋଷ୍ଠୀମାନେ ଦରକାର । ମଣିଷମାନଙ୍କ ଭିତରେ ସୁପ୍ତ ହେଇ ରହିଥିବା ସେହି ବିଶ୍ଵାସବାନ୍ ସାହସୀଟି, ସେହି ସତ୍ୟାଗ୍ରହୀଟି, ସେହି ଜୀବନକାମୀ ପ୍ରେମୀଟି,–ବର୍ତ୍ତମାନ ତାହାରି ଖୋଜା ପଡ଼ିଛି । ସେଇମାନଙ୍କର ଗୋଷ୍ଠୀଟିଏ ବର୍ତ୍ତମାନ ସବୁଠାରୁ ଅଧିକ ଲୋଡ଼ା । ଏହି ଆବଶ୍ୟକତା ଦୃଷ୍ଟିରୁ ପ୍ରତୀକାତ୍ମକ ଭାବରେ ଗାନ୍ଧୀହିଁ ସବୁଠାରୁ ଅଧିକ ପ୍ରତ୍ୟକ୍ଷ ଭାବରେ ଦେଖା ଯାଉଛନ୍ତି । ନିଜ ଭିତରକୁ ଅନାଇଲେ ମଧ୍ୟ ସବାଆଗ ଗାନ୍ଧୀହିଁ ଦିଶି ଯାଉଛନ୍ତି ।

 

୩ । ୧୦ । ୯୧

 

ଆତ୍ମା, ଚୈତ୍ୟସତ୍ତା, Self, the real man,–ଏହିସବୁ ଶବ୍ଦକୁ ନେଇ ବିଭିନ୍ନ ଧର୍ମରେ କେଡ଼େ ଭାବପ୍ରବଣତା ସହିତ କେତେ ନା କେତେ ହୁଲସ୍ତୁଲ ପଡ଼ିଯାଇଛି । ଏବେ ମଧ୍ୟ କମ୍ ପଡ଼ିନାହିଁ । ଭାଷ୍ୟକାରମାନେ ଏଗୁଡ଼ିକ ବିଷୟରେ କେତେ କେତେ ଭାଷ୍ୟ ଦେଇଛନ୍ତି, କେବେ ଶାସ୍ତ୍ରର ସମର୍ଥନ କରିବାକୁ ଯାଇ ଆହୁରି କେତେ ଶାସ୍ତ୍ରର ଖଣ୍ଡନ କରିଛନ୍ତି । ଏଗୁଡ଼ିକ କେବଳ ଶବ୍ଦ ନୁହନ୍ତି, ଏଗୁଡ଼ିକ ଆପଣାର ଜୀବନକୁ ବଞ୍ଚିବାର ଗୋଟିଏ ଗୋଟିଏ ଭୂମି;–ହୁଏତ ଆପେ ସ୍ଵୀକାର କରି ନେଇଥିବା ଗୋଟିଏ ଗୋଟିଏ ଭୂମି । ସେହି ଭୂମିରେ ବଞ୍ଚିପାରିବା ଲାଗି ମଣିଷ ଭିତରେ ଏକ ସମ୍ଭାବନା ନିହିତ ହୋଇ ରହିଛି । ସେହି ସମ୍ଭାବନା ଉପରେ ପ୍ରତ୍ୟୟ ରଖି ଯେତେଦୂର ଯାଇ ପାରିଛନ୍ତି, ସେମାନେ ସେହି ଅନୁସାରେ ସେଇଟି ବିଷୟରେ ସମାଚାର ମଧ୍ୟ କହିଛନ୍ତି ।

 

ଆତ୍ମା ଅର୍ଥାତ୍ ଚୈତ୍ୟସତ୍ତାର ଭୂମିରେ ଜୀବନ ବଞ୍ଚିବାର ପ୍ରମାଣ ସର୍ବଦା ଗୋଟିଏ । ନିଜ ଭିତରେ ଆତ୍ମାକୁ ଦେଖିବା ଅର୍ଥାତ୍ ଚୈତ୍ୟ ଆବେଦନଟିକୁ ସବାଆଗରେ ଜୀବନକୁ ବଞ୍ଚିବାର ଅର୍ଥ ହେଉଛି, ଅନ୍ୟ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ସବାଆଗ ସେହି ଚୈତ୍ୟସତ୍ତା ବା ଆତ୍ମାକୁହିଁ ଦେଖିବା । ଏପରି ଏକ ସମ୍ମାନବୋଧ ସହିତ ଜୀବନ ବଞ୍ଚିବା ଯାହାକି ଖିଅ ଲଗାଉଥିବା ସମୟରେ ଆଦୌ କୌଣସି ଅହଂକାରର ପ୍ରରୋଚନାରେ ପଡ଼ୁନଥିବ । ଏବଂ, ଆଧୁନିକ ଶବ୍ଦ ଦେଇ କହିଲେ, କିଏ egologically ମୋଟେ ବଞ୍ଚୁନଥିବ, ସେପରି ବଞ୍ଚିବାର ପ୍ରୟୋଜନ ମଧ୍ୟ ଅନୁଭବ କରୁନଥିବ । ନିଜ ଭିତରେ ଆସ୍ଥାକୁ ଅନୁଭବ କରିବାର ଅର୍ଥ ହେଉଛି ଅନ୍ୟ ପ୍ରତ୍ୟେକଙ୍କ ଭିତରେ ସେହି ଆତ୍ମାକୁହିଁ ଅନୁଭବ କରିବା, ସବୁରି ମଧ୍ୟରେ ସେମାନଙ୍କର ଚୈତ୍ୟସତ୍ତାହିଁ ଯେ ସେମାନଙ୍କର ସର୍ବୋତ୍ତମ ପରିଚୟ, ଏହିପରି ଏକ ପ୍ରତ୍ୟୟର ମୂଳଭୂତ ପ୍ରେରଣାଟିଦ୍ଵାରା ପ୍ରେରିତ ହୋଇ ପୃଥିବୀରେ ସମ୍ବନ୍ଧ ଯୋଡ଼ିବା । ଚୈତ୍ୟସତ୍ତାର ଦର୍ଶନ ଲାଭ କରିନଥିବା ଆତ୍ମକାମୀମାନେ ଯେତେବେଳେ ଏକ କୃତ୍ରିମ ଭାବାଳୁତା ସହିତ ଲୋସଡ଼ି ପଡ଼ୁଥିବା ପରି ଆତ୍ମା ଓ ଚୈତ୍ୟସତ୍ତାର ମହିମା ବର୍ଣ୍ଣନା କରି ବାହାରନ୍ତି, ସେତେବେଳେ ସେମାନଙ୍କ ଭିତରେ ସତେଅବା ଅହଂଟାହିଁ ଯେପରି ବାବାଜି ବେଶ ଧରି ପୃଥିବୀ ପାଖରେ ଯେକୌଣସି ପ୍ରକାରେ ସାଉଁଳେଇ ରହିବାର ଫିକର କରୁଥିବା ପରି ମନେ ହେଉଥାଏ ।

 

୭ । ୧୦ । ୯୧

 

ସହରରେ କୁଆଡ଼େ ସବୁ ରହିଥାଏ । ତଥାପି, ସହରରେ ସବୁକିଛି ରହିଥାଏ ବୋଲି ଯେଉଁମାନେ ସହରରେ ଥାଇ କହନ୍ତି, ସେମାନେ ଅତ୍ୟନ୍ତ ପ୍ରକାଶ୍ୟଭାବେ କହିଥାନ୍ତି ଯେ, ଏହି ସବୁକିଛି ଥାଇ ମଧ୍ୟ ସହରରେ ଗୋଟାଏ କ’ଣ ପ୍ରକୃତରେ ନଥାଏ ।

 

ଗାଁରେ ସହରର ଅନେକ କିଛି ନଥାଏ । ତଥାପି, କ’ଣ ଗୋଟିଏ ଥାଏ, ତାହା ସକାଶେ କିଛି ନଥାଇ ମଧ୍ୟ ଗାଁ ସତେଅବା ପୂରି ରହିଥିବା ପରି ଲାଗୁଥାଏ । ଗାଁର ଆକାଶ, ଗାଁର ସବୁଜ ବିସ୍ତୃତି, ପରସ୍ପର ସହିତ ଠେସାଠେସି ହୋଇ ରହିଥିବା ଗ୍ରାମଜୀବନର ପ୍ରାୟ ଦୃଶ୍ୟ ଓ ଅଦୃଶ୍ୟ ଯାବତୀୟ ସମ୍ବନ୍ଧ,–ଏହି ସବୁକିଛି ଭିତରେ ପଶିଗଲାମାତ୍ରକେ ଭିତରେ ସତେଅବା ସବୁକିଛି ପୂରିଗଲା ପରି ମନେହୁଏ । ଅନେକେ କହନ୍ତି, ସହରର, ସଭ୍ୟତାର ବସ୍ତୁଗୁଡ଼ିକ ଗାଁ ଭିତରକୁ ଅଧିକରୁ ଅଧିକ ଆସି ପହଞ୍ଚି ଯାଉଥିବା ସହିତ ଗାଁରୁ ମଧ୍ୟ କୁଆଡ଼େ ଶିରୀ ଛାଡ଼ିଯିବ, ଗାଁଟାବି କୁଆଡ଼େ ଭାରି କୃତ୍ରିମ ହୋଇଯିବ । ଏହା ଯେ ଆଦୌ ସତ ନୁହେଁ, ଗାଁକୁ ଗଲେ ଯାଇ ସେହି କଥାଟିକୁ ବୁଝିହୁଏ । ଯେଉଁ ମଣିଷମାନଙ୍କୁ ନେଇ ସହରଗୁଡ଼ିକ ଗଢ଼ିଉଠିଛି, ସେମାନେ ସମସ୍ତେ ଗାଁରୁ ଆସିଛନ୍ତି । ସେମାନେ ସମସ୍ତେ ଆଉ କ’ଣ ଗୋଟାଏ ପାଇବେ ବୋଲି ଗାଁ ଛାଡ଼ି ସହରକୁ ଆସିଛନ୍ତି । ଚେରମାନଙ୍କୁ ଛିଡ଼ାଇ ସତେଅବା ଆଉ କ’ଣ ନୂଆ ଚେରମାନ ସମ୍ଭବ କରିବାରେ କାମନା ନେଇ ଆସିଛନ୍ତି । ଅତ୍ୟନ୍ତ ଆକସ୍ମିକଭାବେ ସେମାନେ ସହରରେ ପରସ୍ପରକୁ ଭେଟିଛନ୍ତି ଏବଂ ତଥାପି ସମ୍ୱନ୍ଧଟିଏ ଯୋଡ଼ିବା ଲାଗି ଚେଷ୍ଟା କରୁଛନ୍ତି । ଅତ୍ୟନ୍ତ ଔପଚାରିକ ଭାବରେ ଏହି ଚେଷ୍ଟାମାନ ଚାଲିଛି । ଗାଁରେ ସମ୍ବନ୍ଧ ଯୋଡ଼ିବାର ସେଭଳି କୌଣସି ଚେଷ୍ଟା ହେଉନାହିଁ । ସମ୍ବନ୍ଧଗୁଡ଼ିକ ରହିଛି, ଏହି ସମ୍ବନ୍ଧଗୁଡ଼ିକର ସମାହାରହିଁ ଗାଁରେ ଯାବତୀୟ ଜୀବନର ସ୍ଵାଭାବିକ ଭିତ୍ତି ହୋଇ ରହିଛି । ତୁମେ ଇଚ୍ଛା କଲେ ଅର୍ଥାତ୍ ଅନ୍ୟକାମୀ ହେଲେ ସେହି ସମ୍ବନ୍ଧଗୁଡ଼ିକୁ ଛିଡ଼ାଇ ପଳାଇ ଆସିପାର, ମାତ୍ର ସେଗୁଡ଼ିକୁ ଅସ୍ଵୀକାର କରିବାର ଆଦୌ କୌଣସି ବାଟ ନାହିଁ । ଚେରଗୁଡ଼ିକୁ ଯେଉଁଠି ଭିତରେ ଅନୁଭବ କରାଯାଏ, ଯେଉଁଠି ଏଥିଲାଗି ବିବିଧ ଔପଚାରିକତା ସୃଷ୍ଟି କରିବାଲାଗି ଆଦୌ କୌଣସି ଆବଶ୍ୟକତା ନଥାଏ, ମଣିଷକୁ ସମ୍ଭବତଃ ସେହିଠାରେହିଁ ଭଲ ଲାଗେ । ସବୁ ଚିହ୍ନା ଚିହ୍ନା ଲାଗେ । ସେଠାରେ ଭିତର ସହିତ ବାହାରର ବିଶେଷ ଅମେଳ ମଧ୍ୟ ନଥାଏ ।

 

୮ । ୧୦ । ୯୧

 

ଜୀବନରେ ବେଳେବେଳେ ସତେଅବା ସତକୁସତ ହାରି ଯାଉଥିଲା ପରି ମନେ ହେବାରେ ଲାଗିଥାଏ । ତଥାପି, ଥିର ହୋଇ ଭିତରକୁ ଅନାଇଲେ ସ୍ପଷ୍ଟ ଦୃଷ୍ଟିଗୋଚର ହୁଏ ଯେ, ପୃଥିବୀରେ ଯାହାକିଛି ଘଟୁଛି, ସେହି ଯାବତୀୟ ସବୁକିଛିର ମାଧ୍ୟମରେ କେବଳ ସେଇ ଜିତି ଜିତି ଯାଉଛନ୍ତି । ସେଇ ଜିତିଲେ ମୁଁ ମଧ୍ୟ ଜିତିଲି ବୋଲି ଯଦି ମୁଁ ଆପଣାକୁ ଅନୁରୂପ ଭାବରେ ମଙ୍ଗାଇଦେଇ ପାରିଲି, ତେବେ ମୋ’ର ହାରିବାଗୁଡ଼ିକ ମଧ୍ୟ ଜଳଜଳ ହୋର ତାଙ୍କର ଜିତୁଥିବାର ଗୋଟିଏ ଗୋଟିଏ ପରିପୂରକ ଅର୍ଥାତ୍ ସହାୟକ ପରି ମନେ ହେବାକୁ ଲାଗନ୍ତି ।

 

ମାତ୍ର, ତାଙ୍କ ଜିତିଲା ବାହାରେ ଯଦି ମୁଁ ଆଉ କେଉଁଠି ଗଡ଼ ଜିତି ରହିବାର ଫିକରରେ ପଡ଼ିଥାଏ, ତେବେ ସବୁଯାକ ଅଡ଼ୁଆ ସେହିଠାରେ ଆସି ପହଞ୍ଚେ ଓ ମୋତେ ଉତ୍ତେଜିତ କରି ପକାଇବାକୁ ଚେଷ୍ଟା କରେ । ଭଗବାନ୍‍ ସତେଅବା ମୋତେ ଧୋକା ଦେଲେ ବୋଲି ମନେହୁଏ । ସେତେବେଳେ ଆପଣାକୁ ଅତ୍ୟନ୍ତ ବଳହୀନ ହୋଇ ପଡ଼ିଥିବାର ପରି ମନେ ହୁଏ । ଏହିପରି ବଳହୀନ ହୋଇ ପଡ଼ିବାର ଏକ ଅନ୍ୟ ନାମ ହେଉଛି ଅହଂକାର । ଅହଂକାରୀମାନେ ବାହାରକୁ ଯେଡ଼େ ବଳୁଆ ପରି ଦେଖା ଯାଉଥିଲେ ମଧ୍ୟ ଭିତରେ ପ୍ରକୃତରେ ଭାରି ବଳହୀନ ହୋଇଥାନ୍ତି । ଭିତରେ ଆପଣାର ବଳହୀନତାଗୁଡ଼ିକ ସେମାନଙ୍କୁ ଏପରି ଲାଜରା କରି ରଖିଥାଏ ଯେ, ବାହାରେ ୟାଡ଼ୁସାଡ଼ୁ କେତେପ୍ରକାର ଉତ୍ତେଜନା ଦେଖାଇ ସେହି ଦୀନ ଅବସ୍ଥାର ଏକ କ୍ଷତିପୂରଣ କରିବାଲାଗି ସେମାନେ ଭାରି ଚେଷ୍ଟା କରୁଥାନ୍ତି । ଆପଣାକୁ ତଥା ଜଗତ୍‍କୁ ବହୁପ୍ରକାରେ ବିଡ଼ମ୍ବିତ କରି ରଖିଥାନ୍ତି । ଜଗତ୍‍ର ଅଧିକାଂଶ ଦୁଃଖ ଏହି ବିଡ଼ମ୍ବନାରୁହିଁ ଜାତ ହୋଇଥାଏ । ବହୁବିଧ ସଖ୍ୟର ଡୋରଗୁଡ଼ିକ ଏହି ସଂସାରରେ ବିଛାଇ ହୋଇ ପଡ଼ିଥିଲେ ମଧ୍ୟ ମଣିଷମାନେ ତଥାପି ଏକୁଟିଆ ନିଜକୁହିଁ ଦେଖୁଥାନ୍ତି ଓ ଏକୁଟିଆ ବାଟ ଚାଲିବେ ବୋଲି ହଟ କରି ଦୁଃଖ ପାଉଥାନ୍ତି । ଭିତରର ଏହି ହାସ୍ୟାସ୍ପଦ ସ୍ଥିତିର କାହାଣୀଗୁଡ଼ିକୁ ପରସ୍ପର ଆଗରେ କହି ପାରୁଥିଲେ ହୁଏତ ସେମାନଙ୍କୁ ଏହି ଦୁଃଖର ବାଡ଼ଗୁଡ଼ାକ ଅତିକ୍ରମ କରିଯିବାର ଅନେକ ବାଟ ମିଳି ଯାଉଥାନ୍ତା । କିନ୍ତୁ, ତେବେ ସମ୍ମତି ଦେଇ ପାରୁଥିଲେ ସିନା ସେମାନେ ତାହା କରି ପାରୁଥାନ୍ତେ ।

 

୯ । ୧୦ । ୯୧

 

ଭିତରେ ଉତ୍ସାହର ବାଘଟା ମୋତେ ଆଗକୁ ଘୋଷାରି ନେଇଯିବା ପାଇଁ ବାହାରିବା ବେଳକୁ ବେଳେବେଳେ ସଙ୍କୋଚ ନାମକ ଅନ୍ୟ ବାଘଟା ମୋତେ ଯେଉଁଠି ସେଇଠି ପକାଇ ରଖିବାକୁ କେତେ ଫିକର କରୁଛି । କୌଣସି କାମ ମୁଣ୍ଡ ଉପରେ ସତେଅବା ଏକ ବୋଝପରି ମନେ ହେବାମାତ୍ରକେ ଭିତରେ ବାଘ, ବାଘ ଭିତରେ ସେହି କୌତୁକପୂର୍ଣ୍ଣ ଲଢ଼େଇଟିର ସନ୍ଦର୍ଶନ ଲାଗି ସୌଭାଗ୍ୟ ମିଳିଯାଉଛି । ଏହି ଦୁଇ ବାଘ ଗୋଟିଏ ଆରଟିର ପ୍ରତିପନ୍ଥୀ ବୋଲି ଆଗେ ମୁଁ କେତେ ଭାବୁଥିଲି । ଗୋଟାକର ପକ୍ଷ ନେଇ ଆର ପକ୍ଷଟା ସହିତ ଲଢ଼ିବାକୁ ତିଆରି ହୋଇ ଯାଉଥିଲି । ତାହା ହେଉଛି ଏକାବେଳେକେ ଏକ ଅନ୍ୟ ଅନୁଭୂତି । ସେହି ପର୍ଯ୍ୟାୟଟିକୁ ମୁଁ କଦାପି ଅଜ୍ଞାନର ଏକ ପର୍ଯ୍ୟାୟ ବୋଲି କହିବିନାହିଁ । ସମ୍ଭବତଃ ସେଇଟିର ମଧ୍ୟ ଆବଶ୍ୟକତା ରହିଥିଲା ।

 

ବର୍ତ୍ତମାନ ଭିତରେ କୌଣସି ଦ୍ଵନ୍ଦ୍ଵ ନାହିଁ । ମୋ’ର ଉତ୍ସାହ ଓ ମୋ’ର ସଙ୍କୋଚ ପରସ୍ପରର ପରିପୂରକ ହୋଇ ରହିଛନ୍ତି । ସଙ୍କୋଚର ଅର୍ଥ ଅନିଚ୍ଛା ଆଦୌ ନୁହେଁ । ମୋ’ର ସଙ୍କୋଚଗୁଡ଼ିକ ମୋତେ ମୋଟେ ଅଟକାଇ ରଖିନାହାନ୍ତି । ସେମାନେ ଥିର ହୋଇଯିବାକୁ ପରାମର୍ଶ ଦେଇଛନ୍ତି । ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଉତ୍ସାହଟା ସତେଅବା ଆଖି ବୁଜି ଡେଇଁ ପଡ଼ିବାକୁ ବାହାରିବା ସମୟରେ ସଙ୍କୋଚ ଆସି ତା’ର ପିଠିକୁ ଥାପୁଡ଼େଇ ଦେଇଛି ଓ ଥିରି ହୋଇ ବାଟ ଚାଲିବାକୁ ପରାମର୍ଶ ଦେଇଛି । ନିଜ ତରଫରୁ ସିଏ ଉତ୍ସାହକୁ ଆଶୀର୍ବାଦ ମଧ୍ୟ ଦେଇଛି । ଅଧିକ ଅନ୍ତର୍ଦୃଷ୍ଟି ଯୋଗାଇ ଦେଇଛି । ସବୁ ସଙ୍କୋଚ ମଣିଷର ଉତ୍ସାହକୁ ଯେ ପଣ୍ଡ କରି ଦିଅନ୍ତିନାହିଁ । ମୁଁ ସେ କଥା ନିଜ ଜୀବନରୁ ଶିକ୍ଷା କରିଛି । ସେହି ଶିକ୍ଷା ଅଧିକରୁ ଅଧିକ ଅନ୍ତରସ୍ଥ ହେବା ସଙ୍ଗେ ସଙ୍ଗେ ମୁଁ ଦୁଇ ବାଘଙ୍କର ଏହି କୌତୁକମୟ ଟଣାଟଣିକୁ ପ୍ରକୃତରେ ଖୁବ୍ ଉପଭୋଗ କରିଛି । ତେଣୁ ନିଜ ଉପରେ ଆଦୌ ବିରକ୍ତି ହୋଇନାହିଁ । ନିଜ ଭିତରେ ବିଭକ୍ତ ହୋଇ ରହିବାର ଦୁର୍ଦ୍ଦଶା ମଧ୍ୟ ଭୋଗ କରିନାହିଁ ଏବଂ, ଆପେ ଆଦରି ନେଇଥିବା କୌଣସି କାର୍ଯ୍ୟ ସମ୍ପନ୍ନ ହୋଇଯିବା ପରେ ସେଥିରେ ଉତ୍ସାହ ଏବଂ ସଙ୍କୋଚ ଉଭୟେ ଆମୋଦିତ ହୋଇଛନ୍ତି, ସତେଅବା ପରସ୍ପରର କାନ୍ଧରେ ହାତ ପକାପକି ହୋଇ ସେମାନେ ଦୁହେଁଯାକ ମୋ’ ଖୁସିରେ ଭାଗ ନେବାକୁ ଆସିଛନ୍ତି । ମୋ’ର ବିଶ୍ଵାସକୁ ଦୃଢ଼ କରି ଦେଇଛନ୍ତି । ମୋ’ ସହିତ ସବୁଦିନେ ରହିବେ ବୋଲି ମୋତେ ପ୍ରତିଶ୍ରୁତିବି ଦେଇଛନ୍ତି ।

 

୧୦ । ୧୦ । ୯୧

 

ଯେଝା ଦୁଃଖରେ ଯିଏ ଅଛନ୍ତି, ଯେଝା ଚିନ୍ତାରେ ଯିଏ ଅଛନ୍ତି, ଅର୍ଥାତ୍ ଯେଝା ଲାଭରେ ଯିଏ ଲାଗିଛନ୍ତି,–ସାରା ପୃଥିବୀର କଥା ଭାବିବାକୁ କେଉଁଠି କିଏ ଅଛନ୍ତି ? ସମଗ୍ର ପୃଥିବୀର ପରିପ୍ରେକ୍ଷୀ ଉପରେ ନିଜକୁ, ନିଜ ଦୁଃଖକୁ ଓ ନିଜ ଲାଭକୁ ବିଚାର କରିବାର ମଣିଷ କିଏ କେଉଁଠି ଅଛନ୍ତି ? ସମସ୍ତେ ନିଜ ନିଜ ଲାଭରେ ଲାଗିଲେ ସମସ୍ତଙ୍କର ଲାଭକୁ ମିଶାଇ ଦେଶ ମଧ୍ୟ ଯୁଗପତ୍ ଲାଭବାନ୍ ହେବ ବୋଲି ଏକଦା ଯେଉଁ ଅର୍ଥନୀତିଜ୍ଞ ଫତୁଆ ଦେଇଥିଲେ, ତାହାରିଦ୍ଵାରା ବଣ ହୋଇ ପୃଥିବୀ ସତେଅବା ସର୍ବସ୍ଵାନ୍ତ ହେବାକୁ ବସିଲାଣି । ଆଗ ପୃଥିବୀ ରହିଲେ ଯେ ମୁଁ ମଧ୍ୟ ରହିବି, ପୃଥିବୀଲାଗି ବଞ୍ଚିପାରିଲେ ଯେ ମୁଁ ନିଜଲାଗି ମଧ୍ୟ ବିଶ୍ଵାସଯୋଗ୍ୟ ଭାବରେ ବଞ୍ଚି ପାରିବି ଏକଥା ଆମ consenus ଗୁଡ଼ାକର ଆକାଶରୁ ସତେଅବା ସବୁଦିନ ପାଇଁ ବିଦାୟ ନେଇ ଯାଇଥିବା ପରି ମନେହେଉଛି ।

 

ଭୀମଭୋଇଙ୍କର ବିଶ୍ଵଦୃଷ୍ଟି ବିଷୟରେ ଏହି କେତେଦିନ ହେଲା ମୁଁ ଯେଉଁ ପ୍ରବନ୍ଧ ଦୁଇଟି ପ୍ରସ୍ତୁତ କରୁଥିଲି, ସେଗୁଡ଼ିକୁ ଲେଖିଲାବେଳେ ଅନେକ ସମୟରେ ମୋର ସେହିକଥା ମନେ ହେଉଥିଲା । ବସ୍ତୁବାଦ ନିଜର ଚରମ ଦୁରବସ୍ଥାକୁ ଆସି ଆମକୁ ଏତେଯାଏ ଆଣି ଉପନୀତ କରାଇଲାଣି ବୋଲି ଅନେକ ନୀତିବାଦୀ ହୁଏତ ଏହି କ୍ଷେତ୍ରରେ ଝିଙ୍ଗାସି କହିବାକୁ ବାହାରି ଆସିବେ । ମଣିଷ ତା’ର ଦ୍ରବ୍ୟଗୁଡ଼ିକୁ ଆପଣାଭିତରେ ବାଣ୍ଟି ଯେ ଭୋଗ କରି ପାରିଲାନାହିଁ, ଏଇଟି କ’ଣ ବସ୍ତୁଗୁଡ଼ିକର ଦୋଷ ? ବିଶେଷତଃ, ବର୍ତ୍ତମାନର ପୃଥିବୀରେ ବସ୍ତୁ ସମ୍ଭାବନା ସବୁ ମଣିଷଙ୍କ ନିମନ୍ତେ ଯଥେଷ୍ଟ ଯୋଗାଇ ଦେବାର ପ୍ରତ୍ୟୟମାନ ପ୍ରଦାନ କରି ଯାଉଥିବା ସମୟରେ ଏହି ସଂସାରରେ କାହିଁକି ଲୋଭ, ଭୟ ଓ ଶଙ୍କାର ରାଜ୍ୟନୀତି ଓ ରାଜନୀତି ମଣିଷକୁ ତଥାପି ଅଶକ୍ତ କରି ରଖିଥିବ ? ଏକଦା ପୃଥିବୀର ସନ୍ଥମାନେ ମଣିଷମାନଙ୍କୁ ଏହି ଆହ୍ଵାନ ଦେଇ ଯାଇଥିଲେ । ସେହି ଆହ୍ଵାନ ଦେଇ ସନ୍ଥମାନେ ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ । ବର୍ତ୍ତମାନ ସେହି ନିର୍ଭୀକ ସନ୍ଥମାନଙ୍କ ଲାଗି ଅପେକ୍ଷା ରହିଛି, ଭୟାଳୁମାନେ ବସ୍ତୁଗୁଡ଼ାକୁ କାମୁଡ଼ି ଧରିଥିବାବେଳେ ଏଭଳି କେତେ ମଣିଷଙ୍କର ଅପେକ୍ଷା ରହିଛି, ଯେଉଁମାନେ କି ପରସ୍ପର ପାଖରେ ବସିବେ, ପରସ୍ପର ସହିତ ବାଣ୍ଟି ଖାଇବେ ଏବଂ ପରସ୍ପରକୁ ବାଟ ଚାଲିବାରେ ସାହାଯ୍ୟ କରିବେ ।

 

୧୧ । ୧୦ । ୯୧

 

ଲେଖାଟିଏ ମୋତେ ଗତ ତିନି ଚାରିଦିନ ହେଲା ଗୋଟାସୁଦ୍ଧା ମଗ୍ନ କରି ରଖିଥିଲା । ଲେଖାଟି ସରିଯିବା ପରେ କାହିଁ ଆଜି ସବୁ କାମ ସରିଗଲା ବୋଲି ମୋଟେ ମନେ ହେଉନାହିଁ ତ ! ଗୋଟାଏ ଗୋଟାଏ କାମକୁ ମଣିଷ ବାଧ୍ୟ ହୋଇ କରୁଥାଏ, ଆଉକାହାରି ବୋଲ ମାନି କରୁଥାଏ । ତେଣୁ, ସେହି କାମଟି ସରିଯିବାମାତ୍ରକେ ସିଏ ପଘା ଛିଣ୍ଡାଇ ବାହାରି ପଳାଇବା ପରି ତା’ ଭିତରୁ ବାହାରି ପଳାଏ । ଲେଖାର କାମ ଆଦୌ ସେପରି ନୁହେଁ । କାହାର ବୋଲ ମାନି କେବେହେଲେ କିଛି ଲେଖି ହୁଏନାହିଁ । ଖୁସିହିଁ ଲେଖେ, ଖୁସିହିଁ ପ୍ରେରିତ କରାଏ, ପ୍ରବୃତ୍ତ କରାଏ ।

 

ଶାନ୍ତିନିକେତନରେ ଗବେଷଣା–ବିଭାଗ ଭିତରେ ଥିବାବେଳେ ମୁଁ ଭୀମଭୋଇଙ୍କର ଚର୍ଚ୍ଚା କରିଥିଲି । ଏତେ ବର୍ଷପରେ ଦୁଇଟି ଲେଖା ଲେଖିବା ସକାଶେ ତାଙ୍କର ଲେଖାଗୁଡ଼ିକୁ ଆଉଥରେ ପୁଣି ବିଶଦ ଭାବରେ ପଢ଼ିଲି, ସେହିସବୁ ବିଷୟରେ ବିଶଦ ଭାବରେ ଚିନ୍ତା କଲି । ଏପରି ଅନେକ ବିଷୟ ପାଇଲି, ଯାହାକି ସେହି କଞ୍ଚା ବୟସବେଳେ ମୋ’ ଆଖିରେ ମୋଟେ ପଡ଼ି ନଥିଲା । ଏହି ମଧ୍ୟବର୍ତ୍ତୀ କେତେ ବର୍ଷ ଭିତରେ ମୋ’ରବି ତ କିଛି ବୃଦ୍ଧି ହୋଇଛି,–ଗ୍ରହଣଶୀଳତାରେ ବୃଦ୍ଧି ହୋଇଛି, ପରିପାଚନ ଓ ଅଭିବ୍ୟକ୍ତିର ସାମର୍ଥ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ନୂଆ ଆଖିରେ ପୁଣିଥରେ ପୁରୁଣା ପ୍ରେରଣାଟିକୁ ସାକ୍ଷାତ କରିବା,–ଏଥର ସେହିପରି ଗୋଟିଏ ଅଭିନବ ଅନୁଭୂତି ହୋଇପାରିଲା । ଭୀମଭୋଇଙ୍କ ଭିତରେ ପ୍ରବେଶ କରି ମୁଁ ନିଜଭିତରେ ମଧ୍ୟ ସତେଅବା ନୂଆ କରି ପ୍ରବେଶ କରୁଥିବାର ଆନନ୍ଦ ଲାଭ କଲି, ଧନବାନ ହେଲି । ରତ୍ନଗୁଡ଼ିକୁ ନୂତନ ଆତ୍ମୀୟତା ସହିତ ଚିହ୍ନିଲି । ସେହି କାରଣରୁହିଁ ଲେଖାଟି ସରିଯିବା ପରେ ସତେଅବା କେଉଁ ବନ୍ଧନରୁ ମୁକୁଳି ବାହାରି ଆସିବାପରି ଆଦୌ ଲାଗୁନାହିଁ । ଏକ ପ୍ରିୟଜନ ପାଖରେ, ଜୀବନପ୍ରେରଣାର ଏକ ଚିହ୍ନା ଉତ୍ସ ପାଖରେ ପୁନର୍ବାର ଆସି ଧରା ଦେଇଥିବା ପରି ଲାଗୁଛି । ଜ୍ଞାନ ହୃଦୟକୁବି ବଳ ଦିଏ, ଅନୁପ୍ରାଣିତ କରେ, ବନ୍ଧନଗୁଡ଼ିକୁ ବଳ ଦିଏ । ତେଣୁ ନିର୍ଭୟ କରେ,–ଏହିପରି ନାନା ଅନୁଭୂତି ଆଜି ମୋତେ ନିଜଭିତରେ କେଡ଼େ ପୂର୍ଣ୍ଣ ଓ ପ୍ରସନ୍ନ କରି ରଖିଥିବା ପରି ମନେ ହେଉଛି । ଭୀମଭୋଇଙ୍କ ପରେ ବ୍ୟକ୍ତିଗତ ଭାବରେ କୃତଜ୍ଞ ରହିବାର ଅନେକ କାରଣ ରହିଛି । ଏହି କୃତଜ୍ଞ ରହିବା,–ଏହାହିଁ ତ ସାହିତ୍ୟ ଭିତରେ ଯାବତୀୟ ସାନ୍ନିଧ୍ୟଲାଭର ପରମ ଫଳ !

 

୧୨ । ୧୦ । ୯୧

 

ସମ୍ବନ୍ଧ ପୃଥିବୀଯାକ ଲାଗିଛି । କିଏ ପୃଥିବୀ କହିଲେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମକୁ, ଗୋଟିଏ ନିର୍ଦ୍ଦିଷ୍ଟ ଦେଶକୁ ଅଥବା ଏକ ନିର୍ଦ୍ଦିଷ୍ଟ ମତବାଦକୁ ବୁଝୁଛି । ଏବଂ, ଆଉକିଏ ତା’ ନିଜ ଘରଟିକୁ ବୁଝୁଛି । ଆପଣା ସାମ୍ରାଜ୍ୟଟିରେ ସତେଅବା ରାଜଚକ୍ରବର୍ତ୍ତୀ ହୋଇ ବସିଛି । ତାହାକୁହିଁ ପୃଥିବୀ ବୋଲି ମଣୁଛି, ପୃଥିବୀ ବୋଲି ଦେଖୁଛି,–ତା’ ବ୍ୟତୀତ ଆଉ କିଛିହେଲେ ଦେଖି ପାରୁନାହିଁ । ଅହଂକାର ତାକୁ ତା’ ନାକ ଅଗଯାଏଁ କାମୁଡ଼ି ଧରିଛି । ଯିଏ ପୃଥିବୀ କହିଲେ ଯେତିକି ବୁଝୁଛି ସିଏ କେବଳ ସେତିକି ଲାଗି ଭଗବାନ୍‍ଙ୍କୁ ଡାକୁଛି । ଭଗବାନ୍‍ଙ୍କୁ ନିଜର ଗାତଟି ଭିତରକୁ ଟାଣି ଆଣି ସତେଅବା ସବୁଯାକ ପ୍ରସାଦର ଅଧିକାରୀ ହେବ ବୋଲି କେତେ କେତେ ଗରିମା ସହିତ ଦିନରାତି ଧାଇଁବାରେ ଲାଗିଛି । ନିଜେ ଯେତିକି ଯାଏଁ ଧାଇଁଛି, ସେତିକିକୁ ସତ୍ୟ ବୋଲି ଗ୍ରହଣ କରୁଛି । ଅର୍ଥାତ୍, ନିଜକୁହିଁ ଏକମାତ୍ର ଅସ୍ତିତ୍ୱରୂପେ ଗ୍ରହଣ କରୁଛି ।

 

ଏହି ପୃଥିବୀରେ ନିଜର ଗୋଡ଼ଟି ଭିତରୁ ବାହାରି ବୃହତ୍ତର ଆକାଶଟିକୁ ଆପଣାର ସମ୍ପୂର୍ଣ୍ଣ ଧରଣୀ ବୋଲି ଗ୍ରହଣ କରି ନେବାକୁ ଇଚ୍ଛା କଲେହିଁ ଗାତ ଭିତରେ ରହିଥିବା ଅନ୍ୟମାନଙ୍କ ସହିତ ଦ୍ଵନ୍ଦ୍ଵ ଉପୁଜୁଛି । ଏବେ ପ୍ରାୟ ସବୁଯାକ ମନ୍ଦିର ଅହଂକାରୀମାନଙ୍କ ହାତରେ, ସବୁଯାକ ଅର୍ଥ ଓ ସବୁଯାକ ସମ୍ବଳ ମଧ୍ୟ ସେଇ ଅହଂକାରୀମାନଙ୍କ ହାତରେ । ତଥାପି, ଗୋଟାଏ ବିଶ୍ଵାସ ରହିଛି, ଯାହାକି ଏହି ଯାବତୀୟ ବାଡ଼କୁ ଅତିକ୍ରମ କରି ସମଗ୍ର ଆକାଶରେ ପ୍ରସାରିତ ହୋଇ ରହିଥିବା କ୍ରୋଡ଼ଟି ଭିତରକୁ ଚାଲିଯିବା ଲାଗି ଓ ସେହି ସାନ୍ନିଧ୍ୟଟିର ମମତା ଅନୁସାରେ ନିଜର ପୃଥିବୀଟିକୁ ଗଢ଼ିବା ଲାଗି ଉଚ୍ଚାଟିତ କରିବାରେ ଲାଗିଛି । ଏହି ବିଶ୍ଵାସ ଦିନେ ନା ଦିନେ ପୃଥିବୀର ବିଶ୍ୱାସରେ ପରିଣତ ହେବ ବୋଲି ଭିତରୁ ଅନନ୍ତ ଭରସା ଆସୁଛି । ସେହି ଭରସାରୁ ପରିପୂର୍ଣ୍ଣତାର ବୋଧ ଆସୁଛି । ସେଇଥିରୁ ଏକ ଅସଲ ଗର୍ବର ଅନୁଭବ ହେଉଛି, ଯାହାକି ବହୁତ ସାନ ସାନ ଗର୍ବକୁ ଦେଖି ମଧ୍ୟ ତଥାପି ନଦେଖି ଆଗକୁ ବାହାରିଯିବା ପାଇଁ ବଳ ଆଣି ଦେଉଛି । ପୃଥିବୀର ଗର୍ବୀମାନେ କାଳେ କାଳେ କେତେପ୍ରତାପ ଦେଖାଇଛନ୍ତି, ମାତ୍ର ସେମାନଙ୍କୁ କିଏ ମନେରଖିଛି ? ସେମାନଙ୍କୁ କିଏ କାହିଁକି ମନେରଖିବ ?

 

୧୩ । ୧୦ । ୯୧

 

ତେଣେ ରାଜନୀତିର ଉଚ୍ଚାଭିମାନୀ ଉଗ୍ରମାନେ ମନ୍ଦିର ତୋଳିବାର ଦୁଆ ଦେଇ ଦେଶରେ ଜାତୀୟତା ଓ ଧର୍ମପ୍ରାଣତାର ଜାଗୃତି ଘଟାଇବାକୁ ତୁମୁଳ ଏବଂ ଆଡ଼ମ୍ବରପୂର୍ଣ୍ଣ ଯୋଜନାମାନ କରୁଛନ୍ତି । ଏବଂ ଏଣେ ମଣିଷର ବିବେକ ଭିତରେ ସାଧାରଣ ମାନବୀୟ ଅବବୋଧ ମଧ୍ୟରୁ ସତେଯେପରି ସବୁଯାକ ମନ୍ଦିର ଭାଙ୍ଗି ପଡ଼ିବାରେ ଲାଗିଛି । Rudolf Otto ଯାହାକୁ the idea of the holy ବୋଲି କହିଥିଲେ, ଆମେ ଏଯୁଗର ପୃଥିବୀଟାରେ ସେଇଟାହିଁ ସବୁଠାରୁ ଅଧିକ ହୀନସ୍ଥା ଭୋଗ କରୁଛି ।

 

ସେହି ଅବବୋଧ ହେଉଛି ଯାବତୀୟ ଆଧ୍ୟାତ୍ମିକତା ଏବଂ ଧର୍ମର ସର୍ବମୂଳ କଥା । ଯାବତୀୟ ଜାଗତିକ ସମ୍ବନ୍ଧରେ ମଧ୍ୟ ତାହାହିଁ ସବା ମୂଳରେ ରହିଥିବା ଉଚିତ । ସମଗ୍ର ମାନବସମୂହକୁ ଯଦି ଗୋଟିଏ ପରିବାର ବୋଲି କୁହାଯାଏ, ତେବେ, ସେହି ଅବବୋଧକୁ ନିଜ ଭିତରୁ ଉତ୍ପାଟିତ କରିଦେବାର ଯାବତୀୟ ଦୁଷ୍ପ୍ରବୃତ୍ତିକୁହିଁ ଅସଲ incest ବୋଲି କୁହାଯିବ । ମଣିଷମାନେ ଏଭଳି incestuous କାହିଁକି ହେଲେ ? କାହିଁକି ସେମାନେ ପରିବାରର ଅସଲ ବିବେକ ଏ ପରିମଳଟିକୁ ମାନିଲେ ନାହିଁ ? କେହି ବସ୍ତୁବାଦକୁ ଦୋଷ ଦେବେ । ଦେବେ, କେହି ପୁଣି ଆଧୁନିକ media ଗୁଡ଼ାକୁ ଦୋଷ ଦେବେ । ଦୋଷ ଦେବାର କୌଣସି ଅଧିକାର ମୋ’ର ରହିଛି ବୋଲି ମୁଁ ଆଦୌ ଅନୁଭବ କରୁନାହିଁ । ମାତ୍ର, ଆମେ ସେହି ଗର୍ହିତ କୋପନ ପ୍ରବୃତ୍ତିରୁ ଆପଣାକୁ ମୁକ୍ତ ରଖିବାର ପୂର୍ଣ୍ଣ ଅଧିକାର ମୋ’ର ଅବଶ୍ୟ ଅଛି । ଯେଉଁଦିନ ମୁଁ ଏହି ମୌଳିକ ପବିତ୍ରତାବୋଧଟିକୁ ହରାଇ ବସିବି, ସେହି କାରଣରୁହିଁ ମୁଁ ଭଗବାନ୍‍ଙ୍କର ଉଦ୍ୟାନ ଭିତରୁ ବହିଷ୍କୃତ ହୋଇ ରହିବି । ଏବଂ ଏହିପରି ବହିଷ୍କୃତ ହୋଇ ଏହି ଅଭିମାନୀମାନେ ପୃଥିବୀରେ ପ୍ରକୃତରେ କେଉଁ ଆଦର୍ଶର ପ୍ରତିଷ୍ଠା କରିବାକୁ ବାହାରିଛନ୍ତି ? ଅଭିମାନୀ ଓ ପ୍ରତିଅଭିମାନୀଙ୍କ ଭିତରେ ଯୁଦ୍ଧ ଲାଗି ସେମାନେ ସମସ୍ତେ ଖତମ୍ ହୋଇଯିବା ପର୍ଯ୍ୟନ୍ତ ହୁଏତ ପୃଥିବୀକୁ ବହୁତ ଦୌରାତ୍ମ୍ୟ ସହିବାକୁ ପଡ଼ିବ । ମାତ୍ର ସେପର୍ଯ୍ୟନ୍ତ କ’ଣ ମଣିଷମାନେ, ସାଧାରଣ, ନିରୀହ ଏବଂ ପରିମଳ ଯୁକ୍ତ ମଣିଷମାନେ କ’ଣ ନିକମା ହୋଇ ବସିଥିବେ, ବୋକା ହୋଇ ପୃଥିବୀରେ ସବୁ ପ୍ରତ୍ୟୟର କାନ୍ଥଗୁଡ଼ାକ ଭୁଶୁଡ଼ି ପଡ଼ୁଥିବାର ଦେଖୁଥିବେ ? କ’ଣ ଏହାକୁ କେହି ବିଶ୍ଵାସର ସହିତ ଅପେକ୍ଷା କରିବା ବୋଲି କହିପାରିବେ ?

 

୧୪ । ୧୦ । ୯୧

 

ରାଜନୀତି ଲୋକଶକ୍ତି ଉପରେ ନିର୍ଭର କରୁଥାନ୍ତା । ପୁଞ୍ଜିବାଦ ଏବଂ ସାମ୍ରାଜ୍ୟବାଦ ଜାତୀୟତାବାଦର ମୁଖା ପିନ୍ଧି ପୃଥିବୀରେ ଉତ୍ପାତ କରିବାଲାଗି ବାହାରିବା ଦିନଠାରୁ ରାଜନୀତି ଅସ୍ତ୍ରଶକ୍ତି ଉପରେହିଁ ନିର୍ଭର କରି ଆସିଲା । ଅସ୍ତ୍ରନୀତି ଓ ଅର୍ଥନୀତି ପରସ୍ପରକୁ ନିଶା ଯୋଗାଇଲେ ଏବଂ ପୃଥିବୀରେ ରାଜନୀତିକ ବିବେକକୁ ଏକାବେଳେକେ ନଷ୍ଟ କରି ପକାଇଲେ । ଅସ୍ତ୍ର ଉପରେ ଏହି ନିର୍ଭରଶୀଳତା କ୍ରମେ ବିଶ୍ଵମୟ ହେବାକୁ ଆରମ୍ଭ କଲାଣି ଏବଂ ବିଶ୍ଵର ଯାବତୀୟ ରାଜନୀତିକ ସ୍ଵପ୍ନକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ବିଡ଼ମ୍ବିତ କରି ରଖିଲାଣି । ଆଦର୍ଶବାଦୀ କୁନିମାନେ ମଧ୍ୟ ସ୍ଥାନୀୟ ଭାବରେ ଆପଣାର ଜିଦ୍‌ଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାର ମତଲବରେ ଛୁରି, ବନ୍ଧୁକ ଓ ବୋମା ହାତରେ ଧରି ବାହାରିଲେଣି । ସେମାନଙ୍କୁ ସାହାଯ୍ୟ ଏବଂ ଉତ୍ସାହ ଦେଇ କେତେ ରାଷ୍ଟ୍ର ପୁରୋଗାମୀମାନଙ୍କର ଭୂମିକାରେ ବେଶ୍ ପ୍ରକାଶ୍ୟ ଭାବରେ ଅବତୀର୍ଣ୍ଣ ହେଲେଣି । ରାଜନୀତିର ଦଶା ଆଖର କ’ଣ ହେବ ?

 

ଆପଣାର ଆଦର୍ଶକୁ ପ୍ରତିଷ୍ଠା କରିବାଲାଗି ଏକଦା ଚରମ ତ୍ୟାଗ ଓ ବଳିଦାନ ନିମନ୍ତେ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କୁହା ଯାଉଥିଲା । ଏବେ ଆଦର୍ଶବାଦୀମାନେ ଆପଣାର ନାନାବିଧ ଦୁରାଗ୍ରହଦ୍ଵାରା ତାଡ଼ିତ ହୋଇ ଚୋର ଡକାଏତଙ୍କ ପରି ମଣିଷ ମାରି ବାହାରିଲେଣି । ଯେଉଁମାନେ ସେମାନଙ୍କର ସମସ୍ୟା ସହିତ ଆଦୌ ସମ୍ପୃକ୍ତ ନୁହନ୍ତି ସେମାନଙ୍କୁ ମଧ୍ୟ ହତ୍ୟା କଲେଣି ଏବଂ ଅପହରଣ କରିନେବାର ଫିକର କଲେଣି । ଏକଦା ରାଜନୀତିକୁ ଏକ ବିଜ୍ଞାନ ବୋଲି କୁହା ଯାଉଥିଲା । ଏବଂ, ତ୍ରାସଶକ୍ତିର ନାନା ଫିସାଦ ଭିତରେ ପଡ଼ି ସେହିସବୁ ଆଗର ସଂସ୍କାର ପୃଥିବୀରୁ ଏକାବେଳେକେ ଭୁଲିହୋଇ ଯିବାକୁ ବସିଲାଣି । ଏହି ବ୍ୟାଧିର ଶେଷ ପରିଣାମ କ’ଣ ଓ କେଉଁଠାରେ କେଜାଣି ? ଅର୍ଥାତ୍, ଏଇଟାର ବିରୋଧ କରି କେଉଁଦିନ ବିଶ୍ଵବ୍ୟାପୀ ପ୍ରତିବାଦ ଆରମ୍ଭ ହେବ ଓ ବନ୍ଧୁକ ବିରୋଧରେ ମଣିଷ ସତକୁସତ ଶକ୍ତିମାନ୍ ହୋଇ ବାହାରିବ,–ତାହାରି ଲାଗିହିଁ ଅପେକ୍ଷା କରିବାକୁ ପଡ଼ିବ । କିଛି ନକରୁଥିବା ଜଣେ ସଜ୍ଜନ ଭାବରେ ଆଦୌ ନୁହେଁ, ଅତ୍ୟନ୍ତ ସକ୍ରିୟ ଭାବରେ ଓ ପୂର୍ଣ୍ଣ ବିଶ୍ଵାସର ସହିତ ଅପେକ୍ଷା କରିବାକୁ ପଡ଼ିବ । ବନ୍ଧୁକର ସକଳ ପରାକ୍ରମଶକ୍ତିକୁ ପ୍ରକାଶ୍ୟ ଭାବରେ ଅସ୍ଵୀକାର ହେବ ।

 

୧୫ । ୧୦ । ୯୧

 

ସବୁ ହିନ୍ଦୁ ଖାଲି ହିନ୍ଦୁ ନୁହନ୍ତି କିମ୍ବା ସବୁ ମୁସଲମାନ ମଧ୍ୟ ଖାଲି ମୁସଲମାନ ନୁହନ୍ତି । ଇହୁଦୀ ଭିତରେ ମଣିଷଟିଏ ଅଛି, ଯିଏକି ଉପରର ତୁଚ୍ଛା ଇହୁଦୀର ସକଳ ପ୍ରକୋପ ଓ ସକଳ ଉଗ୍ରତା ସତ୍ତ୍ୱେ ତଥାପି ବଞ୍ଚିରହିଛି । ଉପରର ଜାତୀୟତାବାଦୀଟା ତାହାକୁ ଯେତେ ଦବାଇ ରଖିବାକୁ ଚେଷ୍ଟା କରୁଛି, ତଥାପି ମଣିଷଟି ଅବଶ୍ୟ ବଞ୍ଚିଛି ।

 

ଇସ୍ରାଏଲ୍‌ର Peace Now ସଂସ୍ଥା ପକ୍ଷରୁ ଇସ୍ରାଏଲ୍ ସରକାର ଜର୍ଡ଼ାନ୍ ନଦୀର ପଶ୍ଚିମ ନିକଟବର୍ତ୍ତୀ ପାଲେଷ୍ଟାଇନ୍ ଅଞ୍ଚଳରେ ଇହୁଦୀ ବସତି ସ୍ଥାପନ ବନ୍ଦ କରନ୍ତୁ ବୋଲି ଦାବି କରି ସେହି ଦେଶର ଉଚ୍ଚତମ ନ୍ୟାୟାଳୟରେ ମକଦ୍ଦମା ଦାୟର କରିଛି । ଇସ୍ରାଏଲ୍‌ର Neve Shalom ଗାଁରେ ମୁଁ ଏହି Peace Now ସଂସ୍ଥା ସମ୍ବନ୍ଧରେ ଶୁଣି ଆସିଥିଲି । ସେଠି ବିଶ୍ଵବିଦ୍ୟାଳୟମାନଙ୍କରେ ମଧ୍ୟ ଅନେକ ପ୍ରଖର ଧୀଶକ୍ତିସମ୍ପନ୍ନ ଅଧ୍ୟାପକମାନଙ୍କୁ ମୁଁ ଦେଖିଛି, ଯେଉଁମାନେ କି Peace Nowର ପ୍ରୟାସଗୁଡ଼ିକର କଥା ଶୁଣିବାମାତ୍ରକେ ବିରକ୍ତି ଓ ତଜ୍ଜନିତ ଏକ ତ୍ରାସରେ ଶୀତେଇ ଉଠୁଥିଲେ । ସେମାନେ ନାନା inhibition ହେତୁ ସ୍ଵୀକାର କରିନେଇ ପାରୁନଥିବା ସତ୍ୟଟି ପ୍ରତି ତ୍ରାସ । ମଣିଷ ଯେତେବେଳେ କୌଣସି ସତ୍ୟପ୍ରତି ତ୍ରାସ ଭାବରେ ପ୍ରତିକ୍ରିୟା ଦେଖାଏ, ସେତେବେଳେ ସେହି ତ୍ରାସ ତାକୁ ସତେଅବା ଭୂତ ପରି ଗୋଡ଼ାଇଥାଏ । ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ସତ୍ୟମାନେ ଏହିଭଳି କ୍ଷମତାସୀନ ଏବଂ ବହୁସଂଖ୍ୟକ ଉଗ୍ରମାନଙ୍କ ପଛରେ ଗୋଡ଼ାଇଛନ୍ତି । ସେହି ସତ୍ୟଗୁଡ଼ିକର ଦିନ ଆସୁଛି । କ୍ଷମତା ଉପରୁ, ଅସ୍ତ୍ରବଳ ଉପରୁ, ନିଜ ଭିତରେ ନିଜକୁ ଉତ୍ତପ୍ତ କରି ରଖିଥିବା ଯାବତୀୟ ପ୍ରିୟସତ୍ୟର କବଳରୁ ମଣିଷମାନେ ଯେତିକି ମୁକ୍ତ ହୋଇ ଆସୁଥିବେ, ସତ୍ୟମାନଙ୍କର ଦିନ ସେତିକି ପାଖେଇ ଆସୁଥିବ । ଏବଂ, ସେପର୍ଯ୍ୟନ୍ତ ପୃଥିବୀରେ ସତ୍ୟାଗ୍ରହୀମାନେ ରହିଥିବେ ଓ ପ୍ରତିବାଦ କରୁଥିବେ । କ୍ଷମତାସୀନ ଭୀରୁମାନଙ୍କର ଦରବାରରେ ସେମାନେ ବିକଳ୍ପଗୁଡ଼ିକୁ ଉତ୍‌ଥାପିତ କରିବାରେ ଲାଗିଥିବେ । ସେହି ସାହସୀମାନଙ୍କର ସଂଖ୍ୟା ବଢ଼ୁ, ସାହସୀମାନଙ୍କର କଣ୍ଠ ଆହୁରି ଦୃଢ଼ ହେଉ, ଆହୁରି ସଂଗଠିତ ହେଉ; ଜାତି, ଧର୍ମ, ବର୍ଣ୍ଣ ଓ କ୍ଷମତାର ସକଳ ଗାରକୁ କାଟି ଯାଇ ତାହା ସବୁ ହୃଦୟକୁ ଛୁଇଁବାଲାଗି ସମର୍ଥ ହେଉ ।

 

୧୬ । ୧୦ । ୯୧

 

ଭୟ ଯେତିକି ଯେତିକି କମିବ, ବିଶ୍ଵାସ ସେତିକି ସେତିକି ବଢ଼ିବ । ମାତ୍ର ପୃଥିବୀରେ ରାଷ୍ଟ୍ରୀୟ ନେତୃତ୍ଵମାନେ ଏପରି ଏକ କୁସଂସ୍କାର ଭିତରେ ପଡ଼ି ରହି ଆସିଛନ୍ତି ଯେ, ସେମାନଙ୍କର ଭୟ ସହଜରେ ଦୂରୀଭୂତ ହୋଇଯିବାକୁ ମୋଟେ ସମ୍ମତ ହେଉନାହିଁ । ଗୋଟାଏ ଭୟ ଦୂର ହେବାର ଉପକ୍ରମ ହେଉ ହେଉ ତାହାର ସ୍ଥାନାପନ୍ନ ଭାବରେ ଆଉଏକ ଭୟର ଚକ୍ରାନ୍ତ ଆସି ହାଜର ହୋଇଯାଉଛି ।

 

ଫ୍ରାନ୍‌ସ ଓ ଜର୍ମାନୀ ନିଜର ଏକ ମିଳିତ ସୈନ୍ୟବାହିନୀ ଗଢ଼ିବେ ବୋଲି ନୋଟିସ ଦେଇଛନ୍ତି । ଏହି ସୈନ୍ୟବାହିନୀ ପ୍ରକୃତରେ କାହା ବିରୋଧରେ ଏହି ଦୁଇ ଦେଶରେ ରକ୍ଷା କରିବ, ସେ କଥା ଜର୍ମାନୀ ଓ ଫ୍ରାନ୍‌ସର ସାଧାରଣ ମଣିଷମାନେ ହୁଏତ ଅନୁମାନ କରି ପାରିବେ ନାହିଁ, ମାତ୍ର ସରକାରମାନେ ତାହା କରି ପାରୁଛନ୍ତି । ଏହି ପ୍ରସ୍ତାବିତ ସୈନ୍ୟବାହିନୀ କୁଆଡ଼େ ଏକ ସାରା-ଇଉରୋପୀୟ ସୈନ୍ୟବାହିନୀର ଭିତ୍ତିସ୍ଥାପନ କରିବ ବୋଲି କୁହାଯାଇଛି । ଅର୍ଥାତ୍ ଭବିଷ୍ୟତ୍‍ର ସେହି ସୈନ୍ୟବାହିନୀରେ ଫ୍ରାନ୍‌ସ ଓ ଜର୍ମାନୀ ଯେପରି ସବୁଠାରୁ ଅଧିକ ବଳଶାଳୀ ଓ ମତଶାଳୀ ହୋଇ ରହିବେ, ସମ୍ପୃକ୍ତ ଦୁଇ ଦେଶର ପୁଙ୍ଗବମାନେ ବର୍ତ୍ତମାନ ତାହାରି ମସୁଧା ଆରମ୍ଭ କରିଦେଲେଣି । ଫରାସୀ ବିପ୍ଳବ ପରେ ସେହି ବିପ୍ଳବ ସମସ୍ତ ପୃଥିବୀକୁ ଏବେ ମଧ୍ୟ କେତେପ୍ରକାର ଅନୁପ୍ରାଣିତ କରୁଛି ସିନା, ମାତ୍ର ଫ୍ରାନ୍‌ସ ମୂଳତଃ ଜାତୀୟତାବାଦୀ ହୋଇ ରହିବ ବୋଲି ଫରାସୀ ରାଜନୀତିର ମାମଲତ୍‍କାରମାନେ ତଥାପି ବିଚାର କରୁଛନ୍ତି । ଏକ ଜାତୀୟସୈନ୍ୟବାହିନୀ ନିଜର ଉଗ୍ର ଓ ବର୍ବର ଲକ୍ଷ୍ୟଗୁଡ଼ିକୁ ନେଇ ପୃଥିବୀଲାଗି ଯେ କେଡ଼େ ବଡ଼ ସମସ୍ୟା ହୋଇପାରେ, ଗୋଟାଏ ହିଟ୍‌ଲର୍-ଯୁଗକୁ ଅଙ୍ଗେ ନିଭାଇ ସାରିବା ପରେ ମଧ୍ୟ ଜର୍ମାନୀର ଅର୍ବାଚୀନ ରାଷ୍ଟ୍ର ବିଧାତାମାନେ ସେ କଥାକୁ ଏବେ ମଧ୍ୟ ହୃଦୟଙ୍ଗମ କରି ପାରୁନାହାନ୍ତି । ସେମାନେ ସେଇ ପୁରୁଣା ଗୁଳାଟା ଉପରେ ଲାଖି ରହିଛନ୍ତି, ମଣିଷର ଭିତରଟା ଅପେକ୍ଷା ମଣିଷ ହାତରେ ରହିଥିବା ବନ୍ଧୁକଟା ଉପରେ ସେମାନେ ସମ୍ଭବତଃ ଅଧିକ ବିଶ୍ୱାସ କରୁଛନ୍ତି । ତାହାହିଁ ଏହି ଅତିବୁଦ୍ଧିଆମାନଙ୍କର ସବୁଠାରୁ ବଡ଼ ସମସ୍ୟା ଓ ସେମାନଙ୍କୁ ନେଇ ଆମର ଏହି ବୃହତ୍ତର ପୃଥିବୀରେ ମଧ୍ୟ ଏକ ବଡ଼ ସମସ୍ୟା ।

 

୧୭ । ୧୦ । ୯୧

 

ଇସ୍ରାଏଲ୍‍ର ଇହୁଦୀମାନେ ଏତେ ଭୟପ୍ରପୀଡ଼ିତ ହୋଇ ରହିଛନ୍ତି ଯେ, ପୃଥିବୀ ପ୍ରାୟ ଯେକୌଣସି ଆଚାର ଏବଂ ପରିମଳକୁ ଭଙ୍ଗ କରି ସେମାନେ ଆଗ ଯାହାକୁ ମନ ତାକୁ କାମୁଡ଼ି ଦେବାକୁ ବାହାରି ପଡ଼ୁଛନ୍ତି, ଭାରି ବିରକ୍ତିକର ଭାବରେ ଧରା ପଡ଼ି ଯାଉଛନ୍ତି । ଏଠାରେ ମୁଁ ଆଦୌ ସବୁ ଇହୁଦୀଙ୍କର କଥା କହୁ ନାହିଁ । ମାତ୍ର, ଯେଉଁମାନେ ସେଠି ରାଷ୍ଟ୍ରଶାସନରେ ଅଛନ୍ତି, ସେମାନଙ୍କୁ ବିଲୁପ୍ତ ହୋଇଯିବାର ଭୟଟା ନିଜ ଭିତରେ ଏପରି କାମୁଡ଼ି ଧରିଛି ଯେ, ସେମାନେ ଆଗ ବାହାରେ କାହାକୁ ଯାଇ କାମୁଡ଼ି ପକାଇବାକୁହିଁ ସତେଅବା ପ୍ରତିକାରର ଏକମାତ୍ର ପନ୍ଥା ବୋଲି ବିଚାର କରୁଛନ୍ତି । ସେମାନଙ୍କର ଦୁର୍ଭାଗ୍ୟ ଯେ, ପୃଥିବୀର ଅସ୍ତ୍ରଖାତ ଭିତରେ ସେମାନଙ୍କ ନିଜ ଖାତଟିରେବି ଆଗ ଯାଇ କାମୁଡ଼ି ପକାଇବା ଭଳି ଦୁରାଗ୍ରହଗୁଡ଼ାକୁ ଅନ୍ଧ ଏବଂ ଉଗ୍ର କରି ରଖିବାର ଅସ୍ତ୍ରମାନ ମହଜୁଦ ହୋଇ ରହିଛି ।

 

Carl Gustaf Jang କେଉଁକାଳେ Collective Unconsciousର କଥା କହିଥିଲେ । ମଣିଷକୁ ଓ ତା’ର ସମୂହଟିକୁ ବୁଝିବାରେ ଏହି ତତ୍ତ୍ଵଟି ଅନେକ ସହାୟତା କରିଥାଏ ଓ ବହୁତ ଅନ୍ତର୍ଦୃଷ୍ଟି ଯୋଗାଇ ଦେଇଥାଏ ସତ, ମାତ୍ର ତଥାପି ମୁଁ ସାଧାରଣତଃ ତାହାକୁ ମୋଟେ ଏତେ ଅଧିକ ଗୁରୁତ୍ଵ ଦେଉ ନଥିଲି । ଇସ୍ରାଏଲ୍‌ରେ ରାଜନୀତି, ରାଜ୍ୟରକ୍ଷାନୀତି ଓ ଯୁଦ୍ଧନୀତିକୁ କିଞ୍ଚିତ୍ ତନଖି ଦେଖିବା ସଙ୍ଗେ ସଙ୍ଗେ ମୁଁ ଏବେ ଅଧିକରୁ ଅଧିକ ପରିମାଣରେ ଭାବୁଛି ଯେ, ପ୍ରାୟ ପଚାଶବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଇହୁଦୀନାମକ ଏକ ସମୂହ ତାହାର ପୁରାତନ ଘାଟାକୁ ଖୁବ୍‌ବେଶି ଭୁଲି ପାରିନାହିଁ । ସେଥିଲାଗି ସବାଆଗ ଯଥାସମ୍ଭବ ସମସ୍ତଙ୍କୁ କାମୁଡ଼ି ଦେବାକୁ ବାହାରୁଛି, ନିଜଭିତରେ ନାନାବିଧ ଦହନର ଦାସ ହୋଇ ରହିଛି ଏବଂ ସେଥିଲାଗି ଆପଣାର ଉଗ୍ରତାମାନଙ୍କୁ ଏକ ନିର୍ମଳ ଦୁରାଗ୍ରହ ସହିତ ହୁଏତ କ୍ଷମା ଦେବାରେ ଲାଗିଛି । ମଣିଷମାନେ କାହିଁକି ସେମାନଙ୍କର collective Unconscious ଦାନ୍ତଗୁଡ଼ାକ ଭିତରୁ ବାହାରିଆସି ପାରିବେନାହିଁ ? ଏବଂ, ବାହାରି ନଆସିଥିବା ପର୍ଯ୍ୟନ୍ତ ସେମାନେ ନିଜ ଘରେ ମଧ୍ୟ କିପରି ସୁସ୍ଥ ହୋଇ ବାସ କରିପାରିବେ ? ମଣିଷ ଦେଖିଲେହିଁ ଯିଏ ପଚାଶବର୍ଷ ତଳେ ତାକୁ ନିର୍ମମ ଓ ବର୍ବର ଭାବରେ ଉତ୍ପୀଡ଼ିତ କରିଥିବା ମୁହଁଟାକୁହିଁ ପ୍ରାୟ ଇଚ୍ଛା କରି ଦେଖିବାରେ ଲାଗିଥିବ, ତାକୁ ସଂସାରରେ ଆଉ ବନ୍ଧୁର ଠାବ ମିଳିବ କିପରି । ନିଜ ଭିତରେ ମଧ୍ୟ ସିଏ ଭୟମୁକ୍ତ ବନ୍ଧୁଟିକୁ କିପରି ଦର୍ଶନ କରି ପାରିବ ?

 

୧୮ । ୧୦ । ୯୧

 

ଯେଉଁ ପୃଥିବୀ ଆସୁଛି, ଆପଣାର ଉପସ୍ଥିତ ପୃଥିବୀଟାକୁ ତା’ ସହିତ ସ୍ପର୍ଶ କରାଇ ରଖିଥିଲେ ବୁଢ଼ାହେବାର ସର୍ବବିଧ ପ୍ରମାଦରୁ କେଡ଼େ ଅବଲୀଳା ସହିତ ଯେ ମୁକ୍ତ ରହିବା ସମ୍ଭବ ହୋଇଥାଏ, ମୁଁ ସେ କଥା ପ୍ରାୟ ପ୍ରତ୍ୟେକ ଦିନ ଅଙ୍ଗେ ନିଭାଉଛି । ତାହା ହେଉଛି ମୋ’ର ସବୁଠାରୁ ବଡ଼ ଭାଗ୍ୟ । ଯେଉଁମାନେ ଆଗାମୀ ପୃଥିବୀରେ ଫୁଲ ହୋଇ ଫୁଟିବେ, ସଂସାରଯାକକୁ ମହକାଇବେ ଓ ଜୀବନର ଏହି ବଗିଚାଟିକୁ ଏକ ନିର୍ଦ୍ଦିଷ୍ଟ ଆବେଦନ ଏବଂ ନିର୍ଦ୍ଦିଷ୍ଟ ଉଜ୍ଜ୍ଵଳତା ପ୍ରଦାନ କରିବେ, ସେହିମାନଙ୍କ ସହିତ ଏକାଠି ବସିଥିବା ସମୟରେ ମୋ’ ଭିତରେ, ଯେପରି କୌଣସି ଜର୍ଜରତା, କୌଣସି ବ୍ୟାଧିଗ୍ରସ୍ତତା ଏବଂ କୌଣସି ଉଗ୍ରତା ନରହୁ । ଏହାଦ୍ୱାରା ମୁଁ ସେହି କଢ଼ଗୁଡ଼ିକରେ ଯେତେ କ୍ଷତି ନକରିବି, ତା’ଠାରୁ ଅଧିକ କ୍ଷତି ନିଜରହିଁ କରିବି । ମୁଁ ଶୀଘ୍ର ଶୁଖି ଶୁଖିଯିବି, ସେହି ଦୁର୍ଦ୍ଦଶାଟି ହେତୁ ଉଗ୍ର ହେବ, ଅହଂକାରୀ ହେବି, ସଂସାରଟା ବୁଡ଼ିଯାଉଛି ବୋଲି ହୁରି କରିବାରେ ଲାଗିଥିବି । ଏ ସଂସାରର ଏକ ଭବିଷ୍ୟତ୍‍ ଥାଇ ମଧ୍ୟ ମୋତେ ସେତେବେଳେ ଆଉ କୌଣସି ଭବିଷ୍ୟତ୍‍ ଦୃଶ୍ୟ ହେଉ ନଥିବ, ଯାବତୀୟ ଦିଗ୍‌ବଳୟ ଉପରେ ପାହାଡ଼ ପଡ଼ି ରହିଥିବ । ଏହି ପୃଥିବୀରେ ଆଉ କିଛି ହେବନାହିଁ ବୋଲି ମାନିନେଇ ମୁଁ ହୁଏତ ସ୍ଵର୍ଗର ଲୀଳା କୀର୍ତ୍ତନ କରୁଥିବି ଏବଂ ଏଠି ମାଟିଟାକୁ ଗୋଇଠା ମାରୁଥିବି ।

 

କେଡ଼େ ଭାଗ୍ୟବାନ୍ ମୁଁ, ଏହି ଦୁର୍ଦ୍ଦଶାରେ ପଡ଼ିନାହିଁ । ସେଥିଲାଗି ମୁଁ ବାହାର ପରି ଭିତରେ ମଧ୍ୟ ବଗିଚାଟିଏ ଦେଖିବାକୁ ପାଉଛି, ଭିତରୁ ମହକ ଆସି ମୋ’ର ସବୁଯାକ ଆଖିକୁ ବାହାରର ଯାବତୀୟ ମହକ ସହିତ କେଡ଼େ ସ୍ଵାଭାବିକ ଭାବରେ ସଂଲଗ୍ନ କରି ରଖିଛି । ଏହାକୁ କ’ଣ କେବଳ ଏକ ଆଶାବାଦୀ ଜୀବନଦୃଷ୍ଟି ବୋଲି କହି ତା’ର ଯଥାର୍ଥ ପରିଚୟ ଦେଇ ହେବ ? ନାଇଁ;–ଇଏ ହେଉଛି ସତକୁସତ ଏକ affirmation, ଯାହାକୁ ମୋ’ରିଠାରୁ ଏହି ସଂସାର ସରିଗଲା ବୋଲି ଭାବିବାର ଯାବତୀୟ ଦୁଷ୍ଟାମିରୁ ମୋତେ ଜନନୀ ପରି ରକ୍ଷା କରି ଆସିଛି, ଆସୁଛି । ପ୍ରତିଦିନ ପ୍ରଭାତରେ ମୁଁ ସେହି ଜନନୀକୁ ପ୍ରଣାମ କରି ପାରୁଛି, ଏକାବେଳେକେ ଶିଶୁଟିଏ ହୋଇ, ତାଙ୍କରି ଶିଶୁଟିଏ ହୋଇ ମୁଁ ତାଙ୍କୁ ପ୍ରଣାମ କରି ପାରୁଛି । ଥାନ ପାଉଛି, ଭରସା ପାଉଛି । ଅନାୟାସରେ ଜୀବନର ସବୁଯାକ ଦ୍ଵାରକୁ ପୂର୍ଣ୍ଣୋନ୍ମୋଚିତ କରିଦେଇ ମୁଁ ଏକଥା କରିପାରୁଛି ।

 

୧୯ । ୧୦ । ୯୧

 

ସମଗ୍ର ପୃଥିବୀଟିକୁ ଘଡ଼ିଏ ବଞ୍ଚିଲେ ଯଦି ଏତେ ସୁଖ, ତେବେ ସମଗ୍ର ଜୀବନଟା ସେହିପରି ବଞ୍ଚିପାରିଲେ ମଣିଷ ପ୍ରକୃତରେ କେତେ ସୁଖର ଅଧିକାରୀ ହୋଇ ନପାରନ୍ତା । ଯଦି ଭଗବାନ୍‍ଙ୍କୁ ଘଡ଼ିଏମାତ୍ର ଅନୁଭବ କଲେ ଏତେ ଖୁସି, ତେବେ ଜୀବନଟାଯାକ ତାଙ୍କର ଅନୁଭୂତିକୁହିଁ ପ୍ରତିଫଳିତ କରି ପାରୁଥିଲେ ମଣିଷ କେତେ କ’ଣ ଖୁସିର ଅଧିକାରୀ ହୋଇ ନପାରନ୍ତା ! କବି କ’ଣ କେବଳ ଘଡ଼ିଏ ହୁଅନ୍ତି, କେବଳ ଘଡ଼ିକଲାଗି ଭଲ ପାଆନ୍ତି ? ଏସବୁକୁ ନିଜ ଶରୀରର ପ୍ରତ୍ୟେକ ଅଣୁ ଭିତରକୁ ବହନ କରିନେବା ଏବଂ ତା’ପରେ ସେହି ମୂର୍ତ୍ତ ପ୍ରେରଣାଟିଦ୍ଵାରା ପ୍ରେରିତ ହୋଇ ଜୀବନ ବଞ୍ଚିବା, ମଣିଷମାନେ କେବେ ସେହି ମହାଭାଗ୍ୟର ଭାଜନ ହୋଇପାରିବେ ?

 

ଏବଂ, ସବୁ ମଣିଷ ଦିନେ ନା ଦିନେ ତାହାର ଭାଜନ ହେବେ ଏବଂ ମୁଁ ସେପର୍ଯ୍ୟନ୍ତ ଏଠି ଏହି ସଂସାରରେ, ମୋ’ର ଯାବତୀୟ ସମ୍ବନ୍ଧର ସଂସାରରେ ଅପେକ୍ଷା କରି ରହିଥିବି, ଏହାକୁ କେବଳ ନିର୍ବୋଧତା ବୋଲିହିଁ କୁହାଯିବ । ଜଗତ୍‍ଯାକ ମୋ’ ଆଡ଼କୁ ହାତ ବଢ଼ାଇବା ପୂର୍ବରୁ ମୁଁ ଆଗ ଜଗତ୍‍ ଆଡ଼କୁ ହାତ ବଢ଼ାଇବି । ମୁଁ ଆଗ ହାତ ବଢ଼ାଇ ପାରିଲେ ଯେ ଜଗତ୍‍ର ମୋ’ ଆଡ଼କୁ ହାତ ବଢ଼ାଇବାର ମୁହୂର୍ତ୍ତ ଓ ପ୍ରକ୍ରିୟାଟି ମଧ୍ୟ ତ୍ୱରାନ୍ଵିତ ହୋଇ ଆସିବ, ଏକଥା ମୁଁ ନିଜ ଜୀବନର ଅଭିଜ୍ଞତାରୁ ଜାଣିଛି । ସେଥିଲାଗି ଏଠାରେ ସବୁଠାରେ ମଧ୍ୟ ମୋ’ ନିଜର ଗୋଟିଏ ଗୋଟିଏ ଘର ରହିଥିବା ପରି ଲାଗୁଛି । ଆଦୌ କେଉଁଠି ହେଲେ ଅନୁପ୍ରବେଶ କରିବା ପରି ଲାଗୁନାହିଁ । ସବୁ ଦୁଆର ଖୋଲା ରହିଛି । ନିଜ ଦୁଆରଟି ଖୋଲା ରହିଛି, ଅର୍ଥାତ୍ ସବୁଯାକ ଦୁଆର ଖୋଲା ରହିଛି । ଏହିପରି ଏକ ଅନୁଭୂତି ଓ ସମ୍ମତିହିଁ ମୋତେ ଏହି ପୃଥ୍ଵୀଗତ ଜୀବନର ଅସଲ ମୂଳଟିକୁ ଛୁଇଁ ପାରିବାରେ ମୋତେ ସବୁଠାରୁ ଅଧିକ ସାହାଯ୍ୟ କରିଛି । ଏହି ଅସଲ ଛୁଇଁବାଟିକୁ ମୂଳକାଠି କରି ମୁଁ ଜୀବନରେ ତତ୍ତ୍ଵଗୁଡ଼ିକୁ ଜାଣିଛି, ମତଗୁଡ଼ିକୁ ବଞ୍ଚିଛି ଏବଂ ସମ୍ବନ୍ଧଗୁଡ଼ିକୁ ଯୋଡ଼ିଛି । ସଂଶୟର ସବୁଯାକ ଗଣ୍ଠି କେଉଁ ପରମବିଶ୍ଵାସର ଆବେଦନଦ୍ଵାରା ଖୋଲି ଯାଇଛି । ମୋତେ ଆଦୌ କୌଣସି କଷ୍ଟ କରିବାକୁ ପଡ଼ିନାହିଁ । ସବୁଯାକ ଭଗବାନ୍ ମୋତେ ଏଇଠି ଏହି ହାତପାଆନ୍ତାରେ ଦେଖା ଦେଇଛନ୍ତି, ନିଜ ଭିତରର ଆସ୍ଥାନଟି ଉପରେ ତାଙ୍କୁ ଥାପିରଖିବା ତା’ପରେ କେଡ଼େ ସହଜ ଓ ସ୍ଵାଭାବିକ ହୋଇ ଯାଇଛି ।

 

୨୬ । ୧୦ । ୯୧

 

ଯେଉଁମାନେ କେବଳ ଏକାନ୍ତ ବ୍ୟକ୍ତିଗତ ଭାବରେ ଆପଣାର ଉନ୍ନତି ଓ ଉତ୍‌ଥାନରେ ଲାଗିଛନ୍ତି, ସେମାନଙ୍କ ଦ୍ଵାରା ସାମ୍ପ୍ରତିକ ସମୟର ସମସ୍ୟାଗୁଡ଼ିକ କଦାପି ସମାହିତ ହୋଇପାରିବ ନାହିଁ । ସେହିମାନେହିଁ ସମ୍ଭବତଃ ଗୋଟିଏ ଦୃଷ୍ଟିରେ ଆମ ଏହି ସମୟର ସମସ୍ୟାଗୁଡ଼ିକୁ ଆହୁରି ଅଧିକ ଦୁରାଗ୍ରହଯୁକ୍ତ କରି ରଖିଥିବା ପାଇଁ ଦାୟୀ ହେବେ । ସେମାନେ, ସବୁକିଛି ଯେପରି ଯାହା ରହିଛି, ତାହାରି ସହିତ ମୂଳତଃ ଖାପ ଖାଇଯିବାକୁହିଁ ଆପଣା ଜୀବନ ପ୍ରୟାସର ଯାବତୀୟ ଧର୍ମରୂପେ ଗ୍ରହଣ କରି ନେଇଛନ୍ତି ଓ ସେହି ଅତିସୀମିତ ଗାରଗୁଡ଼ିକ ଭିତରେ ଆପଣାକୁ ଯଥାସମ୍ଭବ ଅଧିକ ସଫଳ କରାଇ ନେବାର ଫନ୍ଦରେ ଦିନରାତି ବ୍ୟସ୍ତ ରହିଛନ୍ତି । ଏମାନଙ୍କ ଦ୍ଵାରା ଖଡ଼ା ସିଝିବ ନାହିଁ ।

 

ଏମାନେ ଆମ ସମାଜରେ ସର୍ବବୃହତ୍ ଅଂଶ ହୋଇ ରହିଛନ୍ତି । ଏମାନଙ୍କ ମଧ୍ୟରେ ଶିକ୍ଷକ ରହିଛନ୍ତି, ଛାତ୍ର ରହିଛନ୍ତି, ଘରୁଆମାନେ ରହିଛନ୍ତି, ତୁଚ୍ଛା ପରିବାରଟାକୁହିଁ ଏକମାତ୍ର ରଙ୍ଗମଞ୍ଚ ବୋଲି ଗ୍ରହଣ କରିନେଇ ତାହାରି ଉପରେ ହୀରୋ ହେବାରେ ସମୟ ସାରି ଦେଉଛନ୍ତି । ଚାକିରିଆଟିଏ ତା’ ପଦୋନ୍ନତି ପାଇଁ ଲାଗିଛି । ଯୋଉଥି ସକାଶେ ତାକୁ ପଦଟିଏ ଦିଆଯାଇଥିଲା ଓ ସେ ବେତନ ପାଉଥିଲା, ସେହି ପଦର ଉଚିତ କର୍ତ୍ତବ୍ୟଗୁଡ଼ିକୁ କରିବାରେ ତା’ର ଯେତେ ଆଗ୍ରହ ନାହିଁ, ଆପଣାର ନିତାନ୍ତ ଆପଣାର ପାହାଚଗୁଡ଼ିକୁ ଉଠିବାରେ ତା’ଠାରୁ ଅନେକ ଅଧିକ ଆଗ୍ରହ ରହିଛି । ପାଠପଢ଼ୁଥିବା ଅଧିକାଂଶ ପିଲା ଏକାନ୍ତ ଭାବରେ ନିଜ ଭବିଷ୍ୟଟିର ସୁରକ୍ଷା ହେବା ସକାଶେହିଁ ପାଠ ପଢ଼ୁଛନ୍ତି । ପାଠପାହାଚରେ କେତେ କ’ଣ ପ୍ରତିଯୋଗିତା କରୁଛନ୍ତି । ସେମାନେ ମଧ୍ୟ ହୁଏତ ନିଜ ବ୍ୟତୀତ ଆଉ କାହାକୁହେଲେ ଦେଖି ପାରୁନାହାନ୍ତି । ଏବଂ ଆମ ସମାଜର ସଫଳ ଘରୁଆମାନଙ୍କର କଥା ହୁଏତ ନକହିବାହିଁ ଭଲ । ସେମାନେ ନିଜ ଘରଟିକୁ ପ୍ରଶସ୍ତ ଓ ପ୍ରଭାଯୁକ୍ତ କରି ରଖିବାପାଇଁ ଜାଣତ ଓ ଅଜାଣତରେ ଆହୁରି କେତେ ଘରକୁ ଉଜାଡ଼ି ଦେବାକୁ ମଧ୍ୟ ନିଜର ସାଂସାରିକ ଧର୍ମର କର୍ତ୍ତବ୍ୟବତ୍ ମନେ କରୁଛନ୍ତି । ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବା ଏମାନଙ୍କ ଦ୍ଵାରା ସମ୍ଭବ ହୋଇ ପାରିବନାହିଁ । ଯେକୌଣସି ସମସ୍ୟାର ଯଥାର୍ଥ ସମାଧାନ ଦିଗରେ ହୁଏତ ଏହିମାନେହିଁ ସବୁକାଳରେ ସବୁଠାରୁ ବଡ଼ ଅନ୍ତରାୟ ହୋଇ ରହିଥିବେ ।

 

୨୭ । ୧୦ । ୯୧

 

ପ୍ରତିମାପୂଜାକୁ ସାଧନା-ଇତିହାସର କେଉଁ ଦୁର୍ଭାଗ୍ୟ ପୂର୍ଣ୍ଣ ପର୍ଯ୍ୟାୟରେ ଭିଆଣ କରାଯାଇଥିଲା କେଜାଣି ? ଯେତେବେଳେ ଆସ୍ପୃହାଗୁଡ଼ିକ ମୂର୍ତ୍ତିରେ କୁହାହେଲେ ଏବଂ ମୂର୍ତ୍ତିର ମାଧ୍ୟମରେ ଉପାସିତ ହେଲେ, ସମ୍ଭବତଃ ସେହି ଦିନଠାରୁ ମଣିଷ ତା’ର ଆସ୍ପୃହାଗୁଡ଼ିକ ପାଖରୁ ଚମ୍ପଟ କରିବାକୁହିଁ କେତେପ୍ରକାର ସୁରାକ ପାଇଗଲା ଏବଂ ଅସଲ ଘରଗୁଡ଼ିକ ଭିତରୁ ନିର୍ବାସିତ ହୋଇ ରହିଲା ।

 

ଆପଣାର ଆସ୍ପୃହାରେ ଗଭୀରରୁ ଗଭୀରତର ହେବା,–ମଣିଷପାଇଁ, ଆରୋହଣରେ ଶ୍ରଦ୍ଧା ରଖିଥିବା ଯେକୌଣସି ଭଗବତ୍‍ ସନ୍ତାନପାଇଁ ତାହାହିଁ ଉଦ୍ଦିଷ୍ଟ ହୋଇ ରହିଥିଲା । ମଣିଷକୁ ତା’ର ସେହି ଅସଲ ପଥରୁ ବାଉଳା କରି ଏହି ସମ୍ପ୍ରଦାୟଗୁଡ଼ିକ କେଉଁଠୁ କାହିଁକି ଆସିଲେ ? ଧର୍ମମାନେ ଅଧିକ ସ୍ଥୂଳ ହୋଇ କାହିଁକି ଆପଣାକୁ ପରସ୍ପରଠାରୁ ଅଲଗା ବୋଲି କହିଲେ, କାହିଁକି ପ୍ରତ୍ୟେକ ଅପରଠାରୁ ନିଜକୁ ଉଚ୍ଚ ବୋଲି ଭାବିଲେ ? ନିଜେ ଆରୋହଣ ଲାଗି, ଉନ୍ମୋଚନ ଲାଗି, ଯଥାର୍ଥ ସ୍ପର୍ଶ ପାଇବାଲାଗି ଅନୁରାଗ ରଖିଥିଲେ ଯାଇ ଏହି ପ୍ରଶ୍ନଗୁଡ଼ିକୁ ପଚାରିହୁଏ ଏବଂ ପ୍ରଶ୍ନଗୁଡ଼ିକୁ ପଚାରି ଆପଣାକୁ ସୁରକ୍ଷିତ ରଖିହୁଏ । ହିନ୍ଦୁଧର୍ମରେ ପିତୁଳାପୂଜା ରହିଛି ସତ, ମାତ୍ର ହିନ୍ଦୁଧର୍ମରେ ମୂଳ ଉପନିଷଦ୍‍ଗୁଡ଼ିକ ମଧ୍ୟ ରହିଛନ୍ତି । ତୁମେ କେଉଁଟାକୁ ନିଜର ବୋଲି ବାଛିନେବ, ତାହା ଧର୍ମତଃ ପ୍ରତ୍ୟେକ ବ୍ୟକ୍ତି ଉପରେହିଁ ନିର୍ଭର କରୁଥାନ୍ତା । ମାତ୍ର, ଏକ ଅନ୍ୟ ପ୍ରଲୋଭନରେ ପଡ଼ି ମଣିଷମାନେ ଆପଣାକୁ ଏପରି ଗୋଟିଏ ଗୋଟିଏ ସମ୍ପ୍ରଦାୟରେ ପରମ୍ପରାକ୍ରମେ ପଲ କରି ଆଣିଲେ ଯେ, ଧର୍ମ ଯାଇ କ୍ରମେ ତୁଚ୍ଛା ଗୁଣ୍ଡାମାନଙ୍କ ହାତରେ ରହିଲା । ତା’ପରେ ମୂର୍ତ୍ତିଟିକୁ ନିଜଭିତରେ ନଦେଖି ତାହାକୁ ବାହାରେ ସୁନାରୁପାରେ ସଜାଇ ରାଜକୀୟ କରି ଦେଖାଇବାର ଦୁର୍ବୁଦ୍ଧିକୁ ଆଣି ପୂରାଇ ଦିଆଗଲା । ଏଥିରେ ରାଜାମାନେହିଁ ସବୁଠାରୁ ଅଧିକ ସାହାଯ୍ୟ କଲେ ଏବଂ ପୁରୋହିତମାନେ ସେଥିଲାଗି ଆବଶ୍ୟକ ଦୁଷ୍ପ୍ରବୃତ୍ତିଗୁଡ଼ିକୁ ଆଣି ଯୋଗାଇଦେଲେ । ଯଦି ତୁମେ ଯଥାର୍ଥ ହିନ୍ଦୁ ଭାବରେ ଏକାସାଙ୍ଗେ ଉପନିଷଦ୍‍ ଓ ମୂର୍ତ୍ତିଗୁଡ଼ିକୁ ବଞ୍ଚି ନପାରିବ, ତେବେ ମୁଁ ତୁମକୁ ଆଦୌ ହିନ୍ଦୁ ବୋଲି କହିବି କାହିଁକି, ଆଦୌ ମୋ’ ସାଙ୍ଗରେ ବାଟ ଚାଲୁଥିବା ଜଣେ ସାଥୀ ବୋଲି ମଧ୍ୟ କହିବି କାହିଁକି ?

 

୨୮ । ୧୦ । ୯୧

 

ଏ ଦେହ ମଧ୍ୟ ସାଙ୍ଗରେ ଅଛି । ଜୀବନର ଯାବତୀୟ ତପସ୍ୟାରେ ଏବଂ ସ୍ପର୍ଶ ଲାଭରେ ଦେହ ସାଙ୍ଗେ ସାଙ୍ଗେ ରହିଛି । ଏ ଦେହ ଆପଣାକୁ ଆଉ ମନର ଅଥବା ତୁଚ୍ଛା ପ୍ରାର୍ଶକତାର ଅଧୀନ ହୋଇ ରହିଥିବା ପରି ଆଦୌ ଅନୁଭବ କରୁନାହିଁ । ତେଣୁ, ତ୍ରାସମୁକ୍ତ ହୋଇ ରହିଛି, ଅନୁରାଗଯୁକ୍ତ ହୋଇ ରହିଛି । ଏହାହିଁ କ’ଣ ଦେହର ଅମରତ୍ଵବୋଧ ? ଅର୍ଥାତ୍, ହଜିଯିବାର, ନିଶ୍ଚିହ୍ନ ହୋଇଯିବାର କୌଣସି ଆଶଙ୍କା ଆଉ ଦେହକୁ ଉତ୍ପୀଡ଼ିତ କରି ପାରୁନାହିଁ । ଦେହ ଯୋଗ୍ୟ ହେଲେ, ଅସଲ ବାସନାଗୁଡ଼ିକୁ ଆପଣାର ମୂଳଭୂତ କାମ୍ୟତାରେ ପରିଣତ କରି ପାରିଲେ ଯେ ଦେହ ମଧ୍ୟ ଶିଖର-ବିଚରଣର ପ୍ରବେଶାଧିକାର ଲାଲା କରେ, ମୁଁ ତାହା ଏବେ ଅଙ୍ଗେ ଅଙ୍ଗେ ଅନୁଭବ କରୁଛି ।

 

କାମନାଗୁଡ଼ାକୁ ଖାଲି ଦେହର କଳଙ୍କ ବା ଦେହର ସନ୍ତାପପୂର୍ଣ୍ଣ ପ୍ରାରବ୍ଧ ବୋଲି କହି କହି ଆମେ ତାକୁ ଆପଣା ପାଖରୁ କେତେ ଦୂରଛଡ଼ା କରି ରଖିଥାଉ । ସିଆଣିଆ ମନଟା ଅନେକ ସମୟରେ ଆପଣାକୁ ଏକମାତ୍ର ବ୍ରାହ୍ମଣ ବୋଲି ଘୋଷଣା କରି ଦେହରୁ ଗୋଟାସୁଦ୍ଧା ଶୂଦ୍ର ବୋଲି କହି ଘୃଣା କରୁଥାଏ, ତାକୁ ଆପଣା ପାଖରୁ ଦୂରରେ ରଖିଥାଏ । ଦେହଟାକୁ ଅତ୍ୟନ୍ତ ନିରାଲମ୍ବ ଭାବରେ ଭୋଗ କରିବାରେ ଲାଗିଥାଏ ସତ, ମାତ୍ର ତାକୁ ତଥାପି ଯାବତୀୟ ଅପବାଦ ଏବଂ ବିସମ୍ବାଦ ପାଇଁ ଦାୟୀ କରିବାରେବି ଲାଗିଥାଏ । ମନର ବହୁ ଅପପରାକ୍ରମଦ୍ଵାରା ବିଚରା ଦେହଟା ବଡ଼ ଉତ୍ପୀଡ଼ିତ ହୋଇ ରହିଥାଏ । ଆପଣାର ଏହି ଉତ୍ପୀଡ଼ନଟାକୁ ଜାରି କରି ରଖିବାକୁ ମନ ଯାବତୀୟ ବହୁ କୌଶଳଦ୍ଵାରା ଗାଦି ମାଡ଼ି ବସିଥାଏ, ଦେହଟାକୁ ପବିତ୍ର କରି ରଖିବା ସକାଶେ କେତେ କେତେ ବାହ୍ୟାଚରଣର ଫିସାଦ କରିବାରେ ଲାଗିଥାଏ । ସଂସାରର ବହୁତର ନୈତିକତା ସମ୍ଭବତଃ ସେଇଥିରୁହିଁ ସବୁ ଉତ୍ସାହ ପାଏ । ଦେହ ଭିତରେ ଯେ ଏକ ମୂଳଭୂତ ପବିତ୍ରତା ରହିଥାଏ, ଯାବତୀୟ ତପସ୍ୟାରେ ଦେହକୁ ତା’ର ଉଚିତ ଭାଗ ଦେବା ପରେ ଯାଇ ମୁଁ ଏବେ ତାହା ଅନୁଭବ କରିପାରୁଛି । ଦେହ ସତେଅବା ଏପରି ଏକ ଘର ହୋଇ ରହିଛି, ଯାହାକି ମୋ’ର ଯାବତୀୟ ଅଭିକ୍ରମରେ ତଥା ଆସ୍ପୃହାରେ ଆସ୍ଥାନଟିଏ ହୋଇ ରହିପାରିବ, ଭୂମି ପରି କାର୍ଯ୍ୟ କରିପାରିବ । ଅମରତ୍ଵ କହିଲେ ହୁଏତ ଏହାଠାରୁ ଭିନ୍ନ ଆଦୌ ଅନ୍ୟ କିଛିକୁ ବୁଝାଏ ନାହିଁ । ପାହାଚ ଉଠିବାର ମାର୍ଗ ରହସ୍ୟଟି ଦେହ ଯାଏଁ ସଂକ୍ରମିତ ହୋଇଯାଇ ପାରିଲେ ଆଉ କୌଣସି ଚିନ୍ତା ରହେନାହିଁ ।

 

୨୯ । ୧୦ । ୯୧

 

ମଣିଷ ଭିତରେ ତା’ର ଅସଲ ପରିଚୟଟି ଯେଉଁଠାରେ ପ୍ରଚ୍ଛନ୍ନ ହୋଇ ରହିଥାଏ; ସିଏ ଆପଣା ଗଭୀରକୁ ସେ ଯାଏଁ ଯାଇ ନିଜେ କବାଟଟିକୁ ଖୋଲି ଦେବାଲାଗି ଏତେ କୁଣ୍ଠିତ ହୁଏ କାହିଁକି ? ମଣିଷ ଉପରେ ତା’ର ସାମାଜିକ ସଂସ୍କାରମାନ କେଡ଼େ ବହଳ ଓ ପ୍ରଭାବପୂର୍ଣ୍ଣ ଭାବରେ ଯେ ମାଡ଼ି ରହିଥାଏ, ଏଇଥିରୁ ତାହାର ପ୍ରମାଣ ମିଳିଯାଉଛି । ନିଜର ସେହି ସଂସ୍କାରଗୁଡ଼ିକ ତାକୁ ନିଜ ଭିତରେ ଏପରି ଭୟାଳୁ କରି ରଖିଥାଏ । ଭିତରେ ଭୟାଳୁ ହୋଇ ରହିଥିବାରୁ ସେ କେଡ଼େ ସହଜ ଭାବରେ ଏହି ବାହାରଗୁଡ଼ାକ ସହିତ ଖାପ ଖାଇ ଯାଉଥାଏ ଓ ସେଥିଲାଗି ଆପଣାକୁ କେଡ଼େ ସାହସୀ ଓ ସଫଳ ବୋଲି ଅନୁଭବ କରୁଥାଏ । ନିଜ ଭିତରେ ବିଫଳ ହୋଇ ବାହାରେ ନିଜକୁ ସଫଳ ବୋଲି ଦେଖାଇବାର ଦାମ୍ଭିକତା,–ଏହାହିଁ ଅନେକ ସମୟରେ ମଣିଷମାନଙ୍କୁ ଭାରି ଉଗ୍ର କରି ରଖିଥାଏ । ଅସଲ ବିଶ୍ଵାସଟିକୁ ହରାଇ ବସିଥିବା ମଣିଷହିଁ ବାହାରେ fanatic ହୁଏ, ଅସଲ ଆଗ୍ରହଟିକୁ ହରାଇ ବସିଥିବା ମଣିଷମାନେ ଦୁରାଗ୍ରହୀ ହୁଅନ୍ତି । ଏବଂ, ସମଗ୍ର ପୃଥିବୀକୁହିଁ ସେମାନଙ୍କର ଉପଦ୍ରବ ସହ୍ୟ କରିବାକୁ ପଡ଼ିଥାଏ ।

 

ମଣିଷକୁ ତା’ର ଅସଲ ପରିଚୟଟି ବିଷୟରେ ସଚେତ କରିଦେବାକୁ ଯେଉଁମାନେ ନିଜର କାର୍ଯ୍ୟ ବୋଲି ଗ୍ରହଣ କରିଥାନ୍ତି, ସେମାନେ ମଧ୍ୟ ପୁରୁଣା ସଂସ୍କାରଗୁଡ଼ିକଦ୍ଵାରା ଭାରି ଗୁରାଇତୁରାଇ ହୋଇ ରହିଥାନ୍ତି ବୋଲି ସମ୍ଭବତଃ ସେମାନଙ୍କ କଥାର ଯଥେଷ୍ଟ ପ୍ରଭାବ ମଣିଷମାନଙ୍କ ଉପରେ ପଡ଼େନାହିଁ । ଏହିପରି, ଦୁଇ ପକ୍ଷର ଏହିସବୁ ପ୍ରତିକୂଳତା ସକାଶେ ହୁଏତ ସତ୍ୟଟିଏ ମୂର୍ତ୍ତିରେ ପରିଣତ ହୋଇଯାଏ ଏବଂ ବିଚାରଟିଏ ବାଦରେ ପରିଣତ ହୋଇଯାଏ । ମୂର୍ତ୍ତିକୁ କେନ୍ଦ୍ର କରି ଧର୍ମଟିଏ ଫନ୍ଦାଯାଏ ଓ ବାଦକୁ ମୂଳ କରି କ୍ଷମତା ହାସଲ କରିବାକୁ ଉତ୍ତମମାନେ ଉତ୍ତେଜିତ ହୋଇ ଉଠନ୍ତି । ଆମ ପୃଥିବୀର ଇତିହାସରେ ଏହାର ବହୁତ ଦୃଷ୍ଟାନ୍ତ ଦେଖିବାକୁ ମିଳିବ । ଅସଲ ସତ୍ୟଟି ବହିରେ ପବିତ୍ର ବାକ୍ୟରେ ପରିଣତ ହୋଇ ରହିଥିବାର କେତେ ହାସ୍ୟାସ୍ପଦ ଦୃଷ୍ଟାନ୍ତ ଦେଖିବାକୁ ମିଳିବ । ସଂସ୍କୃତିର ପହଞ୍ଚ କ’ଣ କେବଳ ଏତିକି ଯାଏଁ ? ମଣିଷ କ’ଣ ପରସ୍ପରକୁ ଆହୁରି ଅଧିକ ନିବିଡ଼ ଭାବରେ ଜାଣିବାକୁ ଓ ଅନୁଭବ କରିବାକୁ ଇଚ୍ଛା କରିବନାହିଁ, ଯେପରିକି ସିଏ ମଣିଷର ଅସଲ ପରିଚୟ ଦେଇ ପରସ୍ପରକୁ ଦେଖିବ, ପରସ୍ପରକୁ ସ୍ଵୀକାର କରିନେଇ ପାରିବ ?

 

୩୦ । ୧୦ । ୯୧

 

ହିନ୍ଦୁ ଘରେ ଜନ୍ମ ହୋଇଥିଲା ବୋଲି ଯିଏ ଖାଲି ହିନ୍ଦୁ ହୋଇ ରହିଗଲା ଓ ହିନ୍ଦୁଧର୍ମର ଅଚେତନା-ଗାରଗୁଡ଼ିକୁ ଡେଇଁଯାଇ ପାରିଲାନାହିଁ, ତା’ର ହିନ୍ଦୁଧର୍ମରେ ଜନ୍ମ ହେବା ମଧ୍ୟ ବିଅର୍ଥ ଗଲା । ମୁସଲମାନ ଧର୍ମରେ ଜନ୍ମ ହୋଇଥିଲା ବୋଲି ଯିଏ ଖାଲି ମୁସଲମାନ ହୋଇ ରହିଗଲା, ସେହି ଧର୍ମର ଅଚେତନାଗାରଗୁଡ଼ିକୁ ଡେଇଁ ପାରିଲା ନାହିଁ, ତା’ର ମୁସଲମାନ ଧର୍ମରେ ଜନ୍ମ ହୋଇଥିବା ମଧ୍ୟ ବିଅର୍ଥ ହୋଇଗଲା । ପୃଥିବୀର ପ୍ରତ୍ୟେକ ଧର୍ମର କ୍ଷେତ୍ରରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସେହି କଥା କୁହାଯାଇପାରିବ । ଯିଏ ପିଲାଟି ଦିନରୁ ରାମଚନ୍ଦ୍ରଙ୍କୁ ଭଗବାନ୍‍ ବୋଲି ଜାଣି ଶିଖିଥିଲା, ମାତ୍ର ସେହି ରାମଚନ୍ଦ୍ରଙ୍କ ଠାରେ ରହିଗଲା ଓ ସେଥିରେ ରହିଥିବା ଅଚେତନାଗାରଗୁଡ଼ିକୁ ଡେଇଁଯାଇ ପାରିଲା ନାହିଁ, ତା’ର ରାମଉପାସନା ମଧ୍ୟ ବିଅର୍ଥ ହେଲା । ଧର୍ମଗୁଡ଼ିକରେ ରହିଥିବା ସବୁ ଦେବତାଙ୍କ ବେଳକୁ ମଧ୍ୟ ଠିକ୍ ଏହି କଥା କୁହାଯାଇପାରିବ । ଧର୍ମଗୁଡ଼ିକୁ ଡେଇଁଯିବାକୁହିଁ ଧର୍ମଗୁଡ଼ିକର ସୃଷ୍ଟି ହୋଇଥିଲା । ଧର୍ମଗୁଡ଼ିକୁ ଆମେ ଗୋଟିଏ ଗୋଟିଏ ସରଣି ବୋଲି ଜାଣିଥିଲେ ଯାଇ ଆମେ ଧର୍ମର ଅସଲ ପରିଚୟ ପାଇ ପାରିଥାନ୍ତୁ, ଧର୍ମକୁ ଦ୍ଵାରରୂପେ ବ୍ୟବହାର କରି ଆମେ ଅସଲ ଘରଟି ଭିତରେ ପ୍ରବେଶ କରି ପାରିଥାନ୍ତୁ, ଅସଲ ଘରର ଅଧିକାର ଲାଭ କରି ପାରିଥାନ୍ତୁ । ଅନେକ ମଣିଷଙ୍କର ଦୁର୍ଭାଗ୍ୟ, ସେମାନେ ତାହା କରିପାରିଲେ ନାହିଁ ।

 

ସେଇଥିପାଇଁ ସଂସାରଯାକ ଗୋଳ ଲାଗିଲା । ସେଇଥିଲାଗି ଏହି ମନ୍ଦିର, ମସ୍‍ଜିଦ ଓ ଗିର୍ଜାମାନେ ଆକାଶଯାକକୁ ଆସ୍ଫାଳନ କରିପାରିଲେ, ବଡ଼ାଇ କଲେ । ମନ୍ଦିରମାନେ ଆକାଶକୁ ମଣିଷଠାରୁ ଉଢ଼ୁଆଳ କରି ରଖିଲେ, ଦେବତାମାନେ ମଣିଷଠାରୁ ଭଗବାନ୍‍ଙ୍କୁ ଉଢ଼ୁଆଳ କରି ରଖିଲେ । ମଣିଷ ପୌତ୍ତଳିକ ହେଲା, ନିଜର ଖୋଳଟି ଭିତରେ ବନ୍ଦି ହୋଇ ରହିଲା, ଏକାନ୍ତ ଦୟନୀୟ ଭାବରେ unilingual ହୋଇ ରହିଗଲା । ଏହାଦ୍ଵାରା ପୃଥିବୀରେ ବହୁ ଅଶୁଭ ଆସି ପଶିଗଲା । ସେହି ଅଶୁଭମାନେ ମଣିଷର ଉଦୟକୁ ବଣା କରି ରଖିଲେ, ତାକୁ ଅବିବେକୀ କରି ରଖିଲେ । ଏବେ ଆମ ପୃଥିବୀରେ ଅବିବେକୀମାନେହିଁ ରାଜା ହୋଇ ବସିଛନ୍ତି । ଅସଲ ଥାନରେ କୌଣସି ଦେବତା ନାହାନ୍ତି । ଅଳପରେ ସନ୍ତୁଷ୍ଟ ହୋଇ ରହିଥିବା ନାସ୍ତିକମାନେହିଁ ଏଠି କ୍ରୂରତା ଓ ଉଦାସୀନତାର ଅବତାର ହୋଇ ବୁଲୁଛନ୍ତି ।

 

୩୧ । ୧୦ । ୯୧

 

ମଧ୍ୟପ୍ରାଚ୍ୟର ଶାନ୍ତି ସମ୍ମିଳନୀ ଇଉରୋପର ଏକ ସହରରେ ଯାଇ ତେଣେ ବସିଛି । ମଧ୍ୟପ୍ରାଚ୍ୟରେ ଆରବ ଓ ଇହୁଦୀମାନେ ଏକାଠି ବସି ପାରିଲେ ନାହିଁ ବୋଲି ସେମାନଙ୍କୁ ନାନାଭାବେ ପ୍ରବର୍ତ୍ତାଇ ଇଉରୋପ ଯାଏଁ ନିଆଯାଇଛି ଏବଂ ଏକାଠି ଗୋଟିଏ ସଭାରେ ବସାଯାଇଛି । ଅସ୍ତ୍ର ବା ସନ୍ତ୍ରାସବାଦଦ୍ଵାରା ପରସ୍ପରର ମୁକାବିଲା ନକରି ଏକାଠି ବସି କଥାବାର୍ତ୍ତାଦ୍ଵାରା ପରସ୍ପର ମଧ୍ୟରେ ରହିଥିବା ଯାବତୀୟ ସମସ୍ୟା ଭିତରୁ ବାଟ କଢ଼ାଯାଇ ପାରିବ ବୋଲି ଭଲଲୋକମାନେ ସେମାନଙ୍କୁ ଅନେକ ଦିନରୁ ବୁଝାଇ ଆସିଛନ୍ତି ଓ ଯେଉଁଭଳି ଉପାୟରେ ହେଉ ପଛକେ, ସେମାନଙ୍କୁ ଏକ ମିଳିତ ବୈଠକରେ ଗୋଟିଏ ତୁଠରେ ଏକାଠି କରି ପାରିଛନ୍ତି ।

 

ମୁକାବିଲାର ବାଟ ଉପରୁ ସତେ ଯେପରି ସାରା ପୃଥିବୀର ପ୍ରତ୍ୟୟ ତୁଟି ତୁଟି ଯାଉଛି । ସମଗ୍ର ପୃଥିବୀ ପକ୍ଷରେ ଏହା ହେଉଛି ଏକ ଶୁଭ ସୂଚନା । ପୃଥିବୀର ପ୍ରତ୍ୟୟଗୁଡ଼ିକ ଯେ ଏକ ନୂଆ ଆଡ଼କୁ ମୁହାଁଉଛି, ଏଥିରୁ ତାହାରି ସୂଚନା ମିଳୁଛି । ସାଧାରଣ ମଣିଷ କଦାପି ଯୁଦ୍ଧ ଚାହେଁନାହିଁ ବୋଲି ପ୍ରଚାର ହୋଇ ଆସୁଥିଲେ ମଧ୍ୟ ରାଷ୍ଟ୍ରମାନେ ସର୍ବତ୍ର ଅସ୍ତ୍ର ପରେହିଁ ଅଧିକ ବିଶ୍ଵାସ ରଖି ଆସିଥିଲେ । ଏବେ ମଧ୍ୟ ପୃଥିବୀର ଅଧିକ ସଂଖ୍ୟକ ରାଷ୍ଟ୍ରରେ ସେହି ଅସ୍ତ୍ରବଳ ଉପରେହିଁ ବିଶ୍ଵାସ ରହିଛି । ତଥାପି ପୁରୁଣା ଫାଟୁଛି ଓ ଏକ ନୂତନ ପାରସ୍ପରିକତା ଜନ୍ମଲାଭ କରୁଛି-। ଯେଉଁ ସାନ ସାନ ପ୍ରୟୋଗଗୁଡ଼ିକ ମୂଳରୁ ସେହି କଥାଟି ଉପରେ ବିଶ୍ଵାସ ରଖି ଆପଣାକୁ ଏକ ବିକଳ୍ପ ହିସାବରେ ପ୍ରାୟ ଏକ ପ୍ରତିକୂଳ ପୃଥିବୀରେ ସକ୍ରିୟ କରି ଆସିଛନ୍ତି ବର୍ତ୍ତମାନ ସେଇମାନଙ୍କର ଆବେଦନ ପୃଥିବୀର କାନରେ ଯାଇ ବାଜୁଥିଲା ପରି ମନେ ହେଉଛି-। ଇସ୍ରାଏଲ୍‍ର ନେଭେ ଶାଲୋମ୍ ପରି ଆରବ ଅଞ୍ଚଳରେ କୌଣସି ପ୍ରୟୋଗ ହୁଏତ ହେଉନଥିବ ସତ, ମାତ୍ର ସେଠାରେ ମଧ୍ୟ ସେହି ମନୋଭାବ ଅର୍ଥାତ୍ ସେହି ଅନୁରାଗର ମନୁଷ୍ୟମାନେ ଅବଶ୍ୟ ରହିଥିବେ । ସେମାନେ ସଂଖ୍ୟାରେ ବଢ଼ନ୍ତୁ, ପୃଥିବୀଯାକ ସେମାନଙ୍କର ବନ୍ଧୁ ସଂଖ୍ୟାବି ବୃଦ୍ଧିପାଉ । ପୃଥିବୀଯାକ ବନ୍ଧୁମାନଙ୍କର ସଂଖ୍ୟାହିଁ ବଢ଼ୁ । ବନ୍ଧୁମାନେ କେଉଁଠି ହେଲେ କୌଣସି ରାଜନୀତିକ କ୍ଷମତା ହାସଲ କରିବାକୁ ଚାହାନ୍ତିନାହିଁ, ସେମାନେ ବନ୍ଧୁଭଳି ଏକାଠି ବଞ୍ଚିବାକୁ ଚାହାନ୍ତି,–ଏହି ପୃଥିବୀକୁ ଏକ ବିକଳ୍ପ ଯଥାର୍ଥତାର ଭୂମି ଉପରେ ଗଢ଼ିବାକୁ ଇଚ୍ଛା କରନ୍ତି ।

 

୧ । ୧୧ । ୯୧

 

ମୁଁ ନିଜେ କାହାକୁ ଘୃଣା କରିନାହିଁ । ମୋ’ର ନିଜ ଧର୍ମଟାକୁ ନେଇ ବଡ଼େଇ କରିବାର ନିଶାରେ ମୁଁ ଅନ୍ୟ କୌଣସି ଧର୍ମକୁ ସାନ ବୋଲି କହି ହସିନାହିଁ । ଜୀବନରେ କାହାକୁ ହେଲେ ଯବନ, ପତିତ, ମ୍ଳେଚ୍ଛ ବା କାଫେର ବୋଲି କହିବାକୁ ମନ କରିନାହିଁ । ଆଜି ମୋ’ର ଚାରିପାଖରେ ପ୍ରାୟ ପୃଥିବୀଯାକ ଘୃଣା କରୁଥିବା, ଅନ୍ୟର ମନ୍ଦିରକୁ ଭାଙ୍ଗିଲେ ଯାଇ ନିଜ ମନ୍ଦିରର ରକ୍ଷା ହୋଇପାରିବ ବୋଲି ବିଶ୍ଵାସ କରୁଥିବା ମଣିଷମାନେ ଆଖି ବୁଜି ହତ୍ୟା କରୁଛନ୍ତି ଏବଂ ହତ୍ୟା କରିବାହିଁ ସତେଯେପରି ରାଜନୀତିକ ଅଭିପ୍ରାୟଗୁଡ଼ିକୁ ସିଦ୍ଧ କରିବାର ସବୁଠାରୁ ଅଧିକ ଉପାଦେୟ ଉପାୟ ବୋଲି ସ୍ଵୀକୃତ ହେଲାଣି । ଏଭଳି ଗୋଟିଏ ପୃଥିବୀରେ ମୁଁ କ’ଣ କରିବି ?

 

ଚାରିପାଖରେ ଅମଣିଷମାନେ ଭର୍ତ୍ତି ହୋଇ ରହିଛନ୍ତି । ଏହି ପୃଥିବୀ କ୍ରମେ ସେହିମାନଙ୍କର କବଳରେ ଆସି ପଡ଼ିଗଲାଣି ବୋଲି ଏଠି ଅଧିକାଂଶ ମଣିଷ କହିବାକୁ ଆରମ୍ଭ କଲେଣି ଏବଂ ପ୍ରମାଦ ଗଣିଲେଣି । ସେମାନେ ଯେକୌଣସି ପ୍ରକାରେ ଖାପ ଖାଇ ଚଳିଯିବାକୁ ମଧ୍ୟ ନୂଆ ନୂଆ ଉପାୟ ଖୋଜିଲେଣି । ନିଜକୁ ଅତ୍ୟନ୍ତ ଅସହାୟ ଭାବି ସେମାନେ ଏହିସବୁ ଉପାୟ ଖୋଜୁଛନ୍ତି ଏବଂ ଆପଣା ଭିତରେ ସତେଅବା କେଉଁଠି ହାରିଗଲା ପରି ଚୁପ୍ ହୋଇ ରହିଛନ୍ତି ।

 

ଏଠି ଜଣେ ମଣିଷ ଯଦି ପ୍ରକୃତରେ ଜଣେ ମଣିଷ ପରି ବଞ୍ଚିବାକୁ ଇଚ୍ଛା କରିବ, ନିଜର ମହତ୍ ରଖି ବଞ୍ଚିବାକୁ ବସିବ, ତେବେ ସିଏ କ’ଣସବୁ କଲେ ତାହା କରିପାରିବ ? ଆଗେ ପୃଥିବୀ ଉପରେ ବିରକ୍ତ ହୋଇ ଯେମିତି କେତେ ମଣିଷ ଜଙ୍ଗଲକୁ ପଳାଇ ଯାଉଥିଲେ ସିଏ କ’ଣ ସେହିପରି କିଛି କରିବ ? ଯାବତୀୟ ଆଦର୍ଶକୁ ଖୋଲା ଦାଣ୍ଡରେ ହତ୍ୟା କରାଯାଉଥିବା ସମୟରେ ସିଏ କ’ଣ ତଥାପି ନୀରବ ହୋଇ ରହିଲେ ଏହି ପୃଥିବୀରେ ସତକୁସତ ବିଶ୍ଵାସୀ ମଣିଷଟିକୁ ସବଳ କରି ଆଣିପାରିବ ?

 

୨ । ୧୧ । ୯୧

 

ଆରବ ଓ ଇହୁଦୀ ପ୍ରତ୍ୟେକ ଗୋଟିଏ ଭଗବାନ୍‍ରେ ବିଶ୍ଵାସ କରନ୍ତି ଏବଂ ତାଙ୍କୁ କେବଳ ଏକମାତ୍ର ଭଗବାନ୍‍ ବୋଲି ଘୋଷଣା କରନ୍ତି । ଏଇ ଦୁଇ ଭଗବାନ୍‍ ଯେ ସତକୁସତ ଏକ ଭଗବାନ୍‍ ହୋଇଥିବେ, ସେମାନେ ସେହି କଥାକୁ ଏବେ ମଧ୍ୟ ଗ୍ରହଣ କରିବାକୁ ରାଜି ହୋଇନାହାନ୍ତି । ପୃଥିବୀର ଅଧିକାଂଶ ଧର୍ମ ଯେ ସେମାନଙ୍କର ନାବାଳକ ଆଦିମତାର ସ୍ତରକୁ ଅତିକ୍ରମ କରିନାହାନ୍ତି, ଏଥିରୁ ସେହି ଦୁଃଖଦାୟକ ସତ୍ୟଟିରହିଁ ପ୍ରମାଣ ମିଳୁଛି ।

 

ମନ୍ଦିରମାନଙ୍କର ବହୁବିଧ ଆର୍ଯ୍ୟ ଓ ନୈବେଦ୍ୟ ଦେଇ ଯେଉଁ ଭଗବାନ୍‍ଙ୍କୁ ଡକାଯାଉଛି, ସେହି ଭଗବାନ୍ ଯେ ମସ୍‍ଜିଦ ଭିତରେ ଉପାସକମାନଙ୍କର ପ୍ରାର୍ଥନାକୁ ଶୁଣି ପାରୁଛନ୍ତି, ଭାରତବର୍ଷରେ ମଧ୍ୟ ଅଧିକାଂଶ ମଣିଷ ସେ କଥା କାହିଁକି ବୁଝି ପାରୁନାହାନ୍ତି ? ମଣିଷମାନେ ଏକଥା ବୁଝୁଥିଲେ ରାଜନୀତିର ଦୁର୍ଦ୍ଦାନ୍ତତାଗୁଡ଼ାକ ଆଜି ଧର୍ମ ଭିତରେ ପଶିବାଲାଗି ହୁଏତ ଆଦୌ କୌଣସି ବାଟ ପାଉନଥାନ୍ତା । ନିଜ ନିଜ ରାଷ୍ଟ୍ରରେ ଏକୁଟିଆ ହୋଇ ରହିବାକୁ ଇହୁଦୀ ଓ ଆରବ ଉଭୟେ ସମ୍ଭବତଃ ନିଜ ନିଜ ଭଗବାନ୍‍ଙ୍କ ଉପରେ ଆଦୌ ନିର୍ଭର କରୁନାହାନ୍ତି । ସେମାନେ ଅସ୍ତ୍ରବଳ ଉପରେହିଁ ଅଧିକ ନିର୍ଭର କରୁଛନ୍ତି । ଏହା ଆମ ସମଗ୍ର ପୃଥିବୀ ପକ୍ଷରେ ଏକ ବୃହତ୍ ଦୁର୍ଭାଗ୍ୟ । କେଉଁ ଆଦିମ କାଳରୁ ଧର୍ମ ରାଜସିଂହାସନମାନଙ୍କର ଚଉକି ଖୁରାର ଆଶ୍ରୟରେ ନିଜକୁ ଗୁଡ଼ାଇ ରଖିଛି ଏବଂ ସେଇଥିରୁ ସତେଅବା କେତେ ଅଭୟ ଲାଭ କରିଛି । ରାଜା ରାଜ୍ୟଜୟ କଲାବେଳେ ତାହାକୁ କେଡ଼େ ଉଲ୍ଲାସର ସହିତ ଭଗବାନ୍‍ଙ୍କର ବିଜୟ ବୋଲି ଘୋଷଣା କରାଯାଇଛି । ରାଜା ପୁରୁଷୋତ୍ତମଙ୍କର କାଞ୍ଚିବିଜୟକୁ ଠାକୁର ଜଗନ୍ନାଥଙ୍କର ବିଜୟ ଓ ଜଗନ୍ନାଥଙ୍କର ଇଚ୍ଛାପୂରଣ ବୋଲି ଏବେ ମଧ୍ୟ ଓଡ଼ିଶାରେ ଲୋକେ ସହସ୍ର ସଂଖ୍ୟାରେ ବିଶ୍ଵାସ କରୁଛନ୍ତି । ଗଣତନ୍ତ୍ରର ଶାସନରେ ମଣିଷ ଭିତରେ ମାନବିକ ଅନୁରାଗ ଅଥବା ଗଣତନ୍ତ୍ରମୂଳକ ଚେତନା ଯେତେ ବଢ଼ିନାହିଁ, ମଣିଷମାନେହିଁ ନିଜକୁ ଜଣେ ଜଣେ ରଜା ଅନୁଭବ କରିବାର ମନ୍ଦ ପରମ୍ପରାଟିହିଁ ହୁଏତ ଅଧିକ ବୃଦ୍ଧି ପାଇଛି । ସାମୂହିକ ନାନା ଦମ୍ଭକୁ ଭ୍ରମରେ ପଡ଼ି ଏବେ ଜାତୀୟତା ବୋଲି କୁହାଯାଉଛି ଏବଂ ଜାତୀୟତାକୁ ଆଧୁନିକ ଅସ୍ତ୍ରବଳ ଓ ଭୋଗବାଦ ଆବଶ୍ୟକ ଇନ୍ଧନ ଯୋଗାଇ ଦେଇଛି । ତେଣୁ, ଏବେ ମଧ୍ୟ ମଣିଷର ଈପ୍ସିତଗୁଡ଼ିକ ଏକ ଆରେକୁ ସବୁଥାନ ଛାଡ଼ିଦେବାକୁ ରାଜି ହେଉନାହାନ୍ତି ।

 

୩ । ୧୧ । ୯୧

 

ବଡ଼ ପୃଥିବୀଟାରେ ସ୍ଥାନୀୟ ଓ ସାନ କେତେ କେତେ ହିଂସା, ଅସୂୟା, ସନ୍ଦେହ, ଅବିଶ୍ଵାସ ଏବଂ ସେହିସବୁ ହେତୁ ଜୀବନ ଉପରେ ଘୋଟି ରହିଥିବା କେତେ କେତେ କ୍ରୂରତା । ତଥାପି ମଣିଷ ତା’ର ଧର୍ମଗୁଡ଼ାକୁ ନେଇ କେଡ଼େ ଛଇ କରିବାରେ ଲାଗିଛି । ଯେଉଁ ଧର୍ମକୁ ବଞ୍ଚୁଥିଲେ ଯାଇ ସେଥିରେ ଥିବା ଭଲ ଓ ଭେଲ ଧରା ପଡ଼ି ଯାଉଥାନ୍ତା, ତାହାକୁ କେବଳ କେତେଟା ବିଧି ଏବଂ ବନ୍ଧନ ଭିତରେ ବାନ୍ଧି ରଖି ମଣିଷମାନେ ଅଫିମଗୁଡ଼ାକୁ କେଡ଼େ ଅନୁରାଗର ସହିତ ଜୀବନସାର କରି ରଖିଛନ୍ତି । ଯେକୌଣସି ଧର୍ମସ୍ଥାନରେ ପହଞ୍ଚି ମୋର ହୃଦୟ ନତ ହୋଇ ରହିଥିବା ସମୟରେ ସବୁ ଧର୍ମର, ସବୁ ଭେକର ସବାଉପରେ ରହିଥିବା ଭଗବାନ୍‍ଙ୍କୁ ମୋ’ର ତାହାହିଁ ପଚାରିବାକୁ ସବୁବେଳେ ଇଚ୍ଛା ହୁଏ ।

 

ଏଇ ସାନ ସାନ କଣ୍ଟାଗୁଡ଼ିକୁ ନିଜର ଗୋଡ଼ ଭିତରୁ ବାହାର କରି ନଦେବା ପର୍ଯ୍ୟନ୍ତ ମଣିଷ ପ୍ରକୃତରେ ଆଉ କି ବାଟ ଚାଲିପାରିବ ? ମଣିଷର ସାହିତ୍ୟରେ, ତା’ର ସଙ୍ଗୀତରେ, ତା’ର ତଥାକଥିତ ସାଂସ୍କୃତିକ ନାନା ଅନୁଷଙ୍ଗରେ ପ୍ରକୃତରେ ଆଉ କେଉଁ ମହିମା ରହିଛି ବୋଲି କୁହାଯାଇପାରିବ ? ସାହିତ୍ୟ ଓ ସଙ୍ଗୀତ କରୁଥିବା ବହୁ ମଣିଷଙ୍କ ଭିତରେ ଯେ କେତେ ଘୃଣା ଓ ଅସୂୟା ଭର୍ତ୍ତି ହୋଇଛି, ତାହା ଦେଖି ବେଳେବେଳେ ମୁଁ ଭାରି ଉଦାସୀନ ହୋଇ ଯାଇଥାଏ । ଜୀବନରେ ସବାଆଗ ଆଉଗୋଟାଏ କ’ଣ ଘଟିଲେ ଯାଇ ମଣିଷର ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି ସୁନ୍ଦର ହୁଏ । ଏବଂ ସେ କଥାଟି ଘଟି ନଥିବା ପର୍ଯ୍ୟନ୍ତ ମନୁଷ୍ୟ ଏକ ପାଷଣ୍ଡ ମର୍କଟ ପରି ନିଜର ଅଳପଗୁଡ଼ାକୁହିଁ ବହୁତ ବୋଲି କହୁଥାଏ ଓ କେତେ ବାହାଦୁରି କରୁଥାଏ । ଓଡ଼ିଶାଠାରୁ ଇସ୍ରାଏଲ୍ ପର୍ଯ୍ୟନ୍ତ ମୁଁ ଏହି ଦୁଷ୍ଟବୃତ୍ତିଗୁଡ଼ାକର କେତେ କେତେ ଦୃଷ୍ଟାନ୍ତ ଦେଖି ଆସିଲି । ମୁଁ ତଥାପି କଦାପି ତାହାକୁହିଁ ମଣିଷ ଭିତରର ଅସଲ ପ୍ରବୃତ୍ତି ବୋଲି କହିନାହିଁ । ମଣିଷର ଡୋର ସୂର୍ଯ୍ୟସହିତ ଲାଗିଛି, ତା’ର ଅନ୍ତରଭିତରେ ମଧ୍ୟ ସେହି ସୂର୍ଯ୍ୟହିଁ ବିଦ୍ୟମାନ ରହିଛି । ଆମର ଯାବତୀୟ ଭେକ ଏବଂ ତତ୍‌ସମ୍ବନ୍ଧୀ ସୁଆଙ୍ଗର ଆହୁରି ସେପାଖକୁ ସେହି ସୂର୍ଯ୍ୟ ବିଦ୍ୟମାନ ରହିଛି । ନିତାନ୍ତ ବାହ୍ୟଗୁଡ଼ାକ ସକାଶେ ଯିଏ ଆଜି ଗୋଟାଏ ହାତରେ ପୁସ୍ତକ ଓ ଆର ହାତରେ ଖଣ୍ଡାଧରି ପୃଥିବୀ ଜୟ କରିବାକୁ ବାହାରିଛି, ବିଚରା ସିଏ ଆଗ ନିଜଭିତରେ ରହିଥିବା ସେହି ସୂର୍ଯ୍ୟର ଦର୍ଶନ କରୁ । ତେବେଯାଇ ତା’ର ଭେକଗୁଡ଼ାକର, ତା’ ଶାସ୍ତ୍ରଗୁଡ଼ାକର ଓ ତା’ ବାହ୍ୟଚାରଗୁଡ଼ାକର ଆଦୌ କୌଣସି ମୂଲ୍ୟ ରହିବ ।

 

୪ । ୧୧ । ୯୧

 

ଜନ୍ମଦିନ ହୁଏତ ଏକ ଦିନକୁ ବୁଝାଏ ନାହିଁ । ଏହା ମୁହୂର୍ତ୍ତ ମୁହୂର୍ତ୍ତକୁ ବୁଝାଏ । ନୂଆ ଜନ୍ମ ନୂଆ ମୁହୂର୍ତ୍ତରେ ହୁଏ, ଜୀବନକୁ ନୂଆ କରେ, ଆଖିକୁ ନୂଆ କରେ । କେତେ କେତେ ନୂଆ ସଂକଳ୍ପର ଯୋଗ୍ୟ କରାଇନିଏ ।

 

ଆଜି ଜନ୍ମଦିନରେ ସେହିସବୁ ମୁହୂର୍ତ୍ତର ଯାବତୀୟ ଅନୁଭବକୁ ମୁଁ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଦେଖିପାରୁଛି । ନିଜର ଜୀବନ କହିଲେ ଭିତର ଓ ବାହାରକୁ ଏକାଠି ଯୋଡ଼ିକରି ରଖିଥିବା ଏକ ବାଟକୁ ବୁଝାଏ, ଯେଉଁଠାରେ କି ନିଜ ଜୀବନର ଅତି ଚିହ୍ନା ଫୁଲଗୁଡ଼ିକ ଫୁଟି କରି ରହିଥିବା ପରି ମନେ ହେଉଥାଏ । ମୁହୂର୍ତ୍ତ ମୁହୂର୍ତ୍ତର ଏହି ଅବିଚ୍ଛିନ୍ନ ଶୃଙ୍ଖଳା,–ତାହାହିଁ ଜୀବନ । ନିତ୍ୟ ଜନ୍ମଲାଭ, ନିତ୍ୟ ଗତି, ନିତ୍ୟ ପରିଚୟ ଓ ନିତ୍ୟ-ସମର୍ପଣ । ଏହି ଯାବତୀୟ ଅନ୍ତରଙ୍ଗତାକୁ ଛାଡ଼ି ଭଗବାନ୍‍ ଆଉ ଅନ୍ୟକେଉଁଠି ଏକ ଆଣ୍ଠୁକୁଡ଼ା ମହାନତାର ଅଧିକାରୀ ହୋଇ ବସିଛନ୍ତି ବୋଲି ମୁଁ ଏବେ ମଧ୍ୟ ଜାଣି ପାରିଲିନାହିଁ । ଭଗବାନ୍‍ ମୋତେ ଅତ୍ୟନ୍ତ ସିଧା ହୋଇ ଦିଶିଲେ, ଅତ୍ୟନ୍ତ ସ୍ପଷ୍ଟ ହୋଇ ଏଇଠି ଏହି ଅନ୍ତରଙ୍ଗତା ଭିତରେହିଁ ଦେଖାଗଲେ । ତେଣୁ ମୁଁ କାନ୍ଥଗୁଡ଼ାକୁ ସ୍ଵୀକାର କରିନେଇ ପାରିଲିନାହିଁ, ଖାସ୍ ଆପଣାର ବୋଲି କହି କିଛିହେଲେ ଲୁଚାଇ ରଖି ପାରିଲି ନାହିଁ । ହାତର ମୁଠା ତଥାପି ମୁଠାଟି ପରି ବାନ୍ଧି ହୋଇ ରହି ପାରିଲାନାହିଁ । ଏହି ମୁହୂର୍ତ୍ତଗୁଡ଼ିକ ପାଖରେ, ଏହି ସମ୍ପର୍କଗୁଡ଼ିକ ଲାଗି କେଡ଼େ ସ୍ଵାଭାବିକ ଭାବରେ ଖୋଲି ହୋଇଗଲା । ମୁଁ ମୋଟେ କୃପଣ ହୋଇ ପାରିଲିନାହିଁ । କୃପଣମାନଙ୍କର ଅନ୍ଦାଜ ଅନୁସାରେ ମୁଁ କେତେପ୍ରକାରେ ହାରିଗଲି । ମାତ୍ର, ଅନ୍ତରଙ୍ଗତାର ସେହି ଅନ୍ୟ ହିସାବଟି ଅନୁସାରେ ମୋ’ ଜୀବନର ମୁହୂର୍ତ୍ତଗୁଡ଼ିକ ପ୍ରକୃତରେ ନିତ୍ୟ ଆଲୋକିତ ହୋଇ ରହିଲା । ସେଥିଲାଗି ଆଜିର ଏହି ଜନ୍ମଦିନଟି ପ୍ରଧାନତଃ ଆଲୋକରହିଁ ଏକ ଅନୁଭୂତି ହୋଇ ମୋତେ ସ୍ପର୍ଶ କରି ରହିଛି । ସେହି ସ୍ପର୍ଶର ଅନ୍ତ ନାହିଁ । ଅସଲ ଜୀବନର ଲୋଭ ବୋଲି ଯାହାକୁ କହନ୍ତି, ଭିତରେ କେବଳ ସେହି ଲୋଭଗୁଡ଼ାକହିଁ ପୂର୍ଣ୍ଣ ହୋଇ ରହିଛି । ସେହି ଲୋଭଟି ସକାଶେ ଏଠି ସବୁ ଭଲ ଲାଗୁଛି । ଏହି ଯାବତୀୟ ସ୍ପର୍ଶ ମୋତେ ତୀର୍ଥବିଚରଣର ସ୍ପର୍ଶ ଆଣି ଦେଉଛି । ଯେଉଁଠି ମୁଁ ତାଙ୍କରି ପାଦଗୁଡ଼ିକର ବିମୋଚନକାରୀ ସ୍ପର୍ଶକୁ ଅନୁଭବ କରି ପାରୁଛି ତାହାହିଁ ତୀର୍ଥର ସ୍ପର୍ଶ । ଏହି ସ୍ପର୍ଶ ନିରନ୍ତର ରହିଥାଉ, ଜନ୍ମମୁହୂର୍ତ୍ତର ଅନୁଭବଟି ମଧ୍ୟ ନିରନ୍ତର ରହିଥାଉ । ଜନ୍ମଦିନଗୁଡ଼ିକ ନିତ୍ୟଜନ୍ମର ନିତ୍ୟସ୍ପର୍ଶରେ ପରିଣତ ହେଉ ।

 

୫ । ୧୧ । ୯୧

 

ଉତ୍ସାହ ମନୁଷ୍ୟକୁ ବେଶ୍ କେତେ ବାଟ ନେଇଯାଏ । ମାତ୍ର, ଯଥେଷ୍ଟ ଯାଇ ପାରିବାଲାଗି ଉତ୍ସାହ କଦାପି ଯଥେଷ୍ଟ ହୁଏନାହିଁ । ସମ୍ଭବତଃ ସେହି କାରଣରୁ, ପ୍ରଧାନତଃ ଉତ୍ସାହ ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନେ ପରିଶେଷରେ କ୍ରୂର ହୁଅନ୍ତି, ଏକାନ୍ତବାଦୀ ହୁଅନ୍ତି, ସମ୍ପ୍ରଦାୟ ଭିତରେ ବୁଡ଼ିଯାଆନ୍ତି ଏବଂ ଆଦର୍ଶଗୁଡ଼ିକୁ ପ୍ରାୟ ଏକ ଧର୍ମାନ୍ଧତାରେ ପରିଣତ କରି ପକାନ୍ତି ।

 

ଯେତେ ନିଷ୍ଠାପର ଉତ୍ସାହରେ ବ୍ୟକ୍ତିଟିଏ କୌଣସି ଏକ ନିର୍ଦ୍ଦିଷ୍ଟ ପଥକୁ ଗ୍ରହଣ କରିଥିଲେ ମଧ୍ୟ ଆଗକୁ ଯାଇ ସିଏ ସଚରାଚର ଧୈର୍ଯ୍ୟ ହରାଇ ପକାଏ । ସତେଅବା ଫୁଟୁକି ମାରିଦେବାମାତ୍ରକେ ତାହାରି ଫରମାସ ଅନୁସାରେ ପୃଥିବୀ ବଦଳିଯାଉ ବୋଲି ସେ ଅଜଟ କରିବସେ ଏବଂ ପୃଥିବୀଲାଗି ଏକ ସମସ୍ୟାରେ ପରିଣତ ହୁଏ । କ୍ରମେ ସିଏ ନିଜେହିଁ ଅନ୍ୟମାନଙ୍କ ଉପରେ ଆପଣାକୁ ଅତ୍ୟନ୍ତ ଅତିରିକ୍ତ ପରିମାଣରେ ଲଦିଦେବାକୁ ଇଚ୍ଛା କରେ । ହଁ, ସଙ୍ଗଠନଟିଏ ଗଢ଼ିଥିଲେ ସେ ନିଜେ, ସଙ୍ଗଠନଟିରେ ସବାଉପରେ ଯାଇ ବସେ, ବଂଶରେ ପିତା ବୋଲାଏ ଏବଂ ସମ୍ପୃକ୍ତ ସମସ୍ତଙ୍କ ଉପରେ ଅଧିଶାସନ କରେ । ଭିତରେ ଯେଉଁଠାରେ ଅସଲ ପରିବର୍ତ୍ତନଗୁଡ଼ିକ ଘଟିଲେ ଜଣେ ମନୁଷ୍ୟ କୌଣସି ବୃହତ୍ତର ସମ୍ପଦ ଲାଗି ଜୀବନ ବଞ୍ଚିବାକୁ ମନ କରେ, ଅନ୍ୟମାନଙ୍କର ସାଥିରେ ରହି ସେମାନଙ୍କର ହାତ ଧରି ସେଯାଏଁ ଯିବାଲାଗି ଆଉ ତା’ର ଧୈର୍ଯ୍ୟ ରହେନାହିଁ । ଏବଂ ତା’ପରେ ସବୁକିଛି ବିଗିଡ଼ି ବିଗିଡ଼ି ଯାଏଁ । ନୂଆଗୁଡ଼ିକରେ ନାନା ପୁରୁଣା ଖୋଳପା ଆସି ଲାଗିଯାଏ ଏବଂ ସବୁକିଛି ମଳିନ ହୋଇଆସେ । ପୃଥିବୀରେ ଅନେକ ଆଦର୍ଶବାଦୀଙ୍କର କ୍ଷେତ୍ରରେ ଏହିପରିହିଁ ଘଟିଛି । ଆଦର୍ଶ ନାମରେ ଭିତରେ ଥିବା ଅହଂଟି ଅନେକ ସମୟରେ ସତେଅବା ଅନୁକୂଳ ପାଣି ପାଇ ଉତ୍‌ଫୁଲ୍ଲ ହୋଇ ଉଠିଛି ଓ ତା’ପରେ ସତେଅବା ବଣା ହେଲାପରି ସମସ୍ତଙ୍କୁ ଦଉଡ଼ିରେ ବାନ୍ଧି ଆଗକୁ ଦଉଡ଼ାଇ ନେବାର ଅପକୀର୍ତ୍ତି କରିବାକୁ ଯାଇଛି । ସିଏ ନିଜେ ଯେଉଁ ପୁରୁଣାଟିକୁ ବଦଳାଇବାକୁ ବାହାରିଥିଲା, ଆପେ ସେହି ପୁରୁଣା ଭିତରେ ଯାଇ ପଶିଯାଇଛି । ତଦ୍ଦ୍ଵାରା ପ୍ରବର୍ତ୍ତିତ ହୋଇଥିବା ନୂଆ ଭେକ ଓ ନୂଆ ସନ୍ତକଗୁଡ଼ାକ ମଧ୍ୟ ତାକୁ ପ୍ରବର୍ତ୍ତାଇ ରଖିବାରେ ଆଦୌ ସମର୍ଥ ହୋଇନାହାନ୍ତି । ଅପକାଳ ବିଜୟ ଘୋଷଣା କରିଛି ।

 

୬ । ୧୧ । ୯୧

 

ଏହି ପୃଥିବୀରେ ଯେତେବେଳେ ନିଜର ବୋଲି ନଲାଗେ, ସେତେବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଯାବତୀୟ ପ୍ରମାଦ ଓ ଦ୍ଵନ୍ଦ୍ୱ ଆସି ପହଞ୍ଚିବାକୁ ଆରମ୍ଭ କରେ । ଦ୍ଵନ୍ଦ୍ୱ ଏବଂ ପ୍ରମାଦରୁ ରକ୍ଷା ପାଇବାଲାଗି ଜଣେ ଜଣେ କିପରି ସଂସାର ଭିତରୁ ପଳାଇ ଯିବାପାଇଁ ପରାମର୍ଶ ଦେଇଥାନ୍ତି, ମୁଁ ସେ କଥା ଆଜି ପର୍ଯ୍ୟନ୍ତ ମଧ୍ୟ ବୁଝି ପାରିଲି ନାହିଁ । ପଳାଇ ଯିବାଦ୍ଵାରା କ’ଣ କୌଣସି ପରିତ୍ରାଣ ପ୍ରକୃତରେ ସମ୍ଭବ ହୁଏ ?

 

ଖାଲି ନିଜର ଦେଶ ନା ନିଜର ପ୍ରଦେଶ ନୁହେଁ, ଏହି ସମଗ୍ର ପୃଥିବୀରେହିଁ ଏପରି ଅନେକ ଘଟନା ଘଟୁଛି, ଯାହାକୁ ଦେଖି ଜଣେ ମଣିଷ ପ୍ରକୃତରେ ଏଠି ନିଜ ଘରେ ରହିଛି ବୋଲି ଆଦୌ ଲାଗୁନାହିଁ । ଯାହାକୁ ଘର ଘର ବୋଲି ଲାଗେ, ସିଏ ପୁଣି ନିଜର ନାନା ଦୁର୍ବୁଦ୍ଧିକୁ ଖଟାଇ ଏହି ଘରକୁ ଭାଙ୍ଗିଦେବାର ଫିସାଦ କାହିଁକି ଏବଂ କିପରି କରିବାକୁ ମନ କରେ ? ଯାହାକୁ ନିଜ ଘରଟି ସତକୁସତ ଭଲ ଲାଗେ, ସିଏ ସେହି ଘରେ ଅନ୍ୟମାନଙ୍କୁ ମଧ୍ୟ ଥାନ ଦେବାକୁ ଲୋଡ଼େ ଏହିଭଳି ଲୋଡ଼ିବାଦ୍ଵାରା ସିଏ ସତକୁସତ ଖୁବ୍ ଆନନ୍ଦ ଲାଭ କରେ । ବୋମା ଓ ବନ୍ଧୁକଗୁଡ଼ାକ ଏହି ପୃଥିବୀରେ ପ୍ରବଳରୁ ପ୍ରବଳତର ହେବାକୁ ଲାଗିବା ପରଠାରୁ ସମସ୍ତେ ସତେଅବା ଏହି ପୃଥିବୀରେ କେବଳ ଆପେ ରହିବେ ବୋଲି ଆଣ୍ଟ କରି ବାହାରିଛନ୍ତି । ଅର୍ଥାତ୍, ପୃଥିବୀରେ ଯେପରି ଆଦୌ କେହିହେଲେ ନରହିବେ, ସେମାନେ ସତେଅବା ତାହାରି ଫିକର କରି ବାହାରିଛନ୍ତି-। ଚାରିଆଡ଼କୁ ଅନାଇଲେ ପୃଥିବୀରେ ଏପରି କୌଣସି ନେତୃତ୍ଵ ଦେଖା ଯାଉନାହିଁ, ଯିଏକି ବନ୍ଧୁକଗୁଡ଼ାକ ଅପେକ୍ଷା ମଣିଷକୁ ଅଧିକ ଭଲ ପାଉଛି, ଯିଏକି ଆପଣାର ବିକଟ ନାନାବିଧ ଅଜଟକୁ ଛାଡ଼ିଦେଇ ଆଗ ସମସ୍ତଙ୍କର କଥାକୁ ଶୁଣିବାକୁ ଇଚ୍ଛା କରୁଛି । ଭଗବାନ୍‍ଙ୍କୁ ଅସ୍ଵୀକାର କରିବାକୁହିଁ ଦିନେ ଶାସ୍ତ୍ରରେ ଓ ଲୋକସଂସ୍କାରରେ ନାସ୍ତିକତା ବୋଲି କୁହାଯାଉଥିଲା । ଯେତେବେଳେ ମଣିଷ ତା’ରି ପରି ଅନ୍ୟ ମଣିଷଙ୍କୁ ଅସ୍ଵୀକାର କରି ବାହାରେ ଏବଂ ତାହାକୁହିଁ ଫଳପ୍ରଦ ରାଜନୀତି ବୋଲି କହେ, ସେହି ନାସ୍ତିକତାଠାରୁ ବଳି ଆଉ ଅଧିକ ଭୟାବହ ନାସ୍ତିକତା ଆଉ କ’ଣ ରହିଛି ? ମୁଁ ତ ବ୍ୟାକୁଳ ହୋଇ ସେହି ମଣିଷମାନଙ୍କୁ ଖୋଜୁଛି, ଯେଉଁମାନେ କି ନିଜର ସଂସ୍କାରଗତ ଅନ୍ଧ ଗାରଗୁଡ଼ିକୁ ଡେଇଁ ବାହାରକୁ ଅବଲୋକନ କରି ପାରୁଥିବେ, ଯେଉଁମାନେ ନିଜର ବହୁବିଧ ଏବଂ ଅଭ୍ୟସ୍ତ ଅହଂବାଦିତାଗୁଡ଼ିକୁ ଡେଇଁ ଅଧିକ ଗଭୀରକୁ ଯାଇ ଆପଣାର ଆତ୍ମାନାମକ ଧନଟିକୁ ଅନୁଭବ କରି ପାରୁଥିବେ ଏବଂ ମର୍ମତଃ ଏହି ସବୁଟି ସହିତ ଗୋଟିଏ ଡୋରରେ ବନ୍ଧାହୋଇ ରହିଥିବାର ମଧ୍ୟ ଅନୁଭବ କରୁଥିବେ । ହୁଏତ ସେହିଭଳି ବନ୍ଧୁମାନେ ଏକାଠି ହେଲେ ଆଗକୁ ତଥାପି ବାଟମାନ ବାହାର କରିପାରିବେ ।

 

୭ । ୧୧ । ୯୧

 

ରାମବାଲା ଯଦି ଆଲ୍ଲାଙ୍କୁ ଚିହ୍ନି ନପାରିଲେ, ତେବେ ସେମାନଙ୍କର ରାମଙ୍କୁ ଚିହ୍ନିବା ମଧ୍ୟ ବୃଥା ହୋଇଗଲା । ଏବଂ, ଆଲ୍ଲାବାଲାମାନେ ଯଦି ରାମଙ୍କୁ ନଚିହ୍ନିଲେ, ତେବେ ସେମାନେ ଆଲ୍ଲାଙ୍କୁ ମଧ୍ୟ ଚିହ୍ନିଛନ୍ତି ବୋଲି ଆଉ କିପରି କୁହାଯାଇପାରିବ ? ମାତ୍ର, ରାମଙ୍କୁ ଚିହ୍ନିଲେ ଯେ ଅବଶ୍ୟମ୍ଭାବୀ ଭାବରେ ଆଲ୍ଲାଙ୍କୁ ଚିହ୍ନି ହେବ ଏବଂ ଆଲ୍ଲାଙ୍କୁ ଚିହ୍ନିଲେ ଯେ ଅବଶ୍ୟମ୍ଭାବୀ ଭାବରେ ରାମଙ୍କୁ ମଧ୍ୟ ଚିହ୍ନି ହେବ, ସେଥିରେ ଆଦୌ କୌଣସି ନିଶ୍ଚୟତା ନାହିଁ । ରାମବାଲାଏ ଯଦି ରାମଙ୍କର ଆହୁରି ସେପାଖକୁ ଦେଖି ପାରୁଥିବେ, ତେବେ ଯାଇ ସେମାନେ ଆଲ୍ଲାଙ୍କୁ ଚିହ୍ନିବେ, ଯିଶୁଙ୍କୁ ଚିହ୍ନିବେ ଅଥବା ଆଉ ସମସ୍ତଙ୍କୁ ମଧ୍ୟ ଚିହ୍ନିବେ । ଠିକ୍ ସେହିପରି ଯଦି ଆଲ୍ଲାବାଲାମାନେ ଆଲ୍ଲାଙ୍କର ଆହୁରି ସେପାଖକୁ ଦେଖି ପାରୁଥିବେ, ତେବେଯାଇ ସେମାନେ ରାମ, କୃଷ୍ଣ, ଯିଶୁ ଏବଂ ଆଉ ସମସ୍ତଙ୍କୁ ଚିହ୍ନିବାକୁ ସମର୍ଥ ହେବେ । ନାମରେ ଛନ୍ଦି ହୋଇଗଲେ ମଣିଷର ନାମକୁ ଆଶ୍ରା କରିବା ପ୍ରାୟ ଏକ ଅନ୍ଧବିଶ୍ଵାସରେହିଁ ପରିଣତ ହୋଇଯାଏ । ନାମକୁ ଡେଇଁ ଯାଇ ପାରିବାଦ୍ଵାରାହିଁ ନାମକୁ ଭଜିବା ସାର୍ଥକ ହୁଏ ।

 

ଯେଉଁ ରାଜନୀତିବାଲାଏ ହୁଏତ ରାମ ବା ଆଲ୍ଲା ପ୍ରକୃତରେ କାହାକୁହେଲେ ଗ୍ରହଣ କରିନାହାନ୍ତି, ଗୋଟାଏ ଗୋଟାଏ ନିର୍ଦ୍ଦିଷ୍ଟ କୁଳରେ ଜନ୍ମ ହୋଇଛନ୍ତି ବୋଲି ସେମାନେ ଗୋଟାଏ ଗୋଟାଏ ନିର୍ଦ୍ଦିଷ୍ଟ ପିତୁଳାକୁ ନିଜର ପିତୁଳା ବୋଲି ମାନି ଆସିଛନ୍ତି ଏବଂ ସିଆଣିଆ ହୋଇଥିବାରୁ ଆମ ଏଯୁଗରେ ଆପଣାର ତଥାକଥିତ ମୌଳବାଦିତାଗୁଡ଼ାକର ବାଣ ମାରି ମଣିଷମାନଙ୍କୁ ଅନ୍ଧ କରୁଛନ୍ତି, ଏହି ପ୍ରସଙ୍ଗରେ ସେମାନଙ୍କ ବିଷୟରେ ଆଦୌ କିଛି ନକହିବାହିଁ ଭଲ ହେବ । ବହୁ ମିଛ ଉତ୍ତେଜନାଦ୍ଵାରା କୁପିତ ହୋଇ ରହିଥିବା ଆମର ଏହି ଅର୍ଦ୍ଧସତ୍ୟଗୁଡ଼ାକର ଯୁଗରେ ସେମାନେ ସମ୍ଭବତଃ ବେଶ୍ କିଛିଦିନ ଲାଗି ଗୋଳିଆ ପାଣି ପାଇଯିବେ ଏବଂ ତାହାରି ଭିତରେ କେତେ ଫଡ଼ଫଡ଼ ହେବେ । ଦେଶରେ ଅନ୍ଧାରଗୁଡ଼ିକର ସୁଯୋଗ ନେଇ ସେମାନେ ହୁଏତ କିଛି ଭୋଟ୍ ମଧ୍ୟ ପାଇବେ । ମାତ୍ର, ଚେତନାର ବିବର୍ତ୍ତନରେ, ବିଶ୍ଵବାସ୍ତବତାର ବିବର୍ତ୍ତନରେ ସେମାନେ ଆଦୌ କୌଣସି ସାହାଯ୍ୟ କରି ପାରିବେନାହିଁ । ସେମାନେ ରହିଯିବେ । ଜୀବଇତିହାସର ବିଭିନ୍ନ ଯୁଗରେ ଯେପରି ମହା ମହା ଜୀବମାନେ ରହିଗଲେ, ଏମାନେ ମଧ୍ୟ ଠିକ୍ ସେହିପରି ରହିଯିବେ । ବିବର୍ତ୍ତନ ଆଗକୁ ଚାଲିଯିବ । ଚେତନାର ଅଗ୍ରଗତି କରିବାରେ ଏମାନେ ଅସମର୍ଥ ହୋଇ ପଛରେ ପଡ଼ି ରହିବେ । ଏମାନଙ୍କର ତଥାକଥିତ ରାଜନୀତି ଓ ତଥାକଥିତ ସଂସ୍କୃତି ମଧ୍ୟ ଅନାବଶ୍ୟକ ବୋଲି ପ୍ରମାଣିତ ହେବ ଏବଂ ପଛରେ ରହିଯିବ ।

 

୧୧ । ୧୧ । ୯୧

 

ହିନ୍ଦୁ କେତେ ପ୍ରକାର, ପୁଣି ମୁସଲମାନ କେତେପ୍ରକାର । ପୃଥିବୀର ଯେକୌଣସି ଧର୍ମ ବିଷୟରେ ମଧ୍ୟ ଆମେ ଠିକ୍ ସେହି କଥା କହିପାରିବା । ଯିଏ ମନୁସଂହିତା ନାମକ ଏକ ପୁସ୍ତକକୁ ମାନୁଛି, ଏବଂ ଯିଏ ଈଶୋପନିଷଦକୁ ନିଜ ଜୀବନର ପ୍ରଥମତମ ପ୍ରେରଣାସ୍ତ୍ର ବୋଲି ଗ୍ରହଣ କରିଛି, ବାହାରକୁ ଦେଖିବା ଲାଗି ଉଭୟେ ହିନ୍ଦୁ ହୋଇଥିଲେ ମଧ୍ୟ ଧର୍ମୋପଲବ୍‌ଧିର ମାପକ ଅନୁସାରେ ଆମେ କ’ଣ ଦୁହିଁଙ୍କୁ ଗୋଟିଏ ପରିଧି ମଧ୍ୟରେ ଅନ୍ତର୍ଭୁକ୍ତ କରି ରଖି ପାରିବା ? ସେହିପରି ମସ୍‌ଜିଦକୁ ପ୍ରାର୍ଥନା କରି ଯାଉଥିବା ସମସ୍ତଙ୍କୁ କ’ଣ ଗୋଟାଏ ଭେଳାରେ ବସାଇ ଦେଇ ଆଖି ବୁଜି ଖାଲି ମୁସଲମାନ ବୋଲି କୁହାଯାଇପାରିବ ? ଖାଲି ଖୋଳଟା ଦୃଷ୍ଟିରୁ ଦେଖିଲେ ହଁ, ମାତ୍ର ଖୋଳଗୁଡ଼ାକୁ ଭେଦି ଭିତରେ ପ୍ରବେଶ କଲେ ଆମେ ସେପରି କରିବା ପୂର୍ବରୁ ହୁଏତ ଆହୁରି କେତେ କ’ଣ ଭାବିବାକୁ ଆରମ୍ଭ କରିବା ଏବଂ ଉପରର ମାର୍କାଟା ସତ୍ତ୍ୱେ ମଣିଷମାନଙ୍କ ଅଲଗା ଅଲଗା କରି ଚିହ୍ନିବାକୁ ଆରମ୍ଭ କରିବା । ରାଜନୀତିର ଯେଉଁ ଚତୁରମାନେ ଧର୍ମକୁ ନେଇ ବେପାର କରୁଛନ୍ତି, ସେମାନେ ସମସ୍ତେ ତୁଚ୍ଛା ଖୋଳଗୁଡ଼ାକୁ ନେଇ ମୃଦଙ୍ଗ ବାଡ଼ଉଛନ୍ତି ।

 

ପ୍ରତ୍ୟେକ ଧର୍ମ ଭିତରେ ଉପଲବ୍‌ଧିର ଭିନ୍ନ ଭିନ୍ନ ଭୂମି ରହିଛି । ପ୍ରତ୍ୟେକ ଧର୍ମରେ ଖୋଳଗୁଡ଼ିକୁ ମାନୁଥିବା ଲୋକମାନେ ଅଛନ୍ତି, ଖୋଳଗୁଡ଼ିକୁ ଭାଙ୍ଗିଦେବାକୁ ଅସଲ ଧର୍ମ ବୋଲି ବିଚାର କରୁଥିବା ଅନ୍ୟମାନେ ମଧ୍ୟ ରହିଛନ୍ତି । ପ୍ରତ୍ୟେକ ଧର୍ମରେ ପୌତ୍ତଳିକ ଅଛନ୍ତି ଏବଂ ପିତୁଳାଗୁଡ଼ିକୁ ଭେଦି ଆହୁରି ସେପାଖକୁ ଯିବା ନିମନ୍ତେ ଆଗ୍ରହ ରଖିଥିବା ଅନ୍ୟମାନେ ମଧ୍ୟ ରହିଛନ୍ତି । ହିନ୍ଦୁ, ମୁସଲମାନ କିମ୍ବା ଖ୍ରୀଷ୍ଟିଆନ୍ ଧର୍ମର ପରିଧି ଭିତରେ ସମ୍ଭବତଃ ଏପରି ଅନେକ ମଣିଷ ରହିଛନ୍ତି, ଯେଉଁମାନଙ୍କୁ କେବଳ ହିନ୍ଦୁ, ମୁସଲମାନ କିମ୍ବା ଖ୍ରୀଷ୍ଟିଆନ୍ ବୋଲି କହିଲେ ସେମାନେ ଅତ୍ୟନ୍ତ କ୍ଷୁବ୍‌ଧବି ହେବେ । ଉପାସନାର ମଧ୍ୟଦେଇ ଯିଏ ଭଗବାନ୍‍ଙ୍କର ସ୍ପର୍ଶ ଲାଭ କରିଛି, ସିଏ ଏହି ଖୋଳଗୁଡ଼ିକୁ ସମ୍ଭବତଃ ଏକ ପ୍ରମାଦ ବୋଲି ଦେଖିଛି । ଖୋଳଗୁଡ଼ିକର ତଳୁ ସିଏ ସର୍ବଦା ଅସଲ ଅନୁରାଗୀ ଓ ଅନ୍ଵେଷଣକାରୀ ମଣିଷଟିକୁହିଁ ଚିହ୍ନିବାପାଇଁ ଚେଷ୍ଟା କରିଛି । ନିଜର ଖୋଳଗୁଡ଼ିକ ତଳୁ ନିଜକୁ ମଧ୍ୟ ଆବିଷ୍କାର କରିବାପାଇଁ ଆଗ୍ରହୀ ହୋଇଛି, ଏବଂ, ଆବିଷ୍କାରର ସେହି ସମ୍ପଦଟିକୁ ସିଏ କେବଳ ହିନ୍ଦୁ, କେବଳ ମୁସଲମାନ ଅଥବା କେବଳ ଖ୍ରୀଷ୍ଟିଆନ୍ ବୋଲି ଘୋଷଣା କରିବାକୁ ସମ୍ଭବତଃ ମୋଟେ ମନ କରୁନାହିଁ । ଧର୍ମର ଖୋଳଗୁଡ଼ାକ ଆଉ କେତେଦିନ ଯାଏଁ ମଣିଷମାନଙ୍କର ବାଟ ଉଗାଳି ରଖିଥିବେ ?

 

୧୨ । ୧୧ । ୯୧

 

ବ୍ୟାକୁଳତାହିଁ ସବୁଠାରୁ ବଡ଼କଥା । ବାଟ ଚାଲିବାର ବ୍ୟାକୁଳତା, ସମ୍ବନ୍ଧ ଯୋଡ଼ି ରହିବାର ବ୍ୟାକୁଳତା । ସେହି ବ୍ୟାକୁଳତାଟି ରହିଥିଲେ ପୃଥିବୀ ଭଲ ଦେଖାଯିବ ନାହିଁ କି ମନ୍ଦ ଦେଖା ଯିବ ନାହିଁ, କେବଳ ପାହାଚ ପାହାଚ ହୋଇ ଦେଖାଯିବ । ପରିସ୍ଥିତି ଅନୁକୂଳ ଦେଖା ଯିବନାହିଁ କିମ୍ବା ପ୍ରତିକୂଳ ହୋଇ ମଧ୍ୟ ଦେଖା ଯିବନାହିଁ, କେବଳ ପାହାଚ ପାହାଚ ହୋଇ ଦେଖାଯିବ । ଏବଂ, ସେହି ପାହାଚଗୁଡ଼ିକ କେବଳ ଆହ୍ଵାନ ଦେବାରେ ଲାଗିଥିବେ, ଆପଣା ଭିତରେ ବସି ରହିଥିବା ଅନୁରାଗୀ ପଥିକଟିକୁ ଆକୃଷ୍ଟ କରୁଥିବେ । ତେଣୁ, ବାଟ ଚାଲିବାଲାଗି ରହିଥିବ ।

 

ମୁଁ ପୃଥିବୀକୁ ସମସ୍ୟାଗୁଡ଼ିକର ପ୍ରତିଫଳନରୂପେ ଦେଖି ପାରେନାହିଁ । ପୃଥିବୀକୁ ବହୁତ ସମସ୍ୟା ଘାରି ରଖିଥିଲେ ମଧ୍ୟ ମୁଁ ମୋଟେ ସେପରି ଦେଖି ପାରେନାହିଁ । ପୃଥିବୀ ଆଡ଼କୁ ଅନାଇଲେ ମୁଁ କେବଳ କେତୋଟି ପାହାଚ ଦେଖିବାକୁ ପାଏ । ଏହି ପାହାଚ ଏଠୁ ଆରମ୍ଭ ହୋଇ କେଉଁ ଯାଏଁ ଲାଗି ରହିଥାଏ କେଜାଣି ? ସେହିପରି ଏହି ବ୍ୟାକୁଳତାଗୁଡ଼ିକ ମଧ୍ୟ କେଉଁଠି ଆରମ୍ଭ ହୋଇ କେଉଁଠି ଶେଷ ହୋଇଥାନ୍ତି କେଜାଣି ? ବ୍ୟାକୁଳତାମାନଙ୍କର ଶେଷ ନାହିଁ, ମାତ୍ର ସ୍ତର ଅବଶ୍ୟ ରହିଛି । ଯାହାର ବ୍ୟାକୁଳତା ଯେଉଁ ସ୍ତରର ତା’ ଜୀବନର ଯାବତୀୟ ବିଚରଣ ଏବଂ ନିବେଦନ ମଧ୍ୟ ସେହି ସ୍ତରର ମାତ୍ର, ସେହି ମାପକାଠିରେ ପକାଇ ଆମେ କାହାକୁ ଉଚ୍ଚା କିମ୍ବା କାହାକୁ ନିମ୍ନ ବୋଲି କଦାପି କହି ପାରିବାନାହିଁ । କାରଣ ଆହ୍ଵାନଟି ତ ନିରନ୍ତର ରହିଛି । ଦ୍ଵାରୋନ୍ମୋଚନର ଆହ୍ଵାନ, ଅନୁରାଗଗୁଡ଼ିକୁ ଆହୁରି ଅଧିକ ବିସ୍ତୃତ କରି ପାରିବାର ଆହ୍ଵାନ, ନିଜର ପ୍ରାଚୀରଗୁଡ଼ିକୁ ଅଧିକରୁ ଅଧିକ ପ୍ରତ୍ୟୟର ସହିତ ଉଠାଇଦେଇ ପାରୁଥିବାର ଆହ୍ଵାନ । ଗୋଟିଏ ଭାଷାରେ କହିଲେ, ପାହାଚ ପରେ ପାହାଚ ଉଠିଯିବା ସକାଶେ ଆହ୍ଵାନ । ଆକାଶ ଯେମିତି ଅଛି ସେମିତି ରହିଥିବ । ମାତ୍ର ଆମର ବ୍ୟାକୁଳତା ଏବଂ ପାହାଚ ଉଠିବା ସଙ୍ଗେ ସଙ୍ଗେ ଆମଲାଗି ଏହି ଆକାଶର ଉଚ୍ଚତା ଏବଂ ଗଭୀରତା ନିରନ୍ତର ବଦଳି ବଦଳି ଯାଉଥିବ । ଏପରି ଏକ ବେଳ ଆସିବ, ଯେତେବେଳେ କି ଆକାଶଟା ମଧ୍ୟ ଘରଭଳି ଲାଗିବ, ତେଣୁ ଜୀବନଟା ମଧ୍ୟ ଗୋଟେ ଡେଣା ଭଳି ଲାଗିବାକୁ ଆରମ୍ଭ କରିବ । ସେତେବେଳେ ଏହି ତଥାକଥିତ ବାହାରେ ମଧ୍ୟ ଦିବାକାଶର ଦର୍ଶନ ଓ ସ୍ପର୍ଶନ ମିଳିଯିବ । ଠିକ୍ ସେହିପରି ରୀତିରେ ଆମର ପାହାଚ ଉଠି ଯାଉଥିବା ସଙ୍ଗେ ସଙ୍ଗେ ଆମଲାଗି ଏହି ଆଲୋକର ତାତ୍ପର୍ଯ୍ୟ ମଧ୍ୟ ବଦଳି ବଦଳି ଯାଉଥିବ । ମୂର୍ତ୍ତିପରେ ମୂର୍ତ୍ତିମାନେ ଭାଙ୍ଗିଯିବାରେ ଲାଗିଥିବେ । ଚେତନାର ଭାବସଂଜ୍ଞାଗୁଡ଼ିକ ମଧ୍ୟ ଅଧିକରୁ ଅଧିକ ପରିମାଣରେ ସ୍ଵଚ୍ଛ ଏବଂ ସ୍ପର୍ଶ ସମର୍ଥ ହୋଇପାରୁଥିବେ । ଜୀବନର ପରିତ୍ରାଣ ଏବଂ ବିମୋଚନ ଘଟି ଘଟି ଯାଉଥିବ ।

 

୧୩ । ୧୧ । ୯୧

 

ନିରାଶ ମଣିଷ କହୁଛି, ଅନ୍ୟମାନଙ୍କ ଉପରେ ଆଉ ଆସ୍ଥା ରଖି ହେବନାହିଁ । ତେଣୁ, ଏଣିକି ନିଜେ ଯେତିକି କରିବ ସେତିକି । ସେତିକି ବ୍ୟତୀତ ଆଉ କିଛି ଉପରେ ମୋଟେ ଭରସା ରଖି ହେବନାହିଁ । ପୃଥିବୀଟା କୁଆଡ଼େ କ’ଣ କିଭଳି ହୋଇଗଲା ବୋଲି ସେମାନେ କହୁଛନ୍ତି । ଯେଉଁମାନେ ଏପରି କହୁଛନ୍ତି, ସେମାନେ ଯେ ସମସ୍ତେ ସଜ୍ଜନ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଏମାନେ ସଜ୍ଜନ ସତ, ମାତ୍ର ସମ୍ଭବତଃ କିଞ୍ଚିତ୍ ପରିମାଣରେ ଭୀରୁ । ତେଣୁ, କିଛି ବ୍ୟତିକ୍ରମ ଘଟିଲେହିଁ ଏମାନେ ଏକୁଟିଆ ଯିବେ ଓ ଆଉ କାହାରି ଉପରେ ଭରସା ରଖି ପାରିବେ ନାହିଁ ବୋଲି କହୁଛନ୍ତି । ସେମାନଙ୍କର ରକ୍ତ ଭିତରେ ରହିଥିବା ପୁରୁଣା ଏକଶିଙ୍ଗିଆଟା ହୁଏତ ଏଭଳି ହେବାଲାଗି ସେମାନଙ୍କୁ ପ୍ରରୋଚନା ଦେଉଛି ।

 

Unknown

ସଜ୍ଜନମାନେ ଯୁଗେ ଯୁଗେ ଏହିପରି ଭାବରେ ଏକଶିଙ୍ଗିଆଙ୍କ ପରି ଆଚରଣ କରି ଆସିଛନ୍ତି । ସେମାନେ ନିଜ ପଥଟିଏ କିମ୍ବା ବିଚାରଟିଏ ବାଛି ନେଇଥାନ୍ତି ଏବଂ ତାହାକୁହିଁ ଏକମାତ୍ର ଠିକ୍ ପଥକୁ ବିଚାର ବୋଲି ମାନୁଥାନ୍ତି । ଏବଂ, ଦୁର୍ଭାଗ୍ୟବଶତଃ, ଯଦି ସଜ୍ଜନମାନେ କୌଣସି ଜଣକୁ ସେମାନଙ୍କର ଗୁରୁ ବୋଲି ଗ୍ରହଣ କରି ନେଇଥାନ୍ତି, ତେବେ ସେମାନେ ସେଥିରୁ ଆହୁରି ଅଧିକ ଅନମନୀୟ ଭାବରେ ପ୍ରଶ୍ରୟ ମଧ୍ୟ ପାଉଥାନ୍ତି । ଏଣୁ, ସେମାନଙ୍କୁ ଏକା ଏକା ଯିବାକୁହିଁ ହୁଏ । ସେମାନେ ପୃଥିବୀର ପରିବର୍ତ୍ତନ ପାଇଁ ଆକାଂକ୍ଷା ରଖିଥାନ୍ତି ସତ, ତଥାପି ପୃଥିବୀରେ ଅନ୍ୟମାନଙ୍କୁ ସାଙ୍ଗ କରିନେଇ ପାରନ୍ତିନାହିଁ । ଅନ୍ୟର ଅନ୍ତ୍ର ଭିତରେ ସେମାନେ ହୁଏତ ତଥାପି କିଞ୍ଚିତ୍ ମାୟାବାଦୀ ଆଚ୍ଛନ୍ନତାର ଶିକାର ହୋଇ ରହିଥାନ୍ତି ବୋଲି ଏପରି ହୁଏ । ମାୟାବାଦୀ ଚିରଦିନ ଏହିପରି ଏକ ଦୁର୍ଦ୍ଦଶା ଭିତରେ ପଡ଼ିଥାଏ । ଆପଣାର ସତେଅବା କୌଣସି ଅନ୍ତର୍ଗତ ଅସମର୍ଥତାର ତାଡ଼ନାରେ ସେମାନେ କେବଳ ନିଜକୁହିଁ ଏକମାତ୍ର ବ୍ରହ୍ମସ୍ଥଳୀ ବୋଲି ମାନୁଥାନ୍ତି ଏବଂ ଆଉ ସବୁକିଛିକୁ ମାୟା ବୋଲି ବିଚାର କରୁଥାନ୍ତି । ସେମାନେ କଦାପି କାହାକୁ ନିଜ ସାଙ୍ଗରେ ନେଇ ପାରନ୍ତିନାହିଁ । ଅର୍ଥାତ୍, ନିଜେ ଆଦୌ କାହାରି ସାଙ୍ଗ ହୋଇ ପାରନ୍ତିନାହିଁ । ଅଥଚ, ପୃଥିବୀର ପରିବର୍ତ୍ତନ ଅବଶ୍ୟ ହେବ ବୋଲି କହିବାରେ ଲାଗିଥାନ୍ତି । ସଜ୍ଜନମାନଙ୍କ ଦ୍ଵାରା ପୃଥିବୀର ପରିବର୍ତ୍ତନ କଦାପି ହେବନାହିଁ । ପ୍ରାୟ ସବୁବେଳେ ସେମାନେ ସ୍ଥିତାବସ୍ଥାଗୁଡ଼ିକୁ ମାନିନେବାର ପକ୍ଷରେହିଁ ପରୋକ୍ଷ ପ୍ରତିନିଧିତ୍ଵ କରି ଆସିଛନ୍ତି । ତଥାକଥିତ ଦୁର୍ଜନ ଭିତରେ ମଧ୍ୟ ଭଗବାନ୍‍ ଅଛନ୍ତି ଓ ତେଣୁ ଏକ ସଙ୍ଗତ ବିବେକ ରହିଛି ବୋଲି ବିଶ୍ଵାସ କରିବାକୁ ସେମାନେ ରାଜି ହୁଅନ୍ତି ନାହିଁ । ସେମାନେ ଭଗବାନ୍‍ଙ୍କୁ କେବଳ ନିଜ ଭିତରେ ଦେଖୁଥାନ୍ତି । ଅନ୍ୟମାନଙ୍କର ଭିତରକୁ ସେଥିଲାଗି ମୋଟେ ବାଟ ପାଆନ୍ତି ନାହିଁ । ନିଜର କୃପଣ ଗମ୍ଭୀରଟି ଭିତରେ ପଡ଼ି ରହିଥାନ୍ତି ।

 

୧୪ । ୧୧ । ୯୧

 

ଗତ ଅନେକ ବର୍ଷ ହେଲା ଭାରତବର୍ଷରେ ଯେଉଁ ଶିଶୁଦିବସ ପାଳିତ ହୋଇ ଆସୁଛି, ସେଥିରେ ଭାରତବର୍ଷର ପ୍ରାୟ ଅଧେ ଶିଶୁ କୌଣସି ଭାଗ ନେଉନାହାନ୍ତି । ଯେଉଁ ପିଲାମାନେ କୌଣସି ବିଦ୍ୟାଳୟକୁ ଯାଉଛନ୍ତି, କେବଳ ସେଇମାନେହିଁ ଏହି ଉତ୍ସବରେ ଆଦୌ କୌଣସି ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରୁଛନ୍ତି । ଆମ ପୃଥିବୀ ସ୍ତରର ଏକ ମହାସଭାର ମଣ୍ଡନ ମଧ୍ୟରେ ଏକଦା ଶିଶୁ ଅଧିକାରଗୁଡ଼ିକର ଯେଉଁ ସନନ୍ଦଟିର ଘୋଷଣା ହୋଇଥିଲା, ତାହା କ’ଣ କେବଳ କେତେକ ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା ? ଏବେ ପୃଥିବୀରେ ଯାହାକିଛି ହେଉଛି, ସବୁ ତ ସରକାରମାନଙ୍କ ଦ୍ଵାରା ହେଉଛି । ତେଣୁ, ପିଲାମାନଙ୍କ ପାଇଁ ପୃଥିବୀର ସରକାରମାନେ ଯେ ଯଥେଷ୍ଟ ହେଲାଭଳି କିଛି କରିନାହାନ୍ତି, ଏଥିରୁ ତାହାରି ଏକ ପ୍ରମାଣ ମିଳି ଯାଉନାହିଁ କି ?

 

ଶିଶୁର, ପ୍ରତ୍ୟେକ ଶିଶୁର ଯେ କେତୋଟି ମୌଳିକ ଅଧିକାର ରହିଛି, ସେହିଗୁଡ଼ିକ ବିଷୟରେ ଅନ୍ତତଃ କୌଣସି ଦେଶର ବାପାମାଆମାନଙ୍କୁ ସବାଆଗ ଅବଗତ କରାଇବା କଥା । ମାତ୍ର, ଯେପର୍ଯ୍ୟନ୍ତ ମଣିଷର ସମୂହଗୁଡ଼ିକୁ ପ୍ରାୟ କାବୁ କରି ରଖିଥିବା system ଗୁଡ଼ିକ ବଦଳି ନପାରିଛି, ସେପର୍ଯ୍ୟନ୍ତ ବାପାମାଆମାନେ ପିଲାଙ୍କର ଅଧିକାର ବିଷୟରେ ସଜ୍ଞାନ ବା ସଚେତନ ହେଲେ ମଧ୍ୟ ପ୍ରକୃତରେ କେତେ କ’ଣ କରିପାରିବେ ? Systemକୁ ବଦଳାଇବା ବ୍ୟତୀତ ସେମାନଙ୍କ ସମ୍ମୁଖରେ ଆଉ ଅନ୍ୟ ଯଥାର୍ଥ କାର୍ଯ୍ୟକ୍ରମ କ’ଣ ବା ରହିବ ? ବିଶେଷ କରି ଶିଶୁମାନଙ୍କର କଥା ଭାବିବାପାଇଁ ପୃଥିବୀ ସ୍ତରରେ ଯେଉଁ ସଙ୍ଗଠନ ରହିଛି, ଏହି systemକୁ ବଦଳାଇବା ସକାଶେ ତା’ ପାଖରେ ଆଦୌ କୌଣସି mandate ନାହିଁ । ଏହିପରି ଭାବରେ ସାରା ପୃଥିବୀଟା ଯେପରି ବହୁ ଅସମର୍ଥତା ମଧ୍ୟରେ ଗୁରାଇତୁରାଇ ହୋଇ ରହିଯାଇଛି । କେବଳ ସରକାରମାନେ ମନ କଲେ ଅଥବା କେବଳ ରାଜନୀତିକ ସୀମାଗୁଡ଼ିକ ଭିତରେ ରହି ତୁଙ୍ଗ ବିଚାରମାନ କଲେ ପୃଥିବୀରୁ ପିଲାମାନଙ୍କର ସମସ୍ୟାଗୁଡ଼ିକ ଦୂର କରାଯାଇପାରିବ ନାହିଁ । ତଳୁ ମଧ୍ୟ କିଞ୍ଚିତ୍ ସକ୍ରିୟତା ଆରମ୍ଭ ହେବା ଆବଶ୍ୟକ । ପୃଥିବୀରେ ଅଧିକରୁ ଅଧିକ ସଚେତନ ମଣିଷ ପିଲା କହିଲେ ସବୁଯାକ ପିଲାଙ୍କୁ ବୁଝିବା ଉଚିତ । ପୃଥିବୀର ମଙ୍ଗଳ ନିମନ୍ତେ ଯାବତୀୟ କାର୍ଯ୍ୟପନ୍ଥା ଏବେ ଯେପରି ପ୍ରଧାନତଃ ଉପରୁହିଁ ଗ୍ରହଣ କରାଯାଉଛି । ସତେଅବା ଅନୁଗ୍ରହ ଦେଖାଇଲା ଭଳି ସବୁକିଛି ହେଉଛି, ସେଥିରେ ମଧ୍ୟ ପରିବର୍ତ୍ତନ ହେବା ଉଚିତ । ପୁରୁଣା systemଟା ରହିଛି ବୋଲି ଯେଉଁମାନେ ଉପରେ ଅଛନ୍ତି, ସଫଳତାର ରାଜସମ୍ମାନୋଚିତ ପାବଚ୍ଛମାନଙ୍କରେ ଯାଇ ବସିଛନ୍ତି, ସେମାନେ ସେଠାରେ ଥିବେ, ଖିଆଲ ଅନୁସାରେ ଅନୁଗ୍ରହ କରୁଥିବେ, ଏହାଦ୍ଵାରା ଖାଲି ଶିଶୁମାନଙ୍କର ସମସ୍ୟା କାହିଁକି, ପୃଥିବୀର ଆହୁରି ବହୁ ସମସ୍ୟା ଅସମାହିତ ହୋଇ ରହିଥିବ ଏବଂ କେବଳ ଦିବସଗୁଡ଼ିକୁ ପାଳନ କରାଯାଉଥିବ ।

 

୧୫ । ୧୧ । ୯୧

 

ମୁଁ ଯଦି ଘୃଣା କରିବାକୁ ମନ କରିବି, ତେବେ ମୋତେ ସେଥିଲାଗି ଉତ୍ସାହ ଓ ବଳ ଯୋଗାଇ ଦେବାଲାଗି ପୃଥିବୀରେ, ଏପରିକି ମୋ’ର ହାତପାଆନ୍ତାରେ ପ୍ରାୟ ନିତି ଘଟୁଥିବା ଅଠରଟା ଘଟନା ନଜିରରୂପେ ଆସି ମୋ’ ଆଗରେ ଛିଡ଼ା ହୋଇଯିବ । ଘୃଣା ସପକ୍ଷରେ ଅଠର ହଜାର ସଫଳତାର କାହାଣୀ ରହିଥିଲେ ମଧ୍ୟ ଯଦି ମୁଁ ତଥାପି ଘୃଣା ନକରିବାର ନିଷ୍ପତ୍ତି ନେବି, ହୁଏତ ତେବେଯାଇ ଭଲ ପାଇବାର ଏକ ସୁସ୍ଥ ମନୁଷ୍ୟ ପୃଥିବୀର ପକ୍ଷଭୁକ୍ତ ହୋଇ ରହିପାରିବ । ଘୃଣା କରି, ମନ୍ଦିର ଭାଙ୍ଗି, ଯାବତୀୟ ରାଜନୀତିକୁ ଆପେ କ୍ଷମତାସୀନ ହୋଇ ରହିବାର ଏକ କୌଶଳରୂପେ ବ୍ୟବହାର କରି ସେହିଗୁଡ଼ାକ ଯେ ଏଯୁଗରେ ସିଦ୍ଧିଲାଭର ଶୀଘ୍ରତମ ଉପାୟ, ମୋ’ର ଆଖିରେ ଆଙ୍ଗୁଠି ଗେଞ୍ଜିଦେଲା ପରି ମୋତେ କେତେ ତୋଡ଼ରେ କେତେ କେତେ ଶିବିରରୁ ଉଗ୍ର ପ୍ରୋତ୍ସାହନ ମିଳିବାରେ ଲାଗିଛି । ଏଥିରେ ଖାଲି ହିନ୍ଦୁ ନାହାନ୍ତିବି ଖାଲି ମୁସଲମାନ ନାହାନ୍ତି, ଖାଲି ଗରିଲାମାନେ ନାହାନ୍ତି କି ଖାଲି ଶାସକମାନେ ନାହାନ୍ତି, ଖାଲି କମ୍ୟୁନିଷ୍ଟମାନେ ନାହାନ୍ତି କି ଖାଲି ଅଣକମ୍ୟୁନିଷ୍ଟମାନେ ନାହାନ୍ତି । ଘୃଣା କରିବାର ମଣିଷମାନେ ଯେ ସବୁ ଜଳବାୟୁରେ ସମ୍ଭବ ହୋଇ ପାରନ୍ତି, ଆମର ଏହି ସାମ୍ପ୍ରତିକ ପୃଥିବୀ ତାହାକୁ କେଡ଼େ ପ୍ରାଞ୍ଜଳ ଭାବରେ ପ୍ରମାଣ କରିସାରିଲାଣି । ପୃଥିବୀରେ ଅସୁସ୍ଥତା ବହୁତ; ସୁସ୍ଥତାର ବାକ୍ୟଗୁଡ଼ିକ ସତେଯେପରି ତୁଚ୍ଛା ବହିପାଠ ହୋଇ ରହିଛି ଏବଂ ଅସୁସ୍ଥ ମଣିଷମାନେ କେତେ କେତେ ଅଳଙ୍କାର ପିନ୍ଧି କେବଳ ସେହିମାନଙ୍କ ପଟରେ ସବୁକିଛି ସୁସ୍ଥତା ରହିଛି ବୋଲି ଦାବି କରିବାରେ ଲାଗିଛନ୍ତି । ସେମାନଙ୍କର ଦାବିକୁ ତୁମେ ସ୍ଵୀକାର ନକଲେ ସେମାନେ ତୁମକୁ ଗୋଟାସୁଦ୍ଧା ପ୍ରାଣରୁ ମାରିଦେବେ ବୋଲି ଧମକାଉଛନ୍ତି । ତଥାପି, ଯିଏ ଘୃଣାର ପଟେ ଯିବାକୁ ମୋଟେ ମନ କରିବନାହିଁ, ସେଇ ବିହନ ହେବ ।

 

ଏହା ହେଉଛି ଅତୁଲ ସାହସର କଥା । ଯେଉଁ ସାହସ ଆଦୌ କୌଣସି କୋଳାହଳ କରେନାହିଁ, ଅଥଚ ପାଷଣ୍ଡମାନଙ୍କ ଆଗରେ ତଥାପି ମସ୍ତକ ନତ କରେନାହିଁ, ଠିକ୍ ସେହିଭଳି ସାହସ । ଏହିଭଳି ସାହସ ରହିଥିବା ମନୁଷ୍ୟମାନେ ସବୁ ଧର୍ମରେ ଅଛନ୍ତି, ସବୁପ୍ରକାର ଦେଉଳ ଏବଂ ସବୁପ୍ରକାର ମତବାଦ ଭିତରେ ରହିଛନ୍ତି । ଭଗବାନ୍‍ ସେମାନଙ୍କୁ ଚିରଞ୍ଜୀବୀ କରି ରଖିଥାନ୍ତୁ । ସେମାନେ ଅଧିକରୁ ଅଧିକ ପରିମାଣରେ ପରସ୍ପରର ନିକଟବର୍ତ୍ତୀ ହୁଅନ୍ତୁ । ପରସ୍ପରକୁ ଚିହ୍ନନ୍ତୁ, ପରସ୍ପରକୁ ସାଙ୍ଗ ବୋଲି ଗ୍ରହଣ କରନ୍ତୁ । ତେବେଯାଇ ପୃଥିବୀର ଘୃଣା ଦୂର ହେବ ତେବେଯାଇ ଭୟ ଯିବ । ଏବଂ, ଭୟ ଚାଲିଗଲେ ଉଗ୍ରତା ମଧ୍ୟ ଯିବ । ଭୟ ଚାଲିଗଲେ ଭେକଗୁଡ଼ାକୁ ଭେଦ କରି ଆହୁରି ଭିତରକୁ ଦେଖି ପାରିବାଲାଗି ମଧ୍ୟ ଭରସା ହେବ । ଆମକୁ ତାହାହିଁ ଅନ୍ୟ ଏକ ପୃଥିବୀ ଆଡ଼କୁ ବାଟ କଢ଼ାଇ ନେଇଯିବ । ବର୍ତ୍ତମାନ କାଳ ସେହିପରି ଏକ ଅନ୍ୟ ଉଦ୍ୟମଲାଗି ଅପେକ୍ଷା କରି ରହିଛି । କାଳର ମନାସହିଁ ଫଳବାନ୍ ହେଉ ।

 

୧୬ । ୧୧ । ୯୧

 

ଯେଉଁମାନେ ନିଜେ ବଦଳିବାକୁ ଆଦୌ ସମ୍ମତ ହେଉନଥାନ୍ତି, ସଚରାଚର ସେହିମାନେହିଁ ବଡ଼ବଡ଼ ବୋଲି ମାରୁଥାନ୍ତି । ବଦଳିବାଟା ଯେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ ଏଥିଲାଗି ଯେ ସବାଆଗ ନିଜକୁ ପ୍ରସ୍ତୁତ ଓ ସମ୍ମତ ହେବାକୁ ପଡ଼େ, ଏହି ଅସଲ କଥାଟି ପାଖରୁ ନିଜକୁ ଭୁରୁଡ଼ାଇ ରଖିବାଲାଗି ସମ୍ଭବତଃ ସେମାନେ ବୋଲି ମାରୁଥାନ୍ତି ଓ ସମୟ ସାରୁଥାନ୍ତି । ଓଡ଼ିଆ ଜାତିର ନବଜାଗରଣ ବୋଲି ବୋଲି ମାରିଲେ ହୁଏନାହିଁ । ଜଗନ୍ନାଥ ଦାସଙ୍କର ଭାଗବତଦ୍ଵାରାହିଁ ଓଡ଼ିଆ ଜାତିର ନବଜାଗରଣ ସମ୍ଭବ ବୋଲି ଯେଉଁମାନେ ସଭାରେ କହନ୍ତି, ସେମାନେ ହୁଏତ ମଣିଷମାନଙ୍କୁ ଭାରି କୌଶଳରେ ଫାଙ୍କି ଦେବାକୁ ଇଚ୍ଛା କରୁଥାନ୍ତି ଅଥବା ଆପଣାର ନିତାନ୍ତ ନିର୍ବୋଧତାଟିକୁ ଜାହିର କରୁଥାନ୍ତି । କିମ୍ବା, ଓଡ଼ିଆ ଜାତିର ଜାଗରଣ–ପ୍ରକ୍ରିୟାରେ ସେମାନେ ଆପେ ହୁଏତ ବହୁବିଧ ପ୍ରକାରେ ବାଧକ ହୋଇ ରହିଥାନ୍ତି ଏବଂ ତେଣୁ ଅସଲ ଜାଗରଣର ବା ପରିବର୍ତ୍ତନର ପ୍ରକ୍ରିୟାଟିକୁ ଉଢ଼ୁଆଳ କରି ରଖିଥାନ୍ତି ।

 

ଜଗନ୍ନାଥ ଦାସଙ୍କର ଭାଗବତ ଗ୍ରନ୍ଥ ଓଡ଼ିଆରେ ସାଂସ୍କୃତିକ ଜୀବନରେ ଅନେକ ପ୍ରଭାବ ପକାଇଛି ଓ ଏବେ ମଧ୍ୟ ପକାଉଛି । ମାତ୍ର, ଭାଗବତଟୁଙ୍ଗିଗୁଡ଼ିକର ପୁନଃ ପ୍ରତିଷ୍ଠାଦ୍ଵାରା ଓଡ଼ିଆ ଜାତିର ଶୁଭ ନବଜାଗରଣ ଘଟିବ ବୋଲି କହୁଥିବା ବ୍ୟକ୍ତିମାନେ ତଥାପି ଏକ ଅତିଶୟୋକ୍ତି ମଧ୍ୟରେହିଁ ଅସଲ ସମସ୍ୟାଗୁଡ଼ିକୁ ବୁଡ଼ାଇ ଦେବାକୁ ଇଚ୍ଛା କରୁଥିବା ପରି ମନେ ହୋଇଥାଏ । ଏହି ଟୁଙ୍ଗିଗୁଡ଼ିକ ଯେତେବେଳେ ଏକଦା ଅତ୍ୟନ୍ତ କ୍ରିୟାଶୀଳ ହୋଇ ରହିଥିଲେ, ସେତେବେଳେ ମଧ୍ୟ ଓଡ଼ିଶାର ସମାଜ ଭିତରେ ଏକ ଦୁର୍ଦ୍ଦାନ୍ତ ଜାତି ବ୍ୟବସ୍ଥା କାୟମ୍ ହୋଇ ରହିଥିଲା । ଜୀବନଗତ ନାନାବିଧ ବିଷମତା ମନୁଷ୍ୟମାନଙ୍କର ବିବେକକୁ କାମୁଡ଼ି ଧରିଥିଲା, ସାମନ୍ତବାଦୀ ନାନା କ୍ରୂରତା ଓ ମଳିନତା ସାମୂହିକ ଜୀବନ ସମ୍ବନ୍ଧଗୁଡ଼ିକୁ Vulgar କରି ରଖିଥିଲା । ଭାଗବତ ଟୁଙ୍ଗି ଥିଲା, ମାତ୍ର ତାହା ବିଭିନ୍ନ ଜାତିପାଇଁ ବିଭିନ୍ନ ଜାଗାରେ ଥିଲା । ଦୂରତାଗୁଡ଼ିକୁ ଭାଙ୍ଗିବାଲାଗି ଏକ ଯଥାର୍ଥ ଆଧ୍ୟାତ୍ମିକତାଦ୍ଵାରା ଯେଉଁ ଅସଲ ଷଡ଼ଯନ୍ତ୍ରଟି ହେବା ଉଚିତ, ଆମର ଟୁଙ୍ଗିମାନେ ତାହାର ଗାରକୁ ମଧ୍ୟ ସ୍ପର୍ଶ କରୁ ନଥିଲେ । ଏବଂ, ଆମର ଯେଉଁ ପ୍ରଗଳ୍‌ଭମାନେ ଦୁଇବାହୁ ଟେକି ଏବେ ଅତିଶୟୋକ୍ତିମାନ କରୁଛନ୍ତି, ନାନା ଅସାଂସ୍କୃତିକ ଉପାୟରେ ସେମାନେ ମଧ୍ୟ ସେହି ପୁରୁଣା ମଳିନତାଗୁଡ଼ିକୁ ସ୍ଥାୟୀ କରି ରଖି ତାହାରି ଭିତରେ ଅଧିକ ତୋରା ଦେଖାଯିବାର ନାନା ଅତ୍ୟୁତ୍ସାହ ଦେଖାଇବାରେ ଲାଗିଛନ୍ତି । ତେଣୁ, ଆମ ବିଚାରରେ ସଂଯମ ଆସୁ । ଓଡ଼ିଆଜାତି କହିଲେ ଆମ ବାବୁମାନେ ଆମ ଓଡ଼ିଶାବାସୀ ମାତ୍ରକେ ସମସ୍ତଙ୍କୁ ବୁଝାନ୍ତୁ, ଜାଗରଣର ଯାବତୀୟ ଯୋଜନା ମଧ୍ୟରେ ସେମାନେ ଆଗ ସମସ୍ତଙ୍କୁ ଥାନ ଦିଅନ୍ତୁ ।

 

୧୭ । ୧୧ । ୯୧

 

ଆପେ ଆରୋହଣ କରିବାକୁ, ଆପେ ଛୁଇଁବାକୁ ମନ ନକରୁଥିବା ସାହିତ୍ୟିକ ସାହିତ୍ୟରେ ରହିଯାଏ । ସାହିତ୍ୟକୁହିଁ ନିଜର ଚରମ ଆଶ୍ରୟ ବୋଲି ଗ୍ରହଣ କରିନିଏ ଏବଂ ତେଣୁ, ସେହି ସାହିତ୍ୟକୁହିଁ ଆପଣାର ଅନ୍ତିମ ଧେୟ ବୋଲି ଘୋଷଣା କରିଦିଏ । ବିଚରା ସାହିତ୍ୟ ନାମରେ ଗଞ୍ଜେଇ ଖାଏ, ସାହିତ୍ୟ ବେଳକୁ ଯେମିତି, ସଙ୍ଗୀତ ବେଳକୁ ସେମିତି, ମନୁଷ୍ୟର ଯାବତୀୟ ଅନୁଶୀଳନ ବେଳକୁ ମଧ୍ୟ ସମ୍ଭବତଃ ଠିକ୍ ସେମିତି ।

 

ଅସଲ ରହସ୍ୟ ହେଉଛି, ଜୀବନଲାଗି ସାହିତ୍ୟ ଏକ ନିବିଡ଼ତର ଅନୁଭବ ଲାଗି ସାହିତ୍ୟ, ପାବଚ୍ଛ ଆରୋହଣ ଲାଗି ସାହିତ୍ୟ । ପରସ୍ତ ପରେ ପରସ୍ତ ଖୋଲି ଯାଉଥିବା ଲାଗି ସାହିତ୍ୟ । ଅଧିକରୁ ଅଧିକ ଚେତନାର ଯୋଗ୍ୟ ହେବାଲାଗି ସାହିତ୍ୟ । ତେଣୁ, ଯଥାର୍ଥ ସାହିତ୍ୟ ଆଉ ନିଜ ଜୀବନରେ ଏକ Catalyst ପରି କାର୍ଯ୍ୟ କରୁଥିବ, ଆମ ନିଜ ଦୃଷ୍ଟିରୁ ମଳି ଛଡ଼ାଇ ଦେବାରେ ଲାଗିଥିବ । ଧର୍ମର ମଧ୍ୟ ଠିକ୍ ସେହିପରି ଏକ ଭୂମିକା ରହିଥିଲା । ମାତ୍ର, ପାହାଚ ଉଠାଇନେବା ପରିବର୍ତ୍ତେ ଧର୍ମ ମଣିଷକୁ ନାନା ଗାର ଭିତରେ ବାନ୍ଧି ପକାଇଲା, ମଣିଷମାନଙ୍କୁ ଧର୍ମାନ୍ଧ କଲା, ଅର୍ଥାତ୍ ଯୁଗପତ୍ ଭାବରେ ଭୀରୁ କଲା ଓ ଉଗ୍ର କରି ରଖିଲା; ପୃଥିବୀରେ ବହୁ ହାନିର କାରଣ ହେଲା । ବିଜ୍ଞାନ ମଧ୍ୟ ଏକ ଉପଯୋଗ କୌଶଳରୂପେ ନିୟୋଜିତ ହେବାର ପ୍ରକ୍ରିୟାରେ ମଣିଷର ଯାବତୀୟ ବୋଧକୁ ଅବୈଜ୍ଞାନିକ କରି ପକାଇଲା । ତେଣୁ, ବିଜ୍ଞାନ ବିଚରା ବହୁ ଉଗ୍ରତା ଓ ବହୁ ଭୀରୁତା ପାଖରେ ବାନ୍ଧି ହୋଇ ରହିଗଲା । ସାହିତ୍ୟ ମଧ୍ୟ ଅନେକ ସାହିତ୍ୟିକଙ୍କ କ୍ଷେତ୍ରରେ ଏହିପରି ଭାବରେ ଦୁଆରକୁ କିଳି ରଖିବାର ଏକ ନିମିତ୍ତରୂପେହିଁ କାର୍ଯ୍ୟ କରୁଛି । ସାହିତ୍ୟ କହିଲେ ବର୍ତ୍ତମାନ ଲେଖିବାକୁ ବୁଝାଉଛି । ବହି ଗଦା ଗଦା ଲେଖା ହେଉଛି । ଅହଂକାର ନାମକ ଶୈଳୀଟି ନାନାବିଧ ନୂତନ ଭଙ୍ଗିମାରେ ସ୍ଫୀତ ହେବାରେ ଲାଗିଛି । ଜାତୀୟସାହିତ୍ୟ ନାମରେ ମଣିଷମାନଙ୍କୁ ବହୁ ପ୍ରକାରେ ମିଛ ସାନ୍ତ୍ଵନା ମିଳୁଛି ଏବଂ ସେଥିରୁ ପୃଥିବୀଲାଗି ବହୁପ୍ରକାର ଯାତନାର ଭିଆଣ ହେଉଛି । ଏଗୁଡ଼ାକୁ ତଥାକଥିତ କଳା ବୋଲି ନକହି ମୂଳତଃ ଜୀବନରେ ଗୋଟିଏ ଗୋଟିଏ ଆରୋହଣ କଳା ବା ଉନ୍ମୋଚନ କଳା ବୋଲି କୁହାଯାଇ ପାରନ୍ତା କି; ମାତ୍ର, ଯେତେବେଳେ ମଣିଷ ସାହିତ୍ୟଠାରୁ ଅଧିକ ବୃହତ୍ କୌଣସି ଏକ ସମ୍ପଦର ଉପଲବ୍‌ଧିକୁ ଜୀବନର ଲକ୍ଷ୍ୟରୂପେ ଗ୍ରହଣ କରିବ, ତେବେଯାଇ ସେ କଥା ସମ୍ଭବ ହେବ । ତେବେଯାଇ ମଣିଷର ସାହିତ୍ୟ ଖାଲି ସଭାକୁ ନୁହେଁ, ତା’ ଜୀବନର ସମସ୍ତ ସଦନଟି ଲାଗି ମଧ୍ୟ ସୁନ୍ଦର ହେବ । ସେତେବେଳେ ସାହିତ୍ୟ ଭିତରେ ଅନୁରାଗୀ ମଣିଷର ଆଖିକୁ ଭଗବାନ୍‍ହିଁ ଦିଶିବେ, ଖାଲି ଅପେକ୍ଷମାଣ ପୁଷ୍ପ କୋରକଟିଏହିଁ ଦେଖାଯାଉଥିବ ।

 

୧୮ । ୧୧ । ୯୧

 

ନିଜ ଜୀବନରେ, ନିଜ ଆରୋହଣରେ ଓ ନିଜ ଅନୁରାଗରେ ଆଗ୍ରହ ରଖିଥିବା ମଣିଷ ଯଦି ସାହିତ୍ୟ ଭିତରେ ପଶିବ, ତେବେ ନିଜର ଆଖିଦ୍ଵାରା ସିଏ ସାହିତ୍ୟିକ ଅଭିବ୍ୟକ୍ତିର ଯାବତୀୟ କ୍ଷେତ୍ରକୁହିଁ ନିଜ ସହିତ ଉତ୍ତୋଳିତ କରିନେଇ ପାରିବ । ଯଥାର୍ଥ ଲୋକସଂଗ୍ରହ ତାହାରିଦ୍ଵାରାହିଁ ସମ୍ଭବ ହେବ । ସେତେବେଳେ ସାହିତ୍ୟକୁ ସତକୁସତ ଏକ ଯୋଗମାର୍ଗ ବୋଲି କୁହାଯାଇପାରିବ । ଏବେ ଯେଉଁମାନେ ହାଟ ଭିତରୁ ଶୈଳୀଟିଏ ଆଣି ସେଥିରେ ନିଜସ୍ୱ କିଛି ଘୁଙ୍ଗୁର ଲଗାଇ ସାହିତ୍ୟକୁ କଣ୍ଢେଇ କରି ସଭାରେ ନଚାଉଛନ୍ତି, ତଦ୍ଦ୍ୱାରା ସେମାନଙ୍କର ଅବସନ୍ନ ଅବସରଗୁଡ଼ିକର ବିନୋଦନ ହୁଏତ କିଞ୍ଚିତ୍ ପରିମାଣରେ ହେଉଛି, ମାତ୍ର ସେମାନଙ୍କର ଉତ୍ତୋଳନରେ ତାହା ଆଦୌ କୌଣସି କାମରେ ଲାଗି ପାରୁନାହିଁ । ଏବଂ, ପୃଥିବୀର ଉତ୍ତୋଳନରେ, ଅର୍ଥାତ୍ ଜୀବନର ବିନ୍ୟାସରେ ତାହା ସହଯୋଗୀ ହୋଇପାରିବା ତ ଆହୁରି ଅଧିକ ଦୂରର କଥା । ଏହି ସାହିତ୍ୟରୁ ଭରଣ ଭରଣ ଅଜଡ଼ା ହେବାରେ ଲାଗିଥିଲେ ମଧ୍ୟ ତଦ୍ଦ୍ଵାରା ଦୁଃଖ ଯିବନାହିଁ, ମଙ୍ଗଳର ଉଦୟ ହେବାତ ଆହୁରି ଦୂରର କଥା ।

 

କୌଣସି ସାହିତ୍ୟିକଙ୍କ ସହିତ ଭେଟ ହେଲାବେଳେ ତାଙ୍କର ସାନ୍ନିଧ୍ୟରୁ ମୁଁ ସର୍ବଦା ସେହି ଅସଲ ବାସନାଟିକୁ ପାଇବାର ଚେଷ୍ଟା କରୁଥାଏ । ସେଥିଲାଗି କେତେ ଜାଗାରେ ବନ୍ଧୁଟିଏ ପରି ବାନ୍ଧି ହୋଇଯାଏ ଏବଂ ଆଉକେତେକ ଜାଗାରୁ ଛାଟିପିଟି ହୋଇ ପଳାଇ ଆସିବାକୁ ମନ ହୁଏ । ସାହିତ୍ୟିକ ହିସାବରେ ବନ୍ଧୁ ବାନ୍ଧୁ ବାନ୍ଧୁ ସତେଅବା ମଣିଷ ହିସାବରେ ମଧ୍ୟ ଅନେକ ଥାନରେ ଯୋଡ଼ି ହୋଇଯାଏ । ସେହି ସମ୍ପର୍କ ଭିତରେ ସାହିତ୍ୟ ଅବଶ୍ୟ ଥାଏ, ମାତ୍ର ତାହାର ଅନେକ ଗୁଣ ଅଧିକ ନିବିଡ଼ତା ସହିତ ଆଉଏକ ଉଷ୍ମତା ମଧ୍ୟ ରହିଥାଏ, ଯାହାକୁ କେବଳ ଏକ ସାହିତ୍ୟିକ ଉଷ୍ମତା ବୋଲି କଦାପି କହି ହେବନାହିଁ । ସେମାନଙ୍କ ସହିତ ଏକାଠି ବାଟ ଚାଲୁଥିବା ପରି ମନେହୁଏ । ସେମାନଙ୍କ ସହିତ ପରିଚିତ ହୋଇ ମୁଁ ନିଜେ ଗୌରବାନ୍ଵିତ ହେଲାପରି ଅନୁଭବ କରେ । ପ୍ରକୃତ ସାଙ୍ଗଟିଏ ପାଇଲେ କିଏ ଗୌରବ ଅନୁଭବ ନକରିବ, କିଏ ଏକାବେଳେକେ ନିଜର ଘର ଭିତରକୁ ଡାକି ନଆଣିବ ! ଆଉ ପଲେ ସାହିତ୍ୟକାରବି ଅଛନ୍ତି, ଯେଉଁମାନେ କି ଖାଲି ନିଜର କରାମତଗୁଡ଼ାକୁ ବଖାଣିବାରେ ଲାଗିଯାଆନ୍ତି, ସେମାନଙ୍କର ନାଆଁକୁ କିଏ କେଉଁ ବହିରେ କାହିଁକି ଥାନ ନଦେଲା ବୋଲି ଅଭିଯୋଗ କରନ୍ତି :–ଏମାନେ ସଙ୍ଗଠନରେ ଥାଆନ୍ତି, ସଭାରେ ଥାଆନ୍ତି, ଓଡ଼ିଆ ସାହିତ୍ୟ କହିଲେ ଓଡ଼ିଶାର ଏକ ସମ୍ପତ୍ତିକୁ ବୁଝନ୍ତି ଅଥବା ତଥାକଥିତ ଏକ ଅଳଙ୍କାରମଣ୍ଡିତ ସ୍ଵାଭିମାନର ବ୍ୟାପାରକୁ ବୁଝନ୍ତି । ସେମାନେ ସାହିତ୍ୟନାମକ ସଦନରେ ଗୋଟାଏ ଗୋଟାଏ ବଳିବର୍ଦ୍ଦ ବିଟଙ୍କ ପରି ଦେଖା ଯାଉଥାନ୍ତି ଓ ଅନୁରୂପ ଗଉଁମାନ ଦେଖାଉଥାନ୍ତି । ସେମାନେ ସତେଅବା ଖାଲି ଖୁସି ଦେଉଥାନ୍ତି, ଖାଲି ହୁରୁଡ଼ାଇ ଦେଉଥାନ୍ତି ।

 

୧୯ । ୧୧ । ୯୧

 

ପୃଥିବୀରେ ଶିଷ୍ଟତାର ରକ୍ଷା ଲାଗି ଦୁଷ୍ଟ ଦୁଷ୍ଟ କଳହ କଲେ ସତକୁସତ ଶିଷ୍ଟତାର ରକ୍ଷା ଦିଗରେ ବେଶିକିଛି ସମ୍ଭବ ହୋଇ ପାରେନାହିଁ । ଏହି କଥା ସାନ ଗାଁଟିଏ ସ୍ତରରେ ଯେତିକି ସତ୍ୟ । ସମଗ୍ର ପୃଥିବୀର ରାଜନୀତି–ସ୍ତରରେ ମଧ୍ୟ ଠିକ୍ ସେତିକି ସତ୍ୟ । ଯଦି ଦୁଇ ଦୁଷ୍ଟ ପ୍ରକୃତରେ ଶିଷ୍ଟତାହିଁ ସମ୍ଭବ ହେଉ ବୋଲି ଇଚ୍ଛା କରୁଥିବେ, ତେବେ ସେମାନେ ସବାଆଗ ପରସ୍ପର ଭିତରେ ରହିଥିବା ଶିଷ୍ଟତାକୁ ସ୍ଵୀକାର କରିବେ ଓ ତାହାକୁ ଆବିଷ୍କାର କରିବାଲାଗି ଚେଷ୍ଟା କରିବେ । ଅର୍ଥାତ୍, କୌଣସି ବ୍ୟକ୍ତି ବା କୌଣସି ପକ୍ଷ ଯେ କଦାପି ଗୋଟାସୁଦ୍ଧା ଦୁଷ୍ଟ ନୁହେଁ, ପରସ୍ପରକୁ ଅବଲୋକନ କରୁଥିବା ସମୟରେ ସେମାନେ ସେହି କଥାଟିଏ ଅବଶ୍ୟ ମନେ ରଖିଥିବେ ।

 

ଏକଥା ଘଟି ପାରିବ, ଯେତେବେଳେ ଉଭୟ ପକ୍ଷ ଏକ ବୃହତ୍ତର ସତ୍ୟ ରହିଛି ବୋଲି ସତକୁସତ ବିଶ୍ଵାସ କରୁଥିବେ ଏବଂ ଆପଣାର ସକଳ ଅପାରଗତା ସତ୍ତ୍ୱେ ସେହି ବୃହତ୍ତର ସତ୍ୟଟିକୁ ମନ କରୁଥିବେ । ତା’ ନହେଲେ, ଯଦି ପ୍ରତ୍ୟେକ ପକ୍ଷ ଆପଣା ପଟର ଦୁଷ୍ଟତାଗୁଡ଼ିକୁ ଲୁଚାଇ ରଖିବାର ଅଭିପ୍ରାୟରେ ଅନ୍ୟ ପକ୍ଷର ଦୁଷ୍ଟତାଗୁଡ଼ିକୁ ଦଶଗୁଣ ବଡ଼ କରି ଦେଖାଇ ଦେବାକୁ ଚେଷ୍ଟା କରୁଥିବ, ତେବେ ଶିଷ୍ଟତାର ଯାବତୀୟ ପ୍ରସଙ୍ଗ କେବଳ ଶାସ୍ତ୍ରରେହିଁ ରହିଯିବ । ଆଜି ଦୁଷ୍ଟମାନଙ୍କ ପାଇଁ ଯାବତୀୟ ଶିଷ୍ଟତା ପ୍ରଧାନତଃ ଶାସ୍ତ୍ରର ବାକ୍ୟ ହୋଇହିଁ ରହିଛି । ଦରକାରବେଳେ, ଅର୍ଥାତ୍ ଅନ୍ୟ ଆଉଜଣକୁ ଉଘାଇବା ସମୟରେ ସେଗୁଡ଼ିକର ଭାରି ପ୍ରୟୋଜନ ହେଉଛି । ଦୁଷ୍ଟତାର ନ୍ୟାୟସୂତ୍ର ଅନୁସାରେ ପୃଥିବୀ ଚଳୁଛି । ଏବଂ, ଏହାର ସମର୍ଥନ ନିମନ୍ତେ ସମ୍ପୃକ୍ତ ପ୍ରତ୍ୟେକ ପକ୍ଷ ଅନ୍ୟ ପକ୍ଷର ଘୋର ଦୁଷ୍ଟତା ବିଷୟରେ ଉଲୁଗୁଣା ଦେଉଛନ୍ତି । ତେଣୁ, ବିଷଚକ୍ର ଲାଗି ରହିଛି । ଯଦି ଦେବ ଅନୁଗ୍ରହରୁ କୌଣସି ପ୍ରକାରେ ଗୋଟିଏ ପକ୍ଷ ସେହି ବିଷଚକ୍ର ଭିତରୁ ବାହାରି ଆସିବାକୁ ମନ କରୁଛି, ତେବେଯାଇ ଶିଷ୍ଟ ପକ୍ଷରେ ଏକ ବାସ୍ତବ ସମ୍ଭାବନା ଉପସ୍ଥିତ ହୋଇ ପାରୁଛି । ଆପଣା ଭିତରର ସକଳ ଦୁର୍ବଳତା ସତ୍ତ୍ୱେ ଆପଣା ଭିତରେ ରହିଥିବା ଶିଷ୍ଟତାର ଏକ ସମ୍ଭାବନାକୁ ପ୍ରକୃତରେ ସ୍ଵୀକାର କରିବା, ଏହା ସତେଅବା ବିଲେଇ ବେକରେ ଘଣ୍ଟି ବାନ୍ଧିବା ପରି ଭାରି ଅସାଧ୍ୟ ହୋଇ ରହିଛି । ସବୁ ମୂଷା ନିଜ ଭିତରେ ଗୋଟିଏ ଗୋଟିଏ ବିଲେଇ ପୋଷୁଛନ୍ତି ତେଣୁ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ କେହିହେଲେ ଇଚ୍ଛା କରୁନାହାନ୍ତି ।

 

୨୮ । ୧୧ । ୯୧

 

ଏସବୁ କ’ଣ କେବଳ ବ୍ୟକ୍ତିଗତ ? ଏ ସ୍ନେହ, ଏହି ପ୍ରେମ, ଏହି ଜଣେ ଜଣକୁ ଖୋଜିବା; ଜଣକୁ ଜଣେ ଝୁରିହେବା,–ଏସବୁ କ’ଣ ଖାଲି ବ୍ୟକ୍ତିଗତ କାମନା ଓ ବାସନା ? ପୃଥିବୀରେ କେଡ଼େ କେଡ଼େ ମହାପୁରୁଷ, ଏହି କଥାଟି ବିଷୟରେ କେତେ କେତେ କ’ଣସବୁ କହି ଯାଇଥିଲେ ମଧ୍ୟ ମୁଁ ସେହି କଥାଟିକୁ ଆଦୌ ସ୍ଵୀକାର କରିନେଇ ପାରେନାହିଁ । ନିଜ ଭିତରକୁ ଅନାଇ ମୁଁ ସେହି କଥାଟିର ଆଦୌ କୌଣସି ସମର୍ଥନ ପାଇ ପାରେନାହିଁ ।

 

ବହୁ ସ୍ଵାର୍ଥ, ବହୁ କ୍ଷୁଦ୍ରତା ଓ ବହୁ ଅହଂକାରରୁ ମୋତେ ବଞ୍ଚାଇ ରଖିବାରେ ଏହି ସଙ୍ଗବାସନା ଓ ସଖ୍ୟକାମନା ମୋତେ କେତେ ସାହାଯ୍ୟ କରିଛନ୍ତି, ଏବେ ମଧ୍ୟ ସାହାଯ୍ୟ କରୁଛନ୍ତି-। କୌଣସି ଆଦର୍ଶବାଦର ମାପକାଠିରେ ପକାଇ ମୁଁ ମଣିଷକୁ କେବେହେଲେ ଓଜନ କରିବାକୁ ମନ କରିନାହିଁ । ମଣିଷ ଭିତରେ, ସେହି ମଣିଷମାନେ ରୂପାୟିତ କରି ରଖିଥିବା ଜୀବନଟି ଭିତରେ କେଉଁଠାରେ କ’ଣ ପ୍ରଚ୍ଛନ୍ନ ହୋଇ ରହିଛି କେଜାଣି, ମଣିଷକୁ ଦିଗ୍‌ବଳୟରୂପେ ମାନିନେଇହିଁ ମୁଁ ଦିଗ୍‌ବଳୟଗୁଡ଼ିକୁ ଡେଇଁ ଯିବାଲାଗି ପ୍ରକୃତରେ ଅନେକ ବଳ ପାଇଛି, ନିରନ୍ତର ଅନେକ ବାଟ ପାଇଯାଇଛି । ମୋ’ର ସବୁଯାକ ଆଦର୍ଶ ମଣିଷର ଏହି ପୃଥିବୀରେହିଁ ପରୀକ୍ଷିତ ହୋଇ କ୍ରମଶଃ ପ୍ରସାର ଓ ଅଭିବୃଦ୍ଧି ଲାଭ କରିଛନ୍ତି । ରକ୍ଷା ହୋଇଛି, କୌଣସି ଆଦର୍ଶକୁ ମୁଁ ଗଡ଼ିଆ ଭିତରେ ଆବଦ୍ଧ ହୋଇ ରହିବାର ଏକ ପେଖନାରୂପେ କେବେହେଲେ ଗ୍ରହଣ କରିନାହିଁ । ଏକ ଆଦର୍ଶ ଯେ ନିଜକୁ ନାନାବିଧ କ୍ଷୁଦ୍ରତା ଭିତରୁ ଡିଆଁଇ ନିଏ, ଆଦର୍ଶଗୁଡ଼ିକ ଯେ ଏହି ପୃଥିବୀରେ ସୋପାନ ହୋଇ ରହିଛନ୍ତି, ଗଡ଼ିଆଗୁଡ଼ାକୁ ମୁଁ ମୋ’ ମନୁଷ୍ୟସଖ୍ୟର ଯାବତୀୟ ପରିମାଣ ସହିତ ପରଖି ଦେଖିହିଁ ସେ କଥା ଉପଲବ୍‌ଧି କରି ପାରିଛି । କାମନା ଏବଂ ବାସନା ଆଦୌ ଏକ ନିଆଁ ପରି ନୁହନ୍ତି, ଯେଉଁମାନେ କି ମଣିଷକୁ ଜାଳିପୋଡ଼ି ପାଉଁଶ କରିଦିଅନ୍ତି, ମଣିଷର ଯାବତୀୟ ବଳକୁ ଯେଉଁମାନେ ହରଣ କରି ନିଅନ୍ତି । ବାସନାଗୁଡ଼ିକ ଭିତରେହିଁ ସମ୍ଭବତଃ ବାସନାଗୁଡ଼ିକୁ ଡେଇଁଯିବାର ଦ୍ଵାରଗୁଡ଼ିକ ପ୍ରଚ୍ଛନ୍ନ ହୋଇ ରହିଥାନ୍ତି । ସେହି ଦ୍ଵାରଗୁଡ଼ିକୁ ଆବିଷ୍କାର କରିବାର ଆଖି ଖାଲି ରହିଥିଲେ ହେଲା । ଯାହା ଭିତରେ ଆଖିଟି ନଥାଏ, ଆତ୍ମୀୟତା ନଥାଏ, କେବଳ ସେଇ ବାସନାଗୁଡ଼ିକ ଦ୍ଵାର ବାନ୍ଧିହୋଇ ପଡ଼େ, ତାହାରି ଖଳତାଗୁଡ଼ିକହିଁ ଯାବତୀୟ ଆଦର୍ଶକୁ ଆଦର୍ଶବାଦରେ ପରିଣତ କରିଦିଅନ୍ତି । ନିଜର ଆତ୍ମୀୟତାକୁ ସାଙ୍ଗ କରି ବାଟ ଚାଲିବାକୁ ରାଜି ନଥିବା ମଣିଷହିଁ ମିଛରେ ମନ ଅସମର୍ଥତାଗୁଡ଼ିକ ଲାଗି କାମନା ଓ ବାସନା ଉପରେ ଦୋଷ ଢାଳିଦେବାରେ ଲାଗିଥାଏ ।

 

୨୯ । ୧୧ । ୯୧

 

ମରିବାର ମଧ୍ୟ ଏକ ସ୍ଵକୀୟ Grace ଓ ସ୍ଵକୀୟ Dignity ରହିଛି । ଆପଣା ଘରକୁ ଫେରିଯିବା ପରି ମରଣନାମକ ଏକ ଘଟନା ଘଟିବାର ଅବସରରେ ମଣିଷ ହୁଏତ ସେହିପରି ଏକ ନିଜ ଘରକୁହିଁ ଫେରିଯାଏ । ଯାଉଛି ବୋଲି ଆଦୌ କୌଣସି ଗ୍ଳାନି କିମ୍ବା ଖେଦ ନଥାଏ । ଏପାଖରୁ ବହୁ ପ୍ରିୟଜନମାନଙ୍କ ସହିତ ନିଜର ଖେଳ ସାରି ସିଏ ସତେଅବା ସେପାଖରେ ଥିବା ପ୍ରିୟଜନ, ଆତ୍ମଜନମାନଙ୍କୁ ଭେଟିବାକୁ ଯାଉଥାଏ । ଏହିପରି ମରିବାକୁ ମନ graceful ଅଥବା dignified ମରିବା ବୋଲି କୁହାଯାଇପାରେ । ଆୟୁଃ ସରିଥାଏ, ଅର୍ଥାତ୍ ଖେଳ ସରିଥାଏ, ସାଙ୍ଗମେଳ ଭିତରେ ଆପଣାକୁ ନେଇ ଜୀବନର ସବୁକିଛି ପ୍ରୟୋଗ ସରି ଯାଇଥାଏ । ଆପଣାକୁ ସିଦ୍ଧକର୍ମ ପାଚିଲା ଫଳଟିଏ ପରି ମନେ ହେଉଥାଏ । ସେତେବେଳେ ମରିବା ତ ଯଥାର୍ଥରେ ମରିବାପରିହିଁ ଲାଗୁଥିବ । ବିଦାୟ ଦେଉଥିବା ଏହି ପୃଥିବୀ ଖୁସିରେ ବିଦାୟ ଦେଇଥିବ ଏବଂ ଘରକୁ ଡାକି ନେଉଥିବା ସ୍ଵାଗତକାରୀ ସେଘରଟା ମଧ୍ୟ କେଡ଼େ ଖୁସି ହେଉଥିବ ।

 

ଏହିପରି ଏକ ପରିପୂର୍ଣ୍ଣ ମରଣ ହେଉଛି ମନୁଷ୍ୟସୃଷ୍ଟିରେ ସୃଷ୍ଟିକର୍ତ୍ତାଙ୍କ ଦ୍ଵାରା ବରାଦ ହୋଇ ରହିଥିବା ମରଣ । ପରିପୂର୍ଣ୍ଣ ଜୀବନ ପଛକୁ ପରିପୂର୍ଣ୍ଣ ମରଣ; ସତେଅବା ଗୋଟିଏ ଅନ୍ୟଟିର ଏକ ସୁସ୍ଥ ଓ ସମ୍ପୂର୍ଣ୍ଣ ପରିପୂରକରୂପେ ପୃଥିବୀରେ ଘଟିବାରେ ଲାଗିଥାଏ,–ପୃଥିବୀର ଅଭିପ୍ରାୟଟିକୁ ପୂର୍ଣ୍ଣ କରି ଦେଉଥାଏ । ମାତ୍ର, ସମୟ ନହେଉଣୁ ଯେତେବେଳେ ମଣିଷ ମରେ, ଯେତେବେଳେ ସେର ବା ମାଣ କିଛି ପୂରିନଥାଏ, ସେତେବେଳେ ଏହି ମରଣଟା ସତେଯେପରି ଭାରି ଅଲକ୍ଷଣା ପରି ମନେ ହୁଏ । ପୃଥିବୀରେ ରହିଥିବା ନାନା ଅବ୍ୟବସ୍ଥା ଓ ଅସୁନ୍ଦରତା ହେତୁ ଜୀବନଟା ଅନେକଙ୍କ ଲାଗି ଅତ୍ୟନ୍ତ ଅଲକ୍ଷଣା ହୋଇ ରହିଥାଏ । ଅନେକ ସମୟରେ ସେଇମାନଙ୍କର ମରଣଦ୍ଵାରା ପୃଥିବୀଟା ଯେ ଏବେ ମଧ୍ୟ ଅତିଶୟ ଅଲକ୍ଷଣା ହୋଇ ରହିଛି, ତାହାରି ପ୍ରମାଣ ମିଳିଯାଏ । ସତେଅବା କଣ୍ଟା ପରି ନିଜ ଦେହରେ ଆସି ଫୋଡ଼ି ହୋଇଯାଏ । ଏଭଳି ମରଣ ପଛରେ କୌଣସି କାରଣ ଥିବା ପରି ଆଦୌ ମନ ହୁଏନାହିଁ । ଭାରି ଅଡ଼ୁଆ ଅଡ଼ୁଆ ଲାଗେ । ଯିଏ ଏପାଖରୁ କୌଣସି କାମ ନସାରି ସେପାଖକୁ ଗଲା, ସେପାଖରେ ମଧ୍ୟ ସିଏ ହୁଏତ କୌଣସି କାମରେ ଲାଗି ପାରୁନଥିବ । ସେପାଖରେ ତା’ପାଇଁ “ମୋଟେ କୌଣସି ଜାଗା ପ୍ରସ୍ତୁତ ହୋଇ ରହିନଥିବ । ସେଠାରେ ହୁଏତ ତା’ ଲାଗି କେହି ଅପେକ୍ଷା କରି ରହିନଥିବେ । ସମ୍ଭବତଃ ଏହିସବୁ କାରଣରୁ, ସେଠାରେ ପହଞ୍ଚି ମଧ୍ୟ ତାକୁ ଭାରି ଅଡ଼ୁଆ ଅଡ଼ୁଆ ଲାଗିବ, ଭାରି unwanted ପରି ଲାଗିବ । କାଲି ହରିଶ୍ଚନ୍ଦ୍ରର ମୃତ୍ୟୁସମ୍ବାଦ ପାଇ ମୋତେ ଠିକ୍ ସେହିପରି ଅଡ଼ୁଆ ଅଡ଼ୁଆ ଲାଗିଲା । ସେଠାକୁ ଯିବାପାଇଁ ମଧ୍ୟ ଏକ ଯଥାର୍ଥ ସମୟ ରହିଛି । ଏଠୁ ତଡ଼ା ଖାଇବା ପରି ଅକାଳରେ ଚାଲିଯିବା,–ତାହା ମଣିଷ ପରି ଏକ dignified ଅସ୍ତିତ୍ଵକୁ ସମ୍ଭବତଃ କେତେ ଅଡ଼ୁଆରେ ପକାଇ ଦେଉଥିବ ।

 

୩୦ । ୧୧ । ୯୧

 

ପୃଥିବୀ ଯେ ଅବଶ୍ୟ ବଦଳିବ, ପରସ୍ପର ପାଖରେ ଖୋଲା ହୋଇ ବସିଲେ ସେହି ସତ୍ୟଟିକୁ ଆଘ୍ରାଣ କରି ହୁଏ । ମଣିଷ ଭିତରେ ଯେ ଏକ ସ୍ନେହସନ୍ଧାନୀ ଅବଶ୍ୟ ରହିଛି, ଅନୁରାଗ ସହିତ ପରସ୍ପରର ଭିତରକୁ ଦୃଷ୍ଟିପାତ କରି ପାରିଲେ ଗୂଢ଼ ସତ୍ୟଟିର ସନ୍ଧାନ ମିଳେ । ଆଗେ ଗୂଢ଼ବିଦ୍ୟା ମନୁଷ୍ୟମାନଙ୍କୁ ଅନେକାନେକ ଗୂଢ଼ ସତ୍ୟ ଓ ନିଗୂଢ଼ ସମ୍ଭାବନାର ସୁରାକ ବତାଇ ଦେଉଥିଲା । ଗୂଢ଼ବିଦ୍ୟା କାଳକ୍ରମେ ଅନ୍ୟକାମୀ ହେଲା ଓ ମହତ୍ ହରାଇ ବସିଲା, ତୁଚ୍ଛା magicରେ ପରିଣତ ହୋଇଗଲା । ପ୍ରଧାନତଃ ନିଜପାଇଁ କୌଣସି ନା କୌଣସି ଅଲୌକିକ ହଠାତ ସାମର୍ଥ୍ୟଗୁଡ଼ିକୁ ହାସଲ କରିବାର ଅନ୍ୟ ମତଲବ ଭିତରେ ପଶି ଗୂଢ଼ବିଦ୍ୟା ବାଟ ହୁଡ଼ିଗଲା-। ଗୂଢ଼ବିଦ୍ୟା ବରଂ ପ୍ରତ୍ୟେକ ମନୁଷ୍ୟ ଭିତରେ ଅପେକ୍ଷା କରି ରହିଥିବା ଭଲଟି ଆଡ଼କୁ ବାଟ କାଢ଼ି ନେଇଥାନ୍ତା, ହଠାତ କିଛି ହାସଲ କରି ପ୍ରଦର୍ଶନକାମୀ ଓ ପରାକ୍ରମୀ ହେବା ଅପେକ୍ଷା ତାହା ଅଧିକରୁ ଅଧିକ ଅନୁରାଗ ଆଡ଼କୁ ବାଟ କାଢ଼ି ନେଇଥାନ୍ତା । ଏବଂ, ସମ୍ଭବତଃ ତାହାରିଦ୍ଵାରାହିଁ ଗୂଢ଼ବିଦ୍ୟା ଆପଣାକୁ ଏକ ଜୀବନବିଦ୍ୟା ବା ଅନ୍ତଃପ୍ରବେଶ ବିଦ୍ୟାର ସ୍ତରକୁ ଉତ୍ତୋଳିତ କରି ନେଇ ପାରିଥାନ୍ତା ।

 

ହଁ, ଏହିପରି ଏକ ସୂତ୍ର ବାନ୍ଧିବାରେହିଁ ସୁଖ ନିହିତ ହୋଇ ରହିଛି । ଉନ୍ମୋଚନରେ ଯାବତୀୟ ଯଥାର୍ଥ ସମ୍ଭାବନା ମଧ୍ୟ ନିହିତ ହୋଇ ରହିଛି । ନିଜ ଭିତରେ ଗଣ୍ଠି ଫିଟିଗଲେ ଯାଇ ଜଣେ ମଣିଷର ଆଖି ସେହି ଗୂଢ଼ ଉନ୍ମୋଚନ ମନ୍ତ୍ରଟିର ଅଧିକାରୀ ହୋଇଥାଏ । ସିଏ ଆପେ ଟାଣି ହୋଇଯାଏ । ଅନ୍ୟମାନଙ୍କୁ ବୀର ପେଷି ଆପଣା ଆଡ଼କୁ ଟାଣି ଆଣିବାର ସକଳ ଧୃଷ୍ଟତା ସେତେବେଳେ ଏକାବେଳେକେ ଭୁଲି ହୋଇଯାଏ । ସମସ୍ତେ ମିଶି କ’ଣ ହାସଲ କରାଯାଇପାରିବ, ସେତେବେଳେ ସିଆଡ଼େ ଆଦୌ ବେଶି ନିଘା ରହେନାହିଁ । ଡୋର ବାନ୍ଧିବାରୁହିଁ ପ୍ରଭୂତ ଓ ଅମିତ ଶକ୍ତି ମିଳେ, ଅଭୟ ମଧ୍ୟ ମିଳେ । ତେଣିକି ବିଶ୍ଵାସରେ ବାଟ ଚାଲିହୁଏ । ସକଳ ପ୍ରକାର ନିଃସଙ୍ଗତା ଉପରେ ବିଜୟ ସମ୍ଭବ ହୋଇଯାଏ । ଯେତେବେଳେ ମଣିଷ ସବୁ ମଣିଷଙ୍କୁ ବାନ୍ଧି ରଖିଥିବା ସେହି ଡୋରଟି ପାଖରେ ଆପେ ନତମସ୍ତକ ହୋଇଯାଏ, ସେତିକିବେଳେ ତା’ର ଅନେକ ଅନେକ ସଂଶୟ ଦୂର ହୋଇଯାଏ । ଅନ୍ୟମାନଙ୍କ ଗହଣରେ ନିଜକୁ ଅପେକ୍ଷାକୃତ ବଡ଼ କରି ଦେଖାଇ ହେବାର ବହୁ ଦମ୍ଭ ସେତେବେଳେ ପରାଭବ ମାନି ପଳାଇ ଯାଆନ୍ତି । ଭଗବାନ୍ କେତେ ପାଖରେ ଦୃଷ୍ଟିଗୋଚର ହୁଅନ୍ତି । ସଂସାରରେ ସମସ୍ତେ ସୁହୃତ୍ ବୋଲି ଲାଗିଲେ ତାହାରି ମାଧ୍ୟମରେ ଭଗବାନ୍‍ବି ସୁହୃତ୍ ପରି ଲାଗନ୍ତି । ଭଗବାନ୍‍ଙ୍କୁ ସ୍ଵୀକାର କରି ନେଇଥିବା ମଣିଷମାନେ କିପରି ଯେ ମଣିଷ ପାଖରୁ ଦୂରଛଡ଼ା ହୋଇ ରହିଥାନ୍ତି, ସେତେବେଳେ ମୁଁ ସେଥିରେ ଅତି ବିସ୍ମିତ ହୋଇଯାଏ । ମୁଁ ଭାବେ, ସେମାନେ କ’ଣ ନିଜ ପାଖରୁବି ଦୂରଛଡ଼ା ହୋଇ ଠିଆ ହୋଇ ରହିଛନ୍ତି କି ?

 

୧ । ୧୨ । ୯୧

 

ମଣିଷ ମରିଯିବା ସମୟରେ ଜୀବନ ନଶ୍ଵର ଓ ଆତ୍ମା ଅବିନଶ୍ଵର ବୋଲି କହି ଏହି ସଂସାରରେ କେତେ ମଣିଷ ସାନ୍ତ୍ଵନା ଲାଭ କରିଥାନ୍ତି । ନଶ୍ଵରତା ଏବଂ ଅବିନଶ୍ଵରତା ମଧ୍ୟରେ ସହଜରେ ପଶି ପାରନ୍ତିନାହିଁ ଅଥବା ପଶିବାକୁ ମନ କରନ୍ତିନାହିଁ ବୋଲି ସେମାନେ ଏହିଭଳି ଏକ ସାନ୍ତ୍ଵନାରେ ଆପଣାକୁ ତଥାପି ନିଜର ସଂସାର ଆଡ଼କୁ ବହଲାଇ ଦେବାପାଇଁ ଚେଷ୍ଟା କରିଥାନ୍ତି ।

 

ଅତ୍ୟନ୍ତ ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ, ସେମାନେ ପ୍ରଧାନତଃ ନିଜକୁ ବୁଝାଇବା ନିମନ୍ତେ ଏସବୁ କଥା କହିଥାନ୍ତି ଓ ଜୀବନ ଭିତରୁ ଗୋଟାଏ ଦର୍ଶନ ବାଢ଼ିବା ଦିଗରେ ଆଗ୍ରହ ଦେଖାଇଥାନ୍ତି । ଜଣେ ଗଲା, ସିଏ ଆମର କେଡ଼େ ଆତ୍ମୀୟ ଥିଲା,–ତାହାରି ଚାଲିଯିବା ଜନିତ ଦୁଃଖରୁ ଆପଣାକୁ ବଞ୍ଚାଇ ରଖିବାକୁ ସେମାନେ ସଚରାଚର ସେହିଭଳି କରିଥାନ୍ତି । ଯିଏ ଗଲା, ତା’ ପ୍ରତି ଏସବୁ କଥା ଆଦୌ ଉଦ୍ଦିଷ୍ଟ ନଥାଏ । ମଣିଷମାନେ ବଞ୍ଚିଥିଲାବେଳେ ଏହି ବିଶ୍ଵାସଟିକୁ କାହିଁକି ଅନୁଭବ ଯେ କରି ପାରୁନଥାନ୍ତି, ମୁଁ ବେଳେବେଳେ ସେହି କଥାଭାବେ । ଅଧିକାଂଶ ମଣିଷ ବଞ୍ଚିଥିବା ସମୟରେ ଏହି ଦେହଗତ ଜୀବନକୁ ଅର୍ଥାତ୍ ଜଗତ୍‍ରେ ସେମାନେ ଧରି ରହିଥିବା ଆପଣାର ଜୀବନଟିକୁହିଁ ସତେଅବା ଏକମାତ୍ର ଅବିନଶ୍ଵର ସରଞ୍ଜାମ ବୋଲି ବିଚାର କରୁଥାନ୍ତି ଏବଂ ସେହି ଅନୁସାରେ ଜୀବନଯାପନ କରୁଥାନ୍ତି । ଦେହକୁ ଭେଦି ଓ ଦେହକୁ ଅତିକ୍ରମ କରି ଆତ୍ମା ବୋଲି ଗୋଟାଏ ବସ୍ତୁ ସତକୁସତ ରହିଛି ବୋଲି ଅନୁଭବଟି ଯଦି ଆମ ଜୀବନର ଯାବତୀୟ କରଣିକୁ ଅନୁସିକ୍ତ କରି ରଖିଥାନ୍ତା, ତେବେ ଆମେ ନିଜେ ଏହି ସଂସାରରେ କେତେ ଅନ୍ୟ ପ୍ରକାରର, ଅନ୍ୟ ଚେତନାର ହୋଇଥାନ୍ତୁ । ଏବଂ, ଆମର ବାସନା ବାଜି ଏହି ସମୁଦାୟ ଜଗତ୍‍ଟା ମଧ୍ୟ କେତେ ଅନ୍ୟ ପ୍ରକାରର ହୋଇନଥାନ୍ତା । ଏହି ଜଗତ୍‍ରେ ଅଧିକାଂଶ ମଣିଷ ମୃତ୍ୟୁକୁ ଯେପରି ଗ୍ରହଣ କରନ୍ତି, ସେଥିରେ ମଧ୍ୟ ମୂଳତଃ ସ୍ଵାର୍ଥଟାହିଁ ନିହିତ ହୋଇ ରହିଥାଏ । ମଣିଷ ନିଜକୁ ଏହି ଜଗତ୍‍ବିଧାନର ଅଂଶରୂପେ participant ରୂପେ ଗ୍ରହଣ କରେନାହିଁ, ଜଗତ୍‍ରୂପୀ ଜଳ ଭିତରେ ଆପଣାକୁ ସତେଅବା ଏକମାତ୍ର କୁମ୍ଭୀର ବୋଲି ଭାବୁଥାଏ କି କ’ଣ କେଜାଣି, ସିଏ ଏହି ସୀମାଗୁଡ଼ାକର ସେପାଖକୁ ଆଦୌ ଦେଖି ପାରେନାହିଁ । ସିଏ ଭିତର ଆଡ଼କୁ ଯଥେଷ୍ଟ ଦୂର ଯାଏଁ ଦେଖି ପାରେନାହିଁ କିମ୍ବା ବାହାର ଆଡ଼କୁ ମଧ୍ୟ ଯଥେଷ୍ଟ ଦୂର ଯାଏଁ ଦେଖି ପାରେନାହିଁ । ତେଣୁ, ଦୁଃଖ ପର, ବହୁ ବହୁ ଯୋଗାଡ଼ରେ ସୁଖକୁ ଖୋଜୁଥିଲେ ମଧ୍ୟ ଦୁଃଖହିଁ ପାଏ । କ୍ଷଣଗୁଡ଼ିକୁ ମିଶାଇ ମୋଟେ ଏକ ଅବିଚ୍ଛିନ୍ନତାରେ ପରିଣତ କରି ପାରେନାହିଁ ।

 

୨ । ୧୨ । ୯୧

 

ଗୋଟିଏ ଗୋଟିଏ ସମ୍ଭାବନା–ସମଗ୍ର ନେଇ ମଣିଷମାନେ ପୃଥିବୀରେ ଜନ୍ମଗ୍ରହଣ କରିଥାନ୍ତି । ମନଃଶାସ୍ତ୍ରରେ ଆମେ ତାହାକୁ ଏକ ପରିଭାଷା ଦେଇ self ବୋଲି କହିପାରିବା । ନାନା କାରଣରୁ କେତେକ ମଣିଷ ଆପଣାର ସେହି ସମ୍ପଦସାମଗ୍ରୀକୁ ଅସଲ ମହତ୍ତ୍ଵ ନଦେଇ ସେଇଟିର ଚାରିପାଖରେ ଗୋଟିଏ ପାଚେରି ଉଠାଇ ଦିଅନ୍ତି ଓ ତାହାକୁ ଅଲଗା ଭାବରେ ସତେଅବା ଖାସ୍ ନିଜର ବୋଲି ଅନୁଭବ କରି ବଞ୍ଚିବାକୁ ମନକରନ୍ତି । ଏହିପରି ଏକ ଅପପ୍ରକ୍ରିୟାଦ୍ଵାରା ପ୍ରଦୂଷିତ ହୋଇ ସେହି ସମ୍ପଦଟି ଅହଂରେ ପରିଣତ ହୋଇଯାଏ । ପାଚେରିଟି ସର୍ବପ୍ରଧାନ ଅନ୍ତରାୟ ହୋଇ ରହିଥାଏ । ଅହଂଦ୍ଵାରା ପରିଚାଳିତ ହେଉଥିବା ପ୍ରକୃତିଟି ମଧ୍ୟ ଏକ ଅପପ୍ରକୃତିରେ ପରିଣତ ହୋଇଯାଏ । ଅହଂ ଭୟ କରେ, ଅହଂ ପୀଡ଼ା ଦିଏ ଓ ଆପଣାକୁ ମଧ୍ୟ ବହୁ କଳ୍ପିତ କାରଣଦ୍ଵାରା ପ୍ରପୀଡ଼ିତ କରି ରଖିଥାଏ, ଅହଂ ପୃଥିବୀଟା ମଧ୍ୟରେ ସତେଅବା କେବଳ ନିଜକୁହିଁ ଦେଖିବାରେ ଲାଗିଥାଏ ।

 

ତେଣୁ, ମନୁଷ୍ୟର ପ୍ରକୃତିକୁ କେତେ ମହାପୁରୁଷ ସ୍ଵଭାବତଃ ଅସମର୍ଥ ଏବଂ ଦୂଷିତ ବୋଲି କହିଛନ୍ତି କାହିଁକି କେଜାଣି ? ମୁଁ ଭାବୁଛି, ଭିତରଟାକୁ ଅଯୋଗ୍ୟ ବୋଲି ନକହି ସେମାନେ ହୁଏତ ପାଚେରିଗୁଡ଼ାକୁହିଁ ଉଠାଇ ଦେବାଲାଗି ଅଧିକ ଉଦ୍‌ବୋଧନ ଦେଇଥାନ୍ତେ । ମାତ୍ର ପାଚେରିଗୁଡ଼ାକ ଉଠି ଯାଇଥିଲେ ମଣିଷ ତଥାକଥିତ ଏହି ଧର୍ମଗୁଡ଼ାକର ଦାସ ହୋଇ ରହିବାକୁ ଆଦୌ ମନ କରିନଥାନ୍ତା । ସିଏ ଧର୍ମଗୁଡ଼ାକୁ ଅତିକ୍ରମ କରି ଯାଇଥାନ୍ତା । ଏହି ଅତିକ୍ରମ କରିଯିବାର ଅସାମର୍ଥ୍ୟଟାହିଁ ଏକ selfକୁ ଅହଂରେ ପରିଣତ କରିପକାଏ ବୋଲି ସିଏ ଆପଣାର ବାଟ ଚାଲିବାରୁ ଭିତରର ତଥା ବାହାରର ବାଟ ଚାଲିବାରୁ ଉପଲବ୍‌ଧି କରିଥାନ୍ତା । ଏହି ଉପଲବ୍‌ଧିର ପ୍ରକ୍ରିୟାରେ ସିଏ ପିତୁଳାଗୁଡ଼ାକୁ ମଧ୍ୟ ଅତିକ୍ରମଣର ଏକ ଅନ୍ୟତମ ଅନ୍ତରାୟ ବୋଲି ଅନୁଭବ କରିଥାନ୍ତା ଏବଂ ସେଗୁଡ଼ିକୁ ଅତିକ୍ରମ କରିଯିବା ଲାଗି ଏକ ଅନ୍ତର୍ଗତ ପ୍ରୟୋଜନ ମଧ୍ୟ ଅବଶ୍ୟ ଅନୁଭବ କରିଥାନ୍ତା । ଏବଂ, ପିତୁଳାସର୍ବସ୍ଵ ଧର୍ମଗୁଡ଼ାକର ଅଧୀନ ହୋଇ ରହିବାକୁ ତା’ପରେ ତାକୁ ଆଉ ମୋଟେ ଭଲ ଲାଗି ନଥାନ୍ତା । ମନୁଷ୍ୟର ସକଳ ସମ୍ଭାବନା–ସମ୍ପଦକୁ ପ୍ରଧାନତଃ ଏକ ଅହଂର ବହୁବିଧ ମିଛ ସ୍ଫୀତିରେ ଇନ୍ଧନ କରି ଲଗାଇବାରେ ଇତିହାସରେ ଧର୍ମର ଏକ ବୃହତ୍ ଭୂମିକା କାଳେ କାଳେ ରହିଆସିଛି । ଆଧ୍ୟାତ୍ମିକତା ଧର୍ମର ସମ୍ମୁଖୀନ ହେଲାବେଳେ ପ୍ରଧାନତଃ ସେହି କଥାଟିକୁ challenge ଦେଇଛି । ମାତ୍ର, ମଣିଷ ଗାରଗୁଡ଼ାକୁ ଡେଇଁ ଆସିବାଲାଗି ସ୍ଵୟଂ ମନ ନ କରିବା ପର୍ଯ୍ୟନ୍ତ ସେହି challengeର ଅନୁଭବହିଁ କରି ପାରିନାହିଁ ।

 

୩ । ୧୨ । ୯୧

 

ନିଜର କୌଣସି Conviction ନଥିଲେ ସାହିତ୍ୟିକମାନେ ସବାଆଗ ଶୈଳୀ ଖୋଜନ୍ତି ଏବଂ ଅବୋଧ୍ୟ ହୁଅନ୍ତି । Conviction ନଥିବା ମଣିଷ ନିଜ ପାଖରେ ମଧ୍ୟ ଅବୋଧ୍ୟ ହୋଇ ରହିଥାଏ । ଏବଂ, Convictionଟିଏ; ଉଦ୍ଦେଶ୍ୟଟିଏ ପାଇ ଯାଇଥିବା ମଣିଷ ବାଟ ଚାଲିବାର ଶୈଳୀଟିଏ ଆପେ ପାଇଯାଏ । ନିଜର କୌଣସି ସ୍ଵକୀୟ ସ୍ଵଅର୍ଜିତ Conviction ନଥିଲେ ଜଣେ ମଣିଷ କାହିଁକି ଯେ ସାହିତ୍ୟ ଆଡ଼କୁ ମନ କରେ, ମୁଁ ସେ କଥା ଭାବି ଅନେକ ସମୟରେ ଆଶ୍ଚର୍ଯ୍ୟ ହୋଇଥାଏ । ଯାହାର ଆଦୌ କିଛି share କରିବାକୁ ନଥିବ, ସିଏ ତୁଚ୍ଛା ଶବ୍ଦଗୁଡ଼ାକୁ ନେଇ କାହିଁକି ମଣିଷ ସଭାରେ, ଜୀବନ ସଭାରେ ଫିସାଦ କରିବାକୁ ମନ କରିବ ?

 

Conviction ନଥିଲେ ସାହିତ୍ୟ ମଧ୍ୟରେ ସର୍ବଦା ଯେଉଁ କାବ୍ୟିକତା ରହିବା କଥା, ସେଇଟି ଆଦୌ ଦୃଷ୍ଟିଗୋଚର ହୁଏନାହିଁ । କାବ୍ୟିକତା ହେଉଛି ଅନନ୍ୟତା । ଶୈଳୀ ଓ ସେହିପରି ଆଉ ଯାବତୀୟ ଅନୁକୃତି ବ୍ୟତୀତ ତୁମ ପାଖରେ ଆଉ କିଛି ନଥିଲେ ତୁମେ ଆପଣାର କୌଣସି ଅଭିବ୍ୟକ୍ତିକୁ ଯଥାର୍ଥ ଭାବରେ କଦାପି କାବ୍ୟିକ କରି ପାରିବନାହିଁ । କାବ୍ୟମୟ ଭାବପୂର୍ଣ୍ଣ ଭାବରେ ଜୀବନଟିଏ ବଞ୍ଚି ପାରିବନାହିଁ । ଆଧୁନିକ କବିତାରେ ଯାବତୀୟ ଶବ୍ଦଖଞ୍ଜିବା ପଛରେ ଅନେକ ସମୟରେ ପ୍ରାୟ କୌଣସି କାବ୍ୟିକତା ରହି ପାରୁନାହିଁ । ଯଦି ତୁମ ପାଖରେ କୌଣସି ଅନ୍ୟତା ନଥିବ, ତେବେ ତୁମ ପ୍ରତି ଆଉଜଣେ ପ୍ରକୃତରେ କ’ଣ ଦେଖି ଆକୃଷ୍ଟ ହେବ ? କାହିଁକି ତୁମ ପ୍ରୀତିରେ ପଡ଼ିବ ? କୌଣସି ଲେଖା ଭିତରୁ ଯାହା ସେହି ପ୍ରୀତିକୁହିଁ ଜାଗୃତ କରିଆଣେ, ତାହା ହେଉଛି କାବ୍ୟିକତା । ଜଣେ ମଣିଷ ଭିତରେ ଏକ ଅନନ୍ୟତାର ଆଘ୍ରାଣ ପାଇଲେହିଁ ଆଉଜଣେ ମଣିଷ ତା’ ପାଖରେ ଅଟକି ଯାଏଁ, ତାକୁ ଭଲପାଇ ବସେ । ସାହିତ୍ୟର କ୍ଷେତ୍ରରେ ମଧ୍ୟ ଠିକ୍ ସେହିକଥା ଘଟେ । ପଦ୍ୟ ବା ଗଦ୍ୟର ଆଦୌ କୌଣସି ବାରଣ ରହେନାହିଁ । ପଦ୍ୟମାନେ କାବ୍ୟିକତାର ଅଭାବରେ କେବଳ ଶବ୍ଦ ଭଣଭଣ ହୋଇ ରହିଥିବା ପରି ଲାଗନ୍ତି । ସ୍ଥାନ ବିଶେଷରେ ତଥାକଥିତ ଗଦ୍ୟ ମଧ୍ୟ କାବ୍ୟିକତାର ମାଧୁରୀରେ ପଦ୍ୟମୟ ଅର୍ଥାତ୍ କାବ୍ୟମୟ ହୋଇ ରହିଥାଏ । ତେଣୁ, ଏହିପରି ରୀତିରେହିଁ କିଏ କବି କିଏ ଅକବି, ସେ କଥା ବିଚାର କରିହୁଏ-। କିଏ ସ୍ଵାଭାବିକ କିଏ କୃତ୍ରିମ ସେ କଥା ଜାଣିହୁଏ । କିଏ ସତକୁସତ ପାଇଛି ଓ କିଏ ଖାଲି ବାଆଁରେଇ ହେଉଛି, ତାହାର ସମ୍ପୂର୍ଣ୍ଣ ସମାଚାରଟି ମିଳିଯାଏ । ସାହିତ୍ୟ ଭିତରେ ଯାବତୀୟ ଅସାହିତ୍ୟକତା ଅତ୍ୟନ୍ତ ସ୍ପଷ୍ଟ ଭାବରେ ଧରା ପଡ଼ି ଯାଉଥାଏ ।

 

୪ । ୧୨ । ୯୧

 

ପୃଥିବୀର ଅସାଧାରଣ ମଣିଷମାନେ କ୍ରମେ ବୁଢ଼ା ହୋଇ ଯାଉଛନ୍ତି ଓ ସେଇଥିଲାଗି ପୃଥିବୀଟା ମଧ୍ୟ କ୍ରମେ ବୁଢ଼ା ହୋଇ ଯାଉଥିବା ପରି ମନେ ହେଉଛି କି ? ଅସାଧାରଣ ମଣିଷମାନେ ଅର୍ଥାତ୍ ଉଚ୍ଚ କ୍ଷମତା ଥାନମାନଙ୍କରେ ରହିଥିବା ମଣିଷମାନେ ସେମାନେ ଅଧିକରୁ ଅଧିକ ନାନାବିଧ ତାତ୍‍କାଳିକତା ମଧ୍ୟରେ ପଶି ଯାଉଛନ୍ତି, ତାତ୍‍କାଳିକ ଓ ସ୍ଥାନୀୟ ପରିଧିଗୁଡ଼ିକ ମଧ୍ୟରେ ଆବଦ୍ଧ ରହି ବିଶ୍ଵପରିଧିଗୁଡ଼ିକର ଛଳନା କରୁଛନ୍ତି ଏବଂ ସେହି କାରଣରୁ ବିଶ୍ଵର ଯାବତୀୟ ସମସ୍ୟାକୁ ଭାରି ଅଡ଼ୁଆ କରି ପକାଉଛନ୍ତି । ସ୍ଥାନୀୟ ପରିଧିଗୁଡ଼ିକ ମଧ୍ୟ ଅନେକ ସମୟରେ ଐକାନ୍ତିକ ଭାବରେ ବହୁ ବ୍ୟକ୍ତିଗତ ତଥା ଦଳଗତ ମତଲବ ଭିତରେ ଗୁରାଇତୁରାଇ ହୋଇ ରହିଯାଉଛି । ସମସ୍ତେ ଆଗ ନିରାପତ୍ତାକୁ ଦେଖୁଛନ୍ତି, ଅର୍ଥାତ୍ ସବାଆଗ ସ୍ଵୟଂ ତିଷ୍ଠି ରହିବେ ବୋଲି ଚିନ୍ତା କରୁଛନ୍ତି । ପୃଥିବୀ ଉଜୁଡ଼ିଯାଉ ପଛକେ, ତଥାପି ସେହିମାନେ ଅଥବା ସେମାନଙ୍କର କ୍ଷମତାଗୁଡ଼ାକ ବଜ୍ର ହୋଇ ରହିଥାଉ ବୋଲି ଇଚ୍ଛା କରୁଛନ୍ତି । ଏଣେ ପୃଥିବୀଟାଯାକ ଭାରି ଲକ୍ଷଣହୀନ ହୋଇଯିବାରେ ଲାଗିଛି ।

 

ଗାନ୍ଧୀ କ’ଣ କେବଳ ଭାରତର ମଙ୍ଗଳ ଇଚ୍ଛା କରିଥିଲେ ? ଆବ୍ରାହାମ୍ ଲିନ୍‌କନ୍ କ’ଣ ଆପଣାର ଯାବତୀୟ ଆଦର୍ଶ ଓ ଉଦ୍ୟମକୁ ଖାଲି ନିଜ ଦେଶ ଆମେରିକା ଭିତରେ କିଳି ରଖିଥିଲେ-? ସେମାନେ ସମସ୍ତେ ନିଜ ଦେଶର ମଙ୍ଗଳ ଇଚ୍ଛା କରିଥିଲେ ସତ, ମାତ୍ର ନିଜ ଦେଶର ଯାବତୀୟ ମଙ୍ଗଳକଳ୍ପନାକୁ ସେମାନେ ବିଶ୍ଵମଙ୍ଗଳର ଏକ ଅଂଶରୂପେ କଳ୍ପନା କରିଥିଲେ ଓ ଆପଣାର ସକଳ ରାଜନୀତିକୁ ସେହି ଅନୁସାରେ ପରିଚାଳିତ କରିଥିଲେ । ମଣିଷମାନଙ୍କର ଚିନ୍ତାକୁ ସେମାନେ ସେହି ଅନୁସାରେ ପ୍ରସ୍ତୁତ କରି ଆଣିବାକୁ ଅନବରତ ଉଦ୍ୟମ କରୁଥିଲେ । ଯିଶୁଖ୍ରୀଷ୍ଟ ଯାହାସବୁ କରିଥିଲେ ବା କହିଥିଲେ, ସେଗୁଡ଼ିକୁ କ’ଣ ସେ କେବଳ ଗୋଟିଏ ଧର୍ମର ପ୍ରତିଷ୍ଠା ଲାଗି କହିଥିଲେ ଓ କରିଥିଲେ ? ବିଜ୍ଞାନର ପ୍ରଚେଷ୍ଟାଦ୍ଵାରା ବୃହତ୍ ପୃଥିବୀ କ୍ରମେ ଏକ ବୃହତ୍ ପ୍ରତିବେଶରେ ପରିଣତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଯଦି ଆମର ଆଖିମାନେ ତଥାପି ସ୍ଥାନୀୟ ଓ ତାତ୍‍କାଳିକ ହୋଇ ରହିଥିବେ, ତେବେ ପୃଥିବୀ କିପରି ସୁସ୍ଥ ରହିବ ? ତେଣୁ ସାମ୍ପ୍ରତିକ ନେତୃତ୍ଵକୁ ମଧ୍ୟ ଆପଣାର ଆଖିଗୁଡ଼ିକୁ ବଦଳାଇବାକୁ ପଡ଼ିବ, ନିଜର ହୃଦୟରେ ଆହୁରି ଅଧିକ ବିସ୍ତାର ସମ୍ଭବ କରିବାକୁ ପଡ଼ିବ ।

 

୫ । ୧୨ । ୯୧

 

ପୃଥିବୀରେ ସବୁଯାକ ସମାଧାନ କ’ଣ ରାଜନୀତିଦ୍ଵାରା ହେବ ? ଅସଲ ସମାଧାନ ତ ମଣିଷର ଅନ୍ତର ଭିତରେ, ମଣିଷ ଓ ମଣିଷ ଭିତରେ ରହିଥିବା ଅନ୍ତର୍ଗତ ସମ୍ବନ୍ଧ ମଧ୍ୟରେ । ଯଦି ଜଣେ ମଣିଷ ଆଉଜଣେ ମଣିଷକୁ ତୁଚ୍ଛ ଗୋଡ଼ିପଥର ପରି ମନେ କରୁଥିବ, ତେବେ ସାମୂହିକ ଜୀବନରେ ମଧ୍ୟ ଅବଜ୍ଞା ଓ ଉତ୍ପୀଡ଼ନ ରହିବାକୁ ବାଧ୍ୟ ହେବ । ରାଜନୀତି ଏପରି ଏକ ବାହ୍ୟ ପରିବେଶ ସୃଷ୍ଟି ହେବାରେ ସାହାଯ୍ୟ କରିବ, ଯେପରିକି ମଣିଷ ନିଜର ଅନ୍ତଃପରିବେଶଗୁଡ଼ିକୁ ଯାବତୀୟ ସୁସ୍ଥତାର ଅନୁକୂଳ କରି ବିକଶିତ କରାଇ ନେବାରେ ସାମର୍ଥ୍ୟ ଲାଭ କରି ପାରିବ । ଉଗ୍ର ହେବାକୁ, ଅତ୍ୟାଚାରୀ ହେବାକୁ ପ୍ରବଳମାନେ ଏହି ଜଗତ୍‍ରେ ପ୍ରାୟ ଯୁଗେ ଯୁଗେ ଅତ୍ୟନ୍ତ ଅନମନୀୟ ଭାବରେ ଦାବି କରି ଆସିଛନ୍ତି ଏବଂ ପ୍ରାୟ ପୃଥିବୀଯାକର ତଥାକଥିତ ରାଜନୀତି ପ୍ରଧାନତଃ ସେଇଥିରେ ଭୃତ୍ୟପରି ଖଟିଆସିଛି । ଗୋଟାଏ ହାତରୁ ଆଉଗୋଟାଏ ହାତକୁ କ୍ଷମତା ଆସିଛି । ମାତ୍ର, ଅସଲ ଉଦୟଗୁଡ଼ିକ ଯେପରି ହେବାର କଥା, ତାହା ହୋଇ ପାରିନାହିଁ । ତାହା ଏବେବି କ’ଣ ବହୁଦୂର ହୋଇ ରହିଛି ? ମଣିଷ କ’ଣ ସତକୁସତ ଏଇଠି ଏତିକିରେ ରହିଯିବ ?

 

ବସ୍ତୁପ୍ରଧାନ ଜୀବନ ମଣିଷକୁ ଅନାବଶ୍ୟକ ଭାବରେ ଅଧିକ ଶୀତଳ କରି ରଖିବାରେ ଏପରି ଅସ୍ଵାଭାବିକ ଭାବରେ କ’ଣସବୁ ବିକୃତ ଆଣି ଯୋଗାଇ ଦେଇଛି କେଜାଣି, ଏବେ ଅଧିକରୁ ଅଧିକ ମଣିଷ ବୋଲ ମାନି ରହି ଯାଉଛନ୍ତି । ଭିତରର ବୋଲଗୁଡ଼ିକୁ ଶୁଣିବା ପୂର୍ବରୁ ସେମାନେ ହୁଏତ ବାହାରେ ବହୁ ପ୍ରଚଣ୍ଡତା ସହିତ ଖାପ ଖାଇ ରହି ଯାଉଛନ୍ତି । ରାଷ୍ଟ୍ର, ଜାତୀୟତା, ସାମରିକ ସିଦ୍ଧି,–ଏଗୁଡ଼ିକ କ୍ରମେ ପୃଥିବୀରେ ବ୍ୟାବହାରିକ ପ୍ରଥମତମ ସତ୍ୟ ଭାବରେ ଆପଣାକୁ ଜାରି କରି ରଖିଲେଣି ଓ ଭିତରକୁ ଅନାଇବାକୁ ନାସ୍ତି; କରି ଦେଇଥିବା ଭୋଗବାଦୀ ମଣିଷମାନେ ସେହିଗୁଡ଼ିକୁହିଁ ସନ୍ତକରୂପେ ମାନିନେବାକୁ ବାହାରିଲେଣି । ଅଧିକାଂଶ ମଣିଷ ମାନିନେବାକୁ ଓ ଭୀରୁ ହୋଇ ରହିବାକୁହିଁ ଆଚରଣୀୟ ପଥରୂପେ ମାନି ବାହାରିଲେଣି । ଅସଲ କଥା, ଅସଲ ମୂଲ୍ୟଗୁଡ଼ିକ ଓ ଅସଲ challenge ଗୁଡ଼ିକ ବହି ହୋଇ ରହିଲାଣି । ମଣିଷ ଯେପରି ତା’ର ଭୋଗମୟ ଜୀବନର ଗୋଟାଏ ଇଞ୍ଚକୁ ମଧ୍ୟ ଛାଡ଼ିବାକୁ ରାଜି ହେଉନାହିଁ । ତେଣୁ, ଅସଲ କ୍ଷେତ୍ରଗୁଡ଼ିକୁ ତା’ର ଆଉ କୌଣସି କାଢ଼ ପାଉନାହିଁ ।

 

୬ । ୧୨ । ୯୧

 

ପୃଥିବୀର ତପସ୍ଵୀମାନେ ତପସ୍ୟା କରନ୍ତୁ । ସେମାନେ ପୃଥିବୀକୁ ବଦଳାଇବା ନିମନ୍ତେ ତପସ୍ୟା କରନ୍ତୁ । ମଣିଷର ଦୁଷ୍ପ୍ରବୃତ୍ତିଗୁଡ଼ାକ ପୃଥିବୀଟାକୁ ଯେ ଏପରି କୁତ୍ସିତ କରି ରଖିଛି, ଏହି ବାସ୍ତବଟିର ସମ୍ମୁଖରେ ସେମାନେ ଏକ ଅନ୍ୟ ଶପଥ ନେଇ ତପସ୍ୟା କରନ୍ତୁ । ଏକ ନୂତନ ଆସ୍ପୃହାର ଓ ଏକ ନୂତନ ସମ୍ବନ୍ଧର ତପସ୍ୟା କରନ୍ତୁ । ଆଗେ ଯେଉଁମାନେ ତପସ୍ୟାକୁ ମନ କରୁଥିଲେ, ସେମାନେ ପୃଥିବୀ ଛାଡ଼ି ଅରଣ୍ୟକୁ ପଳାଇ ଯାଉଥିଲେ । ଖାସ୍ ଅରଣ୍ୟରେହିଁ ଭଗବାନ୍ ଅଛନ୍ତି ବୋଲି ସେମାନେ କୌଣସି ନିର୍ଭରଯୋଗ୍ୟ ଓ ବିଶ୍ଵାସଯୋଗ୍ୟ ପ୍ରମାଣ ପାଇଥିଲେ କି ନାହିଁ, ସେ କଥା ମୁଁ କହି ପାରିବିନାହିଁ । ମାତ୍ର ଏକଥାରେ କୌଣସି ସନ୍ଦେହ ନାହିଁ ଯେ, ଏହି ସଂସାର ଭିତରେ ଭଗବାନ୍ ମିଳିବେ ବୋଲି ସେମାନେ ସତକୁସତ ଅନୁଭବ କରି ପାରୁ ନଥିଲେ । ଭିତରେ କେଉଁ ଦୁର୍ଦ୍ଦଶା ଅର୍ଥାତ୍ ନିଃସଙ୍ଗତା ଘଟିଲେ ଯେ ମଣିଷ ପୃଥିବୀ ଭିତରେ ଭଗବାନ୍‍ଙ୍କୁ ଅନୁଭବ କରି ପାରେନାହିଁ ଏବଂ ଅଲିଅଳ ଓ ଅନ୍ୟମନା ହୋଇ ଅରଣ୍ୟକୁ ଚାଲିଯାଏ, ଏକଥା ହୁଏତ ସେହି ମୁନିମାନେ କହି ପାରିଥାନ୍ତେ । ଆମ ଏକାଳରେ ମଧ୍ୟ ମୁନି କମ୍ ନାହାନ୍ତି । ଏମାନେ ହୁଏତ ଏହି ସଂସାରରେ ଅଛନ୍ତି ମାତ୍ର ସତେଅବା ଏକ ନିରାପଦ inner emigration କରି ରହିଛନ୍ତି । ଯାବତୀୟ ପଳାୟନକାମୀ ତପସ୍ୟାଦ୍ଵାରା ଯେ ପୃଥିବୀ ବଦଳିବ ନାହିଁ, ସେ କଥା କାଳେ କାଳେ ପ୍ରମାଣିତ ହୋଇଛି । ଆମ ଏକାଳଟାରେ ମଧ୍ୟ ତାହାର ପ୍ରମାଣ ପ୍ରାୟ ପ୍ରତ୍ୟହ ମିଳିଯାଉଛି । ପଳାୟନକାମୀ କୌଣସି ତପସ୍ୟାଦ୍ଵାରା ଯେ ପୃଥିବୀ ବଦଳିବ ନାହିଁ, ସେ କଥା କାଳେ କାଳେ ପ୍ରମାଣିତ ହୋଇ ଆସିଛି । ଆମର ଏକାଳଟାରେ ମଧ୍ୟ ତାହାର ପ୍ରମାଣ ପ୍ରାୟ ପ୍ରତ୍ୟହ ମିଳିଯାଉଛି ।

 

ବର୍ତ୍ତମାନ ପୃଥିବୀରେ ଆସୁଣୁ ଯାଉଣୁ ଯେଉଁସବୁ ନାନା ବୀଭତ୍ସତାକୁ ପ୍ରାୟ ଝୁଣ୍ଟିବାକୁ ପଡ଼ୁଛି, ସେହିସବୁର ସମ୍ମୁଖରେ ଛିଡ଼ା ହୋଇହିଁ ମୁଁ ତପସ୍ୟା କରିବି । ସୁନ୍ଦର ପର୍ଶୁରାମଟିଏ ହୋଇ ଖଣ୍ଡା ଧରି କୁତ୍ସିତତାର କ୍ଷତ୍ରିୟଗିରିଗୁଡ଼ାକୁ ମୁଁ ହାଣି ବାହାରିବିନାହିଁ । ଏହିସବୁ ଯାବତୀୟ କୁତ୍ସିତତା ସତ୍ତ୍ୱେ ସୁନ୍ଦରତା ଅବଶ୍ୟ ରହିଛି ବୋଲି ମୁଁ ଅଟଳ ବିଶ୍ଵାସ ରଖିଥିବି । ତୋ’ର ସାନ ବଡ଼ ଯାବତୀୟ ସମ୍ବନ୍ଧରେ ଏହି ପୃଥିବୀ ଭିତରେ ସେହି ବିଶ୍ଵାସ ସମ୍ପୂର୍ଣ୍ଣ ଭାବରେ ପ୍ରକଟ ହୋଇ ପାରୁଥିବ । ସ୍ଵାର୍ଥଗୁଡ଼ାକ ଯେଡ଼େ ଶାଳୀନ ଏବଂ ଭୂଷଣମଣ୍ଡିତ ହୋଇ ଦେଖା ଯାଉଥିଲେ ମଧ୍ୟ, ସାମୂହିକ ଜୀବନର ସିଂହାସନଗୁଡ଼ିକ ଉପରେ ସେମାନେ ଯେଡ଼େ ଠାଣିରେ ଓ ଯେଡ଼େ ଭଦ୍ର କପଟକାରିତା ସହିତ ଯାଇ ବସିଥିଲେ ମଧ୍ୟ ସେଗୁଡ଼ିକୁ ତଥାପି ସ୍ଵାର୍ଥ ବୋଲି କହିବି । କ୍ଷମତାକାମିତା, ଯାବତୀୟ କ୍ଷମତାକାମିତାକୁ ଅପ୍ରମତ୍ତ ଭାବରେ ବର୍ବର ବୋଲି କହି ପାରୁଥିବି । ପୃଥିବୀଯାକର ସକଳ ମୂଲ୍ୟ ଏବେ ସତେଅବା ଭୂଇଁତଳେ ଲୋଟୁଥିଲେ ମଧ୍ୟ ମୁଁ ତଥାପି ମୋ ଭିତରେ ଓ ମୋ’ ବାହାରେ ଗିରିଶିଖରକୁ ଲୟ ରଖି ନିରତ ବାଟ ଚାଲୁଥିବି ।

 

୭ । ୧୨ । ୯୧

 

ନିଷ୍କ୍ରିୟ ସମର୍ପଣ କରିଲେ କ’ଣ ବୁଝାଏ ବୋଲି ମୋତେ ବନ୍ଧୁମାନେ ପଚାରିଲେ । ମୁଁ କହିଲି, ବିଲେଇ ଆଗରେ ମୂଷାର ଆତ୍ମସମର୍ପଣ ହେଉଛି ନିଷ୍କ୍ରିୟ ଆତ୍ମସମର୍ପଣ । ଅନେକ ମଣିଷ ଗୋଟିଏ ଗୋଟିଏ ମୂଷା ହୋଇ ରହିବାକୁ ଜୀବନ ବଞ୍ଚନ୍ତି ଏବଂ ତେଣୁ ସେମାନେ ସଂସାରଯାକ କେବଳ ବିଲେଇକୁହିଁ ଦେଖନ୍ତି ।

 

ସେମାନେ ସ୍ଵୟଂ ଭଗବାନ୍‍ଙ୍କୁ ମଧ୍ୟ ବିଲେଇ ବୋଲି ଦେଖନ୍ତି ଓ ଆପଣାକୁ ମୂଷା ପରି ସମର୍ପିତ କରି ରଖିବାକୁହିଁ ଜୀବନକୁ ବଞ୍ଚିବାର ପ୍ରାୟ ଏକମାତ୍ର ଧାରା ଓ ରୀତି, ବୋଲି ଗ୍ରହଣ କରି ନେଇଥାନ୍ତି । ଅନେକ ଧର୍ମ ଓ ଅନେକ ସମାଜ ଏପରି ରହିଛି, ଯେଉଁଗୁଡ଼ିକର ଯାବତୀୟ ସଂସ୍କାର ଓ ଯାବତୀୟ ଭାବନା ମଣିଷମାନଙ୍କୁ ଆପଣାକୁ ମୂଷାଟିଏ ବୋଲି ଅନୁଭବ କରିବାକୁହିଁ ଶିକ୍ଷା ଦେଇଥାଏ । ଅର୍ଥାତ୍ ମଣ କରି ଆଣିଥାଏ । ସେଠି ଭଗବାନ୍‍ଙ୍କୁ ସମସ୍ତେ ବିଲେଇ ପରି ଦେଖନ୍ତି । ବିଲେଇ ନିଜ ଭିତରେ ଅଛି, ଏହି ଅନୁଭବ ସମ୍ଭବତଃ ଅନେକ ପରବର୍ତ୍ତୀ କାଳର । ତାହା ଏହି ଅନ୍ତର ଭିତରେ ରହିଛି, ତାହାହିଁ ସଂସାର ଭିତରେ ରହିଛି, ସଂସାରକୁ ଡେଇଁକରି ମଧ୍ୟ ରହିଛି । ସେହିସବୁ କ୍ଷେତ୍ରରେ ଯାବତୀୟ ଆକାର ଅନୁସରଣ ଓ ଅନୁଶୀଳନ କରିବାକୁ ହେଲେ ନିଜକୁ ମୋଟେ ମୂଷା ବୋଲି ମଣିବାକୁ ପଡ଼େନାହିଁ ଏବଂ ତେଣୁ ପ୍ରାୟ ସକଳ ପ୍ରକାର ଐହିକ ତଥା ପାରତ୍ରିକ କର୍ତ୍ତୃତ୍ଵକୁ ବିଲେଇ ପରି ଦେଖିବାକୁ ମଧ୍ୟ ପଡ଼େନାହିଁ । ସେହିଠାରେହିଁ ସକଳ୍ପର ପ୍ରଶ୍ନ ଉଠିଥାଏ । ସେଠାରେ ବ୍ୟକ୍ତିସଂକଳ୍ପ ସହିତ ବିଶ୍ଵସଂକଳ୍ପର ଏକ ସାଧର୍ମ୍ୟଗତ ସାଦୃଶ୍ୟ ରହିଥାଏ ଓ ତେଣୁ ବିଶ୍ଵକୁ ଆପଣା ଭିତରେ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅନୁଭବ କରାଯାଏ । କେବଳ ସେହି କ୍ଷେତ୍ରରେହିଁ ବିଶ୍ଵଲାଗି ଜୀବନ ବଞ୍ଚିହୁଏ ଏବଂ ତଥାପି ବିଶ୍ଵ କିମ୍ବା ତାହାର ବିଧାତାକୁ ବିଲେଇ କାନରେ ଅନୁଭବ କରିବାକୁ ପଡ଼େନାହିଁ । ସେହି ସମ୍ବନ୍ଧଟିକୁ ଭାରତବର୍ଷର ଅଧ୍ୟାତ୍ମରେ ଆତ୍ମା ଓ ପରମାତ୍ମାର ସମ୍ପର୍କ ବୋଲି କୁହାଯାଇଛି । ବ୍ୟକ୍ତିଜୀବନର ସକଳ ସମର୍ପଣ ସେଠାରେ ସେତୁଟିଏ ପରି କାର୍ଯ୍ୟ କରେ, ଆତ୍ମୀୟତା ଆଣିଦିଏ । ସେତେବେଳେ ସାଧନାର ସକଳ ରୀତି ଏକ ପରମସଖା ସହିତ ସତତ ବାଟ ଚାଲୁଥିବା ପରି ମନେହୁଏ, ସମର୍ପଣକୁ ଅସଲ ସହଯୋଗ ବୋଲି କୁହାଯାଏ ଓ ସହଯୋଗକୁ ଅସଲ ସମର୍ପଣ ବୋଲି କୁହାଯାଏ । ମୁଁ ଆଉ ସିଏ ଏକାଠି ହୋଇ ବାଟ ଚାଲୁଥିବା ପରି ନିତ୍ୟ ଅନୁଭବ ହେଉଥାଏ । କ୍ରିୟାଶୀଳତାହିଁ ପ୍ରତ୍ୟକ୍ଷ ଧର୍ମ ହୋଇ ରହିଯାଏ-

 

୮ । ୧୨ । ୯୧

 

ଜୀବନ କହିଲେ ମୁଁ ସର୍ବଦା ବାଟ ଚାଲିବା ବୋଲି ବୁଝିଥାଏ, ହଠାତ କାହାର ଜୀବନ ବିଷୟରେ କଥା ପଡ଼ିଲେ ସିଏ ସତେଅବା ରାସ୍ତାଟିଏ ଉପରେ ବାଟ ଚାଲି ଯାଉଥିବାର ମୋତେ ଜଳଜଳ ହୋଇ ଦେଖାଯାଏ । ସେଦିନ କଟକ ସହରରେ ବାଟ ଚାଲି ଏଣେତେଣେ ବନ୍ଧୁ ସଙ୍ଖୋଳି ଯାଉଥିବା ସମୟରେ ମୁଁ ସେହିକଥା ଭାବୁଥିଲି । ଭାବୁଥିଲି ନୁହେଁ, ଅନୁଭବ କରୁଥିଲି । ପ୍ରାୟ କୋଡ଼ିଏବର୍ଷ ତଳେ ଆଗ୍ରା ସହରରେ ମୁଁ କେତେ ବାଟ ନଚାଲିଛି ।

 

ନିଜ ଚାରିବାର ଫିତା ପକାଇ ବାଟଗୁଡ଼ିକର କଳନା କଲାବେଳେ ମୋତେ ସ୍ଥାନଗୁଡ଼ିକ ସତେଅବା ଭାରି ନିକଟରେ ଅବସ୍ଥିତ ବୋଲି ଅନୁଭବ ହୋଇଥାନ୍ତି । ଖୋଜ ବଢ଼ାଇଲେ ଖୋଜ ଅବଶ୍ୟ ପାଇଯିବ ବୋଲି ମୋ’ର ସବୁବେଳେ ବହୁତ ବଳ ଆସିଥାଏ । ଏହି ବାଟ ଚାଲିବାକୁ ମୁଁ କେବେହେଲେ ଭୟ କରିନାହିଁ । ଯାନବାହାନ ଚଢ଼ି ଯିବା ଅପେକ୍ଷା ପାଦରେ ଚାଲି ବନ୍ଧୁମାନଙ୍କୁ ସଙ୍ଖୋଳି ଆସିବାକୁ ମୋତେ ଚିରଦିନ ଅଧିକ ମର୍ଯ୍ୟାଦାପୂର୍ଣ୍ଣ ବୋଲି ଲାଗି ଆସିଛି । ଅନେକ ସମୟରେ ଯାନ ବା ବାହାନ ପ୍ରସ୍ତୁତ ରହିଥିଲେ ମଧ୍ୟ ମୁଁ ତଥାପି ହାତରେ ଯଥେଷ୍ଟ ସମୟ ରଖି ପାଦରେ ଚାଲି ଚାଲି ଯିବାକୁହିଁ ଅଧିକ ପସନ୍ଦ କରିଛି । ସମସ୍ତେ କହନ୍ତି, ଘରେ ଓ ବାହାରେ ସମସ୍ତେ କହନ୍ତି, ଚାଲିକରି ଗଲେ ମଣିଷର ଗୋଡ଼ ଥକିଯାଏ । ଚାଲିବା ବାଟକୁ ଚାଲିକରି ଯିବାରେ ମୋ’ର ଗୋଡ଼ କେବେହେଲେ ଥକିନାହିଁ । ବର୍ଷେ ବଦ୍ରୀନାଥ ଓ କେଦାରନାଥ ଏବଂ ଆଉ ବର୍ଷେ ଯମୁନୋତ୍ରୀ, ଗଙ୍ଗୋତ୍ରୀ ଏବଂ ଗୋମୁଖକୁ ମୁଁ ଦିନପରେ ଦିନ ଚାଲିକରି ଯାଇଥିବାର ସ୍ମୃତିଟିକୁ ଏବେ ମଧ୍ୟ ଭୁଲିନାହିଁ । ଗୋଡ଼ଦୁଇଟା ସହିତ ହୃଦୟର ମଧ୍ୟ କେଉଁଠି କେଉଁ ଖିଅ ଲାଗିରହିଛି କେଜାଣି, ହୃଦୟ ଥକିନଗଲା ପର୍ଯ୍ୟନ୍ତ ପାଦମାନେ ଯେ ତଥାପି ଥକି ଯାଆନ୍ତିନାହିଁ, ସେ କଥା ମୁଁ ଅଙ୍ଗେ ନିଭାଇଛି । ମୋ’ର ହୃଦୟ ମୋ’ର ପାଦ ଦୁଇଟାକୁ ନିତି ବଳ ଦେଇଛି । ମୋ’ର ପାଦଦୁଇଟା ମଧ୍ୟ ମୋ’ର ହୃଦୟକୁ ଅନେକ ବଳ ଯୋଗାଇ ଦେଇଛନ୍ତି । ପାଦଦୁଇଟା ଚାଲିଛନ୍ତି ବୋଲି ସଂସାରଟା ଏଡ଼େ କତି ଲାଗୁଛି । ଗହୀର ବା କାନ୍ତାର ଦେଖି ମୋଟେ ଭୟ ଲାଗୁନାହିଁ । ପାଦଗୁଡ଼ିକ ଚାଲିବାରେ ସମର୍ଥ ହୋଇ ରହିଥିବା ପର୍ଯ୍ୟନ୍ତ ଲକ୍ଷ୍ୟମାନେ ମଧ୍ୟ ସତେଅବା ହାତପାଆନ୍ତାରେ ରହିଥିବା ପରି ମନେ ହୋଇଛନ୍ତି । ମୋ’ର ଏହି ଚାଲିବା କେବେହେଲେ ବନ୍ଦ ହୋଇ ନଯାଉ ।

 

୯ । ୧୨ । ୯୧

 

ସାଙ୍ଗମାନେ କ୍ରମେ ସଂସାର ଛାଡ଼ି, ଚାଲି ଯାଉଛନ୍ତି । ସେମାନେ ପିଲାବେଳେ ମୋ’ ସାଙ୍ଗରେ ପାଠ ପଢ଼ୁଥିଲେ, ମୋ’ ସହିତ ଏକାଠି ସ୍ଵପ୍ନ ଦେଖୁଥିଲେ । ସେତେବେଳେ ହୃଦୟଗୁଡ଼ାକ ସତେଯେପରି ସ୍ଵାଭାବିକ ଭାବରେ ଅମରମତା ହୋଇ ରହିଥିଲେ ଏବଂ ସବୁଦିନେ ଆମ ଜୀବନର ଗଛମାନଙ୍କର ଫୁଲ ଫୁଟୁଥିବ ଓ ଫଳ ଧରୁଥିବ ବୋଲି ଧରି ନେଇଥିଲେ । ସିଏ ଗୋଟାଏ ବେଳ ଥିଲା, ସେହି ବେଳ ଅନୁସାରେ ବିଧିଟିଏ ମଧ୍ୟ ରହିଥିଲା । ଆମେ ସମସ୍ତେ ବଡ଼ ହେଲୁ ଯେଝା ରୀତିରେ ବାଟମାନଙ୍କୁ ବାଛିଲୁ । ସ୍ଵପ୍ନ ଅଲଗା ଅଲଗା ହୋଇଗଲା । କିଏ ଜୀବନ ବଞ୍ଚିବ ବୋଲି କୂଅଟିଏ ଖୋଳିଲା ଓ ତାହାରି ଭିତରେ ବାସ କଲା । ଆଉକିଏ ଅଧିକ ଆଲୁଅ ପାଇବ ବୋଲି ଝରକାଗୁଡ଼ିକୁ ବଡ଼ କରି ତିଆରି କଲା । ମାତ୍ର, ରୀତି ଅଲଗା ଅଲଗା ହୋଇଗଲା । ତଥାପି ପରସ୍ପରକୁ ଦେଖିଲେ ସାଙ୍ଗ ବୋଲି ଲାଗୁଥିଲା ।

 

ଏବେ ସେମାନେ ଗୋଟିଏ ଗୋଟିଏ କରି ସଂସାରରୁ ଯିବାକୁ ବାହାରିଲେଣି । କିଏ କେତେ ଯାଏଁ ଅଭିନୟ କରିବ, ସେ କଥା କୁଆଡ଼େ ଆଗରୁ ଫଇସଲା ହୋଇ ରହିଥାଏ ବୋଲି ସଂସାର ଭିତରେ ଥାଇ ଦୁଃଖବାଦୀମାନେ କହିଥାନ୍ତି । ସେମାନେ ସଂସାର ଭିତରେ ପୂରାଦମ୍‌ରେ ଖେଳରେ ମାତିଥିଲେ ମଧ୍ୟ ସଂସାରରୁ ଦିନେ ନା ଦିନେ ଯିବାକୁ ପଡ଼ିବ ବୋଲି ଦୁଃଖରେ ହନ୍ତସନ୍ତ ହେଉଥାନ୍ତି । କେତେ କେତେ ମଣିଷ ଦୁଃଖବାଦୀ ସାହିତ୍ୟବି ଲେଖନ୍ତି । ଏଠୁ ଗଲେ ସେମାନେ ଯେପରି ତେଣେ ଅର୍ଥାତ୍ ସେଠି ଭଲରେ ଶୁଖିଲା ପାଚିଲାରେ ରହିବେ, ସେଥିପାଇଁ ନିଜ ନିଜ କଳ୍ପନାର ମହାମହିମ ଭଗବାନ୍‍ଙ୍କ ପାଖରେ ପ୍ରାର୍ଥନା କରୁଥାନ୍ତି । ମୁଁ ନିଜ ବିଷୟରେ କିଛି ପ୍ରାର୍ଥନା କରିନାହିଁ । ମୁଁ ନିଷ୍କପଟ ଭାବରେ ବଞ୍ଚିବାକୁ, ଖିଅ ଯୋଡ଼ିବାକୁହିଁ ତାଙ୍କ ସଂସାରରେ ମୋ’ର ପ୍ରଧାନ ଧର୍ମ ବୋଲି ଗ୍ରହଣ କରି ନେଇଛି । ତାଙ୍କରି ବଗିଚାରେ ଜୀବନର ଯାବତୀୟ ଆହ୍ଵାନ ଭିତରେ ମାଳିଟିଏ ହୋଇ ରହିବାପାଇଁ ଆପଣାକୁ ଅଧିକରୁ ଅଧିକ ଯୋଗ୍ୟ ଏବଂ ମଣ କରି ଆସିଛି । କାତର ହୋଇ ଏଠାରୁ ଚାଲିଯିବା କଥା ମୁଁ କେବେହେଲେ ଚିନ୍ତା କରିନାହିଁ । ଏଠି ସଂସାର ଭିତରେ ନିତ୍ୟସଖା ହୋଇ ମୋ’ ଭିତରେ ଓ ମୋ’ ବାହାରେ ଯିଏ ମୋ’ ସହିତ ଖେଳୁଛନ୍ତି, ମୋତେ କେତେ ଖେଳର ହୁନ୍ଦର ଭିତରେ ଗୌରବାନ୍ଵିତ କରି ରଖିଛନ୍ତି, ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ପୂର୍ଣ୍ଣତରାକୃତି ଆଣି ଦେଇଛନ୍ତି, ସିଏ ଯେ କଦାପି କେଉଁଠି ହେଲେ ମୋ’ ସାଙ୍ଗ ଛାଡ଼ି ଯିବେନାହିଁ, ମୁଁ ନିୟତ ତାହାହିଁ ଅନୁଭବ କରିଆସିଛି । ତେଣୁ, ଆଦୌ କୌଣସି ସନ୍ଦେହ ମୋତେ ଏଠାଛଡ଼ା କରି ପାରିନାହିଁ ।

 

୧୦ । ୧୨ । ୯୧

 

ଭିତରକୁ କଥା ମାଗିଲେ ଭିତରୁ କଥା ମିଳିଯାଏ । ଭିତରକୁ ବିଷୟ ମାଗିଲେ ବିଷୟ ମିଳିଯାଏ । ଏପରିକି, ଭିତରକୁ ଶବ୍ଦ ମାଗିଲେ ଭିତରୁ ଶବ୍ଦ ମଧ୍ୟ ମିଳିଯାଏ । ପ୍ରତିଦିନ ସକାଳେ ମୁଁ ଏହି ଖାତାରେ କ’ଣ ଲେଖିବି, ସେ କଥା ଅଧିକାଂଶ ଦିନ ଆଗରୁ ମୋଟେ ଠିକ୍ ହୋଇ ନଥାଏ । ଉଚିତ ସମୟରେ ଏଠାରେ ଆସି ବସିଯିବା ପରେ ମୁଁ ହଠାତ ମନକୁମନ ଶାନ୍ତ ହୋଇଯାଏ । ତା’ପରେ ଭିତର ଆଡ଼କୁ ଦରଜା ଖୋଲେ । ମନରେ ବହୁ ଭରସା ଆସି ପଶିଯାଏ । ତା’ପରେ ଶବ୍ଦମାନେ ମିଳିଯାଆନ୍ତି । ମୋ’ର ମନ ଜାଣି ବିଷୟ ମିଳିଯାଏ, ମନ ଜାଣି ଶବ୍ଦଗୁଡ଼ିକ ମିଳିଯାଏ । ଏହି ପ୍ରକ୍ରିୟାଟିରେ ମୁଁ ଆଦୌ କୌଣସି ଠାକୁରଙ୍କୁ ସ୍ମରଣ କରେନାହିଁ ଅଥବା ଭିତରୁ ମତେ କୌଣସି ଠାକୁର ଆଦୌ ଦେଖା ଦିଅନ୍ତିନାହିଁ । ସେଠାରେ ସିଂହାସନ ଉପରେ କିଏ ବସିଥାନ୍ତି, ମୁଁ ସେ କଥା କହି ପାରିବିନାହିଁ । ମାତ୍ର, ସିଂହାସନ କେବେହେଲେ ଖାଲି ପଡ଼ିନଥାଏ । ବାଟ ଚାଲୁଥିବା ମଣିଷର ସିଂହାସନଟି ସମ୍ଭବତଃ କେବେହେଲେ ଖାଲି ହୁଏନାହିଁ । ତାକୁ ତା’ ଭଣ୍ଡାର ମାଲିକ କେବେହେଲେ ଧୋକା ଦିଏନାହିଁ ।

 

ଖାଲି ଏହି ଡାଏରୀର କ୍ଷେତ୍ରରେ ନୁହେଁ, ମୋ’ର ଅଧିକାଂଶ ଲେଖିବାର ବ୍ୟାପାରରେ ପ୍ରାୟ ଏହିକଥା ଘଟେ ଓ ମୋତେ ଜୀବନର ସେହି ଅଦୃଶ୍ୟ ଅଥଚ ପୂର୍ଣ୍ଣପ୍ରତ୍ୟକ୍ଷ ପରମସଖା ଉପରେ ସତତ ବିଶ୍ଵାସ ସ୍ଥାପନ କରାଇ ରଖିଥାଏ । ମାଗିଲେ ମିଳିଯାଏ, ଆଖି ଖୋଲିଦେବାମାତ୍ରକେ ଅଭିପ୍ରେତ ସବୁକିଛି ଦିଶି ଦିଶି ଯାଏଁ । ଦରଜା ଉପରେ ହାତ ବାଡ଼େଇଲାମାତ୍ରକେ ଦରଜା ଖୋଲିଯାଏ । ମୋ’ର ସ୍ମୃତିରେ କିମ୍ବା ସ୍ତରରେ ପ୍ରସନ୍ନ ହୋଇ କିଏ ଯେ ମୋତେ ବର ଦେବାକୁ ତତ‌୍‌କ୍ଷଣାତ ଆସି ଉପସ୍ଥିତ ହୋଇ ଯାଆନ୍ତି, ସେ କଥା ଆଦୌ ହୁଏନାହିଁ । ସେଠି ତଥାପି କିଏ ଯେପରି ସଦାପ୍ରସନ୍ନ ଏବଂ ସଦାସମ୍ମତ, ସଦାପ୍ରସ୍ତୁତ ହୋଇ ରହିଥାଏ । ମୁଁ ଯିବାକୁ ବାହାରିଲେ ମୋ’ ସହିତ ଚଟପଟ ବାହାରିପଡ଼େ । ମୋତେ ଆବଶ୍ୟକ ବଳ ଯୋଗାଇଦିଏ । ଏହି ସବୁକିଛିର ସମ୍ମୁଖୀନ ହେବାଲାଗି ବଳ ଯୋଗାଇଦିଏ । କୌଣସି ନାମକରଣଦ୍ଵାରା ମୁଁ ସେହି ଅତ୍ୟନ୍ତ ବ୍ୟକ୍ତିଗତ ଅନୁଭୂତି ଏବଂ ପ୍ରତିଶ୍ରୁତିଟିକୁ ମୋଟେ ସାନ କରି ଦେବାକୁ, ତା’ ଦେହରେ କଳୁଷ ଲଗାଇ ଦେବାକୁ ଇଚ୍ଛା କରିବିନାହିଁ । କେବଳ, ସିଏ ଅଛି ଓ ମୁଁ ଅଛି ବୋଲିହିଁ ମୁଁ କହିବି । ହୁଏତ ଆମେ, ଭିତରର ମୁଁ ଓ ଉପରର ମୁଁ ଦୁହେଁ ଦୁହିଁଙ୍କୁ ସକ୍ରିୟ କରି ରଖିଛୁ, ମଝିରେ ଥିବା ଏହି ସେତୁଟିକୁ ଗଢ଼ି ରଖିଛୁ ।

 

୧୧ । ୧୨ । ୯୧

 

ଯିଏ ସାହିତ୍ୟକୁ ମନ କରିବ, ସିଏ କ୍ଷମତା ଭିତରକୁ ମନ ବଳାଇବ କିପରି ? ମଣିଷ ଭିତରେ ଦେବତ୍ଵ ରହିଛି ବୋଲି ଯିଏ ଅନୁଭବ କରୁଥିବ, ସିଏ ମଣିଷମାନଙ୍କୁ ଆପଣାର ନାନା ପରାକ୍ରମ ଦେଖାଇ ଗିଳି ପକାଇବାକୁ ଯିବ କିପରି ? ଗୋଟାଏ ଯୁଗ ଥିଲା, ଯେତେବେଳେ କି ରାଜାମାନେ ସାହିତ୍ୟିକମାନଙ୍କୁ ସଭାରେ ବସାଇ ସାହିତ୍ୟରସ ପାନ କରିବାକୁ ମନ କରୁଥିଲେ । ସେତେବେଳେ ସେ ଧର୍ମବକ୍ତାମାନଙ୍କୁ ସଭାରେ ବସାଇ ଧର୍ମକଥା ଶୁଣୁଥିଲେ । ସେତିକିବେଳେ ସାହିତ୍ୟକର ଲୋଭଆଖି ରଜାର କ୍ଷମତା ଆଡ଼େ ଲମ୍ବିଗଲା କି ଏବଂ ସିଏ ମଧ୍ୟ ସାହିତ୍ୟ ଭିତରେ ଏକ କ୍ଷମତାର ପରମ୍ପରାକୁ ଆଣି ପୂରାଇବାକୁ ଆଗ୍ରହ ପ୍ରକାଶ କଲା କି ? ଏବଂ, ଗୋଟାଏ ସମ୍ବନ୍ଧଗତ atavismର ସଂସ୍କାର ହିସାବରେ ତାହା ଆମର ଏକାଳକୁ ମଧ୍ୟ ଗଡ଼ି ଆସିଛି ଓ ଆମକୁ ଏବେ ମଧ୍ୟ ସାହିତ୍ୟ ଭିତରେ ରାଜକୀୟତାର ଗଞ୍ଜଣାଗୁଡ଼ାକୁ ସହିବା ନିମନ୍ତେ ବାଧ୍ୟ କରୁଛି କି ? ଧର୍ମଭିତରେ ମଧ୍ୟ କେତେ ପ୍ରକାରର ପରାକ୍ରମ-ଲାଳସା ପଶି ଧର୍ମଗୁଡ଼ାକୁ ନିତାନ୍ତ ଦୂଷଣଯୁକ୍ତ କରି ସାରିଲାଣି ।

 

ସାହିତ୍ୟ ଭିତରେ କେତେକ ମଣିଷ ଆଗ ସାହିତ୍ୟକୁ ନଲୋଡ଼ି, ଯେତେବେଳେ କ୍ଷମତାକୁ ଲୋଡ଼ନ୍ତି, ସେତେବେଳେ ଏହି ମିଛ ସାମନ୍ତବାଦୀ vestige ଗୁଡ଼ାକ ଭାରି ମନେ ପଡ଼ିଯାଏ । ମଣିଷ ସତକୁସତ ନିଜକୁ ଯେତିକି ଯେତିକି ସାହିତ୍ୟ ଭିତରକୁ ଆରେଇ ଆଣିଥାନ୍ତା, ତା’ର କ୍ଷମତାକାମୀ ମନଟା ସେତିକି ସେତିକି ବଶ ହୋଇ ଯାଇଥାନ୍ତା । କ୍ଷମତାର ଯାବତୀୟ କୋପନପ୍ରବୃତ୍ତି ତା’ଠାରୁ କ୍ରମେ ବିଦା ହୋଇ ଚାଲି ଯାଇଥାନ୍ତା । ସାହିତ୍ୟିକତାର ଚର୍ମାବରଣ ତଳେ ଏହି ରଜାମାନଙ୍କୁ ଦେଖିଲେ ସତେଅବା କେଉଁ ବିଟପୁରୁଷକୁ ନିଜ ଘରକୁ ଡାକି ଆଣିଥିବା ପରି ମନେହୁଏ । ଆମ ଏ ଯୁଗର ଅନେକ ଅସୁନ୍ଦରତାର କାରଣରୂପେ ଏଇଟିର ମଧ୍ୟ ବେଶ୍ ବିଚାର କରାଯାଇପାରିବ । ଏମାନେ ସତକୁସତ ସାହିତ୍ୟକୁ ଭଲ ପାଆନ୍ତି ଅଥବା ରାଜା ହୋଇ ବସିବାକୁ ଅଧିକ ପସନ୍ଦ କରନ୍ତି । ସେ କଥାଟିର ମଧ୍ୟ ମୀମାଂସା ହୋଇଯାଇ ପାରିବ । ଶ୍ରଦ୍ଧା ଯେଉଁଠି ସର୍ବପ୍ରଥମ ମୀମାଂସକରୂପେ ସ୍ଵୀକୃତ ହେବ, ସେଠି ସାମନ୍ତବାଦୀ possession ଲାଳସା ମଧ୍ୟ କାହିଁକି ପଶି ଆସିବାକୁ ଆଦୌ କୌଣସି ପ୍ରଶ୍ରୟ ପାଇବ ? ଗୋଟାଏ ଗୋଟାଏ କ୍ଷମତାଲୋଭୀ ଧର୍ମର ଘରେ ସହସ୍ର ମଣ୍ଡନରେ ଶୋଭା ପାଇବାକୁ ମନ କରୁଥିବା ପର୍ଯ୍ୟନ୍ତ ସେଠାରେ ଭଗବାନ୍‍ଙ୍କର ବା କିପରି ପ୍ରବେଶ ସମ୍ଭବ ହେବ ? ଏହି ରୀତିଟିକୁ ଅରୀତି ବୋଲି କହିଲେ ଯାଇ ମଣିଷ ସତକୁସତ ସାହିତ୍ୟ ଭିତରକୁ ବାଟ ପାଇ ପାରିବ, ଧର୍ମ ଭିତରକୁ ମଧ୍ୟ ବାଟ ପାଇଯିବ ।

 

୧୨ । ୧୨ । ୯୧

 

ତାଙ୍କରି ଘରକୁ ପଶି ସରିବାପରେ ତାଙ୍କୁ ଆଉ ଅଲଗା କରି ଡାକିବାକୁ ପଡ଼େନାହିଁ କିମ୍ବା ତାଙ୍କୁ ଜାଗୃତ କରିବା ନିମନ୍ତେ ଝାଞ୍ଜ ଓ ମୃଦଙ୍ଗ ଧରି ଭକ୍ତିକୋଳାହଳ କରିବାକୁ ପଡ଼େନାହିଁ । ମନ୍ଦିରରେ ବଡ଼ିସକାଳୁ ଭକ୍ତିସଙ୍ଗୀତରେ ଅସରାଗୁଡ଼ାକ ଅଜାଡ଼ି ହୋଇ ପଡ଼ିବାଦ୍ଵାରା ଭଗବାନ୍‍ଙ୍କର ନିଦ ଭାଙ୍ଗେ ବା ମଣିଷମାନଙ୍କର ନିଦ ଭାଙ୍ଗେ, କୋଳାହଳୀମାନେ ଏହି ବିଷୟରେ କ’ଣ ବିଚାର କରିଥାନ୍ତି କେଜାଣି ? କିନ୍ତୁ, ସତ କଥାଟି ହେଉଛି, ତାଙ୍କ ଘରେ ଯାଇ ପଶି ସାରିବା ପରେ, ସିଏ ଯେ ନିରନ୍ତର ଜାଗ୍ରତ ରହିଥିଲେ ଏବଂ ଅପେକ୍ଷା କରି ରହିଥିଲେ, ସେହି କଥାଟିର ପୂର୍ଣ୍ଣ ପ୍ରମାଣ ମିଳି ଯାଇଥାଏ । ଏଇ ମଣିଷହିଁ ଦୂର ହୋଇ ରହିଥାଏ, କେବଳ ତଥାକଥିତ ଏକ ଭଗବାନ୍‍ଙ୍କ ଠାରୁ ନୁହେଁ, ସିଏ ଆପଣାଠାରୁ ମଧ୍ୟ ଦୂର ହୋଇ ରହିଥାଏ, ଆପଣା ଭିତରର ମହାନ୍‍ତମ ଅଂଶଟିକୁ ସେ ପହଡ଼ ପକାଇ ରଖିଥାଏ ।

 

ମୁଁ ତାଙ୍କ ଘରକୁ ପ୍ରବେଶ କରି ସାରିବା ପରେ ସିଏ ମଧ୍ୟ ମୋ’ ଘରେ ଆସି ପ୍ରବେଶ କଲେ ବୋଲି ଅନୁଭବ ହୋଇଥାଏ । ଏବଂ ସେତେବେଳେ ଯାଇ ଜଣାପଡ଼େ ଯେ, ସିଏ ପ୍ରକୃତରେ ସର୍ବଦାହିଁ ମୋ’ ଭିତରେ ରହିଥିଲେ, ମୁଇଁ ଯାହା ତାଙ୍କୁ ଠାବ କରି ପାରି ନଥିଲି । ମୋ’ ଜଗତ୍‍ରେ ମଧ୍ୟ ଯେଉଁସବୁ କବାଟକୁ ମୁଁ ବନ୍ଦ କରି ରଖିଥାଏ, ସିଏ ତାହାରି ସେପାଖରେ ରହିଥିଲେ । କବାଟଗୁଡ଼ିକୁ ଖୋଲିଦେବା ଓ ନିଜ ଭିତରେ ତାଙ୍କର ଦର୍ଶନ ତଥା ସ୍ପର୍ଶ ନ ଲାଭ କରିବା,–ଇଏ କ’ଣ ପ୍ରକୃତରେ ଦୁଇଟା ଘଟନା ଓ ଦୁଇଟା ଅନୁଭବ ? ଶାସ୍ତ୍ରକାରମାନେ ଏବଂ କୀର୍ତ୍ତନକାରମାନେ ହୁଏତ ଅଲଗା ଭାବରେ ଆଉ କ’ଣ କହିପାରନ୍ତି, ମାତ୍ର ମୁଁ ଅନୁଭବରୁ ଦୁଇଟିଯାକକୁ ଗୋଟିଏ ଘଟନା ବୋଲିହିଁ ନିତି ଜାଣୁଛି । ସମ୍ଭବତଃ ସେଇଥିଲାଗି ବାହାରର ସଂକୀର୍ତ୍ତନଗୁଡ଼ାକ ମୋତେ ଖୁବ୍‌ବେଶି ଆକୃଷ୍ଟ କରି ପାରିନାହିଁ । ଏହି ଘରେ ତାଙ୍କର ପାଦ ଆସି ପଡ଼ିବାମାତ୍ରକେ ସବୁକିଛି ପ୍ରସନ୍ନ ହୋଇଉଠେ ଓ ତେଣୁ ଶାନ୍ତ ହୋଇଯାଏ । ବିଶ୍ଵାସ କୋଳାହଳ କରେନାହିଁ, ଖାଲି ଆତୁରତାହିଁ କୋଳାହଳ କରେ । ଖିଅ ଛିଡ଼ାଇ ରହିବାକୁ ନାନାବିଧ କାରଣରୁ ପ୍ରାୟ ଏକ ରତି ବୋଲି କେତେ ମଣିଷ ଗ୍ରହଣ କରି ନେଇଥାନ୍ତି ଓ ସେହି ରତିରୁ ସେମାନେ ନିଜର ବ୍ୟାକରଣଗୁଡ଼ିକ ଅନୁସାରେ ପୁଲକବି ପାଆନ୍ତି । ସେହିମାନେହିଁ ଶାନ୍ତ ହୋଇଯିବାକୁ ବିସ୍ମରଣ ବୋଲି ବିଚାର କରନ୍ତି । ଗୁଡ଼ାଏ ଶବ୍ଦ କରି ନିଜର କାନକୁ ସତେଅବା ଏକ assurance ଦେବାକୁ ଚେଷ୍ଟା କରୁଥାନ୍ତି ।

 

୧୩ । ୧୨ । ୯୧

 

ପୃଥିବୀରେ ଏତେ ଏତେ ସଂଖ୍ୟାରେ ଏବଂ ଏତେ ତୀବ୍ର ଭାବରେ ମହତ୍ତ୍ଵପୂର୍ଣ୍ଣ ନାନା ଘଟନା ଘଟିବାରେ ଲାଗିଛି ଯେ, ଗୋଟାଏ ଗୋଟାଏ ବର୍ଷ କେତେ ଚଞ୍ଚଳ ଯେ ଅତିବାହିତ ହୋଇଯାଉଛି, ସେ କଥା ଆଦୌ ଜାଣି ହେଉନାହିଁ । ପୁରୁଣା ଗଠନଗୁଡ଼ାକ କେତେ ସହଜ ଭାବରେ ଭୁଶୁଡ଼ି ପଡ଼ୁଛି । ସତେଅବା ଏକ ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ ବହୁ ବିପ୍ଳବ ହୋଇଯିବାରେ ଲାଗିଛି । ତଥାକଥିତ ରକ୍ଷଣଶୀଳ ଆଗକୁ ଚିନ୍ତା କରିବାକୁ ଆରମ୍ଭ କଲେଣି । ବହି ପାଠର ନୀତି, ରାଜନୀତି ଧର୍ମ ଏବଂ ସଦୁପଦେଶଗୁଡ଼ାକ ସତେଅବା ଏଣିକି ଆଦୌ କାମ ଦେବନାହିଁ ବୋଲି କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ଧରା ପଡ଼ିଯାଉଛି ।

 

ପୃଥିବୀ ଏକ ନୂଆ ପ୍ରକାରର ସ୍ଵାଧୀନତା ଭିତରେ ତୀବ୍ର ବେଗରେ ପ୍ରବେଶ କରିବାକୁ ଲାଗିଛି । ଏହି ପରିବର୍ତ୍ତନ ସହିତ ଯେଉଁମାନେ ନିଜକୁ ଏକାଧିକ କାରଣରୁ ମଣକରି ପାରୁନାହାନ୍ତି, ଅର୍ଥାତ୍ ଆପଣାର ହୃଦୟକୁ ସେହି ଅନୁସାରେ ସମ୍ମତ କରି ପାରୁନାହାନ୍ତି, ସେମାନେ ମଧ୍ୟ ଏହି ସ୍ଵାଧୀନତାର ସୁଯୋଗ ପାଇ ସତେଅବା ପଛକୁ ଫେରିଯିବାକୁ ମନେ କରୁଛନ୍ତି । ପାଚେରି ଭାଙ୍ଗିବାର ଏହି ମହାପର୍ବରେ ଅନେକ ମଣିଷଙ୍କ ଭିତରେ ଯେଉଁ ଆଦିମଟା ତଥାପି ଆତ୍ମଗୋପନ କରି ରହିଛି, ତାହା ଏକାଧିକ ଆଳରେ ନିଜର ସାନ ଗୋଷ୍ଠୀଟି ନିମନ୍ତେ ଗୁମ୍ଫାଟିଏ ଖୋଜି ପକାଇବାକୁ ତରବର ହେଉଛି, ଆଉକିଏ ନିଜର ଗୁରୁଙ୍କ ପାଇଁ ନୂଆ ଛାମୁଡ଼ିଆଟିଏ ତିଆରି କରୁଛି-। ନାନାବିଧ ସ୍ଥାନୀୟତା ମଣିଷମାନଙ୍କୁ ତଥାପି ନିଜର ସାନ ସାନ ସୀମାଭିତରେ ବାନ୍ଧି ରଖିବାକୁ ଇଚ୍ଛା କରୁଛି । ଏହିସବୁ ଉପସର୍ଗଗୁଡ଼ାକ ମଧ୍ୟ ଦିନେ କଟିଯିବ । ସ୍ଵାଧୀନତାକୁ ଜୀବନର ଅସଲ ଧର୍ମରୂପେ ଗ୍ରହଣ କରିବା ପୂର୍ବରୁ ପୃଥିବୀର ସାମୂହିକ ଅବଚେତନଗୁଡ଼ିକରେ ଜମି ରହିଥିବା କୁନି କୁନି myth ଗୁଡ଼ିକ ମଧ୍ୟ କ୍ରମେ ଏକାନ୍ତ ଅନୁପଯୁକ୍ତ ବୋଲି ସିଦ୍ଧ ହୋଇଯିବେ । ଅବଚେତନର ଆହୁରି ପଶ୍ଚାତ୍‍ରେ ମଣିଷର ସେହି ଶାଶ୍ଵତ ଉତ୍ସସ୍ୱରୂପ ଅବଚେତନଟି ଭିତରେ ଯେଉଁ ସର୍ବସାମାନ୍ୟ ପରମ ଦେବଚେତନା ରହିଛି, ଯାହାର ଆଖି ଏକାବେଳେକେ ସବୁ ଦେଖୁଛି, ଯାହାର କୁଣ୍ଢ ଏକାବେଳେକେ ଏକ ଅଭୂତପୂର୍ବ ସମ୍ବେଦନାରେ ସବୁକିଛିକୁ କେବଳ ସେହି ଗୋଟିଏ ସତ୍ତ୍ଵର ବିଭିନ୍ନ ଅଂଶ ବୋଲି ଅନୁଭବ କରୁଛି, ତାହାହିଁ ପୁରୋଭାଗକୁ ଆସିବ ଏବଂ ସମଗ୍ର ପୃଥିବୀକୁ ଶାସନ କରିବାକୁ ଆରମ୍ଭ କରିବ ।

 

୧୪ । ୧୨ । ୯୧

 

କବି କହୁଛନ୍ତି, ସେ ଲଗ୍ନ ଆଉ ଆସିବନାହିଁ । କାରଣ ତାଙ୍କର ବୟସ ଚାଲିଗଲା । ବୟସଗଛରେ ବଉଳ ହୋଇଥିଲାବେଳେ ତାଙ୍କୁ ସଂସାର ଯେଉଁଭଳି ଦେଖାଯାଉଥିଲା, ଏବେ ବୟସ ଚାଲିଗଲା ପରେ ତାଙ୍କୁ ଆଉ ସେପରି ମୋଟେ ଦେଖା ଯିବନାହିଁ । ତେଣୁ, ସେ ଲଗ୍ନ, ଅର୍ଥାତ୍ କବିତାର ଲଗ୍ନ ଆଉ ମୋଟେ ଆସିବନାହିଁ । ଆମେ କିଞ୍ଚିତ୍ ଓଲଟା ଅଖାଡ଼ୁଆ କରିବି କଥାଟିକୁ କହିପାରିବା । ଯୌବନ ମାଡ଼ି ବସିଥିବା ସମୟରେ କବି ନିଜ ଆଖିରେ ନିଜେ ଯେପରି ଦିଶୁଥିଲେ, ଯେପରି ନିଜ ପ୍ରେମରେ ପଡ଼ିଥିଲେ, ବୟସ ଗଡ଼ିଯିବା ପରେ ଆଉ ସିଏ ନିଜ ଆଖିକୁ ସେଭଳି ଦେଖା ଯାଉନାହାନ୍ତି । ତେଣୁ ତାଙ୍କ କବିତାର ଲଗ୍ନ ଆଉ ଆସିବନାହିଁ । କାରଣ, ସିଏ ଏବେ ନିଜକୁ ଥୁଣ୍ଟା ଗଛଟିଏ ବୋଲି ଦେଖିବାକୁ ଆରମ୍ଭ କଲେଣି । ତେଣୁ, ତାଙ୍କର ଲଗ୍ନ ଆଉ ଆସିବନାହିଁ ।

 

କବିତା କ’ଣ ଖାଲି ବୟସଗଛର ଫଳଟିଏ, ଖାଲି ବୟସଜନିତ, ଶରୀରସୀମାୟତ୍ତ ଯାବତୀୟ ପ୍ରମତ୍ତତା ? ଏହି ବୟସଟାହିଁ ଆଖିକୁ ଘାରିଥିବାବେଳେ କ’ଣ କବିତାକୁ ପ୍ରବେଶାଧିକାର ମିଳେ ? ଅର୍ଥାତ୍, କବି କ’ଣ ଖାଲି ନିଜପାଇଁ ସଂସାରଟାକୁ ଦେଖୁଥାଏ । ଜଣେ ରଜା ଯେମିତି ନିଜ ଦର୍ପଣରେ ନିଜର ଦରବାରଟାକୁ ଦେଖନ୍ତି, ଇଏ କ’ଣ ସେହିପରି ଗୋଟିଏ କଥା ? ଯିଏ ନିଜର ଦର୍ପଣରେହିଁ ଜଗତ୍‍କୁ ଦେଖେ, ସିଏ ବିଚରା କେବଳ ନିଜକୁହିଁ ଭଲ ପାଉଥାଏ । ଏବଂ, ଆହୁରି ଗଭୀରକୁ ଯାଇ ଜଗତ୍‍ର ଦର୍ପଣରେ ନିଜକୁ ଦେଖିବାର ଅନ୍ୟ ପ୍ରସାରଣଟିର ଯୋଗ୍ୟ ନହେଲେ ଗଛରୁ ଚାରିଟା ଦିନରେ ବଉଳମାନେ ଝରିଯିବା ବ୍ୟତୀତ କବିର ଆଉ କି ଗତି ହୋଇପାରିବ ? ଇଏ ମଧ୍ୟ ତଥାକଥିତ ସାହିତ୍ୟର ଆଉଗୋଟାଏ ତତ୍ତ୍ଵ, ଇଏ ହେଉଛି ବିଚରା ପ୍ରଭୁଭୁକ୍‌ମାନଙ୍କର ତତ୍ତ୍ଵ, ରସର ବଜାରରେ ନିପଟ ମଧୁପମାନଙ୍କର ତତ୍ତ୍ଵ । ମଧୁପ ବଗିଚାରୁ ବଗିଚାକୁ ଯାଏଁ । ଏ ଫୁଲରୁ ମଧୁ ସରିଗଲେ ଆଉ ଏକ ଫୁଲକୁ ମଧୁସନ୍ଧାନରେ ଯାଏଁ । ମାତ୍ର, ମଣିଷମଧୁପମାନେ ସେତିକି ମଧ୍ୟ କରିପାରନ୍ତି ନାହିଁ । ନିଜ ହାତରୁ ଦର୍ପଣଟି ଖସିଗଲେ ସେମାନେ ସତେଅବା ସର୍ବସ୍ଵାନ୍ତ ହୋଇ ବସନ୍ତି । ଆକାଶଟାକୁ ବିଦାରି ପକାଇବାକୁ ଇଚ୍ଛା କରୁଥାନ୍ତି-। ଭାବର ଘରେ, ଅନୁରାଗରେ ଘରେ ଦେବାଳିଆ ହୋଇପଡ଼ନ୍ତି । ଏକାତ୍ମତାର ଅଭାବ ଥିଲେ ଏସବୁ ଦୁର୍ଦ୍ଦଶା ହୁଏ । ଭୀରୁମାନେ ଡରି ପଳାଇ ଯାଆନ୍ତି । ଆକାଶ ମଧ୍ୟ ମୁହଁ ଲୁଚାଇ କୁଆଡ଼େ ପଳାଏ ।

 

୧୫ । ୧୨ । ୯୧

 

ମଣିଷମାନେ କପଟୀ ହେଲେ, ମଣିଷମାନେ ଅନ୍ୟାୟୀ ହେଲେ, ମଣିଷମାନେ ଖଳ ହେଲେ । ଭୟ ଗଲା, ମନ୍ଦମାନେ ମାଡ଼ିଆସିଲେ । ତେଣୁ, କବିତାର ଲଗ୍ନ ଚାଲିଗଲା ବୋଲି ଯେଉଁ କବି କବିତାଟିଏ ଲେଖି ଅଭିଯୋଗ କରୁଛି, ତାକୁ ପ୍ରକୃତରେ ଗେହ୍ଲା ବୋଲି କହିବାକୁ ହେବ । ଆଗେ ରାଜସଭାମାନଙ୍କରେ ଯେଉଁ ପ୍ରଶଂସାକାରୀ କବିମାନେ ରାଜାମାନଙ୍କ ପାଇଁ ସାହିତ୍ୟ ଖଟୁଥିଲେ, ସେମାନେ କବିତାକୁ ଗେହ୍ଲା ବୋଲି ଦେଖାଉଥିଲେ । କବିତାକୁ କାମିନୀଟିଏ ବୋଲି କହି କେତେ ଶାନ୍ତି ଓ ତୃପ୍ତି ଲାଭ କରୁଥିଲେ । ସମ୍ଭବତଃ, ସେହି ଐତିହ୍ୟଟି ଏବେ ମଧ୍ୟ ଆମ ଏ ଯୁଗରେ କେତେ କବିଙ୍କର ରକ୍ତରେ ଜଡ଼ି କରି ରହିଯାଇଛି ଏବଂ ପ୍ରାୟ ଏକ ପରମ୍ପରା ହୋଇ ଗଡ଼ି ଗଡ଼ି ଆସିଛି । ତେଣୁ, କବି ଆଗ ରୁଷିବାକୁ ମନ କରୁଛି । ମାନ ଭାଙ୍ଗିବା ପରିବର୍ତ୍ତେ ସିଏ ଆଗ ନିଜେ ମାନ କରି ବସୁଛି ।

 

ଲଗ୍ନ ସବୁବେଳେ ଆସୁଛି, କାରଣ ଆହ୍ଵାନ ସବୁବେଳେ ରହିଛି । ସେହି ଆହ୍ଵାନକୁ ଅନେକ ସମୟରେ ଏକ ଯୁଦ୍ଧଘୋଷଣା ବୋଲିବି କୁହାଯାଇପାରିବ । ସେହି ଆହ୍ଵାନଗୁଡ଼ିକ ଅତୀତ ବା ମଧ୍ୟଯୁଗର ତୁଳନାରେ ବର୍ତ୍ତମାନ ଅନେକ ବେଶି, ଅନେକ ବହୁସ୍ତରୀୟ । ଅସତ୍ୟ ରଡ଼ି କରୁଛି,–ତାହାହିଁ ଯାବତୀୟ ସତ୍ୟଲାଗି ଏକ ଯଥେଷ୍ଟ ଆହ୍ଵାନ ବୋଲି ଅନୁଭୂତ ହେବା ଉଚିତ । ଖଳ ମଣିଷମାନେ ଜୀବନର ମୂଳ ମୂଲ୍ୟ ଏବଂ ଭିତ୍ତିଗୁଡ଼ିକୁ ଗୋଟାସୁଦ୍ଧା ଭୁରାଡ଼ି ଦେବାକୁ ବାହାରିଛନ୍ତି, କ୍ଷମତା ଆମ ସମସ୍ତଙ୍କୁ ରକ୍ଷିତା କରି ବାହାରିବ ବୋଲି ଦିନ ଦିପହରେ ମଧ୍ୟ ନାଗରା ବଜାଉଛି । ତେଣୁ, ଏହାହିଁ ତ ସାହିତ୍ୟର ଲଗ୍ନ, ଏହାହିଁ କବିତାର ଲଗ୍ନ । ଭଗବାନ୍‍ଙ୍କର ଶଙ୍ଖ ତଳେ ପଡ଼ି ଧୂଳିରେ ଲୋଟୁଥିବାବେଳେ କବି କିପରି ଆଉ ଲଗ୍ନ ନାହିଁ ବୋଲି ରୁଷିକରି ଶୋଇବାକୁ ଯିବ-? କବି, ଅନ୍ତତଃ କେତେକ କବି ଆପଣାକୁ ଏହି ଖଳତାନାମକ ରାଜ୍ୟର ଗେହ୍ଲା ରାଜକୁମାରୀ ବୋଲି ଭାବୁଛନ୍ତି କି ? ଫୁଲବନ ଉଜୁଡ଼ିଗଲେ ମାଳିରହିଁ ସବୁଠାରୁ ଅଧିକ ଦୁଃଖ ଓ ଅଧିକ କ୍ରୋଧ ହେବା ଉଚିତ । ଭାରତବର୍ଷରେ ତଥାକଥିତ ସ୍ଵାଧୀନତା ଆସିବାପରେ ଏଠି ଗେହ୍ଲାମାନେ ସେହି ମୂଳଭୂତ କ୍ରୋଧଟିକୁ ଭୁଲି ସାରିଲେଣି । ତେଣୁ ଲଗ୍ନ ଚାଲିଗଲା ବୋଲି ନାଲିଶ କରୁଛନ୍ତି, କବିତା ଲେଖି ନାଲିଶ କରୁଛନ୍ତି । ସେମାନେ କାହା ପାଖରେ ନାଲିଶ କରୁଛନ୍ତି କେଜାଣି ? କାହା ବିରୁଦ୍ଧରେ ନାଲିଶ କରୁଛନ୍ତି କେଜାଣି ? ନିଜ ଗେହ୍ଲାପଣ ବିରୁଦ୍ଧରେ ନାଲିଶ କଲେ ସେମାନେ ହୁଏତ ଅନ୍ଧକାର ଭିତରୁ ଆଲୋକକୁ ଆସିପାରନ୍ତେ ।

 

୧୬ । ୧୨ । ୯୧

 

ନିଜର କିଛି କହିବାର ଥାଏ ବୋଲି ଜଣେ ସାହିତ୍ୟିକ କିଛି ଲେଖେ । କବିତା ହେଉ, ଗଳ୍ପଉପନ୍ୟାସ ହେଉ, ନାଟକ, ପ୍ରବନ୍ଧ ବା ଆଉ ଯାହାକିଛି ହେଉ, କହିବାକୁ କିଛି ଥାଏ ବୋଲି ଜଣେ ଯାହାକିଛି ଲେଖେ । ତେଣୁ, ଯାହା ଲେଖାହେଲା କିମ୍ବା ଯିଏ ତାହାକୁ ଲେଖିଲେ, ତାହା ହୁଏତ ବଡ଼କଥା ହେଲେ ମଧ୍ୟ କଦାପି ସବୁଠାରୁ ବଡ଼କଥା ନୁହେଁ । ସବୁଠାରୁ ବଡ଼କଥା ହେଉଛି, ସମ୍ପୃକ୍ତ ଲେଖକଟିର କ’ଣ କହିବାକୁ ଥିଲା ଅଥବା ଆଦୌ କିଛି କହିବାକୁ ରହିଥିଲା କି ନାହିଁ ।

 

କହିବାକୁ କିଛି ନଥାଇ ମଧ୍ୟ ହୁଏତ ବହୁତ କିଛି ଲେଖା ଯାଇପାରେ । ପାଟିଭିତରେ ଆଦୌ କିଛି ନଥିଲେ ମଧ୍ୟ ଆମେ ଇଚ୍ଛା କଲେ କେଡ଼େ ଆନନ୍ଦର ସହିତ ପାକୁଳି କରିପାରୁ, ପାଟିରେ ସତକୁସତ କିଛି ଅଛି ବୋଲି କଳ୍ପନା କରି ଆମେ ଚମତ୍କାର ପାକୁଳି କରିପାରୁ । ଜଣେ ବ୍ୟକ୍ତିର ଆଦୌ କିଛି କହିବାର ନଥିଲେ ତା’ର ଲେଖା ପଢ଼ୁ ପଢ଼ୁହିଁ ତାହା ଧରା ପଡ଼ିଯାଏ । ଅନେକ ମଣିଷ ସଭାରେ ବସିଥିବା ସମୟରେ ସଭାରେ ବସିଥିବା ମନୁଷ୍ୟମାନଙ୍କର ସଙ୍ଗକୁ ଯେତେ ଅନୁଭବ ନକରନ୍ତି, ନିଜେ ବସିଥିବା ଚଉକିଟାକୁହିଁ ତା’ଠାରୁ ବେଶି ଅନୁଭବ କରିଥାନ୍ତି । ଚଉକିଟାକୁ ଅନୁଭବ କରି ଅତିରିକ୍ତ ମାତ୍ରାରେ ଫୁଲା ଫୁଲା ଦେଖା ଯାଉଥାନ୍ତି । ମଣିଷମାନଙ୍କର ଯାବତୀୟ ସଙ୍ଗକୁ ସେମାନେ ଚଉକିର ଦର୍ପଣ ଉପରେ ଦେଖନ୍ତି । ସେହିପରି, ଗୋଟାଏ ଫମ୍ପା ଖାତିର ପାଇବାକୁବି କେହି କେହି ସାହିତ୍ୟ ଲେଖୁଥାଇ ପାରନ୍ତି । ଅନ୍ତର୍ଗତ ତଥା ସଙ୍ଗଗତ ଜୀବନରେ ଯିଏ ଯେତେ ଗଭୀରକୁ ଯିବାପାଇଁ ଇଚ୍ଛା କରୁଥାଏ, ତାହାର ହୁଏତ ସେତେବେଶି କହିବାକୁ ରହିଥାଏ । ଥୋକେ ସାହିତ୍ୟରସିକ ଥାଆନ୍ତି,–ପାଠକ ଏବଂ ଲେଖକ ଉଭୟ ଶ୍ରେଣୀର ରସିକ, ଯେଉଁମାନେ କି ଆନନ୍ଦ ଲାଭ କରିବାକୁହିଁ ସାହିତ୍ୟରେ ସବୁଯାକ କାମ୍ୟ ବୋଲି ଘୋଷଣା କରିଥାଆନ୍ତି । କିନ୍ତୁ, ପୃଥିବୀରେ ନିଜକୁ related କରି ନରଖିଥିଲେ, Committed କରି ନରଖିଥିଲେ, ତୁମେ ସତକୁସତ କି ଆନନ୍ଦ ଲାଭ କରି ପାରିବ ? ସେହି ଆନନ୍ଦଟାର ମଧ୍ୟ ସ୍ତର ନିର୍ଣ୍ଣୟ କରାଯାଇପାରେ । ଏବେ ଆମର ଗୀତଗୁଡ଼ାକ ଯେପରି ପ୍ରାୟ କିଛି କହନ୍ତିନାହିଁ, କେବଳ କାନଟାକୁ ମିଛଟାରେ କିଞ୍ଚିତ୍ ଓଦା କରିଦେଇ ଯିବାଲାଗି ଉଲ୍ଲସେଇ ଦେଇ ଯାଉଥାନ୍ତି, ଆମ ସାହିତ୍ୟ ମଧ୍ୟ କ’ଣ କେବଳ ଘଡ଼ିଏ ବା କ୍ଷଣେ ଓଦା କରି ଉଲ୍ଲସାଇ ଦେଇଯିବାକୁହିଁ ଆପଣାର ସବୁକାମ ବୋଲି ବିଚାର କରିବ ?

 

୧୭ । ୧୨ । ୯୧

 

ଶ୍ରୀଯୁକ୍ତ ଅଚ୍ୟୁତ ପଟ୍ଟବର୍ଦ୍ଧନ ଓ ଅନ୍ୟମାଙ୍କର ଉଦ୍ୟମରେ ବମ୍ବେ ସହରରେ ପଚାଶ ହଜାର ମଣିଷ ନୀରବ ଶୋଭାଯାତ୍ରାରେ ବାହାରି ଦେଶରେ ସମ୍ପୃକ୍ତ ସମସ୍ତଙ୍କୁ କହିଦେଲେ ଯେ ସେମାନେ ସନ୍ତ୍ରାସବାଦର ପକ୍ଷରେ ନାହାନ୍ତି । ସେମାନେ ଯାବତୀୟ କ୍ଷମତାଧିକାର ଏବଂ ତତ୍‍ସଂଲଗ୍ନ ରାଜନୀତି ଅପେକ୍ଷା ପରସ୍ପର ପଡ଼ୋଶୀ ଓ ହିତାକାଂକ୍ଷୀରୂପେ ମଣିଷ ପରି ବଞ୍ଚିବାକୁ ଇଚ୍ଛା କରନ୍ତି ବୋଲି ଘୋଷଣା କଲେ । ଭାରତବର୍ଷର ସବୁଦିଗରେ ଏହିପରି ନୀରବ ଘୋଷଣାମାନ ହୋଇପାରିବା ଉଚିତ । ଯଦି ସେଠାରେ ଯଥେଷ୍ଟ ମଣିଷ ନମିଳୁଛନ୍ତି, ତେବେ ଦେଶର ବିଭିନ୍ନ ଖଣ୍ଡରୁ ସେଠାକୁ ଏହିଭଳି ମଣିଷମାନେ ଯାଇ ରାସ୍ତାରେ ନୀରବରେ ବାହାରିବା ଉଚିତ ଏବଂ ସନ୍ତ୍ରାସୀମାନଙ୍କର ସିଧା ସମ୍ମୁଖୀନ ହେବା ଉଚିତ । ତେବେ, ସରକାର ଓ ତାଙ୍କର ସୈନ୍ୟଶକ୍ତି ଯାହା କରି ପାରୁନାହିଁ, ଭାରତବର୍ଷରେ ତାହା ସମ୍ଭବ ହୋଇ ପାରିବ । ତ୍ରାସକୁ ତ୍ରାସ ପାରିବନାହିଁ, ଭୀରୁତାକୁ ଭୀରୁତା ପାରିବନାହିଁ; ସାହସହିଁ ପାରିବ, ପ୍ରେମହିଁ ପାରିବ, ସକ୍ରିୟ ସଦିଚ୍ଛା ପାରିବ, ସତ୍ୟାଗ୍ରହ ପାରିବ ।

 

ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କୁ ସାତକୋଟି ନମସ୍କାର । ସିଏ ସନ୍ୟାସୀ ହୋଇ ଯାଇଥିଲେ, ରାଜନୀତିରୁ ବିଦାୟ ନେଇଥିଲେ । ଏତେଦିନ ଫେରିଲେ । ସବୁଠି ଯେତେବେଳେ ସନ୍ତ୍ରାସୀ ଏହିପରି ଫେରିଆସେ, ସେତେବେଳେ ତାହାରିଦ୍ଵାରା ଅସଲ ସଂସ୍ଥାପନଗୁଡ଼ିକ ସର୍ବୋତ୍ତମ ଭାବରେ ସମ୍ଭବ ହୁଏ । ବିଶ୍ଵାସମାନେ ଫେରି ଆସନ୍ତି । ଭଗବାନ୍ ଯେ ସଂସାରକୁ ସଇତାନ ହାତରେ ଛାଡ଼ିଦେଇ ମୋଟେ ପଳାଇଯାଇ ନାହାନ୍ତି; ଏହିପରି ପ୍ରତ୍ୟାବର୍ତ୍ତନଗୁଡ଼ିକଦ୍ଵାରା ସେ କଥା ପ୍ରମାଣିତ ହୋଇଯାଏ । ଚରାଚର ସାହସ ଫେରିଆସେ । Return ଦ୍ଵାରାହିଁ ଯାବତୀୟ withdrawal ସାର୍ଥକ ହୁଏ । ତା’ପରେ ଅସ୍ତ୍ରବଳର ସବୁଯାକ ଆଣ୍ଟ ଭାଙ୍ଗି ସାଧାରଣ ଜୀବନରେ ଯାବତୀୟ ଅଶୁଚି ଓ ଅଶୋଭାର ମୁକାବିଲା କରିବାର ସାହସ ଏବଂ ସାମର୍ଥ୍ୟ ଫେରିଆସେ । ଅନେକ ସମୟରେ ହୁଏତ ତାହାହିଁ ଏକ ନୂତନ ବିପ୍ଳବର ସୂତ୍ରପାତ କରାଏ । ଭାରତବର୍ଷରେ ଯେଉଁ ଅସଲ ବିପ୍ଳବଟିର ପର୍ଯ୍ୟାୟକୁ ଜାଣି ଜାଣି ଗଡ଼ାଇ ଦିଆଯାଇଥିଲା, ଏଥର ହୁଏତ ତାହାରି ଆବିର୍ଭାବ ନିମନ୍ତେ ବାଟ ଖୋଲିଯିବ । ଅସ୍ତ୍ରମାନେ କଦାପି ଭୟ ଦେଖାଇ ଏହି ବିପ୍ଳବକୁ ସମ୍ଭାଳି ଦବାଇ ରଖି ପାରିବେନାହିଁ ।

 

୧୮ । ୧୨ । ୯୧

 

ଲୋକମାନେ ଭିନ୍ନ ମତ ପୋଷଣ କରୁଛନ୍ତି ବୋଲି ସେମାନଙ୍କ ମଧ୍ୟରେ କଳହ ହୁଏନାହିଁ । ଝଗଡ଼ା ସକାଶେ ମତକୁ ଖୁବ୍ ବେଶି ମୋଟେ ଦୋଷ ଦେବା ଉଚିତନୁହେଁ । ମାତ୍ର, ଯେତେବେଳେ ଗୋଟିଏ ପକ୍ଷ ନିଜର ମତଟିକୁ ଆଖି ବୁଜି ଅନ୍ୟ ପକ୍ଷଟି ଉପରେ ଲଦିଦେବାକୁ ଇଚ୍ଛା କରେ, ଅସୁବିଧା ସେତିକିବେଳେ ହୁଏ । ଅସୁବିଧା ସେତିକିବେଳେ ହୁଏ । ଅସୁବିଧାରୁ ପରୋକ୍ଷ ଅଥବା ପ୍ରତ୍ୟକ୍ଷ ପ୍ରତିରୋଧ ଜନ୍ମଲାଭ କରେ ଓ ସେହି ପ୍ରତିରୋଧରୁ କଳହ ହୋଇଥାଏ-। ବୁଝିବା ସମ୍ଭବ ନହେଲେ କଳହ ହୁଏ । ମୋ’ ଧର୍ମକୁ, ମୋ’ର ମତବାଦକୁ, ମୋ’ର ଖିଆଲ ଅଥବା ସଂସ୍କାର କିମ୍ବା ସ୍ଥାନଗତ ସକଳ କ୍ଷମତାକୁ ଆଗ ଲଦି ଦେଇ ଯେତେବେଳେ ମୁଁ ଆଉଜଣେ ମୋ’ କଥାରେ ପୂରା ରାଜି ହୋଇଯାଉ ଅଥବା ମୋ’ର ବୋଲ ମାନିଯାଉ ବୋଲି ଆମେ ଦୁରାଗ୍ରହ କରିବସୁ, ସେତିକିବେଳେ ସଂଘାତ ଆସି ପହଞ୍ଚେ । ଅନେକ କହନ୍ତି, ନିଜ ମତ ବିଷୟରେ ନିଜେ ଦୃଢ଼ ନହୋଇଥିବା ପର୍ଯ୍ୟନ୍ତ ମଣିଷମାନେ ସଚରାଚର ସେହି ମତକୁ ଅନ୍ୟଉପରେ ଲଦିଦେବାକୁ ଇଚ୍ଛା କରୁଥାନ୍ତି ଏବଂ ସେହି ଲଦିଦେବାରେ ସଫଳତା ହାସଲ କରି ଆପଣାର ମତଟା ଠିକ୍ ବୋଲି ବିଶ୍ଵାସ କରିବାକୁ ନିଜଭିତରେ ଏକ ନିର୍ଭରଯୋଗ୍ୟ ପ୍ରତ୍ୟୟ ପାଇ ଯାଇଥାନ୍ତି । ପ୍ରତ୍ୟେକ ମତ ପଛରେ ଏକ ମୂଲ୍ୟବୋଧର suggestion ରହିଥାଏ । ଏବଂ, ସେହି ମୂଲ୍ୟବୋଧ ଅତ୍ୟନ୍ତ ସ୍ଵାଭାବିକ ଭାବରେହିଁ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭିନ୍ନ ହୋଇଥାଏ । ମାତ୍ର ଏତିକି କଥା କଦାପି କୌଣସି କଳହ ସୃଷ୍ଟି କରେନାହିଁ । ଯଦି ମଝିରେ ଅହଂ ବା କୌଣସି ମୂଳ ସ୍ଵାର୍ଥ ଆସି ସେଠାରେ ଭଲଲୋକ ହୋଇ ହସ୍ତକ୍ଷେପ କରିବସେ, ସେଇଥିରୁ ବିଭ୍ରାଟ ଆରମ୍ଭ ହୁଏ ।

 

ଆଉଗୋଟାଏ କଥା ହେଉଛି, ଅନେକ ସମୟରେ କହୁଥିବା କଥା ଓ କଥାରେ ବ୍ୟବହାର କରାଯାଇଥିବା ଶବ୍ଦ ଉପରେ ଆମେ ଅନାବଶ୍ୟକ ଭାବରେ ଏତେ ଭାବପ୍ରବଣ ହୋଇ ଗୁରୁତ୍ଵ ଦେଉ ଯେ, କଥା ପଛରେ ରହିଥିବା ଅଭିପ୍ରାୟଟିକୁ ମୋଟେ ଧରି ପାରୁନାହିଁ । ହୁଏତ ଅଭିପ୍ରାୟ ଠିକ୍ ଥାଏ, ମାତ୍ର କଥା ବାଟ ହୁଡ଼ିଯାଏ । ଶବ୍ଦଗୁଡ଼ିକ ଯେ ଆମର ପ୍ରକୃତ ଅଭିପ୍ରାୟଗୁଡ଼ିକୁ ବ୍ୟକ୍ତ କରିବାରେ କେତେ ଅଳପ ପରିମାଣରେ ସମର୍ଥ, ସେ କଥା ଆମର ମୋଟେ ମନେ ରହେନାହିଁ । ତେଣୁ ମଣିଷମାନେ ଜାଣି ଜାଣି ଦୂରତା ବଢ଼ାନ୍ତି । ସେମାନେ କଥାଗୁଡ଼ାକୁ ସତେଯେପରି ସର୍ବମୀମାଂସକ ବୋଲି ଧରି ନେଇଥାନ୍ତି । ମାତ୍ର, ଅନେକ ସମୟରେ ମୁହଁରୁ କଥା ଖସିଯାଏ ଓ ଅଭିପ୍ରାୟ ଯାହାଥାଏ, ତା’ର ଏକାବେଳେକେ ଏକ ବିପରୀତ ପରିବେଶ ଯେ ସୃଷ୍ଟି କରିବସେ, ଉତ୍ସାହିତ ହୋଇ ଶିଙ୍ଗ ଲଢ଼ାଉଥିଲେ ତେଣେ ଧ୍ୟାନ ଦେବାକୁ ଆମକୁ କୌଣସି ଫୁରୁସତ୍‍ହିଁ ମିଳେନାହିଁ ।

 

୧୯ । ୧୨ । ୯୧

 

କିଏ କହୁଛି ପୃଥିବୀ ଭଲ ଆଡ଼କୁ ଆସୁଛି ତ ଆଉକିଏ କହୁଛି ପୃଥିବୀ ଖରାପ ହୋଇ ହୋଇ ଯାଉଛି । ଇଉରୋପ ମହାଦେଶରେ ଘଟି ଯାଉଥିବା ପ୍ରାୟ ପ୍ରାତ୍ୟହିକ ପରିବର୍ତ୍ତନଗୁଡ଼ିକୁ ଲକ୍ଷ୍ୟ କରି ହୃଷ୍ଟ ହେବା ସଙ୍ଗେ ସଙ୍ଗେ ଏଣେ ନିଜ ଦେଶରେ ନିତି ଘଟୁଥିବା ହତ୍ୟାକାଣ୍ଡଗୁଡ଼ିକରେ ନିରାଶ ହୋଇ ଯାଉଛି । ପୃଥିବୀ ପରି ହୁଏତ ପ୍ରତ୍ୟେକ ମଣିଷ ଭିତରେ ମଧ୍ୟ ସେହିପରି କ’ଣ ଗୋଟାଏ ସଂଶୟ ତାକୁ ଏପାଖସେପାଖ ଟାଣୁଛି । ତା’ ଭିତରେ କେତେବେଳେ ବିଶ୍ଵାସ, ପୁଣି କେତେବେଳେ ଅବିଶ୍ଵାସ, କେତେବେଳେ ସାହସୀଟାଏ ଓ ପ୍ରେମୀଟାଏ, ଆଉ କେତେବେଳେ ତୁଚ୍ଛା ଭୀରୁଟାଏ ଓ ତେଣୁ ନିପଟ ବାଦୁଆଟାଏ । ଯେତେବେଳେ ସିଏ ଯେଉଁଟାକୁ ଆଦରି ନେଉଛି, ଅର୍ଥାତ୍ ଯାହାକୁ ଲୋଡ଼ୁଛି, ତା’ର ମତ ଏବଂ ତା’ର ମନୋଦୃଷ୍ଟିଗୁଡ଼ାକ ମଧ୍ୟ ସେତେବେଳେ ସେହିପରି ହୋଇଯାଉଛି ।

 

ମଣିଷ ନିଜଭିତରେ ଆଉଟିକିଏ ଉପରକୁ ଉଠିଯାଇ ପାରିଲେ ତା’ ଭିତରେ କାମ୍ୟ ଓ ଅକାମ୍ୟର ଏହି ଦ୍ଵନ୍ଦ୍ୱ ଭିତରୁ ମଧ୍ୟ ସିଏ ଉପରକୁ ଉଠିଯାଇ ପାରିବ । ଉପରକୁ ଉଠିଗଲେ ତା’ର ବର୍ତ୍ତମାନର ତଥାକଥିତ ନିରାପତ୍ତାଗୁଡ଼ିକ କାଳେ ବିପନ୍ନ ହୋଇ ପଡ଼ିବେ, ଅନେକ ସମୟରେ ସମ୍ଭବତଃ ସେହି କାରଣରୁ ସିଏ ଯେଉଁଠି ଥାଏ, ସେଇଠି ପଡ଼ିଥାଏ ଓ ଅଧିକଟିଏ ହେବାକୁ ଭୟ କରୁଥାଏ । ତାକୁ ବର୍ତ୍ତମାନର ଏହି ଚିହ୍ନା ତାତ୍‍କାଳିକତାଗୁଡ଼ିକ ସହିତ ବାନ୍ଧି ରଖିଥିବା ଗୁଳାଗୁଡ଼ାକ ଭାରି ଗୁରାଇତୁରାଇ ରଖି ଥାଆନ୍ତି । ସିଏ ହନ୍ତସନ୍ତ ହେଉଥାଏ, ମାତ୍ର ତଥାପି ଏଇଠି ମାଟି କାମୁଡ଼ି ପଡ଼ିଥାଏ । ଏକାବେଳେକେ ଭଲ ପାଇବାକୁ ଓ ଘୃଣା କରିବାକୁ ସିଏ ଯେପରି ଏକ ବ୍ୟାବହାରିକ ଜୀବନଶୈଳୀରୂପେ ଗ୍ରହଣ କରି ନେଇଥାଏ । ଏହାଦ୍ଵାରା ଆଦୌ ପେଟ ପୂରେନାହିଁ, ଆତ୍ମାବି ଭାରି ଉପାସ ରହେ । ସିଏ ପୃଥିବୀର ଦୋଦୁଲ୍ୟମାନ ଘଟନାଗୁଡ଼ିକୁ ଅନାଇ ସେହି ଅନୁସାରେ ଦୋଦୁଲ୍ୟମାନ ହେବାରେ ଲାଗିଥାଏ । ଖରା ପାଖରେ ଖୁସି ହୁଏ, ବର୍ଷା ପାଖରେ ଦୁଃଖୀ ହୁଏ । ଆପଣା ଭିତରେ ଏହି ଉଭୟ ଅନୁରାଗକୁ ନେଇ ଘର କରିବା ପ୍ରକୃତରେ ଏକ ଭୟାବହ ବ୍ୟାପାର-। ହୁଏତ ଏଇଥିଲାଗି ପୃଥିବୀରେ ଅଧିକାଂଶ ମଣିଷ ଦୁଃଖୀ ହୋଇ ରହିଥାନ୍ତି । ସୁଖ ଇଚ୍ଛା କରୁଥାନ୍ତି, ମାତ୍ର ଦୁଃଖ ଭଞ୍ଜୁଥାନ୍ତି । ସାହସୀ ହେବା ନିମନ୍ତେ କେତେପ୍ରକାରେ ପାଗ ବାନ୍ଧୁଥାନ୍ତି, ମାତ୍ର ବହୁବିଧ ଭୀରୁତାର କଚେରିମାନଙ୍କରେ ଭୃତ୍ୟଗିରି କରୁଥାନ୍ତି, ଏବଂ ଉଦ୍ଧାରପାଇଁ ଭଗବାନ୍‍ଙ୍କୁ ଡାକୁଥାଆନ୍ତି ।

 

୨୦ । ୧୨ । ୯୧

 

ଯଦି ମଣିଷ ଭିତରେ ଅହଂକାରଟା ପ୍ରବଳ ହୋଇ ତାକୁ ମାଡ଼ି ବସୁନଥାନ୍ତା, ତେବେ ସିଏ ଏହି ପୃଥିବୀରେ କେତେ କାହାର ଆପଣାର ହୋଇ ପାରୁନଥାନ୍ତା । ଭିତରେ ଯଦି ଏଡ଼େ ନା ଏଡ଼େ ବଡ଼ ହୋଇ ଦିଶିବାର ମନ୍ଦ ସଉକଟା ମଣିଷକୁ ଏତେ ଅସହଜ ଭାବରେ ବାନ୍ଧି ପକାଉ ନଥାନ୍ତା, ତେବେ ସିଏ ଏଠି ଭଗବାନ୍‍ଙ୍କର କେତେ କାମରେ ଲାଗୁନଥାନ୍ତା । ନିଜର କାମଗୁଡ଼ାକୁ ଅଧିକରୁ ଅଧିକ ପକ୍କା କରି କରିବ ଓ ତଦ୍ଦ୍ଵାରା କେବଳ ନିଜପାଇଁ ତଥାକଥିତ ସିଦ୍ଧିମାନଙ୍କୁ ଲାଭ କରିବ ବୋଲି ଏକ ଅଣଆୟତ୍ତ ଉତ୍ସାହ ଭିତରେ ପଡ଼ି ମଣିଷ ନିଜ ଭିତରେ ତଥା ବାହାରେ ଆପଣାର ଯଥାର୍ଥ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ କେଡ଼େ ଦରିଦ୍ର ଓ ବହିଷ୍କୃତ ହୋଇ ରହିନଥାଏ । ସେଥିଲାଗି ଉନ୍ମତ୍ତଙ୍କ ପରି, ଅତି ଆର୍ତ୍ତଙ୍କ ପରି ଯେତେ କ୍ଷତିପୂରଣ ବିଧାନ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସିଏ କେଡ଼େ ଦୟନୀୟ ଭାବରେ ଧରା ପଡ଼ି ନଯାଏ । କାହାରି ହୋଇ ନପାରିବାର ଦୈନ୍ୟଠାରୁ ଆଉ ବଡ଼ ଦୈନ୍ୟ ଜଗତ୍‍ରେ କ’ଣ ଅଛି ? ଆଉ ବଡ଼ ଅଭିଶାପ ବା କ’ଣ ଅଛି ?

 

ଏସବୁ ଭାବିବା ବେଳକୁ ମୋ’ର ସବାଆଗ ସାହିତ୍ୟର କଥାଟି ମନେ ପଡ଼ି ଯାଇଥାଏ । ସାହିତ୍ୟ ଲେଖି ଜାତିର, ଦେଶର ଗୌରବ ବୃଦ୍ଧି କରିବାର ମିଛ ଧ୍ୱନିଗୁଡ଼ାକୁ ଦେଇ ଆମ ସାହିତ୍ୟିକମାନେ ପ୍ରକୃତରେ ଅର୍ଥାତ୍ ନିଜର ଅନ୍ତ୍ର ଭିତରେ ତୁଚ୍ଛା ଆପଣାଟାକୁହିଁ ଅଧିକରୁ ଅଧିକ ପରିମାଣରେ ଫୁଲାଇ ଧରିବାକୁ କେତେ ଚେଷ୍ଟା ନକରନ୍ତି ! ନିଜ ମୁଣ୍ଡ ଉପରେ ସାହିତ୍ୟକୁ ଗଭା କରି ପିନ୍ଧିଥିଲେ ମଧ୍ୟ ନିଜର ଅସଲ ବୃତ୍ତଗୁଡ଼ିକ ମଧ୍ୟରେ ସେମାନେ କେଡ଼େ ଆତ୍ମକାମୀ ହୋଇ ରହିନଥାନ୍ତି । ମୟୂରଚନ୍ଦ୍ରିକାକୁ ମୁଣ୍ଡରେ ଲଗାଇଲେ ସମସ୍ତେ କୃଷ୍ଣ ହୋଇ ଦିଶିପାରିବେ ବୋଲି ସେମାନେ ଯେଉଁ ଭ୍ରମଭିତରେ ଯାଇ ପଡ଼ିଥାନ୍ତି, ସମ୍ଭବତଃ ତାହାହିଁ ସେମାନଙ୍କର ଯାବତୀୟ ପ୍ରକାରର ମହତୀ ବିନଷ୍ଟି ନିମନ୍ତେ କାରଣ ହୁଏ । ଅହଂକାର ଭିତରୁ ଭିତରୁ ଖାଉଥାଏ ଓ ତେଣୁ ବାହାରେ ମଧ୍ୟ ଭାରି ଅଲକ୍ଷଣା କରି ରଖେ । ଭଳିଭଳି ଶୈଳୀରେ ଭଳିଭଳି ବ୍ୟାପାରକୁ ଲେଖି ସାହିତ୍ୟ ବୋଲି ଦେଖାଇଲେ ମଧ୍ୟ ସେଥିରେ କୌଣସି ହୃଦ୍‌ବିସ୍ତାର ସମ୍ଭବ ହୁଏନାହିଁ; ଓଲଟି ଏପରି ସାହିତ୍ୟିକ ଓ ଲୋକମାନେ ସାହିତ୍ୟର ହୃଦୟଟିକୁ ମଧ୍ୟ ଅତ୍ୟନ୍ତ ସଂକୁଚିତ କରି ଆଣନ୍ତି । ସାହିତ୍ୟକୁ ସିଡ଼ି କରି ଯାଉ ଯାଉ ଏକାବେଳେକେ ଭଗବାନ୍‍ଙ୍କ ପାଖରେ ଯାଇ ପହଞ୍ଚିବା, ଭଗବାନ୍‍ଙ୍କର ପୃଥିବୀରେ ଜଣେ ସମ୍ମତ ମଣିଷ ହିସାବରେ ବାଟ ଚାଲିବା, ଯାବତୀୟ ଆଲୋକ ଏବଂ ଯାବତୀୟ ଆନନ୍ଦରେ ଯୋଗ୍ୟ ହେବା,–ବିଚରା ସେମାନଙ୍କର ଭାଗ୍ୟରେ ଆଉ ସେ କଥା ଜୁଟି ପାରେନାହିଁ । ଯାବତୀୟ କୃଷ୍ଣବାଞ୍ଛା ପଛରେ ସେମାନେ ନିଜକୁହିଁ ଲୁଚାଇ ରଖିଥାନ୍ତି ଏବଂ କୃଷ୍ଣଙ୍କୁ ବାହନ କରି ଆପେ ଦଶଭୁଜ ହେବାଲାଗି ସଉକ କରି ବାହାରିଥାନ୍ତି । ସେମାନେ ତଥା ସେମାନଙ୍କର ସାହିତ୍ୟ ଚୁଲିକୁ ମଧ୍ୟ ଯୋଗ୍ୟ ହୁଏନାହିଁ । (.....) ଧରା ପକାଇଦିଏ । ନିଜ ପାଖରେ ନିଜକୁହିଁ ଧରା ପକାଇଦିଏ । ନିଜର ଦେହକୁ ସତକୁସତ ନିଜର କରି ରଖିଥିଲେ ଦେହର ସେହି ଅଭିଯୋଗଟିକୁ ବୁଝିହୁଏ । ଦେହର ସେହି ଅଭିଯୋଗଟିକୁ ବୁଝି ପାରୁଥିଲେ ଆଉ ଦେହ ନାମରେ କୌଣସି ପ୍ରକାର ଅଭିଯୋଗ କରିବାକୁ ଆଦୌ ମନ ହୁଏନାହିଁ ।

 

ସେଦିନ ଦେହ ଭିତରେ ଥାଇ କେଉଁ ପ୍ରତିବାଦୀ ବନ୍ଧୁ ବାହାରକୁ ଖ ଖ ହୋଇ କାଶୁଥିବାର ଯାବତୀୟ ଲକ୍ଷଣରୁ ମୁଁ ସତେଅବା ତାହାରି ପ୍ରତ୍ୟୟ ପାଇ ଯାଉଥିଲି । ଅସଲ ସଙ୍କଟ ଭିତରେ ରହିଛି । ବାହାରୁ ବହୁ ଅସୁନ୍ଦରତାର ଆହ୍ଵାନ, ବହୁ ଅସଙ୍ଗତିର ଆହ୍ଵାନ, ବହୁ ଅସ୍ଵାଭାବିକତା ଏବଂ ଉଗ୍ରତାର ଆହ୍ଵାନ । ଏହି ଆହ୍ଵାନଗୁଡ଼ିକର ଜବାବ ଦିଆଯାଇ ପାରୁଥାନ୍ତା । ସେଗୁଡ଼ିକର ସକୋଳାହଳ କୌଣସି ମୁକାବିଲା ନକଲେ ମଧ୍ୟ ନିଜର ମନୋମତ ବିକଳ୍ପ ଜୀବନଟିଏ ଅତ୍ୟନ୍ତ ନିରୁପଦ୍ରବ ଭାବରେ ବଞ୍ଚି ହେଉଥାନ୍ତା । ଏକାନ୍ତ ବ୍ୟକ୍ତିଗତ କୌଣସି cynic କିମ୍ବା ଆଦର୍ଶବାଦୀ ଏକଶିଙ୍ଗିଆ ଭାବରେ ନୁହେଁ, କୌଣସି ଗୋଟିଏ ବିକଳ୍ପ ଗୋଷ୍ଠୀରେ ବନ୍ଧୁମେଳରେ ବଞ୍ଚି ହେଉଥାନ୍ତା । ଏବଂ ତାହାରିଦ୍ଵାରା ଏହି ଯାବତୀୟ ଉଗ୍ରତାର ମୁକାବିଲା କରାଯାଇ ପାରୁଥାନ୍ତା । ସେ କଥା ଅନେକ ସମୟରେ ହୋଇ ପାରୁନାହିଁ । ବାହାରର ସେହି ବାରମ୍ବାର ଅସମର୍ଥତାର ଧକା ଭିତରେ ଯାଇ ବାଜୁଛି । ଏବଂ, ଭିତରର ସେହି ଦୁଃଖ ସତେଅବା ଦେହର କୌଣସି ଏକ ହଠାତ ଅଶାନ୍ତତାରେ ପ୍ରକଟ ହୋଇ ଉଠୁଛି । ସମସ୍ତେ ଆଗ ନିଜକୁ ଏକ ବୋକଚାଟିଏ ଧରି ବାଟ ଚାଲୁଛନ୍ତି । ସମସ୍ତେ ଆଗ ନିରାପତ୍ତା ଲୋଡ଼ୁଛନ୍ତି । ମୁଁ କହୁଛି, ଚାଲ, ସମସ୍ତେ ଖୁସି ହୋଇ ପରସ୍ପରକୁ ସାଙ୍ଗରେ ନେଇ ଆଗକୁ ବାହାରିଯିବା, ବିଶ୍ଵାସ ଅନୁସାରେ ବାଟଟିଏ ଚାଲିବା । ହୁଏତ ମୁଁ ଅନେକ ସମୟରେ ଯଥେଷ୍ଟ ହୃଦ୍‌ବୋଧ ସୃଷ୍ଟି କଲାପରି ନିଜର କଥାଟିକୁ ସମସ୍ତଙ୍କ ଆଗରେ ଉପସ୍ଥାପିତ କରି ପାରୁନାହିଁ । ଏବଂ, ସେଥିଲାଗି ଏହି ଅଶାନ୍ତ ପୃଥିବୀରେ ରହିଥିବା କ୍ରୁଦ୍ଧ ମଣିଷଙ୍କ ସତ୍ତ୍ୱେ ମୁଁ ବାଟଟିଏ ଚାଲୁଛି ବୋଲି ନିଜକୁ ନିଜେ ନିର୍ଭର ଦେଇ ପାରୁନାହିଁ । ମୋ’ର ସେହି ଅସମର୍ଥତାଟିକୁ ଦେହ ଧରା ପକାଇ ଦେଉଛି । ତଥାପି, ଦଉଡ଼ିଗୁଡ଼ିକ ହାତରୁ ଖସିଯାଇ ପୁନର୍ବାର ହାତକୁ ଆସି ଯାଉଛନ୍ତି; ମୁଁ ସତେଅବା ନିଜର ସଦନକୁ ଫେରି ଆସୁଛି, ନିଜର ଖୁସି ଭିତରକୁ ଫେରି ଆସୁଛି । ଏବଂ, ଦେହ ପୁନର୍ବାର ସୁସ୍ଥ ହୋଇ ଯାଉଛି-

 

୭ । ୧ । ୯୨

 

ଏହି ବର୍ଷର ଶେଷ ଦଶଦିନ ଗୋଟିଏ ଶିବିରରେ ଏକାଠି ହୋଇ ଆମେ ପ୍ରାୟ ଦେଢ଼ଶହ ମଣିଷ କେତେ କାମ କରି ପାରିଲୁ; ଆଗ୍ରହର ସହିତ କିଛି ଅଧ୍ୟୟନ କଲୁ, ପରସ୍ପରର କେତେ ନିକଟବର୍ତ୍ତୀ ହୋଇ ଆସିଲୁ । ସଂଘଶକ୍ତିକୁ ମୁଁ ମୂଳତଃ ଏକ ସ୍ନେହଶକ୍ତି ବୋଲି ଅନୁଭବ କରିଥାଏ । ଲକ୍ଷ୍ୟ ଅବଶ୍ୟ ଥାଏ, ପ୍ରତ୍ୟେକ ବ୍ୟକ୍ତିର ଲକ୍ଷ୍ୟ ପ୍ରତି ଆନୁଗତ୍ୟ ମଧ୍ୟ ରହିଥାଏ । ମାତ୍ର ବ୍ୟକ୍ତି ସ୍ତରରେ ଜଣକୁ ଆଉ ଜଣକ ସହିତ ଅତ୍ୟନ୍ତ ସହଜ ଭାବରେ ବାନ୍ଧି ରଖିଥିବା ଅସଲ ଗଣ୍ଠିଟିକୁ ମୁଁ କେବଳ ସ୍ନେହଶକ୍ତି ବୋଲିହିଁ କହିବି । ସ୍ନେହଶକ୍ତିହିଁ ଯେକୌଣସି ସଂଘକୁ ଉଗ୍ର ହେବାର ପ୍ରମାଦରୁ ବଞ୍ଚାଇ ରଖି ପାରିବ । ଏହି ସ୍ନେହଶକ୍ତିହିଁ ସଂଘଶକ୍ତିକୁ ସମୁଚିତ ମାର୍ଗନିର୍ଦ୍ଦେଶନା ଦେଇ ପାରିବ । ଯେଉଁଠାରେ କେବଳ ଲକ୍ଷ୍ୟଟାହିଁ କେତେ ମଣିଷଙ୍କୁ ଏକାଠି ଗୋଟିଏ ଗୋଷ୍ଠୀରେ ବାନ୍ଧି ରଖିଥାଏ, ସେଠାରେ ସ୍ନେହଶକ୍ତିର ଅଭାବ ଥିଲେ ସମ୍ପୃକ୍ତ ସଂଘସ୍ଥମାନେ ଅଧିକାଂଶ ସମୟରେ ଉଗ୍ର ହୋଇ ପଡ଼ିଥାନ୍ତି । ତଥାକଥିତ ଲକ୍ଷ୍ୟଟା ପ୍ରତି ସେମାନେ ଏତେ ଉଗ୍ର ଭାବରେ ଅତ୍ୟୁତ୍ସାହ ହୋଇ ପଡ଼ନ୍ତି ଯେ, ପରସ୍ପରକୁ ହୁଏତ ଗୋଡ଼ିମାଟି ପରି ଦେଖନ୍ତି, ତଦ୍ଦ୍ଵାରା ବହୁ ପ୍ରମାଦରୁ ସଂଘ ଭିତରକୁ ଡାକି ଆଣନ୍ତି ।

 

ଆମ ଗୋଷ୍ଠୀ କୌଣସି ନିର୍ମମ ଲକ୍ଷ୍ୟସାଧ୍ୟନ ନିମନ୍ତେ ଏକାଠି କରାହୋଇଥିବା ଗୋଡ଼ିମାଟିମାନଙ୍କର ଗୋଷ୍ଠୀ ନୁହେଁ । ଏହା ସୁହୃତ୍‌ମାନଙ୍କର ଗୋଷ୍ଠୀ । ମଣିଷ ମୂଳତଃ ମଣିଷର ସୁହୃତ୍ ହୋଇ ରହିଲେ ସମବେତ ଭାବରେ ତଦ୍ଦ୍ଵାରା ଯାହା ସମ୍ଭବ ହେବ, ତାହା ସର୍ବଶ୍ରେଷ୍ଠ ଅର୍ଥରେ ଅବଶ୍ୟ କଲ୍ୟାଣକାରୀ ହେବ, ଯାବତୀୟ ମହତ୍ ଲକ୍ଷ୍ୟସାଧନରେ ତାହା ନିଶ୍ଚୟ ସହାୟକ ହେବ ବୋଲି ଆମ ଗୋଷ୍ଠୀରେ ଆମେ ବିଶ୍ଵାସ ରଖିଛୁ । ଆମେ ପ୍ରତ୍ୟେକ ନିଜ ନିଜ ସ୍ଵଭାବ ଅନୁସାରେ ବାଟ ଚାଲିବା; ଭିତରକୁ ବାଟ ଚାଲିବା ଏବଂ ବାହାରକୁ ବାଟ ଚାଲିବା,–ଏବଂ, ସେହି ବାଟ ଚାଲିବାରେ ଆମେ ପ୍ରତ୍ୟେକ ପ୍ରତ୍ୟେକକୁ ସାହାଯ୍ୟ କରିବା,–ଏହି ଅସଲ କଥାଟିକୁ ଅନୁଭବ କରୁଥିବା ପର୍ଯ୍ୟନ୍ତ ସ୍ଵୟଂ ଇନ୍ଦ୍ରଦେବତା ମଧ୍ୟ ଆମର ଯାବତୀୟ ପ୍ରୟାସରେ ଆମର ପାଖେ ପାଖେ ଅବଶ୍ୟ ରହିଥିବେ, ଆମ ସହିତ ଏକାଠି ବାଟ ଚାଲୁଥିବେ ଓ ଆମମାନଙ୍କର ଚାଲିବା ପଥରେ ଫୁଲ ଫୁଟି ଫୁଟି ଯାଉଥିବ । ଏହିସବୁ ଶିବିର ଆରମ୍ଭ ହେବାର ସାତବର୍ଷ ଚାଲିଗଲାଣି ଏବଂ ଆମେ ଏହି ଅବଧିଟି ଭିତରେ ନିଜ ଭିତରୁ କେତେ ଗଣ୍ଠି ଫିଟାଇ ଦେଇ ବାହାରେ ପାରସ୍ପରିକ ସମ୍ବନ୍ଧର କ୍ଷେତ୍ରରେ କେତେ ଗଣ୍ଠିରେ ବାନ୍ଧିହୋଇ ରହିଲୁଣି । ବୟସ, ବିଦ୍ୟା ବା ଅନ୍ୟ କୌଣସି ପାର୍ଥକ୍ୟ ଆମ ଆଗରେ ଅନ୍ତରାୟ ହୋଇ ଛିଡ଼ାହୋଇ ପାରିନାହିଁ ।

 

୮ । ୧ । ୯୨

 

ସେଦିନ ଅନୁଗୁଳରେ ବନ୍ଧୁ କହୁ କହୁ କହିଲେ ଦିନେ ଚମ୍ପତିମୁଣ୍ଡାରେ ଯାହା ତିଆର ହୋଇଥିଲା ବା ହେଉଥିଲା, ତାହା ଆଉ କିଛିହେଲେ ରହିଲାନାହିଁ । ସେ କଥା ଶୁଣି ମୋ’ର ମତରେ କି ପ୍ରତିକ୍ରିୟା ହୋଇଥାନ୍ତା ? ବନ୍ଧୁ ଯେଉଁ ଖେଦର ସହିତ ମନ୍ତବ୍ୟଟିକୁ ଦେଲେ, ମୋ’ର ମନରେ ଠିକ୍ ସେହି ଖେଦ ଆଦୌ ନଥିଲା । ପଛକୁ ଅନାଇ କୃତଜ୍ଞ ହେବାର ଅନୁଭବ ପଛରେ ଆଦୌ କୌଣସି ଖେଦ କାହିଁକି ରହିବ ? ଚମ୍ପତିମୁଣ୍ଡାରେ ଚାରିବର୍ଷ କାଳ ମୁଁ ଯାହା ଦେଇପାରିଲି ଅଥବା ଯାହା ହୋଇପାରିଲି ସେଥିଲାଗି ମୁଁ ଜୀବନଯାକ କୃତଜ୍ଞହିଁ ହୋଇ ରହିଥିବି । ଏବେ ମଧ୍ୟ ମୁଁ ସେହି ସବୁକିଛିକୁ ସାଙ୍ଗରେ ଧରି ବାଟ ଚାଲୁଛି, ଆଜିଯାଏଁ ସାଙ୍ଗରେ ଧରି ବାଟ ଚାଲି ଆସିଛି । ଦେଢ଼ମାସ ତଳେ ସେଠାରେ ଗୋଟିଏ ରାତି ଅତିବାହିତ କରୁଥିବା ସମୟରେ ସେହି ସ୍ଥାନର ଗଛ ପତ୍ର, ଆକାଶ ଏବଂ ପାହାଡ଼କୁ ମୁଁ ତାହାହିଁ କହି ହେଉଥିଲି ।

 

କାଲି ପୁନର୍ବାର ଚମ୍ପତିମୁଣ୍ଡା କଥା ପଡ଼ିଥିଲା । ସେମାନେ କୁଆଡ଼େ ପୁଣି ଚମ୍ପତିମୁଣ୍ଡାକୁ କ’ଣ ଗୋଟାଏ ନିର୍ଦ୍ଦିଷ୍ଟ ରୂପ ବା ଆକାର ଦେଇ ଗଢ଼ିବେ । ଏବଂ ସେହି ଅଭିପ୍ରାୟରେ ସେମାନେ ମୋ’ ସମେତ କେତେଜଣ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବାକୁ ଆସିଥିଲେ । ଚମ୍ପତିମୁଣ୍ଡାରେ କ’ଣ ହେବ, ଦିନେ ସେ କଥା ଠିକ୍ ହୋଇ ସାରିଥିଲା । ଏବଂ ସେହି ଅନୁସାରେ ପାହାଚ ପରେ ପାହାଚ ତିଆରି ହୋଇ ଆସୁଥିଲା । ଚାଲୁ ଚାଲୁ ସର୍ବଦା ଆଗକୁ ଆଗକୁ ବାଟ ଦିଶି ଯାଉଥିଲା । ସେତେବେଳେ ସେଠା ପିଲାଏ ମଧ୍ୟ କିପରି ଏକ ଆଖି ପାଇ ଯାଇଥିଲେ କେଜାଣି, ସେମାନେ ମଧ୍ୟ ବାଟଟିଏ କାଢ଼ିବାରେ ଏବଂ ବାଟଟିଏ ଚାଲିବାରେ ମୋତେ କେତେ ସାହାଯ୍ୟ କରୁଥିଲେ । ସେଦିନର ସେମାନେ ବର୍ତ୍ତମାନ କେଡ଼େ ବଡ଼ ହୋଇଗଲେଣି, ସଂସାର କଲେଣି, ବାପାମାଆ ହେଲେଣି । ମାତ୍ର, ସେମାନଙ୍କ ସହିତ ଦେଖା ହୋଇଯିବାମାତ୍ରକେ ଆମେ ସତେଅବା ଆଖି ପିଛୁଳାକେ ସେହି ପୁରୁଣା ଦିନର ଆବେଗଗୁଡ଼ିକ ଭିତରକୁ ଫେରିଯାଉଛୁ ଓ ସେହି ପୁରୁଣା ସମ୍ବନ୍ଧର ପରିପ୍ରେକ୍ଷୀରେ କଥାବାର୍ତ୍ତା କରୁଛୁ । ସେକାଳର ସେହି ଅସଲ ଉଷ୍ମତାଟି ଓ ଅନ୍ତରଖିଅଟି ଏବେ ମଧ୍ୟ ଆମ ଭିତରେ ଅସଲ ଡୋର ହୋଇ ରହିଛି । ଏବେର ହିତୈଷୀମାନେ ସେଠାରେ ଆଉ ଯାହାକିଛି ଗଢ଼ିବେ ବୋଲି ବିଚାର କରୁଥାନ୍ତୁ ପଛକେ, ମୋ’ ଆଗରେ ସେହି ଗୋଟିଏ ଛବିହିଁ ଏପର୍ଯ୍ୟନ୍ତ ଜୀବନ୍ତ ହୋଇ ରହିଛି । ସେହି ଛବିଟିକୁ ମୁଁ ମୋ’ ସାଙ୍ଗରେ ଧରି ବାଟ ଚାଲୁଛି,–ହିତୈଷୀମାନେ ସେହି କଥାଟିକୁ କେତେ କମ୍ ବୁଝିଛନ୍ତି ।

 

୯ । ୧ । ୯୨

 

ଯାବତୀୟ ସାଧନାରେ ପ୍ରଥମେ ସଂକେନ୍ଦ୍ରଣ, ତା’ପରେ ସଂପ୍ରସାରଣ । ପ୍ରଥମେ ନିଜକୁ ସଂଗୃହୀତ କରି ଆଣିବାକୁ ହୁଏ । ଏବଂ, ଯଥାର୍ଥ ଅନୁରାଗର ଏକ ଦୃଷ୍ଟି ଅର୍ଜନ ନକରିଥିବା ପର୍ଯ୍ୟନ୍ତ ସଂକେନ୍ଦ୍ରଣର କାର୍ଯ୍ୟଟି ଆଦୌ ସମ୍ଭବ ହୁଏନାହିଁ । ଯଥାର୍ଥ ଅନୁରାଗ ନପାଇ ଜଣେ ମଣିଷର ଜୀବନରେ ଯାହାକିଛି ତଥାକଥିତ ସଂକେନ୍ଦ୍ରଣର ଶ୍ରମ କରାଯାଇଥାଏ, ସେସବୁ ହେଉଛି ମୁଖ୍ୟତଃ ଏକ ନୀତିବାଦୀର ସଂକେନ୍ଦ୍ରଣ । ଗୋଟାକୁ ଦବାଇ ନରଖିଲେ ନୀତିବାଦୀ ଆଉଗୋଟାକୁ ଆଦୌ ସମକ୍ଷକୁ ଆଣି ପାରେନାହିଁ । ତେଣୁ, ନୀତିବାଦୀମାନେ ସଚରାଚର ନିଜ ଭିତରେ କ’ଣ ହୋଇ ରହିଥାନ୍ତି ଏବଂ ବାହାରେ ହୁଏତ ଆଉଗୋଟାଏ କ’ଣ ଘୋଡ଼ାଇ ହୋଇ ବୁଲୁଥାନ୍ତି । ସଂସାରରେ ସରସିଆ ଦିଶିବାକୁ ନିଜ ଭିତରେ ବିଭକ୍ତ ହୋଇ ନିତ୍ୟସଂଗ୍ରାମ ଯୁଝୁଥାଆନ୍ତି । ଏବଂ, ସେହି ସ୍ଥିତିରେ ତୁଚ୍ଛା ବିକଳ ହୋଇ ରହିବାହିଁ ସାର ହୁଏ । ସଂକେନ୍ଦ୍ରିତ ହେବାର କୌଣସି ପ୍ରଶ୍ନହିଁ ନଥାଏ ।

 

ସଂକେନ୍ଦ୍ରଣ ପରେ ସମ୍ପ୍ରସାରିତ ହେବାକୁ ପଡ଼େ । ଆପଣାର ଯଥାର୍ଥ ପରିଚୟ ଲାଭ କରିବା ସକାଶେ ଯେଉଁସବୁ ଥାନରୁ ଏକଦା ଆପଣାକୁ ପ୍ରତ୍ୟାହୃତ କରି ଆଣିବାକୁ ହୋଇଥିଲା, ଆପଣାର କେନ୍ଦ୍ରଟିକୁ ପାଇ ସାରିବାପରେ ପୁନର୍ବାର ସେହିସବୁ ଆଡ଼କୁ ସମ୍ପ୍ରସାରିତ ହୋଇଯିବାକୁ ପଡ଼େ । ଚେତନାରେ, ଅନୁରାଗରେ ଏବଂ ଏକାତ୍ମତାରେ ସମ୍ପ୍ରସାରିତ ହୋଇଯିବାକୁ ହୁଏ । ଯଥାର୍ଥ ଆଖିଟିକୁ ପାଇଯିବା ପରେ ଦୃଷ୍ଟିକୁ ପ୍ରସାରିତ କରି ଆକାଶ ଯାଏଁ ଦେଖିବାଲାଗି ମଧ୍ୟ ଆଉ ଆଦୌ କୌଣସି ବାଧା ନଥାଏ । ଆକାଶ ଭିତରେ ଆପଣାର ଆଖିଟିକୁ ଆବିଷ୍କାର କରିହୁଏ ଏବଂ ଆପଣାର ଆଖିଟି ଭିତରେ ଆକାଶର ଅନୁରାଗମୟ ଉତ୍ସଟିକୁ ମଧ୍ୟ ଅନୁଭବ କରିହୁଏ । ତେଣୁ, ସଂକେନ୍ଦ୍ରଣକୁ ପ୍ରଥମ ପାହାଚ ବୋଲି କୁହାଗଲେ ସଂପ୍ରସାରଣକୁ ଦ୍ଵିତୀୟ ପାହାଚ ବୋଲି କୁହାଯିବ-। ମାତ୍ର, ଯିଏ ସଂକେନ୍ଦ୍ରିତ ହୋଇ ସାରିବାପରେ ସମ୍ପ୍ରସାରିତ ହେବାରେ କୃପଣତା ଦେଖାଇବ, ସିଏ ହୁଏତ ଅଧ୍ୟାତ୍ମକୁ ଏକ ସମ୍ପ୍ରଦାୟରେ ପରିଣତ କରି ସେଇଠି ଅଟକି ରହିଯିବାକୁହିଁ ଚକ୍ରାନ୍ତ କରି ବସିବ । ସାଧନାର ଇତିହାସରେ ଏମିତି କେତେ କିଏ ଅଟକି ଯାଇଛନ୍ତି ଏବଂ ଅତ୍ୟନ୍ତ ଦୟନୀୟ ଭାବରେ ନିଜର ଅସଲ ଅନୁରାଗ ତଥା ଅସଲ ଔଚିତ୍ୟକୁ ହରାଇ ବସିଛନ୍ତି । ଦରିଦ୍ର ହୋଇ ସେମାନେ ଅତ୍ୟନ୍ତ ଉଗ୍ର-ହୋଇଛନ୍ତି । ପୃଥିବୀଟାକୁ ସତେଅବା ଗିଳି ପକାଇ ସମ୍ପ୍ରସାରିତ ହୋଇ ନପାରି ଥିବାର କ୍ଷତିପୂରଣ କରିବେ ବୋଲି ଭଳିକିଭଳି ଫନ୍ଦି ବାହାର କରିଛନ୍ତି ।

 

୧୧ । ୧ । ୯୨

 

ଫ୍ରଏଡ଼୍ Sublimation କଥା କହିଛନ୍ତି । ଭୀରୁ ମଣିଷଟିଏ ସମାଜରେ କିପରି ତଥାପି ସଫଳ ଓ ସାହସୀ ପରି ଆପଣାକୁ ଅତ୍ୟନ୍ତ ନିରୁପଦ୍ରବ ଭାବରେ ଚଳାଇନେଇ ପାରିବ, ସିଏ ସେହି ପ୍ରସଙ୍ଗରେ Sublimationର ସିଦ୍ଧାନ୍ତଟିକୁ କେତେ ଫେଣେଇ କରି ସୂତ୍ରରେ ସାତସରି କରି ବାନ୍ଧି କହିଛନ୍ତି । ସୂତ୍ରଟାଏ ପାଇଗଲେ ଭୀରୁ ମଣିଷ ଯଦି ପ୍ରକୃତରେ ଥଳ ପାଇଯାଇ ପାରୁଥାନ୍ତା, ତେବେ ଆମର ଏହି ବହୁ ଭୀରୁତାର ପୃଥିବୀରେ ତ ନିତି କେତେ କ’ଣ ସମ୍ଭବ ହୋଇ ପାରୁଥାନ୍ତା । ଫ୍ରଏଡ଼୍‌ଙ୍କ ସହିତ ତାଙ୍କର ସିଦ୍ଧାନ୍ତଗୁଡ଼ାକ ଉପରେ ଗୋଡ଼ ଦେଇ ଅଥଚ ତାଙ୍କର ମୂଳ ଆଖିଗୁଡ଼ିକୁ ଭିତ୍ତି କରି ବିଜ୍ଞାନର ପୃଥିବୀ ଏବେ କେତେ କୁଆଡ଼େ ଆସି ପହଞ୍ଚି ଗଲାଣି । ମଣିଷ ଭିତରେ ତାହା ପରିତ୍ରାଣକାରୀ କେତେ ପ୍ରସ୍ଥର କ୍ରମେ ଆବିଷ୍କାର କଲାଣି, ଏବେ ମଧ୍ୟ କରୁଛି ।

 

ସଂପ୍ରସାରଣ ହେଉଛି ସେହିପରି ଗୋଟିଏ ପରିତ୍ରାଣକାରୀ ପ୍ରସ୍ଥ । ପ୍ରାଚୀନ ତଥା ଆଧୁନିକ କବିମାନେ ଆମକୁ କାବ୍ୟାନୁଭୂତିର ଆଳରେ ଏହି ସଂପ୍ରସାରଣର କଥା କେତେଦିନୁ କହି ଆସିଛନ୍ତି । ଯୁଗେ ଯୁଗେ ବିଭିନ୍ନ ପରମ୍ପରାରେ ରହିଥିବା ଅଧ୍ୟାତ୍ମ ଆମକୁ ସବାମୂଳରେ ସେହି ସଂପ୍ରସାରଣର କଥା କହିଆସିଛି । ଏବେ ତ ସମୀକ୍ଷକମାନେ ସଂପ୍ରସାରଣକୁହିଁ ଯାବତୀୟ pening of visionର ସବାମୂଳ ଉପାୟ ବୋଲି କହିବାକୁ ଆରମ୍ଭ କଲେଣି । ବିଜ୍ଞାନ ମଧ୍ୟ ନାନା ଅଳ୍ପତାର ମୋହକାନ୍ଥଗୁଡ଼ାକୁ ଭାଙ୍ଗି ଏବେ ଆପଣାର ସ୍ଵତନ୍ତ୍ର ପରିଭାଷାଗୁଡ଼ିକୁ ଦେଇ ଚିଦ୍‌ବିସ୍ତାର ଅର୍ଥାତ୍ ହୃଦ୍‌ବିସ୍ତାରର କଥା କହିଲାଣି । ତାହାର ଆହ୍ଵାନଗୁଡ଼ିକୁ ଶୁଣିବାଲାଗି, ବାରିପାରିବା ଲାଗି ଆମ ପାଖରେ ଉପଯୁକ୍ତ ଇନ୍ଦ୍ରିୟଗୁଡ଼ିକ ରହିଥିଲେ ହେଲା । ସଂପ୍ରସାରଣହିଁ ସର୍ବଶ୍ରେଷ୍ଠ Sublimation, ego ଏବଂ super-egoର ସଂଜ୍ଞା କ୍ରମବିସ୍ତାରିତ ହୋଇ ନୂଆ ନୂଆ ଗଭୀରତାକୁ ସ୍ପର୍ଶ କରୁଥିବା ସଙ୍ଗେ ସଙ୍ଗେ ଆମେ ଅନେକେ ଅଙ୍ଗେ ନିଭାଇବାର ସେହି ସ୍ତରଟିରେ ଆସି ପ୍ରବେଶ କରିବାକୁ ମନ ମଧ୍ୟ କଲୁଣି । ପ୍ରଧାନତଃ Inhibitionକୁହିଁ ବ୍ରହ୍ମା ଓ ବିଷ୍ଣୁ ପରି ମାନୁଥିବା ନୈତିକତା ନିତାନ୍ତ ଅଯଥେଷ୍ଟ ବୋଲି ପ୍ରମାଣିତ ହେବାରେ ଲାଗିଛି । ସଂପ୍ରସାରଣର ଏକ ଅନ୍ୟପ୍ରସ୍ଥଯୁକ୍ତ ନୈତିକତା ପୃଥିବୀଯାକ ଜନ୍ମଲାଭ କରୁଛି ।

 

୧୨ । ୧ । ୯୨

 

ସମସ୍ତେ ସରଳରେଖାରେ ଯାଇ ଭଗବାନ୍‍ଙ୍କୁ ଭେଟିବାର ଦମ୍ଭ ବାନ୍ଧିବାରେ ଏତେ ବ୍ୟସ୍ତ ଅଛନ୍ତି ଯେ, ବାଟଗୁଡ଼ାକ ଯେ ସେମାନଙ୍କର ମଧ୍ୟ ଦେଇ ଭଗବାନ୍‍ଙ୍କ ପାଖକୁ ପଡ଼ିଛି, ସେହି ବିଷୟରେ ଆଉ କାହାରି ହୋସ୍ ରହୁନାହିଁ । ସେହି ଶିଖର ଉପରେ ଯେ ସମସ୍ତଙ୍କ ଲାଗି ପ୍ରଶସ୍ତ ସ୍ଥାନ ରହିଛି, ସେ କଥା ବୁଝିବାକୁ ମଧ୍ୟ ଆଉ କାହାରି ତର ସହୁନାହିଁ । ପୃଥିବୀଯାକର ଧର୍ମ ସମ୍ପ୍ରଦାୟମାନେ ସଚରାଚର ନିଜର ରେଖାଟିକୁହିଁ ଏକମାତ୍ର ସରଳରେଖା ବୋଲି ସତେଅବା ଏକ ଆଖିବୁଜା ଉଗ୍ରତାର ସହିତ ମାନି ନେଇଛନ୍ତି । ଏହି ବିଚରାମାନେ ସଂସାରରେ ସେଥିଯୋଗୁଁ ଅନେକ ଗୋଳର କାରଣ ହୋଇଛନ୍ତି । ଗୋଳ ଯେତିକି ଜମିଛି, ସେମାନଙ୍କ ଭିତରେ ଏକ ବ୍ୟାଧିତ ଅବସାଦବୋଧ ସେମାନଙ୍କୁ ସେତିକି ଖାଇ ଖାଇ ଯାଇଛି ।

 

ଆଧ୍ୟାତ୍ମିକତା ଏଭଳି କୌଣସି ସରଳରେଖାରେ ବିଶ୍ଵାସ କରେନାହିଁ । ତେଣୁ, କୌଣସି ଖାସ୍ ପତାକାରେ ମଧ୍ୟ ବିଶ୍ଵାସ କରେନାହିଁ । ସବୁ ପତାକାରେ ସିଏ ଯାବତୀୟ ଆସ୍ପୃହା ପଛରେ ରହିଥିବା ହୃଦୟଟିକୁ ଆବିଷ୍କାର କରିଥାଏ । ଯାବତୀୟ ଯଥାର୍ଥ ପ୍ରଣାମରେ ତାହା ଶରଣାଗତିର ରହସ୍ୟକୁ ଅନୁଭବ କରିବାକୁ ସମର୍ଥ ହୁଏ । ଆଧ୍ୟାତ୍ମିକ ମଣିଷ ଏକା କୌଣସି ଶିଖରର ମାଲିକ ହେବାକୁ ଆଗ୍ରହ ରଖିନଥାଏ । ତା’ର ଯାବତୀୟ ଶିଖରକୁ ସିଏ ସତେଅବା ଏପରି ଏକ ମାତୃକ୍ରୋଡ଼ ପରି ଅନୁଭବ କରୁଥାଏ, ଯେଉଁଠାରେ କି ତା’ସହିତ ଅନ୍ୟ ସମସ୍ତଙ୍କ ନିମନ୍ତେ ପ୍ରଶସ୍ତ ସ୍ଥାନ ରହିଥାଏ । ଆଧ୍ୟାତ୍ମିକ ମଣିଷ ଏକାବେଳେକେ ଅନେକ ବାଟର ଔଚିତ୍ୟକୁ ହୃଦୟଙ୍ଗମ କରିପାରେ, ତେଣୁ ଆଦୌ କୌଣସି ମୁଁ କାରର ଲୋଭରେ କଦାପି ପଡ଼ି ଯାଏନାହିଁ । ଆଧ୍ୟାତ୍ମିକ ମଣିଷ ଅଧିକାର କରେନାହିଁ, ଅଧିକୃତ ହୁଏ । ସମସ୍ତ ଭୁବନର କାର୍ଯ୍ୟରେ ଲାଗିବାକୁହିଁ ସିଏ ଭଗବାନ୍‍ଙ୍କର ଏକ ବିଶେଷ ବରଦାନରୂପେ ଗ୍ରହଣ କରିଥାଏ । ଆପଣା ଭିତରେ ସିଏ କେଉଁ ସର୍ବୋତ୍ତମକୁ ସ୍ପର୍ଶ କରି ରହିଥାଏ କେଜାଣି, ଅନ୍ୟ ସମସ୍ତଙ୍କ ଭିତରେ ସର୍ବୋତ୍ତମର ସ୍ପର୍ଶ ଅନୁଭବ କରି ପାରିଲେହିଁ ସେ ସବୁଠାରୁ ଅଧିକ ସୁଖୀ ହୁଏ । ଅସଲ ସଙ୍ଗର ପରିଚୟ ପାଇଥାଏ ବୋଲି ତାକୁ ମନୁଷ୍ୟସଙ୍ଗ ମୋଟେ କୌଣସି ଆଶଙ୍କାର କାରଣ ହୋଇ ଠିଆ ହେବାକୁ ଆସେ ନାହିଁ । ସିଏ ସବୁବେଳେ ଅନ୍ୟକୁ ଆଗ ବାଟ ଛାଡ଼ିଦିଏ । ଭଗବାନ୍‍ଙ୍କର ବିଜୟ ମଧ୍ୟରେ ଯେ ସମସ୍ତଙ୍କର ବିଜୟ ଏବଂ ବିମୋହନ ଅନ୍ତର୍ଗତ ହୋଇ ରହିଛି, ଆଧ୍ୟାତ୍ମିକ ସଚେତନ ମଣିଷଟିଏ ତାହା ସର୍ବଦା ମନେ ରଖିଥାଏ ।

 

୧୩ । ୧ । ୯୨

 

ପୃଥିବୀଯାକ ଦେଖାଇବେ ବୋଲି ଯେଉଁ ଗୁରୁଜନମାନେ ମତେ ଗୋଟାଏ ଗୁମ୍ଫାରେ ଆଣି ହାବୁଡ଼େଇ ଦିଅନ୍ତି, ସେମାନଙ୍କୁ ମୋ’ର ଅନୁକ୍ଷଣ ପ୍ରାଣେ ଭୟ । ଭଗବାନ୍‍ ମୋତେ ସେହି ଗୁରୁଜନମାନଙ୍କର କବଳରୁ ବଞ୍ଚାଇ ରଖନ୍ତୁ ।

 

ଭଗବାନ୍‍ ଗୁମ୍ଫାରେ ମଧ୍ୟ ଅଛନ୍ତି,–ଏହି ଉକ୍ତିଟିକୁ ମୁଁ ଏକ ସିଦ୍ଧାନ୍ତରୂପେ ଅଲବତ୍ ମାନୁଛି । ମାତ୍ର, ତଥାପି ଆପତ୍ତି କରି କହୁଛି ଯେ, ଭଗବାନ୍‍ ସବୁଠାରେ ରହିଛନ୍ତି ବୋଲି ତତ୍ତ୍ଵତଃ ଗୁମ୍ଫାରେ ମଧ୍ୟ ଅଛନ୍ତି । ଭଗବାନ୍‍ଙ୍କୁ ଏହି ପୃଥିବୀକୁ ଡାକି ଆଣି ଆପଣ କେଉଁଠି ରହିବେ ବୋଲି ଯଦି ତାଙ୍କୁ ପ୍ରଶ୍ନ କରାଯାଏ, କେବେ ସିଏ ହୁଏତ ଅନ୍ୟ ଯେକୌଣସି ସ୍ଥାନରେ ରହିବେ ବୋଲି କହନ୍ତେ ସିନା, ମାତ୍ର ନିଜଆଡ଼ୁ ଆଗ୍ରହ ପ୍ରକାଶ କରି “ମୁଁ ଗୁମ୍ଫାରେ ରହିଚି, ମୋତେ ଗୁମ୍ଫାରେ ନେଇ ରଖ” ବୋଲି ସମ୍ଭବତଃ କଦାପି କହନ୍ତେ ନାହିଁ । ମଣିଷ ଭଗବାନ୍‍ଙ୍କର ମନଟାକୁ କେଉଁ ପାପଫଳରେ ଜାଣି ପାରିଲାନାହିଁ ଓ କାହିଁକି ତାଙ୍କୁ ଗୁମ୍ଫାରେ ନେଇ ରଖିବାର ଦୁର୍ବୁଦ୍ଧି କଲା ? ଏହି ସମ୍ପ୍ରଦାୟମାନେ କାହିଁକି ତିଆରି ହେଲେ, ଭଗବାନ୍‍ଙ୍କୁ ଗୋଟିଏ ଗୋଟିଏ ପିତୁଳା କରି ବସାଇଦେଇ କ’ଣ ପାଇଁ ଲୋଭୀ ଏକନେତ୍ର ବିଶିଷ୍ଟ ଗୁରୁମାନେ ଗୋଟିଏ ଗୋଟିଏ ଭଗବାନ୍‍ ହୋଇ ଏହି ପୃଥିବୀରେ ଖାତିର ପାଇବାର ଲୋଭରେ ଚକା ପକାଇ ବସିଗଲେ ଓ ସତ୍ୟଗୁଡ଼ିକୁ ଗୋଟିଏ ଗୋଟିଏ ପିଣ୍ଡିରେ ପରିଣତ କରି ରଖିଲେ ? ଗୁରୁ ଓ ଗୁରୁଜନମାନେ ଯଦି ବିସ୍ତୃତ ପୃଥିବୀର କଥା କହିଥାନ୍ତେ ଏବଂ ସଦାବିସ୍ତୃତ ପୃଥିବୀର କଥା କହିଥାନ୍ତେ ଏବଂ ସଦାବିସ୍ତୃତ ଓ ସଦାବିମୋଚିତ ଆକାଶକୁ ଭିତ୍ତି କରି ସେହିସବୁ କଥା କହିଥାନ୍ତେ, ତେବେ ଭଗବାନ୍‍ ତ ଏଠାରେ ସକଳ କ୍ଷେତ୍ରରେ ପ୍ରତ୍ୟକ୍ଷ ହୋଇ ଦିଶୁଥାନ୍ତେ । ମଣିଷମାନେ ତାଙ୍କୁ ପରସ୍ପର ଭିତରେ ଦିଶୁଥାନ୍ତେ, ଏକ ମୂଳଭୂତ ସଖ୍ୟ ସେମାନଙ୍କୁ ପରସ୍ପର ସହିତ ନିବିଡ଼ ଭାବରେ ବାନ୍ଧି ରଖିଥାନ୍ତ । ଭଗବାନ୍ ମୋତେ ଶକ୍ତି ଦିଅନ୍ତୁ, ସ୍ଵାଭିମାନ ଦିଅନ୍ତୁ, ଯେପରିକି ଗୁମ୍ଫାଅଭିପ୍ରେତ କୌଣସି ପ୍ରକାର ଚକ୍ରାନ୍ତରେ ମୁଁ କଦାପି ରାଜି ହୋଇ ଯିବିନାହିଁ । ଗୁମ୍ଫାଭିତରେ ପଶିଗଲେ ଯେଉଁ ମୁକ୍ତି ସହଜରେ ମିଳିଯାଏ ବୋଲି ଗୁମ୍ଫାପ୍ରେମୀ ମହାନ୍‌ମାନେ ସତେଅବା ସବୁ ଜାଣିଥିବା ପରି ଅହରହଃ ଘୋଷି ହେଉଛନ୍ତି, ମୋ’ର ସେହି ମୁକ୍ତିରେ କୌଣସି ପ୍ରୟୋଜନ ନାହିଁ । ନିଜର ନିଦାରୁଣ କାନ୍ଥଗୁଡ଼ାକୁ ଭାଙ୍ଗି ଦେଇ ସହଜ ହୋଇ ବିସ୍ତୃତ ପୃଥିବୀ ମଧ୍ୟକୁ ବାହାରିଆସୁ ବୋଲି ମୁଁ ଗୁମ୍ଫାପାଖରେ ମଧ୍ୟ ନିବେଦନ କରୁଛି-

 

୧୪ । ୧ । ୯୨

 

ସହାନୁଭୂତି ନଥିବ, ସ୍ନେହମମତା ନଥିବ, ସମଦରଦ ବୋଲି କେଉଁଠି କିଛି ନଥିବ, ସେଠି ପୁଣି ଭଗବାନ୍‍ ଅଛନ୍ତି ବୋଲି କାହିଁକି କୁହାଯିବ ? ଯେଉଁଠି ବ୍ୟକ୍ତି ବ୍ୟକ୍ତି ଭିତରେ ଯୋଜନ ଦୂରତା ଓ ତଜ୍ଜନିତ ନାନାବିଧ ଈର୍ଷା ରହିଥିବ, ସେଠାରେ ଭିତରେ କେଉଁ ଗହନ ଭିତରେ ଆତ୍ମା ବୋଲି ପଦାର୍ଥଟିଏ ରହିଛି ବୋଲି କାହିଁକି ଦାବି କରାଯିବ ? ସମସ୍ତେ ସତେଅବା କେବଳ ନିଜର ନାକଅଗଟାକୁ ଦେଖିଲା ପରି ସଡ଼ସଡ଼ ହୋଇ ଆଗକୁ ମାଡ଼ି ଯାଉଥିବେ ଅଥବା ଉପରକୁ ଉପରକୁ ଚଢ଼ି ଯାଉଥିବା ପରି ଅନୁଭବ କରୁଥିବେ ଅଥଚ ସାଙ୍ଗରେ ଅନ୍ୟମାନେ ମଧ୍ୟ ଯାଉଛନ୍ତି ବୋଲି ସେମାନଙ୍କର କୌଣସି ହୋସ୍‍ବି ନଥିବ,–ସେଠାରେ ମୁଁ ତୁଚ୍ଛା ପିତୁଳାଗୁଡ଼ାକରେ ଭୁଲି କ’ଣ ପାଇଁ ଭଗବାନ୍‍ଙ୍କୁ ସ୍ପର୍ଶ କରି ପାରିବାର ପ୍ରତ୍ୟାଶା କରିବାକୁ ଯିବି ? ସେହି ବାଟ ଆଉ କାହାପାଇଁ ହୋଇଥାଉ ପଛକେ, ତାହା ମୋ’ର ବାଟ ନୁହେଁ । କୌଣସି ପ୍ରକାରର ପ୍ରଲୋଭନ ମୋତେ ସେହି ବାଟରେ କଦାପି ହୁଡ଼ାଇ ନେଇ ପାରିବନାହିଁ ।

 

ତୁମେ ମୋତେ ଏହି ସଂସାର ଭିତରେ ପ୍ରତ୍ୟେକ ବ୍ୟକ୍ତି ଭିତରେ କାଳ କାଳ ଧରି ଅପେକ୍ଷା କରିଥିବା ଭଗବାନ୍‍ଙ୍କର କଥା କହ, ମୁଁ ତୁମ କଥାରେ ବିଶ୍ଵାସ କରିବି, ତୁମ କଥା ଶୁଣିବି ଓ ତୁମର ସାଙ୍ଗ ହେବି । ସଂସାର ଭିତରେ ମନ୍ଦିର ନାମରେ ବନ୍ଦିଶାଳାଗୁଡ଼ାକୁହିଁ ଉଚ୍ଚ ଓ ଅତ୍ୟୁଚ୍ଚ କରି ଗଢ଼ି ବହୁ ପ୍ରତୀକ ଓ ଭେକ ଭିତରେ ଆଖିଗୁଡ଼ାକୁ ଭୁଲାଇ ତୁମେ ଯେତେ ଘଣ୍ଟ ବାଡ଼େଇ ତର୍ଜନା କଲେ ମଧ୍ୟ ମୁଁ ତୁମ କଥାରେ କଦାପି ଭଳି ଯିବିନାହିଁ । ଆସ, ମୋ’ର ସାଥୀ ହୁଅ, ତେବେଯାଇ ମୁଁ ତୁମଠାରେ ବିଶ୍ଵାସ ରଖିବି, ତୁମର ସାଧୁତା ଉପରେ ମଧ୍ୟ ଆସ୍ଥା ରଖିବି । ତୁମ ଶାସ୍ତ୍ରଗୁଡ଼ାକରେବି ସାଧୁତା ରହିଛି ବୋଲି ସ୍ଵୀକାର କରିବି । ସାନ ସାନ ସମ୍ବନ୍ଧ ଭିତରେ ନିତାନ୍ତ ଅନୌପଚାରିକ ଓ ଆଭରଣରହିତ ଭାବରେ ଯଦି ତୁମେ ତାଙ୍କୁ ଅନ୍ଵେଷଣ କରିବାକୁ ରାଜି ଅଛ, ତେବେ ବାଟ ଚାଲିବାରେ ମୁଁ ନିଶ୍ଚୟ ତୁମର ସଙ୍ଗୀ ହୋଇ ବାହାରିବି । ତୁମର ଆଖିଭିତରେ ସରାଗରେ ଅଫିମ ଖାଇଥିବାର ବିହ୍ଵଳତା ଦେଖୁଥିବା ପର୍ଯ୍ୟନ୍ତ ମୁଁ ତୁମକୁ ସର୍ବଦା ସତର୍କତା ସହିତ ଲକ୍ଷ୍ୟ କରୁଥିବି, କଦାପି ସାଙ୍ଗ ହେବିନାହିଁ ।

 

୧୫ । ୧ । ୯୨

 

ତଥାକଥିତ ନିମ୍ନଟାଠାରୁ ରକ୍ଷା ପାଇବା ନିମନ୍ତେ ଅନେକ ମଣିଷ ତାହାସହିତ ଯୁଝିବାରେ ଲାଗିଥାନ୍ତି । ପ୍ରଧାନତଃ ଯୁଝିବାକୁ ପଡ଼ୁଥିବାରୁ ସେମାନେ ସମୁଦାୟ ପଥଟିକୁ ବଡ଼ ଦୁର୍ଗମ ବୋଲି କହୁଥାନ୍ତି । ଯୁଦ୍ଧ କରି ବାରବାର ହାରୁଥାନ୍ତି, ହାରି ଯାଇଥିବାର ନାନା ଲଜ୍ଜାରେ ସଚରାଚର ଅବଦମିତ ହୋଇ ରହିଥାଆନ୍ତି । ସେମାନେ ଫୁଲ ଫୁଟିବାର ସ୍ଵାଭାବିକ ଆନନ୍ଦଟିକୁ ନିଜ ଭିତରେ ପ୍ରତ୍ୟକ୍ଷ କରିବାର ଭାଗ୍ୟଟିକୁ ଅନୁଭବ କରି ପାରନ୍ତିନାହିଁ । ଅନେକ ସମୟରେ ସେହି ତଥାକଥିତ ନିମ୍ନଟାକୁ ପଙ୍କ ପରି ବ୍ୟବହାର କରି ପଦ୍ମଟିଏ ଯେ ଫୁଟିଉଠେ, ସେମାନେ ତାହା ସ୍ଵୀକାର କରିବାକୁ ମଧ୍ୟ କୁଣ୍ଠାବୋଧ କରୁଥାନ୍ତି । ଆପଣାର ସେହି ପଙ୍କଟି ପାଖରେ ସବା ଅକୃତଜ୍ଞ ହୋଇ ରହିଥାନ୍ତି । ତେଣୁ, ଯୁଝିବା ବ୍ୟତୀତ ସେଇଟି ସହିତ ଆଉ ଅନ୍ୟ କୌଣସି ପ୍ରକାର ସମ୍ବନ୍ଧ ସମ୍ଭବ ହୋଇପାରନ୍ତା ବୋଲି କଳ୍ପନା ମଧ୍ୟ କରି ପାରନ୍ତିନାହିଁ ।

 

ମୁଁ ଜୀବନରେ ଖୁବ୍ ବେଶି କାହାସହିତ ଯୁଝିନାହିଁ । ଭିତରେ ଯୁଝିନାହିଁ କି ବାହାରେ ମଧ୍ୟ ଯୁଝିନାହିଁ । କାହାକୁ ଡର ମାଡ଼ୁଥିଲେହିଁ ଜଣେ ମଣିଷ ତା’ ସହିତ ଯୁଝିବା ସକାଶେ ଅସ୍ତ୍ର ଖଲଖଲ କରିବାରେ ଲାଗିଥାଏ । କୌଣସି ଅରଣ୍ୟକୁ ମୁଁ କଦାପି ଭୟ କରିନାହିଁ । ମୋତେ, ଏପରି ଆଲୋକଟିଏ ଅନୁକ୍ଷଣ ସାହାଯ୍ୟ କରି ଆସିଛି, ଯାହାକୁ ସାଙ୍ଗକରି ଧରିଥିବା ପର୍ଯ୍ୟନ୍ତ ଯାବତୀୟ ଅରଣ୍ୟ ମଧ୍ୟ ମୋତେ ଉଜ୍ଜ୍ଵଳ ହୋଇ, ଆପଣାର ହୋଇ, ଅତ୍ୟନ୍ତ ସକାରାତ୍ମକ ହୋଇ ଦେଖାଯାଇଛି । ନକାରାତ୍ମକଠାରୁହିଁ ଯାବତୀୟ ଭୟ ଉତ୍ପନ୍ନ ହୋଇଥାଏ । ନିଜ ଜୀବନରେ ସବୁଠି ମୋ’ପାଇଁ, ସତେଅବା ସବୁ ଦୁଆରଗୁଡ଼ିକ ଖୋଲି ଯାଉଥିବା ପରି ଅନୁଭବ ହୋଇଛି । ତେଣୁ, ନକାରାତ୍ମକତାର ଅନେକ ଦୁର୍ଗତିରୁ ମୁଁ କେଡ଼େ ସହଜ ଭାବରେ ରକ୍ଷାପାଇ ଯାଇଛି । ମଣିଷ ଆଡ଼କୁ ଅନାଇବା ବେଳକୁ ତା’ ଭିତରେ ରହିଥିବା ଆଲୋକଟିହିଁ ମୋ’ର ସବାଆଗ ଦୃଷ୍ଟିଗୋଚର ହୋଇପାରିଛି । ତା’ର ପଙ୍କଟାକୁ ଉଖାରି ଆବିଷ୍କାର କରିବାଲାଗି ମୋ’ର କେବେହେଲେ କୌଣସି ଆଗ୍ରହ ହୋଇନାହିଁ ବୋଲି କାହାପାଖରୁ ନିଜର ପଙ୍କଗୁଡ଼ାକୁ ଲୁଚାଇ ଧରିବାର ନରଖର ଅବସ୍ଥା ମଧ୍ୟ ମୋତେ କେବେହେଲେ ଭୋଗିବାକୁ ପଡ଼ିନାହିଁ । ଜୀବନରେ ଅନେକ ଦୁଃଖ ଆପେ ଆପେ କଟିଯାଇଛି ।

 

୧୬ । ୧ । ୯୨

 

ବାବୁ କହିଲେ, ସିଏ ଏପରି ଗୋଟିଏ ସ୍କୁଲ କରିବାକୁ ମନସ୍ଥ କରିଛନ୍ତି, ଯେଉଁଠାରେ ପିଲାମାନଙ୍କର ଜାତକ ଦେଖି ସେମାନଙ୍କୁ ଗ୍ରହଣ କରାଯିବ । ଅର୍ଥାତ୍, ଯେଉଁମାନଙ୍କର ଗ୍ରହ, ନକ୍ଷତ୍ର, ଅଥବା ହସ୍ତରେଖା ସେମାନଙ୍କର ଭବିଷ୍ୟଗତ ବିଷୟରେ ଭଲ ସୂଚନା ଦେଉଥିବ, ଠିକ୍ ସେହିଭଳି ପିଲାମାନେହିଁ ଏହି ପ୍ରସ୍ତାବିତ ବିଦ୍ୟାଳୟରେ ଆସି ନାମ ଲେଖାଇ ପାରିବେ । ସେମାନେ ସମସ୍ତେ ଆବାସିକ ଭାବରେ ରହିବେ ଏବଂ ବିନା ଶୁଳ୍କରେ ପାଠ ପଢ଼ିବେ । ଧାରଣାଟି ପ୍ରକୃତରେ ବିଚିତ୍ର । ଏବଂ, ଯାବତୀୟ ଧାରଣା ପଛରେ ଯେପରି ଅବଶ୍ୟ ଏକ ବିଶ୍ଵାସ ରହିଥାଏ, ଏଠାରେ ମଧ୍ୟ ସେହିପରି କେତେକ ବିଶ୍ଵାସ ରହିଛି । ଅର୍ଥାତ୍, କେତେକ ଅବିଶ୍ଵାସ ମଧ୍ୟ ଅବଶ୍ୟ ରହିଛି ।

 

ପ୍ଲେଟୋ ତାଙ୍କର ଶାସ୍ତ୍ରରେ ସୁନାମାନଙ୍କୁ ବାଛି ସେମାନଙ୍କୁ ଅଲଗା ଅନୁରୂପ ପାଠ ପଢ଼ାଇବାରେ ଯେଉଁ ବରାଦ କରାଇଥିଲେ, ସେଥିରେ ରୁପା ଏବଂ ତମ୍ବାମାନଙ୍କ ମଧ୍ୟରୁ ସୁନାମାନଙ୍କୁ ଅଲଗା କରି ବାଛିବା ନିମନ୍ତେ ଜାତକ ବା ହସ୍ତରେଖା ପ୍ରଭୃତିକୁ ସହାୟକରୂପେ ଗ୍ରହଣ କରାଯିବାର ପରାମର୍ଶ କେତେଦୂର ରହିଥିଲା, ମୋତେ ସେ କଥା ଜଣାନାହିଁ । ଜାତକ ଓ ହସ୍ତରେଖା କେତେଦୂର ଜଣେ ଶିଶୁର ଭବିଷ୍ୟଭାଗ୍ୟର ସୂଚନା ଦେଇପାରନ୍ତି ବା ପାରନ୍ତିନାହିଁ, ମୁଁ ସେ କଥା ମଧ୍ୟ ଜାଣିନାହିଁ । ଗୋଟାଏ ଗୋଟାଏ ସମାଜରେ ଜାତିର ଭଲ ଓ ଭେଲର ବିଚାର କରି ପିଲାମାନଙ୍କୁ ପାଠ ପଢ଼ିବା ଲାଗି ଗ୍ରହଣ କରାଯାଉଥିଲା । ଆମ ବାବୁ ଜାତି ନିର୍ବିଶେଷରେ ସବୁ ପିଲାଙ୍କର ଜାତକ ଦେଖି ସେଥିରୁ କେବଳ ଉଚ୍ଚକପାଳିଆମାନଙ୍କୁ ଗ୍ରହଣ କରିବେ କି ନାହିଁ, ସେ ବିଷୟରେ ଆଦୌ କିଛି କହିଲେ ନାହିଁ । ଭାରତବର୍ଷରେ ଏପରି ମନୁଷ୍ୟହିତୈଷୀ ଏବେ ମଧ୍ୟ ଅଛନ୍ତି, ଯେଉଁମାନେ ତଥାପି ମନୁଷ୍ୟ ମନୁଷ୍ୟ ଭିତରେ ଭଳିଭଳି ପାତରଅନ୍ତର ରଖିବାକୁ ଇଚ୍ଛା କରୁଛନ୍ତି । ଯେଉଁମାନଙ୍କର ଜାତକରେ ଭବିଷ୍ୟ ବିଷୟରେ ଆଦୌ କୌଣସି ପ୍ରକାର ଉଜ୍ଜ୍ଵଳତା ରହିଥିବାର ସୂଚନା ମିଳୁନାହିଁ, ସେମାନଙ୍କର ସମ୍ଭାବନା ବିଷୟରେ ମଧ୍ୟ ଏମାନେ ଆଦୌ କୌଣସି ବିଶ୍ଵାସ ରଖିବେନାହିଁ ବୋଲି ମୂଳରୁ ଧରି ନେଇଛନ୍ତି । ପ୍ରତ୍ୟେକ ମନୁଷ୍ୟ ଭିତରେ ଭଗବାନ୍‍ ରହିଛନ୍ତି ଏବଂ ପ୍ରକାଶିତ ହେବାକୁ ଅପେକ୍ଷା କରି ରହିଛନ୍ତି ବୋଲି ବିଶ୍ଵାସ କରିବାକୁ ଏହି ସାଧୁଇଚ୍ଛା ରହିଥିବା ବ୍ୟକ୍ତିମାନେ କେଡ଼େ ସହଜରେ ମନା କରିଦେଇ ପାରୁଛନ୍ତି, ସେ କଥା ଭାବିଲେ ପ୍ରକୃତରେ ଭାରି ଆଚମ୍ବିତ ମନେହୁଏ । ପୃଥିବୀରେ ଅଧ୍ୟାତ୍ମ ଭିତରେ ମଧ୍ୟ କିପରି କେତେଭଳି ପାତରଅନ୍ତର ପଶି ମଣିଷକୁ ନିତାନ୍ତ ନିଷ୍ଠୁର ଏବଂ ଅଜାତିଆ କରି ରଖିଛି, ବାହାରେ ସବୁଭଳି ଆସ୍ତିକବତ୍ ଆଚରଣ ସତ୍ତ୍ୱେ ଭିତରେ ସେମାନଙ୍କୁ କିଭଳି ନାସ୍ତିକ କରି ରଖିଛି, ମୁଁ ସେହିକଥା ଭାବିଥାଏ । ପିଲାଙ୍କ ପରି ସେଠାରେ କ’ଣ ଜାତକ ଦେଖି ଶିକ୍ଷକମାନଙ୍କୁ ମଧ୍ୟ ଗ୍ରହଣ କରାଯିବ ? ତାହାଫଳରେ ସେହି କଳ୍ପିତ ବିଦ୍ୟାଳୟଟି ଯେ ଏକ ବିଶେଷ ପ୍ରକାରର ବିଦ୍ୟାଳୟ ହେବ, ସେଥିରେ କୌଣସି ସନ୍ଦେହ ନାହିଁ ।

 

୧୭ । ୧ । ୯୨

 

ହିତୈଷୀମାନେ କେତେ ଗଲେ, କେତେ ଆସିଲେ । ସାମୟିକ ଭାବରେ ପୃଥିବୀର କିଛି କିଛି ହିତ ହେଲା । ମାତ୍ର ପୃଥିବୀରୁ ଅହିତ ତଥାପି ଦୂର ହେଲା ନାହିଁ । ଅହିତକାରୀମାନେ ପ୍ରବଳ ହେଲେ । ଅନେକ ସ୍ଥଳରେ ମୂଳତଃ ଅହିତକାରୀମାନେହିଁ ଅନୁଗ୍ରହ ଦେଖାଇବାକୁ ମଝିରେ ମଝିରେ ହିତ କରିବାଲାଗି ଭଳିଭଳି ଭୂମିକାର ଭିଆଣ କଲେ । ତଥାପି ମଣିଷ ମଣିଷ ଭିତରେ ଦୂରତା ବଢ଼ିଲା, ଜାତି, ଧର୍ମ ଓ ବାଦ ମଧ୍ୟରେ ରହିଥିବା ବିଭେଦକାରୀ ଗାରଗୁଡ଼ିକ ଆହୁରି ଅଧିକ ଗାଡ଼ୁଆ ହୋଇ ଦେଖାଗଲା । ହିତ କରିବାର ଯୋଜନାମାନେ କ୍ରମେ ଆନ୍ତର୍ଜାତିକ ରେଖାଗୁଡ଼ିକୁ ସ୍ପର୍ଶ କଲେ-। ମାତ୍ର ମଣିଷମାନେ ସତେଅବା ନିଜ ନିଜର ସାନ ଉତ୍ତେଜନା ଓ ସକସକ ଭାବପ୍ରବଣତାର ଗାଡ଼ ଭିତରେ ନିତାନ୍ତ ଅଳପ ହୋଇ, ଅଭିଶପ୍ତ ହୋଇ ରହିଗଲେ ।

 

ବାହାରୁ ଥାଇ ମଣିଷମାନଙ୍କର ହିତ କରିବାର ସେହି ଅନ୍ୟ ସଂସ୍କାରଟିକୁ ଛାଡ଼ିଦେଇ ଭିତରକୁ ଆସି କୌଣସି ଗୋଟିଏ ମଣିଷରବି ସତକୁସତ ସାଥୀ ହୋଇ ପାରିବା,–ତାହା ହେଉଛି ଏକାବେଳେକେ ଏକ ଅଲଗା ପୃଥିବୀର କଥା । ଭିତରେ ଦୁଆର ନଖୋଲିଲେ କେହି କଦାପି ସାଥୀ ହୋଇ ପାରେନାହିଁ । କେବଳ ଘୃଣା ବା କେବଳ ବିଦ୍ଵେଷ ନୁହେଁ, ଜଗତ୍‍ର ଅଧିକାଂଶ ଦୟା ଓ ଅନୁଗ୍ରହ-ପ୍ରଦର୍ଶନ ତଥାପି ପ୍ରଧାନତଃ ଗ୍ରାସ କରି ପକାଇବାରେ ଏକ ମୋହବୁଦ୍ଧି ନେଇହିଁ ମଣିଷମାନଙ୍କର ନିକଟବର୍ତ୍ତୀ ହୋଇଥାଏ । ଠିକ୍ ଏହି କ୍ଷେତ୍ରରେହିଁ ଅଧ୍ୟାତ୍ମର ଅସଲ ଆହ୍ଵାନଟିର ଏକ ପ୍ରାସଙ୍ଗିକତା ରହିଛି । କୌଣସି ମନୁଷ୍ୟ ମୋ’ଠାରୁ ଅଲଗା ନୁହେଁ । ତେଣୁ, କୌଣସି ମନୁଷ୍ୟ ମୋ’ଠାରୁ ମୂଳତଃ ଅନୁଗ୍ରହ ଚାହେଁନାହିଁ; ସିଏ ଆତ୍ମୀୟତା ଲାଗିହିଁ ଅପେକ୍ଷା କରି ରହିଥାଏ । ଆତ୍ମୀୟତାର ଝରକାଗୁଡ଼ିକୁ ଖୋଲିଦେଇ ଯଦି ଏହି ସଂସାରରେ ମଣିଷ ମଣିଷ ଭିତରେ ଭେଟ ହୋଇ ପାରନ୍ତା, ତେବେ ଏହି ସଂସାରଟା ମଧ୍ୟ ଏକାବେଳେକେ ଏକ ଅନ୍ୟ ବହୁ ସମ୍ଭାବନାର ଘର ବୋଲି ଅନୁଭୂତ ହୋଇପାରନ୍ତା । ଆତ୍ମୀୟତାହିଁ ଭୂମି ହେଲେ ଆମେ ଅନ୍ୟଭଳି ସମ୍ବନ୍ଧ, ଏକ ଅନ୍ୟଭଳି ନୈତିକତା, ଅନ୍ୟ ପ୍ରକାରର ଶିକ୍ଷା ଓ ଏପରିକି ଏକ ଅନ୍ୟ ପ୍ରକାରର ଅର୍ଥନୀତିକୁ ମଧ୍ୟ ମନ କରିପାରନ୍ତେ, ସେଥିଲାଗି ସତକୁସତ ସାହସବି କରି ପାରନ୍ତେ । ବର୍ତ୍ତମାନର ଦୂଷିତ ଅର୍ଥାତ୍ ଦୂରତାଧର୍ମୀ ଏକ ଅର୍ଥ–ଏବଂ ସମାଜବ୍ୟବସ୍ଥା ଉପରେ ଭରା ଦେଇ ଯେଉଁମାନେ ଧନ୍ୟ ଓ ଭାଗ୍ୟବାନ୍ ହୋଇ ପାରୁଛନ୍ତି, ସେହିମାନେହିଁ ସତେଅବା ଏକ ବିବେକ ଶୋଧନକାରୀ ଅବସର ବିନୋଦନରୂପେ ପୃଥିବୀଯାକ ଯାବତୀୟ ହିତୈଷିତାର ଭିଆଣ ଓ ବରାଦ କରିବାରେ ଲାଗିଛନ୍ତି ଓ ତାହାରିଦ୍ଵାରା ପୃଥିବୀ ବଦଳିଯିବ ବୋଲି ଧ୍ୱନିମାନ ମଧ୍ୟ ଦିଆଯାଉଛି । ଅହିତ ଉପରେ ଭରା ଦେଇ ପୃଥିବୀରେ ସ୍ଥାୟୀ ଭାବରେ କୌଣସି ହିତସାଧନ ସମ୍ଭବ ହେବନାହିଁ ।

 

୧୮ । ୧ । ୯୨

 

ନିଜଭିତରେ ସୂର୍ଯ୍ୟ ଦେଖିଲେ ଅନ୍ୟ ପ୍ରତ୍ୟେକଙ୍କ ଭିତରେ ମଧ୍ୟ ସୂର୍ଯ୍ୟର ଦର୍ଶନ ହୁଏ । ନିଜଭିତରେ ଭଗବଦ୍‌ଦର୍ଶନ ସମ୍ଭବ ହୋଇଗଲେ ଅନ୍ୟ ସମସ୍ତଙ୍କ ମଧ୍ୟରେ ଭଗବାନ୍‍ଙ୍କୁ ଦେଖିବାଲାଗି ଆଉ ସ୍ଵତନ୍ତ୍ର ଭାବରେ କୌଣସି ସାଧନା କରିବାକୁ ପଡ଼େନାହିଁ । ଏବଂ, ଅନ୍ୟ ପକ୍ଷରେ, ଯିଏ ଅନ୍ୟମାନଙ୍କୁ ତୁଚ୍ଛ ଆଖିରେ ଅର୍ଥାତ୍ ଗୋଡ଼ିମାଟି ପରି ଦେଖେ, ସିଏ ହୁଏତ ନିଜଭିତରେ କୌଣସି ଏକ ତୁଚ୍ଛତା ଅଥବା ଶୂନ୍ୟତାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥାଏ କିମ୍ବା ନିଜ ଭିତରର କୌଣସି ଅଂଶକୁ ଗୋଡ଼ିମାଟି ପରି ଦେଖୁଥାଏ । ଯେଉଁମାନେ ଭଗବାନ୍‍ଙ୍କର ଅନ୍ଵେଷଣ କରୁଥାନ୍ତି, ସେମାନେ ତାହାର ଏହି ପରିମାଣଟିକୁ ଆଗରୁ ଜାଣିଥାନ୍ତି ବା ବୁଝିଥାନ୍ତ କି ନାହିଁ କେଜାଣି ? ଧର୍ମର ବାଟରେ ଯାଉଛନ୍ତି ବୋଲି ଭ୍ରମ କରି ଯେଉଁମାନେ ତୁଚ୍ଛା ନିଜପାଇଁ ଭଗବାନ୍‍ଙ୍କୁ ଲୋଡ଼ୁଥାନ୍ତି, ସମ୍ଭବତଃ ଏଇଥିପାଇଁହିଁ ସେମାନେ ଭଗବାନ୍‍ଙ୍କୁ ମଧ୍ୟ ସ୍ଵୀକାର କରିନେବା ଲାଗି ସେମାନେ ନିଜଭିତରେ ପ୍ରସ୍ତୁତ ହୋଇନଥାନ୍ତି ।

 

ନିଜଭିତରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଯଦି ମଣିଷ ଅନ୍ୟ ସମସ୍ତଙ୍କ ଭିତରେ ମଧ୍ୟ ପ୍ରବେଶ କରିବାର କଳାଟିକୁ ଜାଣି ଥାଆନ୍ତା, ତେବେ ସିଏ କୌଣସି ପ୍ରକାର ସାମ୍ପ୍ରଦାୟିକତାର ଜାଲ ଓ ଦ୍ଵନ୍ଦ୍ଵ ଭିତରେ ପଡ଼ି କଦାପି ହଟହଟା ହୁଅନ୍ତା ନାହିଁ ଏବଂ ତା’ର ମିଛ ଉତ୍ତେଜନାଗୁଡ଼ିକ ସକାଶେ ଏହି ପୃଥିବୀ ମଧ୍ୟ କୌଣସି ପ୍ରକାରେ ହଟହଟା ହୁଅନ୍ତାନାହିଁ । ପୃଥିବୀରେ ଯେଉଁମାନେ ଗୁରୁ ବୋଲାନ୍ତି, ସେମାନେ କ’ଣ ଏତିକି କଥାକୁ ବୁଝି ପାରନ୍ତିନାହିଁ ଯେ, ଭାବର ଯାବତୀୟ ପଥରେ ଏତେ ଏତେ ପଙ୍କିଳତା ଓ ପରାକ୍ରମିତାକୁ ଆଣି ପୂରାଇ ଦିଅନ୍ତି ? ଏବେ ମଧ୍ୟ ଇଚ୍ଛା କଲେ ଗୁରୁମାନେ କିଞ୍ଚିତ୍ ଅଧିକ ସାବଧାନ ହୋଇ ପାରନ୍ତେ ଓ ଆମ ସମସ୍ତଙ୍କୁ ଏତେ ଏତେ ନିରର୍ଥକ ହରକତରୁ କେଡ଼େ ସହଜରେ ବଞ୍ଚାଇ ରଖି ପାରନ୍ତେ ! ଗୁରୁ କରିବା ନାମରେ ଆଦୌ କୌଣସି ଜାଲରେ ପଡ଼ି ନଯିବାକୁ ସଂସାରର ଗୁରୁମାନେହିଁ ସମ୍ଭବତଃ ମନୁଷ୍ୟ ସମାଜକୁ ସବୁଠାରୁ ଅଧିକ ସାହାଯ୍ୟ କରି ପାରୁଥାନ୍ତେ । ତେବେ, ପୃଥିବୀକୁ ଧର୍ମ ନାମରେ ମଧ୍ୟ ଆଦୌ ଏତେ ଏତେ ଆଡ଼ମ୍ବରର ଭେଳିକି ଭିତରେ ଯାଇ ପଡ଼ିଯିବାକୁ ପଡ଼ୁନଥାନ୍ତା । ଭଗବାନ୍‍ଙ୍କୁ ଦେଖିବା ମଣିଷ ମଣିଷକୁ ନେଇ କଦାପି ବାଦ ଲଗାଉ ନଥାନ୍ତା । ପୃଥିବୀର ଅଧିକ ମଣିଷ ଭଗବାନ୍‍ଙ୍କୁ ଦେଖିବେନାହିଁ ବୋଲି ସତେଅବା ଭାଗ କରି ବସିଛନ୍ତି ବୋଲି କ’ଣ ସେମାନେ ଜାଣି ଜାଣି ଏହି ଜାଲରେ ପଡ଼ିବାର ବହୁ ଆଡ଼ମ୍ବରମୟ ଭିଆଣ ଭିତରେ ଯାଇ ପଡ଼ିଛନ୍ତି କି ?

 

୧୯ । ୧ । ୯୨

 

ଓଡ଼ିଶାରୁ ପଣ୍ଡିଚେରୀ, ପଣ୍ଡିଚେରୀରୁ କେରଳ, ଏବଂ କାଲି ଏଠା ଛାଡ଼ି ମୁଁ ପୁଣି ଓଡ଼ିଶାକୁ ଫେରିଯିବି । ଅଧିକାଂଶ ସ୍ଥାନରେ ଅଧିକାଂଶ ମଣିଷ ନାନା ପ୍ରୟୋଜନରେ ପଡ଼ି ଧରି ନେଇଛନ୍ତି ଯେ, ସେମାନେ ଅସଲ ଇଷ୍ଟସ୍ଥାନଟିରେ ଆସି ପହଞ୍ଚି ଯାଇଛନ୍ତି । ଅର୍ଥାତ୍, ସେମାନେ ଯେଉଁ ଆଶ୍ରୟଟିକୁ ଖୋଜି ବାହାରିଥିଲେ, ସେଠାରେ ଆସି ପହଞ୍ଚି ଯାଇଛନ୍ତି । ଏହି ପହଞ୍ଚି ଯିବାଟାକୁହିଁ ସେମାନେ ପରମ ବିଭୁକୃପା ବୋଲି ଅନୁଭବ କରୁଛନ୍ତି । ମୁଁ କୌଣସି ଆଶ୍ରୟ ଖୋଜି କେବେ ପୃଥିବୀକୁ ବାହାରିନାହିଁ । ମୋତେ ଜୀବନଟା ଅସରନ୍ତି ପଥ ପରି ଲାଗିଛି । ମୋ’ ଜୀବନର ସର୍ବୋତ୍ତମ ପ୍ରେରଣା ହେଉଛି ଆରୋହଣର ପ୍ରେରଣା । ମୁଁ ବାଟ ଚାଲିଛି, ପାହାଚ ଉଠିବାରେ ଲାଗିଛି । ଉପରୁ ପାହାଚଗୁଡ଼ିକ ମୋ’ର ଅନୁରାଗ ଅନୁସାରେ ମୋ’ ଭିତରକୁ ଅବତୀର୍ଣ୍ଣ ହୋଇ ଆସିବା ପରି ସତତ ମନେ ହୋଇଛନ୍ତି । ମୁଁ ସବୁଦିନେ ପହଞ୍ଚୁଛି, ସବୁଦିନେ ବାଟ ଚାଲୁଛି । ମୋ’ ସଦନର ବୃତ୍ତଟି ସବୁଦିନେ ସମ୍ପ୍ରସାରିତ ହେବାରେ ଲାଗିଛି ।

 

ମୁଁ ଯେଉଁଠାରେ ଯାଇ ପହଞ୍ଚିବି, ସିଏ କେବଳ ସେହିଠାରେହିଁ ନାହାନ୍ତି । ସିଏ ଏଠାରେ ମୋ’ ସହିତ ମଧ୍ୟ ରହିଛନ୍ତି । ମୋ’ ସହିତ ବାଟ ଚାଲୁଛନ୍ତି । ବନ୍ଧୁ ପରି ପ୍ରେରଣା ଦେଉଛନ୍ତି । ଶିଖରଟା ଏଠାରୁ ମଧ୍ୟ ଦେଖାଯାଉଛି ସତ, ମାତ୍ର ସେହି ଶିଖରଟି ଯେ ପରବର୍ତ୍ତୀ ଆହୁରି ଅନେକ ଶିଖରକୁ ବାଟ କଢ଼ାଇ ନେଉଥିବ, ମୋତେ ସେ କଥାଟି ମଧ୍ୟ କେଉଁକାଳୁ ବତାଇ ଦେଇ ସାରିଛନ୍ତି-। ଏହି ବାଟରେ କେବଳ ମୁଇଁ ଯାଉନାହିଁ । ଏହି ବାଟରେ ମଣିଷମାନେ ସମସ୍ତେ ମଧ୍ୟ ଯାଉଛନ୍ତି-। ଯେତେବେଳେ ସେଇ ସାଙ୍ଗରେ ବାଟ ଚାଲୁଛନ୍ତି, ସେତେବେଳେ ମୋ’ ସାଙ୍ଗରେ ଅନ୍ୟ ସମସ୍ତେ ବାଟ ଚାଲୁଛନ୍ତି ବୋଲି ନିତାନ୍ତ ସ୍ଵାଭାବିକ ଭାବରେହିଁ ଅନୁଭବ ହେଉଥିବ । ତେଣୁ, ଗାଡ଼ ଭିତରେ ପଶିଯିବାର ଆଦୌ କୌଣସି ଭୟ ନାହିଁ । ଭିତରର କୌଣସି ଦାରିଦ୍ର୍ୟଜନିତ ଉତ୍ତେଜନାରେ ଆଉ ପନ୍ଦର ଜଣଙ୍କୁ ନିଜର ଗାତ ଭିତରକୁ, ଏପରିକି ନିଜର ପଥକୁ ଟାଣି ଆଣିବାର କୌଣସି ତରତର ମଧ୍ୟ ନାହିଁ । ମୁଁ ଯେଉଁଠି ଅଛି, ସେଇଟି କ’ଣ କୌଣସି ଗୁଣରେ କମ୍ ସୁନ୍ଦର ଏବଂ ପ୍ରେରଣାଦାୟକ ଯେ ମୁଁ ତରତର ହୋଇ ଆଉ କେଉଁ ଗାଡ଼ ଭିତରେ ଯାଇ ପଶିଯିବାକୁ ଧାଇଁଯିବି ଅଥବା ଆଉ ପନ୍ଦରଜଣଙ୍କୁ ଗାଡ଼ ଭିତରେ ନେଇ ପୂରାଇ ଦେବାକୁ ମନ କରିବି ? ତେଣୁ, ଏହି ସଂସାରରେ ନିଜ ପଥକୁ ଚିହ୍ନି ମୁଁ ଅନ୍ୟ ଅନେକ ପଥକୁ ମଧ୍ୟ ଚିହ୍ନିଛି । ତାହାକୁ ମୁଁ ମୋ’ର ମହାନ୍ ଭାଗ୍ୟ ବୋଲି ଗ୍ରହଣ କରିଛି ।

 

୨୨ । ୧ । ୯୨

 

ସମସ୍ତେ କହନ୍ତି, ବାପାମାଆ ଜନ୍ମ ଦେଇଥାନ୍ତି ସିନା, ଭାଗ୍ୟ ଦେଇନଥାନ୍ତି । ଭାଗ୍ୟ କେହି କାହାକୁ ଦିଅନ୍ତିନାହିଁ । ଯେଉଁ ବାପା ବା ମାଆ ନିଜ ପିଲାଙ୍କର ଭାଗ୍ୟ ଏମିତି ହେଉ ଅଥବା ସେମିତି ହେଉ ବୋଲି ଆଶା କରନ୍ତି ସେମାନେ ସଚରାଚର ପିଲାର ଭାଗ୍ୟଟାକୁ ଆପଣାର ମନୋମତ କରି ଗଢ଼ିବାକୁ ଇଚ୍ଛା କରୁଥାନ୍ତି । ଏଥିରେ କେତେ ପିଲା ସୁନାପୁଅଙ୍କ ପରି ରାଜି ହୋଇ ଯାଆନ୍ତି । ଏମିତି ସୁନାପୁଅମାନଙ୍କର ମାଆବାପା ଆପାତତଃ ଖୁସି ହୋଇ ରହିଥାନ୍ତି,–ପିଲା ତା’ ଭାଗ୍ୟଟିକୁ ପାଇ ଖୁସି ହେଲା ବୋଲି ନୁହେଁ, ପିଲାଟି ସେମାନଙ୍କର କଥା ମାନିଲା ବୋଲି ହୁଏତ ଅଧିକ ପରିମାଣରେ ଖୁସି ହୋଇଥାନ୍ତି । ପୁଅମାନେ ଗୋଟାସୁଦ୍ଧା ସୁନାପୁଅ ନହେଲେ ଅନେକ ବାପାମାଆ ଅନେକ କଷ୍ଟ ପାଆନ୍ତି । ଦୂରରୁ ଥାଇ ଛଟପଟ ହେଉଥାନ୍ତି । ପୃଥିବୀର ଅନେକ ସୁନାପୁଅଙ୍କ ଭାଗ୍ୟ ସହିତ ଆପଣାର ଅମାନିଆ ପୁଅଟାର ଭାଗ୍ୟକୁ ତୁଳନା କରି ଛଟପଟ ହେଉଥାନ୍ତି । ଅଥବା, ଅନେକ ସୁନାପୁଅଙ୍କର ପିତାମାତାଙ୍କ ଭାଗ୍ୟ ସହିତ ନିଜ ଭାଗ୍ୟର ତୁଳନା କରି ଛଟପଟ ହେଉଥାନ୍ତି । ଭାରି ଦୁଃଖ ପାଉଥାନ୍ତି । ସକଳ ଭାଗ୍ୟର ବିଧାୟକ ଉପରେ ଥାଇ କ’ଣ ଭାବୁଥାନ୍ତି କେଜାଣି ?

 

ଭାଗ୍ୟ କେତେ ପ୍ରକାରର । ଭାଗ୍ୟ ଥିଲେ କିଏ ଟଙ୍କା ପାଏ, କିଏ କେଡ଼େ ସୁରୁଖୁରୁ ଭାବରେ ଜୀବନଟାକୁ ଅତିବାହିତ କରୁଥାଏ । କେବଳ ନିଜପାଇଁ ନିଜ ଜୀବନଟିକୁ ବଞ୍ଚୁଥାଏ ଓ ସେତିକିରେ ନିଜକୁ ସର୍ବସୁରକ୍ଷିତ ପରି ଅନୁଭବ କରୁଥାଏ । ଆହୁରି ଅନେକ ଭାଗ୍ୟବାନ୍‍ ମଧ୍ୟ ଏହି ପୃଥିବୀରେ ରହିଥାନ୍ତି, ଯେଉଁମାନେ ଗୁଳାରେ ପଡ଼ିଯିବାକୁ ମୋଟେ ରାଜି ହୁଅନ୍ତିନାହିଁ, ସେମାନେ ନିଜ ବାଟକୁ ନିଜେ ଖୋଜି ପାଇବାକୁ ମନ କରନ୍ତି । ବାପାମାଆଙ୍କ ମନରେ କେତେ ନା କେତେ ଦୁଃଖ ଦିଅନ୍ତି । ନିଜେ ମଧ୍ୟ କମ୍ ଦୁଃଖ ପାଆନ୍ତିନାହିଁ । ସେମାନଙ୍କର ଏହି ବାଟ ଖୋଜିବାଟା ପରମ୍ପରାପ୍ରେମୀମାନଙ୍କ ଆଖିକୁ କେଡ଼େ ବଙ୍କା ଦିଶେ, କେଡ଼େ ଅବାଗିଆ ଦିଶେ । ଜୀବନରେ ବାଟ ଚାଲି ସବୁ ମଣିଷ କିଛି ନା କିଛି ଫଳ ପାଆନ୍ତି; ମାତ୍ର ତାହାକୁ ଯେ ସର୍ବବାଦୀସମ୍ମତ ଭାବରେ ସଫଳତା ବୋଲି କୁହାଯିବ, ତାହାର ଆଦୌ କୌଣସି କାରଣ ନାହିଁ । କିଏ ଏଣୁ ଦେଖିଲେ ସଫଳ ହୁଏ, ମାତ୍ର ତେଣୁ ଦେଖିଲେ ନିତାନ୍ତ ବିଫଳ ହୁଏ । ଏଭଳି ସଫଳ ମଣିଷମାନେ ପୃଥିବୀରେ ଭାରି ସଲବଲ ହେଉଥାନ୍ତି । ବାଟ ଖୋଜି ତଥାକଥିତ ଦୁଃଖ ଭୋଗୁଥିବା ମଣିଷ ଯେଉଁ ଆନନ୍ଦର ଅଧିକାରୀ ହୁଏ, ସେମାନେ ସେହି ଆନନ୍ଦର ଧାର ଧାରନ୍ତିନାହିଁ । ତେଣୁ ବାପାମାଆ କ’ଣ କରିବେ-? ସେମାନେ କେବଳ ଆଶୀର୍ବାଦ ଦେବେ । ପୁଅ ତା’ ନିଜ ବାଟରେ ଯାଇ ଖୁସି ପାଉ ବୋଲି ଆଶୀର୍ବାଦ କରିବେ । କୌଣସି ସନ୍ତାନ ମଧ୍ୟ ବାପାମାଆଙ୍କ ଦଉଡ଼ିରେ ବାନ୍ଧି ଦିଆଯାଉଥିବା ପଥରେ ଯିବାକୁ ମୋଟେ ଇଚ୍ଛା କରିବନାହିଁ । ସିଏ ନିଜ ବାଟ ଚାଲିବାକୁ ବାପାମାଆଙ୍କ ଠାରୁ ଖାଲି ଆଶୀର୍ବାଦରହିଁ ଅପେକ୍ଷା ରଖିଥିବ ।

 

୨୩ । ୧ । ୯୨

 

ମୋ’ର ଅସଲ ଅସ୍ଥିରତା ମାନେ ନେଇ ନୁହେଁ; ମୁଁ ନିଜ ସାଙ୍ଗକୁ ଯେତେ ପରିମାଣରେ ସାଥୀ ପାଇବି ବୋଲି ପ୍ରତ୍ୟାଶା କରୁଛି, ସେତେ ପରିମାଣରେ ସାଥୀ ପାଉନାହିଁ ବୋଲି ସମ୍ଭବତଃ ଏହି ଅସ୍ଥିରତା । ସମସ୍ତେ ପରିସ୍ଥିତିଗୁଡ଼ାକୁ ସହି ସହି ଯେକୌଣସି ପ୍ରକାରେ ପରିସ୍ଥିତି ଅନୁସାରେ ଖାପ ଖାଇ ଖାଇ ରହିଯିବାକୁହିଁ ଏକମାତ୍ର ଗତି ବୋଲି ଏପରି ନିର୍ମମ ଭାବରେ ଧରି ନେଲେଣି ଯେ, ନିଜଭିତରେ ସୃଜନକ୍ଷମ ସାହସୀ ମଣିଷଟିଏ ରହିଛି ବୋଲି ସେମାନେ ପ୍ରାୟ ସବୁଯାକ ବିଶ୍ଵାସ ହରାଇ ବସିଲେଣି । ଅଥବା, ସେମାନେ ନିଜ ଭିତରେ ସେହି ମନୁଷ୍ୟାତ୍ମାଟି ବସିଛି ବୋଲି ଖୁବ୍ ଅନୁଭବ କରୁଛନ୍ତି; ମାତ୍ର ନାନାବିଧ ଭୟ ହେତୁ ସେଇଟିକୁ ବାହାରକୁ ଆଣିବାକୁ ଏକାନ୍ତ କୁଣ୍ଠା ବୋଧ କରୁଛନ୍ତି । ଏବଂ, ପ୍ରତ୍ୟେକ ମନୁଷ୍ୟ ଭିତରେ ମୁଁ ସେହି ଅସଲ ମଣିଷଟିକୁ ଖୋଜୁଛି । ଯେଉଁ ମୁଖାଗୁଡ଼ାକ ଭୀରୁମାନଙ୍କର ପ୍ରଧାନ ପରିଚୟ ହୋଇ ରହିଛି, ମୁଁ ସେହି ମୁଖାଗୁଡ଼ିକୁ ଭାଙ୍ଗି ସବାତଳେ ଦୁର୍ଗତ ହୋଇ ପଡ଼ିଥିବା ବନ୍ଧୁଟିକୁହିଁ ବାହାରକୁ ବାହାର କରି ଆଣିବାକୁ ଚାହୁଁଛି ।

 

ମୋ’ ପାଠ ପଢ଼ାଇଲାବେଳେ ମଧ୍ୟ ତାହାହିଁ ମୋ’ର ସର୍ବମୁଖ୍ୟ ଆଗ୍ରହ ଏବଂ ସର୍ବମୁଖ୍ୟ ଧର୍ମ ହୋଇ ରହିଛି । ପିଲାଟିକୁ ଅନାଇଦେବାମାତ୍ରକେହିଁ ତା’ ଭିତରେ ଅପେକ୍ଷମାଣ ଚିହ୍ନା ବନ୍ଧୁଟିଏ କେଉଁଠି ତଳେ ଯାଇ ରହିଛି ବୋଲି ମୁଁ ସତେଅବା ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିପାରେ । କୌଣସି ଶ୍ରେଣୀଭିତରେ ପଶିଗଲାମାତ୍ରକେ ମୁଁ ଏହିପରି କେତେଗୁଡ଼ିଏ ଅପେକ୍ଷମାଣ ବନ୍ଧୁଙ୍କୁ ସତକୁସତ ଦେଖିବାକୁ ଇଚ୍ଛା କରେ । ମୁଁ ସେମାନଙ୍କୁ ଉଦ୍‌ଘାଟିତ କରି ଆଣିବାର ବାସନା ରଖିଥାଏ । କିଛି ମାନେନାହିଁ । ଜଣେ ଅନ୍ତରଙ୍ଗ ବନ୍ଧୁ ହିସାବରେ ମୋ’ର ପ୍ରାୟ ସବୁଯାକ ଆବେଦନକୁ ମୁଁ ସେହି ଉଦ୍‌ଘାଟନ ଲାଗି ପ୍ରୟୋଗ କରିଥାଏ । କିଛି ମାନେନାହିଁ, ପୂର୍ଣ୍ଣ ଅନୁଗତ ପରି ସେମାନଙ୍କର ଦୁଆରେ ଯାଇ ପହଞ୍ଚି ଯାଏଁ । ମୁଖାମାନେ କେତେ ବାଧା ଦିଅନ୍ତି, କିନ୍ତୁ ମୁଁ କିଛି ମାନେନାହିଁ ।

 

୨୪ । ୧ । ୯୨

 

ଅନେକ ମହାନ୍ ବ୍ୟକ୍ତି ବଞ୍ଚି ଥାଉ ଥାଉ ସେମାନଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିବା ଜନଗୋଷ୍ଠୀଗୁଡ଼ିକଦ୍ଵାରା ପୂଜା ପାଆନ୍ତି । ଅନୁଗାମୀ ଅନୁପ୍ରବଣମାନେ ସେମାନଙ୍କୁ ଭଗବାନ୍ ବୋଲି କହନ୍ତି,–ତାଙ୍କୁ ପରମ ପ୍ରଭୁ ବୋଲି ଆଖ୍ୟା ଦିଅନ୍ତି । ସମସ୍ତ ସୃଷ୍ଟି ତାଙ୍କରି ଠାରୁ ପ୍ରସରି ଆସିଛି ବୋଲି କେଡ଼େ ବିହ୍ଵଳ ଭାବରେ କୁହାଯାଏ । ମହାନ୍ ବ୍ୟକ୍ତିମାନେ ଏସବୁକୁ ଆଖିଆଗରେ ଦେଖୁଥାନ୍ତି, ମାତ୍ର କିଛି କହନ୍ତି ନାହିଁ । ପ୍ରତିବାଦ କରନ୍ତିନାହିଁ, ଆପଣାର ତଥାପି ପୁରୁଣା ଓ ପୋଚରା ହୋଇ ରହିଥିବା ଅବଚେତନରେ ସମ୍ଭବତଃ କିଞ୍ଚିତ୍ ପ୍ରସନ୍ନ ଅନୁଭବ କରୁଥିବାରୁ କ’ଣ ସେମାନେ ପ୍ରତିବାଦ କରନ୍ତିନାହିଁ କି ? ତା’ପରେ ପ୍ରାୟ ସବୁକିଛି ପୋଚରା ହୋଇଯାଏ ଏବଂ ଆଧ୍ୟାତ୍ମିକତାକୁ ମାରା କରି ଏକ ସମ୍ପ୍ରଦାୟ ଜବର ପ୍ରତିଷ୍ଠା ହୋଇଥାଏ ।

 

ପୃଥିବୀର ଇତିହାସରେ ଏଭଳି ବାରମ୍ବାର ଘଟିଛି,–ଏବେ ମଧ୍ୟ ଖୁବ୍ ଘଟୁଛି । ଖ୍ରୀଷ୍ଟଗ୍ରନ୍ଥ ବାଇବେଲ୍‌ରେ ଯେଉଁ temptationର କଥା କୁହାଯାଇଛି, ଏହି ଅପଘଟନାଗୁଡ଼ିକୁ କ’ଣ ସେହି ଜାତିର କୌଣସି temptation ବୋଲି କୁହାଯିବ କି ? ଆପଣାକୁ ପରମେଶ୍ଵର ବୋଲି ମୌନଭାବେ ମାନିନେଇ ମହାନ୍‍ମାନେ ପୃଥିବୀର ଉଦୟପଥକୁ କେତେପ୍ରକାରେ ବଣା କରିଦିଅନ୍ତି, ଚେତନାର ବିବର୍ତ୍ତନକୁ କେତେ ଶତାବ୍ଦୀ ପଛାଇ ନିଅନ୍ତି । ମହାନ୍‌ମାନଙ୍କର ସବୁ ତପସ୍ୟା ଏହାଦ୍ୱାରା ଏକାବେଳେକେ ପାଣି ଫାଟିଯାଏ । ପୁରୁଣାଟା ପୁନର୍ବାର ନୂଆକୁ କାମୁଡ଼ି ଧରେ ଏବଂ ଆନନ୍ଦନିନାଦ କରି ପୃଥିବୀ କମ୍ପାଏ । ମନ୍ଦିର ତୋଳାହୁଏ, ଢୋଲ ବାଡ଼ିଆହୁଏ, ନିତାନ୍ତ ତାମସିକ ଭାବରେ ପରିବର୍ତ୍ତନବିମୁଖ ଭକ୍ତମାନେ ମନ୍ଦିରରେ ଆସି ଲମ୍ବ ଲମ୍ବ ପ୍ରଣାମ କରନ୍ତି, ଏବଂ ତାମସା ଭିତରେ ପଡ଼ି ରହିଥାନ୍ତି । ସତ୍ୟ ମଣିଷର ଭିତରେ ରହିଛି, ପାରସ୍ପରିକତାର ଏକ ଅନ୍ୟ ଅଭୀପ୍‌ସା ଏବଂ ଅନ୍ୟ ଚେତନା ମଧ୍ୟରେ ରହିଛି । ଏକଥା ଏକଦା ନିଜେ ପ୍ରଚାର କରିଥିବା ଓ ସୋପାନ ପରେ ସୋପାନ ଅତିକ୍ରମ କରି ଆସିଥିବା ବିରାଟ୍‍ମାନେ ପୁଣି କାହିଁକି ନିଜର ପୁରୁଣା ଦଉଡ଼ିଗୁଡ଼ାକରେ ବାନ୍ଧିହୋଇ ପଡ଼ନ୍ତି କେଜାଣି ? ସେମାନେ କ’ଣ ଜାଣି ଜାଣି ଗୋଡ଼ ଖସାଇ ଦିଅନ୍ତି, ଜାଣି ଜାଣି ଲୋଭରେ ପଡ଼ନ୍ତି ? ଅନେକ ସମୟରେ ପୁରୁଣାରେ ପ୍ରକୋପ ନୂଆକୁ ଖାଇଯାଉଥିବା ସମୟରେ ମୁଁ ଏହି କ୍ଷୋଭ ଭିତରେ ଆସି ପଡ଼ିଯାଏ ।

 

୨୫ । ୧ । ୯୨

 

ଚେଲାମାନେ ଯେତେବେଳେ ମହାନ୍ ଗୁରୁ ବଞ୍ଚି ଥାଉ ଥାଉ ଗୁରୁଙ୍କୁ ମହାପ୍ରଭୁ କହି ଧୂମ୍ ଆରମ୍ଭ କଲେ, ସେତେବେଳେ ଗୁରୁମାନେ ସେମାନଙ୍କର କାନକୁ ଧରି ସେମାନଙ୍କୁ ଚେତାଇ ଦେଲେନାହିଁ କାହିଁକି ? ଏବେ ମଧ୍ୟ କାହିଁକି ଦେଉନାହାନ୍ତି ? ୧୯୪୭ ବା ୧୯୪୮ରେ ଘଟିଥିବା ଘଟନା ମୋ’ର ଏବେ ମଧ୍ୟ ମନେ ଅଛି । ଉତ୍ତର ବିହାରର କୌଣସି ସ୍ଥାନରେ ମନ୍ଦିର ତିଆରି କରାଯାଇ ତା’ ଭିତରେ ମହାତ୍ମା ଗାନ୍ଧୀଙ୍କର ମୂର୍ତ୍ତି ସ୍ଥାପନା କରାଯାଇଥିଲା । ସେତେବେଳେ ମହାତ୍ମା ଗାନ୍ଧୀ ଶରୀରରେ ଥିଲେ । ସିଏ ସଙ୍ଗେ ସଙ୍ଗେ ନିଜ ‘ହରିଜନ’ ପତ୍ରିକାରେ ତାହାର ଦୃଢ଼ ପ୍ରତିବାଦ କରିଥିଲେ ଓ ସ୍ଥାପିତ ସେହି ମନ୍ଦିରରେ ତାଙ୍କୁ ବିଦ୍ରୂପ କରାଯାଉଛି ବୋଲି ସିଧା ଘୋଷଣା କରିଥିଲେ ।

 

ତଥାପି, ଗାନ୍ଧୀ ସଂସାରରୁ ଯିବାପରେ ତାଙ୍କର ପୂଜା ହେଲା, ମୂର୍ତ୍ତିଥାପନା ଜୋର୍‍ସୋର୍‍ରେ ହେଲା, ଆପଣାକୁ ତାଙ୍କର ସ୍ଵାଭାବିକ ଦାୟାଦ ବୋଲି ଗ୍ରହଣ କରିନେଇ ସରକାରଙ୍କ ତରଫରୁ ମଧ୍ୟ କମ୍ ଧନ୍ଦା କରାଗଲାନାହିଁ । ଏହିପରି ଭାବରେ ଏ ଦେଶରେ ଏକାଧିକ ନ୍ୟସ୍ତସ୍ଵାର୍ଥ ଗାନ୍ଧୀଙ୍କୁ ହଜମ କରିନେଲେ । ଭାରତରେ ଏବେ ମଧ୍ୟ ଶିଷ୍ୟ ଓ ସ୍ତାବକମାନଙ୍କର ବହୁ ସଂଖ୍ୟକ ଗୋଷ୍ଠୀ ରହିଛନ୍ତି, ଯେଉଁମାନେ କି ଶରୀର ଧାରଣ କରି ରହିଥିବା ଗୁରୁମାନଙ୍କୁ ଏକାବେଳେକେ ପରମ ପ୍ରଭୁର ସ୍ତରକୁ ଟେକି ଦେଇ ଅଫିମ ଖାଇବାରେ ଲାଗିଛନ୍ତି ଓ ତାହାରିଦ୍ଵାରାହିଁ ସଂସାର ମଧ୍ୟରୁ ତରିଯିବେ ବୋଲି ଆଣ୍ଟ କରୁଛନ୍ତି । ମହାନ୍ ଗୁରୁମାନଙ୍କର ମୁହଁ ବନ୍ଦ ହୋଇ ଯାଇଛି । ଯାବତୀୟ ସାଧନା ଓ ଚେତନାଗତ ଆରୋହଣରେ ଜଡ଼ତା ଆସି ପହଞ୍ଚିଲେହିଁ ଏହିଭଳି ଘଟନା ଘଟିଥାଏ । ଗୁରୁମାନେ ଗୋଷ୍ଠୀଗୁଡ଼ିକ ଭିତରେ ମେଞ୍ଚା ହୋଇ ବସିଛନ୍ତି । ଚେଲାମାନେ ସେମାନଙ୍କର ରଥ ସଜାଇ ସେମାନଙ୍କର ପହଣ୍ଡିବିଜେ କରାଇବାରେ ବ୍ୟସ୍ତ ହୋଇ ରହିଛନ୍ତି । ଏବଂ, ଆତ୍ମାତ୍ମିକତାକୁ ଓଲା ବୋଲି କହି ଧର୍ମ କିରିକିରି ହୋଇ ହସୁଛି । ଜ୍ଞାନ ବହି ଭିତରେ ରହିଛି, କାମହିଁ ଆଚାରଗୁଡ଼ିକୁ ଗ୍ରାସ କରିରହିଛି ।

 

୨୬ । ୧ । ୯୨

 

ମୁଁ କାହାରି ଚେଲା ହୋଇନାହିଁ, ସେଥିଲାଗି ପ୍ରାୟ ସବୁ ଜାଗାରେ ଶିଖିବାର ମନୋଭାବ ନେଇ ପହଞ୍ଚି ପାରିଛି । କେଉଁଠି ବନ୍ଧୁଟିଏ ଦେଖିଲେ ଭିତରେ ପଶିଯିବାକୁ ମନ ହୁଏ, ପାଦ ଛୁଇଁ ପକାଇବାକୁ ମନ ହୁଏ, ଏକାବେଳେକେ ପାଖରେ ଯାଇ ବସିଯିବାକୁ ମନ ହୁଏ । ଏହିପରି ଭାବରେ ବନ୍ଧୁମାନଙ୍କୁ ଆବିଷ୍କାର କରିବାର ପ୍ରକ୍ରିୟାରେହିଁ ମୁଁ ମୋ’ ଜୀବନର ଅସଲ ଗୁରୁମାନଙ୍କୁ ପାଇପାରିଛି । ମୋ’ର ପ୍ରତ୍ୟେକ ବନ୍ଧୁ ମୋତେ ସମ୍ପଦବାନ୍ କରିଛନ୍ତି । ଖାଲି ମଣିଷମାନଙ୍କର ସୀମାରେ ବନ୍ଧୁଲାଭ ଓ ହୃଦୟସ୍ପର୍ଶର ଏହି ଗୌରବଯାତ୍ରା ଆଦୌ ଶେଷ ହୋଇ ଯାଇନାହିଁ । ଉଦୟ ହୋଇ ଆସୁଥିବା ସୂର୍ଯ୍ୟ, ଶାଖା ବିସ୍ତାର କରି ରହିଥିବା କୌଣସି ଗଛ ଓ ଆକୁଳ ଭାବରେ ଅଜାଡ଼ି ହୋଇ ପଡ଼ୁଥିବା ସମୁଦ୍ର ମଧ୍ୟ ମୋ’ ଜୀବନରେ ବନ୍ଧୁର କାର୍ଯ୍ୟ କରିଛନ୍ତି, ଗୁରୁର କାମ କରିଛନ୍ତି । ପୃଥିବୀର କେତେ କେତେ ଶାସ୍ତ୍ର ମୋ’ ଲାଗି ବନ୍ଧୁର କାମ କରିଛନ୍ତି, ଗୁରୁର କାମ କରିଛନ୍ତି । ଏମାନେ କେହି ମୋତେ ଚିତା ବା ପଇତାପାଇଁ ବାଧ୍ୟ କରିନାହାନ୍ତି । ତେଣୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ମୋତେ ପାହାଚ ପାହାଚ ଉଠିଯିବାରେ ପ୍ରେରଣା ପରି କାର୍ଯ୍ୟ କରିଛନ୍ତି । ସେମାନେ ମୋତେ ଆଦୌ କୌଣସି ସୂତ୍ର ବା ସାମ୍ପ୍ରଦାୟିକତା ଭିତରେ ବାନ୍ଧି ରଖିବା ଲାଗି ଚକ୍ରାନ୍ତ କରିନାହାନ୍ତି । ମୋତେ ମୋ ଭିତରେ ସୂର୍ଯ୍ୟୋଦୟ ଦେଖାଇଛନ୍ତି, ମୋତେ ତାଳପତ୍ର ମେଲାଇ ଆନନ୍ଦମଗ୍ନ ହୋଇ ଛିଡ଼ା ହୋଇଥିବା ଗଛର ଅନୁଭୂତି ଆଣି ଦେଉଛନ୍ତି । ଏହିସବୁ ବନ୍ଧୁମାନଙ୍କର ମୁଁ ପରମ ବନ୍ଧୁର ଦର୍ଶନସ୍ପର୍ଶ ଲାଭ କରିଛି, ପରମଗୁରୁକୁ ପ୍ରତ୍ୟକ୍ଷ କରି ପାରିଛି ।

 

ସମ୍ଭବତଃ ସେହି କାରଣରୁହିଁ ମୋ’ର ଆଉକାହା ଉପରେ ଗୁରୁଗିରି କରିବାକୁ ମୋଟେ ମନ ହୋଇନାହିଁ । କାହାପ୍ରତି ଈର୍ଷା ହୋଇନାହିଁ, ନିଜର ବାଟକୁ ଏକମାତ୍ର ଠିକ୍ ବାଟ ବୋଲି କହି ବାଟ ଚାଲିବାର ଏହି ପୃଥିବୀରେ ପ୍ରମାଦ ସୃଷ୍ଟି କରିବାକୁ କେବେହେଲେ ଆଗ୍ରହ ହୋଇନାହିଁ । କୌଣସି ଗୁରୁକୁ ପ୍ରଭୁ କହି ମୋତିମାଣିକ୍ୟ ଦେଇ ତା’ଲାଗି ଦେଉଳ ତୋଳିବାକୁ ମଧ୍ୟ କେବେହେଲେ ଇଚ୍ଛା ହୋଇନାହିଁ । ମୋ’ଗୁରୁ ଅନୁକ୍ଷଣ ମୋ’ର ବନ୍ଧୁ ହୋଇ ରହିଛି । ଲୋଡ଼ିବାମାତ୍ରକେ କେଡ଼େ ସହଜରେ ସିଏ ଅନୁଭୂତ ହୋଇ ପାରୁଛି, ପ୍ରତ୍ୟକ୍ଷ ହୋଇ ପାରୁଛି । ସେଥିଲାଗି ମୋତେ କୌଣସି ଅତି-ଔପଚାରିକତାର ଜାଲ ବିଛାଇ ଛନ୍ଦ କରିବାକୁ ମୋଟେ ପଡ଼ୁନାହିଁ ।

 

୨୭ । ୧ । ୯୨

 

ପୃଥିବୀରେ ଅନେକ ଘଟନା ଘଟେ; ଯାହାକୁ ଜଣେ ମଣିଷର ବଳ ପାଏନାହିଁ । ସେଥିଲାଗି, ସେହିସବୁ କ୍ଷେତ୍ରରେ ସିଏ ଅନେକ ମଣିଷଙ୍କର ପରାମର୍ଶକୁ ମାନେ, ପଥକୁ ମାନେ; ଏବଂ ଅନେକ ମଣିଷଙ୍କର ମତକୁ ମାନି ସେ ଏହି ସଂସାରରେ ମୋଟେ ଏକୁଟିଆ ହୋଇ ରହିନାହିଁ ବୋଲି ସତେ ଅନୁଭବ କରୁଥାଏ । ସିଏ ସେହି ମତଟି ସହିତ ସହଯୋଗ କରେ । କୌଣସି ଏକ ସମୂହ ବା ସମାଜର ଅଙ୍ଗୀଭୂତ ହୋଇ ରହିଥାଏ । ଏବଂ; ଆହୁରି ଅନେକ ଘଟନା ଘଟେ; ଯାହାଉପରେ କି ସମୂହର ବା ଅନେକମତରବି କୌଣସି ବଳ ନଥାଏ । ସେଠି ମଣିଷ ସବୁକିଛିକୁ ଭଗବାନ୍‍ଙ୍କ ହାତରେ ଛାଡ଼ିଦିଏ । ସେହି ଭଗବାନ୍‍ଙ୍କର ବରାଦ ଅନୁସାରେ ସମ୍ଭାବ୍ୟ ସର୍ବଶ୍ରେଷ୍ଠହିଁ ଅବଶ୍ୟ ହେବ ବୋଲି ସେ ବିଶ୍ଵାସ ରଖିଥାଏ । ଏଥିରୁ ସିଏ ପ୍ରକୃତରେ ବହୁତ ଭରସା ପାଏ, ଅନେକ ଆଶଙ୍କିତ ନିର୍ଭରଶୀଳତାରୁ ରକ୍ଷା ପାଏ । ନିଜ ଭିତରୁ ସମ୍ମୁଖସ୍ଥ ଯାବତୀୟ ପରିସ୍ଥିତିର ଶ୍ରଦ୍ଧା ଓ ସ୍ଥିରତା ସହିତ ସମ୍ମୁଖୀନ ହେବାର ବଳ ପାଏ । ମଣିଷ ଏହିପରି ଭାବରେ ସମ୍ଭାବ୍ୟ ଅନେକ ଭୀରୁତାରୁ ରକ୍ଷା ପାଇଯାଏ । ଏବଂ, ଭଗବାନ୍‍ଙ୍କର ଇଚ୍ଛାପୂରଣରେ ଯଥାସାଧ୍ୟ ସହଯୋଗ କରିବାଲାଗି ତେଣିକି ତାକୁ ମୋଟେ କଷ୍ଟକର ବୋଧ ହୁଏନାହିଁ ।

 

ଜଣେ ବ୍ୟକ୍ତି ହିସାବରେ ମଣିଷ ଯାହା କରିପାରିବ, ତାହାର ସମ୍ପାଦନକୁ ସମାଜ ଉପରେ ଛାଡ଼ିଦେବା ଏକ ନିର୍ବୋଧତାହିଁ ହେବ । ଯେଉଁ ସମାଜରେ ଏହି ଧାତୁର ବ୍ୟକ୍ତି ବହୁସଂଖ୍ୟାରେ ରହିଥାନ୍ତି, ସେଠି ତାହାଫଳରେ ସାମୂହିକ ଜୀବନରେ ମଧ୍ୟ ଅନେକ ଦୁର୍ଗତି ଏବଂ ଅସଙ୍ଗତି ଭର୍ତ୍ତି ହୋଇ ରହିଥାଏ । ଆଖିରେ ଦେଖିପାରିବା ଭଳି ଅନେକ ଅସମର୍ଥତା ସାମୂହିକ ଜୀବନକୁ କାମୁଡ଼ି ଧରିଥାଏ । ଏବଂ ଯାହା ନିଜଦ୍ଵାରା ଅବଶ୍ୟ ହୋଇପାରିବ, ସେଇଟାକୁ ଭଗବାନ୍‍ଙ୍କ ଉପରେ ଛାଡ଼ିଦେବା, ତାହା ହେଉଛି ଆହୁରି ଅଧିକ ନିର୍ବୋଧତା । ସଂସାରରେ ବହୁ ମନୁଷ୍ୟ ଅନେକ ମିଛ କାରୁଣ୍ୟ ଦେଖାଇ ତାହାହିଁ କରୁଥାନ୍ତି ଓ ଯାଉଣୁ ଆସୁଣୁ ଭଗବାନ୍‍ଙ୍କ ନାମ ନେଉଥାନ୍ତି । ଏମାନଙ୍କର ରୀତିକୁ ଦେଖି ସ୍ୱୟଂ ଭଗବାନ୍ ମଧ୍ୟ ଅବଶ୍ୟ ଘଡ଼ବଡ଼େଇ ଯାଉଥିବେ ।

 

୨୮ । ୧ । ୯୨

 

ଜୀବନରେ କେଉଁଠି ଚାକିରି କରି ପାରିଲିନାହିଁ । ଯଦି ଖୁସିରେ କାହାର ଚାକର ହୋଇଯାଇ ପାରିବ, ତେବେ ତୁମେ ଯେ କେଉଁଠିହେଲେ କାହାର ଚାକର ହୋଇ ପାରିବନାହିଁ, ମୁଁ ସେ କଥା ନିଜ ଜୀବନର ଅଭିଜ୍ଞତାରୁ ଭଲ କରି ଜାଣିଛି । ଭଗବାନ୍‍ଙ୍କୁ ଭୟ କଲେ ପୃଥିବୀରେ ଆଉ କାହାକୁ ଭୟ କରିବାର କୌଣସି ଆବଶ୍ୟକତା ନଥାଏ ବୋଲି ମହାତ୍ମା ଗାନ୍ଧୀ ଥରେ କୌଣସି ପ୍ରସଙ୍ଗରେ କହିଥିଲେ । ଠିକ୍ ସେହିପରି, ନିଜ ଇଚ୍ଛାରେହିଁ ଭଗବାନ୍‍ଙ୍କର ଚାକର ହୋଇ ରହିବାକୁ ବୃତ୍ତିରୂପେ ମାନିନେଲେ ଆଉ କାହାରି ଚାକର ହୋଇ ରହିବାର ବିଦ୍ୟାଟି ଆଦୌ ଶିଖି ହୁଏନାହିଁ । ମହାତ୍ମା ଗାନ୍ଧୀ ଭଗବାନ୍‍ଙ୍କୁ ଭୟ କରିବାର କଥା କହିଥିଲେ । ମୁଁ ଭଗବାନ୍‍ଙ୍କୁ ମଧ୍ୟ ଭୟ କରିବାର ବାଟଟାକୁ ମୋ’ ଜୀବନରେ ଆଦୌ ଆକର୍ଷକରୂପେ ଗ୍ରହଣ କରି ପାରିନାହିଁ । ଭଗବାନ୍‍ଙ୍କୁ ଭଲ ପାଇବାଟା ମୋତେ ମୋ’ ନିଜ ପ୍ରଭାବ ଅନୁସାରେ ଅଧିକ ଆକର୍ଷଣ ବୋଲି ମନେ ହୋଇଛି । ସର୍ବଦା ସେହିପରି ହୋଇଛି । ଭଲ ପାଇବାଟା ମୋ’ ଭିତରୁ ଯାବତୀୟ ଭୟକୁ ଛଡ଼ାଇ ନେଇଛି ।

 

ଭଗବାନ୍‍ଙ୍କୁ ଭଲ ପାଉଛି ବୋଲି ମୁଁ ତାଙ୍କର ଚାକର ହୋଇଛି । ଏବଂ, ଭଗବାନ୍‍ଙ୍କୁ ଭଲ ପାଇବାରୁହିଁ ମୁଁ ନିଜର ପଥଯାତ୍ରା ଆରମ୍ଭ କରିଛି ବୋଲି ମୁଁ ସଂସାରଟାଯାକ ସମସ୍ତଙ୍କୁ ଭଲ ପାଇ ପାରୁଛି । ସେମାନଙ୍କର ଚାକର ହେବାର ଆନନ୍ଦକୁ ଚାଖି ପାରିଛି । ମୋ’ର ଛାତ୍ରମାନଙ୍କୁ ଭଲ ପାଇ ଜଣେ ଶିକ୍ଷକ ହିସାବରେ ମୁଁ ନିଜକୁ ସେମାନଙ୍କର ଚାକର ପରି ଅନୁଭବ କରିଛି । ମୋ’ର ସୁହୃତ୍‍ମାନଙ୍କୁ ଭଲ ପାଇ ମୋ’ ନିଜକୁ ମୁଁ ସେମାନଙ୍କର ଚାକର ବୋଲି ଧରିନେଇଛି ଓ ସେଇଥିରୁ ଅପାର ଆନନ୍ଦ ଲାଭ କରିଛି । ହୁଏତ ଏହିସବୁ କାରଣ ଲାଗି ମୋତେ ବାହାରୁ ଭୁଲାଇ କେହି ତା’ର ଚାକର କରି ରଖି ପାରିନାହିଁ । ପଇସା ଦେଇ କେହି ମୋତେ ଚାକର ହେବାକୁ ରାଜି କରାଇ ପାରିନାହିଁ । ସଂସାରଯାକ ପଇସା ଦେଇ ରାଜି କରାଇବାର ଧୂମ୍ ଲାଗିଥିବାବେଳେ ମୁଁ ଏବେ ମଧ୍ୟ ସେହି ଜାଲରୁ ବାହାରେ ରହିଛି । ମୁଁ ଅସଲ ଚାକର ହୋଇପାରିଛି ବୋଲି ମିଛ ଖାମିନ୍ଦମାନଙ୍କର ଗଉଁ ଓ ଗର୍ବଗୁଡ଼ାକୁ ଆଦୌ ସହ୍ୟ କରି ପାରିନାହିଁ ।

 

୨୯ । ୧ । ୯୨

 

ସେଦିନ ଅଧ୍ୟାପକ-ବନ୍ଧୁ ତାଙ୍କ ଅସୁସ୍ଥତା ବିଷୟରେ ମୋତେ କହୁଥିବା ସମୟରେ ମୁଁ ତାଙ୍କୁ କହୁଥିଲି, ଏବେ ଆଉ ଅସୁସ୍ଥ ହେଲେ ଆଦୌ ଚଳିବନାହିଁ । କାର୍ଯ୍ୟରୁ ଅବସର ନେବାର ସମୟ ନିକଟ ହୋଇ ଆସିଲା । ଏଥର you will get all your time to be at your best,–ବନ୍ଧୁ କବି, ସମୀକ୍ଷକ, ମନନରେ ଅତ୍ୟନ୍ତ ଗଭୀର, ଦୃଷ୍ଟିରେ ଅତ୍ୟନ୍ତ ଶ୍ରଦ୍ଧାଶୀଳ । ସରକାରୀ ଅଧ୍ୟାପନା କରୁଥିବା କାଳରେ ଏସବୁକୁ ପୂର୍ଣ୍ଣନିବିଷ୍ଟ ଭାବରେ ତୁଲାଇ ପାରିବାକୁ ସିଏ ହୁଏତ ପ୍ରଶସ୍ତ ଅବକାଶ ପାଉ ନଥିଲେ । ଏଥର, ଅବସର ଗ୍ରହଣ କଲାପରେ ଅବଶ୍ୟ ପାଇବେ । ତେଣୁ, ଅସୁସ୍ଥ ହେବାଲାଗି ତାଙ୍କର ଆଉ କୌଣସି ଅଧିକାର ନାହିଁ । ବନ୍ଧୁ ପ୍ରୀତ ହେଲେ, ହଁ ଭରିଲେ, ସାହସ ଅନୁଭବ କଲେ ।

 

ସେହି ପ୍ରସଙ୍ଗରେ ମୁଁ ତାଙ୍କୁ ନିଜ ଜୀବନର ପଦେ କଥାବି କହିଦେଲି । I have never served any government, therefore I have always been at my best,–ବନ୍ଧୁ ଏକଥା ମଧ୍ୟ ବୁଝିଲେ । ମୁଁ ଭାବୁଥିଲି, ସରକାରୀ ବାଡ଼ିରେ ଅଧ୍ୟାପନାର ଗୁହାଳଟାକୁ ଜଗି ମୁଁ ହୁଏତ ସାତଟା ଦିନବି ଥିର ହୋଇ ରହି ପାରିନଥାନ୍ତି । ଏବଂ, ତଥାକଥିତ ସୃଜନଶୀଳତାରେ ମନ ଦେବା ତ ଆହୁରି ଦୂରର ବ୍ୟାପାର । To be at one’s best–ନହେଲେ କୌଣସି ସୃଜନକାରିତା କିପରି ସମ୍ଭବ ହୁଏ, ମୁଁ ତାହା ଏବେ ମଧ୍ୟ କେବେହେଲେ ସଙ୍ଗେ ନିଭାଇନାହିଁ । ଯେଉଁମାନେ ଜୀବିକାଭରଣ ନିମନ୍ତେ ବର୍ଷ ବର୍ଷ ଧରି ଅକଳା ଏବଂ ଅବର୍ଜିଆ ଭିତରେ ରହିଥାନ୍ତି, କଳାକୁ ଆଦରି ଦଣ୍ଡେ ଘଡ଼ିଏ ବସି ପାରୁଥିବାବେଳେ ସେମାନେ ନିଜ ଭିତରେ କେଡ଼େ ବିକଳ ହୋଇ ରହୁ ନଥିବେ ! ଆପଣା ଭିତରେ ଦୁଇଭାଗ ହୋଇ ପାରୁଥିଲେ ଯାଇ ସେମାନେ ଏପରି କରି ପାରୁଥିବେ । ନିଜ ଦାଣ୍ଡରେ ନିଜେ ଦୋଚାରୁଣୀ ହୋଇ ବାହାରି ଆସୁଥିବେ ଓ ପୁଣି ଲୁଚିଛପି ଘରକୁ ଫେରି ଯାଉଥିବେ । ମୋ’ଦ୍ଵାରା ଏହି କୃଚ୍ଛ୍ର ମୋଟେ ସମ୍ଭବ ହୋଇ ନଥାନ୍ତା-। ଏହି ନିଜସ୍ଵ ସୀମାଟି ଲାଗି ମୁଁ ଏପର୍ଯ୍ୟନ୍ତ ସର୍ବଦା ଗୌରବ ଅନୁଭବ କରିଆସିଛି ଓ କେଡ଼େ ସ୍ଵାଭାବିକ ଭାବରେ at my best ରହିଆସିଛି । ଅନେକ ଦୁର୍ଗତିରୁ ରକ୍ଷା ପାଇଛି ।

 

୩୦ । ୧ । ୯୨

 

ଭାରତ ସରକାର ଇସ୍ରାଏଲ୍‌କୁ ପୂର୍ଣ୍ଣ ସ୍ଵୀକୃତି ଦେବାଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତିଟି ଏତେ ବିଳମ୍ବରେ ହେଲା ଏବଂ ଆଜି ସକାଳେ ଖବରଟିକୁ ଶୁଣି ସମସ୍ତ ବ୍ୟାପାରଟି କିଞ୍ଚିତ୍ ହାସ୍ୟାସ୍ପଦ ଭଳି ମନେ ହେଲା । ଭୀରୁମାନେ ପ୍ରାୟ ସବୁକଥାକୁ ଏହିପରି ପଛରେ କରନ୍ତି । ଏବଂ ସେଥିଲାଗି ହାସ୍ୟାସ୍ପଦ ହୁଅନ୍ତି । ସମ୍ଭବତଃ ନିଜ ପାଖରେ ସବୁଠାରୁ ବେଶି ।

 

ସରକାରୀ କାଗଜପତ୍ର ବାହାରେ ଭାରତର ଇସ୍ରାଏଲ୍ ସହିତ ସତକୁସତ ଏକ ସମ୍ପର୍କରେ ଆଦୌ କେଉଁଠିହେଲେ କୌଣସି ତ୍ରୁଟି ନଥିଲା । ତଥାପି, ଭାରତ ଭଳି ଏକ ବୃହତ୍ ଦେଶ ଇସ୍ରାଏଲ୍‍କୁ ସ୍ଵୀକୃତି ପ୍ରଦାନ କଲେ ବିଶ୍ଵକୂଟନୀତିର ଦରବାରରେ ଇସ୍ରାଏଲ୍ ପାଇଁ ଅନେକ ସମସ୍ୟାର ସମାଧାନ ଅନେକ ଅଧିକ ସହଜ ହୋଇଯିବ ବୋଲି ଇସ୍ରାଏଲ୍ ସରକାର ଏବଂ ସେଠା ଅଧିବାସୀମାନେ ଭାବୁଥିଲେ । ଭାରତବର୍ଷ ଖାସ୍ ଇସ୍ରାଏଲ୍‍ ଭିତରେ କୌଣସି ଦୋଷ ଦେଖୁଥିଲା ବୋଲି ଯେ ତାକୁ ସ୍ଵୀକୃତି ଦେଉ ନଥିଲେ ସେ କଥା ନୁହେଁ । ଭାରତବର୍ଷ ଆରବ ଦେଶମାନଙ୍କୁ କ୍ରୁଦ୍ଧ କରିବନାହିଁ ବୋଲି ଭୟ କରୁଥିଲା । ବର୍ଷକ ତଳର ଯୁଦ୍ଧ ଦର୍ଶାଇଦେଲା ଯେ ଆରବ ଭୂଖଣ୍ଡରେ ସମସ୍ତେ ମୁସଲମାନ ହେଲେ ମଧ୍ୟ ସେମାନେ ରାଜନୀତି ଓ ପାରସ୍ପରିକ ନିରାପତ୍ତାର କ୍ଷେତ୍ରରେ ପରସ୍ପର ମଧ୍ୟରେ ନାନା ମତର ପୋଷଣ କରୁଛନ୍ତି । ଭାରତର ଦୀର୍ଘ କୁଣ୍ଠାଫଳରେ ଆପଣାର ଅସ୍ତିତ୍ଵ ଲାଗି ବିଶ୍ଵର କ୍ଷମତାଙ୍ଗନରେ ଏବେ ମଧ୍ୟ ସଂଗ୍ରାମ କରୁଥିବା ଇସ୍ରାଏଲ୍‌ବାସୀଙ୍କ ମନରେ ମଧ୍ୟ ଭାରତବର୍ଷ ପ୍ରତି ଅନେକ ଭୁଲ୍ ସନ୍ଦେହ ଜନ୍ମଲାଭ କରିଥିଲା । ଗତ ୧୯୯୦ ଡିସେମ୍ବର ମାସରେ ଥରେ ଇସ୍ରାଏଲୀ ବୈଦେଶିକ ବିଭାଗର ଏସୀୟ ଦପ୍ତର ମୋତେ ଏଇଥିଲାଗି ଜେରୁଜେଲମ୍ ଡକାଇଥିଲେ ଏବଂ କଥାବାର୍ତ୍ତାବେଳେ ଏହିସବୁ ପ୍ରଶ୍ନର ଉତ୍‌ଥାପନ କରିଥିଲେ । ସରକାରୀ ରାଜନୀତିର କାଗଜପତ୍ରିଆ ସିରସ୍ତା ବାହାରେ ଭାରତବାସୀ ସମସ୍ତେ ଇସ୍ରାଏଲ୍‌କୁ ପୂର୍ଣ୍ଣତୟା କେଉଁଦିନୁ ସ୍ଵୀକୃତି ଦେଇଛନ୍ତି ବୋଲି ମୁଁ ସେମାନଙ୍କୁ କହିଥିଲି । ତଥାପି, ସିଧା ରାଜନୀତିର ବାହାରେ ଥିବା ଜଣେ ଇସ୍ରାଏଲ୍-ବନ୍ଧୁ ଭାରତୀୟ ହିସାବରେ କାଗଜପତ୍ରିଆ ସ୍ଵୀକୃତି ବିଷୟରେ ମଧ୍ୟ ମୁଁ କିଛି କରିବି ବୋଲି ସେଦିନ ପ୍ରତିଶ୍ରୁତି ଦେଇଥିଲି । ମୋ’ ବଳ ଓ ବୁଦ୍ଧି ଅନୁସାରେ କିଛି ଅବଶ୍ୟ କଲି । ତେଣୁ, ଆଜିର ନୂଆ ସମ୍ବାଦଟି ମୋ’ଲାଗି ମଧ୍ୟ ଏକ ସୁସମ୍ବାଦ ।

 

୩୧ । ୧ । ୯୨

 

ମୁଁ ପ୍ରକୃତରେ କ’ଣ ଚାହୁଁଛି, ସେ ବିଷୟରେ ହୁଏତ ଯଥେଷ୍ଟ ଭାବରେ ସ୍ପଷ୍ଟ ହୋଇ ନଥାଏ । ମାତ୍ର, ସେହି ଦ୍ରବ୍ୟଟିକୁ ପାଇ ନପାରିଲେ ଦୁଃଖ ଏବଂ ଗ୍ଳାନିରେ ସତେଅବା ଏକାବେଳେକେ ମ୍ରିୟମାଣ ହୋଇ ପଡ଼ିବା ପରି ମନେ ହୁଏ ।

 

ଖୁବ୍ ସମ୍ଭବ ପୃଥିବୀର ସବୁ ମଣିଷ ପ୍ରକୃତରେ ଯେତିକି ପାଇବାଲାଗି ସମର୍ଥ, ତା’ଠାରୁ ଅନେକ ଅଧିକ ପାଇବାକୁ ଇଚ୍ଛା କରୁଥାନ୍ତି । ଏହା ଅପବାଦର କଥା ନୁହେଁ, ଏହା ହେଉଛି ଗୌରବର କଥା । ଜଣେ ମଣିଷର ଯେତିକି ପାଇବାର ସାମର୍ଥ୍ୟ ଅଛି ବୋଲି ସିଏ ବିଚାରୁଛି, ସେ ଯଦି ସେତିକି ଚାହୁଁଥାନ୍ତା, ତେବେ ସିଏ ଅତ୍ୟନ୍ତ ହିସାବୀ ପରି ଜୀବନ ବଞ୍ଚି ପାରୁଥାନ୍ତା ସତ, ମାତ୍ର ତା’ ଜୀବନରେ ହୁଏତ ଆଉ କିଛିହେଲେ ମୋହକତା ରହୁନଥାନ୍ତା । ଜୀବନର ରହସ୍ୟ ବୋଲି କିଛି ରହୁନଥାନ୍ତା । ଏବଂ, ରହସ୍ୟମୟତା ନଥିଲେ ଓ ସେହି ରହସ୍ୟମୟତା ଆଡ଼କୁ ଟାଣି ହୋଇଯିବାର ଏକ ନିତ୍ୟ ପ୍ରବଣତା ନଥିଲେ ମଣିଷର ଜୀବନ ପ୍ରକୃତରେ ଭାରି ରଙ୍ଗହୀନ ହୋଇ ପଡ଼ୁଥାନ୍ତା । ଆମ emotional ଜୀବନରେ ଏହାହିଁ ହେଉଛି ସବୁଠାରୁ ବଡ଼ ଚମତ୍କାର । ଆମେ ଯେତିକି ବୋହିପାରିବୁ, ତା’ଠାରୁ ଅନେକ ଅଧିକ ବୋହିବାକୁ ଆମର ଇଚ୍ଛା ରହିଥାଏ । ଆମେ ଯେତିକି ଦେଇପାରିବା ଲାଗି ପ୍ରକୃତରେ ଯୋଗ୍ୟ ହୋଇଛୁ, ତା’ଠାରୁ ସତେଅବା ଅନେକ ଅଧିକ ଦେବାଲାଗି କେତେ ବ୍ୟାକୁଳତା ସହିତ କେତେ ଦୁଆର ହୋଇ ବୁଲିବାରେ ଲାଗିଛୁ । ଆମ ସମସ୍ତଙ୍କର ନିଜ ଭିତରେ ଏପରି ବନ୍ଧୁଟିଏ ରହିଛି, ଯିଏକି ପ୍ରାୟ ଜାଣୁ ଜାଣୁ ଆମକୁ ଏହିପରି ଏକ ବଣିଜନିଶାରେ ପକାଇ ରଖିଛି । ଭିତରେ ସିଏ ବସିଛି ବୋଲି, ଆମେ ପ୍ରକୃତରେ ଯେତିକି ନୋହୁ, ତା’ଠାରୁ ଅନେକ ଅଧିକ ବୋଲି ଅନୁଭବ କରୁଛୁ । ଏହା ଆଦୌ ଅହଂକାର ନୁହେଁ,–ଜୀବନର ଯାବତୀୟ ଚାରଣା ସତେଯେପରି ସେଇଥିରୁହିଁ ସମ୍ଭବ ହେଉଛି । ଆମର ମାପକାଠିଗୁଡ଼ାକ ଆମକୁ ମୋଟେ ପାଉନାହିଁ, ଆମର ବୁଦ୍ଧି ଆମର ହୃଦୟକୁ ମୋଟେ ପାଉନାହିଁ । ବାହାର ବିବେକର ଯାବତୀୟ ଗଣିତ ଆମକୁ ଯେତିକି ବଡ଼ ପାହୁଣ୍ଡ ଉଠାଇ ଆଗକୁ ପାଦ ପକାଇବା ନିମନ୍ତେ ସାଧୁ ପରାମର୍ଶ ଦେଉଛି, ଭିତରେ ଆଉକିଏ ଥାଇ ଆମକୁ ହୁଏତ ତା’ଠାରୁ ଆହୁରି ଦଶଗୁଣ ଅଧିକ ଲମ୍ବରେ ପାହୁଣ୍ଡ ପକାଇବା ଲାଗି ଉଚ୍ଚାଟିତ କରି ରଖିଛି ।

 

୧ । ୨ । ୯୨

 

କଥା କହିବା କେଡ଼େ ସହଜ ଏବଂ ଚୁପ୍ ରହିବା କେଡ଼େ କଷ୍ଟ ! ଅନେକ ମଣିଷ କଥା କହିବାରୁ ନିବୃତ୍ତ ହୋଇ ପାରନ୍ତିନାହିଁ ବୋଲି ପାଟି ବନ୍ଦ କରି ରଖିଥିବାବେଳେ ମଧ୍ୟ ଭିତରେ ଭଡ଼ର ଭଡ଼ର ହେବାରେ ଲାଗିଥାନ୍ତି । ମଣିଷ ନିଜେ କ’ଣ କହିବାକୁ ଯାଉଛି, ସେହି ବିଷୟରେ ନିଜର ପୂର୍ଣ୍ଣ ସୁସ୍ପଷ୍ଟବୋଧ ନଆସିଥିବା ପର୍ଯ୍ୟନ୍ତ ସମ୍ଭବତଃ ସେ କଥା କହିବାରେ ଲାଗିଥାଏ । ଭିତରେ କାହାପାଖରେ ପ୍ରତିହତ ହେବାରେ ଲାଗିଥିବା ପରି ବାହାରେ ପ୍ରାୟ ଏକ ଉତ୍ତେଜିତ ଉତ୍ସାହରେ ସିଏ ଗୁଡ଼ାଏ ବକିବାରେ ଲାଗିଥାଏ । ଅତି ଦୁଃଖୀ ନହେଲେ ମଣିଷକୁ ଏହି ଦୁଃଖ କାହିଁକି ଭୋଗିବାକୁ ପଡ଼ନ୍ତା ! ନିଜ ପାଖରେ ଦୁଃଖୀ ନିଜ ଭିତରେ ଦୁଃଖୀ, ଆପଣାକୁ କାହାରି ପାଖରେ ଦେଇ ନପାରିଥିବାର ସନ୍ତାପରେ ନିଜକୁ ନିଜେ ତିରସ୍କୃତ ହୋଇ ରହିଥିବାର ଦୁଃଖରେ ଦୁଃଖୀ । ଏହିପରି କେତେ ଦୁଃଖରେ ମଣିଷ ଜର୍ଜର ହୋଇଥାଏ ଓ ବାହାରେ କ୍ଷତିପୂରଣସ୍ୱରୂପ ମିଛ ପ୍ରକୋପମାନ ସେ ଦେଖାଉଥାଏ, କିଏ ସେ କଥା ସୁମାରି କରିପାରିବ ?

 

କେତେ ନା କେତେ ଶ୍ରଦ୍ଧା ହେଲେ ଯାଇ ମଣିଷ ନୀରବ ରହି ପାରିବ । ଶ୍ରଦ୍ଧାରେ ବଞ୍ଚିପାରିଲେ ଯାଇ ମଣିଷ ବାହାରୁ କଥାର ମାଡ଼ ଖାଉଥିବ ପଛକେ, ତଥାପି ତାହାର ପ୍ରତିକ୍ରିୟା ନ ଦେଖାଇ ଭିତରେ ନୀରବ ରହିଥିବ । ଏହା କେବଳ ନୈତିକତା-ସ୍ତରର ଗୋଟିଏ ନିୟମମାତ୍ର ନୁହେଁ,–ଏହା ହେଇଛି ଜୀବନର ଏକ ମୂଳଭୂତ attitude, ସୁନିର୍ବାଚିତ ଏକ ଆଭିମୁଖ୍ୟ । ତେଣୁ, ଭୁଲ୍ ଠିକ୍ ବିଚାର କରି ଚୁପ୍ ରହିବାଟା ଠିକ୍ ବୋଲି ଜାଣି ଚୁପ୍ ରହିଗଲେ ମଣିଷ ଜଣେ ସଜ୍ଜନ ହୁଏତ ହେବ ସିନା, ତଥାପି ନୀରବତାର ଅସଲ ପରିଧିଗୁଡ଼ିକ ଭିତରକୁ ସେ ଆସିପାରିଛି ବୋଲି ଆଦୌ କୁହାଯାଇପାରିବ ନାହିଁ । ନୀରବତା, ଅସଲ ନୀରବତା ଏକ ଶ୍ରଦ୍ଧାରୁ ଆସିବ, ଏକ ବିଶ୍ଵାସରୁ ଆସିବ । ସେହି ବିଶ୍ଵାସ ପାଖରେ ମୁଁ ପ୍ରତିଶ୍ରୁତି ହୋଇ ରହିବି । ସେହି ପ୍ରତିଶ୍ରୁତିକୁ ମୋ’ ନିଜ ଜୀବନଗତ ଯାବତୀୟ ପ୍ରୟାସରେ କର୍ତ୍ତାଙ୍କ ସହିତ ମୋ’ର ଏକ pact ବୋଲି ମୁଁ ସ୍ଵୀକାର କରିନେବି । ମୋ’ ଭିତରେ ଥିବା ସର୍ବୋତ୍ତମ ସହିତ ଏକ pact ବୋଲି ସ୍ଵୀକାର କରିନେବି ।

 

୨ । ୨ । ୯୨

Unknown

 

ବାହାରେ ଚୁପ୍ ହୋଇ ରହିବା ଏକ ନୈତିକ କସରତ୍‍ ମାତ୍ର । ମାତ୍ର, ଭିତରେ ଚୁପ୍ ରହିବା ହେଉଛି, ଜୀବନରେ ଠିକ୍ ବାଟଟିଏ ବାଛି ସେହି ବାଟରେ ଚାଲି ପାରୁଥିବାର, ପ୍ରଧାନତଃ ଭଲ ପାଇବାଦ୍ୱାରା ଅନୁପ୍ରାଣିତ ହୋଇ ସତତ ବାଟ ଚାଲୁଥିବାର ଏକ ପରିଣାମ । ଯିଏ ଏତିକି କରିପାରେ, ସିଏ ଭିତରେ ଏବଂ ବାହାରେ ଭଗବାନ୍‍ଙ୍କୁ ପାଇଥାଏ । ଏବଂ, ଭଗବାନ୍‍ଙ୍କୁ ପାଇଥାଏ ବୋଲି ଭିତରେ ଚୁପ୍ ରହିପାରେ । ତା’ ଭିତର ଏବଂ ବାହାର ମଧ୍ୟରେ ଏକ କ୍ରିୟାଶୀଳ ସମଞ୍ଜସତା ସ୍ଥାପିତ ହୋଇ ରହିଥାଏ । ଭିତର ପାଖରେ ବାହାରର କୌଣସି ଅଭିଯୋଗ ନଥାଏ କିମ୍ବା ବାହାର ପାଖରେ ଭିତରର ମଧ୍ୟ କୌଣସି ଅଭିଯୋଗ ନ ଥାଏ ।

 

ଭିତରେ ଚୁପ୍ ରହିବାର ପାଠଟିକୁ କଦାପି ଶିକ୍ଷା ଦିଆଯାଇପାରେ ନାହିଁ । ଯିଏ କେବଳ ବାହାରେ ଏକ ବାଧ୍ୟବାଧକତାର କସରତ୍‍ କରି ଚୁପ୍ ହୋଇ ରହିଥାଏ, ଯାହାର ଭିତରଟା ବହୁ ବହୁ ଅବଦମନରେ ନିରନ୍ତର କପକପ ହୋଇ ଫୁଟୁଥାଏ, ସମ୍ଭବତଃ କେବଳ ସେଇ ବାହାରେ ଚୁପ୍ ରହିବା ଉପରେ ଗୁରୁତ୍ଵ ଦିଏ, ନିୟମ ତିଆରି କରେ, ନିୟମ ଖଟାଏ, ସୁଯୋଗ ପାଇବାମାତ୍ରକେ ପାଞ୍ଚଣ ଧରି ସଂସାରଟାକୁ ଅଡ଼ାଇ ଏକ ଆଦର୍ଶସ୍ଥାନରେ ନେଇ ବାନ୍ଧି ରଖିବାକୁ ପାଞ୍ଚ କରୁଥାଏ । ଯେଉଁସବୁ ଧର୍ମରେ ଚୁପ୍ ରହିବାର ଅଳ୍ପତାଟିକୁହିଁ ଅସଲ ଆଚରଣ ବୋଲି କୁହାଯାଇଛି, ସେହିସବୁ ଧର୍ମ ପୃଥିବୀରେ ସମ୍ଭବତଃ ସବୁଠାରୁ ଅଧିକ ଗୋଳ ଭିଆଇଛନ୍ତି । ଆଧ୍ୟାତ୍ମିକତାର ଭୂମିରେ ପ୍ରବେଶ ନକରିଥିବା ପର୍ଯ୍ୟନ୍ତ ଭିତରେ ଚୁପ୍ ରହିବା ସମ୍ଭବ ହୋଇ ପାରେନାହିଁ । ଆଧ୍ୟାତ୍ମିକତା ପ୍ରକୃତରେ କ’ଣ, ସେ କଥା ପ୍ରଶ୍ନକର୍ତ୍ତାମାତ୍ରକେ ସମସ୍ତଙ୍କୁ ବୁଝାଇ କହି ହେବନାହିଁ ସତ, ମାତ୍ର, କାହାର ଭିତରଟା କେତେ ଚୁପ୍ ରହିଛି ନା କେବଳ ମୁହଁଟାରେ ତାଲା ପଡ଼ି ରହିଛି, ସେହି ମାପକାଠିରେ ଆମେ ହୁଏତ ଆଧ୍ୟାତ୍ମିକତା ଓ ଧର୍ମର ଏକ ତୁଳନାତ୍ମକ କଳ୍ପନା ମଧ୍ୟ କରିପାରିବା । ଏବଂ, ସେହି ଅନୁସାରେ ନିଜ ଭିତର ଓ ବାହାରକୁ ଅନାଇ ନିଜରବି କଳ୍ପନା କରିପାରିବା ।

 

୩ । ୨ । ୯୨

 

ଉପରେ ଗ୍ରହମାନେ ଖରାପ ଥିଲେ ମଣିଷର ମତିଭ୍ରମ ହୁଏ ଓ ମତିଭ୍ରମରୁ ଭାଗ୍ୟବିପର୍ଯ୍ୟୟମାନ ଆସି ପହଞ୍ଚେ ବୋଲି ଗ୍ରହମାନଙ୍କୁ ମଣିଷମାନଙ୍କର ଭାଗ୍ୟନିୟନ୍ତା ବୋଲି ବିଶ୍ଵାସ କରୁଥିବା ଗଣକମାନେ ମତ ଦେଇଥାନ୍ତି । ମୁଁ ଭାବେ, ମଣିଷ ଭିତରେ ହୁଏତ ଗ୍ରହମାନେ ଥାଆନ୍ତି, ଆପଣାର ବାସନା ଅଥବା ଆସ୍ପୃହା ଅନୁସାରେ ସିଏ ନିଜ ଭିତରେ ଏ ଗ୍ରହଟିକୁ ନବାଛି ସେ ଗ୍ରହଟିକୁ ବାଛେ । ଏହିପରି ଭାବରେ ତା’ର କକ୍ଷପଥଟି ମଧ୍ୟ ନିର୍ଦ୍ଧାରିତ ହୋଇଯାଏ । ଯଦି ସେ ବିକଟ ପଥଟିକୁ ବାଛିଥାଏ, ତେବେ ତାହାଦ୍ୱାରା ତା’ ନିଜ ଭାଗ୍ୟର ଯାହା ହୁଏ ବା ନହୁଏ । ସେଇଟା ସେତେ ବଡ଼କଥା ନୁହେଁ, ତଦ୍ଦ୍ଵାରା ପୃଥିବୀର ଭାଗ୍ୟଟା ମଧ୍ୟ ବଡ଼ ବିପର୍ଯ୍ୟସ୍ତ ହୋଇପଡ଼େ-। ଅନେକ ମଣିଷ ଆପଣାର ଭାଗ୍ୟାକାଶକୁ ସତେଅବା ଏକମାତ୍ର ଆକାଶ ବୋଲି ବିଚାର କରନ୍ତି ଏବଂ ତେଣୁ ନିଜକୁହିଁ ସକଳ ଆକାଶର ଏକମାତ୍ର ଗ୍ରହ ବୋଲି କରି ଦିଅନ୍ତି । ସେମାନେ ପୃଥିବୀକୁ ବହୁତ ଦୁଃଖ ଦିଅନ୍ତି । ପୃଥିବୀରେ ସବୁଠାରୁ ଅଧିକ ଦୁଃଖ ହୁଏତ ଏହିମାନଙ୍କ ପରି ।

 

ଭିତରର ଗ୍ରହମାନଙ୍କ ଦ୍ଵାରା ବାହାରର ଗ୍ରହମାନେ ନିୟନ୍ତ୍ରିତ ହୁଅନ୍ତି କି ନାହିଁ, ମୁଁ ସେ କଥା କହି ପାରିବିନାହିଁ; ମାତ୍ର, ବାହାରର ସମ୍ବନ୍ଧଗୁଡ଼ାକ ଅବଶ୍ୟ ନିୟନ୍ତ୍ରିତ ହୁଅନ୍ତି । ଯେଉଁ ମଣିଷ ନିଜ ଭାଗ୍ୟର ଆକାଶଟିକୁ ବିଶ୍ଵ-ଆକାଶର ଅନ୍ତର୍ଗତ ବୋଲି ଦେଖେ ଅର୍ଥାତ୍ ନିଜର ଭାଗ୍ୟକୁ ବିଶ୍ଵ ଭାଗ୍ୟର ଅନ୍ତର୍ଗତ ବୋଲି ଖୁସି ହୋଇ ସ୍ଵୀକାର କରିନିଏ, ତଦ୍ଦ୍ଵାରା ପ୍ରେରିତ ହୋଇ ପୃଥିବୀରେ କେବେ କୌଣସି ଶନି କୌଣସି ଉପଦ୍ରବ କରିବାକୁ ଆସନ୍ତିନାହିଁ । ସଂସାରରେ ବହୁବିଧ ଶନିଙ୍କର ପ୍ରକୋପକୁ ଶାନ୍ତ ଓ ଆୟତ୍ତ କରି ରଖିବାରେ ସିଏ ହୁଏତ କିଞ୍ଚିତ୍ ସହଯୋଗ ମଧ୍ୟ କରିଥାଏ । ଜ୍ୟୋତିଃଶାସ୍ତ୍ରମାନେ କେଉଁଦିନ ଭିତରର ଏହି ଶନି ଏବଂ ରାହୁମାନଙ୍କର ଗଣନା କରି କହିଦେଇ ପାରିବେ କେଜାଣି ? ମାତ୍ର, ସେପରି ଗଣନା କରିବାକୁ ମନ କଲେ ତାହା ହୁଏତ କେବେହେଲେ ଏକ ଅର୍ଥକାରୀ ଧନ୍ଦା ହୋଇ ରହି ପାରିବନାହିଁ । ଜ୍ୟୋତିଃଶାସ୍ତ୍ର ହୁଏତ ସେତେବେଳେ ଅଧ୍ୟାତ୍ମଶାସ୍ତ୍ରର ଅନ୍ତର୍ଗତ ହୋଇ ରହିବ ଓ ନିଜର ସେହି ଭୂମିକାରେ ଆପଣାକୁ ଗୌରବାନ୍ଵିତ ଅନୁଭବ ମଧ୍ୟ କରିବ ।

 

୪ । ୨ । ୯୨

 

ଏଠି ବସି ପ୍ରତିଦିନ କିଛି ଲେଖିବାର ସମୟକୁ ଘଣ୍ଟା ଠିକ୍ କରେନାହିଁ, ତାହା ନିଜର ସମଗ୍ର ଅନ୍ତର୍ଗତ ଜଳବାୟୁଟିହିଁ ସୃଷ୍ଟି କରେ । ଏକଥା ସତ ଯେ, ମୁଁ ଘଣ୍ଟାର ଏକ ନିର୍ଦ୍ଦିଷ୍ଟ ସମୟରେ ଏଠି ବସି ମୋ’ର ଦିନଲିପି ଲେଖିଥାଏ । ମାତ୍ର, ଆଜି ସକାଳେ ତାହା ମୋଟେ ହୋଇ ପାରିଲାନାହିଁ । ବାହାରୁ ଆଦୌ କୌଣସି ବ୍ୟାଘାତ ସୃଷ୍ଟି ହେଉ ନଥିଲା । ସେତେବେଳେ ମୁଁ ଭିତରେ ମଧ୍ୟ ଗୋଟାସୁଦ୍ଧା ସ୍ଥିର ରହିଥିଲି । ଖାତା ପାଖରେ ଆସି ବସିଲି, ମାତ୍ର କିଛି ଲେଖି ପାରିଲିନାହିଁ । କିଛି ଆସିଲାନାହିଁ । ଯେଉଁ ଖୁସିଟି ଭିତରୁ ସବୁଦିନେ ଶବ୍ଦ ହୋଇ ବାହାରିଆସେ, ସେହି ଖୁସି ମୋ’ସହିତ ଆଦୌ ନଥିଲା ।

 

ଏହି ସମଗ୍ର ଖୁସିଟି ହେଉଛି ମଣିଷର ଅସଲ ସ୍ୱାସ୍ଥ୍ୟ । ଦେହ, ମନ ଓ ହୃଦୟ ସମସ୍ତେ ସମ୍ମତ ଥିଲେ, ଏବଂ ଆହୁରି ବଡ଼କଥା ହେଉଛି, କେବଳ ଅଲଗା ଅଲଗା ନିଜ କାରଣରୁ ନିଜେ ନିଜେ ଖୁସି ରହିଥିଲେ ନୁହେଁ, ସେମାନଙ୍କ ମଧ୍ୟରେ ଯେଉଁ ଅସଲ ସୂତାରେ ଲାଗି ରହିଥିଲେ ଜୀବନର ଯାବତୀୟ ଅଭିବ୍ୟକ୍ତି ମୂଳତଃ ଏକ ଖୁସିର ଅଭିବ୍ୟକ୍ତିରୂପେହିଁ ଉକୁଟି ଆସିଥାଏ, ସେଇଟି ତା’ ଜାଗାରେ ସ୍ଵାଭାବିକ ଭାବରେ ରହିଥିଲେ ମଣିଷ ଯେଉଁ ଅବସ୍ଥାରେ ଥାଏ, ମୁଁ ତାହାକୁ ସାଧାରଣତଃ ଖୁସି ବୋଲି କହିଥାଏ । କୌଣସି ଖାସ୍ କାରଣ ସକାଶେ ଖୁସି ନୁହେଁ, ଭିତରେ ବା ବାହାରେ ଘଟିଥିବା କୌଣସି ନିର୍ଦ୍ଦିଷ୍ଟ ଘଟନାଜନିତ ଖୁସି ମଧ୍ୟ ନୁହେଁ,–ଏହା ଏକ ସ୍ଵାଭାବିକ ଖୁସି, ସ୍ଵାଭାବିକ ଏବଂ ସମଗ୍ର ଅନ୍ତରନୁଭବ,–Hoeffdingଙ୍କର ଭାଷାରେ ଏକ total foelelse, …ଯାହାକୁ ସେ humoureର ଏକ ଅଭିଧାରୂପେ ବ୍ୟବହାର କରିଛନ୍ତି । ସେହି humour ହେଉଛି ସମ୍ଭବତଃ ଯାବତୀୟ ଅଭିବ୍ୟକ୍ତିର ଏକ ଉତ୍ସ । ସେଇଟି ଥିଲେ ଅର୍ଥାତ୍ ଅନୁଭୂତ ହେଉଥିଲେ ଅର୍ଥାତ୍ ଭାବିଲାମାତ୍ରକେ ଆସି ପହଞ୍ଚିଯାଇ ପାରୁଥିଲେ ମଣିଷ କେଡ଼େ ସହଜରେ ଆପଣାକୁ ଉନ୍ମୋଚିତ କରି ଆଣିପାରେ, ଅଭିବ୍ୟକ୍ତି କରି ଆଣେ । ଠିକ୍ ବନ୍ଧୁଟି ପରି ଭିତରୁ କିଏ ସାଙ୍ଗେ ସାଙ୍ଗେ ଜବାବ ଦେଇ ପାରୁଥାଏ ।

 

୫ । ୨ । ୯୨

 

ଇସ୍ରାଏଲ୍ ଛାଡ଼ିବା ଆଜି ଠିକ୍ ବରଷେ ପୂରିଗଲା । ସେହି ଦେଶଟି ପ୍ରତି ମୋ’ର ଆକର୍ଷଣ ଅନେକ ଦିନର । ମୁଁ ଇଉରୋପରେ ପାଠ ପଢ଼ୁଥିବା ବେଳର ଆକର୍ଷଣ ଏ । ଆଗରୁ ମୁଁ ଇହୁଦୀ ଇତିହାସର ପ୍ରାୟ କିଛିହେଲେ ଜାଣି ନଥିଲି । ଗତ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇହୁଦୀମାନଙ୍କୁ ଯେପରି ଅମାନୁଷିକ ଭାବରେ ହତ୍ୟା କରାଯାଇଥିଲା, ଇଉରୋପରେ ପାଠ ପଢ଼ିବା ସମୟରେ ମୁଁ ସେହି ଘଟନା ସହିତ ପରିଚିତ ହେଲି । ଭାରତରୁ ଥାଇ ଇଉରୋପରେ ଇହୁଦୀମାନଙ୍କ ଉପରେ ହେଉଥିବା ନାରକୀୟ କାଣ୍ଡଗୁଡ଼ିକୁ ଯଥାର୍ଥ ତାତ୍ପର୍ଯ୍ୟ ଦେଇ ବୁଝିବା ମୋ’ ଲାଖି କଦାପି ସମର୍ଥ ହୋଇ ନଥାନ୍ତା ।

 

ସେତେବେଳେ ଇସ୍ରାଏଲ୍‌କୁ ମୋ’ର ପ୍ରଥମ ଯାତ୍ରାବେଳେ ମୁଁ ଦେଶଟିକୁ ତା’ର କଞ୍ଚାବେଳେ ଦେଖିଥିଲି । ଗତବର୍ଷ ପୋଖତ ଏବଂ ପ୍ରଚଣ୍ଡ ଇସ୍ରାଏଲ୍‌କୁ ମଧ୍ୟ ଦେଖିଲି । ଟାଣ ମାଟି ଉପରେ ଇସ୍ରାଏଲ୍ ଗୋଡ଼ ଟାଣ କରି ଛିଡ଼ା ହୋଇଛି, ତଥାପି ସେହି ଯାବତୀୟ ଟାଣପଣ ଭିତରେ କେଉଁଠାରେ ଯେପରି ଏକ ଅସୁସ୍ଥତା ମଧ୍ୟ ରହିଛି, ଏଥର ଅନେକ ସମୟରେ ସେହିପରି ଲାଗୁଥିଲା । Kionism ଏବଂ Socialismକୁ ଏକାଠି ବଞ୍ଚିବାକୁ ସେଠା Kibbut ଗୁଡ଼ିକରେ ଯେଉଁ ଉତ୍ସାହପୂର୍ଣ୍ଣ ପ୍ରୟାସ ଚାଲିଛି, ତାହା ତଥାପି ମନଭିତରେ ବହୁ ପ୍ରକାରର ସମୟ ଆଣି ଦେଇଥିଲା । ତଥାପି ସେଠାରେ Neve Shalom ପରି ଗୋଟିଏ ଜାଗା ମଧ୍ୟ ଦେଖିବାର ସୁଯୋଗ ପାଇଲି । ଚାରିଆଡ଼େ ଅବିଶ୍ଵାସ ଓ Exclusivenessକୁ ପ୍ରାୟ ଏକ ରାଜକୀୟ ପ୍ରୋତ୍ସାହନ ଦିଆଯାଉଥିବା ସମୟରେ ସେଠାରେ ଏକାନ୍ତ କୋଳାହଳଶୂନ୍ୟ ଭାବରେ ଯେ କେତୋଟି ଆରବ ଓ ଇହୁଦୀ ପରିବାର ଏକତ୍ର ଗୋଟିଏ ଗାଁ ହୋଇ ବାସ କରୁଥିଲେ, ଗୋଟିଏ ଗାଁ ହୋଇ ପିଲାଙ୍କ ପାଇଁ ପାଠଶାଳା ଖୋଲିଥିଲେ ଓ ଗୋଟିଏ ଗାଁ ହୋଇ ଆଗକୁ, ଅନେକ ଆଗକୁ ସ୍ଵପ୍ନ ଦେଖୁଥିଲେ, ନିଜ ଆଖିରେ ସେହି କଥାଗୁଡ଼ିକୁ ଦେଖି ମୋ’ର ସବୁ ଅନ୍ଦାଜ ଓ ସବୁ ଉତ୍ସାହ ସତେ ଯେପରି ସେହିଠାରେହିଁ ଗୋଟାସୁଦ୍ଧା ଲାଖି ଯାଇଥିଲା । ଏଥର ସେହି ସ୍ଥାନଟିରେ ଯାଇ ଅଧିକ ସମୟ ରହିବି ଓ ଅଧିକ participate କରିବି ବୋଲି ଆଉଥରେ ଇସ୍ରାଏଲ‌୍‌କୁ ଯିବାଲାଗି ମନ କେତେଥର ହକହକ ମଧ୍ୟ ହେଲାଣି ।

 

୬ । ୨ । ୯୨

 

ନିଜକୁ ଗୋଟାସୁଦ୍ଧା ସଂଗୃହୀତ କରିଆଣି ନପାରିଲେ ମୋ’ର ଦିନଲିପି ଲେଖିବା ହୋଇ ପାରେନାହିଁ । ଦିନଲିପି ଲେଖିବା ପଣ୍ଡିତର କାମ ନୁହେଁ, ପ୍ରାବନ୍ଧିକରବି କାମ ନୁହେଁ । ଉତ୍ତେଜିତରବି ତ କାମ ମୋଟେ ନୁହେଁ, ମୁଁ ଆଉ ଯାହାକିଛି ଲେଖେ, ତାହାକୁ ସତେଅବା ଅନ୍ୟପାଇଁ ଲେଖେ । ଆଖି ଆଗରେ ସତେଅବା ଅନ୍ୟମାନେ ରହିଥାନ୍ତି । ସେମାନଙ୍କ ଆଗରେ ନିଜର ସୁଚାରୁ ଛବିଟିଏ ଉପସ୍ଥାପିତ କରି ପାରିବା ନିମନ୍ତେ ମୁଁ ଲେଖେ । ଅନେକ ସମୟରେ ପାଣ୍ଡିତ୍ୟବି ଦେଖାଇହୁଏ, କଥାଗୁଡ଼ାକୁ ଅଧିକ ଗୁରୁ ଅଥବା ଅଧିକ ଘନ କରି କହିବା ନିମନ୍ତେ ବେଶ୍ ଆନନ୍ଦବି ଲାଗେ । ଏବଂ, ମୁଁ ଯାହା ଲେଖେ, ତାହାକୁ ପ୍ରଧାନତଃ ଅନ୍ୟମାନେ ପଢ଼ନ୍ତି, ଅନ୍ୟମାନେହିଁ ତାହାର ମୂଲ୍ୟ ନିର୍ଦ୍ଧାରଣ କରନ୍ତି । ମୁଁ ପାଖରେ ଥାଏ, ସାଙ୍ଗରେ ଥାଏ ସତ ମାତ୍ର, ସତେଅବା କେବଳ ଖୁସିଟାଏ ହେବାକୁ ପାଖରେ ଥାଏ ବା ସାଙ୍ଗରେ ଥାଏ । ସମସ୍ତେ ତାରିଫ କରନ୍ତି । ମୁଁ ତାରିଫତକ ସଂଗ୍ରହ କରି ଘରକୁ ଆଣେ ।

 

ଦିନଲିପି ଲେଖିବା ସମୟରେ ଏକାବେଳେକେ ଅନ୍ୟ ପ୍ରକାରର ହୁଏ । କାହା ପାଖରେ ଦେଖାଇ ହେବାର କୌଣସି ପ୍ରଶ୍ନ ନଥାଏ । ସଜାଇ କରି ଅଥବା ଅର୍ଥଘନ କରି କହିବାରବି କୌଣସି ଅବକାଶ ନଥାଏ । କେବଳ ମୋ’ରି ପାଖରେ ବସି ମୁଁ ମୋ’ର ଦିନଲିପିଟିକୁ ଲେଖେ । ନିଜଭିତରେ ଗୋଟାଏ ଫାଳକୁ ଅବଧାନ କରି ବସାଇଦେଇ ଚାଟରୂପୀ ଆରଫାଳଟାକୁ ଶାସନ କରିବାର କୌଣସି ଅଭଦ୍ରାମି କିମ୍ବା ଅନୈତିକତା କରିବାଲାଗି ମୁଁ ଦିନଲିପି ଲେଖେନାହିଁ । ନିଜେ ନିଜ ସହିତ ଗୋଟାସୁଦ୍ଧା ସାଙ୍ଗ ହୋଇ ନପାରୁଥିଲେ ହୁଏତ ମୁଁ ଆଦୌ କୌଣସି ଡାଏରୀ ଲେଖି ପାରୁନଥାନ୍ତି । ନିଜେ ନିଜର ସାଙ୍ଗ ହେବା ସମ୍ଭବତଃ ନିଜେ ନିଜର ପୁଲିସ ହେବା କିମ୍ବା ନିଜେ ନିଜର ଗୁରୁ ହେବାଠାରୁ ଅନେକ ଅଧିକ କଷ୍ଟକର । ଏବଂ ଅସଲ କଥା ହେଉଛି, ସାରା ସଂସାରଟା ମଧ୍ୟ ସାଙ୍ଗରେ ଥିଲାପରି ଲାଗୁ ନଥିଲେ ନିଜେବି ନିଜର ସାଙ୍ଗ ହେବା ସମ୍ଭବ ହୋଇ ପାରେନାହିଁ । ଅର୍ଥାତ୍, ନିଃସଙ୍ଗ ମଣିଷ, ଖଣ୍ଡିଆ ମଣିଷ ମୁଖ୍ୟତଃ ରୋଦନ କରେ ସିନା, ମାତ୍ର ଆଦୌ କୌଣସି ଦିନଲିପି ଲେଖି ପାରେନାହିଁ । ରୋହିତ ହୋଇ ପାରେନାହିଁ ।

 

୭ । ୨ । ୯୨

 

ଭକ୍ତି ଜ୍ଞାନଠାରୁ ଅଲଗା ଅଥବା ଜ୍ଞାନ ଭକ୍ତିଠାରୁ ଅଲଗା ଏହି କଥାଟା ମୂଳତଃ ତଥାକଥିତ ଭକ୍ତିସମ୍ପ୍ରଦାୟ ଓ ଜ୍ଞାନ ସମ୍ପ୍ରଦାୟଗୁଡ଼ିକରହିଁ ଭିଆଣ । ଏହା ପଛରେ ଏକ ଦୁରାଗ୍ରହଯୁକ୍ତ ସମର୍ଥତା ମଧ୍ୟ ଅନେକ ସ୍ଥଳରେ ନିହିତ ହୋଇ ରହିଥାଏ । ଏହି ଅସମର୍ଥତା ହେଉଛି ସମ୍ପ୍ରସାରିତ ହୋଇ ପାରିବାର ଅସମର୍ଥତା, ସାବଲୀଳ ହୋଇ ପାରିବାଲାଗି ଅସମର୍ଥତା । ଜ୍ଞାନ ସାବଲୀଳ ହେଲେ ଆପେ ଆପେ ଭକ୍ତି ମଧ୍ୟକୁ ସମ୍ପ୍ରସାରିତ ହୋଇଯାଏ ଓ ଭକ୍ତି ସାବଲୀଳ ହେଲେ ଆପେ ଆପେ ଜ୍ଞାନ ଆଡ଼କୁ ସମ୍ପ୍ରସାରିତ ହୋଇଯାଏ । ଜୀବନର ନିବେଦନ କ୍ଷେତ୍ରରେ ଏଭଳି ଗୋଟିଏ ସୋପାନ ଆସି ପହଞ୍ଚେ, ଯେତେବେଳେ କି ଜ୍ଞାନ ଓ ଭକ୍ତି ମଧ୍ୟରେ ଆଦୌ କୌଣସି ପ୍ରଭେଦ ରହିଛି ବୋଲି ବାରି ହୁଏନାହିଁ । ଏହିଭଳି ଏକ ସୋପାନରେ ଯାଇ ପରହେବାକୁ ସୁସ୍ଥ ଜ୍ଞାନ ଓ ସୁସ୍ଥ ଭକ୍ତି ଉଭୟର ଅଭୀପ୍‌ସା ରହିଥିବା ଉଚିତ ।

 

ସେହି ଅଭୀପ୍‌ସାଟି ନଥିଲେ ଜ୍ଞାନ ଅସୁସ୍ଥ, ଭକ୍ତି ମଧ୍ୟ ଅସୁସ୍ଥ । ଏବଂ ପ୍ରଧାନତଃ ଅସୁସ୍ଥତାର ଉତ୍ତେଜନାରୁହିଁ ସମ୍ପ୍ରଦାୟଗୁଡ଼ିକର ସୃଷ୍ଟି । ତା’ପରେ ସନ୍ତକ ଅଲଗା, ଭେକ ଅଲଗା, ମନ୍ତ୍ର ଅଲଗା, ମନ୍ଦିର ମଧ୍ୟ ଅଲଗା । ଏହି ଦୁଷ୍ଟ ଲୀଳାଟି କାଳକାଳରୁ ଆମ ପୃଥିବୀରେ ଅଭିନୀତ ହୋଇ ଆସିଛି ଓ ଜ୍ଞାନୀ ତଥା ଭକ୍ତମାନଙ୍କର ଜ୍ଵାଳାରେ ଜ୍ଞାନ ଓ ଭକ୍ତି ଉଭୟେ ଭାରି ପ୍ରପୀଡ଼ିତ ହୋଇ ରହିଛନ୍ତି । ଏବଂ ଭଗବାନ୍‍ ମଧ୍ୟ ସମ୍ଭବତଃ ଭୀତ ହୋଇ ଉଭୟଟି ମଧ୍ୟରୁ ଅଲଗା ହୋଇ ରହିଛନ୍ତି । ଭକ୍ତି କହିଲେ କେତେଗୁଡ଼ିଏ ବାହ୍ୟ ritual ବା drill କଦାପି ବୁଝାଏ ନାହିଁ ଏବଂ ଜ୍ଞାନ କହିଲେ କେତେଗୁଡ଼ାଏ ଶାସ୍ତ୍ରର ଚାଷକୁ ମଧ୍ୟ ବୁଝାଏ ନାହିଁ । Ritual ଏବଂ Drill ମଣିଷକୁ ମେସିନ୍ କରିପକାଏ ଏଣେ ମଣିଷ କୌଣସି ଭ୍ରମରେ ପଡ଼ି ମେସିନ୍ ହେବାକୁ ମନ କଲେ ତାହାର ପ୍ରକୋପରୁ ଅହଂକାରୀ ହୁଏ । ଏବଂ, ଅହଂକାର ରଜା ହୋଇ ବସିଥିବା ପର୍ଯ୍ୟନ୍ତ ତୁମ ଜ୍ଞାନ ବୃଥା, ତୁମ ଭକ୍ତି ମଧ୍ୟ ବୃଥା । ତୁମ ଶାସ୍ତ୍ର ବୃଥା ତୁମ ମନ୍ତ୍ରଜପ ମଧ୍ୟ ବୃଥା । ଭଗବାନ୍‍ଙ୍କୁ ଅସମର୍ଥ ଓ ଅସହାୟ କରି ରଖିବା ଲାଗି ଇଏ ହେଉଛି ଅରାଜି ମଣିଷର ଗୋଟିଏ ଗୋଟିଏ ଫନ୍ଦି ।

 

୮ । ୨ । ୯୨

 

Let God grow within us, ଭଗବାନ୍‍ଙ୍କୁ ବାହାରେ ଥାପିବା ବାଦ୍ ଦେଇ ଭଗବାନ୍‍ଙ୍କୁ ନିଜ ଭିତରେ ଅଧିକରୁ ଅଧିକ ସମୃଦ୍ଧ ଏବଂ ପ୍ରସ୍ଫୁଟିତ ହେବାକୁ ଦେବା ଏକ ଅନ୍ୟ ବାଟ । ଏକାନ୍ତ ଧାର୍ମିକମାନେ ଏହି ପ୍ରକ୍ରିୟାଟିକୁ ଧର୍ମର ଅନ୍ତର୍ଗତ ବୋଲି ଭାବି ପାରନ୍ତି, ନଭାବିବି ପାରନ୍ତି ।

 

ନିଜର ଗ୍ରହଣଶୀଳତା ବଢ଼ିବାରେ ଲାଗିଥିଲେ ନିଜ ଭିତରର ଭଗବାନ୍ ମଧ୍ୟ ବୃଦ୍ଧି ଲାଭ କରୁଥାନ୍ତି ଏବଂ ନିଜର ଚତୁର୍ଦ୍ଦିଗରେ ବିବିଧ ସମ୍ବନ୍ଧରେ ଶ୍ରଦ୍ଧାରୂପେ ଅଭିବ୍ୟକ୍ତି ହେବାରେ ଲାଗିଥାନ୍ତି-। ଯେଉଁ ଧର୍ମଗ୍ରସ୍ତ ବା ଧର୍ମପୀଡ଼ିତମାନେ ଧର୍ମ ଓ ଠାକୁରମାନଙ୍କୁ ନେଇ କଳହ ଲଗାନ୍ତି-। ସେମାନେ ବିଚରା ନାନା କାରଣରୁ ଯଥାର୍ଥ ଭାବରେ ଗ୍ରହଣଶୀଳ ହୋଇ ପାରିନଥାନ୍ତି ବୋଲି ସେହିପରି ଏକ ଦର୍ଶୀ ଭିତରେ ଅଣଆୟତ୍ତ ହୋଇ ରହିଥାନ୍ତି ଏବଂ ପୃଥିବୀର ଦୁର୍ଦ୍ଦଶାକୁ ମଧ୍ୟ ବଢ଼ାଇ ଥାଆନ୍ତି । ଭଗବାନ୍‍ ଏପରି ଏକ ଉପାଦାନ ହୋଇ ରହିଥିବା ଆବଶ୍ୟକ, ଯାହାଙ୍କର ସ୍ପର୍ଶ ବାଜିଲେ ମଣିଷ ସର୍ବତୋଭାବେ ହାଲୁକା ହୋଇ ଯାଉଥାନ୍ତା । ଯେଉଁଠି ଜଣକର ବା କୌଣସି ଗୋଷ୍ଠୀର ଧର୍ମ ତାକୁ ବା ସେମାନଙ୍କୁ ହାଲୁକା କରି ନପାରୁଛି, ସେଠି ସିଏ ବା ସେମାନେ ସମ୍ଭବତଃ ଆଦୌ ଭଗବାନ୍‍ଙ୍କର ସ୍ପର୍ଶ ପାଇନାହାନ୍ତି ବୋଲି ଆଶଙ୍କା ମଧ୍ୟ କରାଯାଇପାରେ । ଧର୍ମଗୁଡ଼ିକର କୃପାରୁ ଅନେକ କ୍ଷେତ୍ରରେ ଏହିପରି ଭାବରେ ଭଗବାନ୍‍ ମରି ମରି ଯାଉଛନ୍ତି, ତଥାକଥିତ ଧର୍ମଗ୍ରସ୍ତ ମଣିଷର କୋପଗୁଡ଼ାକହିଁ ବଢ଼ି ବଢ଼ି ଯାଉଛି, ଆମେ ମଧ୍ୟ ଏମାନଙ୍କ ଉପରେ କୌଣସି କୋପ କରିବା ନାହିଁ । ଆମେ ପୌତ୍ତଳିକମାନଙ୍କୁ ହସିବା; ସେମାନେ ଯେ ଅତି ଦୁର୍ଦ୍ଦଶାରେ ପଡ଼ିଛନ୍ତି, ଅତ୍ୟନ୍ତ ହାଲୁକା ହୋଇ ସେମାନଙ୍କ ଆଗରେ ସେହି କଥାଟିକୁ କହିବାକୁ ଚେଷ୍ଟା କରିବା । ଜଣେ ଗ୍ରହଣଶୀଳ ମଣିଷ ଆହୁରି ଅନେକଙ୍କୁ ଯେ ଅଧିକ ଗ୍ରହଣଶୀଳ ହେବାରେ ସହାୟତା କରିପାରେ, ଆମେ ତାହାର ପ୍ରମାଣ ଦେବା । ନିଜଭିତରେ ଭଗବାନ୍‍ଙ୍କ ସହିତ ବାଟ ଚାଲୁଥିଲେ ଯାଇ ଆମଦ୍ଵାରା ତାହା ହୋଇପାରିବ ଏବଂ କାଳ ବଦଳିଯିବ ।

 

୯ । ୨ । ୯୨

 

ଯେଉଁ ବିଷୟରେ ମୁଁ ନିଜ ଭିତରେ ସମାଧାନ ପାଇନାହିଁ, ମୁଁ ସେ ବିଷୟରେ କିପରି କ’ଣ କହିପାରିବି କିମ୍ବା ଲେଖି ପାରିବି ? ମୁଁ ନିଜେ ଯେଉଁ ବିଷୟରେ ନିଜର ସମଗ୍ର ଅବଧାରଣା ତଥା ସମଗ୍ର ହୃଦୟର କ୍ଷେତ୍ରରେ ପରିଷ୍କାର ହୋଇ ପାରିନାହିଁ, ତଥାକଥିତ ଏକ ସିଦ୍ଧାନ୍ତ ବା ତତ୍ତ୍ଵ ହିସାବରେ ମୁଁ ତାହାକୁ କେଉଁ ଜ୍ଞାନଗଛରୁ ତୋଳିଆଣି କିପରି ଅନ୍ୟମାନଙ୍କ ଆଗରେ ପରିବେଷଣ କରିଦେଇ ପାରିବି ? କିଛି କହିଲାବେଳେ କିମ୍ବା ଲେଖିଲାବେଳେ ମୁଁ ସର୍ବଦା ଏହିପରି ଏକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ତେଣୁ, କିଛିହେଲେ ସଜାଇ କରି କହି ପାରେନାହିଁ ବା ଲେଖି ପାରେନାହିଁ । ବିଶ୍ଵାସରେ ନିଜପାଖରେ ମୀମାଂସାଟିଏ ଦେଇ ମୁଁ ସେହି ଅନୁସାରେ ଯେତିକି ବାଟ ଚାଲିପାରିଛି ବା ପାରୁଛି, ମୁଁ କେବଳ ସେତିକି କହିପାରେ ବା ଲେଖିପାରେ । ଏବଂ, ଯେଉଁ ବିଷୟରେ ବା କ୍ଷେତ୍ରରେ ନିଜେ ସ୍ପଷ୍ଟ ସମାଧାନଟିଏ ପାଇ ପାରି ଥାଏ, ସେହି କଥାଟିକୁ କହିବାବେଳେ ଅଥବା ଲେଖିବାବେଳେ ମୁଁ ଆପେ ଆପେ ସତେଅବା କେବଳ ଚାହିଁଲାମାତ୍ରକେ ଶବ୍ଦ ପାଇଯାଏ, ଆବଶ୍ୟକ ଶୈଳୀଗୁଡ଼ିକୁ ମଧ୍ୟ ପାଇଯାଏ । ଶବ୍ଦ ବା ଶୈଳୀର ଭଣ୍ଡାରମାଲିକ ପାଖରେ ସେଗୁଡ଼ିକୁ ଆଦୌ ମାଗିବାକୁ ପଡ଼େନାହିଁ । କେଡ଼େ ସହଜରେ ସବୁ ଭାବିହୁଏ, ସଜାଇ ହୁଏ, କହି ହୁଏ, ଲେଖିବି ହୁଏ, ଆଦୌ ସଂଗ୍ରାମ କରିବାକୁ ପଡ଼େନାହିଁ ।

 

କିଛି କହିବାକୁ ଗଲାବେଳେ ଏକ ବିଶେଷ ସମସ୍ୟାରବି ସମ୍ମୁଖୀନ ହେବାକୁ ପଡ଼ିଥାଏ । ମୁଁ ଯେଉଁ ବିଷୟରେ କହିବାକୁ ଯାଉଛି, ମୋ’ର ଶ୍ରୋତାମାନେ ସେ ବିଷୟରେ ନିଜେ ଆଗ୍ରହ ରଖିଛନ୍ତି ତ ? ଅର୍ଥାତ୍, ମୋ’ ଜିଜ୍ଞାସାର ପଥ ଅନ୍ଵେଷଣରେ ମୋ’ ଆଗରେ ବସିଥିବା ବନ୍ଧୁମାନେ ମୋ’ ସହିତ ଅଛନ୍ତି ତ ? ସେମାନେ କେବଳ ଗୋଟାଏ ଫେଶନିଆ ଢଙ୍ଗରେ ସେଠି କ’ଣ ଗୋଟାଏ ଶୁଣିବାକୁ ବସିନାହାନ୍ତି ତ, ପଦେ ଭଲକଥା ଶୁଣି ପ୍ରଧାନତଃ ମନ ଆନନ୍ଦ କରିବାକୁ ଆସିନାହାନ୍ତି ତ ? ଏହି କଥାଟିକୁ ମୁଁ ସତେଅବା ଶୁଙ୍ଘି କରି ଜାଣିପାରେ, ଉପଭୋକ୍ତାମାନଙ୍କର ଆଖିକୁ ଅନାଇ ବୁଝିପାରେ । ଏବଂ ସେମାନେ ମୋ’ ସାଙ୍ଗରେ ନଥିଲେ ମୋତେବି ଯାକିଯୁକି ହୋଇ ସତେଅବା ଅନିଚ୍ଛା ସହିତ କିଛି କହୁଥିଲା ପରି ଲାଗେ ।

 

୧୦ । ୨ । ୯୨

 

ଏଥର ଇଉରୋପରୁ ଭାରତବର୍ଷକୁ ଫେରିବା ଠିକ୍ ଗୋଟିଏ ବର୍ଷ ହୋଇଗଲା । ଦୁଇ ମାନବିକ ପରିବେଶ ମଧ୍ୟରେ ଅନ୍ତର୍ଗତ ଏତେ ଫରକ ରହିଛି ଯେ, ପ୍ରତ୍ୟେକ ଥର ସେଣୁ ଏଠାକୁ ଫେରିବାପରେ ବେଶ୍ ଅନେକ ଦିନ ପର୍ଯ୍ୟନ୍ତ ମୁଁ ଏଠାରେ ଆଦୌ ଖାପ ଖାଇ ପାରେନାହିଁ । ଅନେକ ସମୟରେ ହୁଏତ ଏକ nostalgiaର ଭାବ ନେଇ ମୁଁ ଇଉରୋପ ଆଡ଼କୁ ଫେରି ଚାହିଁବାରେ ଲାଗିଥାଏ, ମୋ’ର ଅସଲ ଭୂମି ଭାରତବର୍ଷ ଏହିଠାରେହିଁ ମାନବିକ ବହୁ challengeର ସାମନା କରିବାପାଇଁ ମୁଁ ସର୍ବଦା ନିଜକୁ ପ୍ରସ୍ତୁତ କରୁଥାଏ, ଏହି ଭାରତବର୍ଷର ଦର୍ପଣ ଉପରେହିଁ ମୁଁ ଇଉରୋପକୁ ଦେଖିଥାଏ ଏବଂ ଏଠାରେ challenge ଗୁଡ଼ିକର ସମ୍ମୁଖୀନ ହେବାକୁ ନୂଆ ନୂଆ ଖୋରାକ, ସଂଗ୍ରହ କରିବାଲାଗି ମୁଁ ଇଉରୋପ ଯାଏଁ । ତଥାପି, ଇଉରୋପକୁ ସ୍ମରଣ କଲାବେଳେ ସବୁଥର ଭାରି nostalgic ଲାଗେ, ମଡ଼େଲଗୁଡ଼ିକ ମତେ ଇଉରୋପରେ ଭୂଇଁ ଉପରେହିଁ ଅଧିକ ସ୍ପଷ୍ଟ ଭାବରେ ଦିଶି ଦିଶି ଯାଉଥାନ୍ତି ।

 

ଏଠିଥାଇ ଅନେକ ବ୍ୟକ୍ତି ଇଉରୋପକୁ ବସ୍ତୁବାଦୀ ବୋଲି କହନ୍ତି । ପ୍ରତ୍ୟେକ ମନୁଷ୍ୟର ବସ୍ତୁଗତ ଜୀବନଭରଣା ଲାଗି ଇଉରୋପ ଭୂଖଣ୍ଡରେ ଯେତେ ଚିନ୍ତା କରାଯାଇଛି ଓ ସେହି ଅନୁସାରେ ଯେତେ କାର୍ଯ୍ୟ ସମ୍ପନ୍ନ ହୋଇଛି ତାହା ଭାରତବର୍ଷ ଲାଗି ଅନେକ ଶିକ୍ଷଣୀୟ ଦୃଷ୍ଟାନ୍ତ ହୋଇ ରହିଛି । ନାନା କାରଣରୁ ମୁଁ ଉଇରୋପକୁ ବସ୍ତୁବାଦୀ ବୋଲି କହିବାକୁ ମୋଟେ ଇଚ୍ଛା କରେନାହିଁ । ଭାରତରେ ଯେଉଁମାନେ ଅନ୍ୟମାନଙ୍କର ତୁଳନାରେ ଅଧିକ ବସ୍ତୁ ମାଡ଼ି ବସିଛନ୍ତି ଏବଂ ଅନ୍ୟମାନଙ୍କୁ ବଞ୍ଚିତ କରି ରଖିଛନ୍ତି, ପ୍ରଧାନତଃ ସେହିମାନେ ଅଥବା ସେହିମାନଙ୍କ ଦ୍ଵାରା ପରିପୋଷିତ ପଣ୍ଡିତ ତଥା ସାଧୁସଜ୍ଜନମାନେ ଇଉରୋପକୁ ଫୁଲେଇ ହୋଇ ବସ୍ତୁବାଦୀ ବୋଲି କହିଥାନ୍ତି । ଇଉରୋପରେ ତଥାକଥିତ ଅତି ସାଧାରଣ ଅନାମଧେୟମାନଙ୍କଠାରେ ମୁଁ ଯେତେ ମାନବୀୟ ସାଧୁତା ରହିଥିବାର ଅନୁଭବ କରିଛି, ଅନେକ ସମୟରେ ଭାରତବର୍ଷୀୟ ଧନସାମନ୍ତ ଏବଂ ଧର୍ମସାମନ୍ତମାନଙ୍କ ଭିତରେ ମଧ୍ୟ ମୁଁ ତାହା ଦେଖିବାକୁ ପାଇନାହିଁ । ଏଠାରେ ଭବିଷ୍ୟକୁ ଝୁରୁଥିବାବେଳେ ଇଉରୋପର ମନେ ପଡ଼ି ମୋତେ ଅନେକ ସମୟରେ nostalgic ଲାଗିଛି । ଇଉରୋପକୁ ଅନୁକରଣ କରିବାପାଇଁ କେବେ ମନ ହୋଇନାହିଁ ତଥାପି ଭାରି nostalgic ଲାଗିଛି ।

 

୧୪ । ୨ । ୯୨

 

ଧର୍ମ ଯେଉଁଠାରୁ ଅଧ୍ୟାତ୍ମକୁ ଛାଡ଼ି ନିଜ ଭିତରେହିଁ ନିଜେ କିଳି ହୋଇ ରହିବାକୁ ମନ କଲା, ସେହିଦିନ ଠାରୁ ତାହା ଅତି ସହଜରେ କ୍ଷମତା ହାତରେ, ଅତ୍ୟନ୍ତ ଅନ୍ଧ କ୍ଷମତା ହାତରେ ଏକ କ୍ରୀଡ଼ନକ ହୋଇ ରହିଲା । ପୃଥିବୀର ଇତିହାସରୁ ଏହାର ଗାଡ଼ି ଗାଡ଼ି ଦୃଷ୍ଟାନ୍ତ ଚାହିଁଲାମାତ୍ରେ ମିଳି ପାରିବ ।

 

କେଉଁ ଧର୍ମରେ ଯେ ଅଧ୍ୟାତ୍ମ ମଧ୍ୟକୁ ଉତ୍ତୋଳିତ ହୋଇଯିବାର ସୂତ୍ରଗୁଡ଼ିକ ନଥିଲା, ସେ କଥା ଆଦୌ କହି ହେବନାହିଁ । ତଥାପି, ଅଧିକାଂଶ ଧର୍ମ ମଣିଷକୁ ସବାଆଗ ସେହି ପ୍ରେରଣାଟିକୁ ଯୋଗାଇ ଦେଇ ପାରିଲେ ନାହିଁ, ମଣିଷ ଲାଗି ଅଫିମ ପରି କାର୍ଯ୍ୟ କଲେ, ଅତ୍ୟନ୍ତ ବର୍ବର ଭାବରେ ପୃଥିବୀର ଉଦୟକୁ ଅଟକାଇ ରଖିଲେ । ଧର୍ମମାନଙ୍କ ସହିତ ଆଧୁନିକ ଯୁଗରେ ଜାତୀୟତାବାଦ ଯେତେବେଳେ ଆସି ମିଶିଲା, ସେତେବେଳେ ଧର୍ମ ପ୍ରଧାନତଃ ଏକ ବିନାଶକାରୀ ବିଭ୍ରମରେ ପରିଣତ ହୋଇଗଲା । ମଣିଷମାନେ ସାନ ଦିଶିଲେ, ଅନ୍ଧତାଗୁଡ଼ାକ ଅଧିକ ଶକ୍ତିଶାଳୀ ହେଲେ । ରଜାମାନଙ୍କୁ ଧର୍ମର ରକ୍ଷକ ବୋଲି କେଡ଼େ ବାଗରେ ସ୍ଵୀକାର କରି ନିଆଗଲା । ରାଜାମାନେ ଧର୍ମର ସନ୍ତକରୂପେ କାର୍ଯ୍ୟ କରୁଥିବା ମନୋରମ କଣ୍ଢେଇମାନଙ୍କର ତତ୍ତ୍ଵାବଧାରକ ହେଲେ । ଠାକୁର ତାଙ୍କ ଛତିତଳେ କୁଆଡ଼େ ପୋତି ହୋଇଗଲେ । ହିନ୍ଦୁଧର୍ମ, ଇସ୍‍ଲାମ, ଖ୍ରୀଷ୍ଟିଆନ୍ ଧର୍ମ,–ଏଗୁଡ଼ିକ ମଣିଷକୁ କ୍ରମଶଃ ଅଧ୍ୟାତ୍ମ ଆଡ଼କୁ ପରିଚାଳିତ କରି ନେଇଥାନ୍ତେ, ପୃଥିବୀରେ ଅନେକ ଅନେକ ଉପଲବ୍‌ଧି ଏବଂ ତଜ୍ଜନିତ ଚିଦ୍‌ବିସ୍ତାର କାରଣ ହୋଇଥାନ୍ତେ । ସେସବୁ ସ୍ଵପ୍ନ ସେମିତି ଶାସ୍ତ୍ର ଏବଂ ଆଦର୍ଶ ହୋଇ ରହିଗଲା । ମଣିଷ ଧର୍ମାନ୍ଧ ହୋଇ ପୃଥିବୀଟାକୁ ପଙ୍କମୟ କରି ରଖିଲା ଓ ସେଥିରୁ କେତେ ଆନନ୍ଦ ଲାଭ କଲା । ପିତୁଳାମାନେ ପିତୁଳାତୃଷ୍ଣାର ଯାବତୀୟ କାମୁକତାକୁ ଅତିକ୍ରମ କରିଯିବାର ମାଧ୍ୟମରୂପେ ବ୍ୟବହୃତ ହୋଇଥିଲେ ଆଧୁନିକ ମଣିଷ ବର୍ତ୍ତମାନ ଅଧ୍ୟାତ୍ମକୁହିଁ ସର୍ବୋତ୍ତମ ଐଶ୍ୱର୍ଯ୍ୟରୂପେ ସ୍ଵୀକାର କରିନେଇ ପାରୁଥାନ୍ତା । ସବୁ ଦେଶରେ ସନ୍ଥମାନେ ସେହି ସ୍ଵୀକୃତିଟିକୁ ସମ୍ଭବ କରିବା ଲାଗି ପିତୁଳା ଭାଙ୍ଗିବାର କେତେ ଆହ୍ଵାନ ମଧ୍ୟ ଦେଲେ । ତଥାପି ମଣିଷମାନଙ୍କର ଭୂମି ଖୁବ୍‌ବେଶି ବଦଳି ପାରିଲାନାହିଁ । ଭଲ ପାଇବାର ମଣିଷଟିକୁ ଗିଳି କ୍ଷମତାତୁର ଉଗ୍ର ମଣିଷ ତା’ ଉପରେ ନିଜର ବାନା ଉଡ଼ାଇଲା ଓ ଅଲକ୍ଷଣା କରି ପକାଇଲା ।

 

୧୫ । ୨ । ୯୨

 

ଚାରିଆଡ଼େ ଖାଲି ଦୁଃଖହିଁ ଦୁଃଖ । ଆଇନ ଅଛି, ଆଇନ କେହି ମାନୁନାହାନ୍ତି । ଉପଦେଶଗୁଡ଼ାକ ଶାସ୍ତ୍ର ହୋଇ ଶଢ଼ିଗଲାଣି । ସତେଅବା ସମସ୍ତେ ନିଜର ଜିଦ୍‌ଗୁଡ଼ାକୁ ମାନିବେ ବୋଲି ବଦ୍ଧପରିକର ହୋଇ ବସିଛନ୍ତି । ବିଦ୍ୟା, ବଢ଼ିଆରୁ ବଢ଼ିଆ ବିଦ୍ୟାକୁ ଆୟତ୍ତ କରିଥିବା ମହତ୍ତମମାନେ ବିଦ୍ଵାନ୍ ଅପେକ୍ଷା ଚତୁର ହେବାକୁହିଁ ଅଧିକ ନିରାପତ୍ତା ବୋଲି ମଣୁଛନ୍ତି । ଏତେଟିକିଏ ଅବକାଶରେ ମଧ୍ୟ ମଣିଷ ନିର୍ମମ ହେବାକୁ ମୋଟେ ପଛାଉନାହିଁ । ସମସ୍ତେ ସମସ୍ତଙ୍କୁ ପାଦରେ ଦଳି ଦେଇ ଆଗକୁ ଦଉଡ଼ିବାରେ ଲାଗିଛନ୍ତି । ସତେଅବା କେଉଁଠି ସବାଆଗ ଯାଇ ପହଞ୍ଚି ଯିବାପାଇଁ ସେମାନେ ଧାଇଁବାରେ ଲାଗିଛନ୍ତି । ସେମାନେ ପ୍ରକୃତରେ କେଉଁଠି ଯାଇ ପହଞ୍ଚିବେ କେଜାଣି ? ସେ କଥାକୁ ସତେଯେପରି କାହାରିହେଲେ ହୋସ୍ ନାହିଁ । ଏଠି ତୁମେ କେଉଁ ଘରେ ବନ୍ଧୁ ବାନ୍ଧିବ, କାହାକୁ ବା ସାଙ୍ଗ ବୋଲି କହିବ ? ତୁମେ ସତକୁସତ ସାଙ୍ଗଟିଏ ଖୋଜୁଛ ବୋଲି ପ୍ରକୃତରେ ମନ ଖୋଲି କାହା ଆଗରେ କହିପାରିବ ? ତୁମ ଭିତରେ କେଉଁଠି ଅତ୍ୟନ୍ତ କୋମଳ ଓ ଅତ୍ୟନ୍ତ ଦୁର୍ବଳ କ’ଣଟିଏ ରହିଛି ବୋଲି ତୁମେ କାହା ଆଗରେ ପ୍ରକାଶ କରି ପାରିବ ? ପୁନର୍ବାର ଲାଜରା ହୋଇ ଆପଣାପାଖକୁ ଫେରିଆସିବାହିଁ ସାର ହେବ ।

 

ଭୁବନମୟ ଏହି ଦୁଃଖଗୁଡ଼ାକୁ ଅଙ୍ଗେ ନିଭାଇ ନିଜର ବ୍ୟକ୍ତିଗତ ଜୀବନରେ ଆଦୌ କୌଣସି ଦୁଃଖ ଅଛି ବୋଲି ଅନୁଭବହିଁ ହେଉନାହିଁ । ମୋ’ର ଗର୍ବ ଓ ଗୌରବ, ମୁଁ ଏପର୍ଯ୍ୟନ୍ତ ଚାଲାକ ହୋଇନାହିଁ, ଏପର୍ଯ୍ୟନ୍ତ କପଟ କରିନାହିଁ । ନିଜକୁ କୋମଳ ଓ ଦୁର୍ବଳ ବୋଲି କହିବାକୁ ମୁଁ କେବେହେଲେ କୁଣ୍ଠା ଅନୁଭବ କରିନାହିଁ । ଧୋକା ଖାଇଲେ ମଧ୍ୟ ତଥାପି ବିଶ୍ଵାସ କରିଛି, କେହି ମୋତେ ଗୋଟାସୁଦ୍ଧା ଭୁଲ୍ ବୁଝିଲେ ମଧ୍ୟ ତାକୁ ବିଶ୍ଵାସ ଦେଇଛି । ତଥାପି ବିଶ୍ଵାସରେ ବଞ୍ଚିଛି, ଲଜ୍ଜା ଭୁଲି ସବୁରି ଦୁଆରେ ପ୍ରଧାନତଃ ସଖ୍ୟର ପସରା ନେଇ ଛିଡ଼ା ହେବାକୁ ସାହସ କରି ପାରିଛି ।

 

୧୬ । ୨ । ୯୨

 

ଦେଶରେ ସ୍ଵାଧୀନତା ପରେ ଯାହାସବୁ ହେବାର ଥିଲା, ତାହା ହୋଇ ପାରିଲାନାହିଁ । ସବୁଠାରୁ ବଡ଼କଥା ହେଉଛି, ଏହି ଦେଶର ପ୍ରତ୍ୟେକ ମଣିଷ ମଣିଷର ମର୍ଯ୍ୟାଦା ପାଇଲେନାହିଁ । ଏପରିକି ଆଇନ ଆଗରେ ମଧ୍ୟ ପ୍ରତ୍ୟେକ ମଣିଷ ମଣିଷ ପରି ଦେଖା ଗଲେନାହିଁ । ବିଦ୍ୟାଗୁଡ଼ାକ ମଧ୍ୟ ସାମନ୍ତବାଦୀ ଅଭଦ୍ରତା ଅନୁସାରେ ପାତରଅନ୍ତର କରାଯାଇ ବଣ୍ଟା ହେଲା, ଭଲ ଉପରେ, ଭଦ୍ରତା ଉପରେ ପ୍ରତ୍ୟୟ ରଖି ଜୀବନଧାରଣ କରି ପାରିବା କ୍ରମେ କଷ୍ଟକର ହେଲା ।

 

ଏସବୁ ଏବେ କାହାକୁ କହିବାଲାଗି ମଧ୍ୟ ଭାବିବାକୁ ପଡ଼ିଲାଣି । ସବୁବେଳେ ଆଶଙ୍କା ହେଉଛି, କିଏ ସତକୁସତ ଶୁଣିବ ଯେ ମୁଁ ଯାଇ କାହାକୁ କହିବି ! ଜାତୀୟସ୍ତରରେ ଏହି credibility gap ହିଁ ସମ୍ଭବତଃ ଏହି ଦେଶର ସବୁଠାରୁ ବଡ଼ ଦାରିଦ୍ର୍ୟ । ଏହି ଦାରିଦ୍ର୍ୟକୁ ଏହି ଦେଶର ପ୍ରଚଳିତ ଶିକ୍ଷା ଅଧିକ ଉତ୍କଟ କଲା ସିନା, ତାହାର କୌଣସି ପ୍ରତିକାର କରି ପାରିଲାନାହିଁ-। ରାଜନୀତି ଚୁଲିରେ ପଶିଲା । ଏବଂ, ରାଜନୀତିରେ ଖଡ଼ିଛୁଆଁ ମଧ୍ୟ ହୋଇଥିବା ଆତ୍ମକାମୀ ହୁଣ୍ଡା ଏବଂ ଗୁଣ୍ଡାମାନେ ରାଜନୀତିରେ ନେତା ହେଲେ; ସେମାନେ ଥାନ ଅଥାନରେ ବକ୍ତୃତା ଦେଲେ, କ୍ଷମତାଗୁଡ଼ିକୁ ଆତ୍ମସାତ କଲେ । ପ୍ରଧାନତଃ ମଣିଷର ଭାଗ୍ୟ ବଦଳାଇବା ଲାଗି ଯେ ରାଜନୀତିର ଆବଶ୍ୟକତା ରହିଛି, ସେ କଥା ଏମାନଙ୍କୁ ବୁଝାଇ କହିବାର କୌଣସି ଅବକାଶହିଁ ରହିଲାନାହିଁ-। ସାହିତ୍ୟ ମଧ୍ୟ ଚତୁର ହେଲା, ଚିତା କାଟିଲା । ଅନେକ ଅଧିକ ଚତୁର ଏପାଖରେ ରାଜନୀତି କରି ସେପାଖରେ ସାହିତ୍ୟ କଲେ ଏବଂ, ସାହିତ୍ୟକୁ ଦୋଚାରୁଣୀ କରାଇଲେ । ଏବଂ, ବ୍ୟକ୍ତିଗତ ଜୀବନରେ ଆପଣାର ବାଟରେ ଆପଣାର ଇଜ୍ଜତ ସହିତ ରହିବା ଯେ ଆଦୌ ଯଥେଷ୍ଟ ନୁହେଁ, ଏହି ଦୁଃଖଟାହିଁ ସବୁଠାରୁ ଅଧିକ କଷ୍ଟଦାୟକ ଭାବରେ ଫୋଡ଼ି ଫୋଡ଼ି ଦେବାରେ ଲାଗିଲା-। ସମସ୍ତଙ୍କର ଇଜ୍ଜତ ସହିତ ମୋ’ ଇଜ୍ଜତର ମଧ୍ୟ ଖିଅ ଯେ ଲାଗିଛି, ଏହି କଥାଟି ମୋ’ର ସକଳ ଦମ୍ଭ ଓ ସାନ୍ତ୍ଵନାକୁ ଏବେ ଭାରି challenge କରିବାରେ ଲାଗିଛି ।

 

୧୭ । ୨ । ୯୨

 

ବିଚରା ଭଗବାନ୍‍, ତାଙ୍କୁ ଏହି ପୃଥିବୀରେ କେତେ ଉପଦ୍ରବୀଙ୍କର କେତେ ପ୍ରକୋପ ସହିବାକୁ ନପଡ଼େ । ଯଦି ତାଙ୍କୁ ପ୍ରକୃତରେ ମାଡ଼ କାଟୁଥିବ, ତେବେ ମଣିଷଠାରୁ, ଆଦର୍ଶଗୁଡ଼ିକ ଠାରୁ ଏବଂ ଦୁରାଗ୍ରହଗୁଡ଼ିକ ହାତରୁ ମାଡ଼ ଖାଇ ଖାଇ ସିଏ ହୁଏତ କେଉଁକାଳୁ ଅଣ୍ଟା ଭାଙ୍ଗି ତଳେ ପଡ଼ି ସାରିବେଣି ଓ ଆଉଥରେ ଉଠି ଛିଡ଼ାହେବାକୁ ମଧ୍ୟ ଆଉ ତାଙ୍କର କୌଣସି ସାମର୍ଥ୍ୟ ନଥିବ । ଚକ୍ରପେଷି ନକ୍ରମାନଙ୍କୁ ନାଶିବାଲାଗିବି ହୁଏତ ଆଦୌ କୌଣସି ବଳ ନଥିବ । ନିଜ ଅଫିମଗୁଡ଼ାକର ପ୍ରତିଷ୍ଠାପାଇଁ ଯେଉଁମାନେ ଦିନରାତି ମଣିଷ ମାରି ବାହାରିଛନ୍ତି, ସେମାନେ କେଡ଼େ ଉଚ୍ଚାଟ ହୋଇ ଭଗବାନ୍‍ଙ୍କର ନାମ ନେଉଛନ୍ତି । ଯୁଦ୍ଧଖୋରମାନେ ନିଜକୁ ଭଗବାନ୍‍ଙ୍କର ଆଦ୍ୟ ସେବକ ବୋଲି କେଡ଼େ ନିର୍ଲଜ୍ଜ ଭାବରେ ଘୋଷଣା କରୁଛନ୍ତି । ସେକାଳର ଅନଙ୍ଗଭୀମ ଓ ପ୍ରତାପରୁଦ୍ରମାନେ ଏହି ଅଧିକ ଆଦର୍ଶାତୁରତା, ଆତ୍ମକାମିତା ଓ ଅସ୍ତ୍ରଶାଳିତାର ଯୁଗରେ ଅଧିକ ଉତ୍ପୀଡ଼ନସମର୍ଥ ଭାବରେ ନିଜ ନିଜକୁ ସାକ୍ଷାତ ଭଗବାନ୍‍ଙ୍କର ଆଦ୍ୟସେବକ ବୋଲି ଘୋଷଣା କରିଛନ୍ତି । ଏବଂ ଭଗବାନ୍‍ଙ୍କୁ ଇଷ୍ଟଦେବରେ ପରିଣତ କରି ନିଜ ନିଜକୁ ସାକ୍ଷାତ ଭଗବାନ୍‍ଙ୍କର ଆଦ୍ୟସେବକ ବୋଲି ଘୋଷଣା କରିଛନ୍ତି । ଏବଂ ଭଗବାନ୍‍ଙ୍କୁ ଇଷ୍ଟଦେବରେ ପରିଣତ କରି ନିଜ ନିଜର ବାରିପଟ ଖୁଣ୍ଟରେ ସରାଗରେ ବାନ୍ଧି ରଖିଛନ୍ତି ।

 

ଭଗବାନ୍‍ଙ୍କୁ ମଝିରେ ବସାଇ ଜଣେ ମଣିଷ ଆଉଜଣେ ମଣିଷର ମୃତ୍ୟୁକାମନା କରୁଛି, ତା’ର ଶତ୍ରୁମାନେ ଅତିଶୀଘ୍ର ଲୁପ୍ତ ହୋଇଯାଆନ୍ତୁ ବୋଲି ସେ ଭଗବାନ୍‍ଙ୍କୁ କେତେ ତୋଡ଼ ଦେଖାଇ ପ୍ରାର୍ଥନା କରୁଛି । ଏସବୁ ସମେତ ମଣିଷର ଯାବତୀୟ ଇଚ୍ଛା ଅର୍ଥାତ୍ ଉଗ୍ରତା ଭଗବାନ୍‍ଙ୍କର କୃପାଦ୍ଵାରା ପୂରଣ ହୋଇଯିବ ବୋଲି ବାବାଜିମାନେବି ମଣିଷମାନଙ୍କୁ କେତେ ପ୍ରକାରର ସଲା ଦେବାରେ ଲାଗିଛନ୍ତି । ଏହିସବୁ କୋପ ଓ ଚକ୍ରାନ୍ତ ଭିତରେ ପଡ଼ି ଭଗବାନ୍‍ ଏବେ ଭାରି ଅସହାୟ ହୋଇଗଲେଣି । ତାଙ୍କପାଇଁ ଯେ ଜୀବନ ବଞ୍ଚିବାକୁ ହୁଏ, ତାଙ୍କର ଆଶୀର୍ବାଦପ୍ରାପ୍ତ ହୋଇ ଜଣେ ମଣିଷ ଯେ ନିଜେ ଦିବ୍ୟଭାବରେ ଫୁଟି ଉଠିପାରେ, କ୍ରୂରମାନଙ୍କର ସଭାରେ ଏହି କଥାଟିକୁ କୁଆଡ଼େ ପୋତି ଦିଆଗଲାଣି । କ୍ରୂରମାନେ ଭଗବାନ୍‍ଙ୍କୁ ନିଜ କାମରେ ଲଗାଇବାକୁ ଚକ୍ର ଓ ଗଦା ଧରି ବାହାରିଛନ୍ତି ।

 

୧୮ । ୨ । ୯୨

 

ବୃତ୍ତ କହିଲେ କେନ୍ଦ୍ରକୁ ଯେମିତି ବୁଝାଏ, ପରିଧିଟିଏକୁ ମଧ୍ୟ ଠିକ୍ ସେମିତି ବୁଝାଏ । ପୃଥିବୀରେ ଅନେକ ମଣିଷ କେତେକ କାରଣରୁ ସବାଆଗ ଓ ସବାଶେଷ ଯାଏଁ କେନ୍ଦ୍ରଟିକୁହିଁ ବୁଝନ୍ତି ଓ ପରିଧିଟିଏ ରହିଛି ବୋଲି ସ୍ଵୀକାର କରିବାପାଇଁ ମୋଟେ ରାଜି ହୁଅନ୍ତିନାହିଁ । ବୃତ୍ତର ଅଭିଧାଟି ମଧ୍ୟରେ ଆଗ କେନ୍ଦ୍ର ନା ଆଗ ପରିଧି, ସେ କଥା ନେଇ ନିଶ୍ଚୟ ବିବାଦ ଉଠିବ । ତୁମ ନିଜର ଦୃଷ୍ଟିକୋଣ ଉପରେହିଁ ସେହି କଥାଟିର ନିର୍ଣ୍ଣୟ ଅନେକ ପରିମାଣରେ ନିର୍ଭର କରିବ । ମାତ୍ର, ଏକଥାଟିରେ କେହି କଦାପି ଆପତ୍ତି କରିବେନାହିଁ ଯେ, ଏକ ବୃତ୍ତ କହିଲେ କେନ୍ଦ୍ର ଓ ପରିଧି ଅର୍ଥାତ୍ ପରିଧି ଓ କେନ୍ଦ୍ର ଉଭୟକୁହିଁ ବୁଝାଇବ । ପରିଧି ନଥାଇ କେନ୍ଦ୍ରର କଳ୍ପନା କରାଯାଇପାରିବ ନାହିଁ କିମ୍ବା କେନ୍ଦ୍ର ନଥାଇ ପରିଧିର ମଧ୍ୟ କୌଣସି କଳ୍ପନା କରି ହେବନାହିଁ ।

 

ବିନ୍ଦୁଟିଏ ହେବାମାତ୍ରକେ ଯେ କେନ୍ଦ୍ରଟିଏ ହୋଇଯିବା ଆପେ ଆପେ ସମ୍ଭବ ହୋଇଯିବ, ସେ କଥା ଆଦୌ ନୁହେଁ । ଖାଲି ବିନ୍ଦୁଟିଏ ହୋଇ ରହିଥିଲେ ଆହୁରି ଶହେ ବା ସହସ୍ରେ ବିନ୍ଦୁ ଭିତରେ କୁଆଡ଼େ ହଜିଯିବାହିଁ ହୁଏତ ସାର ହେବ । ଜୀବନରେ ବିନ୍ଦୁସ୍ତରରୁ କେନ୍ଦ୍ରର ସ୍ତରକୁ ଯିବା, ଏଇଟି ବୋଧହୁଏ ସର୍ବପ୍ରଥମ ସାଧନା, ସବାମୂଳ ସାଧନା । ମାତ୍ର, କେନ୍ଦ୍ର ହେବା ସହିତ ପରିଧିଟିକୁ ବା, ଅଧିକ ନିର୍ଭୁଲ ଭାବରେ କହିଲେ, ପରିଧିଗୁଡ଼ିକ ମଧ୍ୟ ଆବିଷ୍କାର ଓ ସ୍ଵୀକାର କରିନେବାକୁ ପଡ଼ିବ । ଗୋଟିଏ କେନ୍ଦ୍ର ଯେ ଏକାବେଳେକେ ଅନେକ ପରିଧିର କେନ୍ଦ୍ର ହୋଇ ରହିପାରିବ, ଏହା ଆଦୌ ଏକ ଆକସ୍ମିକ ଘଟନା ନୁହେଁ । ମୋ’ ଜୀବନକେନ୍ଦ୍ରକୁ ଏକ କେନ୍ଦ୍ରର ଯଥାର୍ଥତା ଦେବାଲାଗି କେତୋଟି ପରିଧି କେତେ ବିସ୍ତାରରେ ରହିବା ଉଚିତ, ସେ କଥା ମୁଇଁ ନିଜେ ସ୍ଥିର କରିବି । ମୋ’ର ଅନୁରାଗହିଁ ତାହା ସ୍ଥିର କରିବ । ଏବଂ, ମୋ’ର ଅନୁରାଗ ବିସ୍ତୃତ ଓ ସମ୍ପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଏହି ପରିଧି ମଧ୍ୟ ବହୁବିସ୍ତୃତ ହୋଇ ଯାଉଥିବ, ବହୁ ସଖ୍ୟର ଯୋଗୀ ହୋଇ ପାରୁଥିବ । ଅଧିକରୁ ଅଧିକ ଧନୀ ହେବାରେ ଲାଗିଥିବ । ଜୀବନବି ଅଧିକ ଐଶ୍ଵର୍ଯ୍ୟମୟ ହେବାରେ ଲାଗିଥିବ ।

 

୨୩ । ୨ । ୯୨

 

ଗରିଲା ଫିଲିସ୍ତିନୀମାନେ ଇସ୍ରାଏଲ୍‌ର ତିନିଜଣ ସୈନ୍ୟଙ୍କୁ ମାରିଦେଲେ, ତେଣୁ ଇସ୍ରାଏଲ୍‌ର ଗୁଳିବାହିନୀ ସିଧା ଅନ୍ୟ ଦେଶର ଭୂଇଁ ଉପରେ ଥିବା ଶତ୍ରୁପକ୍ଷରେ ଆଉ କେତେଜଣ ବଡ଼ ଓ ସାନଙ୍କୁ ହତ୍ୟା କରିଦେଇ ଆସିଲା । ଆଦିମ ଯୁଗର ବର୍ବରତା ଏବେ ପ୍ରକୃଷ୍ଟତର ଟେକ୍‌ନିକ୍‌ର ବାହାଦୁରି ସହିତ ମିଶି କେତେ ଗୁଣ ଅଧିକ ବର୍ବର ହୋଇଛି ସିନା, ମାତ୍ର ମଣିଷକୁ ଭାରି ଅବର୍ଜିଆ କରି ପକାଇଛି ।

 

ଆମ ପୃଥିବୀରେ ସରକାରମାନେହିଁ ସବୁଠାରୁ ଅଧିକ ସହିଂସ ହୋଇ ରହିଛନ୍ତି । ସେମାନଙ୍କ ପାଖରେ ହିଂସାତ୍ମକ ଦୁଷ୍ଟ ହେବାଲାଗି ସବୁଠାରୁ ଅଧିକ ସମ୍ବଳ ରହିଛି । ଆଧୁନିକ ଜାତୀୟତାବାଦ ସେହି ସମ୍ବଳ ବୃଦ୍ଧି ନିମନ୍ତେ ବେଶ୍ ଏକ ଆଦର୍ଶବାଦୀ ସମର୍ଥନ ମଧ୍ୟ ଯୋଗାଇ ଦେଉଛି । ମଣିଷକୁ ଇଚ୍ଛା କଲାମାତ୍ରକେ ତା’ର ସର୍ବନିମ୍ନ ଭଦ୍ରତାରୁ ବିଚ୍ୟୁତ ହୋଇ ପଡ଼ିବାକୁ ତାହା କେତେ ନା କେତେ ଉତ୍ତେଜନା ଯୋଗାଇ ଦେଉଛି । ମଣିଷ କ୍ରମେ ଏଡ଼େ ଭୟଗ୍ରସ୍ତ ହୋଇ ପଡ଼ିଲାଣି ଯେ, ଟିକିଏ କ’ଣ ଆଶଙ୍କା ଆସି ପହଞ୍ଚିବାମାତ୍ରକେ ତା’ ହାତ ଆଗ ତା’ ବନ୍ଧୁକ ପାଖକୁ ଚାଲିଯାଉଛି । ବନ୍ଧୁକଦ୍ଵାରା ସଂସାରଟାକୁ ସାଧ୍ୟ କରାଯାଇପାରିବ ବୋଲି ସିଏ କେଡ଼େ ସହଜ ଭାବରେ ଭାବି ଶିଖିଲାଣି । ସଂସାରରେ ବନ୍ଧୁକମାନଙ୍କର ସଂଖ୍ୟା ଏତେ ବଢ଼ିଗଲାଣି ଯେ, ମଣିଷମାନେ ଇଚ୍ଛା କଲାମାତ୍ରକେ ସେମାନଙ୍କୁ ବନ୍ଧୁକ ମିଳିଯାଉଛି । ଏସବୁଥିରୁ ଅଲଗା ହୋଇ ରହି ସଂସ୍କୃତ ଚାଲିଛି, ସାହିତ୍ୟ ଚାଲିଛି; ଏବଂ, ଯେଉଁ ସରକାରମାନେ ସେଗୁଡ଼ିକର ପୃଷ୍ଠପୋଷକତା କରୁଛନ୍ତି, ସେଇମାନେହିଁ ବନ୍ଧୁକ ଧର୍ମର ଆତଙ୍କ ବଢ଼ାଇବାରେ ସବୁଠାରୁ ଅଧିକ ଅନୁକୂଳତା ସୃଷ୍ଟି କରି ରଖିଛନ୍ତି । ଏହିପରି ଏକ ଅନ୍ତର୍ଗତ ସଙ୍କଟ ଭିତରେ ପଡ଼ି ସଂସ୍କୃତି ମଧ୍ୟ କ୍ରମେ ପ୍ରଧାନତଃ ଏକ ସାମୟିକ ଆତ୍ମବିସ୍ମରଣକାରୀ ବିନୋଦନରେ ପରିଣତ ହୋଇଗଲାଣି । କ୍ଷମତା ଏବଂ ବନ୍ଧୁକକୁ challenge କରିବାର ସାହସ ମାଈଚିଆ ସଂସ୍କୃତି ଓ ମାଈଚିଆ ସାହିତ୍ୟ ଭିତରେ କିପରି ଆସିବ ? ଇସ୍ରାଏଲ୍‌ରେ ମଧ୍ୟ ସାହିତ୍ୟର ଚାଷ ହେଉଛି, ବିଶ୍ୱବିଦ୍ୟାଳୟରେ ଘୋର ଅଧ୍ୟୟନ ଏବଂ ଗବେଷଣା କରୁଥିବା ପଣ୍ଡିତ ଓ ମହାପଣ୍ଡିତମାନେ ରହିଛନ୍ତି । ମାତ୍ର, ସବାଆଗ ବନ୍ଧୁକର ସୁରକ୍ଷା ମିଳିଲେ ଯାଇ ସେମାନେ ଜ୍ଞାନଚର୍ଚ୍ଚା କରିପାରିବେ ବୋଲି କ୍ରମେ ବିଶ୍ଵାସ କରିବାକୁ ମଣ ହୋଇଗଲେଣି । ସେହି ଜ୍ଞାନ ପୃଥିବୀରେ ଅସଲ ଆତ୍ମାଟିକୁ ଅନ୍ଧାର ଭିତରେ ପଡ଼ି ରହିବାରେହିଁ ଅଧିକ ସାହାଯ୍ୟ କରୁଛି ।

 

୨୬ । ୨ । ୯୨

 

ଯେଉଁମାନେ ଭଗବାନ୍‍ଙ୍କ ତରଫରୁ କଥା କହି ବୁଲୁଛନ୍ତି ଓ କାମ କରୁଛନ୍ତି ବୋଲି କହୁଛନ୍ତି, ସେମାନେ ନିଜେ କେଡ଼େ କେଡ଼େ ଦେଖା ନଯାଉଛନ୍ତି । ସେମାନଙ୍କର ଦର୍ପ ଦେଖି ଓ ଅତିକଥନଗୁଡ଼ିକୁ ଶୁଣି ସ୍ଵୟଂ ଭଗବାନ୍‍ ମଧ୍ୟ ଆପଣାକୁ କ୍ଷୁଦ୍ର ମନେ କରୁଥିବେ ଏବଂ ଏହି କୁହାଳିଆମାନଙ୍କୁ ଭୟବି କରୁଥିବେ । ଯେଉଁମାନେ ରାଜନୀତି କରୁଛନ୍ତି, ସେମାନେ ରାଜନୀତିର କ’ଣ କରୁଛନ୍ତି ବା ନକରୁଛନ୍ତି, ସେ କଥା ହୁଏତ ଭବିଷ୍ୟତ୍‍ରେ ଫଳିବ ବା ନଫଳିବ, ମାତ୍ର ସେମାନେ ନିଜେ କେଡ଼େ କେଡ଼େ ଦେଖାଯାଉଛନ୍ତି । ଯେଉଁମାନେ ଆମ ଶାସନରେ ଅଛନ୍ତି, ସେବାରେ ଅଛନ୍ତି, ସାହିତ୍ୟ ଓ ସଂସ୍କୃତି ଭିତରେ ଅଛନ୍ତି, ସେମାନେବି କେଡ଼େ କେଡ଼େ ଦେଖାଯାଉଛନ୍ତି । ଯିଏ ଯାବତୀୟ ଆଡ଼ମ୍ବର ଏବଂ ଉପଦ୍ରବ ସହିତ ପୂଜା କରିବ ବୋଲି ଭେଳିକି ଲଗାଇ ବାହାରିଛି, ଯାବତୀୟ ଦୃଷ୍ଟିରୁ ଦେଖିଲେ ସିଏ ନିଜେ କେଡ଼େ ବଡ଼ ହୋଇ ଦିଶିବାକୁ ଚେଷ୍ଟା ନକରୁଛି !

 

ଅହଂକାରହିଁ ରାଜା ହୋଇ ବସିଛି, ambitionମାନେ ପାଟମହିଷୀ ହୋଇ ବସିଛନ୍ତି-। ନମ୍ରତାକୁ ମଧ୍ୟ ଅହଂକାର ନିଜ କାନର ନୋଳି ବା ନାକରେ ନୋଳକ କରି ପିନ୍ଧିଛି । ବାହାରେ ଯେଡ଼େ ତୋରା ଦେଖା ଯାଉଥିଲେ ମଧ୍ୟ ଅହଂକାରୀମାନେ ପୃଥିବୀଟାକୁ ସତେଅବା ଅଣନିଃଶ୍ଵାସୀ କରି ରଖିଛନ୍ତି । ପୃଥିବୀକୁ ବିଶ୍ଵାସ ଭିତରୁ ନିକାଲି ଅବିଶ୍ଵାସ ଆଡ଼କୁ ଅଡ଼ାଇ ନେଇଯିବାକୁ ଏମାନେ ସବୁଠାରୁ ବେଶି ସହାୟତା କରୁଛନ୍ତି । ପାଠ, କ୍ଷମତା, ଅର୍ଥ ଓ ପଦ, ସବୁ ଯେପରି ସେହି ଅହଂକାରୀ ଉପଦ୍ରବୀର ଗୋଟିଏ ଗୋଟିଏ ଅସ୍ତ୍ରରେ ପରିଣତ ହୋଇ ରହିଛନ୍ତି-। ଯିଏ ଭଗବାନ୍‍ଙ୍କର ସ୍ପର୍ଶ ଲାଭ କରେ, ସିଏ ସବାଆଗ ଅହଂକାର ଭିତରୁ ବାହାରିଆସେ । ମାତ୍ର, ସ୍ଵମହତ୍ତ୍ଵର ଏହି ଯେଉଁ ପ୍ରବଳ ଆକାଂକ୍ଷୀମାନେ ଏବେ ପୃଥିବୀରେ ସବୁଠାରେ ଅଧିକ କୋଳାହଳ କରୁଛନ୍ତି, ସେମାନେ ହୁଏତ ଆଉକାହାର ତାଡ଼ନାରେ ଏହିଭଳି ତାଡ଼ିତ ହେବାରେ ଲାଗିଛନ୍ତି ଓ ଆଉ କେଉଁ ଉତ୍ତେଜନାରେ ଉତ୍ତେଜିତ ହୋଇ ରହିଛନ୍ତି ସିନା, ଭଗବାନ୍‍ଙ୍କର ସ୍ପର୍ଶ କଦାପି ଲାଭ କରିନାହାନ୍ତି । ସତ ପ୍ରେମୀ କଦାପି ଉପଦ୍ରବୀ ହୁଏନାହିଁ; ସତ ପ୍ରେମୀ ସବାଆଗ ନମ୍ର ହୁଏ, ନମନୀୟ ହୁଏ,–ସିଏ ମୋଟେ କୋଳାହଳରେ ବିଶ୍ଵାସ କରେନାହିଁ ।

 

୨୭ । ୨ । ୯୨

 

ପୃଥିବୀର ଅବସ୍ଥା ଦେଖି ଅନେକ ମଣିଷ ଚୁପ୍ ରହିଯିବାକୁ ସର୍ବୋତ୍ତମ ବୋଲି ମନେ କରୁଛନ୍ତି । ଝଡ଼ପବନ ଆସିବା ସମୟରେ ମାଆମାନେ ଯେମିତି ନିଜ ପିଲାମାନଙ୍କୁ ଘରଭିତରେ ରହିବାକୁ କହନ୍ତି, ଏହି ମଣିଷମାନଙ୍କ ଭିତରେ ରହିଥିବା ଭୀରୁ ମାଆଟି ପ୍ରାୟ ସେହିପରି କରୁଛି । ଆହୁରି କେତେ ମଣିଷ ଅଛନ୍ତି, ଯେଉଁମାନେ ହୁଁ କରି ସମରାଙ୍ଗନକୁ ଡେଇଁ ପଡ଼ିବେ ବୋଲିବି ବାହାରିଛନ୍ତି । ସେମାନେ ଭାବୁଛନ୍ତି, ସେମାନଙ୍କ ହାତରେ ଯେଉଁ ତଡ଼ାଟା ରହିଛି, ସେଥିରେ ଗୋଟାଏ ପାହାର ଦେଇ ସେମାନେ ଏହି ଦୁଷ୍ଟ ସ୍ଥିତିଟାକୁ ଏକାବେଳେକେ ଶେଷ କରିଦେବେ । ସେହି ତଡ଼ାର ପ୍ରକୃଷ୍ଟୀକରଣ ହୋଇ ଏବେ ଏହି କ୍ଷେତ୍ରରେ ଭୁଜାଲି ବାହାରିଲାଣି, ବନ୍ଧୁକ ମଧ୍ୟ ବାହାରିଲାଣି ।

 

ମୁଁ ଏମାନଙ୍କ ଭିତରୁ କୌଣସି ଗୋଟିଏରେବି ନାହିଁ । ମୁଁ ସାଙ୍ଗ ଖୋଜୁଛି । ମୋ’ରି ପରି ସମାଧାନଟିଏ, ବାଟଟିଏ ଖୋଜୁଥିବା ମଣିଷମାନଙ୍କୁ ଖୋଜୁଛି । ବିଶ୍ୱାସୀ ମଣିଷମାନଙ୍କୁ ଖୋଜୁଛି, ସତକୁସତ ସମ୍ମତ ହୋଇଥିବା ମଣିଷମାନଙ୍କୁ ଖୋଜୁଛି । ଯିଏ ଭୀରୁ ହୋଇନଥିବ, ଯିଏ ଉତ୍ତେଜିତ ହେଉନଥିବ, ଯିଏ କାହାକୁ ମଧ୍ୟ ଧୋକା ଦେବାକୁ ମନ କରୁନଥିବ, ଯିଏ ବାଟଟିଏ ଚାଲିବାକୁ ଏବଂ ଜୀବନଟିଏ ବଞ୍ଚିବାକୁହିଁ ତା’ ନିଜ ଜୀବନରେ ସବାବଡ଼ ଧର୍ମ ଓ ସବାବଡ଼ ପ୍ରତିଶ୍ରୁତିରୂପେ ଗ୍ରହଣ କରିଥିବ, ପରିସ୍ଥିତି ଯେତେ ଯାହା ଜଟିଳ ଅଥବା ପ୍ରତିକୂଳ ହେଲେ ବା ଯିଏ ସୋପାନପରେ ସୋପାନ ଉଠିଯିବାକୁହିଁ ଆପଣାର ଅସଲ କାମ ବୋଲି ଗ୍ରହଣ କରିଥିବ, ଯିଏ ବିକଳ୍ପ ଖୋଜୁଥିବ, ଏବଂ ସର୍ବୋପରି ଯିଏ ବିକଳ୍ପଟିଏ ହୋଇଥିବ, ମୁଁ ସେହିଭଳି ସାଙ୍ଗମାନଙ୍କୁ ଖୋଜୁଛି । ଏପରି ମଣିଷ ଏହି ପୃଥିବୀରେ ବହୁସଂଖ୍ୟାରେ ଅଛନ୍ତି । ସେମାନଙ୍କର କୌଣସି ଦଳ ନାହିଁ । ସେମାନେ ମଧ୍ୟ ସାଙ୍ଗ ଖୋଜୁଛନ୍ତି । ଅନୁତ୍ତେଜିତ ଭାବରେ ସାଙ୍ଗ ଖୋଜୁଛନ୍ତି । ସାଙ୍ଗ ଖୋଜି ଖୋଜି ଏହିଭଳି ମନୁଷ୍ୟମାନେ ଯେଉଁଦିନ ଗୋଟିଏ ଜାଗାରେ ବସି ପହଞ୍ଚିଯିବେ, ସେଇଦିନ ଯାଇ ଅନ୍ୟ ପବନ ବୋହିବା ବିଶ୍ଵାସରେ ସଂସାର ଚାଲିବ । ଧରା ଶାନ୍ତ ହେବ ।

 

୨୮ । ୨ । ୯୨

 

କେଉଁଠି ବା କାହାପାଖରେ ନିର୍ଭରଶୀଳ ହୋଇ ରହିଲେ ମଣିଷ ସାଧାରଣତଃ ନିଜଭିତରେ ଭାରି ଦୁର୍ବଳ ହୋଇପଡ଼େ । ମାତ୍ର, ଏପରି ଗୋଟିଏ ଥାନ ଅଛି, ଯାହାଉପରେ ନିର୍ଭର ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ବଳ ମଧ୍ୟ ବୃଦ୍ଧି ପାଉଥାଏ, ସାହସ ଅଧିକ ହେଉଥାଏ, ବିଶ୍ଵାସ ମଧ୍ୟ ବୃଦ୍ଧି ପାଉଥାଏ । କାରଣ; ସେହି ଥାନଟି ମୂଳତଃ ନିଜଭିତରେ ରହିଥାଏ । ଯାବତୀୟ ଅବଲମ୍ବନ ଲାଗି ସେଇ ଗୋଟିଏ ଜାଗା,–ଆଉସବୁ ଅବଲମ୍ବନ କେଉଁଠି ବା କେଉଁଠିକୁ ଆଣି ବଡ଼ ନିରାଶ୍ରୟ କରି ଛାଡ଼ି ଦେଇଯାଏ ।

 

ସେଇଟି ଭିତରେ ଅଛି ବୋଲି ଅନୁଭବ କରିବାମାତ୍ରକେ ସିଏ ବାହାରେ ମଧ୍ୟ ସବୁଠାରେ ରହିଛି ଓ ଆମର ସଙ୍ଗୀ ହୋଇ ବାଟ ଚାଲୁଛି ବୋଲି ମଧ୍ୟ ଅତ୍ୟନ୍ତ ପ୍ରତ୍ୟକ୍ଷ ହୋଇଯାଏ-। ଆଉ ସବୁ ବଳ ଧୋକା ଦିଅନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଯାଏଁ ଆସି ସାଙ୍ଗ ଛାଡ଼ି ପଳାଇ ଯାଆନ୍ତି-। କେବଳ ଭିତରେହିଁ ଯେତିକି ଠାବ ସମ୍ଭବ ହୋଇଥାଏ, ସେତିକି ବଳ ଦେଉଥାନ୍ତି, ପାହାଚ ପରେ ପାହାଚ ଡିଆଁଇନେଇ ଯାଉଥାନ୍ତି । ଯାବତୀୟ ବଳଉପରେ ନିର୍ଭର କରି ମଣିଷ କେଡ଼େ ବୃଥାଗର୍ବୀ ହୁଏ;–ଧନର, ଯଶର, ଅସ୍ତ୍ରର, ଏପରିକି ଜ୍ଞାନର ବଳ ମଧ୍ୟ ମଣିଷକୁ ଗର୍ବୀ କରାଇବାର ଆଶଙ୍କା ରହିଥାଏ । ମାତ୍ର, ଅସଲ ବଳଟି ଉପରେ ନିର୍ଭର କରି ପାରିଲେ ମଣିଷ ଯଥାର୍ଥରେ ବିନୟୀ ହୁଏ ଏବଂ, ବିନୟୀ ହୋଇ ପାରିଲେ ଯାଇ ଅସଲ ଭକ୍ତିର ଯୋଗ୍ୟତା ଆସେ । ଏକାବେଳେକେ ଦୃଢ଼ତା ଏବଂ ନମନୀୟତା ଉଭୟେ ହାସଲ ହୋଇ ପାରନ୍ତି । ଭୀରୁତା ପାଖହିଁ ମାଡ଼େନାହିଁ । ଅସଲ ବଳଟି ନଥାଇ ପୃଥିବୀରେ ବ୍ୟକ୍ତି ଓ ସମୂହମାନେ ନିଜ ଅର୍ଥବଳ, ଧର୍ମବଳ ଓ ଆଦର୍ଶବଳକୁ ନେଇ କେତେ ଗର୍ବ ଦେଖାଉଥାନ୍ତି, ମାତ୍ର ଅସଲ ଗଣ୍ଠିଟିରେ ଭାରି ଭୀରୁ ହୋଇ ରହିଥାନ୍ତି । ଭାରି ଅସହଜ ହୋଇ ରହିଥାନ୍ତି । ଏମାନଙ୍କର ଦୁରାଗ୍ରହ ଆଗରେ ବେଳେବେଳେ କାଳବି ହଟି ଯାଉଥିବା ପରି ମନେ ହୁଏ । ସବୁଯାକ ସିଂହାସନକୁ ସେଇମାନେହିଁ ମାଡ଼ି ବସିବାକୁ ତତ୍ପର ହୋଇ ରହିଥାନ୍ତି । ତଥାପି ଭୀରୁ ହୋଇ ରହିଥାନ୍ତି । ଅସଲ ବଳ ମୁରୁକି ହସି ସବୁ ଦେଖୁଥାଏ ଓ ସେମାନଙ୍କ ଲାଗି ସମୟ ଗଣିବାରେ ଲାଗିଥାଏ । ସମୟ ଆସିଲେ ମିଛ କୋଠାଗୁଡ଼ାକ ଦୁଲୁଦୁଲୁ ହୋଇ ଭୁଶୁଡ଼ି ପଡ଼ନ୍ତି ।

 

୨୯ । ୨ । ୯୨

 

ସୃଜନଶୀଳତାକୁ କେଡ଼େ ନିରୀହ ଏବଂ ଗୁପ୍‌ଚୁପ୍ ଭାବରେ କେତେ ମଣିଷ ସାହିତ୍ୟ ନାମରେ କିଛି ଲେଖିବାକୁହିଁ ବୁଝିଥାନ୍ତି । ସଙ୍ଗୀତବାଲା ସଙ୍ଗୀତକୁହିଁ ସୃଜନଶୀଳ ଯାବତୀୟ ସବୁକିଛି ବୋଲି ଧରି ନେଇଥାନ୍ତି । କ୍ରୀଡ଼ାବିତ୍‌ମାନେ କ୍ରୀଡ଼ାରେ କୁଶଳ ହେବାକୁହିଁ ସୃଜନଶୀଳତା ବୋଲି କହିବାକୁ ଧାଇଁ ନଆସିବେ ବା କାହିଁକି ? ଏମାନଙ୍କର ଗହଣରେ ବସିଥିଲାବେଳେ ମୁଁ ଭାରି ସ୍ପଷ୍ଟ ଭାବରେ ଦେଖିପାରେ ଓ ସତେଅବା ଗନ୍ଧ ବାରି ଜାଣିପାରେ ଯେ, ଏମାନେ ଗୋଟାଏ କେଉଁଠାରେ ଝଅକ ମାରି ରହି ଯାଇଛନ୍ତି, ଗୋଟାଏ କେଉଁଯାଏ ଆସି ସେଠାରେ କୌଣସି କାରଣରୁ ଅଥବା କାର୍ପଣ୍ୟ ହେତୁ ଅଟକି ଯାଇଛନ୍ତି ଓ ଆପଣାକୁ ସାନ୍ତ୍ଵନା ଦେବାପାଇଁ ସେହି ଥାନଟିକୁହିଁ ଚରମ ହେବାର ଓ ଚରମ ଦେବାର ସୀମା ବୋଲି ଗ୍ରହଣ କରି ନେଇଛନ୍ତି । ସେମାନେ ଯାଉ ଯାଉ ବାଟରେ କେଉଁଠି ଯେପରି ଗଣ୍ଠିଟିଏ ହୋଇ ପଡ଼ି ଯାଇଛନ୍ତି ଏବଂ ସତେଅବା ଆଉ ମୋଟେ ଫିଟି ପାରୁନାହାନ୍ତି ଓ ମହତ୍ ରଖିବା ପରି ସେହିଠାରେହିଁ ସର୍ବବିଧ କାମ୍ୟକୁ ଲାଭ କରିଛନ୍ତି ବୋଲି ଘୋଷଣା କରି ପକାଇଛନ୍ତି ।

 

ସୃଜନଶୀଳତା ଆଦୌ କ୍ଷେତ୍ରୀୟ ନୁହେଁ, ଅର୍ଥାତ୍ କୌଣସି ବିଶେଷ କ୍ଷେତ୍ରର ବିସ୍ଫୋରଣ ପରି ଗୋଟିଏ ବସ୍ତୁ ଆଦୌ ନୁହେଁ । ସୃଜନଶୀଳତା ସମଗ୍ର ଜୀବନର । ଏହା ଅତ୍ୟନ୍ତ ଇଚ୍ଛାକୃତ । ଅର୍ଥାତ୍, ମଣିଷ ଇଚ୍ଛା କଲେ ଯାଇ ସୃଜନଶୀଳ ହୋଇପାରିବ । ଏବଂ ସମ୍ଭାବନା ହିସାବରେ କେଉଁ ମଣିଷ ଯେ ଯାବତୀୟ ସୃଜନଶୀଳତାରୁ ବଞ୍ଚିତ ହୋଇ ପୃଥିବୀକୁ ଆସିଥାଏ, ସେ କଥା ମୁଁ କଳ୍ପନା କରି ପାରିବିନାହିଁ । ନିତାନ୍ତ Skeptic ନହେଲେ କେହି ତାହା କହିବାକୁ ମନ କରିବନାହିଁ । ଏବଂ, ପ୍ରତ୍ୟେକ ମଣିଷ ଭିତରେ ଭଗବାନ୍ ରହିଛନ୍ତି ବୋଲି ଯଦି ତୁମେ ପ୍ରକୃତରେ ବିଶ୍ଵାସ କରୁଥିବ, ତେବେ କୌଣସି ମଣିଷ ଭିତରେ ସୃଜନଶୀଳତାର କୌଣସି ପ୍ରତିଶ୍ରୁତି ନାହିଁ ବୋଲି ତୁମେ କିପରି କାହିଁକି କହିବାକୁ ଯିବ ? ଏହି ପୃଥିବୀ ଉପରେ କେବଳ ଏକ ସୃଜନଶୀଳ ହାତ ଲାଗିଛି ବୋଲି ତ ଏହାକୁ ସୃଷ୍ଟି ବୋଲି କୁହାଯାଉଛି ?

 

୪ । ୩ । ୯୨

 

ଜଣେ ଜଣେ ମଣିଷ ନିଜର ଅନୁରାଗ ତଥା ଆସ୍ପୃହାବଳରେ ଆପଣାର ସର୍ବୋତ୍ତମ ସମ୍ଭାବନାର ସ୍ତରକୁ ଆରୋହଣ କରି ଚାଲିଯାଇ ପାରନ୍ତି । ସେମାନେ ଗୋଟାସୁଦ୍ଧା ମଣିଷ ଥିଲେ ଏବଂ ଗୋଟାସୁଦ୍ଧା ଦେବତା ହୋଇଗଲେ ବୋଲି କଦାପି କୁହାଯାଇପାରିବ ନାହିଁ । ସେମାନେ ଗୋଟାସୁଦ୍ଧା ମାଟି ଥିଲେ ଓ ଗୋଟାସୁଦ୍ଧା ଶଙ୍ଖ ହୋଇଗଲେ ମଧ୍ୟ କଦାପି କୁହା ଯିବନାହିଁ । କେହି କଦାପି ଗୋଟାସୁଦ୍ଧା ମାଟି ହୋଇ ଏହି ପୃଥିବୀକୁ ଆସିନଥାଏ । ସମ୍ଭାବନାର ଆଶୀର୍ବାଦ ମାଟିକୁ ଖାଲି ମାଟି ହୋଇ ରହିବାର ଅପବାଦରୁ ସର୍ବଦା ରକ୍ଷା କରେ । ମାଟି ଭିତରେ ମର୍ମ ଥାଏ । ଅନେକ ମଣିଷ ବିବିଧ କାରଣରୁ ଅତ୍ୟନ୍ତ ଐକାନ୍ତିକ ଭାବରେ ସେହି ମର୍ମର ବାସନା ପାଆନ୍ତି ଓ ସେହି ବାସନା ଆଡ଼କୁ ବାଟ ଚାଲନ୍ତି । ସେମାନେ ଏହି ଜଗତ୍‍କୁ ବାସନାରେ ପୂର୍ଣ୍ଣ କରି ଦିଅନ୍ତି, ଆମ ସମସ୍ତଙ୍କ ମଧ୍ୟରେ ରହିଥିବା ମହକଟି ବିଷୟରେ ଆମକୁ ସଜ୍ଞାନ କରିଯାଆନ୍ତି ।

 

ନିଜର ମହକଟିକୁ ଆବିଷ୍କାର କରିବାପାଇଁ ଅସମର୍ଥ ମଣିଷମାନେ ଏହିପରି ଆଉ କାହାଠାରୁ ମହକ ପାଇ ତାହାକୁ ଦେବତା ବୋଲି ମାନନ୍ତି । ତାକୁ ଅବତାର ବୋଲି କହନ୍ତି, ଏବଂ ଅନୁରୂପ ଉପଚାରରେ ଅବତାରର ପୂଜା ଓ ମାଜଣା ଆରମ୍ଭ ହୋଇଯାଏ । ମହକକୁ ମହକ ଚିହ୍ନନ୍ତା ସିନା, ମାତ୍ର କେଉଁଠାରେ କେଉଁ ଦ୍ଵାରଗୁଡ଼ିକ ବନ୍ଦ ହୋଇ ରହିଥାଏ କେଜାଣି, ସବୁ ମହକଯାକ ଜଣକ ଭିତରେ ଠୁଳ ହୋଇ ରହିଛି, ଆମେ ତାହାକୁହିଁ ଭଗବାନ୍‍ ବୋଲି କହିବା, ମାଦଳଙ୍କ ପରି ତୁଚ୍ଛା ମାଟିରେ ଗଢ଼ା ହୋଇଥିବା ପରି ଓ ଆଉ କିଛି କଦାପି ନହେବାକୁ ଅଭିଶାପ ପାଇଥିବା ପରି ଆମେ କେବଳ ମାଟି ହୋଇ ରହିବାକୁହିଁ ଆମର ଏକମାତ୍ର ଗତି ବୋଲି ମାନିନେବା,–ଅନେକ ମଣିଷ ଏହିଭଳି ଏକ ଆତ୍ମଘାତୀ ଷଡ଼ଯନ୍ତ୍ର ଭିତରେ ଯାଇ ପଡ଼ିଯାଆନ୍ତି । କେତେକ ସମାଜ ଓ କେତେକ ସଂସ୍କୃତି ମଧ୍ୟରେବି ମଣିଷକୁ ଏହିପରି ମାଦଳ ଓ ମାଟି କରି ରଖିବାର ପ୍ରୋତ୍ସାହକ ଜୀବାଣୁମାନେ ହୁଏତ ବିଶେଷ ଭାବରେ ରହିଥାନ୍ତି, ଯାହାଫଳରେ ମଣିଷର ନିଜ ଘରଟାକୁ ତା’ ପାଖରେ କିଳି ରଖିବାକୁ ତା’ ସମାଜ ଓ ତା’ ସଂସ୍କୃତିରୁ ମଧ୍ୟ ତାକୁ ବିଶେଷ ଅପପ୍ରୋତ୍ସାହନମାନ ମିଳିଥାଏ ।

 

୫ । ୩ । ୯୨

 

ପ୍ରଶ୍ନକର୍ତ୍ତା ପ୍ରଶ୍ନ କଲେ, ଦେଶର ଅବସ୍ଥା ଯେପରି ଭୟାବହ ହେଲାଣି, ଆମେ ଅତି କମ୍‌ରେ କ’ଣ କଲେ ସାଧାରଣ ଜୀବନ ପୁନର୍ବାର ଏକ ସର୍ବନିମ୍ନ ସ୍ଵାଭାବିକତା, ଚରିତ୍ରବତ୍ତା ଏବଂ ବିଶ୍ଵସନୀୟତାର ସ୍ଥିତିକୁ ଫେରିଆସି ପାରିବ । ପଣ୍ଡିତମାନେ ଏହି ପ୍ରଶ୍ନର ଉତ୍ତର କିପରି ଦେଇଥାନ୍ତେ କେଜାଣି, ମୁଁ କହିଲି ଯେ, ଆମେ ପ୍ରତ୍ୟେକେ ନିଜନିଜର ଗଉଁମାନଙ୍କୁ ଭାଙ୍ଗି ପ୍ରଧାନତଃ Sharingକୁ ଭିତ୍ତି କରି ଅର୍ଥାତ୍ ଅନ୍ୟପ୍ରତି ଯଥାସମ୍ଭବ ଅଧିକ ସହାନୁଭୂତି ରଖି ନିଜର ଜୀବନକୁ କିଞ୍ଚିତ୍ ସ୍ଵାଭାବିକ କରି ଆଣିଲେ ସମ୍ଭବତଃ ତାହା ହୋଇପାରିବ । ଏଥିପାଇଁ ଜାତୀୟ ବା ରାଜନୀତିକ ସ୍ତରରେ କୌଣସି ଆଖିଦୃଶିଆ ଆନ୍ଦୋଳନ କରିବାର ଆବଶ୍ୟକତା ନାହିଁ, ପାର୍ଲିଆମେଣ୍ଟ୍‍ରେ କୌଣସି ଭାବର ଛଳଛଳ ପ୍ରସ୍ତାବ ପାସ୍ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଆମେ ଯେତେ ଯିଏ ଏହାକୁ ଏକ ସମାଧାନ ବୋଲି ଅନୁଭବ କରୁଛୁ, ନିଜ ଜୀବନରେ ଅର୍ଥାତ୍ ନିଜର ସମ୍ବନ୍ଧଗତ ବୃତ୍ତଗୁଡ଼ିକ ଭିତରେ ସେହି କଥାଟିକୁ ଯଥାଶକ୍ତି ଆଚରଣ କଲେ ହୁଏତ ଅନେକ କିଛି ସମ୍ଭବ ହୋଇ ପାରିବ । ଇସ୍କୁଲରେ ମାଷ୍ଟରମାନେ ତାହା କରିବେ, ପରିବାରରେ ବାପାମାଆ ତାହା କରିବେ, ସରକାରୀ ଦପ୍ତରମାନଙ୍କରେ ହାକିମ ଓ ଅମଲାମାନେ ତାହା କରିବେ । ଅର୍ଥାତ୍, ଗଉଁ ଭାଙ୍ଗିବେ ଓ ନିଜକୁ ଏକ ବୃହତ୍ତର ସାମୂହିକ ଜୀବନର ଅଙ୍ଗ ବା ଅଂଶ ବୋଲି ଗ୍ରହଣ କରିବେ-

 

କରିବେ, କହିବେ ନାହିଁ । ସଂସାରବିରାଗୀ ସଜ୍ଜନମାନେ ବା ଏକ ଦରିଦ୍ର ସମାଜରେ ଆପଣାକୁ ଯଥାସମ୍ଭବ ଅଧିକରୁ ଅଧିକ ସୌଭାଗ୍ୟ କ୍ଷେତ୍ରରେ ଧନୀ କରି ରଖିବାକୁ ଚେଷ୍ଟା କରୁଥିବା ଚତୁରମାନେ ପ୍ରକୃତରେ ଯେତେ ନୁହନ୍ତି, ସଚରାଚର ତାହାର ଦଶଗୁଣ ଅଧିକ ଦେଖାଇ ହୁଅନ୍ତି । ବଂଶ, ଜାତି, ଶିକ୍ଷା, ଅର୍ଥସମ୍ପନ୍ନତା,–ଏସବୁ ସେମାନଙ୍କର ଗଉଁଗୁଡ଼ାକୁ ବଢ଼ାଇବାରେହିଁ ସାହାଯ୍ୟ କରେ । ଏହି ଗଉଁଦାରିଆ ଲୋକମାନେ ସଂସ୍କୃତିର ବାଡ଼ଦିଆ ଅନୁଷ୍ଠାନଗୁଡ଼ିକର ଭିତରେ ପଶି ସାମୂହିକତାର ପବନଗୁଡ଼ାକୁ ମଧ୍ୟ Corrupt କରିବାର ଧନ୍ଦାରେ ଲାଗି ରହିଥାନ୍ତି । ତେଣୁ, ଯେଉଁମାନେ ଗଉଁରେ ବିଶ୍ଵାସ କରନ୍ତିନାହିଁ, Sharingରେ ବିଶ୍ଵାସ କରନ୍ତି, ପ୍ରେମରେ ବିଶ୍ଵାସ କରନ୍ତି, ସେମାନେ ଏକ ବିକଳ୍ପର ପ୍ରତିଷ୍ଠାରେ ଲାଗିଯାଆନ୍ତୁ ।

 

୬ । ୩ । ୯୨

 

ଦେବତାଙ୍କର ମୁହୂର୍ତ୍ତ ହେଉଛି ପ୍ରତ୍ୟେକ ମୁହୂର୍ତ୍ତ । ଯେକୌଣସି ମୁହୂର୍ତ୍ତ ହେଉଛି ଦେବମୁହୂର୍ତ୍ତ । ତେବେ ମଣିଷର ମୁହୂର୍ତ୍ତଟି ପୁଣି କେଉଁଟା ? ମଣିଷ ଯେତେବେଳେ, ଯେଉଁ ମୁହୂର୍ତ୍ତରେ ସମ୍ମତ ହୋଇଯିବ, ସେହି ମୁହୂର୍ତ୍ତଟିକୁ ଅବଶ୍ୟ ତାହାର ମୁହୂର୍ତ୍ତ ବୋଲି କୁହାଯିବ । ସେମିତି ଦେଖିଲେ ଦେବତାଙ୍କର କୌଣସି ଖାସ୍ ମୁହୂର୍ତ୍ତ ନାହିଁ । ମଣିଷର ମୁହୂର୍ତ୍ତଟିହିଁ ଦେବତାଙ୍କର ମୁହୂର୍ତ୍ତ । ଜଣେ ମଣିଷ ଆପଣା ଭକ୍ତିର ମଉଜରେ, ଆପଣା ଅସମ୍ମତ ଅଥବା ଆର୍ତ୍ତିର ପ୍ରଦର୍ଶନ କରିବାର ମଉଜରେ କେତେ କେତେ potential ଦେବ ମୁହୂର୍ତ୍ତକୁ ଯେ ହରାଇ ବସେ ଏବଂ ଅଲକ୍ଷଣା ହୋଇ ରହିଥାଏ, କେବଳ ମଣିଷହିଁ ଇଚ୍ଛା କଲେ ତାହାର ହିସାବ କରିପାରିବ ।

 

ଚାବି ମୋ’ରି ହାତରେ, ନିଷ୍ପତ୍ତିଟି ମଧ୍ୟ ମୋ’ରି ହାତରେ । ଭାରତୀୟ ବେଦାନ୍ତକୁ ଭକ୍ତିର ପ୍ରବୃତ୍ତିମାର୍ଗଟି ସହିତ ସମନ୍ଵିତ କରି ଦେଖିବାକୁ ରାଜି ହେଲେ ସେହି ଚାବି ହାତମୁଠାରେ ଆସି ମିଳିଗଲା ପରି ମନେ ହୋଇଥାଏ । ଠାକୁରେ ଇଚ୍ଛା କଲେ ବା ତାଙ୍କର ଖିଆଲ ଯେ ସେହି ଚାବିଟିକୁ ମଣିଷର ହାତରେ ଆଣି ଦିଅନ୍ତି କିମ୍ବା ପୁନର୍ବାର ଇଚ୍ଛା କଲେ ମଣିଷ ହାତରୁ ଛଡ଼ାଇ ନେଇଯାଆନ୍ତି, ସେ କଥା ସମ୍ଭବତଃ ଆଦୌ ନୁହେଁ । ଯଦି ଠାକୁରମାନଙ୍କର କଥା କହିବାର ଶକ୍ତି ଥାଆନ୍ତା, ବା ଆଉଏକ ପ୍ରତ୍ୟକ୍ଷ ଭାଷାରେ କହିଲେ, ଠାକୁରମାନଙ୍କର କଥାକୁ ଶୁଣିବାଲାଗି ଯଦି ମଣିଷର ହୃଦୟରେ ସମର୍ଥ କାନଟିଏ ରହିଥାନ୍ତା, ତେବେ ମଣିଷ ଠାକୁରମାନଙ୍କର ଦୁଃଖକୁ ଅବଶ୍ୟ ବୁଝି ପାରୁଥାନ୍ତା । ଦୁଆରଟିଏ ଖୋଲିବ ବୋଲି ସେମାନେ ଯେ କେତେ ଅନୁରାଗ ଏବଂ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହିଥାନ୍ତି ଓ ମଣିଷର ନିର୍ମମତା ହେତୁହିଁ କେତେ କେତେ ଫଳଗର୍ଭ ମୁହୂର୍ତ୍ତକୁ ହାତଛଡ଼ା କରାଇ ଦେବାକୁ ବାଧ୍ୟ ହୁଅନ୍ତି, ଅସଲ କାନ ଥିଲେ ମଣିଷ ସେ କଥାକୁ ଅବଶ୍ୟ ଶୁଣି ପାରନ୍ତା । ମନ୍ଦିରମାନଙ୍କର ବେଢ଼ା ଭିତରେ ଯେଉଁ ଭକ୍ତି ଭଗବାନ୍‍ଙ୍କୁ ପାଷାଣ ହୋଇ ରହିବାର ଝିଙ୍ଗାସ ଦିଏ, ସେହି ଭକ୍ତି ଭଗବାନ୍‍ଙ୍କର ଦୁଃଖକୁ କଦାପି ବୁଝି ପାରିବନାହିଁ । ସିଏ ବନ୍ଧୁଲାଗି ଏହିପରିହିଁ ଦୁଆର ବନ୍ଦ କରି ରହିଥିବ ଏବଂ ଏଣେ ନିର୍ମମ ଭକ୍ତିର ଆନନ୍ଦବଜାରରେ ମଜାରରେ ବୁଲୁଥିବ ।

 

୭ । ୩ । ୯୨

 

ବନ୍ଧୁ ଡକ୍ଟର ସେନଗୁପ୍ତ ମହାନଗରୀରେ ଥାଆନ୍ତି । ସେଠାରେ ସିଏ ନିଜର ଘର ତୋଳିଛନ୍ତି । ପିଲାମାନେ ବଡ଼ ହୋଇ ଗଲେଣି, ଝିଅ ଜ୍ୱାଇଁ ପ୍ରବାସରେ । ପୁଅବି ଏକ ବଡ଼ ଚାକିରିରେ । ଏବେ ଶ୍ରୀ ସେନାଗୁପ୍ତ ଚିଠି ଲେଖିବା ସମୟରେ ପାଞ୍ଚ ଛଅ ଧାଡ଼ିରେ ଚିଠି ସାରି ଦିଅନ୍ତି । ସବୁଥର ପ୍ରାୟ ସେଇ ଏକାକଥା ଲେଖା ଥାଏ । ଝିଅ ଜ୍ଵାଇଁ ଆନନ୍ଦରେ ଅଛନ୍ତି, ନାତୁଣୀ ପରେ ଏବେ ନାତିଟିଏ ହୋଇଛି, ନବାଗତ ବ୍ୟକ୍ତିଟିର ସୁଦୃଶ୍ୟ ଉଜ୍ଜ୍ୱଳ ଫଟୋଟିଏ ଜ୍ଵାଇଁ ଏଥର ଅଜାଆଈଙ୍କ ପାଖକୁ ପଠାଇଛନ୍ତି, ଇତ୍ୟାଦି, ଇତ୍ୟାଦି ।

 

ସିଏ ଏକଦା ମୋ’ର ସତୀର୍ଥ ଥିଲେ । ଜଣେ ଅଧ୍ୟାପକ ହିସାବରେ ଅତ୍ୟନ୍ତ ପ୍ରିୟ ଥିଲେ, ଗଭୀର ଅଧ୍ୟୟନ ଓ ଗଭୀର ଚିନ୍ତନରେ ଅନ୍ୟମାନଙ୍କୁ ଟାଣି ନେଉଥିଲେ । ତାଙ୍କର ଆଖି ସବୁବେଳେ ଭବିଷ୍ୟ ଆଡ଼କୁ ପ୍ରଲମ୍ବିତ ହୋଇ ରହିଥିଲା । ନିଜର ପାଠପଢ଼ା ପରେ ହଠାତ ଚାକିରି ନକରି ସିଏ ଉତ୍ତରପୂର୍ବ ଭାରତବର୍ଷର ପର୍ବତାଞ୍ଚଳରେ ଗୋଟିଏ ବିଦ୍ୟାଳୟରେ ଯାଇ ରହିଥିଲେ । ଜୀବନରେ ଗୁରୁ କରିଥିଲେ । କିଛିଦିନ ତନ୍ତ୍ରର ସାଧନାରେବି ରମିବାକୁ ମନ କରିଥିଲେ । ଏବେ ସିଏ ଆଗର ସବୁଯାକ ସ୍ଵପ୍ନ ଓ ସବୁଯାକ ସୋପାନ ଆରୋହଣକୁ ପରିତ୍ୟାଗ କରି ଆସିଲେଣି । ନୀରବ ହୋଇ ଗଲେଣି । କହନ୍ତି, ଜୀବନରେ ଏମିତି ଦିନେ ଗୋଟାଏ ଜାଗାକୁ ଆସିବା ଅନ୍ତତଃ ଗୋଟାଏ ବୟସକୁ ଆସି ରହିଯିବାକୁ ହୁଏ । ହାତରୁ ଦଉଡ଼ି ଛାଡ଼ିଦେବାକୁ ହୁଏ, ପୃଥିବୀ ବିଷୟରେ ମଧ୍ୟ ସକଳ ଭାବନାରୁ ବିଦା ହୋଇ ଆସିବାକୁ ପଡ଼େ । ମହାନଗରୀରେ ନୂଆ ଘରଟିଏ କରୁଥିବାବେଳେ ସେ ନିଜର ପସନ୍ଦ ଅପସନ୍ଦ ଅନୁସାରେ କେତେ କ’ଣ ତିଆରି କରୁଥିଲେ । ଏବେ କହୁଛନ୍ତି, ନିଜର ଖଣ୍ଡେ ଘର ଦରକାର ହୁଏ କାରଣ, ତାଙ୍କ ଭାଷାରେ, One must have a place to die,–ଏହି ପରାଜୟ ପ୍ରକୃତରେ କାହାପାଖରେ, ମୁଁ ଖୋଜି ତାହାର କୌଣସି ଠାବ ପାଏନାହିଁ ।

 

୮ । ୩ । ୯୨

 

ସେମାନଙ୍କୁ ମୁଁ ପିଲାଦିନେବି ଦେଖିଥିଲି । ସେମାନଙ୍କର ଆଖିରେ ସ୍ଵପ୍ନ ଭର୍ତ୍ତି ହୋଇ ରହିଗଲା । କାରିଗରଟିଏ ଯେମିତି ନିଜର କୃତିଟିକୁ ଯେତେ ଯତ୍ନ ଓ ଅନୁରାଗ ଦେଇ ଗଢ଼ିଥିଲେ ମଧ୍ୟ ତଥାପି ସନ୍ତୁଷ୍ଟ ହୋଇନଥାଏ ଏବଂ ନିଜଭିତରୁ ଆହୁରି ଅଧିକ ଯତ୍ନ ଓ ଅନୁରାଗ ସମ୍ଭବ କରାଇ କେତେକ’ଣ ସମ୍ଭାବନାକୁ ଅନୁଭବ କରୁଥାଏ ଏବଂ ଖୁସି ହେଉଥାଏ, ଏମାନେ ସମସ୍ତେ ସେହିପରି ସପ୍ନମୟ ହୋଇ ରହିଥିଲେ ସେମାନଙ୍କର ଜୀବନ ବଞ୍ଚିବାର ସକଳ ଅନୁଭବ ସତେ ଯେପରି ଖାଲି ଖୁସି ହୋଇ ଝରି ପଡ଼ୁଥିଲା । ସେହି ପିଲାମାନେ ପାଠ ପଢ଼ିଲେ ବୟସରେ ବଡ଼ ହେଲେ, ସଂସାରକୁ ଜାଣିଲେ;–ଏବଂ, କେଡ଼େ ଚମତ୍କାର ଭାବରେ ସଂସାର ସହିତ ଖାପ ଖାଇଗଲେ । କିଏ ଏକ ଇଞ୍ଜିନିୟର ହେଲା, କିଏ ଡାକ୍ତରଟିଏ ହେଲା, ଆଉକିଏ ବ୍ୟବସାୟ କଲା ବା ଅଫିସର ହେଲା । ବାସ୍, ଏମାନେ ସେତିକିରେ ରହିଗଲେ । କେବଳ ନିଜକଥା ଭାବିଲେ, ନିଜର ଉନ୍ନତ କରିବେ ବୋଲି ଅଧିକରୁ ଅଧିକ ଚତୁର ହେଲେ, ସତର୍କ ହେଲେ । (....) କୁଆଡ଼େ କେତେ ତଳେ ପୋତି ହୋଇ ରହିଗଲେ । ପାଠଗୁଡ଼ାକୁ ପଢ଼ି ଜଣେ ମନୁଷ୍ୟ କ’ଣ ଏହିପରି ଭାବରେ ଯାବତୀୟ ସୃଜନଶୀଳତାକୁ ହରାଇ ବସିବାକୁ ବାଧ୍ୟ ହୁଏ, ଏମିତି ଲୁଚିଯାଏ ଓ ହଜିଯାଏ-?

 

ପ୍ରତିକୂଳ ଜଳବାୟୁ ଭିତରେ ଯେଉଁ ସୃଜନଶୀଳତା ଏବଂ ସ୍ଵପ୍ନଶକ୍ତି ନିଜକୁ ଅନ୍ତରାଳକୁ ନେଇ ପଳାଇଯାଏ, ଆମେ ତାହାକୁ ଆଦୌ ଏକ ସୃଜନଶୀଳତା ବୋଲି କାହିଁକି କହିବା ? ହଁ, ସେହି ସୃଜନଶୀଳତା ଅନେକ ବ୍ୟକ୍ତିଙ୍କର ଜୀବନରେ ସତେଅବା କେଉଁ କର୍କଶ ଅସଲ ଓ ବାସ୍ତବର ଅନୁଗ୍ରହରେ ଏକ କବିତା, ଗପ ଅଥବା ନାଟକ ହୋଇଯିବାକୁ କିଞ୍ଚିତ୍ ଫାଙ୍କ ପାଇଥାଏ । ସେତେବେଳେ ସକଳ ସୃଜନଶୀଳତା ବେଳେବେଳେ କାଳିସୀ ହୋଇ ବାହାରେ । ଓ ସାମୟିକ କିଞ୍ଚିତ୍ ଉପଦ୍ରବଦ୍ଵାରା ସାନ୍ତ୍ଵନା ଦିଏ । ମାତ୍ର, ତାହା ଅସଲ ମଣିଷଟିକୁ ମାରିଦିଏ, ଲୁଚାଇ ରଖେ । ଏହି ବ୍ୟକ୍ତିମାନଙ୍କୁ କାହିଁକି କେହି In spite ofର ମନ୍ତ୍ରଟିକୁ ଦେଇ ପାରିଲେନାହିଁ ? The courage to be in spite of ଯେଉଁ ଗେହ୍ଲା ମଣିଷମାନେ ପରିସ୍ଥିତିଟା ଅନୁକୂଳ ଥିବା ପର୍ଯ୍ୟନ୍ତ ସୃଜନଶୀଳ ହେବାର ଅଲିଅଳ ଦେଖାନ୍ତି, ସେମାନଙ୍କ ଦ୍ଵାରା ପର୍ବତଗୁଡ଼ାକ ଆଦୌ ଟଳନ୍ତିନାହିଁ । ଅସୃଜନଶୀଳତା ରାଜା ହୋଇ ବସିଥିବା ପର୍ଯ୍ୟନ୍ତ ସେମାନେ ତାହାରି ସଭାରେ ଭାଟ ବା ବିଦୂଷକ ହୋଇ ଗୁଜରାଣ ମେଣ୍ଟାନ୍ତି, ଭୋକ ମାରନ୍ତି ।

 

୯ । ୩ । ୯୨

 

ମଣିଷର ଏହି ଭୂମିଟି ତୃପ୍ତ ଏବଂ ପ୍ରସ୍ତୁତ ହୋଇ ରହିବା ନିମନ୍ତେ ପ୍ରକୃତରେ କେତେ ତେଲ ଓ କେତେ ଲୁଣ ଆବଶ୍ୟକ ଯେ, ଅଧିକାଂଶ ମଣିଷ ମୂଳତଃ ଓ ଅନ୍ତତଃ ତେଲଲୁଣର ତଥାକଥିତ ସଂସାରଟାରୁ ନେଇ ଏପରି ବ୍ୟସ୍ତ ହୋଇ ରହିଥାନ୍ତି । ଯେଉଁମାନଙ୍କ ପାଖରେ ତେଲ ଓ ଲୁଣ ଯଥେଷ୍ଟ ପରିମାଣରେ ନାହିଁ, ସେମାନଙ୍କ ତୁଳନାରେ ତେଲ ଓ ଲୁଣ କେତେ କେତେ ଗୁଣ ଜମାହୋଇ ରହିଥିବା ମଣିଷମାନେ ତେଲ ଓ ଲୁଣକୁ ନେଇ ଅଧିକ ବ୍ୟସ୍ତ ହୋଇ ରହନ୍ତି । ତେଲ ଓ ଲୁଣକୁ ଭୋଗ କରିବାର ଗୋଟାଏ ଗାର ରହିଛି, ଯାହା ସେପାଖକୁ ଯିବାକୁ ହୁଏ; ନହେଲେ ଶାନ୍ତି ମିଳେନାହିଁ । ପ୍ରଧାନତଃ ଅଯୁକ୍ତ ହୋଇ ରହିବାକୁ ହୁଏ, ମଣିଷକୁ ବର୍ବର ହେବାର ସବୁ ଅନୁକୂଳତାବି ସବୁ ପ୍ରଲୋଭନ ମିଳିଯାଏ । ସେହି ଗାରଟିକୁ ମଣିଷମାନେ ନିଜେ ନିର୍ଣ୍ଣୟ କରିବେ । ଅର୍ଥାତ୍ ଗାରଟିକୁ ଡେଇଁ ସେପାଖକୁ ଯିବାଲାଗି ପ୍ରକୃତରେ ବାସନା ରଖିଥିବା ମଣିଷଟିହିଁ ଯଥାର୍ଥ ବେଳ ଆସିବାମାତ୍ରକେ ଗାରଟିକୁ ଡେଇଁଯିବାର କଥା ଚିନ୍ତା କରିଥାଏ । କିଏ କେଡ଼େ ସହଳ କିମ୍ବା କେତେ ଡେରିରେ ଗାରଟି ପାଖରେ ଆସି ପହଞ୍ଚିବ ଓ ଗାରଟିକୁ ଡେଇଁବ, ସେ କଥାଟିର ଚୂଡ଼ାନ୍ତ ନିର୍ଣ୍ଣୟ ତେଲଲୁଣ କରନ୍ତି ନାହିଁ, ମଣିଷର ବିଦ୍ୟା ଓ ମଣିଷର ଶୁଭତର ବାସନାଗୁଡ଼ିକହିଁ ତାହାର ନିର୍ଣ୍ଣୟ କରିଥାନ୍ତି ।

 

ତେଲ ଓ ଲୁଣର ଗାର ଭିତରେ ଏପରି କିଛି ପ୍ରୋତ୍ସାହନ ରହିଥିବା ଏକାନ୍ତ ଆବଶ୍ୟକ, ଯେପରିକି ତେଲଲୁଣକୁ ଲୋଡ଼ିବା ଏବଂ ସଜାଡ଼ିବାର ଜୀବନଗ୍ରାମଟିରେ ମଧ୍ୟ ତେଲଲୁଣକୁ ଡେଇଁଯିବାର ଅନୁରାଗଟି ଯୋଡ଼ି ହୋଇ ରହିଥିବ, ଯେପରି ମଣିଷ ଭୂଇଁ ଉପରେ ଚେର ମଡ଼ାଇ ରହିଥିବ ଓ ପ୍ରାୟ ଯୁଗପତ୍ ଭାବରେ ଆକାଶକୁ ମଧ୍ୟ ଠାବ କରୁଥିବ । ଭୂଇଁର ବାସନା ମଧ୍ୟରେ ଆକାଶଲାଗି ଆସ୍ପୃହାକୁ ଏକାଠି ଯୋଡ଼ିକରି ଜୀବନ ବଞ୍ଚିବା ଏବଂ ଯାବତୀୟ ସମ୍ବନ୍ଧକୁ ଲୋଡ଼ିବା, ଏହାହିଁ ଆମ ସଂସ୍କୃତିର ଅସଲ ଆଭିମୁଖ୍ୟ ହୋଇ ରହିଥିବା ଉଚିତ । ଆମର ବ୍ୟକ୍ତିଗତ ଜୀବନରେ ଓ ତାହାର ମାଧ୍ୟମରେ ସାମୂହିକ ଜୀବନର ନାଡ଼ିଗୁଡ଼ିକ ଭିତରେ ତାହାହିଁ ଏକ ପ୍ରଧାନ ପ୍ରଚୋଦକ ହୋଇ ରହିଥିବା ଉଚିତ ।

 

୧୦ । ୩ । ୯୨

 

ମୋ’ ସ୍ଵପ୍ନ ଭିତରେ ମୋତେ କେହି ଘୋଷାରୁ ନଥାନ୍ତି କି ମୁଁ ମଧ୍ୟ କାହାକୁ ଘୋଷାରୁ ନଥାଏ । ମୁଁ କାହାଉପରେ ଘୋଡ଼ା ଚଢ଼ୁ ନଥାଏ କିମ୍ବା ମୋ’ ଉପରେ ମଧ୍ୟ କେହି ଘୋଡ଼ା ଚଢ଼ୁନଥାନ୍ତି । ଅନେକ ମଣିଷ ସ୍ଵପ୍ନରେ ଭୂତବି ଦେଖନ୍ତି, ମଲା ମଣିଷଙ୍କୁ ଦେଖନ୍ତି, ନିଜକୁ ଆଉକିଏ ଆସି ହାଣି ଦେଉଥିବାର ଅଥବା ନିଜେ ଆଉ କାହାକୁ ହାଣି ଦେଉଥିବାର ଦେଖନ୍ତି । ମୁଁ ଏସବୁ କେବେ ଦେଖିନାହିଁ । ମରି ଯାଇଥିବା ମଣିଷମାନଙ୍କୁ ମୁଁ ବେଳେବେଳେ ଦେଖିଥାଏ ସତ, ମାତ୍ର ସେମାନେ ମରିକରି ପଡ଼ିଥିବାର ଅଥବା ଖାଇବାକୁ ଗୋଡ଼ାଉ ଥିବାର ବା ଏପରିକି ମୋତେ ଭର୍ତ୍ସନା କରୁଥିବାର ମଧ୍ୟ କେବେହେଲେ ଦେଖିନାହିଁ । ମଲା ମଣିଷମାନେ ମୋ’ର ସମସ୍ତେ ଚିହ୍ନା ମଣିଷ । ସ୍ଵପ୍ନବେଳେ ସେହିମାନେ ଆସି ଦୁଃଖସୁଖ ହେଉଥିବା ପରି ଦୃଷ୍ଟିଗୋଚର ହୁଅନ୍ତି । ଦୁଇ ପକ୍ଷରୁ କାହାରି ପାଖରେ କାହାରି କୌଣସି ଅଭିଯୋଗ ନଥାଏ । ସେମାନଙ୍କର କୌଣସି ଅପୂରଣୀୟ ଇଚ୍ଛା ନେଇ ସେମାନେ ମୋତେ ଝିଙ୍ଗାସିବାକୁ ଆସନ୍ତିନାହିଁ, ମୋ’ର କୌଣସି ଦୁଃଖରେ ସହାନୁଭୂତି ଦେଖାଇବାକୁ ମଧ୍ୟ କେବେ ମୋ’ ପାଖରେ କାନ୍ଦି ବସନ୍ତିନାହିଁ । ହସି ହସି କଥା ହୁଏ, ଏବଂ ହସଖୁସିରେ ନିଦ ଭାଙ୍ଗିଯାଏ ।

 

ରାତିଟି ଦିନର ପରିପୂରକ ହୋଇ ରହିବା, ଏହା ମଣିଷପାଇଁ ଏକ ଭାଗ୍ୟର କଥା । ଅନେକ ମଣିଷ ଦିନ ସମୟରେ ମଧ୍ୟ ନିଜ ଭିତରେ ଓ ବାହାରେ ଆଠ ଦଶ ଭାଗରେ ବିଭକ୍ତ ହୋଇ ରହିଥାନ୍ତି; ଗୋଟାର ମୁହଁ ପଛରେ ଆଉ ଛଅଟା ମୁଖା ରହିଥାଏ ଅଥବା ଗୋଟାଏ ମୁଖା ପଛରେ ଆଉ ଛଅଟା ମୁହଁ ମଧ୍ୟ ରହିଥାଏ । ଏହି ମଣିଷମାନେ ସ୍ଵପ୍ନରେ କେତେ ଘୋଡ଼ା ଚଢ଼ନ୍ତି, କେତେ ଘୋଷାରି ହୁଅନ୍ତି, କେତେ ଅଭିଯୋଗ କରନ୍ତି ଓ କେତେ ପ୍ରତିଶୋଧବି ନିଅନ୍ତି । ଦିନମାନ ଯିଏ ମୋ’ ସହିତ ରହିଥାନ୍ତି, ମୁଁ ତାଙ୍କୁହିଁ ସାଥୀ କରି ରାତିରେ ଶୋଇବାକୁ ଯାଏଁ । ପରବର୍ତ୍ତୀ ଦିନଟିରେ ପୁଣି ସାଥୀ ହୋଇ ଉଠିବୁ ବୋଲି ଆମେ ପରସ୍ପର ପାଖରେ କହୁ । ପ୍ରାର୍ଥନା କହିଲେ ମୁଁ ପ୍ରଧାନତଃ ଏହିପରି ଏକ ପ୍ରସନ୍ନ ଅନୁଭୂତି ଏବଂ ସମ୍ମତିର ଅଭିବ୍ୟକ୍ତିକୁହିଁ ଜାଣିଥାଏ । ତେଣୁ, ରାତିଟା ମଧ୍ୟ କେଡ଼େ ପ୍ରସନ୍ନ ଭାବରେ କଟିଯାଏ ।

 

୧୧ । ୩ । ୯୨

 

ଆଧୁନିକ କାଳରେ ସକ୍ରିୟତା ବହୁଗୁଣିତ ହୋଇଛି । ସକ୍ରିୟ ହେବାଲାଗି ମଣିଷ ନିଜଭିତରେ ଏକ ଅନ୍ତର୍ଗତ ପ୍ରୟୋଜନରେ ପଡ଼ି ନିଷ୍ପତ୍ତି ଗ୍ରହଣ କରିଛି କି ନାହିଁ, ସେ କଥା ଠିକ୍ କରି କୁହାଯାଇପାରିବ ନାହିଁ । ଆମ ଆଧୁନିକ କାଳର media ଏବଂ ବସ୍ତୁଗୁଡ଼ିକର ବହୁଳତା ହୁଏତ ତାକୁ ସକ୍ରିୟ ହେବାଲାଗି ଅନେକ ପ୍ରୋତ୍ସାହନ ଏବଂ ପ୍ରରୋଚନା ଆଣି ଦେଇଛନ୍ତି । ଏହି ଅତିବେଶି ସକ୍ରିୟତା କେତେଦୂର ଶୁଭ ଅଥବା ଅଶୁଭର କାରଣ ହୋଇଛି, ସେ କଥାଟି ତା’ ଭିତରେ ପ୍ରାୟ ଯୁଗପତ୍ ଭାବରେ ହୋଇଥିବା ସଂପ୍ରସାରଣ ଉପରେହିଁ ପ୍ରଧାନତଃ ନିର୍ଭର କରୁଛି । ଅନୁରାଗର ସଂପ୍ରସାରଣ ଚେତନାର ସଂପ୍ରସାରଣ, ଦାୟିତ୍ଵବୋଧର ସଂପ୍ରସାରଣ ଏବଂ ଏକତ୍ଵବୋଧର ସଂପ୍ରସାରଣ, ବସ୍ତୁଗୁଡ଼ିକ ବଢ଼ିଲେ ଏବଂ media ଅଧିକ ତେଜୀୟାନ୍ ହେଲେ ଯେ ଉକ୍ତ ସଂପ୍ରସାରଣଗୁଡ଼ିକ ବଳେ ବଳେ ହୋଇଯିବ, ସେ କଥା ମୋଟେ ଠିକ୍ ନୁହେଁ । ସଂପ୍ରସାରଣ ମଧ୍ୟ କିଛି ମାତ୍ରାରେ ବସ୍ତୁଗୁଡ଼ିକ ଉପରେ ବା media ଉପରେ ନିର୍ଭର କରିବ ସତ, ମାତ୍ର ତାହା ଆହୁରି ଅନେକ ଉପାଦାନ ତଥା ମଣିଷର ଆହୁରି ଅନେକ ସମ୍ମତି ଉପରେ ନିର୍ଭର କରି ରହିଥିବ ।

 

ସେହି ସଂପ୍ରସାରଣ ମୂଳତଃ ଏକ ଅନ୍ତର୍ଗତ ନିଷ୍ପତ୍ତି ଉପରେ ନିର୍ଭର କରିବ । ଏବଂ, ଅନ୍ତର୍ଗତ ସଂପ୍ରସାରଣ ଲାଗି ଏକ ଆବଶ୍ୟକତା ଅନୁଭବ ନକରିବା ପର୍ଯ୍ୟନ୍ତ କିଏ କାହିଁକି ସେଥିଲାଗି ନିଷ୍ପତ୍ତି ନେବାକୁ ଯିବ । ବର୍ତ୍ତମାନ ଆମ ସାମାଜିକ ଚଳଣି ଏବଂ ସେଇଥିରୁ ଭିଆଣ କରାଯାଇଥିବା ସାମାଜିକ ନୈତିକତା ସକଳ ଯଥାର୍ଥ ସଂପ୍ରସାରଣକୁ ବରଂ ନିରୁତ୍ସାହିତ କରୁଛି ବୋଲି ଅଧିକ ପ୍ରମାଣ ଦେଇ କୁହାଯାଇପାରିବ । ମନୁଷ୍ୟ ସଭ୍ୟତାର ଇତିହାସରେ ସମ୍ଭବତଃ ଏହି ନିରୁତ୍ସାହିତ କରିବାର ଚକ୍ରାନ୍ତଟିକୁହିଁ ଅଧିକତର କ୍ଷେତ୍ରରେ ଦେଖିବାକୁ ମିଳିବ । ତେଣୁ, ହାୱାରେ ସଂପ୍ରସାରଣର ସେହି ଅନୁକୂଳତା ସୃଷ୍ଟି ହେବ ଓ ତା’ପରେ ଯାଇ ମୁଁ ସମ୍ପ୍ରସାରିତ ହେବାକୁ ମନ କରିବି, ସେ କଥାବି ଆଦୌ ନୁହେଁ । ପ୍ରତିକୂଳତା ଥିବ, ତଥାପି ମୁଁ ସଂପ୍ରସାରଣ ଲାଗି ମନ କରିବି-। ଏହାହିଁ ମଣିଷମାନଙ୍କ ପାଖରେ ଆମ ପ୍ରତ୍ୟେକଙ୍କ ପାଖରେ ଉପସ୍ଥିତ ହେଉଥିବା ଏକ ଆଧ୍ୟାତ୍ମିକ ଆହ୍ଵାନ । ଏହି ଆହ୍ଵାନକୁ ଶୁଣିବା ଲାଗି ଆମ ହୃଦୟରେ ମଧ୍ୟ ଉପଯୁକ୍ତ କାନଟିଏ ରହିଥିବା ଏକାନ୍ତ ଆବଶ୍ୟକ ।

 

୧୨ । ୩ । ୯୨

 

ଯେଉଁମାନେ ଘୃଣା କରନ୍ତି, ଭଲ ପାଉଥିବା ଲୋକମାନଙ୍କୁ ସେମାନେ କେବେହେଲେ ବୁଝି ପାରିବେନାହିଁ । ମାତ୍ର ଭଲ ପାଉଥିବା ଲୋକମାନେ ଘୃଣା କରୁଥିବା ଲୋକମାନଙ୍କୁ ଅବଶ୍ୟ ବୁଝିବେ । ଘୃଣା କରୁଥିବା ଓ ଘୃଣା କଲେ ଯାଇ ସତକୁସତ ବଞ୍ଚିବାଭଳି ଅନୁଭବ କରୁଥିବା ମଣିଷମାନଙ୍କର ଭଲ ପାଉଥିବା ମଣିଷମାନଙ୍କୁ ବୁଝିବାଲାଗି ସଚରାଚର କୌଣସି ପ୍ରୟୋଜନ ନଥାଏ । ମାତ୍ର, ଘୃଣା କରୁଥିବା ମଣିଷମାନଙ୍କୁ ବୁଝିବାଲାଗି ଭଲ ପାଉଥିବା ମଣିଷମାନଙ୍କର ଅବଶ୍ୟ ଏକ ପ୍ରୟୋଜନ ରହିଛି ।

 

ଭଲ ପାଉଥିବା ଲୋକ ଘୃଣା କରୁଥିବା ଲୋକମାନଙ୍କୁ ମଧ୍ୟ ଭଲ ପାଇଲେ ବୋଲି ନୀତି ଓ ଆଦର୍ଶର ସଂସାରରେ ଏକ ପାରମ୍ପରିକ ପରାମର୍ଶ ରହିଆସିଛି । ସେମାନେ ସେଯାଏଁ ନଯାଇ ପାରନ୍ତୁ ପଛକେ, ଘୃଣା କରିବା ଲୋକଙ୍କୁ ଭଲ ପାଉଥିବା ଲୋକମାନଙ୍କ ଭିତରେ ଅନ୍ତତଃ ଯଥାସମ୍ଭବ ଅଧିକ ପୂର୍ଣ୍ଣଭାବେ ବୁଝି ପାରିବାର ସାମର୍ଥ୍ୟ ରହିଥିବା ଉଚିତ । ଘୃଣାରେ ଭର୍ତ୍ତି ହୋଇ ରହିଥିବା ଏକ ସଂସାରରେ ଆପଣାକୁ ଯଥାସମ୍ଭବ ଅଧିକ ସତର୍କ ରଖିବା ନିମନ୍ତେ ଯେ ଏପରି କରିବା ଉଚିତ, ସେ କଥା ଆଦୌ ନୁହେଁ । ଆପଣାକୁ ପୂର୍ଣ୍ଣତର, ପୂର୍ଣ୍ଣରୁ ପୂର୍ଣ୍ଣତର ଭାବରେ ବୁଝିବାଲାଗି ମଧ୍ୟ ଭଲ ପାଉଥିବା ମଣିଷମାନଙ୍କର ଘୃଣା କରୁଥିବା ମଣିଷମାନଙ୍କୁ ବୁଝିବାଲାଗି ଅବଶ୍ୟ ଚେଷ୍ଟା କରିବା ଉଚିତ । ଏବଂ, ଟିକିଏ ନିବିଡ଼ ଓ ଅନ୍ତରଙ୍ଗ ଭାବରେ ଚାହିଁ ଦେଖିଲେ, ଖାଲି ଘୃଣା କରୁଥିବା ମଣିଷବି ଏହି ସଂସାରରେ କେତେଜଣ ଅଛନ୍ତି ? ସଂସାରରେ ଘୃଣାର ଭାର ଯେତେବେଳେ ଅତି ପ୍ରବଳ ହୁଏ, ସେତେବେଳେ ତାହା ସମ୍ଭବତଃ ଗୋଟାଏ କଂସ ବା ଗୋଟାଏ ହିଟ୍‌ଲର୍‌ର ଜୀବନରେ ପ୍ରତିମୂର୍ତ୍ତି ହୋଇଉଠେ ଏବଂ ତାହାର ନିଧନ ଘଟିଲେ ଅନ୍ତତଃ କେତେଦିନ ସକାଶେ ପୃଥିବୀ ଉଶ୍ଵାସ ହୁଏ; ଜୀବନକୁ ଜୀବନ ଭଳି ଚିହ୍ନିବାପାଇଁ ଭିତରେ ଯେତିକି ପରିମାଣରେ ଭୟ ଭାଙ୍ଗିଯିବା ଉଚିତ, ଗୋଟାଏ ମଧ୍ୟବର୍ତ୍ତୀ ସମୟ ଲାଗି ମଣିଷମାନଙ୍କ ଭିତରୁ ସେହି ଭୟ ଭାଙ୍ଗିଯିବାକୁ ଏକ ପରିବେଶର ସୃଷ୍ଟି ହୁଏ । ତୁମେ ମୋ’ର ଏହି ବିଶ୍ଵାସଟିକୁ ଏକ ଅନ୍ଧବିଶ୍ଵାସ ବୋଲି କହିପାର, ମାତ୍ର, ମୁଁ ଅଙ୍ଗେ ନିଭାଇଥିବା ଜୀବନରୁ ଜାଣିଛି ଯେ, ଘୃଣା କରୁଥିବା ମଣିଷ ଭିତରେବି ମୂଳତଃ ଭଲ ପାଇବା ପୋତିହୋଇ ରହିଥାଏ । ନାନା କାରଣରୁ ନିଜକୁ ପ୍ରକାଶିତ କରିବାର ବାଟ ନପାଇ ଭଲ ପାଇବା ଅନେକ ସମୟରେ ଅତ୍ୟନ୍ତ ଅଣଆୟତ୍ତ ଭାବରେ ଛଟପଟ କରୁଥାଏ । ସେହି ଛଟପଟ କରିବା ହେଉଛି ଘୃଣା । ଘୃଣା ଏକ ମୁଖା । ଏହି ମୁଖାମାନେ କ’ଣ ପୃଥିବୀର ଇତିହାସରେ କମ୍ ଦୁର୍ଭାଗ୍ୟ ଓ ଦୁର୍ଦ୍ଦଶାର କାରଣ ହୋଇଛନ୍ତି ?

 

୧୩ । ୩ । ୯୨

 

ଖେଳି ନଜାଣିଥିଲେ ମଣିଷମାନଙ୍କର ଖେଳନାଗୁଡ଼ାକୁ ଭାଙ୍ଗି ପକାଇବା ପାଇଁ ମନହୁଏ-। ନିଜ ଭିତରେ ଅଡ଼ୁଆ ରହିଥିବା ମଣିଷମାନେ ସଂସାରରେ ସବୁ ଖେଳ ଭିତରେ ଆଣି ଅଡ଼ୁଆ ପୂରାଇ ଦିଅନ୍ତି । ଭଲ ପାଇବା ଏପରି ଗୋଟିଏ ଜିନିଷ, ଯାହା ଭିତରେ କି ନିଜଭିତରେ ଅଡ଼ୁଆଗୁଡ଼ାକଦ୍ଵାରା ରୁନ୍ଧି ହୋଇ ରହିଥିବା ନାନା ଅଡ଼ୁଆ ଆଣି ପୂରାଇ ଦେଇଛନ୍ତି । ଠିକ୍ ସେହିପରି, ଆଧ୍ୟାତ୍ମିକତା ମଧ୍ୟ ଏଭଳି ଗୋଟିଏ କ୍ଷେତ୍ର, ଯେଉଁଥିରେ କି ନିଜ ଅଡ଼ୁଆ ଭିତରେ ନିଜେ ବାନ୍ଧିହୋଇ ରହିଥିବା ମଣିଷମାନେ ବହୁ କିସମର ଧାର୍ମିକତାକୁ ଆଣି ପୂରାଇ ଦେଇଛନ୍ତି-। ଅଡ଼ୁଆମାନଙ୍କୁ ଜଣେ ମଣିଷ ନିଜଭିତରେ କାହିଁକି ଏଡ଼େ ସରାଗରେ ସାଇତି କରି ରଖିଥାଏ କେଜାଣି ? ଜୀବନର କ୍ଷେତ୍ରରେ, ଆପଣାର ଅସଲ ଅନୁରାଗ ଏବଂ ଅନୁରକ୍ତିଗୁଡ଼ିକର କ୍ଷେତ୍ରରେ, ମଣିଷ ଅତିଚତୁର ଓ ଉଗ୍ରଚତୁର ଭାବରେ ସୌଦାଗର ପରି ଆଚରଣ ନକରୁଥିଲେ ସିଏ ସମ୍ଭବତଃ ନିଜଭିତରେ ଅନେକ ଅଡ଼ୁଆରୁ ମୁକ୍ତ ହୋଇ ରହି ପାରୁଥାନ୍ତା ଓ ତେଣୁ ପୃଥିବୀଟାକୁ ମଧ୍ୟ ଅନେକ ବିକୃତିର ଦୁର୍ଦ୍ଦଶାରୁ ବଞ୍ଚାଇ ରଖି ପାରୁଥାନ୍ତା ।

 

ଆଦର୍ଶମାନେ ପୃଥିବୀରେ ଦୂରତାମାନଙ୍କୁ ସୃଷ୍ଟି କରିନାହାନ୍ତି । ମୁକ୍ତ ଭାବରେ ଆପଣାକୁ ସାଙ୍ଗରେ ନେଇ ବାଟ ଚାଲୁଥିବା ମଣିଷ କଦାପି ବାଟ ଚାଲୁଥିବା ଅନ୍ୟ ମଣିଷମାନଙ୍କ ସହିତ କନ୍ଦଳ କରିବାକୁ ଯାଆନ୍ତାନାହିଁ । ବାଟ ଉପରେହିଁ ସିଏ ବାଟ ଚାଲୁଥିବା ଅନ୍ୟ ସମସ୍ତଙ୍କୁ ବନ୍ଧୁରୂପେ ଆବିଷ୍କାର କରିପାରନ୍ତା । ଏବଂ, ଯିଏ ଅନ୍ୟ ସମସ୍ତଙ୍କୁ ବନ୍ଧୁରୂପେ ଆବିଷ୍କାର କରୁଛି ଓ ଏକ ଅନ୍ତରଙ୍ଗତାର ଦର୍ପଣ ଉପରେ ନିଜକୁ ତଥା ଏହି ପୃଥିବୀକୁ ଦେଖିପାରୁଛି, ସ୍ଵୟଂ ଭଗବାନ୍‍ ମଧ୍ୟ ତାକୁ କଦାପି ଅସାଧ୍ୟ ଭାବରେ ଅନେକଦୂର ହୋଇ ରହନ୍ତେନାହିଁ । ପୃଥିବୀ ଭଗବାନ୍‍ଙ୍କ ନାମରେ ଶାସ୍ତ୍ର, ମନ୍ଦିର ଓ ସମ୍ପ୍ରଦାୟ ଇତ୍ୟାଦିର media ଦେଇ ହେଉଥିବା ଯାବତୀୟ ଦୌରାତ୍ମ୍ୟରୁ ରକ୍ଷା ପାଇପାରନ୍ତା । ବ୍ରାହ୍ମଣଟିଏ ନହୋଇ ପଇତାଟାଏ ପକାଇଦେବାଦ୍ଵାରା ଆପଣା ବ୍ରାହ୍ମଣତ୍ଵର ପରିଚୟ ପ୍ରତିପାଦନ କରିବାର ଢମପ୍ରୟାସ କରିବାକୁ ମନ କରୁଥିବା ପର୍ଯ୍ୟନ୍ତ ମଣିଷମାନେ ଏହିପରି ଭାବରେ ଅଡ଼ୁଆ ଭିତରେ ବେକଯାଏଁ ପଶି ରହିଥିବେ ଓ ସଂସାରକୁ ଆଗକୁ ଯିବାପାଇଁ ବାଟ ଛାଡ଼ୁ ନଥିବେ । ଅନ୍ତରଙ୍ଗତାକୁ ନେଇ ମନ୍ଦିର ବନାଇବାର ଅପସଂସ୍କୃତି ଭିତରେ ପୁଲକିତ ଭାବରେ ଲଟପଟ ହେଉଥିବା ମଣିଷକୁ ଏଠି କିଏ ବନ୍ଧୁ ହେବାଲାଗି ପ୍ରବର୍ତ୍ତନା ଦେଇପାରିବ ?

 

୧୪ । ୩ । ୯୨

 

ମୂଲିଆକୁ ମଣିଷପରି ନଦେଖିବା ପର୍ଯ୍ୟନ୍ତ ମୂଲିଆମାନେ ଠକିବାରେ ଲାଗିଥିବେ । କେବଳ ଭାଗ୍ୟହୀନମାନେ ହୀନ ମୂଲିଆ ହୁଅନ୍ତି ବୋଲି ଭାଗ୍ୟବନ୍ତମାନେ ବିଚାର କରୁଥିବା ପର୍ଯ୍ୟନ୍ତ ସେମାନଙ୍କୁ ପୁଣି ମଣିଷପରି ଦେଖିବା ସମ୍ଭବ ହେବ କିପରି ? ମୂଲିଆ ଠକିବେ, ମୂଲିଆ ଚୋରି କରିନେବେ, ମୂଲିଆ ପଇସା ଅନୁସାରେ କମ୍ କରିବେନାହିଁ,–ଯେଉଁ ସମାଜରେ ଏସବୁ ଧାରଣା ଚଳଣିପରି ହୋଇ ରହିଥାଏ, ସେହି ସମାଜରେ ସାଆନ୍ତମାନଙ୍କର ଉପଦ୍ରବହିଁ ଲାଗି ରହିଥାଏ । ଗୋଟାଏ ପ୍ରକାରର Sadism ଦୁଇ ପକ୍ଷରୁ ଭାରି ଘାରି ରହିଥାଏ ।

 

ସବମୂଳରେ ଭାଗ୍ୟବାଦ ବା କର୍ମବାଦ ଜବର ହୋଇ ବସିଥାଏ । ଅର୍ଥାତ୍, ମନୁଷ୍ୟମାନଙ୍କର କର୍ମ ଅନୁରୂପ ହୋଇ ରହିଥିଲେ ସେମାନେ ମୂଲିଆ ହୋଇ ଜନ୍ମ ହୁଅନ୍ତି ଓ ମୂଲିଆ ହୋଇ ଆପଣାର କର୍ମକୁ କାଟନ୍ତି ବୋଲି ଆପଣାର ଅନ୍ୟଭଳି ଆଉ ଏକ କର୍ମ ହେତୁ ସାଆନ୍ତଜନ୍ମ ପାଇଥିବା ଅପରପକ୍ଷ ପ୍ରାୟ ଏକ ଧର୍ମସୂତ୍ର ଭଳି ବିଶ୍ଵାସ କରୁଥାନ୍ତି । କାମ କରିବାକୁ ଉଭୟେ ବୋଝ ପରି ଅନୁଭବ କରୁଥାନ୍ତି । କର୍ମବାଦୀ ସମାଜ ଏହିପରି ଭାବରେ ଏକ କର୍ମଭୀରୁ ସମାଜରେ ପରିଣତ ହୋଇଯାଏ, ଅଳପ ଦେଇ ଅଧିକ ଭୋଗ କରିବାଟା ସତେଅବା ଏକ ସ୍ଵାଭାବିକ ଶୈଳୀରେ ପରିଣତ ହୋଇଯାଏ । ଉପରେ ସଜ୍ଜନ ଓ ମହାପୁରୁଷମାନେ Work is workship ବୋଲି କୀର୍ତ୍ତନ କରିବାରେ ଏବଂ ପ୍ରବଚନ ଦେବାରେ ଲାଗିଥାନ୍ତି ସତ, ମାତ୍ର ଅନ୍ୟ ପିତୁଳାମାନଙ୍କୁ ସବାଉପରେ ନେଇ ବସାଇ ଥାଆନ୍ତି । ମୂଲିଆ ମୂଲ ଲାଗେ, କର୍ମଚାରୀ ମଧ୍ୟ କର୍ମ କରି ପଇସା ପାଏ, ତଥାକଥିତ ହାକିମଙ୍କୁ ଓ ସାଆନ୍ତମାନଙ୍କୁ ମଧ୍ୟ ଏହି ଦୃଷ୍ଟିରୁ ମୂଲିଆ ବୋଲି କୁହାଯାଇପାରିବ । ମାତ୍ର, ଛୋଟ ଜାତିମାନେ ଅଳପ ସୁଯୋଗ ପାଇବେ, ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ସେମାନଙ୍କୁ ଯେଉଁଠି ସେଇଠି ପଡ଼ି ରହିବାକୁ ବାଧ୍ୟ କରାଯାଉଥିବ ଏବଂ ତଥାକଥିତ ଉଚ୍ଚମାନେ ଉଚ୍ଚ ହୋଇଥିବାରୁ ନିତାନ୍ତ ଆଳସ୍ୟମଣ୍ଡିତ ଭାବରେ, ଉଗ୍ର ଭାବରେ ନିଜର ଭାଗ୍ୟକୁ ଭୋଗ କରିବାରେ ଲାଗିଥିବେ,–ଅର୍ଥାତ୍, କର୍ମ କରିବା ନୁହେଁ, ଭୋଗ କରିବାହିଁ ଅଧିକରୁ ଅଧିକ ମଣିଷଙ୍କର ଆଚରଣଗତ, ଧର୍ମ ଓ ଆଦର୍ଶ ହୋଇ ରହିଥିବ,–ସେହି ସମାଜରେ ମଣିଷ ମଣିଷ ଭିତରେ ଏକ dignified ସମ୍ପର୍କ ସ୍ଥାପିତ ହେବାକୁ ନିଶ୍ଚୟ ବହୁକାଳ ଲାଗିବ । ଅନ୍ତତଃ କେତେକ ମଣିଷ ଅତ୍ୟନ୍ତ ସ୍ଵେଚ୍ଛାପ୍ରେରିତ ଭାବରେ ଏହି ବିଷଚକ୍ର ମଧ୍ୟରୁ ବାହାରି ଯାଇ ଅଲଗା ପ୍ରକାରେ ଜୀବନ ବଞ୍ଚିବାର ବିକଳ୍ପଟିଏ ଦେଖାଇ ପାରିଲେ ହୁଏତ ସତ୍ଵର କିଛି ଉଦ୍‌ବେଳନ ସମ୍ଭବ ହେବ ।

 

୧୫ । ୩ । ୯୨

 

ନିସ୍ପୃହତା ନାହିଁ, ମାତ୍ର ଆସ୍ପୃହା ମଧ୍ୟ ନାହିଁ । ନିଜ ସୁଖ, ନିଜ ନିଶ୍ଚିନ୍ତତା ଓ ନିରାପତ୍ତା, ନିଜର ଜ୍ଞାନ, ନିଜର ସମ୍ବନ୍ଧଗତ ଯାବତୀୟ ସମୃଦ୍ଧି, ଏପରିକି ନିଜର, ଗୋଟାସୁଦ୍ଧା ନିଜର କୌଣସି further achievements ପାଇଁ ମଧ୍ୟ ଆଦୌ ସ୍ପୃହା ହେଉନାହିଁ । ଗୋଟାସୁଦ୍ଧା ନିଜର ବୋଲି କିଛି ରଖିବାକୁ ଏବଂ ତାହାକୁ ନେଇ ଖୁସି ହେବାକୁ ଆଦୌ ଇଚ୍ଛା ହେଉନାହିଁ । ଭାବୁଛି, ପୃଥିବୀରେ ସମସ୍ତେ, ସବୁ ବ୍ୟକ୍ତି ଓ ସବୁ ସମୂହ, ମୂଳତଃ ଏବଂ ପ୍ରଧାନତଃ ନିଜର ବୃଦ୍ଧି ଓ ନିଜର ସମୃଦ୍ଧି ପାଇ ଭାବିଲେ ବୋଲି ପୃଥିବୀରେ ଆଜି ଏତେ ଦୁଃଖ, ଏତେ ଅସହିଷ୍ଣୁତା, ଆଦର୍ଶବାଦୀ ଏତେ ଘୃଣା ଓ exclusiveness,–ଏଗୁଡ଼ାକୁ ନେଇ ପୃଥିବୀ ଯେପରି ଆଉ ଗୋଟାଏ ପାଦ ମଧ୍ୟ ଆଗକୁ ଯାଇ ପାରିବନାହିଁ । ଅନୁକ୍ଷଣ ତାହାହିଁ ମନେହେଉଛି, ସବୁ ଅସହ୍ୟ ମନେହେଉଛି ।

 

ଭାବୁଛି, ଏବଂ ସେହି ଗୋଷ୍ଠୀଟିର କଳ୍ପନା କରୁଛି, ଯାହାସହିତ ମୁଁ ଏକାଠି ହୋଇ ରହିଥାନ୍ତି, ନିଜର ସବୁକିଛିକୁ share କରି ପାରୁଥାନ୍ତି, ଲୁଚାଇବାର ଆଦୌ କିଛି ନଥାନ୍ତା ବା କେବଳ ନିଜର ବୋଲି କହିବାକୁ ମଧ୍ୟ କିଛି ନଥାନ୍ତା । ଦେବାରେହିଁ ଆନନ୍ଦ ରହିଥାନ୍ତା, ଅଲଗା ସଂଗ୍ରହ କରି ରଖିବାର କୌଣସି ଅବସର ନଥାନ୍ତା । ସେହିପରି ଏକ ସାନ ପୃଥିବୀରେ ସତକୁସତ ରହିବାଲାଗି ମନ ହେଉଛି । ଏକ ଅନ୍ୟ ସନ୍ତୋଷ ଲାଗି ଅସହ୍ୟ ବ୍ୟାକୁଳତା, ସମ୍ଭବତଃ ତାହାରି ନାମ ଅସନ୍ତୋଷ; ଏକ ଅନ୍ୟ ପରିପୂର୍ଣ୍ଣତା ଲାଗି ବ୍ୟାକୁଳତା, ତାହାରି ନାମ ଅପୂର୍ଣ୍ଣତା । ଏହିସବୁ ଅସନ୍ତୋଷମୟ ଓ ଅପୂର୍ଣ୍ଣତାଯୁକ୍ତ ଜୀବନ ଭିତରେ ବହୁବିଧ ଲୋଭ ମଧ୍ୟରେ ବାନ୍ଧିହୋଇ ରହିଥିବା ପର୍ଯ୍ୟନ୍ତ ଭଗବାନ୍‍ ମଧ୍ୟ କୁଆଡ଼ୁ ମିଳିବେ ? ଆଗେ କେତେ ମଣିଷ ଅସନ୍ତୋଷଦ୍ଵାରା ତାଡ଼ିତ ହୋଇ ଜଙ୍ଗଲକୁ ପଳାଉଥିଲେ, ମୁନିର ଜୀବନଯାପନ କରୁଥିଲେ । ତଥାକଥିତ ବ୍ୟକ୍ତିଗତ ଜୀବନଟିଏ ଯାପନ କରିବା, ଆପଣାର ପ୍ରେୟ ତଥା ଶ୍ରେୟଃଗୁଡ଼ିକୁ ଯଥାସମ୍ଭବ କେବଳ ଆପଣାଲାଗି ବିଶେଷ ଭାବରେ ବିଶେଷ ସୁରକ୍ଷା ଦେଇ ସାଇତି ରଖିବା,–ଏବେ ମୋତେ ଏଇଟାହିଁ ଅରଣ୍ୟବାସ ଓ ଅସଭ୍ୟତା ବୋଲି ମନେ ହେଉଛି । ଏ ଜ୍ଞାନ, ଏ ଶ୍ରଦ୍ଧା, ଏହି ନିବେଦନବୋଧ,–ଏହି ସବୁକିଛିକୁ ମୁଁ ଅତ୍ୟନ୍ତ ମୂର୍ତ୍ତ share କରିବାକୁ ଚାହୁଁଛି । ମୋ’ ଆଠପହରୀ ସାଧାରଣ ଜୀବନରେ ମୁଁ ସେଗୁଡ଼ିକୁ share କରିବାକୁ ଚାହୁଁଛି । ଆକାଶଟାକୁ ମନ କରିବା ପରେ ଭିତରେ ନାନା ମଧୁର ନାମ ଦେଇ ଏହି କିଳିହୋଇ ରହିବା ମୋତେ ଆଦୌ ଭଲ ଲାଗୁନାହିଁ ।

 

୧୬ । ୩ । ୯୨

 

ନିଜ ବିଷୟରେ କୌଣସି ନା କୌଣସି ପ୍ରକାରର ଅପବିତ୍ରତାବୋଧ ଘ୍ରାଣ କରିବାକୁ ଆରମ୍ଭ କରିବା ସଙ୍ଗେ ସଙ୍ଗେ ମଣିଷ କେବଳ ତଥାକଥିତ ମନ୍ଦିର ଭିତରେ ଭଗବାନ୍‍ ରହିଛନ୍ତି ଓ ତେଣୁ କେବଳ ମନ୍ଦିରଗୁଡ଼ିକହିଁ ପବିତ୍ର ବୋଲି ପ୍ରାୟ ଏକ ଜିଦ୍ ସହିତ ବିଶ୍ଵାସ କରିବାକୁ ଆରମ୍ଭ କରେ କି ?

 

ମାତ୍ର, ଅପବିତ୍ରତାବୋଧ ମୂଳତଃ ଏକ ସାମାଜିକ ଭାବନା । କେଉଁ ସମାଜରେ କେଉଁସବୁ କଥାକୁ ପବିତ୍ର ବା ଅପବିତ୍ର ବୋଲି ଗଣାଯାଏ, ତାହା ଅନେକ ପରିମାଣରେ ସେହି ସମାଜର ସାମଗ୍ରିକ situations ଉପରେ ନିର୍ଭର କରିଥାଏ । ଏବଂ ସମ୍ଭବତଃ ସେହି କାରଣରୁହିଁ ପୃଥିବୀର ଧର୍ମମାନେ ଓ ଧର୍ମଗତ ଆଚାରମାନେ ଧର୍ମସ୍ଥତା କିମ୍ବା ଆଧ୍ୟାତ୍ମିକତା ଅପେକ୍ଷା ସମାଜସ୍ଥତା ବିଷୟରେ ଚିରଦିନ ଅଧିକ ବୟାନ କରି ଆସିଛନ୍ତି ଏବଂ ସେହି ବୟାନଗୁଡ଼ିକୁ ବ୍ୟବହାର କରି ସେମାନେ ଏକ ଧାର୍ମିକ ପରିଚ୍ଛଦ ତିଆରି କରି ରଖିଛନ୍ତି । ଆପଣା ଭିତରେ କୌଣସି ବା କେତେକ କାରଣରୁ ନିଜକୁ ନିଜପାଖରୁ ଲୁଚାଇ ଅଥବା ଉଢ଼ୁଆଳ କରି ରଖିବାର ଚେଷ୍ଟା ଆରମ୍ଭ କରିବାକୁ ମନ କଲେ ମଣିଷ ଭିତରେ ଏକ ଅପବିତ୍ରତାବୋଧ ଜନ୍ମିବାର ଅବକାଶ ସୃଷ୍ଟି ହୋଇଥାଏ । ଅନେକ ସମୟରେ ଏହି କାରଣଗୁଡ଼ିକ ସମାଜର inhibition–ବିଷୟକ ଖାତାମାନଙ୍କରୁ ନିରୂପିତ ହୋଇ ଆସିଥାନ୍ତି ଏବଂ, ସେହି ସମାଜହିଁ ଏକ ଆପାତ ଉଦ୍ଧାରପଥ ଦେଖାଇ ଦେବାର ଭାଗ କରି ମନ୍ଦିରଗୁଡ଼ିକର ଭିଆଣ କରିଥାଏ । ତୁମ ଭିତରେ ଯାହା ଅପବିତ୍ରତା ଥାଉ ପଛକେ, ମନ୍ଦିରକୁ ଗଲେ ଓ ସେଠାରେ ବସିଥିବା ଭଗବାନ୍‍ଙ୍କର କୃପାକର୍ଷଣ କରିପାରିଲେ ତୁମ ଅପବିତ୍ରତାଗୁଡ଼ିକର ମୋଚନ ହୋଇଯାଇ ପାରିବ ବୋଲି ଏକ ମାର୍ଗ ବତାଇ ଦିଆଯାଏ । ଆପଣା ଭିତରର ଅସମାହିତ ଅନେକ ଦ୍ଵନ୍ଦ୍ଵ ଓ ଅନେକ ଚ୍ୟୁତିବିଚ୍ୟୁତିକୁ ସହି ପାରିବାକୁ ସେଥିରୁ ଅନେକ ସାନ୍ତ୍ଵନା ମିଳିଯାଏ । ମଣିଷ ଭିତରେ ରହିଥିବା ସିଂହାସନଟିକୁ ଦେଖାଇଦେଇ ପାରୁଥିଲେ ମଣିଷ ହୁଏତ ନିଜ ଭିତରେ ରହିଥିବା ଦ୍ଵନ୍ଦ୍ଵଗୁଡ଼ିକର ସମ୍ମୁଖୀନ ହୋଇ ପାରୁଥାନ୍ତା । ଏବଂ କେଡ଼େ ସ୍ଵାଭାବିକ ଭାବରେ ଚେତନାରେ, ଶ୍ରଦ୍ଧାରେ ତଥା ସଂସାରବୋଧରେ ପାହାଚକୁ ପାହାଚ, ଉଠିଯାଇ ପାରୁଥାନ୍ତା । ମାତ୍ର, ସେପରି ହେଉଥିଲେ ବିଚରା ବର୍ତ୍ତମାନର ଏହି ବାହାରି ରାଜାମାନଙ୍କର କୌଣସି ପ୍ରୟୋଜନ ଅଛି ବୋଲି ସିଏ ଅନୁଭବ କରି ପାରୁନଥାନ୍ତା ।

 

୧୭ । ୩ । ୯୨

 

ଭଲ ପାଇବାର ଧାରାଟି ଭିତରେ ଆସି ପହଞ୍ଚିଗଲାମାତ୍ରକେ ଭିତରେ ଓ ବାହାରେ ଯେପରି ସବୁକିଛି ସିଧା ହୋଇ ଦିଶି ଦିଶି ଯିବାକୁ ଆରମ୍ଭ କରେ, ଆଉ ବଙ୍କା ହୋଇ କିଛି ରହେନାହିଁ । ବଙ୍କା ହୋଇ ବାଟ ଚାଲୁଥିବା ସଂସାରଟା ସେତିକିବେଳେ ବିରୋଧ କରିବାକୁ ଆସେ-। ଯେଉଁ ସଂସାରରେ ଘୃଣା କରିବାଟା ପ୍ରାୟ ଏକ Establishmentରେ ପରିଣତ ହୋଇ ରହିଛି, ଯେଉଁଠାରେ ସେହି Establishmentଟାହିଁ ଧର୍ମ, ନୀତି, ସଂସାରବେଭାର ଏବଂ ବାସ୍ତବ ଜୀବନ ପ୍ରାୟ ସବୁକିଛିକୁ ଗିଳି କରି ରହିଛି, ସେଠାରେ ଭଲ ପାଉଥିବା ମଣିଷଟିଏ ଯେ ଅନେକ ଅଧିକ କଷ୍ଟ ଭୋଗ କରିବ, ସେଥିରେ ସନ୍ଦେହ କରିବାର କିମ୍ବା ବିସ୍ମିତ ହେବାର ଆଉ କ’ଣ ଅଛି ? ତଥାପି, ଭଗବାନ୍‍ଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିବାକୁ ହେବ ଯେ, ଏହି ପୃଥିବୀରେ ମଣିଷମାନେ ତଥାପି ଭଲ ପାଇବାକୁ ସାହସ କରୁଛନ୍ତି; ଭଲ ପାଇ ଦ୍ଵିଜ ହେଉଛନ୍ତି ଏବଂ ଦୁଃଖ ପାଉଛନ୍ତି ।

 

ଭଲ ପାଇବା ଭିତରେ ଦୁଃଖ ସହିବାର ଶକ୍ତି ସତେଅବା ତାହାର ଏକ ସ୍ଵାଭାବିକ ଅଂଶ ଭାବରେ ଅନ୍ତର୍ଗତ ହୋଇ ରହିଛି । ଭଲ ପାଇବାର ଅର୍ଥ ହେଉଛି ନିଜକୁ ଦେବା, ଗୋଟାସୁଦ୍ଧା କାହାର ହୋଇଯିବା, କୌଣସି କିଛି ଅଥବା ତାହାପାଇଁ ଜୀବନ ବଞ୍ଚିବା । ଆପଣାଠାରୁ ବୃହତ୍ତର, ତାତ୍‍କାଳିକ ସବୁକିଛି ଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କୌଣସିକିଛି ପାଖରେ ଆପଣାର ସର୍ବୋତ୍ତମ ସବୁ କିଛିକୁ ଆଣି ଅଜାଡ଼ିଦେବା, ଅଯାଚିତ ଭାବରେ ଅଜାଡ଼ି ଦେବା ଆପଣାକୁ ଗୋଟାସୁଦ୍ଧା ଶୂନ୍ୟ କରିଦେଇ ପୂର୍ଣ୍ଣ ହେବା, କେହି ଦାବି କରୁ ନଥିଲେ ମଧ୍ୟ ସିଧା ହୋଇଯିବା, ସ୍ଵଚ୍ଛ ହୋଇଯିବା ଓ ତେଣୁ ଆପଣାର ସର୍ବୋତ୍ତମ ସୌନ୍ଦର୍ଯ୍ୟ ଓ ସର୍ବୋତ୍ତମ ଔଜଲ୍ୟରେ ଝଳଝଳ ହୋଇ ଦିଶିବା, ଭଲ ପାଉଥିବା ମଣିଷଟିକୁ କେବଳ ସମ୍ମାନହିଁ ଦେଖାଇ ପାରିବା ଉଚିତ । ନିଜେ ଅନେକ ପ୍ରକାରେ ବକ୍ର ହୋଇ ରହିଥିଲେ ମଧ୍ୟ ସିଧା ମଣିଷଟିକୁ ତଥାପି ସ୍ଵୀକୃତି ଦେଇପାରିବା ଉଚିତ । କିନ୍ତୁ ଏହି ପୃଥିବୀରେ ଏତିକିବି କ’ଣ ସମ୍ଭବ ହୋଇ ପାରୁଛି ? ଆପଣାର ଆନୁଗତ୍ୟ ଏବଂ ଲୋଭଗୁଡ଼ିକର କ୍ଷେତ୍ରରେ ବହୁଧା ବିଭକ୍ତ ହୋଇ ରହିଥିବା ପର୍ଯ୍ୟନ୍ତ ମଣିଷମାନେ ସେ କଥା କିପରି କରିପାରିବେ-? ଅନେକ ମଣିଷଙ୍କର ନିଜ ଭିତରେବି ଭଲ ପାଇବା ଏବଂ ଘୃଣା କରିବା ମଧ୍ୟରେ ଟଣାଓଟରା ଲାଗିଛି । ପୃଥିବୀ ଆହୁରି ଅଧିକ ଅନ୍ତରଙ୍ଗ ନୈକଟ୍ୟକୁ ଆସି କ’ଣ ହୋଇପାରନ୍ତା, ଭଲ ପାଉଥିବା ମଣିଷମାନେ ତାହାରି ସଙ୍କେତ ହୋଇ ରହିଛନ୍ତି ।

 

୧୮ । ୩ । ୯୨

 

ବେଳେବେଳେ ଏପରି ବାନ୍ଧିହୋଇ ପଡ଼ିଥିବା ପରି ଲାଗେ ଯେ, ନିଜ ଭିତରେ ଓ ସଂସାରପଟୁ ମଧ୍ୟ ତାହାର ଉଚ୍ଚ, ପ୍ରତିବାଦମାନ ଆସି ଖାଲି କାନରେ ନୁହେଁ, ଏପରିକି ଦେହରେ ମଧ୍ୟ ବାଜୁଥିବା ପରି ମନେ ହେଉଥାଏ । ମୋ’ ଘର ମୋ’ ଆତ୍ମୀୟ, ମୋ’ ଜ୍ଞାନ ଓ ମୋ’ର ଖୁସି–ଏ ସବୁଯାକ ଯେ ମୋ’ର, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର, ଏଗୁଡ଼ିକର ପରିପୂରକରୂପେ ଯେଉଁ ବୃହତ୍ତରଟି ମୋ’ ନିଜ ଭିତରେ ଏବଂ ଏହି ବିରାଟ୍‍ ପୃଥିବୀ ଭିତରେ ରହିଛି, ସେଗୁଡ଼ିକୁ ଅସ୍ଵୀକାର କରି ମୁଁ କିପରି ଶାନ୍ତ ଓ ନିର୍ମଳ ହୋଇ ରହିପାରିବି ?

 

ଯେତେବେଳେ ପୃଥିବୀ ଆଉ ମୋ’ ଭିତରେ ଆଦୌ କୌଣସି ବିରୋଧ ନଥାଏ, ସେତେବେଳେ ମୋ’ର ବୋଲି କୁହାଯାଉଥିବା ଯାବତୀୟ ସବୁକିଛି ସତେଅବା ଏକ ବିଶେଷ ଭାବରେ ଐଶ୍ଵର୍ଯ୍ୟୋଜ୍ଜ୍ୱଳ ହୋଇ ରହିଥାଆନ୍ତି । ଆପଣାର ଘର ବୋଲି ଗୋଟାଏ ଗାତ ଭିତରେ ସବୁକିଛିକୁ ଆଣି ଲୁଚାଇ ରଖିବାପାଇଁ ସେତେବେଳେ ଆଦୌ କୌଣସି ପ୍ରୟୋଜନ ନଥାଏ । ଘରପ୍ରତି ରହିଥିବା ମୋ’ର ଅନୁରାଗକୁ ମୁଁ ସେତିକିବେଳେହିଁ ସତେଅବା ସମ୍ପୂର୍ଣ୍ଣତମ ଭାବରେ ଅନୁଭବ କରିପାରେ । ମୋ’ ଚାରିପାଖରେ ଥିବା ମଣିଷମାନେ ମୋ’ର ହେଉଥାଆନ୍ତି, ନିଜର ସମ୍ପଦଗୁଡ଼ିକ ଅପେକ୍ଷା ନିଜର କାନ୍ଥଗୁଡ଼ିକ ବିଷୟରେ ଅଧିକ ପରିମାଣରେ ସଚେତନ ହୋଇ ରହିଥା’ନ୍ତି । ସେତିକିବେଳେ ଭିତରଟା ଅତ୍ୟନ୍ତ ବ୍ୟଥିତ ହୋଇପଡ଼େ । ସେମାନଙ୍କର କାନ୍ଥଗୁଡ଼ିକ ସେମାନଙ୍କୁ ଯେ କେତେପ୍ରକାରେ ବଞ୍ଚିତ କରି ରଖିଛନ୍ତି, ସେମାନେ କାମ କରି ରଖିଥିବା ସକଳ ସାମଗ୍ରୀ ସତ୍ତ୍ୱେ ସେମାନେ ଯେ ପ୍ରକୃତରେ କେଡ଼େ ଅକିଞ୍ଚନ ହୋଇ ରହିଛନ୍ତି, ତାହାରି ଆଘାତକୁ ନିଜ ଭିତରେ ଅନୁଭବ କରି ମୁଁ ଅତ୍ୟନ୍ତ ବ୍ୟଥିତ ହୋଇପଡ଼େ । ସେତିକିବେଳେ ଭିତରର ବନ୍ଧୁ ଭିତରେ ଥାଇ ଓ ଭିତରୁ ସ୍ପର୍ଶ ଦେଇ ମୋତେ ଥିର କରିଦିଏ । ବିରକ୍ତି ଯେ ଭଲ ପାଇବାର ବାଟ ନୁହେଁ, ସେହି ବିଷୟରେ ମୋତେ ଚେତାଇ ଦେଉଥାଏ । ଭିତରର ସେହି ବନ୍ଧୁ ପୃଥିବୀରେ ତା’ର କେଉଁଠି କେହି ଶତ୍ରୁ ନାହାନ୍ତି । ତେଣୁ, ତା’ ବିଶ୍ଵାସର ମଧ୍ୟ କୌଣସି ସୀମା ନାହିଁ । ମଣିଷମାତ୍ରକେ ସମସ୍ତଙ୍କ ଭିତରେ ଏହିପରି ବନ୍ଧୁଟିଏ ବସିଛି ବୋଲି ସେତେବେଳେ ସିଏ ମୋତେ ପୁନର୍ବାର ବିଶ୍ଵାସ ଦେଇଯାଏ ଓ ମୁଁ ପୁନର୍ବାର ନିଜ ଘରକୁ ଫେରିଆସେ । ନିଜ ଘରକୁ ଫେରି ଆସିଲେ ମୁଁ ଅନ୍ୟମାନଙ୍କ ଭିତରେ ସତେଅବା କୌଣସି ସଜାତୀୟକୁ ପ୍ରତ୍ୟକ୍ଷ କରିବାକୁ ଲାଗେ । ବିଶ୍ଵାସର ପୁନଃସ୍ଥାପନା ହୁଏ, ସୂତ୍ର ଲାଗିଯାଏ । ମୁଁ ପୁଣି ବାଟ ଚାଲିବାକୁ ଆରମ୍ଭ କରେ ।

 

୧୯ । ୩ । ୯୨

 

ହୋଲି ମିଳନ, ନବବର୍ଷର ମିଳନ, ୰ ବିଜୟାପର୍ବର କୋଳାକୋଳି ବା ଇଦ୍‍ର ମୁବାରକବାଦ,–ଏସବୁ ଏକ ସାମାଜିକ ଏବଂ ହୃଦୟସ୍ତରୀୟ ଅସମର୍ଥତାର କ୍ଷତିପୂରଣ ପରି ବୋଧ ହୋଇଥାଏ । ମଣିଷ ନିଜ ସମାଜ ଭିତରେ ଏକ ସ୍ଵାଭାବିକ ନିତ୍ୟ-ଆତ୍ମୀୟତା ସହିତ ପରସ୍ପରକୁ ସାଙ୍ଗରେ ନେଇ ବାସ କରି ପାରୁଥାନ୍ତା । ନିଜ ହୃଦୟର ଡୋରଟିରେ ପ୍ରତ୍ୟେକ ମଣିଷ ଅନ୍ୟମାନଙ୍କୁ ନିଜ ସହିତ ଏକତ୍ର ବାନ୍ଧି ରଖି ପାରିଥାନ୍ତା । ତାହା ହୋଇ ପାରେନାହିଁ । ଯାହା ନିତ୍ୟନୈମିତ୍ତିକ ଭାବରେ ହୋଇ ପାରେନାହିଁ,–ତାହାକୁ ପର୍ବଦିନର ଗୋଟିଏ ଗୋଟିଏ ବିଶେଷ କୃତ୍ୟ ବୋଲି ଛାଡ଼ି ଦିଆଯାଇଥାଏ । ଏବଂ, ଭାଷା ଦେଇ ବୁଦ୍ଧିମାନ୍ ଅଥଚ ବହୁବଞ୍ଚିତ ମଣିଷ ତାହାକୁହିଁ ସଂସ୍କୃତି ବୋଲି କହିଥାଏ । ତା’ ବାସ୍ତବଜୀବନର ସତ୍ୟସମ୍ବନ୍ଧଗୁଡ଼ିକରେ ଯାହା ସିଏ ସମ୍ଭବ କରି ନପାରିଲା, ମଣିଷମାନେ ତାହାକୁ ପ୍ରତୀକାତ୍ମକ ଓ ସାଙ୍କେତିକ ଭାବରେ କେଡ଼େ ଜାଣିସିଆଣା ହେଲାପରି ସଂସ୍କୃତି ବୋଲି କହିଥାନ୍ତି ଏବଂ ସେପରି କହି ଆତ୍ମପ୍ରସାଦ ଅନୁଭବ କରିଥାନ୍ତି । ଏହି ପ୍ରତୀକାତ୍ମକତାଗୁଡ଼ିକୁ Jung କେଡ଼େ ବାଗରେ Collective Unconscious ବୋଲି କହିଛନ୍ତି । ଅସଲ Unconscious ଅର୍ଥାତ୍ ଗଭୀରସ୍ଥ ନିତ୍ୟଚେତନ ପାଖକୁ ବାଟ ନପାଇଲେ ମଣିଷମାନେ ସେହି Collective Unconscious ସାଙ୍କେତିକତାଗୁଡ଼ିକରୁ ପ୍ରକୃତରେ କେତେ ଶାନ୍ତି ଲାଭ କରିଥାନ୍ତି ।

 

ସମ୍ଭବତଃ ସେହିପରି ଧର୍ମ ମଧ୍ୟ ଆଧ୍ୟାତ୍ମିକତାର ‘କ୍ଷତିପୂରଣ କରିବାକୁ ଚେଷ୍ଟା କରୁଥାଏ-। ଆମେ ଯାହାକୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଆମର ନିକଟତମ ଉପସ୍ଥିତରୂପେ ଅନୁଭବ କରି ପାରୁଥାନ୍ତୁ, ଶରୀର ଭିତରେ ମଧ୍ୟ ଯାହାର ସ୍ପର୍ଶ ଓ ଉନ୍ମୋଚନକାରୀ ଅନ୍ତରଙ୍ଗତାକୁ ଲାଭ କରି ପାରୁଥାନ୍ତୁ, ବିଚରା ମଣିଷର ଅସମର୍ଥତାକୁ ସତେଅବା ଏକ ଜନ୍ମଜାତ ଅଭାବ ବୋଲି ଧରିନେଇ ସାନ୍ନିଧ୍ୟଲାଭର ଏକ Surrogat ବା ବିକଳ୍ପରୂପେ ଧର୍ମଧୂରୀମାନେ ପ୍ରତୀକଗୁଡ଼ିକର କଳ୍ପନା କଲେ, ଉପାସନାର ଭିଆଣ କଲେ, ମନଟାକୁ ଉଲ୍ଲସି ରଖିବାକୁ ନାନା ମନୋରମ ବୁଦ୍ଧିସଙ୍ଗତ theologyର ଉଦ୍ଭାବନ ମଧ୍ୟ କଲେ । ପ୍ରତିମାତୃଷ୍ଣା ବଢ଼ାଇ ଅସଲ ତୃଷ୍ଣାକୁ ଶାନ୍ତ ଏବଂ ଶୀତଳ କରି ରଖିବାକୁ ଚେଷ୍ଟା କଲେ । ଲାଭ ହେଲା କି କ୍ଷତି ହେଲା, ସେ କଥା କିଏ କହିବ ? କିଏ ଅଧ୍ୟାତ୍ମକୁ ଖୋଜୁଥିବ ଏବଂ ଆଉକିଏ ଧର୍ମରେହିଁ ସବୁ ପାଇ ଯାଉଥିବ, ଏବଂ ସେହି ଅନୁସାରେହିଁ ସେମାନଙ୍କର ଜୀବନର ଲାଭକ୍ଷତିର ହିସାବ ମଧ୍ୟ ହୋଇ ପାରୁଥିବ ।

 

୨୦ । ୩ । ୯୨

 

ମଣିଷମାନଙ୍କ ଭିତରେ ଭଗବାନ୍‍ଙ୍କ ସହିତ ମିଳିତ ହୋଇ ବଞ୍ଚି ରହିବାର ଅନୁରାଗଟି ଜନ୍ମଗ୍ରହଣ କରିବାର ପରେହିଁ ସେମାନେ ଏକ ଅନୁରୂପ ଅନୁରାଗରେ ପରସ୍ପରକୁ ମଧ୍ୟ ଲୋଡ଼ିଲେ-। ଅଥବା, ସମାନ ଔଚିତ୍ୟର ସହିତ ଆର କଥାଟି କୁହାଯାଇପାରିବ ଯେ, ପରସ୍ପର ସହିତ ମିଳିତ ହେବାର ଅନୁରାଗଟି ଜନ୍ମ ଲାଭ କରିବାର ପରବର୍ତ୍ତୀ ସୋପାନରୂପେହିଁ ମନୁଷ୍ୟମାନେ ଭଗବାନ୍‍ଙ୍କୁ ଲୋଡ଼ିଲେ; ତାଙ୍କୁ ପରସ୍ପରର ହୃଦୟରେ ଠାବ କଲେ ଏବଂ ସେହି ହୃଦୟରହିଁ ଏକ ଅନନ୍ତ ସଂପ୍ରସାରଣ ସଦୃଶ ଦିଶୁଥିବା ଏହି ପୃଥିବୀରେ ମଧ୍ୟ ଠାବ କଲେ । ଏହି ପୃଥିବୀର ଅଧିକାଂଶ ଧର୍ମଗୁରୁ ପ୍ରଧାନତଃ ସେଇ ଅନୁରାଗଟିକୁ ଦର୍ଶାଇ ଦେଇଛନ୍ତି–ଯଥାର୍ଥ ଭାବରେ ପରସ୍ପରକୁ ଠାବ କରିବାର ଅନୁରାଗ, ପରସ୍ପର ସହିତ ସମ୍ମିଳିତ ହୋଇ ରହିବାର ଅନୁରାଗ । ପରସ୍ପରକୁ ଛାଡ଼ି ଯିଏ କେବଳ ଭଗବାନ୍‍ଙ୍କୁ ଠାବ କରୁଛି, ବିଚରା ସେଇ ସମ୍ପ୍ରଦାୟର ସୂତା ଭିତରେ ଗୁରାଇତୁରାଇ ହୋଇ ରହିଯାଉଛି ।

 

ଜୀବନଟିକୁ ଏକ ଭାଗବତ ନିତ୍ୟପ୍ରେରଣାର ସୂତ୍ରରେ ବଞ୍ଚିବାର ଯାବତୀୟ ଦୃଶ୍ୟ ଏବଂ ଅଦୃଶ୍ୟ ସରଞ୍ଜାମ ମଣିଷ ସମ୍ମୁଖରେ ବିସ୍ତୃତ ହୋଇ ରହିଥିଲେ ମଧ୍ୟ ବିଚରା ମଣିଷ ଏକ ଆପେ ଭିଆଉଥିବା ପ୍ରତୀକାତ୍ମକତା ଭିତରେ ଛନ୍ଦିହୋଇ ରହିଯାଉଛି । ମାତ୍ର, ତା’ ଭିତରେ ଯେଉଁ ଅନ୍ତରାତ୍ମା ତା’ର ପରମ ମମ୍ପତ୍‍ରୂପେ ଅବସ୍ଥାନ କରୁଛି, ସିଏ କ’ଣ ପ୍ରକୃତରେ ଖାଲି ପ୍ରତୀକଗୁଡ଼ାକରେ ସନ୍ତୁଷ୍ଟ ହୋଇ ପାରୁଥିବ ? କଣ୍ଢେଇଗୁଡ଼ାକୁ, ସଙ୍କେତଗୁଡ଼ାକୁ ଆପେ ଭିଆଇଥିବା ବିଶେଷ ବିଶେଷ ଦିନର ମୁହୂର୍ତ୍ତସୀମିତ ମିଳନଗୁଡ଼ାକୁ ସମ୍ଭାରି ଧରି ମଣିଷର ମନ ସାନ୍ତ୍ଵନାର ଯେତେ ଜାଲ ବୁଣି ତାହାରି ଭିତରେ ଛନ୍ଦି ହୋଇ ରହିବାର ଚକ୍ରାନ୍ତ କରିବାରେ ଲାଗିଥିଲେ ମଧ୍ୟ ମଣିଷର ଭିତରଟା ଭାରି ଉପବାସୀ ହୋଇ ରହିଥିବ । ପରସ୍ପର ଭିତରେ ଆତ୍ମୀୟତାର ଅସଲ ରଙ୍ଗଗୁଡ଼ିକୁ ପରୀକ୍ଷା କରୁଥିବା ମଣିଷ ହୋଲିନାମକ ଗୋଟାଏ ଦିନର ରଙ୍ଗମୟ ବିକୃତିରେ କିପରି ବୋଧ ହୋଇ ରହିଯିବ ? ନିକଟବର୍ତ୍ତୀ ହୋଇ ଆସିବାକୁ ମନ କରୁଥିବା ଆକୁଳ ହୃଦୟଟି ଦୂରରେ ଥାଇ ସ୍ମରଣ କରିବାକୁ ଓ ପୁଲକିତ ହେବାକୁ କିପରି ଓ କାହିଁକି ଯଥେଷ୍ଟ ବୋଲି ମାନିନେବ ?

 

୨୧ । ୩ । ୯୨

 

ଅନ୍ୟ ପ୍ରତ୍ୟେକଙ୍କ ମଧ୍ୟରେ ରହିଥିବା ତା’ର ଆତ୍ମାକୁ ସ୍ଵୀକାର କରିବାର ଅର୍ଥ ହେଉଛି ତାକୁ ସମ୍ମାନ ସହିତ ଦେଖିବା । ମଣିଷ ମଣିଷକୁ ଏହିପରି ସମକକ୍ଷ ଓ ସମ୍ମାନିତ ଭାବରେ ଦେଖି ପାରୁଥିଲେ ଏହି ସାଂସାରିକ ସମ୍ବନ୍ଧଗୁଡ଼ିକ ଦିବ୍ୟ ସମ୍ବନ୍ଧରେ ପରିଣତ ହୋଇଥାନ୍ତା ।

 

ଆତ୍ମାର ଭର୍ତ୍ତି ଉପରେ ପରସ୍ପରକୁ ନଦେଖି ପାରୁଥିବା ପର୍ଯ୍ୟନ୍ତ ମଣିଷମାନେ ବଡ଼ ସାନ ଭେଦରେ ଦେଖିବାକୁ ବାଧ୍ୟ ହେଉଥିବେ । ବଡ଼ ଓ ସାନ କରି ଦେଖିବାର ସାଧାରଣ ଅର୍ଥ ହେଉଛି ଅନ୍ୟ ସମସ୍ତଙ୍କୁ ସତେଅବା ଗୋଡ଼ିମାଟି ପରି ଦେଖିବା ଓ ତାହାରି ବଳରେ ଆପଣାକୁ ଗୋଟାସୁଦ୍ଧା ସୁନା ପରି ଦେଖିବା । ଏହି ପୃଥିବୀର ଧର୍ମମାନଙ୍କରେ ଓ ଧର୍ମଶାସ୍ତ୍ରମାନଙ୍କରେ ଭୂରି ଭୂରି ପରିମାଣରେ ଆତ୍ମାର କଥା କୁହାଯାଇଛି । ତଥାପି ଆମ ପାରସ୍ପରିକ ଜୀବନରେ ମଣିଷ ମଣିଷ ଭିତରେ ଏହି ବଡ଼ସାନ ଭେଦ ଏପରି ନୃଶଂସ ଭାବରେ ଆସି ପଶିଯାଇଛି କିପରି ? ଅର୍ଥାତ୍, ଧର୍ମଟା ପ୍ରଧାନତଃ ମଣିଷମାନଙ୍କ ଲାଗି ଏକ ସାମୟିକ ବିହ୍ଵଳତାର ବସ୍ତୁ ହୋଇ ରହିଛି, ସତେଅବା ଏକ ବିଶେଷ କ୍ଷେତ୍ର ଏବଂ ବିଶେଷ ଅବସରର ବିନୋଦନ ଏବଂ ଭାବପ୍ରବଣତା ହୋଇ ରହିଛି । ସେହି ବିହ୍ଵଳତାରୁ ଆପଣାକୁ ବଞ୍ଚାଇ ରଖିବାକୁ ପଡ଼ିବ ଏବଂ ସେହି ଭାବପ୍ରବଣତାକୁ ଡେଇଁ ପାରିଲେ ଯାଇ ଆସଲ ଭାବର ପୃଥିବୀ ମଧ୍ୟରେ ଜୀବନଟିଏ ବଞ୍ଚିବା ସମ୍ଭବ ହେବ । ଜୀବନରେ ସେହି ଭାବରେ ଉନ୍ମେଷଣା ଘଟିଲେ ମଣିଷ ଆଗକୁ ବାହାରିଯାଇ ପାରିବ, ଶାସ୍ତ୍ରମାନେ ଚକ୍ଷୁ ପରି ରହିଥିବେ । ବର୍ତ୍ତମାନ ତ ଚକ୍ଷୁଗୁଡ଼ାକହିଁ ମଣିଷକୁ ଚରୁ ପରି ବୋଧ ହେଉଛନ୍ତି । ମନ୍ଦିରମାନେ ଅମାର ପରି ସେହି ଚକ୍ଷୁରୁ ପେଟେ ପେଟେ ସାଇତି କରି ରଖିଛନ୍ତି । ମନ୍ଦିରର ଘଣ୍ଟଗୁଡ଼ାକ ମଣିଷର ପାରସ୍ପରିକ ଜୀବନରେ ହେଉଥିବା ଅମାନୁଷିକତାଗୁଡ଼ିକୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି । ଏପରି ଏକ ବିକଳ୍ପ ଗୋଷ୍ଠୀ ଦରକାର, ଯିଏ ଏହି କୋଳାହଳ ଭିତରୁ ବାହାରି ଆସି ପାରିଥିବ ଏବଂ ସମ୍ମାନରେ ଜୀବନ ବଞ୍ଚୁଥିବ । ତେବେ ଯାଇ ହେବ ।

 

୨୨ । ୩ । ୯୨

 

କାଲି ବକ୍ତା ଭାରତର ତୃତୀୟ ସ୍ଵାଧୀନତା ଆନ୍ଦୋଳନ ବିଷୟରେ କହୁଥିଲେ । ଏଥର କୁଆଡ଼େ ତାହାରି ଉଦ୍‌ଯୋଗ ପର୍ବ ଆରମ୍ଭ ହେବାକୁ ଯାଉଛି । ବକ୍ତାଙ୍କ କଥାରୁ ଜଣାପଡ଼ିଲା, ଏହି ତଥାକଥିତ ଆନ୍ଦୋଳନଟି ଉପରୁ ଆରମ୍ଭ ହେବ । ତଳୁ ଆନ୍ଦୋଳନଟିଏ ଆରମ୍ଭ କରିବାର ଭୂମିକା ଯିଏ ଗ୍ରହଣ କରି ପାରନ୍ତେ, ସେମାନେ ଏମାନେ ନୁହନ୍ତି । ଏମାନେ ସମସ୍ତେ ପ୍ରଥମ ସ୍ଵାଧୀନତାଟିକୁ ଭାଗ କରି ଆସିଛନ୍ତି । କେତେବେଳେ ମେଞ୍ଚାଏ ପାଇଛନ୍ତି ତ ପୁଣି କେତେବେଳେ କେଞ୍ଚାଏ ପାଇଛନ୍ତି । ମେଞ୍ଚାଏ ପାଇଥିବା ଅନ୍ୟମାନଙ୍କ ସହିତ ରାଉରାଉ ଲଗାଇବା ପାଇଁ ସେମାନେ ବିରୋଧୀଦଳ ଗଢ଼ିଛନ୍ତି । ତା’ପରେ ନିଜପାଇଁ ମେଞ୍ଚାଏ ପାଇବାର ବାଟଟିକୁ ପୁନର୍ବାର ପ୍ରଶସ୍ତ କରି ଦେଇଛନ୍ତି । ଭାରତବର୍ଷରେ ବିଗତ ଚାରି ପାଞ୍ଚ ଦଶକ ହେଲା ଏହିପରି ପଟବଦଳା ଲାଗିରହିଛି ସିନା ଅସଲ ବଦଳା ସମ୍ଭବ ହୋଇନାହିଁ ।

 

ଅସଲ ବଦଳା କିଏ ସମ୍ଭବ କରିବ ? ରାଜନୀତିକୁ ଏକ ବ୍ୟକ୍ତିଗତ ଭୋଗବାଦର ଧନ୍ଦାରେ ପରିଣତ କରିଥିବା ଏହି ବୃଦ୍ଧମାନେ ତାହା କଦାପି କରି ପାରିବେନାହିଁ । ଯେଉଁ ତଥାକଥିତ ତରୁଣମାନେ ସବାଆଗ ପାଇବାର ମତଲବ ନେଇ ବୃଦ୍ଧମାନଙ୍କ ପଛରେ ଧାଇଁଛନ୍ତି, ସେମାନେ ମଧ୍ୟ କରି ପାରିବେନାହିଁ । ସେମାନେ ଦେଶଟାକୁ ଆଉ ମୁଥେ ଠକିବେ ସିନା, ମାତ୍ର ଅସଲ ବଦଳିବାରେ ନିମିତ୍ତ ହୋଇ ପାରିବେନାହିଁ । ବୃଦ୍ଧ ବୟସ ଆସିବା ପୂର୍ବରୁ ମଧ୍ୟ ସେମାନେ ବୁଢ଼ା ହୋଇଯିବେ, ଅଭିନୟ କରିବେ, ଗୁଣ୍ଡାମି କରିବେ,–ରାଜନୀତିକୁ ଏକ ତୁଚ୍ଛ ହାସ୍ୟାସ୍ପଦ ଭେସରା ବେଉସାରେ ପରିଣତ କରିବେ ସିନା, ମୋଟେ ଅସଲ କାମକୁ ଆସିବେନାହିଁ । ବିକଳ୍ପ ଭାବରେ ନିଜକୁ ତିଆରି କରୁଥିବା ମଣିଷମାନେ ଏକାଠି ହେଲେ ଯାଇ ହୁଏତ କିଛି ବଦଳି ପାରିବ-। ଚଳନ୍ତି ସମାଜରେ, ରାଜନୀତିରେ ଓ ଚଳନ୍ତି ଶିକ୍ଷାଘରମାନଙ୍କରେ ସେମାନେ ନିଜକୁ ବିକଳ୍ପରୂପେ ଗଢ଼ିବେ ଓ ପରସ୍ପରକୁ ଖୋଜି ବାହାରିବେ । ସେମାନେ ଏକ ଅନ୍ୟ ସଂସ୍କୃତିର ବାହକ ଏବଂ ଉତ୍‌ପ୍ରେରକରୂପେ ନିଜକୁ ତିଆରି କରିବେ । ସେହି ସଂସ୍କୃତିର ଯାବତୀୟ ଭାବ ଓ କର୍ମର ଭୂମିରେ ମଣିଷ ସବାଆଗରେ ରହିଥିବ । ବଛା ବଛା କେତେଜଣ ନୁହନ୍ତି, ସବୁ ମଣିଷହିଁ ସବାଆଗରେ ରହିଥିବେ ।

 

୨୩ । ୩ । ୯୨

 

ମୁଁ ଯେଉଁ ହୁଣ୍ଡାଙ୍କ ପରି ଯାହା ଯେତେବେଳେ ଇଚ୍ଛା ତାହା କରିପାରୁଛି ଯେଉଁଠାକୁ ଯେତେବେଳେ ଇଚ୍ଛା ସେଠାକୁ ଯାଇ ପାରୁଛି, ମୋ’ର ସାଂସାରିକ ମୂଳଟି ନିରାମୟ ହୋଇ ରହିଛି ବୋଲି ମୁଁ ତାହା କରିପାରୁଛି । ସଂସାର କହିଲେ ସାଧାରଣତଃ ମୁଁ ଯେଉଁ ଦୁଇଜଣଙ୍କୁ ସବାଆଗ ବୁଝିଥାଏ, ସେମାନେ ସୁରକ୍ଷିତ ହୋଇ ରହିଛନ୍ତି ବୋଲି ମୁଁ ମନଇଚ୍ଛା ଏଣେତେଣେ ଉଡ଼ିଯାଇ ପାରୁଛି । ଆପଣାର ଆସ୍ପୃହାଗୁଡ଼ିକୁ ସାହସର ସହିତ ଶଙ୍କାହୀନ ବୃକ୍ଷଶାଖା ପରି କେତେ କୁଆଡ଼େ ବିସ୍ତାରିତ କରିଦେଇ ପାରୁଛି । ଜୀବନରେ ଯଥାର୍ଥ ଭାବରେ ସମର୍ପିତ ହୋଇ ରହିଥିବା ପର୍ଯ୍ୟନ୍ତ ମୋ’ର ସଂସାରଟାକୁ ମଧ୍ୟ ସିଏ ଅବଶ୍ୟ ମଜବୁତ୍ କରି ରଖିବେ, ସୁରକ୍ଷା ଦେଉଥିବେ, ଏହି ବିଶ୍ଵାସ ମୋ’ର ସର୍ବଦା ରହିଆସିଛି । ଅତ୍ୟନ୍ତ ସ୍ଵାଭାବିକ ଭାବରେ ହୀନ ରହିଛି । ମୁଁ ଯେ ମାଗୁଣି କରି ଏତକ ଭଗବାନ୍‍ଙ୍କ ଠାରୁ ଆଦାୟ କରି ଆଣିଛି, ମୁଁ ଏକଥା କଦାପି କହି ପାରିବିନାହିଁ । ଏଇଟି ମୋତେ ମିଳି ଯାଇଛି, ଅତ୍ୟନ୍ତ ସ୍ଵାଭାବିକ ଭାବରେ ମିଳିଯାଇଛି । ସେଥିଲାଗି, କୃତଜ୍ଞତା ବ୍ୟତୀତ ମୁଁ ଆଉ କିଛି କେବେହେଲେ ପ୍ରକାଶ କରିନାହିଁ ।

 

ମୁଁ ତାଙ୍କ କାମ କଲେ ସିଏ ମୋ’ ସଂସାରର ସୁରକ୍ଷା କରିବେ, କୌଣସି ସର୍ତ୍ତଗତ ସୂତ୍ର ହିସାବରେ ଏକଥା କଦାପି କୁହାଯାଇପାରିବ ନାହିଁ । ଜୀବନଟା ଅତ୍ୟନ୍ତ ସ୍ଵାଭାବିକ ଭାବରେ ଭିତରର କୌଣସି ବାସନା ଅର୍ଥାତ୍ ଅନୁରାଗଦ୍ଵାରା ଟାଣି ହୋଇଯାଇ ତାଙ୍କରି ଅଭିମୁଖୀ ହୋଇ ରହିଛି । ଅନୁରାଗହିଁ ତାହାର ସର୍ବପ୍ରଧାନ ସନ୍ତକ ହୋଇ ରହିଛି । ଆପଣାକୁ ସଙ୍କୋଚ ରହିତ ଭାବରେ ବିତରଣ କରିଦେବାହିଁ ମୋ’ର ସର୍ବୋଚ୍ଚ ଆନନ୍ଦ ହୋଇ ରହିଛି । ଏବଂ, ତେଣୁ ଅତ୍ୟନ୍ତ ସ୍ଵାଭାବିକ ବା ଅଯାଚିତ ଭାବରେ ମଧ୍ୟ ସର୍ବୋଚ୍ଚ ସୁରକ୍ଷାଟି ଉପଲବ୍‌ଧ ହୋଇ ରହିଛି । ସେ ବିଷୟରେ ଏତେଟିକିଏ ଅବିଶ୍ଵାସ ବା ସଂଶୟ ମୋତେ କେବେହେଲେ ଗ୍ରାସ କରିନାହିଁ । ନିଜକୁ ସବୁବେଳେ ସବୁ କ୍ଷେତ୍ରରେ ଅତ୍ୟନ୍ତ ଭାଗ୍ୟବାନ୍ ବୋଲି ମନେ ହୋଇଛି । ଏହି ଭାଗ୍ୟ କଦାପି କୌଣସି କିଛିର ବଦଳରେ ମିଳେନାହିଁ । ତେଣୁ, ଏହି କଥାଟିକୁ ନେଇ ମୁଁ କେବେହେଲେ ଗର୍ବରେ ଫୁଲିବି ଉଠିନାହିଁ । ମୁଁ ଯେ ମନେ ରହିଛି, ସେଥିଲାଗି କୃତଜ୍ଞତା ଜ୍ଞାପନ କରିଛି । ସେହି କୃତଜ୍ଞତାର ସୂତାଖିଅରେହିଁ ତାଙ୍କୁ ମୁଁ ସ୍ପର୍ଶ କରି ରହିଛି ।

 

୨୪ । ୩ । ୯୨

 

ଅଳପ କଥାରେ କାତର ଏବଂ ଭୟାଳୁ ହୋଇ ପଡ଼ୁଥିବା ମଣିଷଙ୍କୁ ମୋ’ର ପ୍ରାଣେ ଭୟ-। ସେମାନେ ମୋ’ର କୌଣସି କ୍ଷତି କରନ୍ତିନାହିଁ ଅଥବା ମୋ’ର ଅସଲ ସ୍ଥିରତାଗୁଡ଼ିକରୁ ମୋତେ ଟଳାଇ ଦେଇ ପାରନ୍ତିନାହିଁ ସତ, ତଥାପି, ସେମାନଙ୍କ ନିଜ ବିଷୟରେ ସେମାନେ ମୋ’ ଭିତରେ ଏକ କ୍ଷୋଭ ସୃଷ୍ଟି କରନ୍ତି, ଯାହାକି ମୋ’ର ମଞ୍ଚଟାକୁ ମଧ୍ୟ ଥରାଇ ଦେଉଥାଏ ।

 

ଅତିବେଶି ଆତ୍ମକେନ୍ଦ୍ରିତ ହୋଇ ନରହୁଥିଲେ ମଣିଷମାନେ କଦାପି ଭୟାଳୁ ହେଉନଥାନ୍ତେ । ପୃଥିବୀରେ ଭଲ ମଧ୍ୟ ଉଭୟ ପୃଥିବୀଯାକହିଁ ଖେଳାଇହୋଇ ରହିଛି । ତେଣୁ, ମନ୍ଦଟା ଖାଲି ମୋ’ରି ଲାଗି ଉଦ୍ଦିଷ୍ଟ ହୋଇ ରହିଛି ବୋଲି ଭୟାଳୁମାନେ ଯେ କାହିଁକି ଚିନ୍ତା କରିବାରେ ଓ ତେଣୁ ଅଥୟ ହୋଇ ପଡ଼ିବାରେ ଲାଗିଥାନ୍ତି, ମୁଁ ସେହି କଥାଟିର କୌଣସି ଅନ୍ତ ପାଏନାହିଁ । ସଂସାରର ଭଲଗୁଡ଼ାକୁ, ସୁଖକରଗୁଡ଼ାକୁ ସେମାନେ ଏକା ଭୋଗ କରିବେ ବୋଲି ସେମାନର ଅବଚେତନ ମଧ୍ୟରେ ଯେଉଁ ଅତ୍ୟାତୁରତା ଚେର ବୁଡ଼ି ରହିଥାଏ, ସମ୍ଭବତଃ ସେହି କାରଣରୁହିଁ ସେମାନେ ହିଂସ୍ର ହୁଅନ୍ତି । କେତେବେଳେ ଯେ ଗାରଗୁଡ଼ାକୁ ଡେଇଁ ମହତ୍ ହରାଇ ହିଂସ୍ର ହୋଇପଡ଼ନ୍ତି ଓ ହାସ୍ୟାସ୍ପଦ ହୁଅନ୍ତି, ସେ କଥା ନିଜେ ମଧ୍ୟ ଜାଣି ପାରନ୍ତିନାହିଁ । ଯିଏ ଏହି ସଂସାରରେ ସମସ୍ତଙ୍କ ସହିତ ଆପଣାକୁ ଭାଗୀ କରି ରଖିଥାଏ, ସୁଖରେ ଭାଗ ନିଏ, ଦୁଃଖରେ ଭାଗ ନିଏ, ଖୁସିରେ ଭାଗ ନିଏ ଏବଂ ତେଣୁ ସବୁଟି ସହିତ ଏକ ସହାନୁଭବର ନାନା ସୂତ୍ରରେ ବାନ୍ଧି ହୋଇ ରହିଥାଏ, ସିଏ କେବେହେଲେ ଭୟାଳୁ ହୁଏନାହିଁ ଭୟାଳୁ ହେବାଲାଗି ତା’ର ବସ୍ତୁତଃ କୌଣସି ପ୍ରୟୋଜନ ନଥାଏ । ଭୟାଳୁ ମଣିଷମାନେ ସଚରାଚର ଭାରି ପ୍ରଦର୍ଶନପ୍ରିୟବି ହୋଇଥାନ୍ତି । ଯେଉଁ ଭୟ ଆପଣାକୁ ପ୍ରଦର୍ଶିତ କରି ନପାରେ, ସିଏ ପୁଣି କି ଭୟ ? ଯେଉଁ କାନ୍ଦକୁ ପାଞ୍ଚଜଣ ଆଉ ମଣିଷ ଶୁଣି ନପାରିବେ, ସିଏ ପୁଣି କି କାନ୍ଦ ? ପ୍ରଦର୍ଶନପ୍ରିୟତା ପଛରେ ଏକ ଅହଂକାରିତା ମଧ୍ୟ ବେଶ୍ ପ୍ରଚ୍ଛନ୍ନ ଓ ମଞ୍ଜୁଳ ଭାବରେ ମୁଣ୍ଡ ଗୁଞ୍ଜି ରହିଥାଏ ଓ ମଉକା ପାଇ ଉଙ୍କି ମାରୁଥାଏ । ହୁଏତ ନିଜର ପ୍ରଦର୍ଶନଗୁଡ଼ିକୁ ବେଶ୍ ଉପଭୋଗ୍ୟ କରିବା ଲାଗି ଇଚ୍ଛା କରୁଥାଏ ।

 

୨୫ । ୩ । ୯୨

 

ରାତିରେ ନଖାଇବା, ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବା,–ଏସବୁକୁ ଆମେ ମହିମାଧର୍ମର ସବାଆଗ କଥା ବୋଲି କଦାପି କହି ପାରିବାନାହିଁ । ମହିମାଧର୍ମ ଯାହାଙ୍କୁ ମହିମା ବୋଲି ଘୋଷଣା କରିଛି, ତାଙ୍କରି ସହିତ ଅନୁକ୍ଷଣ ଖିଅ ଲଗାଇ ଜୀବନ ବଞ୍ଚିବା ଓ ନିର୍ଭୟ ଭାବରେ ପୃଥିବୀର ମଙ୍ଗଳ ନିମନ୍ତେ ପୃଥିବୀରେ ବିଚରଣ କରିବା ହେଉଛି ସେହି ଧର୍ମର ସବାଆଗ କଥା ।

 

ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ ମହିମାଧର୍ମକୁ ସବାଆଗ ଏକ ଧର୍ମ ବୋଲି ନକହି ଏକ ଜୀବନମୀମାଂସା ବା ମୂଳଭୂତ ନିଷ୍ପତ୍ତି ବୋଲି କୁହାଯାଇପାରିବ । ସ୍ଵେଚ୍ଛାକୃତ ଭାବରେ ନିଜର ଜୀବନରେ କୌଣସି ନିଷ୍ପତ୍ତି ଗ୍ରହଣ କରି ସେହି ଅନୁସାରେ ନିଜର ଜୀବନକୁ ଏକ ନିର୍ଦ୍ଦିଷ୍ଟ ଦିଗ ଦେଇ ପରିଚାଳିତ କରିବା ହେଉଛି ଏକ ଆଧ୍ୟାତ୍ମିକ ଘଟନା । ମାତ୍ର, ଆଧ୍ୟାତ୍ମିକତାକୁ ଧର୍ମର ସ୍ତରକୁ ଖସାଇ ଆଣି ଯେତେବେଳେ ତାହାକୁ ଏକ ସମ୍ପ୍ରଦାୟଗତ ଶାସନ ଭିତରେ ମଣ କରି ରଖିବାର ଫିକର କରାଯାଏ, ସେତେବେଳେ ଏକ ଦୁଷ୍ଟ ସାମୂହିକତା ଏବଂ ଦୁଷ୍ଟ ନୈତିକତା ସତେଅବା ରଜା ହୋଇ ବସେ ଏବଂ ମୂଳରେ ରହିଥିବା ଆଧ୍ୟାତ୍ମିକତାକୁ ଗୌଣ କରିପକାଏ । ଜୀବନର ଉନ୍ମୋଚନ ଏବଂ ଆରୋହଣ ଲାଗି, ଚେତନାର ଉନ୍ମୀଳନ ଲାଗି ଧର୍ମର ଭିଆଣ ହୋଇଥିଲା, ମାତ୍ର ପ୍ରମତ୍ତ ଧର୍ମବକ୍ତାମାନେ ତାହାକୁ ପ୍ରାୟ ଏକ ତୁଚ୍ଛା କୋଳାହଳ ଏବଂ ସନ୍ତକସର୍ବସ୍ଵତାରେ ପରିଣତ କରିବାକୁହିଁ ଲାଭଜନକ ବୋଲି ବିଚାର କରିବାକୁ ଲାଗିଲେ । ଆଧ୍ୟାତ୍ମିକତାର ଖିଅ ଛାଡ଼ିଗଲେହିଁ ଧର୍ମମାନେ ଦୁଷ୍ଟ ହୁଅନ୍ତି, ଆଧ୍ୟାତ୍ମିକତାରୁ ହୁଡ଼ିଗଲେ ଧାର୍ମିକ ମଣିଷ ଅତ୍ୟନ୍ତ ନିଷ୍ଠାପର ଅର୍ଥାତ୍ ପ୍ରମତ୍ତ ଭାବରେ ଦୁଷ୍ଟ ଓ ଅଶିଷ୍ଟ ହେବାକୁ ପ୍ରଶ୍ରୟ ପାଇଯାଏ । ସମଗ୍ର ପୃଥିବୀରେ ଧର୍ମର ଅନ୍ତଃପୁରମାନଙ୍କରେ ପ୍ରଧାନତଃ ସେହି ଅଶିଷ୍ଟତାର ଦୃଷ୍ଟାନ୍ତହିଁ ଅଧିକ ଦେଖିବାକୁ ମିଳିବ । ଭେକଗୁଡ଼ାକ ଅହଂକାରର ଶୋଭା ବର୍ଦ୍ଧନ କରୁଛନ୍ତି । ଶାସ୍ତ୍ରମାନେ ପ୍ରମତ୍ତ ପ୍ରଚାରପୁସ୍ତିକା ଭଳି କାର୍ଯ୍ୟ କରୁଛନ୍ତି ଓ ପୃଥିବୀକୁ ଅଲକ୍ଷଣା କରିବାରେ ଲାଗିଛନ୍ତି । ସାମୂହିକତାମାନେ ଅନ୍ଧ ହେବାଲାଗି ଧର୍ମକୁ ଏକ ଆଭରଣ ପରି ବ୍ୟବହାର କରୁଛନ୍ତି ।

 

୨୬ । ୩ । ୯୨

 

ଯେଉଁମାନେ ଅଳପ ଜାଣନ୍ତି, ସେମାନେ ଅଧିକ ନିଶ୍ଚିତ ଭାବରେ କଥାମାନ କହନ୍ତି । ଅଳପ ଜାଣିବାର ଅର୍ଥ ହେଉଛି, କେବଳ ନିଜ ଆଖିଟାରେହିଁ ଦେଖିବା, କେବଳ ଆପଣାର କେତେଟା ମୋହଦ୍ଵାରା ଜଡ଼ିତ ହୋଇ ଦେଖିବା, ଅର୍ଥାତ୍, ଅନେକ ସମୟରେ ମତାନ୍ଧ ହୋଇ ଦେଖିବା, ସବୁଟିକୁ ଦେଖିବାଲାଗି ମୋଟେ ଇଚ୍ଛା ନକରିବା । ଧର୍ମରେ ଏବଂ ରାଜନୀତିରେ ଏହି ମତାନ୍ଧତା ସର୍ବତ୍ର ଦେଖିବାକୁ ମିଳିଥାଏ । ସେଥିଲାଗି ଧର୍ମର ଓ ରାଜନୀତିର ଦ୍ଵାହି ଦେଇ କହୁଥିବା ମଣିଷମାନେ ସବୁବିଷୟରେ ସତେଅବା ପୂରା ନିଶ୍ଚିତ ହୋଇ ରହିଥିବା ପରି କଥା କହୁଥାନ୍ତି ତଥା ଆଚରଣ ମଧ୍ୟ କରୁଥାନ୍ତି ।

 

ମୁଁ ମୋ’ ନିଜର ବାଟ ବିଷୟରେ ଆଦୌ କମ୍ ନିଶ୍ଚିତ ନୁହେଁ; ମାତ୍ର ମୁଁ ମତାନ୍ଧ ନୁହେଁ । ମୋ’ ବାଟରେ, ଅର୍ଥାତ୍ ମୋ’ର ଉପସ୍ଥିତ ବୁଦ୍ଧି ଏବଂ ଅନୁରାଗଗୁଡ଼ିକୁ ଦେଇ ମୁଁ ଯାହାକୁ ମୋ’ ବାଟ ବୋଲି ବିଚାର କରୁଛି, ସେହି ବାଟଟି ଉପରେ ମୁଁ ସୁନିଶ୍ଚିତ ଭାବରେ ଅବଶ୍ୟ ଯାଉଛି ଏବଂ ତାହାକୁ ମୁଁ ମୋ’ ଲାଗି ଠିକ୍ ବାଟ ବୋଲି ମାନୁଛି । ମାତ୍ର, ତାହା ଅନ୍ୟ ସମସ୍ତଙ୍କର ବାଟ ଆଦୌ ନୁହେଁ । ସମସ୍ତେ ସେମିତି ଖୋଜୁଥିବେ, ଅନୁରାଗ ସହିତ ବୁଦ୍ଧିକୁ ମିଶାଇ ଖୋଜୁଥିବେ ଏବଂ ବାଟଟିଏ ସନ୍ଧାନ କରି ପାରୁଥିବେ । ମୋ’ ନିଜ ବାଟକୁ ସମସ୍ତଙ୍କୁ ଟାଣି ଆଣିବାର କୋଳାହଳବୁଦ୍ଧି ଦେଖାଇବା, ତାହାହିଁ ମତାନ୍ଧତା, ତାହା ନିର୍ବୋଧତା । ମତ ତ ସମସ୍ତଙ୍କର ଅବଶ୍ୟ ରହିବ, ମାତ୍ର ତା’ ବୋଲି ଜଣେ ମଣିଷ ମତାନ୍ଧତା ହେବାକୁ କାହିଁକି ମନ କରିବ ? ଅନେକ ସମୟରେ ନିଜର ପ୍ରକୃତରେ କୌଣସି ମତ ନଥିବା ଲୋକହିଁ ନିଜର ଏକମନ ରହିଛି ବୋଲି ପ୍ରମାଣ କରିବାର ଉତ୍ତେଜନାରେ ପଡ଼ିହିଁ ଅନ୍ଧ ଏବଂ ଉଗ୍ର ହୋଇଥାନ୍ତି । ସେମାନେ ସତକୁସତ କିଛି ଖୋଜିନଥାନ୍ତି, ଅନୁରାଗ ସହିତ କେଉଁଠିହେଲେ ଅପେକ୍ଷା କରି ଦେଖିନଥାନ୍ତି, ସେମାନେ ବହୁମତ ଅର୍ଥାତ୍ ବଜାରକୁ ଦେଖିହିଁ ସେହି ଅନୁସାରେ ନିଜପାଇଁ ଗୋଟାଏ ମତ ଗ୍ରହଣ କରି ନେଇଥାନ୍ତି । ସେହି ମତ ଲାଗି ବନ୍ଧୁକ ଓ ବୋମା ଧରି ବାହାରନ୍ତି । ବନ୍ଧୁକ ବନ୍ଧୁକ ଓ ବୋମା ବୋମା ଭିତରେ ଭାରି ଉତ୍ସାହରେ ଲଢ଼େଇ ଲାଗିଥାଏ ଏବଂ ତାହାରିଦ୍ଵାରାହିଁ ପୃଥିବୀର ଭାଗ୍ୟ ମୀମାଂସା ହେଉଥାଏ । ବୁଦ୍ଧି ଏବଂ ଅନୁରନାମାନେ ଲାଜରା ହୋଇ ରହିଥାନ୍ତି ।

 

୩୧ । ୩ । ୯୨

 

ମଣିଷ କୌଣସି କାରଣରୁ ନିଜେ ରହିଯିବାକୁ ଇଚ୍ଛା କଲେ ସିଏ କେଡ଼େ ଉତ୍ସାହରେ କରିବାକୁ ବାହାରିଥିବା ବିପ୍ଳବଟା ମଧ୍ୟ ତାହାର ପରିଣାମସ୍ୱରୂପ ଅଟକି ଯାଏଁ । ତା’ପରେ ଆଧ୍ୟାତ୍ମିକତାମାନେ ଧର୍ମବ୍ୟୂହମାନଙ୍କରେ ପରିଣତ ହୋଇଯାଆନ୍ତି । ରାଜନୀତି ଦଳଗତ ଦଳାଚକଟାରେ ପରିଣତ ହୋଇଯାଏ । ବହୁ ସମୟରେ ମୂଳତଃ କ୍ଷମତା–ରାଜନୀତିକୁହିଁ ଦଳଗତ ରାଜନୀତି ବୋଲି କୁହାଯାଏ । ଯେକୌଣସି ପ୍ରକାରେ ଦଳ ଓ ତାହାର ମାଧ୍ୟମରେ ଦଳର ନେତା ବା ନେତାମାନେ ଯେପରି କ୍ଷମତାରେ ତିଷ୍ଠି ରହିବେ, ସେହି ଅନୁସାରେ ରାଜନୀତିକୁ ବାଡ଼େଇ ପିଟି ସାଧ୍ୟ କରାଯାଏ । ତା’ପରେ ପତାକା, ଅନ୍ୟ ଯାବତୀୟ ସନ୍ତକ, ବକ୍ତୃତା ତଥା ଭାଷଣଗୁଡ଼ାକ ସମ୍ପୂର୍ଣ୍ଣ ବନ୍ଧ୍ୟା ହୋଇ ରହନ୍ତି, ବନ୍ଧ୍ୟାମାନଙ୍କ ପରି ଅତ୍ୟୁତ୍ତେଜିତ ହୋଇ ରହିଥାନ୍ତି । ଏବେ ଚାରିପାଖରେ ପ୍ରାୟ ସାଲୁବାଲୁ ହେଉଥିବା ତଥାକଥିତ ଆଗୁଆମାନଙ୍କୁ ଦେଖିଲେ, ସେମାନେ ଯେ ଖଣ୍ଡେଦୂର ଆସି ସେହିଠାରେ ଅଟକି ଯାଇଛନ୍ତି, ସେହି କଥାଟା ଅତ୍ୟନ୍ତ ସ୍ପଷ୍ଟ ଓ ଜଳଜଳ ହୋଇ ଦେଖାଯାଏ । ଏବଂ, ସେମାନଙ୍କୁ ମାଧ୍ୟମ କରି ରାଜନୀତି, ଧର୍ମସ୍ଥତା, ଶିକ୍ଷା, ସେବା ଓ ତତୁଲ୍ୟ ଯାବତୀୟ ଅନୁଧାବନ ସତେଅବା ଏକାବେଳେକେ ଅଟକି ରହିଥାଏ ।

 

ଏହାର ପ୍ରତିକାର ସେଇ ଗୋଟିଏ,–ଏହାର ପ୍ରତିକାର କ୍ଷୁଦ୍ର, ଗୋଷ୍ଠୀ, ଅନ୍ତରଙ୍ଗ ଗୋଷ୍ଠୀ-। ସତକୁସତ ଆଗକୁ ଯିବାଲାଗି ମନ କରୁଥିବା ବ୍ୟକ୍ତିମାନେ ଏକାଠି ହେବେ । ସେମାନଙ୍କୁ କେହି ଏକାଠି କରିବନାହିଁ,–ସେମାନେ ପରସ୍ପରକୁ ଆବିଷ୍କାର କରିବେ ଏବଂ ଏକାଠି ହେବେ । ବାଟ ଚାଲିବେ, କେବଳ ସମ୍ମୁଖଦିଗକୁ ନୁହେଁ, ପରସ୍ପରର ଅନ୍ତର ଭିତରକୁ ମଧ୍ୟ ବାଟ ଚାଲି ପାରୁଥିବେ, ପୂର୍ଣ୍ଣ ଅନୁରାଗ ସହିତ ବାଟ ଚାଲୁଥିବେ । ପତାକା, ପ୍ରତିମା,–ଏହିସବୁ ଯାବତୀୟ ଦୁଷ୍ଟତାର ଆଦୌ କୌଣସି ଆବଶ୍ୟକତା ନଥିବ, ଆଦୌ କୌଣସି ହସ୍ତକ୍ଷେପ ନଥିବ । କେହି କାହାରିକୁ ଗିଳି ପକାଉ ନଥିବେ, ବରଂ ଆପଣାକୁ ଯଥାସମ୍ଭବ ଅଧିକ ଉନ୍ମୋଚିତ କରିଦେଇ ପାରୁଥିବେ । ମଣିଷର ଭିତର ପାଖଗୁଡ଼ିକ ଏବଂ ବାହାରର ସମ୍ବନ୍ଧଗୁଡ଼ିକ ଅଧିକରୁ ଅଧିକ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ଆଦର୍ଶର ଉଦ୍ୟାନଟିରେ ମଧ୍ୟ ଫୁଲ ଫୁଟି ଫୁଟି ଯାଉଥିବ । ସେହି ଫୁଲ ଫୁଟିବାର ପ୍ରତ୍ୟକ୍ଷ ଅନୁଭବ ହେଉଥିବା ସଙ୍ଗେ ସଙ୍ଗେହିଁ ମନୁଷ୍ୟମାନେ ଆଗକୁ ଯାଉଥିବା ପରି ଅନୁଭବ କରୁଥିବେ । ଏହି କ୍ଷୁଦ୍ର ଗୋଷ୍ଠୀକୁ ଦିନବାର ଗଣି ଉତ୍ସବ ଓ ଢୋଲ ପିଟି ଘୋଷଣା କରିବାର କୌଣସି ପ୍ରୟୋଜନ ନାହିଁ । ତାହା ମୂଳତଃ ତୁମ ଆମ ସ୍ତରରେହିଁ ଗଢ଼ା ହେବ ।

 

୧ । ୪ । ୯୨

 

ଗୁରୁଙ୍କୁ ପରଂବ୍ରହ୍ମ ବୋଲି କହିବ, ତାଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ଥାନରେ ନେଇ ବସାଇଦେବ,–ଏହାଦ୍ଵାରା ନିଜ ଗୁରୁ ସତକୁସତ ଏତେ ବଡ଼ ବୋଲି ଏକ ପଥଭ୍ରଷ୍ଟକାରୀ ଭାଣ କରାଯାଇପାରିବ ଓ ସେଥିରୁ କିଞ୍ଚିତ୍ ଉଲ୍ଲାସ ଅନୁଭବ କରାଯାଇପାରିବ ସତ, ମାତ୍ର ତେଣେ ପରଂବ୍ରହ୍ମ ଅଲୋଡ଼ା ଏବଂ ଅଛୁଆଁ ହୋଇ ରହିଯିବେ । ଆମ ଚାରିପାଖରେ ଏଇଠି ପାଚେରି ଘୋରା ହୋଇ ରହିଯିବ ଏବଂ ସେଯାଏଁ ପଡ଼ିଥିବା ସୋପାନଗୁଡ଼ିକ ଆଦୌ ଦୃଷ୍ଟିଗୋଚର ହେବେନାହିଁ ।

 

ଯେଉଁମାନେ ଆଧ୍ୟାତ୍ମିକତାକୁ ଏହିପରି ଭାବରେ ପ୍ରାଣିକ ଭିତରେ ନେଇ ପୂରାଇ ଦେବାକୁହିଁ ଆପଣାର ରୀତି ବୋଲି ଗ୍ରହଣ କରି ନେଇଥାନ୍ତି, ଅନେକ ସମୟରେ ମୁଁ ସେହି ବିଚରାମାନଙ୍କର କଥା ଭାବିଥାଏ । ବହୁ ଅସମର୍ଥତାର କାରଣରୁ ପ୍ରାଣିକକୁ ବଳପୂର୍ବକ ଚପାଇ ଦବାଇ ରଖିଲେ ସମ୍ଭବତଃ ପ୍ରାଣିକ ମଧ୍ୟ ମଉକା ପାଇ ଆଧ୍ୟାତ୍ମିକକୁ ଏହିପରି ଭାବରେ ଅବଶ କରି ପକାଇବ ବୋଲି ଆଗଭର ହୋଇଆସେ । ମଣିଷ ସ୍ଵାଭାବିକ ଭାବରେ ଏକ ଆଧ୍ୟାତ୍ମିକ ବିସ୍ତାର ମଧ୍ୟକୁ ଉଠିଯିବା ସଙ୍ଗେ ସଙ୍ଗେହିଁ ତା’ର ଦେହ, ପ୍ରାଣ ଓ ମନ ଏକ ନୂତନ ଆନୁଗତ୍ୟର ଆହ୍ଵାନ ପାଇ ପାରୁଥାନ୍ତେ ଓ ସେହି ଆନୁଗତ୍ୟକୁ ସ୍ଵୀକାର କରିନେଇ ଧନ୍ୟ ହୋଇ ପାରୁଥାନ୍ତେ । ଭୀତମାନେ ଏବଂ ଭୀତି ହେତୁ ଆପଣାକୁ ଲୁଚାଇ ଦବାଇ ରଖିବାକୁ ମନ କରୁଥିବା ବିଚରାମାନେ ନିଜକୁ ସେହି ଧନ୍ୟ ହେବାରୁ ବଞ୍ଚିତ କରି ରଖନ୍ତି, ତଥାପି କୌଣସି ସମାଧାନ କରି ପାରନ୍ତିନାହିଁ । ପ୍ରାଣିକ ଓର ଉଣ୍ଡୁଥାଏ ଏବଂ ପରଂବ୍ରହ୍ମଙ୍କୁ ବାଡ଼ପରି ବସାଇ ଏକ ସାମ୍ପ୍ରଦାୟିକତାର ଉତ୍ତେଜିତ ଆଡ଼ମ୍ବର ସୃଷ୍ଟି କରି ପକାଏ । ଦିବ୍ୟ ଉପଚାରରେ ଗୁରୁ ଠାକୁର ହୋଇ ବସନ୍ତି, ଠାକୁର ହେଉ ହେଉ ବଡ଼ଠାକୁରଙ୍କ ପଦକୁ ଉନ୍ନୀତ ହୋଇଯାଆନ୍ତି । ଗୁରୁଙ୍କୁ ଏଡ଼େବଡ଼ ବୋଲି କହି ଭକ୍ତମାନଙ୍କର ଆସ୍ପୃହାଗୁଡ଼ାକ ଏଇଠି ବହଳ ହୋଇ ପଡ଼ିଥାଏ, ଭକ୍ତିର ବହୁ ରାଜସିକତାରେ ପ୍ରାୟ ଜୁଡ଼ବୁଡ଼ ହୋଇ ରହିଥାଏ;–ମାତ୍ର ସୋପାନ ଉଠିବା ଅର୍ଥାତ୍ ନିକଟବର୍ତ୍ତୀ ହେବା ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ । ତୁମେ ଯେଉଁମାନେ ଗୁରୁଙ୍କୁ ନେଇ ଅଧାବାଟରେ ନିଜ ପାଚେରିଗୁଡ଼ାକ ଭିତରେ ପରଂବ୍ରହ୍ମ କରି ରହିବାକୁ ମନ କରୁଛ କରୁଥାଅ ପଛକେ, ମୁଁ ଗୁରୁଙ୍କ ଉପରେ ଭରା ଦେଇ ପରଂବ୍ରହ୍ମଙ୍କର ସନ୍ଧାନ କରି ବାହାରିଛି ଓ ସେହି ବାଟରେ ତାଙ୍କର ସନ୍ଧାନ ପାଉଛି, ତଦ୍ଦ୍ଵାରା ମୋ’ ଗୁରୁଙ୍କର ମର୍ଯ୍ୟାଦାକୁ ମୁଁ ଆଦୌ କୌଣସି ପ୍ରକାରେ କ୍ଷୁଣ୍ଣ କରିନାହିଁ । ନିଜକୁ, ଗୁରୁଙ୍କ ଏହି ମହାକାଶ ଭିତରେ ଠାବ କରି ମୁଁ ଧନୀ ହୋଇଛି ।

 

୨ । ୪ । ୯୨

 

୧୯୩୬ ମସିହା ଅପ୍ରେଲ ପହିଲାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ନାମରେ ଓଡ଼ିଶାରେ ସେଥିପାଇଁ ଆନ୍ଦୋଳନ କରିଥିବା ବ୍ୟକ୍ତିମାନଙ୍କୁ ଯାହା ମିଳିଥିଲା, ଆମେ ତାହାକୁ ଆମ ଓଡ଼ିଶା ବୋଲି କହି ଖୁସି ହେଲେ ଭାରି ଠକାମିରେ ପଡ଼ିଯିବା ।

 

ସେତେବେଳେ ଓଡ଼ିଶା ବୋଲି ଯାହା ମିଳିଥିଲା, ସେଥିରେ ଓଡ଼ିଆଭାଷୀ ଗଡ଼ଜାତମାନେ ସାମିଲ ହୋଇ ନଥିଲେ । ଗଡ଼ଜାତର ଯେଉଁ ରାଜାମାନେ ସେତେବେଳେ ସ୍ଵତନ୍ତ୍ର ଓଡ଼ିଶାର ଗଠନ ନିମନ୍ତେ ସକ୍ରିୟ ଉତ୍ସାହ ଦେଖାଉଥିଲେ, ସେମାନେ ସେମାନଙ୍କର ଗଡ଼ଜାତୀ ଏକାଧିପତ୍ୟର ଲୋପ ହୋଇ ଗଡ଼ଜାତଗୁଡ଼ିକ ଓଡ଼ିଶାରେ ମିଶିଯିବେ ବୋଲି କଦାପି ଇଚ୍ଛା କରି ନଥିଲେ । ଉତ୍କଳ ସମ୍ମିଳନୀରେ ବେଶ୍ ଦୀର୍ଘକାଳ ଧରି ଦିଆଯାଇଥିବା ଭାଷଣ ଏବଂ ଅଭିଭାଷଣ ମଧ୍ୟରେ ସେପରି କୌଣସି ପ୍ରସ୍ତାବର ଗନ୍ଧ ମଧ୍ୟ ନଥିଲା । ଉତ୍କଳଗୌରବ ମଧୁସୂଦନ ମଧ୍ୟ ଏହି ବିଷୟରେ କେବେହେଲେ ପାଟି ଫିଟାଇ ନଥିଲେ । କେହି ଆଗତତୁଣ୍ଡା ମଣିଷ ଯଦି ଉତ୍କଳ ସମ୍ମିଳନୀର ଦୃଷ୍ଟିସୀମାଗୁଡ଼ାକୁ ଭାଙ୍ଗି ମୁହିଁ ଫିଟାଇ ଗଡ଼ଜାତମାନେ ମଧ୍ୟ ଓଡ଼ିଶା ଭିତରେ ସାମିଲ ହୁଅନ୍ତୁ ବୋଲି ସେତେବେଳେ ମତ ଦେଇଥାନ୍ତେ, ତେବେ ତାଙ୍କୁ ହୁଏତ ସେହି ରାଜନୀତିପ୍ରଭାବିତ ସଭାରୁ ଯିବାକୁ ପଡ଼ିଯାନ୍ତା । ଭାରତବର୍ଷର ରାଜନୀତିକ ସ୍ଵାଧୀନତା ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସୁଥିବାବେଳେ ଉତ୍କଳ ସମ୍ମିଳନୀର ବୀରମାନେ ସମସ୍ତେ ତାହାର ବିରୋଧହିଁ କରୁଥିଲେ । ରାଜନୀତି ବିଷୟରେ ଆଦୌ କୌଣସି ଭବିଷ୍ୟତ୍‍ଦୃଷ୍ଟି ନଥିବା ଏମାନେ ସତକୁସତ ଓଡ଼ିଶାବାସୀଙ୍କୁ ସେତେବେଳେ ଯେଉଁ ନେତୃତ୍ଵ ଦେଇଥିଲେ, ତାହାର କେତେକ ପରିଣାମକୁ ଓଡ଼ିଶାବାସୀ ଏବେ ମଧ୍ୟ ଭୋଗ କରୁଛନ୍ତି । ତେଣୁ, ଭାରତବର୍ଷ ସ୍ଵାଧୀନତା ହାସଲ କଲାପରେ ଯାଇ ଓଡ଼ିଶା ସ୍ଵାଧୀନ ହେଲା । ଏବଂ ଅଧିକତର ଓଡ଼ିଶାରେ ଆସି ଏକାଠି ହେବାର ସୁଯୋଗ ପାଇଲେ ବୋଲି ସମ୍ଭବତଃ ଅଧିକ ଯୁକ୍ତିର ସହିତ କୁହାଯାଇପାରିବ । ବୃହତ୍ତର ଭାରତ ବ୍ରିଟିଶ୍ ଶାସନର ଅଧୀନତାରୁ ମୁକ୍ତ ହେବାପରେ ଗଡ଼ଜାତର ରାଜାମାନଙ୍କର ଆଉ ନିଜର ପ୍ରଜାମାନଙ୍କୁ ଅନ୍ଧାର ଭିତରେ ରଖି ଅସୁନ୍ଦର ସାମନ୍ତବାଦର ପ୍ରଦର୍ଶନ କରିପାରିବା ଲାଗି ଆଉ କୌଣସି ପ୍ରଶ୍ନହିଁ ନଥିଲା, ୧୯୩୬ ପରେବି ୧୯୪୭ ପର୍ଯ୍ୟନ୍ତ ତଥାକଥିତ ଓଡ଼ିଆ ଆନ୍ଦୋଳନର ତୁଙ୍ଗମାନେ ଚବିଶ ବା ଛବିଶ ଗଡ଼ଜାତ ଓଡ଼ିଶାରେ ମିଶିଯାଆନ୍ତୁ ବୋଲି ଥରେ ହେଲେ ମୁହଁ ଖୋଲି କହି ନଥିଲେ । ଓଡ଼ିଶାର ସେହି episodeଟି ଆମକୁ ଏତେ ମଧ୍ୟ ବିଡ଼ମ୍ବିତ କରି ରଖିଛି ।

 

୩ । ୪ । ୯୨

 

ମଠା ଲୁଗାଟିଏ ପିନ୍ଧିଲେ ତାହାରିଦ୍ଵାରାହିଁ ଉପାସନା ନିମନ୍ତେ ଅଧିକାର ମିଳିଯିବ ବୋଲି ଯିଏ ପ୍ରଥମେ ଭିଆଣ କରିଥିବ, ସିଏ ଅବଶ୍ୟ ବସ୍ତୁବାଦୀ ହୋଇଥିବ । ଭଗବାନ୍‍ଙ୍କୁ ନିକଟରେ ପାଇବା ଲାଗି ତାଙ୍କୁ ଅର୍ଥାତ୍ ତାଙ୍କର ଏକ ପ୍ରତିମାକୁ ତୋଳାଯାଇଥିବା ଏକ ମନ୍ଦିର ଭିତରେ ବସାଇଦେଲେ ଯେ ସିଦ୍ଧି ମିଳିଯିବ, ଏକଥା ଘୋଷଣା କରିଥିବା ବ୍ୟକ୍ତିମାନେ ଅବଶ୍ୟ ବସ୍ତୁବାଦୀ ହୋଇଥିବେ । ମଣିଷ ଭିତରେ ଯେଉଁ ପ୍ରତିକୂଳ ଉନ୍ମୋଚନବିମୁଖ ଉତ୍ପାଦନଟି ବସ୍ତୁଲାଳସୀ ହୋଇ ରହିଥାଏ, ତାହାକୁହିଁ ଅଧିକରୁ ଅଧିକ ପ୍ରବଳ ଭାବରେ ଜାଗୃତ କରି ରଖି ମଣିଷର ଅସଲ ଦ୍ଵାର ଓ ଅସଲ ଅନୁରାଗଗୁଡ଼ାକୁ କିଳି ରଖିବାର ଚକ୍ରାନ୍ତ ଯେଉଁ ଦିନଠାରୁ ଆମ ଧର୍ମମାନଙ୍କରେ ସର୍ବପ୍ରଧାନ ଧନ୍ଦା ହୋଇ ରହିଲା, ସେହି ଦିନଠାରୁ ମଣିଷଠାରୁ ମଣିଷକୁ ଦୂରଛଡ଼ା କରି ରଖିବାର ଟାଣ ମୂଳଦୁଆଟିଏ ଏହି ପୃଥିବୀରେ ପକାଇ ଦିଆଗଲା । ତଥାକଥିତ ବିଧିବାଦୀ କିମ୍ବା ତଥାକଥିତ ସୌନ୍ଦର୍ଯ୍ୟବାଦୀମାନେ ଧର୍ମ ଭିତରେ ଦୌରାତ୍ମ୍ୟ କରିବାର ପ୍ରଶ୍ରୟ ପାଇବାରୁ ଏକଥା କ୍ରମେ ଆମର ଚକ୍ଷୁରୁନ୍ମୀଳନର ପ୍ରକ୍ରିୟାଗୁଡ଼ିକୁ ଅତ୍ୟନ୍ତ ଶୋଚନୀୟ ଭାବରେ ପ୍ରତିହତ କରି ରଖିଲାନାହିଁ କି ?

 

ଆତ୍ମଉନ୍ମୋଚନରେହିଁ ସକଳ ଆଧ୍ୟାତ୍ମିକତା ନିହିତ ହୋଇ ରହିଛି । ଆତ୍ମଉନ୍ମୋଚନ ନିମନ୍ତେ କୌଣସି ବିଶେଷ ବସନ ବା ବିଶେଷ ଆଚ୍ଛାଦନର ଆଦୌ କୌଣସି ଆବଶ୍ୟକତା ନାହିଁ । ସହଜ ଆତ୍ମୀୟତାରେ ଆଧ୍ୟାତ୍ମିକତା ନିହିତ ହୋଇ ରହିଛି । ଏହି ଆତ୍ମୀୟତା ଲାଗି ଯଥାର୍ଥ ସମ୍ମତିଟିଏହିଁ ଯଥେଷ୍ଟ ହେବ । ଭଗବାନ୍‍ଙ୍କ ଲାଗି ମନୋଲୋଭା ସଖୀକଣ୍ଢେଇଟିଏ ପରି ଦିଶିଲେ ତଦ୍ଦ୍ୱାରା ଭଗବାନ୍‍ଙ୍କୁ କଦାପି ପାଇ ହେବନାହିଁ; କିମ୍ବା, ଅପରପକ୍ଷରେ, ଭଗବାନ୍‍ଙ୍କୁ ସଖୀକଣ୍ଢେଇଟିଏ କରି ଆମ ପ୍ରମତ୍ତପଣିଆଗୁଡ଼ାକର ଅଳିନ୍ଦ ମଧ୍ୟରେ ବାନ୍ଧି ରଖିଲେ ଏବଂ ସେହି ଥାନଟିକୁ ମନ୍ଦିର ବୋଲି କହିଲେ ତାହାରିଦ୍ଵାରାହିଁ କଦାପି ଆମଭିତରେ ଅଭିଳଷିତ ଉନ୍ମୋଚନଟି କଦାପି ଘଟି ଯିବନାହିଁ । କାହାର ହୋଇଗଲେ ଯାଇ ଉନ୍ମୋଚନ ସମ୍ଭବ ହେବ । ଏବଂ, ମୁଁ ପ୍ରକୃତରେ ଯାହାର ହୋଇପାରିବି, ତାହାରି ଭିତରେ ଭଗବାନ୍‍ଙ୍କୁ ଅବଶ୍ୟ ଦର୍ଶନ କରିପାରିବି ।

 

୪ । ୪ । ୯୨

 

ଆମ ମଉଜ ଏବଂ ଆମର ଆର୍ତ୍ତ ଅଭିଳାଷଗୁଡ଼ାକ ଅନୁସାରେ ଆମେ ଆମ ସଂସାରଟିକୁ ଗଢ଼ୁଛୁ, ସମ୍ପୂର୍ଣ୍ଣ ଭାବରେ ତାହାରି ବୀଜଗଣିତ ଅନୁସାରେ ଏଠି ଆମ ସମ୍ବନ୍ଧଗୁଡ଼ିକରବି ନିରୂପଣ କରିବାରେ ଲାଗିଛୁ । ଏବଂ ଆମ ଚାରିପାଖରେ ଆମେ କେତେ ମନ୍ଦିର ଗଢ଼ି ରଖିଛୁ ଏବଂ ତା’ ଭିତରେ ଭଗବାନ୍‍ଙ୍କୁ ଆମେ ବସାଇ ଦେଇଛୁ ବୋଲି କହୁଛୁ । ଭଗବାନ୍‍ଙ୍କୁ ଆମେ ସତେଅବା ଆମର ଏକ ରକ୍ଷାମଣ୍ଡଳରୂପେ ବ୍ୟବହାର କରୁଛୁ । ଅର୍ଥାତ୍, ଯେଉଁଗୁଡ଼ାକୁ ଆବୋରି ରଖିହିଁ ଆମେ ସଂସାର ଭିତରେ ନିଜ ଜୀବନଟିକୁ ବଞ୍ଚିଛୁ, ସେହିଗୁଡ଼ାକର ରକ୍ଷା ଲାଗି ଆମେ ଭଗବାନ୍‍ଙ୍କୁ ପ୍ରାର୍ଥନା କରୁଛୁ । ଏହିପରି ଏକ ପରିସ୍ଥିତିରେ ବିଚରା ଭଗବାନ୍‍ ପ୍ରକୃତରେ କ’ଣ କରି ପାରିବେ ?

 

ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅବସର ଓ ନିର୍ଦ୍ଦିଷ୍ଟ ଅନ୍ୟସମୟର ସୃଷ୍ଟି କରି କେବଳ ସେତିକିବେଳେ ଭଗବାନ୍‍ଙ୍କୁ ଦୁଃଖ ଜଣାଇବା, ଭଗବାନ୍‍ଙ୍କର ଅର୍ଚ୍ଚନା ଓ ମାଜଣା କରିବା, ଏହାକୁ ଅନେକ ଦୃଷ୍ଟିରୁ ଆମର ଏକ recreational ପ୍ରାୟଶ୍ଚିତ୍ତ ବୋଲି କୁହାଯାଇପାରିବ । ଏହି ପ୍ରାୟଶ୍ଚିତ୍ତ ଆମର ସମୁଦାୟ ଜୀବନଟି ଲାଗି ଆଦୌ ନୁହେଁ । କାରଣ, ଆମର ଆଠପହରୀ ଜୀବନଟି ଉଭୟ ବାହାରେ ଓ ଭିତରେ ଯେଉଁପରି ଥିଲା, ଠିକ୍ ସେହିପରି ରହିଛି । ସେଥିରେ କୌଣସି ହଲଚଲ ହେଉନାହିଁ ଅଥବା ହଲଚଲର ସୃଷ୍ଟି କରାଇବା ଲାଗି ଖୋଦ୍ ଭଗବାନ୍‍ଙ୍କରବି ଜୁ’ ନାହିଁ । ସମ୍ଭବତଃ ଆପଣାର ସୀମାଟିକୁ ମାନି ଭଗବାନ୍‍ ମଧ୍ୟ ଆମେ ତାଙ୍କଲାଗି ନିରୂପିତ କରି ଦେଇଥିବା ସାନ ଅରାଟିକୁ ଡେଇଁ ଆମ ଜୀବନର ଅନ୍ୟାନ୍ୟ ମାହାଲ ଭିତରକୁ ପଶିବାଲାଗି ସାହସହିଁ କରୁନାହାନ୍ତି । ଆମର ଅହଂଟା, ଆମର ଖିଆଲଗୁଡ଼ାକ ଓ ଆମର ଅତିପ୍ରମତ୍ତ ରାଜସିକ ଭୟଗୁଡ଼ାକହିଁ ଭଗବାନ୍‍ଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ରହିଛନ୍ତି । କେବଳ ଏକ recreational ଛନ୍ଦ ପରିବର୍ତ୍ତନ ଲାଗି ଆମକୁ ଭଗବାନ୍‍ଙ୍କ ପାଖରେ ଯାଇ ଗେଲେଇ ହେବା ଲାଗି କିଞ୍ଚିତ୍ ଅବସର ଛାଡ଼ି ଦେଇଛନ୍ତି । ସେତେବେଳେ ଆମେ ଭଗବାନ୍‍ଙ୍କ ପାଖରେ ଦୁଃଖ ଜଣାଇ ପ୍ରାୟଶ୍ଚିତ୍ତ କରି ଆସୁଛୁ ଓ ଇହସଂସାରରେ ସ୍ଵର୍ଗ ଲାଗି ଅନୁମତି ପତ୍ର ପାଇଗଲୁ ବୋଲି ଅନୁମାନ କରିନେଉଛୁ । ଭଗବାନ୍‍ ଆସି ଆମର ସମସ୍ତ ଜୀବନକୁ ଅଧିକାର କରିବେ, ମାଆ ହୋଇ ଆମର ଯାବତୀୟ ନିର୍ମାଣରେ ଓ ସମ୍ଭାବନାରେ ଅଧିଷ୍ଠାତ୍ରୀ ହୋଇ ରହିବେ, ଆମଲାଗି ସେହି ଅନ୍ୟ ଭାଗ୍ୟଟି ଏପର୍ଯ୍ୟନ୍ତ ଅନ୍ତରାଳ ହୋଇ ରହିଯାଇଛି ।

 

୬ । ୪ । ୯୨

 

ଭଗବାନ୍‍ଙ୍କ ଉପରେ ନିର୍ଭର କରିବାର ଅର୍ଥ ହେଉଛି ନିଜ ଭିତରୁ ଅସଲ ବଳ ପାଇବା, ନିଜକୁ କଦାପି ଅସହାୟ ବୋଲି ଅନୁଭବ ନକରିବା । ଏଣୁ, ଯଥାର୍ଥ ଆତ୍ମନିର୍ଭରଶୀଳ ହେବାକୁହିଁ ଭଗବାନ୍‍ଙ୍କ ଉପରେ ନିର୍ଭର କରିବା ବୋଲି କୁହାଯାଇପାରିବ କି ? ତେବେ, ଭାରତବର୍ଷରେ ଭଗବତ୍‌ବିଶ୍ଵାସୀ ମଣିଷମାନେ ଏପରି ଶୋଚନୀୟ ଭାବରେ ଭାଗ୍ୟନିର୍ଭରଶୀଳ ଏବଂ ତାହାର ପରିଣାମସ୍ୱରୂପ ଅନ୍ୟନିର୍ଭରଶୀଳ ହୋଇପଡ଼ିଲେ କାହିଁକି ? ବ୍ୟକ୍ତିଗତ, ପାରିବାରିକ ଏବଂ ସାମୂହିକ ଜୀବନର ପ୍ରାୟ ସକଳ ଅବସରରେ ସେମାନେ ଭଗବାନ୍‍ଙ୍କୁ ଗୋଟିଏ ଗୋଟିଏ ଠାକୁରରେ ପରିଣତ କରିଦେଇ ସେହି ଠାକୁରହିଁ ସବୁକିଛି କରିଦେବେ ବୋଲି ସ୍ଥିର କରି ଆପେ ନିଷ୍କ୍ରିୟ ହୋଇ ବସିପଡ଼ିଲେ କାହିଁକି ? ଗୁରୁମାନେ ମଧ୍ୟ ଅସଲ ଆଲୋକଗୁଡ଼ିକର ବାହକ ହୋଇଥିଲେ ମନୁଷ୍ୟମାନଙ୍କୁ ସେମାନଙ୍କର ନିଜ ଭିତରେ ରହିଥିବା ଆଲୋକଟିର ନିର୍ଦ୍ଦେଶ ମାନିବାକୁ ଏବଂ ବଳିଷ୍ଠ ହେବାକୁ ପ୍ରେରଣା ଦେଇଥାନ୍ତେ । ଅଧିକାଂଶ କ୍ଷେତ୍ରରେ ସେମାନେ ମନୁଷ୍ୟମାନଙ୍କର ସମ୍ଭାବନାକୁ କେଡ଼େ ଅଳପ କରି ବୁଝିଲେ କି କ’ଣ କେଜାଣି, ମନୁଷ୍ୟମାନଙ୍କୁ ପ୍ରଧାନତଃ ଗୁରୁ ନିର୍ଭରଶୀଳ ହୋଇ ରହିବା ଲାଗି ଅଧିକତର ପ୍ରରୋଚନା ଦେଲେ ।

 

ଅନେକ ସ୍ଥଳରେ ସ୍ଵୟଂ ଭଗବାନ୍ ମଧ୍ୟ ପଛକୁ ହଟିଗଲେ ଏବଂ ଗୁରୁମାନେହିଁ ଆଗଧାଡ଼ିରେ ବସି ପୂଜା ପାଇଲେ, ଆନୁଗତ୍ୟ ଲାଭ କଲେ । ଗୁରୁମାନଙ୍କୁ ପ୍ରଭୁ କୁହାଗଲା । ମହାପ୍ରଭୁ କୁହାଗଲା, ଅବତାର ବୋଲି କୁହା ଯାଉ ଯାଉ ଅବତାରୀ ବୋଲି କୁହାଗଲା । ନାନା ଚକ୍ରାନ୍ତର ଏକ ମିଛ ଅଲିଅଳତାର ରଚନା କରି ଗୁରୁକୁହିଁ ଭଗବାନ୍‍ଙ୍କର ସମତୁଲ କରି ବସାଇ ଦିଆଗଲା । ଏହାଦ୍ଵାରା ମନୁଷ୍ୟମାନଙ୍କର ପରନିର୍ଭରଶୀଳତା ପ୍ରାୟ ଅତିଶୟ ମାତ୍ରାରେ ପ୍ରତିଷ୍ଠିତ ହୋଇ ରହିଲା, ଯାବତୀୟ ଉଦୟ ଲାଗି କୀଳକପ୍ରାୟ ହୋଇ ରହିଲା । ବାହାରେ ଢୋଲ ପିଟି ନିଜର ଗୁରୁମାନଙ୍କୁ କାନ୍ଧେଇ ଅତିନିର୍ଭର ଅସହାୟମାନେ ମହାପର୍ବରେ ଶୋଭାଯାତ୍ରା କରି ବାହାରିଥିବା ସମୟରେ ଯିଏ ମଣିଷକୁ ତା’ର ଆପଣା ଭିତରେ ରହିଥିବା ଅପେକ୍ଷାମାଣ ଭଗବାନ୍‍ଙ୍କୁ ଜାଗୃତ କରି ଆଣିବାର ଗୁଣ୍ଡୁଚିମୂଷା ପରି ହେଲେ ମଧ୍ୟ କିଛି ସାହାଯ୍ୟ କରି ପାରିବ, ସେଇ ହୁଏତ ଭଗବାନ୍‍ଙ୍କ ଲାଗି ତଥା ମଣିଷଲାଗି ସତକୁସତ କିଛି କରିପାରିବ ।

 

୭ । ୪ । ୯୨

 

କାଲି ବିଶ୍ଵବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକ କହିଲେ ଯେ ତାଙ୍କର ସେଠାରେ ଗବେଷଣା ନାମରେ ଅନେକ ପାପକାର୍ଯ୍ୟ ହେଉଛି । ପାପ କାର୍ଯ୍ୟ ଅର୍ଥାତ୍ ଯାହାସବୁ ହେବାର ନୁହେଁ, ସେହିଭଳି ନାନା କାର୍ଯ୍ୟ । ସିଏ ନିଜେ ମଧ୍ୟ ସେହି ଯନ୍ତ୍ରଭିତରେ ପଶିଛନ୍ତି, ସେହି ଦରବାରରେ ଜଣେ ହୋଇ ବସିଛନ୍ତି । ମାତ୍ର, ଗର୍ହିତ କାର୍ଯ୍ୟଗୁଡ଼ିକ ସକାଶେ ସିଏ କେବଳ କେତେକ ଅନ୍ୟମାନଙ୍କୁହିଁ ଦୃଷ୍ଟାନ୍ତରୂପେ ଦାୟୀ କରାଇଲେ । ମନେ ହେଉଥିଲା, ସତେ ଯେପରି ସେଇ କେତେଟା ଚଣ୍ଡାଳ ସେଠାରେ ନଥିଲେ ସେହି ସ୍ଥାନଟି ଯେକୌଣସି ବ୍ରାହ୍ମଣଶାସନ ପରି ଗୋଟାସୁଦ୍ଧା ଶୁଦ୍ଧ ଓ ମଳମୁକ୍ତ ହୋଇ ରହିଥାନ୍ତା ।

 

ବ୍ୟକ୍ତିଗତ ଭାବରେ ମୁଁ ହୁଏତ ଅପେକ୍ଷାକୃତ ଅଧିକ ଦୋଷମୁକ୍ତ ହୋଇ ରହିପାରେ, ଏପରିକି ନିଜର ଗେଲବସର ଆଖିକୁ କେବଳ ଏକା ମୁଇଁ ଅଭଦ୍ରଙ୍କ ଭିତରେ ଭଦ୍ର ହୋଇ ଦିଶୁ ଥାଇପାରେ । ମାତ୍ର, ମୋତେ ତଥାପି ସେଠାରେ ଯାବତୀୟ ଦାୟିତ୍ଵରେ ଓ ତେଣୁ ଯାବତୀୟ ଦୋଷରେ ଅବଶ୍ୟ ଭାଗୀ ହେବାକୁ ପଡ଼ିବ । ମୋତେ ଆଉକେହି ଦାୟୀ ନକରୁଥିଲେ ମଧ୍ୟ ଅନ୍ତତଃ ମୁଁ ନିଜେ ନିଜକୁ ଏହି ସବୁକିଛି ନିମନ୍ତେ ଦାୟୀ ବୋଲି ଅନୁଭବ କରି ପାରୁଥିବି । ତାହା ହେଉଛି ଆରମ୍ଭ, ଏହିଠାରୁ ଆରମ୍ଭ କରିବାକୁହିଁ ପଡ଼ିବ । ହୁଏତ ତେବେଯାଇ ମୁଁ ଗୋଟିଏ ବିକଳ୍ପ ହେବାଲାଗି ସତକୁସତ ମନ କରିପାରିବି । ଏବଂ ବିକଳ୍ପମାନେହିଁ ଘରଟିକୁ ପୁନର୍ବାର ଘରଲାଗି କରିପାରିବେ । ଆଧୁନିକ ଯନ୍ତ୍ରଗୁଡ଼ାକ ଯେ କ୍ରମେ ଅପାରଗ ହୋଇ ପଡ଼ୁଛନ୍ତି, ଆଧୁନିକ ବହୁ ଆସ୍ଥାନ ଯେ କ୍ରମେ ଅସମର୍ଥ ହୋଇ ରହି ଯାଉଛନ୍ତି, ପ୍ରଧାନତଃ ବିକଳ୍ପମାନଙ୍କର ଅଭାବ ହେତୁ ତାହା ହେଉଛି । ଯାବତୀୟ ବୈକଲ୍ୟ ସକାଶେ ଆମେ ପରସ୍ପରକୁ ଦୋଷ ଦେଉଛୁ ଏବଂ ଅତ୍ୟନ୍ତ ଲୋକହସା ଭାବରେ ଆପଣାକୁ ସେହି ପଙ୍କଗଡ଼ିଆରୁ ବାହାରେ ରହିଥିଲା ପରି ଭଲେଇ ହେବାରେ ଲାଗିଛୁ । ତେବେ ପରିବର୍ତ୍ତନ ପୁଣି କିପରି ହେବ, ପରିବର୍ତ୍ତନ ହେବ ବା କାହିଁକି ? ଯେକୌଣସି ଶିକ୍ଷାବିହାରରେ ଅଧ୍ୟାପକ ଅନେକ ସ୍ଵାଧୀନତା ରହିଛି । ଏହି ସ୍ଵାଧୀନତା ହେଉଛି ଅନ୍ୟପ୍ରକାରେ ହେବାରେ ସ୍ଵାଧୀନତା ସେହି ସ୍ଵାଧୀନତାକୁ କେହି ବାହାରୁ ଆଣି ଦେଇ ଯିବନାହିଁ । ତାହା ସିଏ ନିଜେ ନିଜଭିତରୁ ଅନୁଭବ କରିବ ଓ ସେହି ଅନୁସାରେ ନିଜକୁ ଗଢ଼ି ଗଢ଼ି ଆଣିବ । ତେବେଯାଇ ହେବ ।

 

୮ । ୪ । ୯୨

 

ଅନେକେ କହନ୍ତି, ମଣିଷ ଭିତରେ ପୌତ୍ତଳିକ ହେବାଲାଗି କୁଆଡ଼େ ଏକ ସହଜାତ ପ୍ରବୃତ୍ତି ରହିଛି । ଏପରି କହି ସେମାନେ ସତେଯେପରି ଏକ ପୁଲକବି ଅନୁଭବ କରନ୍ତି ଏବଂ ପୌତ୍ତଳିକ ହେବାକୁ ଜଣେ ମନୁଷ୍ୟ ବାଧ୍ୟ ବୋଲି ଏକ ସାଧାରଣ ସିଦ୍ଧାନ୍ତର ଲାଞ୍ଜ ଧରିପକାଇ ବେଶ୍ ନିଦକ ହୋଇ ରହନ୍ତି ।

 

ପିତୁଳାପୂଜାକୁ ଆଦୌ ଏକ ଗର୍ହିତ କାର୍ଯ୍ୟ ବୋଲି ବିଚାର କରୁନଥିବା ଜଣେ ମଣିଷ ହିସାବରେ ପ୍ରଧାନତଃ ନିଜର ଅଭିଜ୍ଞତାରୁ ମୁଁ କହିବି ଯେ, ଜଣେ ମଣିଷ ଅଟକି ଯିବାକୁ ମନ କରିବାମାତ୍ରକେହିଁ ପୌତ୍ତଳିକା ବନିବା ନିମନ୍ତେ ତା’ପାଖରେ ନାନାବିଧି ପ୍ରଲୋଭନଯୁକ୍ତ ଆସି ପହଞ୍ଚି ଯାଆନ୍ତି ଏବଂ ସିଏ ସତେଅବା ଏକ ସ୍ଵପ୍ରେରିତ ପୁଲକରେ ପୌତ୍ତଳିକ ବନିଯାଏ । ଜୀବନରେ କେତେ କେତେ ପିତୁଳାକୁ ଅତିକ୍ରମ କରିପାରିଲେ ଯାଇ ଆପଣାର ଅସଲ ବାଟଟିକୁ ଚାଲିହୁଏ । ଉପେକ୍ଷା ଅଥବା ଅବଜ୍ଞା ସହିତ ନୁହେଁ, ଶ୍ରଦ୍ଧାର ସହିତ ଅତିକ୍ରମ କରିପାରିଲେ । ବାଟ ଚାଲିବା ଅର୍ଥାତ୍ ପାହାଚ ଉଠିବା । ପାହାଚ ଉଠିବାର ଅର୍ଥ ହେଉଛି ନିଜ ଭିତରୁ ଆପଣାର ନୂଆ ଆଖିଟିକୁ ଉନ୍ମୋଚିତ କରିଆଣିବା ଏବଂ ଏକ ନୂଆ ଆଖିରେ ଆପଣାକୁ ତଥା ଏହି ସବୁକିଛିକୁ ଦେଖିବା । ସେହି ଦେଖିବା ନିରନ୍ତର ଲାଗି ରହିଥିବ, ତାହାହିଁ ଅସଲ ଜୀବନ, ତାହାରି ସହିତହିଁ ଅସଲ ସଖ୍ୟ । ଅନେକ ମଣିଷ ଏତେଗୁଡ଼ାଏ ସୌଭାଗ୍ୟକୁ ସାହସ କରି ପାରନ୍ତିନାହିଁ । ସେମାନେ ଥକି ପଡ଼ିବାମାତ୍ରକେ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରତିମା ପାଖରେ, ଜଣେ ନିର୍ଦ୍ଦିଷ୍ଟ ଗୁରୁଙ୍କ ପାଖରେ ଏବଂ ସେଇଥିରୁ ବାହାରୁଥିବା ଖିଅଗୁଡ଼ିକଦ୍ଵାରା ବୁଣା ହୋଇଥିବା ଏକ ସମ୍ପ୍ରଦାୟ ଭିତରେ କେଡ଼େ ଅଲିଅଳ ଭାବରେ ବାନ୍ଧି ହୋଇ ରହିଯାଆନ୍ତି । ସେହି ଅଟକି ଯିବାରେ ପରମ ପୁଲକ ସହିତ ସହଯୋଗ କରିବା ନିମନ୍ତେ ଅନୁରୂପ କୁନିଗୁରୁମାନେ ମଧ୍ୟ ଆମ ପୃଥିବୀରେ ବହୁ ସଂଖ୍ୟାରେ ରହିଥାନ୍ତି । ତେଣୁ, ନିଜଭିତରେ ଦ୍ଵାରଗୁଡ଼ିକୁ କିଳି ଦେଇ ବାହାରେ ଉଡ଼ାଇ ଦିଆଯାଇଥିବା ବାନାଟାକୁ କେନ୍ଦ୍ର କରି ଦେଲେ ମଣିଷ କେଡ଼େ ଆଡ଼ମ୍ବର ସହିତ ବାହାରି ପଡ଼ନ୍ତି । ଏଥିରେ ଆହୁରି ଅଧିକ ଧୃଷ୍ଟତା ଭରିଦେବାକୁ ପୃଷ୍ଠପୋଷକ ରାଜାମାନେ ଆଗେ ପ୍ରାୟ ସବୁ ଯୁଗରେ ରହିଥିଲେ । ସେମାନେ ଏ ଯୁଗରେ ମଧ୍ୟ ଅଛନ୍ତି । ତାହାରିଫଳରେ ବାନାଗୁଡ଼ିକୁ ସବାଉଚ୍ଚ କରି ଦେଖାଇବାକୁ ମନ୍ଦିରଗୁଡ଼ାଏ ତିଆରି କରିଦେବାରେବି ମୋଟେ ସମୟ ଲାଗୁନାହିଁ । ମାତ୍ର ମଣିଷ ଅଟକି ଯାଉଛି, ସଂସାର ମଧ୍ୟ ଅଟକି ଯାଉଛି । ଭଗବାନ୍‍ଙ୍କ ଦୁଃଖ ଲାଗିରହିଛି ।

 

୯ । ୪ । ୯୨

 

ଆମ ବିଚିତ୍ର ଦେଶରେ ବାବାଜି ହୋଇଯିବାକୁ ଅର୍ଥାତ୍ ନିଜକୁ ପ୍ରତ୍ୟାହୃତ କରି ରଖିବାକୁ କେତେ ନା କେତେ ପ୍ରଲୋଭନ ରହିଛି । କେଡ଼େ ଭଲ ମଣିଷମାନେ ଏତେ ଟିକିଏ ମଉକା ଆସି ପହଞ୍ଚିଗଲେହିଁ ରୁଷି ବସୁଛନ୍ତି । ମୁଁ ରୁଷିବି ନାହିଁ, ବାବାଜି ହେବିନାହିଁ ଏବଂ ପଳାଇବି ନାହିଁ ବୋଲି ଭଗବାନ୍‍ଙ୍କ ପାଖରେ ଶପଥ କରିଛି । ଆପଣା ଭିତରେ ରହିଥିବା ଭଗବାନ୍‍ଟି ସହିତ ସାଥୀ ହୋଇ ରହିଥିବା ପର୍ଯ୍ୟନ୍ତ ବାହାରକୁ ଚାହିଁ ଦେଖିବାମାତ୍ରକେ ଅନୁରାଗ ବ୍ୟତୀତ ଆଉ କିଛି ହେଲେ ଯେ ଅନୁଭବକୁ ଆସେନାହିଁ, ସେହି କଥାଟିକୁ ମୁଁ ଅଙ୍ଗେ ନିଭାଇ ଜାଣିଛି । ତାହାହିଁ ମୋତେ ମୋ’ର ଯାବତୀୟ ରୁଷିବାକୁ ରକ୍ଷା କରିଆସିଛି, ଅସ୍ଵୀକାର ଅପେକ୍ଷା ସ୍ଵୀକାରକୁହିଁ ନିଜ ଜୀବନର ଅଧିକ ନିର୍ଭରଯୋଗ୍ୟ ଅବଲମ୍ବନରୂପେ ଗ୍ରହଣ କରି ଶିଖାଇଛି ।

 

ଭିତରେ ଅହଂଟି କେଉଁଠି ଆମ ଜୀବନଭାଡ଼ିର ବାଉଁଶରେ ଚକଚକିଆ ଫଳଟିଏ ହୋଇ ଝୁଲୁଥାଏ, ସେଇ ଅନୁକ୍ଷଣ ବାବାଜି ହେବାପାଇଁ ଫୁସୁଲାଇବାରେ ଲାଗିଥାଏ । ମୋ’ କଥା ରହିବ, ମୁଁ ତେବେ ଯାଇ ଏଠାରେ ବସିବି, ମୋତେ ସବୁଠାରୁ ବଡ଼ ଆସନଟି ଅଥବା ପଦଟି ମିଳିବ, ନହେଲେ ମୁଁ ଏଠାରୁ ପଳାଇଯିବି,–ବାହାରେ କେଡ଼େ ଉଜ୍ଜ୍ଵଳ ଓ ଭାବଭୋଳା ହୋଇ ଦିଶୁଥିବା ମଣିଷମାନେ ଏହିପରି ଏକ ଅପଟକୁ ମହଦାଶ୍ରୟ ବୋଲି ଗ୍ରହଣ କରି ବାହାରି ପଳାଇବେ, ନାକ ଟେକି ବାବାଜିଦୀକ୍ଷା ନେବେ ବୋଲି ଗୋଡ଼ ଟେକି ବସିଥାନ୍ତି । ସେମାନେ ନିଜକୁ ନିରନ୍ତର ଅନ୍ୟମାନଙ୍କ ସହିତ ତୁଳନା କରୁଥାନ୍ତି । କେଉଁ ଅଲକ୍ଷଣା ଏବଂ ଆତ୍ମଘାତୀ ଏକ ସୂତ୍ରନିପାତଦ୍ଵାରା ନିଜଭିତରେ ଅନ୍ୟମାନଙ୍କ ତୁଳନାରେ ନିଜକୁ କମ୍ ପାରୁଆ ବୋଲି ଅନୁଭବ କରୁଥାନ୍ତି ଓ ତେଣୁ ବାହାରେ ଆପଣାକୁ ଉଚ୍ଚତର, ସ୍ଥୂଳତର ଅଥବା ଦୀର୍ଘତର ବୋଲି ପ୍ରତିପାଦିତ କରିବାକୁ ଭାରି ଧଇଁସଇଁ ହୋଇ ଧାଇଁଥାଆନ୍ତି, ଭାରି କୁପିତ ହୋଇ ରହିଥାନ୍ତି । ମୁଁ ସାଙ୍ଗ ଖୋଜୁଥାଏ, କୁପିତମାନଙ୍କୁ ମଧ୍ୟ ସାଙ୍ଗ କରି ପାଇବି ବୋଲି ଅନାଇ ବସିଥାଏ ।

 

୧୦ । ୪ । ୯୨

 

ବାଣୀଙ୍କର ବିହାରମାନଙ୍କରେ ଯେଉଁଠି ସାହିତ୍ୟ ନାମରେ ବର ଓ ଅଶ୍ଵତ୍‌ଥମାନ ରୋପଣ କରାଯାଇ ବିଭାଗଟିଏ ତିଆରି ହୋଇଛି, ସେଠାରେ ଅହଂମାନେ ଏପରି ତୀବ୍ର ଭାବରେ ଏତେଗୁଡ଼ାଏ ଥାନ କିପରି ମାଡ଼ିବସି ପାରୁଛନ୍ତି ? ତେଣୁ, ସାହିତ୍ୟ ଯେ ସାହିତ୍ୟପାଇଁ ନୁହେଁ ଏବଂ ସାହିତ୍ୟ ଯେ ଯଥେଷ୍ଟ ନୁହେଁ, ସେଥିରୁ ତାହାର ପ୍ରମାଣ ମିଳିଯାଉଛି ।

 

ସାହିତ୍ୟ ପ୍ରକୃତରେ ଯଥେଷ୍ଟ ନୁହେଁ । ଧେୟଟିଏ ଆଦୌ ନୁହେଁ । ସାହିତ୍ୟର ତଥାକଥିତ ଜାତୀୟତାବାଦୀ ଯୁଗରେ ସମ୍ଭବତଃ ଜାତିଟା ସହିତ ଜାତିର ଇତିହାସ ଏବଂ ଜାତିର ସାହିତ୍ୟକୁ ବହୁ ମିଛ ଅଭିମାନ ସହିତ ଅତ୍ୟନ୍ତ ଅନୁପାତହୀନ ଭାବରେ ଉପରକୁ ଟେକି ଦିଆଗଲା-। ବିଶେଷତଃ ଓଡ଼ିଶା ବା ଭାରତବର୍ଷ ଭଳି ଏକ ମେଦିନୀଖଣ୍ଡରେ, ଯେଉଁଠି ଏକ କ୍ଷୁଦ୍ର ଅଂଶହିଁ ଯାବତୀୟ ଜାତୀୟତା ତଥା ଯାବତୀୟ ସାହିତ୍ୟରେ ଆଦୌ କୌଣସି ଭାଗ ନେବାଲାଗି ସମର୍ଥ ହେଉଥିଲେ, ସେଠାରେ ଅତ୍ୟନ୍ତ ସଂଖ୍ୟାଲଘୁ ମୁଷ୍ଟିମେୟମାନେ ଅଧିକ ଦର୍ପରେ ସାହିତ୍ୟ କଲେ, ଅଧିକ ଦର୍ପରେ ଅହଂକାରୀ ହେଲେ, ଅଧିକ ବ୍ୟଭିଚାରୀ ହେବାଲାଗି ଏକାଧିକ ଯୁକ୍ତି ପାଇଗଲେ-। ଯଦି ଭିତରେ ବ୍ୟାକୁଳତାଗୁଡ଼ିକ ଯଥାର୍ଥ ହୋଇ ରହିଥାଆନ୍ତା, ଯଦି ଭିତରେ ଅସଲ ମଣିଷଟିଏ ସତକୁସତ ଏକାତ୍ମ ହେବାର, ଖିଅ ବାନ୍ଧିବାର ଏବଂ କାହାର ହୋଇ ପାରିବାର ବାଟଟିକୁ ଚାଲୁଥାନ୍ତା, ତେବେ ସାହିତ୍ୟ ମଧ୍ୟ ତା’ର ପଥରେ ଏକ ଯଥାର୍ଥ ବନ୍ଧୁପରି କାର୍ଯ୍ୟ କରି ପାରନ୍ତା-। ସାହିତ୍ୟ ତାକୁ କେଡ଼େ ସହଜରେ ସମ୍ମତ କରାଇ ଆଣନ୍ତା ଏବଂ କେଡ଼େ ସହଜରେ ପାହାଚ ଉଠାଇ ଦେଇ ଯାଆନ୍ତା । ଫୁଲପରି ସୌରଭଯୁକ୍ତ କୋମଳ ଏବଂ ଆତ୍ମଦାନ ସମର୍ଥ କରିପାରନ୍ତା-। ତେଣୁ, ଯେଉଁ ଭୂମିର ସାହିତ୍ୟ ଯେତେ ପ୍ରଚୁର, ସେହି ଭୂମି ସେତେ ଯୋଗ୍ୟ ବୋଲି ସର୍ବତ୍ର କୁହାଯାଇପାରିବ ନାହିଁ । ଯେଉଁ ଭୂମିର ମଣିଷମାନେ ଆପଣାଠାରୁ ବୃହତ୍ତର କୌଣସି ଏକ ମୂଲ୍ୟ ଲାଗି ଜୀବନ ବଞ୍ଚି ବାହାରିଛନ୍ତି, ସେଇଥିଲାଗି ବାଟ ଚାଲୁଛନ୍ତି, ସେଠାରେ ସାହିତ୍ୟ ସମେତ ଯାବତୀୟ ସୃଜନଶୀଳତା ମନୁଷ୍ୟର ସେହି ଯାତ୍ରାରେ ଅନେକ ଅଧିକ, ଗତି ଓ ଅନେକ ଅଧିକ ଔଜଲ୍ୟ ଯେ ଅବଶ୍ୟ ଯୋଗାଇହେବ ବରଂ ଏପରି କଥାଟିଏ କୁହାଯାଇପାରିବ ।

 

୧୧ । ୪ । ୯୨

 

ସତକୁସତ ଖରାପ ମଣିଷ କେହି ଅଛନ୍ତି ବୋଲି ମୋ’ ପିଲାଦିନରୁ ଯେଉଁ ଭ୍ରମକୁ ନାନା ଅପସଂସ୍କାରର କାରଣରୁ ମୋ’ ଭିତରେ ପୂରାଇ ଦିଆଯାଇଥିଲା, ଜୀବନରେ ଅଭିଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ ଏବଂ ଆଖିମାନେ ଅଧିକ ଦେଖିବାଲାଗି ସମର୍ଥ ହେବା ସଙ୍ଗେ ସଙ୍ଗେ ସେହି ଭ୍ରମ ଦୂରୀଭୂତ ହୋଇଯାଉଛି ।

 

ଖରାପ ମଣିଷ ନାହାନ୍ତି, କେବଳ ଦୁଃଖୀ ମଣିଷମାନେହିଁ ଅଛନ୍ତି । ନିଜ ଭିତରେ କେଉଁଠି କ’ଣ କ୍ଷତଟିଏ ରହିଥାଏ ଓ ତାହାକୁ ଅନେକ ମଣିଷ ଭିତରେ ବହନ କରି ରହିଥାନ୍ତି । ନିଜ ଭିତରେ ସେମାନେ ସେହି ଦୁଃଖଟିକୁ ଅତିକ୍ରମ କରି ପାରୁନଥାନ୍ତି ଏବଂ ତେଣୁ ବାହାରେ ଆପଣାର ଉଗ୍ରତା ଭିତରେ ଛନ୍ଦି ହୋଇ ରହିଥାନ୍ତି । ଏପରିବି ଅନେକ ମଣିଷ ଥାଆନ୍ତି, ଯେଉଁମାନେକି ନାନା ଅନ୍ତର୍ଗତ କାରଣରୁ ନିଜକୁ ପୃଥିବୀର ଏକମାତ୍ର ଦୁଃଖୀ ବୋଲି ଅନୁଭବ କରୁଥାନ୍ତି ଓ ତେଣୁ ଅନୁକ୍ଷଣ ଅତିମାତ୍ରାରେ କୁପିତ ହୋଇ ରହିଥାନ୍ତି । ସେମାନେ ଯେତିକି ଉଗ୍ର ଭାବରେ ନିଜର ତଳଗୁଡ଼ିକୁ ତାଳ କରି ଦେଖୁଥାନ୍ତି, ସେତିକି ପୃଥିବୀର ଦୁଃଖ ବଢ଼ାଇବାରେ ଲାଗିଥା’ନ୍ତି । ନିଜ ଭିତରର ଦୁଃଖଗୁଡ଼ାକୁ ଯେକୌଣସି ମତେ ପୋତି କରି ରଖିଦେବାକୁ ଆଉଥୋକେ ମଣିଷ ପୃଥିବୀରେ ନିଜପାଇଁ ଖାଲି କଥାକଥିତ ସୁଖଗୁଡ଼ାକୁ ଖୋଜୁଥା’ନ୍ତି । ଧନରେ ବଢ଼ନ୍ତି, ଯଶରେ ବଢ଼ନ୍ତି, କ୍ଷମତାରେ ରୁକ୍ଷ ହୁଅନ୍ତି ଏବଂ ବଡ଼ ଯନ୍ତ୍ରଣାଦାୟକ ଅଥଚ ବ୍ୟର୍ଥ ଭାବରେ କ’ଣସବୁର କ୍ଷତିପୂରଣ କରିବାରେ ଲାଗିଥାନ୍ତି । ଆହୁରି ଅନେକ ମଣିଷଙ୍କୁ ଦୁଃଖୀ କରି ରଖିଲେ ଯାଇ ଆପେ ସୁଖ ପାଇଲେ ବୋଲି ଏମାନଙ୍କର ଯଥାର୍ଥ ହୃଦ୍‌ବୋଧ ହୋଇଥାଏ । ତେଣୁ, ଉଗ୍ର ମଣିଷ ଅର୍ଥାତ୍ ଦୁଃଖୀ ମଣିଷ, ଅର୍ଥାତ୍ ଅନ୍ଧ ଅଥବା ଏକଆଖିଆ ମଣିଷ, ଯିଏକି କେବଳ ନିଜକୁ ଦେଖୁଥାଏ, ନିଜ ଗୁମ୍ଫାଟି ଭିତରେ ଅତ୍ୟନ୍ତ ଉତ୍ତେଜିତ ଏବଂ ଅସୂୟାଯୁକ୍ତ ହୋଇ ରହିଥାଏ । ହୁଏତ କୌଣସି ବନ୍ଧୁର ଅପେକ୍ଷାରେ ଥାଏ । ବନ୍ଧୁଟିଏ ମିଳିଲେ ତରିଯାଏ । ବାଟକୁ ଆସେ । ସେ ନିଜର ଦୁଃଖଗୁଡ଼ିକୁ ଏକାବେଳେକେ ଅନ୍ୟ ଆଖିରେ ଦେଖିବାକୁ ଆରମ୍ଭ କରେ । ଉଶ୍ଵାସ ହୁଏ ।

Image